- ଯେତେବେଳେ ମନହୁଏ ପିଲାଙ୍କ ସଙ୍ଗେ ମିଶି ଗପଶୁଣାଇ ଦିନ କଟିଯାଆନ୍ତା, ସେତିକି ବେଳକୁ ଶୁଣିବାକୁ କେହି ନମିଳିଲେ, ମନ ଭାଙ୍ଗିଯାଏ।
ଜୀବନ ବଢିଚାଲେ, କେତେ ସୋପାନ ଦେଇ। ଶେଷ ସୋପାନ ଟି ଯେତେବେଳେ ପହଞ୍ଚି ଯାଏ, ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ, ସବୁ ହିସାବ ଖାତା ଵନ୍ଦକରିବାର। ସେହି ସମୟରେ ସମାଜ ସ୍ୱତଃପ୍ରବୃତ୍ତ ହୋଇ ଗୋଟିଏ ଉପାଧି ଦେଇଦିଏ ‘ବୁଢା’, ଯାହାକୁ ଆଜିକାଲି ଟିକିଏ ଇଂରାଜୀ ପୁଟ ଦେଇ କହୁଛନ୍ତି ସିନିୟର ସିଟିଜିନ୍। ସରକାରୀ ସ୍ତରରେ କିଛି ସହାନୁଭୂତି ସୂଚକ ସୁବିଧା ମିଳିବା ଆରମ୍ଭ ହୁଏ, ବାର୍ଦ୍ଧକ୍ୟ ଜନିତ ରୋଗମାନେ ମାଡିବସନ୍ତି, ସେତିକି ବେଳକୁ ଶାରୀରିକ, ମାନସିକ, ଆର୍ଥିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଦେଖାଦିଏ। ଗୋଟିଏ ଅସହାୟ ଅବସ୍ଥାରେ କାଳ କାଟିବାକୁ ବାଧ୍ୟ ହୁଅନ୍ତି ଅନେକ। ପିଲାମାନେ ଦୁର ବିଦେଶୀ ହୋଇ ଯାଆନ୍ତି। ନାନା ସମସ୍ୟାର ସାମନା କରିବାକୁ ହୁଏ।
ଜୀବନ ସେଇଠି ମୋଡ ବଦଳାଇଥାଏ। କେହି କେହି ନିଜ ଭିତରେ ନିଜକୁ ସୀମିତ ରଖି ଚୁପ୍ ରହିବାକୁ ଶ୍ରେୟ ମନେକରନ୍ତି। ନଶୁଣିଲାପରି ବାହାନା ମଧ୍ୟ କରନ୍ତି। ଟେଲିଭିଜନ ସହ ବନ୍ଧୁତା ବଢାଇ ଦିଅନ୍ତି। ନାତି ନାତୁଣୀ ମାନେ ତାଙ୍କ ଠାରୁ ଦୁରେଇଯିବା ଦେଖି ମନମାରିଦେଇ ନିଜ ଭିତରେ ରହିଯାଆନ୍ତି। ଯେତେବେଳେ ମନହୁଏ ପିଲାଙ୍କ ସଙ୍ଗେ ମିଶି ଗପଶୁଣାଇ ଦିନ କଟିଯାଆନ୍ତା, ସେତିକି ବେଳକୁ ଶୁଣିବାକୁ କେହି ନମିଳିଲେ, ମନ ଭାଙ୍ଗିଯାଏ। ଏକୁଟିଆ ଦିନ କାଟିବା ଅଭ୍ୟାସ କରିନିଅନ୍ତି। ଏମାନେ ପ୍ରାୟ ସାଧାରଣ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଶ୍ରେଣୀର ହୋଇ ପାରନ୍ତି। ଏମାନଙ୍କର ଅନ୍ୟ କିଛି ରାସ୍ତା ବା ଆଉଟଲେଟ୍ ନଥାଏ। ସମବୟସ୍କମାନଙ୍କ ସହ ସମୟ ବିତାଇବା ଉଚିତ ମନେ କରନ୍ତି। ଆଉ ସେ ଭାଗବତ ପଢିବା ସମୟ ନାହିଁ। ଟେଲିଭିଜନ, ପଲିଟିକ୍ସ୍, ତାସ ତାର ସ୍ଥାନ ନେଇସାରିଛି।
ଆଉ ଗୋଟିଏ ଗ୍ରୁପ୍ ଅଛନ୍ତି ଯେଉଁମାନେ ଆଧୁନିକ ଚିନ୍ତାଧାରାର ସମର୍ଥକ। ଆର୍ଥିକ ପରିସ୍ଥିତି ଉତ୍ତମ। କାହା ଉପରେ ନିର୍ଭରଶୀଳ ନୁହନ୍ତି। ପିଲାମାନେ ଦୂରଗାମୀ। ନିଜେ ପତିପତ୍ନୀ ନିଜର ଜୀବନ ବାଛିନିଅନ୍ତି। ସବୁଥିରେ ଖୁସି। କିଏ ଆସିଲା! ଭଲ କଥା, ନ ଆସିଲା ନାହିଁ ! ପୁଜାରୀ, ସହାୟକ, ଡ୍ରାଇଭର ଆଦିଙ୍କ ସାହାଯ୍ୟରେ ଚଳିଯାଆନ୍ତି। କ୍ଲବ୍, ସୋସାଇଟି, ସାହିତ୍ୟ ଆଲୋଚନା ଆଦିରେ ସମୟ ବିତିଯାଏ। ନିଜର କିଛି ସୃଜନଶୀଳତାକୁ ବିକଶିତ କରି, ନିଜକୁ ପ୍ରସ୍ତୁତ ରଖନ୍ତି। ଗଲ୍ଫ୍, ଟେନିସ ଆଦି ଯେତେଦିନ ପାରନ୍ତି ଖେଳିନିଅନ୍ତି। ସମୟ ବିତିଯାଏ।
ଶେଷସୋପାନରେ ପହଞ୍ଚି ଅନେକ ଧାର୍ମିକ ମନୋଭାବ ପୋଷଣ କରିଥାଆନ୍ତି। ନିଜ କଲୋନୀରେ ମନ୍ଦିର ପ୍ରତିଷ୍ଠା, ଯଜ୍ଞାନୁଷ୍ଠାନ, ସମାଜ ସେବା ଆଦିରେ ମନଦିଅନ୍ତି, ଖୁସିରେ ରହନ୍ତି, ପରସ୍ପରକୁ ଚିହ୍ନନ୍ତି, ସମ୍ମାନ ଦିଅନ୍ତି। ଭାବରେ ବାନ୍ଧି ହୋଇ ସମୟ ବିତାଇ ନିଅନ୍ତି।
ଆଉ ଗୋଟିଏ ପ୍ରକାର ସବୁବେଳେ ଅତୀତକୁ ଝୁରି ହୁଅନ୍ତି। ବର୍ତ୍ତମାନରେ ରହି ମଧ୍ୟ ବର୍ତ୍ତମାନକୁ ଭର୍ତ୍ସନା କରନ୍ତି। ସେତେବେଳେ ସବୁ ଭଲଥିଲା ଆଜି ସବୁ ଖରାପ ହୋଇଗଲା? ଆମ ‘ରିସର୍ଚ୍ଚ’ରୁ ଯାହା ବୁଝିଲୁ ସେତେବେଳେ ଯାହାଥିଲା ଆଜି ମଧ୍ୟ ତାହା ଅଛି। ବ୍ୟଭିଚାର, ଭ୍ରଷ୍ଟାଚାର, ଚୋରି ନାରୀ, କାଲି ଥିଲା ଆଜି ଅଛି। ଜାଗରୁକତା ବଢିଛି, ଅପରାଧ ଧରିବା କ୍ଷମତା ବଢିଛି, ଲୋକ ସଂଖ୍ୟା ମଧ୍ୟ ବଢିଛି। ସେଥିପାଇଁ ଗୋଟିଏ ପିଢି ଜେନରେସନ କୁ ଦୋଷ ଦେବାର କିଛି ଔଚିତ୍ୟ ନାହିଁ। ଏ ପ୍ରକାର ବୁଢାମାନେ କେବେ ସନ୍ତୋଷ ନୁହନ୍ତି। ସବୁବେଳେ ଜିରାରୁ ଶିରା କାଢୁଥିବେ। ଏକ ପ୍ରକାର ଅତୃପ୍ତ ଆତ୍ମା। ଆମ ରିସର୍ଚ୍ଚ ଟିମ୍ ଏମାନଙ୍କୁ ଖେଣ୍ଟାବୁଢା ଭେରାଇଟି ରେ ରଖିପାରେ।
ଆମେ ଯାହା ଅନୁଭବ କଲୁ ପ୍ରଥମ ଦୁଇତିନି ପ୍ରକାର ବୁଢାମାନେ ସମସ୍ତଙ୍କୁ ସାଥିରେ ନେଇ ଚଳିଯାଆନ୍ତି। ମାତ୍ର ଏ ଖେଣ୍ଟା ଭେରାଇଟି ନା ନିଜେ ଶାନ୍ତିରେ ରହିବେ ନା କାହାକୁ ଶାନ୍ତିରେ ରଖେଇଦେବେ? ସବୁବେଳେ ଅପୋଜିସନ। ସେଥିପାଇଁ ଆମ ରିସର୍ଚ୍ଚ ଏମାନଙ୍କୁ କିଛି ବିଶେଷ ଧରଣର ସକାରାତ୍ମକ ଭାବନା ପୋଷଣ ପାଇଁ ସ୍ୱତନ୍ତ୍ର ତାଲିମ ଶିବିରର ସାହାଯ୍ୟ ନେବାର ଆବଶ୍ୟକତା ଅନୁଭବ କରେ।
ଚମତ୍କାର ଉପସ୍ଥାପନ।
Wonderful expression sir,
Salute!
The author has categorised old age Very nicely . In fact with the description I can correlate many khenta budha n would-be khentabudhas around me..
ଖୁବ୍ ସୁନ୍ଦର ଓ ମଧୁର ଉପସ୍ଥାପନ । ନିଛକ ସତ୍ୟ ଅନୁଭୂତି । କ୍ଷୁଦ୍ର ଗଳ୍ପ ହେଲେ ବି ଆନନ୍ଦ ଦାୟକ । ଲେଖକ ଙ୍କୁ ଅନୁରୋଧ ଆମକୁ ଏହି ବୟସ ରେ ନିଜ ନାତି ନାତୁଣୀ ଭାବି ଗପ ପାରସୀ ଥାନ୍ତୁ ।