ଆହତ ଅହଙ୍କାର

  • ଶ୍ରୀଦେବୀର ପରିବାର ଲୋକଙ୍କ ଅହଙ୍କାରର ପାହାଡ଼ ପରସ୍ତ ପରସ୍ତ ହୋଇ ଭୁଷୁଡି ପଡ଼ୁଥିଲା। ସେମାନଙ୍କ ମନ ପଦ୍ମପତ୍ରରେ ଢଳଢ଼ଳ ହେଉଥିବା ଅହଂର ପାଣି ଠୋପାଗୁଡ଼ିକ ଖସି ପଡ଼ୁଥିଲା ଅନନ୍ତ ଅଥଳକୁ।
ମନୋଜ କୁମାର ଜେନା

ଶ୍ରୀଦେବୀ ତା’ର ବାପା, ମା’, ଭାଇ ଓ ଭଉଣୀମାନଙ୍କୁ ଫୋନ୍ କରି ତା’ର ଘର ପ୍ରତିଷ୍ଠା ପାଇଁ ତା ଘରକୁ ଆସିବାକୁ ନିମନ୍ତ୍ରଣ କରୁଥିଲା। ତା ଘରର ଲୋକେସନ୍ ସମ୍ବନ୍ଧରେ ସେମାନଙ୍କୁ ବିଶଦ ବିବରଣୀ ଦେଇଥିଲା।

ଶ୍ରୀନିବାସ ବିସ୍ମୟ ଚକିତ ନୟନରେ ଶ୍ରୀଦେବୀକୁ ଅନାଇ ରହିଥିଲେ। ସେ ଫୋନ୍ କରିସାରିବା ପରେ ତାକୁ ପଚାରିଲେ- କ’ଣ ପାଇଁ ସେମାନଙ୍କୁ ଫୋନ୍ କରୁଥିଲ? ଏତେ ଅପମାନ, ତାଚ୍ଛଲ୍ୟ, ନିନ୍ଦା ସବୁ କ’ଣ ଭୁଲିଗଲ? ସେମାନେ ପୁଣି ଆସି ଆମ ଅକ୍ଷମତା ଓ ଅସହାୟତାକୁ ଉପହାସ କରିବେ, ଆମେ କ’ଣ ସହିପାରିବା? ଶୁଖି ଆସୁଥିବା ଘା’କୁ ମନ୍ଥି ସେଥିରେ ଲୁଣ ପକାଇଲେ, ସେ କ୍ଷତ ପୁଣି ଜୀବନ୍ତ ହୋଇ ଜଳିଉଠିବ। ଯନ୍ତ୍ରଣାରେ ଆମେ ଶିହରି ଉଠିବା।

– ଯାହା ହେଲେ ତ ବାପା, ମା’, ଭାଇ, ଭଉଣୀ। ରକ୍ତ ସମ୍ପର୍କ। ବାହାଘରର ୨୫ ବର୍ଷ ପରେ ପ୍ରଥମେ ଏକ ଶୁଭ କର୍ମ ଆମର ଅନୁଷ୍ଠିତ ହେବାକୁ ଯାଉଛି। ଫର୍ମାଲିଟି ଦୃଷ୍ଟିରୁ ସେମାନଙ୍କୁ ଡାକିଦେଲି। ଅହଂକାରର ପାହାଡ଼ ସେମାନଙ୍କ ମୁଣ୍ଡରେ ସବାର ହୋଇଛି। ମୁଁ ଜାଣେ ସେମାନେ ଆସିବେନି।

– ହଁ, ମୋତେ ଲାଗୁଛି ସେମାନେ ଆସିବେନି। ଯଦି ଆସିବେ, ଆମ ଘରକୁ ତାଚ୍ଛଲ୍ୟ କରିବେ। ସେମାନଙ୍କର ଘର ଭୁବନେଶ୍ୱରର ବାପୁଜୀ ନଗର, ଶହିଦନଗର ଓ ନୂଆପଲ୍ଲୀରେ ହୋଇଥିବା ବେଳେ ଏତେ ଦୂରରେ ଖଣ୍ଡଗିରି ଏକଡ଼େ ଘର କରି ଲାଭ କ’ଣ? ଏ ତ ଅଗନା ଅଗନି ବନସ୍ତ। ଦିନରେ ବାଘ ଟେକି ନେଇଯିବେ। ଶ୍ରୀନିବାସ ଓ ଶ୍ରୀଦେବୀ ଶାଣିତ କଟାକ୍ଷର ମାରଣାସ୍ତ୍ରକୁ ସମ୍ମୁଖୀନ ହେବାପାଇଁ ନିଜ ମନକୁ ସଜାଡ଼ି ନେଉଥିଲେ।

ଶ୍ରୀନିବାସ ଘରର ସୋଫା ଉପରେ ବସି ବିଗତ ଦିନର ସ୍ମୃତିକୁ ରୋମନ୍ଥନ କରୁଥିଲେ।

ବିଜେବି କଲେଜରେ ବି.ଏ ଇକୋନୋମିକ୍ସ ଅନର୍ସ ପଢ଼ୁଥିବା ସମୟରେ ଶ୍ରୀଦେବୀ ତାଙ୍କର ସହପାଠିନୀ ଥିଲେ। ସେତିକିବେଳେ ସମ୍ପର୍କର ସୂତ୍ରପାତ ହୋଇଥିଲା। ଶ୍ରୀଦେବୀର ଶରୀର ଅସୁସ୍ଥ ରହିବାରୁ ପ୍ରାୟ ଏକମାସ କଲେଜରେ କ୍ଲାସ୍ ଆଟେଣ୍ଡ କରିପାରି ନ ଥିଲା। କଲେଜକୁ ଫେରି ସହପାଠୀମାନଙ୍କୁ କ୍ଲାସର ତା’ର ଅନୁପସ୍ଥିତି ସମୟର ନୋଟ୍‌ଗୁଡ଼ିକ ପାଇଁ ଅନୁରୋଧ କରିଥିଲା। ‘ଆଜି ଦେବୁ, କାଲି ଦେବୁ’ କହି କେହି ଦେଇନଥିଲେ। ସେ କ୍ଲାସ୍‌ର ପଢ଼ାଗୁଡ଼ିକୁ ଚେଷ୍ଟା କରି ବୁଝିପାରୁ ନଥିଲା।

ଶ୍ରୀନିବାସ ଶ୍ରୀଦେବୀକୁ ସଙ୍ଗେ ସଙ୍ଗେ ତା’ର ନୋଟ୍‌ଗୁଡ଼ିକ ଦେଇଦେଲେ। ସବୁ ନୋଟ୍‌ଗୁଡ଼ିକରେ ଲେଖାଗୁଡ଼ିକୁ ତାକୁ ପ୍ରାଞ୍ଜଳ ଭାବରେ ବୁଝାଇଦେଲେ।

ଶ୍ରୀଦେବୀ ଏକ ନୂଆ ଜୀବନ ଲାଭ କଲା ଭଳି ଅନୁଭବ କଲା। ମଝି ନଈରେ ବୁଡ଼ି ଯାଉଥିବା ସମୟରେ ଶ୍ରୀନିବାସ ଯେପରି ତାକୁ ଧରି ଧରି ଆଣି କୂଳରେ ପହଞ୍ଚାଇଦେଲେ। ସମ୍ପର୍କର କଢ଼ିଟି ଧୀରେ ଧୀରେ ପ୍ରସ୍ଫୁଟିତ ହୋଇ ସୁରଭିରେ କଲେଜକୁ ବାସ୍ନାୟିତ କଲା।

ଶ୍ରୀଦେବୀର ବାପା ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର। ନୂଆପଲ୍ଲୀରେ ତ୍ରିତଳ ପ୍ରାସାଦ। ବଡ଼ ଦୁଇ ଭଉଣୀ ଭୁବନେଶ୍ୱରର ଦୁଇ ଧନାଢ଼୍ୟ ପରିବାରରେ ବିବାହିତ। ଏକମାତ୍ର ଭାଇ ଇଞ୍ଜିନିୟରିଂ ପଢ଼ୁଥାଏ। ଶ୍ରୀଦେବୀ ତାଙ୍କ ପରିବାରର ସବା ସାନଝିଅ। ବର୍ଣ୍ଣ ଶ୍ୟାମଳ, ଗଠନ ଆକର୍ଷଣୀୟ। କଲେଜ ଆରମ୍ଭ ଦନରୁ ଚଷମା ପିନ୍ଧିବା ତା’ର ଅତି ଆବଶ୍ୟକ ହୋଇଯାଇଛି। ତା ବାପା, ମା’ ତାକୁ ଅଚଳାଚଳ ସମ୍ପତ୍ତିର ମାଲିକ ଥିବା ଯୁବକ ସାଙ୍ଗରେ ବାହା ଦେବା ପାଇଁ ସ୍ୱପ୍ନ ଦେଖୁଥିଲେ। ସର୍ବଦା ଖୁସି ଖୁସି ଚଳଚଞ୍ଚଳ ଓ ସତେଜ ଦିଶେ ଶ୍ରୀଦେବୀ। ଉଇଁ ଆସୁଥିବା ଜହ୍ନଟିଏ ପରି, ସଦ୍ୟ ପ୍ରସ୍ଫୁଟିତ କଇଁଟିଏ ପରି ତା ହସର ନିର୍ମଳ ପଣ ଶ୍ରୀନିବାସକୁ ବିମୁଗ୍ଧ କରେ। ଶ୍ରୀନିବାସର ମାନବିକତା ଓ ହୃଦୟବତ୍ତାକୁ ଦେଖି ଶ୍ରୀଦେବୀ ଅ୍ରନୁଭବ କରେ- ଏହିହିଁ ତା’ର ମନର ମଣିଷ, ଅତୁଳନୀୟ ଜୀବନସାଥୀ।

ବି.ଏ ପାସ୍ ପରେ ବାଣୀବିହାରରେ ଶ୍ରୀନିବାସ ଓ ଶ୍ରୀଦେବୀ ଅର୍ଥନୀତିରେ ଏମ୍‌.ଏ ପଢ଼ିବାକୁ ଆରମ୍ଭ କଲେ। ଶ୍ରୀନିବାସ ଓ ଶ୍ରୀଦେବୀ ଏମ୍‌.ଏ ପାସ୍ କଲାବେଳକୁ ଶ୍ରୀନିବାସ ଜୀବନବୀମା କର୍ପୋରେସନ୍‌ରେ କିରାନୀ ଚାକିରିଟିଏ ପାଇ ଆନନ୍ଦରେ ବିଭୋର ହୋଇ ଈଶ୍ୱରଙ୍କୁ କୃତଜ୍ଞତା ପ୍ରକାଶ କଲେ।

ଶ୍ରୀଦେବୀର ପରିବାର ଲୋକେ ଶ୍ରୀନିବାସ ସହିତ ତା’ର ସମ୍ପର୍କ ବିଷୟ ଜାଣିବା ପରେ କ୍ରୋଧରେ କମ୍ପି ଉଠିଲେ। ଶ୍ରୀଦେବୀକୁ ତା ସହିତ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ କଲେ। ଶ୍ରୀଦେବୀ କିଛି ନ କହିଲେ ବି ଶ୍ରୀନିବାସ ସହିତ ବିବାହ କରିବାକୁ ମନସ୍ଥ କରିଥିଲା ଓ ଏହା ମାଆ ଆଗରେ ସନ୍ତର୍ପଣରେ ପ୍ରକାଶ କଲା।

ଶେଷରେ ପରିବାର ଲୋକେ ଶ୍ରୀନିବାସକୁ ତାଙ୍କ ଘରକୁ ଡାକିବାକୁ ଶ୍ରୀଦେବୀକୁ ପ୍ରବର୍ତ୍ତାଇଲେ। ସେଦିନ ଥାଏ ରବିବାର। ଶ୍ରୀନିବାସକୁ ନେଇ ଶ୍ରଦେବୀ ଡ୍ରଇଂ ରୁମ୍‌ରେ ବସିଗଲା। ଆସିଲାବେଳକୁ ଘରେ ଗହଳି ଚହଳି ଘୋ ଘା ହସ ଖୁସିରେ ଘର କମ୍ପୁଥିଲା। ହଠାତ୍ ଖେଳିଗଲା ଗୁମ୍‌ସୁମ୍ ନିରବତା। ଶ୍ରୀଦେବୀକୁ ଲାଗିଲା ସତେଯେମିତି ଅଶାନ୍ତ ଝଡ଼ ପୂର୍ବର କାରୁଣ୍ୟ ଛାଇ ହୋଇଯାଇଛି। ଶ୍ରୀନିବାସ ଓ ଶ୍ରୀଦେବୀଙ୍କ ଛଳଛଳ ମୁହଁରୁ ଦର୍ପଣରେ ଜଳଜଳ ଦିଶୁଥିଲା ଥରିଲା ଥରିଲା ଓଠର ଧୂସର ଚିତ୍ରପଟ। କିଛି ସମୟ ପରେ ଶ୍ରୀଦେବୀର ବଡ଼ଭଉଣୀ ମଞ୍ଜୁ ଧପ୍ ଧପ୍ ପାଦରେ ଗର୍ବ, ଅହମିକାରେ ବେଲୁନ୍ ପରି ଫୁଲିଫୁଲି ଡ୍ରଇଂ ରୁମ୍‌ରେ ସୋଫା ଉପରେ ବସିପଡ଼ିଲା।

– ତୁମର ନାମ କ’ଣ? – ପ୍ରଶ୍ନରେ ଆକ୍ଷେପର ପ୍ରତିଧ୍ୱନି।

– ମୋ ନାଁ ଶ୍ରୀନିବାସ, ଶ୍ରୀନିବାସ ସ୍ୱାଇଁ।

– ଘର କେଉଁଠି?

– ଯାଜପୁର ରୋଡ୍‌ଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ଏକ ଗାଁ, ନାଁ ବାରାଗାଡ଼ିଆ।

– ତୁମ ପରିବାର ଓ ଚଳାଚଳ ବିଷୟରେ କୁହ।

– ମୋ ବାପା ଜଣେ ଚାଷୀ। ଆମର ଏକ ହଳ ବଳଦ ଓ ଶଗଡ଼ଟିଏ ଅଛି। ଦୁଇ ବଖରା ଚାଳ ଘର। ତିନି ଚାରି ଏକର ଜମି। ବାପାଙ୍କର ମୁଁ ଏକମାତ୍ର ପୁଅ।

– କି ଚାକିରି କରିଛ?

– କିଛିଦିନ ତଳେ ଏଲ.ଆଇ.ସିରେ କ୍ଲରିକାଲ୍ ଚାକିରି ପାଇଛି। ବ୍ରହ୍ମପୁରରେ ମୋର ପୋଷ୍ଟିଂ।

ଶ୍ରୀଦେବୀ ଲକ୍ଷ୍ୟ କରିଥିଲା ତାଙ୍କ ପରିବାର ସମସ୍ତ ଲୋକ ଡ୍ରଇଂରୁମ୍‌ର ଘର ଆଡ଼କୁ ଥିବା କବାଟ ପାଖରେ ଜମା ହୋଇ ସାରିଥିଲେ। ସେମାନଙ୍କ ଆଖି ଓ କାନ ଡୋର୍‌ସ୍କ୍ରିନ୍ ଅନ୍ତରାଳରୁ ଡ୍ରଇଂରୁମ୍‌ର ଚତୁର୍ଦ୍ଦିଗରେ ପହଁରି ଯାଉଥିଲା। ଶ୍ରୀନିବାସ ଓ ଶ୍ରୀଦେବୀଙ୍କ ସମ୍ପର୍କର କୋଣାର୍କକୁ ଭାଙ୍ଗିରୁଜି ଚୁରମାର୍ କରିବା ପାଇଁ ବଡ଼ଭଉଣୀ ମଞ୍ଜୁକୁ ମିଳିଥିଲା ଅଖଣ୍ଡ ଅଧିକାର ଓ ସର୍ବକ୍ଷମତାପ୍ରାପ୍ତ ସ୍ୱାଧୀନତା।

ମଞ୍ଜୁ କଣ୍ଠକୁ ଗମ୍ଭୀର ଓ କର୍କଶ କରି ଆଖିରେ ନିଆଁ ହୁଳା ଜଳାଇ ଗର୍ଜି ଉଠିଲା- ଚଷାର ପୁଅ, କୋଉ ମଫସଲରେ ଦି ବଖରା ଚାଳଘର। କିରାନୀ ଚାକିରି। ଶ୍ରୀଦେବୀକୁ ବାହା ହେବାକୁ କାହିଁକି ସ୍ୱପ୍ନ ଦେଖୁଛ? ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ଆସ୍ପର୍ଦ୍ଧା! ଆକାଶ କଇଁଆ, ଚିଲିକା ମାଛ। ଆମ ପରିବାର ବିଷୟରେ କିଛି ଜାଣିଛ? ମୋ ବାପା ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର। ନୂଆପଲ୍ଲୀରେ ତ୍ରିତଳ ପ୍ରାସାଦ। ଗାଁରେ ଅଚଳାଚଳ ସମ୍ପତ୍ତି। ମୁଁ ତାଙ୍କର ବଡ଼ ଝିଅ। ମୋ ଶାଶୂ ଘର ବାପୁଜୀ ନଗରରେ। ରାଜପ୍ରସାଦ ଭଳି ଆମର ଅଟ୍ଟାଳିକା। ଦେଖିଲେ ଟେରା ହୋଇଯିବ। ମୋ ତଳ ଭଉଣୀର ଘର ଶହିଦନଗରର କେନ୍ଦ୍ରରେ, ମାର୍କେଟ ବିଲ୍ଡିଂ ପାଖରେ। ୟୁକୋ ବ୍ୟାଙ୍କକୁ ଭଡ଼ା ଦେଇଛନ୍ତି। ବଡ଼ ଦୁଇ ଜ୍ୱାଇଁ ଶିଳ୍ପପତି। ତାଙ୍କ ପାଖରେ ତୁମ ଭଳି ଶହଶହ କିରାନୀ କୁକୁର ଭଳି ଟଙ୍କା କେଇଟା ପାଇଁ ଖଟୁଛନ୍ତି। ମୋ ଭାଇ ନାଲ୍‌କୋରେ ଇଞ୍ଜିନିୟର। ଜଣେ ଆଇ.ଏ.ଏସ୍ ଅଫିସରର ଝିଅ ସଙ୍ଗେ ତା’ର ବାହାଘର ଠିକ୍ ହୋଇଛି।

– ତମ ବାପା ଗୋଟାଏ ଅରକ୍ଷିତ, ତମେ ତା’ର ପୁଅ, ଗୋଟାଏ ଭିକାରୀ। ଆମ ସମ୍ପତ୍ତି ଦେଖି ତମର କ’ଣ ଲାଳ ବୋହୁଛି? ସେଇଥିପାଇଁ ମୋ ଭଉଣୀକୁ ଫସେଇବାକୁ ଚେଷ୍ଟା କରୁଛ।

ଶ୍ରୀନିବାସ ଓ ଶ୍ରୀଦେବୀ ନିରୁତ୍ତର। ଦୁଇ ଆଖି ଦୁହିଙ୍କର ଲୁହରେ ଟଳମଳ। ନିରବ, ନିସ୍ପନ୍ଦ।

ରାଗ ତମତମ ହୋଇ ମଞ୍ଜୁ ପୁଣି ଗର୍ଜି ଉଠିଲା।

– ଏ ବାହାଘର ହୋଇପାରିବନି? ଆମ ଘରକୁ କିମ୍ବା ଆମ ଶ୍ରୀଦେବୀକୁ ଆଡ଼ ଆଖିରେ ଅନାଇଲେ ତୋତେ ଜୋତାରେ ପିଟିପିଟି ଆମ ଇଣ୍ଡଷ୍ଟ୍ରିର କର୍ମଚାରୀମାନେ ବାରାଗାଡ଼ିଆରେ ଛାଡ଼ିଦେଇ ଆସିବେ। ତୋତେ ସାତବେଣ୍ଟିଆ ବାଳ କାଟି ଗଧରେ ବସାଇ ପ୍ରସେସନ୍ କରିବେ। ଶୀଘ୍ର ଯାଉଚୁନା, ଦେଖିବୁ।

ଶ୍ରୀନିବାସ ଧୀର ପଦକ୍ଷେପରେ ବାହାରକୁ ବାହାରି ଯାଇଥିଲେ। ଆଖିରେ ଲୁହ ଭର୍ତ୍ତି। କଣ୍ଠ ବାଷ୍ପାରୁଦ୍ଧ। ଅପମାନର କ୍ଷତ ରୁଗ୍ ରୁଗ୍ ଯନ୍ତ୍ରଣାରେ ତାଙ୍କର ଛାତିକୁ କୋରି ପକାଉଥାନ୍ତି। ଲହୁ ଲୁହାଣ ମନ। ମନ ଆକାଶରେ ଝଡ଼ର ତାଣ୍ଡବ, ପ୍ରଳୟର ଚିତ୍ରପଟ। ରାସ୍ତାରେ ଏକ ଅଟୋକୁ ଡାକି ବସି ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଲେ। ଅଟୋ ବାହାରିଲା ବେଳକୁ ଶ୍ରୀଦେବୀ ଦୌଡ଼ି ଦୌଡ଼ି ଆସି ସେ ଅଟୋରେ ଦୁମ୍ କିନା ବସିପଡ଼ିଲା। ଅଟୋ ଚାଲିଥାଏ। ଦୁହେଁ ନିରବ, ନିର୍ବାକ। ଶ୍ରୀଦେବୀ ଶ୍ରୀନିବାସର ଡାହାଣ ହାତର ପାପୁଲିଟିକୁ ଜାବୁଡ଼ି ଧରି ତୋ କୋଳରେ ଧରି ରଖିଥାଏ। ତା ଆଖିରୁ ଖସିପଡ଼ୁଥିବା ବରକୋଳିଆ ଟୋପାଗୁଡ଼ିକ ଥପ୍‌ଥପ୍ ହୋଇ ପଡ଼ି ଶ୍ରୀନିବାସଙ୍କର ପାପୁଲିର ପ୍ରାନ୍ତରକୁ ଲୁଣିପାଣିରେ ଭିଜାଇ ଦେଉଥିଲା। ସେ ଲୁହର ମହୌଷଧି ଶ୍ରୀନିବାସର କ୍ଷତର ଯନ୍ତ୍ରଣାକୁ ଉପଶମ କରୁଥିଲା। ଶ୍ରୀଦେବୀ ଥରିଲା ଥରିଲା କଣ୍ଠରେ କହିଲା- ଆମ ଜୀବନକୁ ଏବେ କୁହୁଡ଼ି ଘେରି ରହିଛି। ସମୟକ୍ରମେ ସୂର୍ଯ୍ୟାଲୋକରେ ତାହା ଦୂରୀଭୂତ ହେବ। ଏବେ ଆମ ଜୀବନ ଆକାଶକୁ ଝଡ଼ ମାଡ଼ିଆସିଛି। ସବୁ ଝଡ଼ ନଷ୍ଟବିନଷ୍ଟ କରନ୍ତି ନାହିଁ, କେତେ ଝଡ଼ ଚଲାପଥକୁ ପରିଷ୍କାର ପରିଚ୍ଛନ୍ନ କରିଦିଅନ୍ତି।

ଦୁହେଁ କେନ୍ଦୁଝର ନିକଟସ୍ଥ ତାରିଣୀ ମନ୍ଦିର ଯାଇ ସେଠାରେ ପରସ୍ପରକୁ ବିବାହ କରିଥିଲେ। ବାରାଗାଡ଼ିଆରୁ ଶ୍ରୀନିବାସର ବାପା, ମା’ ଆସି ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ।

ଏହା ଭିତରେ ପଚିଶ ବର୍ଷ ଅତିବାହିତ ହୋଇଛି। ସମ୍ପର୍କର ସୂତା ସବୁଦିନ ପାଇଁ ଛିଣ୍ଡି ଯାଇଥିଲା। କେହି କାହାର ଖବର ରଖିନାହାନ୍ତି। ତା’ର ବାପା, ମା, ଭାଇ, ଭଉଣୀ ଶ୍ରୀଦେବୀକୁ ଛି କରିଦେଇଥିଲେ। ତା ପ୍ରତି ସେମାନଙ୍କ ମନରେ ଭରିଥିଲା ଅସୂୟା, ଘୃଣା। ଅଭାବ, ଅନଟନରେ ଭାଙ୍ଗିପଡ଼ିଲେ ଦିନେ ଆସି ସେମାନଙ୍କୁ ହାତ ପାତିଲେ, ସୁଧ ମୂଳ ହିସାବ କରି ସବୁ କଡ଼ାଗଣ୍ଡା ଆଦାୟ କରିବାକୁ ମନସ୍ଥ କରିଥିଲେ।

ଏବେ ଭୁବନେଶ୍ୱରରେ ଶ୍ରୀନିବାସର ପୋଷ୍ଟିଂ ପରେ ଶ୍ରୀଦେବୀ ପରିବାରର ସମସ୍ତଙ୍କର ଫୋନ୍ ନମ୍ବର ସମ୍ପର୍କୀୟ ଲୋକଙ୍କ ଠାରୁ ସଂଗ୍ରହ କରି ଫୋନ୍ କରିଥିଲା। ଶାଶୂ ଶ୍ୱଶୁରଙ୍କର ଏହା ମଧ୍ୟରେ ଦେହାନ୍ତ ହୋଇଯାଇଛି। ଅନ୍ତତଃ ତା ବାପା, ମା’ଙ୍କ ପାଦ ତା’ର ନୂଆ ଘରେ ଗୋଟିଏ ମୁହୂର୍ତ୍ତ ପାଇଁ ପଡ଼଼ିଲେ ମିଠାମିଠା ଖୁସିରେ ତା ମନ ଭରି ଉଠିବ।

ଅକ୍ଷିତୃତୀୟା ଦିନ ଘର ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ସମସ୍ତ ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ମଧ୍ୟାହ୍ନ ଭୋଜନ ସାରି ଚାଲିଗଲେଣି। କିଛି ସମୟ ପୂର୍ବରୁ ଘୋଘୋ କମ୍ପୁଥିବା ଘର ଏବେ ନିରବ। ଶ୍ରୀନିବାସ ଓ ଶ୍ରୀଦେବୀ ଭାବିଲେ ଯେ ଅହଂକାରରେ ଫାଟି ପଡ଼ୁଥିବା ଶ୍ରୀଦେବୀର ପରିବାର ଲୋକେ ତାଙ୍କ ଘରକୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ଝରକା ପାଖରେ ଗେଟ୍ ଆଡ଼କୁ ଅନାଇଥିଲାବେଳେ ଏକ ବୋଲେରୋ ଗେଟ୍ ପାଖରେ ପହଂଚିଗଲା। ଶ୍ରୀଦେବୀର ବାପା, ମା’, ଭାଇ, ଭାଉଜ, ଦୁଇଭଉଣୀ ଗାଡ଼ିରୁ ଓହ୍ଲେଇ ଘର ଆଡ଼କୁ ଆସିଲେ।

ଶ୍ରୀଦେବୀର ବିଶାଳ ପ୍ରାସାଦ ଦେଖି ଶ୍ରୀଦେବୀର ପରିବାର ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ଅପଲକ ନୟନରେ ଅନାଇଥିଲେ। ତ୍ରିତଳ ପ୍ରସାଦ, ଆକର୍ଷଣୀୟ ଅଟ୍ଟାଳିକା। ସ୍ୱର୍ଣ୍ଣିମ ଅକ୍ଷରରେ ଶ୍ରୀନିବାସ ଓ ଶ୍ରୀଦେବୀର ନାମ ଲେଖା ହୋଇଛି। ଅଟ୍ଟାଳିକାର ନାମ ଶ୍ରୀଦେବୀ ଭବନ। ସେ ଅଞ୍ଚଳରେ ସବୁଠାରୁ ସୁଦୃଶ୍ୟ ବାସଭବନ। ଆସିଲାବେଳେ ଯାହାକୁ ପଚାରିଲେ, ସମସ୍ତେ ଅନାୟାସରେ ଘରର ଅବସ୍ଥିତି ସମ୍ବନ୍ଧରେ ସେମାନଙ୍କୁ ଅବଗତ କରୁଥିଲେ।

ପୁରୁଣା ରାଗ, ଅଭିମାନ ଭୁଲି ଶ୍ରୀନିବାସ ଓ ଶ୍ରୀଦେବୀ ସେମାନଙ୍କୁ ଦ୍ୱାର ମୁହଁରୁ ସାଙ୍ଗରେ ନେଇ ଖାଇବା ପିଇବା ସ୍ଥାନକୁ ନେଇଗଲେ। ପଚିଶବର୍ଷ ପରେ ଦେଖା। ଭାବପ୍ରବଣତା, ସମ୍ପର୍କ ଓ ରକ୍ତର ଆତ୍ମୀୟତାର ଉତ୍ତାଳ ଲହରୀ ମାଡ଼ି ଆସୁଥିଲେ ବି ସମସ୍ତେ ମାପିଚୁପି କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ନେଇଥିଲେ।

ମଧ୍ୟାହ୍ନ ଭୋଜନ ସାରି ଶ୍ରୀଦେବୀର ପରିବାର ଲୋକେ ତଳୁ ଉପର ପର୍ଯ୍ୟନ୍ତ ଘରଗୁଡ଼ିକ ବୁଲିବାକୁ ଲାଗିଲେ। ଛଅଟି ଥ୍ରୀ ବି.ଏଚ୍‌.କେ. କ୍ୱାର୍ଟର। ପ୍ରତି ଫ୍ଲୋରରେ ଦୁଇଟି କ୍ୱାର୍ଟର। ସବୁ ଘରର ଫ୍ଲୋର ସୁନ୍ଦର ଟାଇଲରେ ନିର୍ମିତ। କବାଟ ଝରକା ସବୁ ଶାଗୁଆନ୍। ଇଣ୍ଟେରିଅର ଡିଜାଇନିଂ ଅତି ଆକର୍ଷଣୀୟ। ପ୍ରତି କ୍ୱାର୍ଟରରେ ତିନୋଟି ବାଲ୍‌କୋନୀ।

ସେମାନେ ବୁଲୁଥିବା ବେଳେ ଶ୍ରୀଦେବୀକୁ ଡାକି ଶ୍ରୀନିବାସ କହିଲା- ବୁଝିଲ, ସେମାନେ ଘର ବୁଲି ଦେଖୁଛନ୍ତି। ଘରର ସବୁ ଖୁଣକୁ ଆଖିର ଅଣୁବୀକ୍ଷଣ ଯନ୍ତ୍ରରେ ଦେଖୁଛନ୍ତି। ବୁଲାବୁଲି ସାରି ତମକୁ ସଣ୍ଡୁଆସୀ ଆକ୍ରମଣ କରିବେ। କହିବେ ଆମର ଶହୀଦନଗର, ବାପୁଜୀନଗର ଓ ନୂଆପଲ୍ଲୀରେ ଘର। ସହରର ସମ୍ଭ୍ରାନ୍ତ ସ୍ଥାନରେ। ବଜାର ଘାଟରେ ଅଞ୍ଚଳ କମ୍ପୁଛି। ତୁ ଆସି ସାତ ଦରିଆ ପାରି ସହରର ଅପନ୍ତରା ଜାଗା କଳିଙ୍ଗନଗରରେ ଘର କରିଛୁ। ଏ ଘର ଭୂତକୋଠି ହେବ। ଏଠି ରହିବ କିଏ?

ଶ୍ରୀନିବାସ ପାଟିରୁ କଥା ଛଡ଼ାଇନେଇ ଶ୍ରୀଦେବୀ କହିଲା- ଏବେ କହିବେ, ରୁମ୍‌ଗୁଡ଼ାକ ଛୋଟ ହୋଇଗଲା। ଟଏଲେଟ୍‌ର ଯେଉଁ ଜିନିଷ ଲାଗିଛି ତାହା ଜଣାଶୁଣା କମ୍ପାନୀର ନୁହେଁ। ଆମ ଘରମାନଙ୍କରେ ହୋଇଥିବା ଇଣ୍ଟେରିଅର୍ ଡିଜାଇନ୍ ତୁଳନାରେ ଏହା ପାସଙ୍ଗରେ ପଡ଼ିବ ନାହିଁ। ଏମିତି କେତେ କ’ଣ?

ଶ୍ରୀନିବାସ ସତର୍କ କରି ଶ୍ରୀଦେବୀକୁ କହିଲେ- ତମେ ପାଟି ଖୋଲିବ ନାହିଁ। ଯାହା କହିବେ ଚୁପ୍‌ଚାପ୍ ଶୁଣିବ। ତାଙ୍କ ଅହଙ୍କାରର ଲହଡ଼ି ମାଡ଼ି ଆସିଲାବେଳେ ତୁମ ମୁଣ୍ଡ ନଇଁ ତଳକୁ କରିଦେଲେ, ତୁମ ପିଠି ଉପରେ ଉତ୍ତୁଙ୍ଗ ଲହଡ଼ି ଅନାୟାସରେ ପାର ହୋଇ ସମୁଦ୍ର ବେଳାଭୂମିରେ ମିଳେଇଯିବ। ୨୫ ବର୍ଷ ପରେ ଆମ ଘରକୁ ଆସିଛନ୍ତି। ଭଲରେ ଭଲରେ ବିଦାୟ ନେଲେ, ଆମକୁ ଆଶ୍ୱସ୍ତି ମିଳିବ।

ଆସନ୍ନ ଝଡ଼ର ଆଶଙ୍କାରେ ସୋଫା ଉପରେ ବସିଥିଲେ ଶ୍ରୀନିବାସ ଓ ଶ୍ରୀଦେବୀ। ଘର ଭିତରକୁ ଧସେଇ ପଶିଆସିଲେ ଶ୍ରୀଦେବୀର ବାପା, ମା’ ଭାଇ, ଭାଉଜ ଓ ଦୁଇଭଉଣୀ। ଦୁଇଜଣଙ୍କୁ ଘେରି ବସିଗଲେ ସମସ୍ତେ। ଶ୍ରୀଦେବୀର ବାପା, ଯେ କି ଅବସରପ୍ରାପ୍ତ ଏକ୍‌ଜ୍ୟୁକୁଟିଭ୍ ଇଞ୍ଜିନିୟର, ହସିହସି ଶ୍ରୀନିବାସକୁ କହିଲେ- ବାବୁ ତୁମେ ଛଅମାସ ହେବ ଭୁବନେଶ୍ୱରକୁ ରିଜିଓନାଲ ମ୍ୟାନେଜର ହୋଇ ବଦଳି ହୋଇ ଆସିଛ। ଆମକୁ କହିନ? ମୋ ନାତି, ମୋ ବଡ଼ଝିଅ ମଞ୍ଜୁର ପୁଅ ତୁମ ଅଫିସରେ କ୍ଲର୍କ ଚାକିରି କରୁଛି। ସେ ମୋତେ କହୁଥିଲା। ଏହା ଆମ ପାଇଁ ବଡ଼ ଗର୍ବ ଓ ଗୌରବର କଥା। ତୁମ ଦୁଇପୁଅ କିଟ୍ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ପାସ୍ କରି ଏଇ ମାସେ ହେବ ବାଙ୍ଗାଲୋରରେ ଚାକିରି କରିଛନ୍ତି ଶୁଣି ବହୁତ ଆନନ୍ଦିତ ହେଲୁ। ଶ୍ରୀଦେବୀ ଭାବୁଥିଲା ଈଶ୍ୱରଙ୍କର କି ବିଚାର! ଦିନେ ମଞ୍ଜୁଅପା ଶ୍ରୀନିବାସକୁ କିରାନୀ ବୋଲି କହି ଅପମାନ ଦେଇଥିଲା। ଆଜି ଶ୍ରୀନିବାସର ଅଫିସରେ ମଞ୍ଜୁ ଅପାର ପୁଅ କିରାନୀ।

ବଡ଼ ଝିଅ ମଞ୍ଜୁ ବାହାରି ପଡ଼ି କହିଲା- ଆମେ ସମସ୍ତେ ବଡ଼ ବିପଦରେ ପଡ଼ିଯାଇଛୁ। ତୁମେ ଦୁହେଁ ଚାହିଁଲେ, ଆମକୁ ସାହା ହେବ। ଆମକୁ ଏ ବିପଦରୁ ଉଦ୍ଧାର କରିବ।

ସେ କହିଲାବେଳେ ତା’ର ଓ ପାଖରେ ବସିଥିବା ସମସ୍ତଙ୍କର ଆଖି ଓଦା ଓଦା ହୋଇଗଲା। ମଞ୍ଜୁର ଆଖି ଲୁହରେ ଟଳମଳ। ଶ୍ରୀନିବାସ ଓ ଶ୍ରୀଦେବୀ ଏହା ସେମାନଙ୍କର ପ୍ରକୃତ ପରିସ୍ଥିତି ନା ଅଭିନୟ କରୁଛନ୍ତି ଜାଣିପାରୁ ନଥିଲେ।

ସ୍ପଷ୍ଟୀକରଣ ଦେବାକୁ ଯାଇ ମଞ୍ଜୁ କହିଲା- ଭିଜିଲାନ୍ସ ଜାଲରୁ ରକ୍ଷା ପାଇବା ପାଇଁ ନୂଆପଲ୍ଲୀ ଜାଗାଟିକୁ ବାପା ଦାଦାଙ୍କ ନାମରେ କରିଥିଲେ। କଥା ଥିଲା, ବାପାଙ୍କ ଅବସର ପରେ ଦାଦା ତାକୁ ବାପାଙ୍କ ନାମରେ କରିଦେବେ। ଦାଦାଙ୍କ ଆକସ୍ମିକ ବିୟୋଗ ପରେ ତାଙ୍କ ତିନିପୁଅ ସେ ଘର ଉପରେ କବ୍‌ଜା କରିଛନ୍ତି। ଆମର ବାପୁଜୀ ନଗରରେ ଯେଉଁ ବିରାଟ ଅଟ୍ଟାଳିକା ଥିଲା ତାହା ମୋ ଜେଜେଶ୍ୱଶୁରଙ୍କର ନାଆଁରେ ଅଛି। ବର୍ତ୍ତମାନ ତା’ର ଉତ୍ତରାଧିକାରୀ ସତର ଜଣ। ସେ ଘରକୁ ନେଇ କେସ୍ ଚାଲିଛି। ମୋ ସାନଭଉଣୀ ସଞ୍ଜୁର ଶହୀଦନଗରରେ ଥିବା ଘରର ଅବସ୍ଥା ମଧ୍ୟ ସେହିପରି। ଆମେ ସମସ୍ତେ ବାସହୀନ। ଆମର ଓ ସଞ୍ଜୁର ଇଣ୍ଡଷ୍ଟ୍ରି ବନ୍ଦ ହୋଇଯାଇଛି। ଆମେ ବହୁତ ହଇରାଣ ହେଉଛୁ। 

– ତୁମେ ସବୁ ଏବେ କେଉଁଠି ରହୁଛ? – ଶ୍ରୀଦେବୀର ଉତ୍ସୁକତାର ସହ ପ୍ରଶ୍ନ। ଶ୍ରୀନିବାସ ଓ ଶ୍ରୀଦେବୀଙ୍କର ଆଖିର ଜଳାଶୟରେ ଜିଜ୍ଞାସାର କ୍ଷୁଦ୍ରକ୍ଷୁଦ୍ର ତରଙ୍ଗ। 

ମଞ୍ଜୁ କହିଲା- ଆମେ ଇସ୍କନ୍ ମନ୍ଦିର ପାଖରେ ତିନୋଟି କ୍ୱାର୍ଟର ଭଡ଼ା ନେଇ ରହୁଛୁ। ଜାଗା ଭାରି ସଂକୀର୍ଣ୍ଣ। ଆମର ବହୁତ ଜିନିଷ। ତା’ ଛଡ଼ା ଅସରାଏ ବର୍ଷା ହେଲେ ଘର ଆଗରେ ଆଣ୍ଠିଏ ପାଣି। ଘର ମାଲିକର ବ୍ୟବହାର ଭଲ ନୁହେଁ। ଆମ ତିନି ପରିବାରର ଜୀବନ ଦୁର୍ବିସହ ହୋଇଯାଇଛି। ତୁମରି ଏହି ଘରର ତିନୋଟି କ୍ୱାର୍ଟର ଆମକୁ ଭଡ଼ାରେ ଦେଲେ ଆମେ ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତୁ। ଏ ଘର ଆମକୁ ଭାରି ଭଲ ଲାଗୁଛି। କ’ଣ କହୁଛ?

ଶ୍ରୀନିବାସ ପ୍ରଶ୍ନିଳ ନୟନରେ ଶ୍ରୀଦେବୀ ଆଡ଼କୁ ଅନାଇଲେ। ଶ୍ରୀଦେବୀ ହସିହସି କହିଲା – ଠିକ୍ ଅଛି। ବାହାର ଲୋକମାନେ କାହିଁକି ରହିବେ? ଆପଣମାନେ ରହିଲେ ଆମେ ବହୁତ ଖୁସି ହେବୁ।

କହିସାରି ସେ ଶ୍ରୀନିବାସ ଆଡ଼କୁ ତା’ର ମତାମତ ପାଇଁ ଅନାଇଲା ବେଳକୁ ଶ୍ରୀନିବାସ ମୁଣ୍ଡ ହଲାଇ ଶ୍ରୀଦେବୀ କଥାରେ ସମ୍ମତି ପ୍ରଦାନ କଲେ।

ଶ୍ରୀଦେବୀର ବାପା ଏ ଉପକାର ପାଇଁ ଶ୍ରୀନିବାସର ହାତ ପାପୁଲି ଦୁଇଟି ଜାବୁଡ଼ି ଧରିଥିଲେ। ଶ୍ରୀଦେବୀର ମାଆ ସୋଫାରୁ ଉଠିଆସି ଶ୍ରୀଦେବୀକୁ କୋଳେଇଦେଲେ। ଶ୍ରୀଦେବୀର ପରିବାରର ସମସ୍ତ ଲୋକ କୃତଜ୍ଞତାରେ ବତୁରି ଯାଉଥିଲେ। ମଝିନଈରେ ଭାସି ଯାଉଥିବା ବେଳେ ସତେଯେପରି କୂଳରେ ଲାଗିଗଲେ।

ଯିବାକୁ ବାହାରିଲେ ସମସ୍ତେ। ମଞ୍ଜୁ ଶ୍ରୀନିବାସକୁ ପଚାରିଲା କ୍ୱାର୍ଟର ପିଛା ଆମେ କେତେ ଭଡ଼ା ଦେବୁ? ଶ୍ରୀନିବାସ ବାଷ୍ପାରୁଦ୍ଧ କଣ୍ଠରେ କହିଲେ- ମୁ ଅରକ୍ଷିତର ପୁଅ। ଗୋଟିଏ ଭିକାରୀ। ମୋ ଥାଳରେ ଆପଣ ଯାହା ଭିକ୍ଷା ଦେବେ, ତାକୁ ମୁଁ ସାଦରେ ଗ୍ରହଣ କରିବି।

ଏକ ଗୁମ୍‌ସୁମ୍ ନିରବତା ଘର ଭିତରେ ଖୁନ୍ଦି ହୋଇଯାଇଥିଲା। ଶ୍ରୀଦେବୀର ପରିବାର ଲୋକଙ୍କ ଅହଙ୍କାରର ପାହାଡ଼ ପରସ୍ତ ପରସ୍ତ ହୋଇ ଭୁଶୁଡ଼ି ପଡ଼ୁଥିଲା। ସେମାନଙ୍କ ମନ ପଦ୍ମପତ୍ରରେ ଢଳଢ଼ଳ ହେଉଥିବା ଅହଂର ପାଣି ଠୋପାଗୁଡ଼ିକ ଖସି ପଡ଼ୁଥିଲା ଅନନ୍ତ ଅଥଳକୁ।

15 thoughts on “ଆହତ ଅହଙ୍କାର

  1. ଅତି ସୁନ୍ଦର ହୃଦୟ ସ୍ପର୍ଶୀ ଗଳ୍ପ।ବହୁତ ଭଲ ଲାଗିଲା।

  2. ନମସ୍କାର। ଗଳ୍ପଟି ବହୁତ ସୁନ୍ଦର ହେଇଛି।

    ଶ୍ରୀଦେବୀଙ୍କ ପୈତୃକ ପରିବାରର ସମସ୍ତ ସଦସ୍ୟ କୃତଜ୍ଞତାରେ ବତୁରି ଯିବାକୁ ବାଧ୍ୟ। ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ଅହଙ୍କାରର ପାହାଡ଼ ଦିନେନା ଦିନେ ଭୁଷୁଡି ଥାଏ।

    ଗପଟି ହୃଦୟକୁ ଛୁଇଁ ଗଲା।

    ତରୁଣ ସାହୁ, ମୁମ୍ବାଇ।

  3. I enjoyed reading this story , penned by Manoj Kumar Jena, whose stories in various magazines are making waves

  4. ଚିରାଚରିତ କାହାଣୀ ଟି ଅତ୍ୟନ୍ତ ବଳିଷ୍ଠ ଉପସ୍ଥାପନା ମାଧ୍ୟମ ରେ ମନଛୁଆଁ ହୋଇଛି। ଲେଖକ ଙ୍କ କାହାଣୀ କହିବାର ନିପୁଣତା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

  5. ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀ ଟି।

  6. ମନକୁ ଛୁଇଁଲା ଭଳି କାହାଣୀ, ସମାଜର ସତ୍ୟତାକୁ ଭଲ ବ୍ବାବରେ ଲେଖା ଯାଇଛି। 👌👌👍👍

  7. ଖୁବ୍ ସୁନ୍ଦର ଗଳ୍ପ ସାର୍।
    ଏହା ସାଂପ୍ରତିକ ପାରିବାରିକ ଘଟଣା ପରି ଲାଗୁଛି।
    ଏହା ହୃଦୟ ସ୍ପର୍ଶି ହୋଇଛି।

  8. Excellent, a heart touching story. I felt it to be a life event ,not a story.Congratulations Mr Jena.God bless you.

  9. ଗୋଟିଏ ନିଶ୍ଵାସରେ ତୁମ ଜାଦୁଗରୀ ଗଳ୍ପଟିକୁ ପଢିବା ପରେ ଖୁବ୍ ଆଶ୍ୱସ୍ତି ମନେକଲି ମନୋଜ. କି ସୁନ୍ଦର ଭାବନା , ଉପଯୁକ୍ତ ଶବ୍ଦାବଳୀର ପ୍ରୟୋଗ, ଆରମ୍ଭ, ମାଧ୍ୟମ ଯେପରି ରୁଚିକର, ଶେଷଭାଗ ସେହିପରି ହୃଦୟସ୍ପର୍ଶୀ,ବୁକୁଫଟା କୋହ ସହିତ ସୁସମ୍ପର୍କର ଅଲିଭା ସ୍ଵପ୍ନକୁ ସାକାର କରି ପାଠକ ମାନଙ୍କର ପ୍ରୀୟଭlଜନ ହୋଇପାରିଛ .ତେଣୁ ଅନ୍ତରର ଗଭୀରତମ ପ୍ରଦେଶରୁ ସାଧୁବାଦ ଜଣାଉଛି. ଚମତ୍କାର ବିଷୟ ବସ୍ତୁ, ଚମତ୍କାର ଶିକ୍ଷଣୀୟ ଗପ ହୋଇଛି ବନ୍ଧୁ ମନୋଜ.
    ଦୀପାଳୀ…

  10. ସୁନ୍ଦର ଗଳ୍ପ। ମନକୁ ଛୁଇଁଲା। ଉପସ୍ଥାପନା ଚମତ୍କାର।

  11. ପାଠକମାନଙ୍କୁ ଆନ୍ତରିକ ଧନ୍ୟବାଦ।ମତାମତ ଦେଇ ଥିବାରୁ ମୁଁ କୃତଜ୍ଞତା ପ୍କକାଶ କରୁଛି।

  12. ନିସନ୍ଦେହରେ ଏକ ହୃଦୟ ସ୍ପର୍ଶକାତର କାହାଣୀ | ବାସ୍ତବ ଜୀବନର ସତ୍ୟ ସହିତ ଜଡିତ | ଲେଖକଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା | ମୁଁ ନିଶ୍ଚିତ ଯେ ପାଠକମାନେ କାହାଣୀକୁ ଉପଭୋଗ କରିବା ସହିତ କାହାଣୀର ନତିକତାକୁ ଗ୍ରହଣ କରିବେ | ମୋ ମତରେ ଏହି କାହାଣୀ ପିଲାମାନଙ୍କ ପାଠ୍ୟକ୍ରମ ପୁସ୍ତକ ପାଇଁ ମଧ୍ୟ ଉପଯୁକ୍ତ |

  13. The story is very heart touching and the words used to express the emotions are commendable.The ending dialogue of Srinivas shows the pain he has been carrying since twenty five years. The story reflects deep thinking of the writer on human nature and emotions.

    Congratulations and best wishes .👍

Leave a Reply

Your email address will not be published. Required fields are marked *