‘କଳସା ଚଉତିଶା’ର ରଚୟିତା କବି ବଚ୍ଛା ଦାସ

  • ଓଡ଼ିଆ ସାହିତ୍ୟ ଜଗତରେ ଆଦି ଚଉତିଶା ଭାବରେ ବଚ୍ଛା ଦାସଙ୍କ ଚଉତିଶା ପରିଚିତ। କବିଙ୍କର ଏଭଳି ରଚନା ଓଡ଼ିଆ ସାହିତ୍ୟ କାହିଁକି ଭାରତର ଯେ କୌଣସି ସାହିତ୍ୟରେ ବିରଳ।
ଡ. ଅଶୋକ କୁମାର ପଣ୍ଡା

କଳସା ଚଉତିଶାର ରଚୟିତା ବଚ୍ଛା ଦାସ ପ୍ରାଚୀନ କାଳରୁ ଲୋକପ୍ରିୟ କବି ଭାବରେ ପାଠକ ନିକଟରେ ସୁପରଚିତ। କବିଙ୍କର କଳସା ଚଉତିଶାଟି ଏତେ ମାତ୍ରାରେ ଲୋକପ୍ରିୟ ହୋଇପାରିଥିଲା ଯେ, ପରବର୍ତ୍ତୀ କବିମାନେ ସ୍ୱରଚିତ କାବ୍ୟ ଓ କବିତା ମାନଙ୍କରେ “କଳସା ବାଣୀରେ ଗାଇବ” ବୋଲି ନିର୍ଦ୍ଦେଶ ଦେଇଯାଇଛନ୍ତି। ମହାକବି ସାରଳା ଦାସ ମଧ୍ୟ କଳସା ଚଉତିଶା ଦ୍ୱାରା ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଏ। କବି ସାରଳା ଦାସଙ୍କ ମହାଭାରତରେ- 

“ବେଦ ମନ୍ତ୍ର ଯୁଗତେ ସେ ଯେ ପଢ଼ନ୍ତି କଳସା
ବିଶିଷ୍ଟ, ମାରକଣ୍ଡ ଆବର ଦୁର୍ବାସା।”

କଳସା ଚଉତିଶାର ରଚୟିତା ବଚ୍ଛା ଦାସ କେଉଁ ସମୟରେ ଜନ୍ମଗ୍ରହଣ କରିଥିଲେ ତାହା ଠିକ୍ ଭାବରେ ପ୍ରମାଣିତ ହୋଇନାହିଁ। ସାରଳା ଦାସ ‘କଳସା’ର ଉଲ୍ଲେଖ କରିଥିବାରୁ ବଚ୍ଛାଦାସଙ୍କୁ ସାରଳା ଦାସଙ୍କ ପୂର୍ବବର୍ତ୍ତୀ କବି ବୋଲି କୁହାଯାଇଛି। ଓଡ଼ିଆ ସାହିତ୍ୟଧାରାର ବିଚାର ବିବେଚନାରେ ସେ ପ୍ରାୟତଃ ଉପେକ୍ଷିତ, ଅବଶ୍ୟ ମାୟାଧର ମାନସିଂହ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥରେ କହନ୍ତି- “ସାରଳା ଦାସ କି ଅର୍ଥରେ ‘କଳସା’ ଶବ୍ଦ ବ୍ୟବହାର କରିିଛନ୍ତି ତାହା ବିବାଦ ମଧ୍ୟ।”

ଚଉତିଶା ଓଡ଼ିଆ ସାହିତ୍ୟର ଭିତ୍ତିଭୂମି। ପ୍ରାଚୀନଯୁଗ, ମଧ୍ୟଯୁଗ ଓ ଆଧୁନିକ ଯୁଗର ଚାରିଦିଗକୁ ଏହା ସମ୍ପୂର୍ଣ୍ଣ ଘେରି ରହିଅଛି। କାବ୍ୟ ରଚନା ପୂର୍ବରୁ କବିମାନେ ଚଉତିଶା ରଚନା କରି ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ଛୋଟ ଛୋଟ ଚଉତିଶା ଲୋକପ୍ରିୟତାର ସୂଚନା ଦେଇଥାଏ। ଚଉତିଶା ରଚନା କରିଥିବା ଯୋଗୁଁ ଅଧିକାଂଶ କବିଙ୍କର ପରିଚୟ ପାଠକମାନେ ପାଇପାରିଛନ୍ତି। ଚଉତିଶାର ରଚୟିତାମାନେ ଅନେକ କାବ୍ୟ ରଚନା କରି ପ୍ରାଚୀନ ଓଡ଼ିଆ ସାହିତ୍ୟର କଳେବର ମଣ୍ଡନ କରିଯାଇଛନ୍ତି।

ଚଉତିଶା ଲୋକ ସାହିତ୍ୟ ପରି ମୁଖେ ମୁଖେ ପ୍ରଚଳିତ ଥିଲା। ପ୍ରାୟ ଏକ ହଜାର ବର୍ଷ ପୂର୍ବରୁ ଏହାର ପ୍ରଚଳନ ହୋଇଆସୁଛି। ଅନୁକ୍ରମରେ ୩୪ ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ବ୍ୟବହାର କରି ଗୀତି କବିତା ରଚନା କରିବା ଭାରତୀୟ ସାହିତ୍ୟର ଏକ ପ୍ରାଚୀନ ପରମ୍ପରା। ଏହାର ମୂଳ ରୂପ ସଂସ୍କୃତ ସାହିତ୍ୟରେ ପରଲକ୍ଷିତ ହୋଇଥାଏ। ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ୫୦ ଗୋଟି ବର୍ଣ୍ଣକୁ ଯଥାକ୍ରମରେ ରଖି ଆଦ୍ୟ ଚରଣରେ ଗୀତ ରଚିତ ହୋଇଥାଏ। ଏହି ୫୦ ଗୋଟି ବର୍ଣ୍ଣମାଳାକୁ ‘ମାତୃଳାବର୍ଣ୍ଣ’ କୁହାଯାଏ। ଏପରି ସ୍ତୁତି କରିବା ଦ୍ୱାରା ବାକ୍‌ଦେବୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବର୍ଣ୍ଣନା ଅଛି। ଦେବୀଙ୍କୁ ‘ସକଳ ଲିପିମୟୀ’ ବା ‘ବର୍ଣ୍ଣମୟୀ’ ବୋଲି ଅଭିହିତ କରାଯାଇଛି। ପ୍ରାକୃତ ସାହିତ୍ୟରେ ମଧ୍ୟ ବର୍ଣ୍ଣମାଳାନୁକ୍ରମିକ ପଦ୍ୟ ରଚନା ଦେଖିବାକୁ ମିଳେ। ସରହପାଦଙ୍କ ଦୋହା ଏହାର ଉଦାହରଣ। ନବମ ଶତାବ୍ଦୀର ପୂର୍ବ ରଚନା ‘ଲଳିତ ବିସ୍ତର’ରେ ମଧ୍ୟ ଅକ୍ଷରାନୁକ୍ରମିକ ରଚନାର ଦୃଷ୍ଟାନ୍ତ ମିଳେ। ଏହାର ପରବର୍ତ୍ତୀ ସମୟଠାରୁ ଚଉତିଶା ରଚନା ହୋଇଥିବାର ଜଣାଯାଏ। ହିନ୍ଦୀରେ ଗୈତିଶାକୁ ଚୌତିଶା କୁହାଯାଏ। କେହି କେହି ଏହାକୁ ‘କଖହରା’ ବୋଲି କହିଥାନ୍ତି। କାରଣ କଖ ଅନୁକ୍ରମରେ ରଚିତ ହୋଇଥାଏ। ଏହାର ଅନ୍ୟ ଗୋଟିଏ ନାମ ହେଉଛି ‘ଅଖରାବଟ’। ଏହି ‘ଅଖରାବଟ’ ଅକ୍ଷରାରବର୍ତ୍ତର ପ୍ରାକୃତ ରୂପ ବୋଲି ସମାଲୋଚକ ପ୍ରହ୍ଲାଦ ପ୍ରଧାନ ଅନୁମାନ କରନ୍ତି। ବଙ୍ଗଳା ମଙ୍ଗଳ କାବ୍ୟ ଅକ୍ଷର କ୍ରମରେ ରଚିତ। ବଙ୍ଗଳାରେ ମିଳିଥିବା ଚଉତିଶାଗୁଡିକ ସ୍ତୁତିମୂଳକ ହୋଇଥିବାରୁ ଆଲୋଚକମାନେ ଏହାକୁ ଅକ୍ଷରାନୁକ୍ରମିକ ଚଉତିଶା ବା ସ୍ତୁତିଗୀତିକା ବୋଲି ନାମକରଣ କରିଛନ୍ତି। ଗୁଜରାଟୀ ଓ ଅସମୀୟା ଭାଷାରେ ଅନେକ ଚଉତିଶା ରଚନା ହୋଇଥିବାର ଜଣାଯାଏ। କାଶୀରେ କବୀରଙ୍କ ଶିଷ୍ୟ ମାନଙ୍କ ମୁଖରୁ ଚଉତିଶା ସ୍ତୁତିଗୀତ ଶୁଣିବାକୁ ମିଳୁଥିଲା। ଚଉତିଶା ବ୍ୟଞ୍ଜନ ଅକ୍ଷର ନିୟମରେ ରଚିତ ଧର୍ମମୂଳକ ଗୀତିକବିତ। ଏ ଦୃଷ୍ଟିରୁ ଏହା ସମାଜର ଏବଂ ଜୀବନର ସକଳ ଦିଗକୁ ଛୁଇଁ ରଚିତ ହୋଇଛି।

ସଂସ୍କୃତରେ ରଚିତ ତନ୍ତ୍ରମାନଙ୍କରେ ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ପଚାଶଟି ବର୍ଣ୍ଣକୁ ନେଇ ମନ୍ତ୍ରମାନ ରଚିତ ହୋଇଅଛି। ସଙ୍ଗୀତ ଶାସ୍ତ୍ରରେ ଅକ୍ଷର କ୍ରମରେ ରଚିତ ଗୀତକୁ ମାତୃକା ବର୍ଣ୍ଣ ବୋଲି କହିଥାନ୍ତି।

‘କ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ୩୪ ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟ ଅକ୍ଷର କ୍ରମାନ୍ୱୟରେ ପ୍ରୟୋଗ କରି ଓଡ଼ିଆ ଚଉତିଶା ରଚିତ ହୋଇଥାଏ। ‘କ୍ଷ’ ଠାରୁ ‘କ’ ପର୍ଯ୍ୟନ୍ତ କ୍ରମାନ୍ୱୟରେ ୩୪ ଗୋଟି ଅକ୍ଷରକୁ ନେଇ ଗୀତିକବିତା ରଚିତ ହୋଇଅଛି। ଏହାକୁ ଓଲଟ ଚଉତିଶା କୁହାଯାଏ। ପଦର ପ୍ରତ୍ୟେକ ପାଦ ଗୋଟିଏ ଗୋଟିଏ ଅକ୍ଷର ନିୟମରେ ରଚିତ। ଙ, ଞ୍ଜ, ଳ, ଣ ମୂଳରେ ଥାଇ କୌଣସି ପଦ ଓଡ଼ିଆରେ ନାହିଁ। ତେଣୁ ଏହି ଅକ୍ଷରଗୁଡିକୁ ବାଦ୍ ଦେଇ ‘ଙ’ ପରିବର୍ତ୍ତେ ‘ଅ’, ‘ଞ’ ଓ ‘ଣ’ ପରିବର୍ତ୍ତେ ‘ନ’ ଓ ‘ଳ’ ପରିବର୍ତ୍ତେ ‘ଲ’ ବ୍ୟବହାର ହୋଇ ଗୀତି କବିତା ଗୁଡିକୁ ରଚିତ ହୋଇଥାଏ। ଏହାର ଅନ୍ୟ ଏକ ଅନୁରୂପ ରଚନା ‘ଷୋଡଶା’। ଏଥିରେ ୧୬ ଗୋଟି ବର୍ଣ୍ଣକୁ ଅନୁରୂପ ଭାବେ ବିନ୍ୟାସ କରାଯାଇଥାଏ। ଓଡ଼ିଆ ସାହିତ୍ୟରେ ଚଉତିଶାର ସଂଖ୍ୟା ଅପରିମେୟ।

ଓଡ଼ିଆ ସାହିତ୍ୟ ଜଗତରେ ଆଦି ଚଉତିଶାକାର ଭାବରେ ବଚ୍ଛା ଦାସଙ୍କ ଚଉତିଶା ପରିଚିତ। ଓଡ଼ିଆରେ ଅନେକ ଚଉତିଶା ରଚିତ ହୋଇଥିବାର ଦୃଷ୍ଟାନ୍ତ ମିଳେ। କେତେକ ପ୍ରକାଶିତ ଓ କେତେକ ଅଦ୍ୟାପି ଅପ୍ରକାଶିତ ହୋଇ ରହିଅଛି। ଚଉତିଶା ଓଡ଼ିଆ ସାହିତ୍ୟ ଜଗତରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି।

ଚଉତିଶା ମଧୁ ଚକ୍ରର ଚତୁର୍ଥ ଖଣ୍ଡରେ “କଳସା ଚଉତିଶା” ଶିରୋନାମାରେ ପ୍ରଥମେ ଏହା ପ୍ରକାଶିତ। ସଂପାଦକ ଏହାର ପରିଚୟ ନେଇ ଲେଖିଛନ୍ତି “କଳସା ଗୀତ ଅତି ପୁରାତନ। ପ୍ରମାଣ ମିଳିଅଛି ସାରଳା ଦାସଙ୍କ ମହାଭାରତ ଠାରୁ ମଧ୍ୟ ଏହା ଅଧିକ ବୟସ୍କ।” ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ ନାମକ ‘ପ୍ରାଚୀସମିତି’ ପ୍ରକାଶିତ ଗ୍ରନ୍ଥରେ ମଧ୍ୟ ୧୯୩୨ ଖ୍ରୀ.ଅ.ରେ ‘କଳସା ଚଉତିଶା’ ଶିରୋନାମାରେ ବଚ୍ଛା ଦାସ ରଚିତ ଗୋଟିଏ ଚଉତିଶା ମୁଦ୍ରିତ ହୋଇଅଛି। ଯେଉଁ ଜୀର୍ଣ୍ଣ ପୋଥିରୁ ଏହି ଚଉତିଶାଟି ମୁଦ୍ରିତ ହେଲା ସେଥିରେ ଏହାର ନାମ ‘କଳସା ଚଉତିଶା’ ଲେଖାଥିବାର ଜଣାପଡେ।

କଳସାର ଅର୍ଥ ମଙ୍ଗଳଗୀତିକା। ବିବାହ ବେଦୀରେ ବରକନ୍ୟାଙ୍କୁ ଆଶୀର୍ବାଦ ପାଇଁ ଶୁଭକାମନାରେ ଯେଉଁ ଗୀତିକା ଗାନ କରଯାଏ ତାହା ‘କଳସା’ ରୂପେ ପରିଚିତ। ଚଉତିଶା ମାନଙ୍କର ରାଗ ଭିନ୍ନ ଭିନ୍ନ। ‘କଳସା ଚଉତିଶା’ର ରାଗ ନିର୍ଦ୍ଦେଶ କରାଯାଇନାହିଁ। ତେଣୁ ପରବର୍ତ୍ତୀ କବିମାନେ ଏହାର ଅନୁକରଣରେ ରାଗ ନିର୍ଣ୍ଣୟ କଲେ ଏବଂ ତାହାକୁ ‘କଳସାରାଗ’ ବୋଲି ନାମିତ କଲେ। ଏହି ରାଗରେ ଓଡ଼ିଆରେ ଅନେକ କବିତା ରଚିତ ହୋଇଛି।

“କଳସା ଚଉତିଶା”ର ବିଷୟବସ୍ତୁ ହେଉଛି ଶିବ ପାର୍ବତୀଙ୍କର ବିବାହ। ହିମାଳୟ କନ୍ୟା ଗୌରୀ ଶିବଙ୍କୁ ବର ରୂପରେ ପାଇବା ପାଇଁ ତପସ୍ୟା କଲେ। ଗୌରୀଙ୍କର ବିବାହ ବୟସ ହେବାରୁ ହିମାଳୟ ଶିବଙ୍କ ସହ ବିବାହ ସ୍ଥିର କଲେ। ଶିବ ଛଦ୍ମବେଶ ଧାରଣ କରି ବୁଢ଼ା ବେଶରେ ଉପସ୍ଥିତ ହେଲେ। ବିବାହ ବେଦୀ ଉପରକୁ ଯିବା ପୂର୍ବରୁ ଗୌରୀ, ସଖୀ ଓ ମାତାଙ୍କର ମନ ମଉଳିଗଲା। ସେମାନେ ମନ ଦୁଃଖରେ ପିତାଙ୍କୁ ଦୋଷୀ କଲେ। ପିତା କନ୍ୟାକୁ ବୁଝାଇବା ପରେ ବିବାହ ସମ୍ପନ୍ନ ହେଲା। ଶିବ ଛଦ୍ମବେଶ ତ୍ୟାଗ କରି ନିଜର ସମ୍ମୋହନ ରୂପ ପ୍ରକାଶ କରିବାରୁ ସମସ୍ତେ ଆନନ୍ଦିତ ହେଲେ। ସ୍ୱାମୀ ରୂପରେ ଶିବଙ୍କୁ ପାଇବା ପାଇଁ ପାର୍ବତୀଙ୍କର ଏକାଗ୍ରତା ଓ ଆନ୍ତରିକ ଭକ୍ତି ସେହି ସମୟର ନାରୀର ଭୂମିକା ଓ ମାନସିକତା ସମ୍ପର୍କରେ ଆମକୁ ସୂଚନା ଦିଏ ଏବଂ ସଚେତନ କରାଇ ଦେଇଥାଏ। କନ୍ୟା ପାଇଁ ଉପଯୁକ୍ତ ବର ନ ହେଲେ, ମାଆ ଜୀବନ ହାରି ଦେବାର କଥା ପ୍ରାଚୀନ ଯୁଗରେ କେବଳ ନ ଥିଲା, ଆଜି ମଧ୍ୟ ସମାଜରେ ତାହାର ଅନେକ ଦୃଷ୍ଟାନ୍ତ ମିଳେ। ବରକନ୍ୟାଙ୍କର ବିବାହ ସଠିକ୍ ବୟସ ଏବଂ ଯୁବକ ଅବସ୍ଥାରେ ହେବା ଉଚିତ। ଆଜି ମଧ୍ୟ ଶିବପାର୍ବତୀଙ୍କ ବିବାହ ଶୀତଳଷଷ୍ଠୀ ଅବସରରେ ପାଳନ ହୋଇଥାଏ। କନ୍ୟାପିତା କୁଆଡେ ଲୋଭରେ କନ୍ୟାକୁ ବୁଢ଼ା ବର ହାତରେ ସମର୍ପଣ କରି ଦେଇଥିଲେ। କବି ବଚ୍ଛା ଦାସ ଏକଥା ସମାଜରେ ଦେଖିବା ପରେ ତାହାର ତୀବ୍ର ପ୍ରତିବାଦରେ ଏକ ଗୀତିକା ରଚନା କରିଛନ୍ତି। ବାସ୍ତବରେ ପ୍ରାଚୀନ କାଳରେ ପ୍ରାୟ ୧୪୦୦ ମସିହାରେ ସମାଜରେ ଏଭଳି ସମସ୍ୟା ପ୍ରଚଳନ ଥିଲା ଏବଂ ଆଜି ମଧ୍ୟ ରହଛି। ଏହାର କଥାବସ୍ତୁରେ ଯେଉଁ କଥାଗୁଡିକ ବ୍ୟକ୍ତ ହୋଇଛି ତାହା ଆମ ସମାଜରେ ପ୍ରଚଳିତ ହେବାର ଦେଖାଯାଏ। ଏପରି ଏକ ସ୍ଥଳରେ କବି କହିଛନ୍ତି- ‘ଗୌରୀ ବେଦୀକୁ ଯିବା ପୂର୍ବରୁ ନିଜର ଭାବି ପତିଙ୍କର ରୂପ ଗୁଣକୁ ସ୍ମରଣ କରି ବସି ଅଛନ୍ତି। ସେ ବରର ରୂପକୁ ଦେଖିନାହାନ୍ତି, କେବଳ କଳ୍ପନାରେ ଚିନ୍ତା କରିଛନ୍ତି। ଏଭଳି ଅବସ୍ଥାରେ ସଖୀମାନେ ଆସି ଗୌରୀଙ୍କୁ କହିଲେ- 

“କହନ୍ତି କାମିନୀ ଗୁଣ ହେମନ୍ତ ଦୁଲଣି,
କାହୁଁ ବର ବରିଲେ ତୁମ୍ଭର ପିତାମଣି।
କୁଳ ମୂଳ ଗୋତ୍ର ଆଦି ନାହିଁ ଜଣା ତାର
କନକ ବେଦୀରେ ବୁଢ଼ା ବସିଛି ମଧ୍ୟର।।୧ା
ଖୁଁ ଖୁଁ ଖାସ ସାହାସେଣ ପେଲୁଅଛି ଧଇଁ
ଖର ନିଶ୍ୱାସ ବୁଢ଼ାର ମଥା ଲାଗେ ଭୂଇଁ।
ଖଣ୍ଡିଆ ଯୋଗିର ସଙ୍ଗେ ନାହିଁ ଯାନ ତାର
ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ପାଖର।।୨ା

ଏଭଳି ଏକ ବୁଢ଼ା ବରକୁ ଦେଖି କେଉଁ କନ୍ୟା ସହ୍ୟ କରିବ। ସଖୀଠାରୁ ଏହା ଶୁଣିବା ପରେ ସତ କଥା ଜାଣିବା ପାଇଁ ଗୌରୀ ଚେଷ୍ଟା କଲେ ଏବଂ ଜାଣିବା ପରେ ମନରେ ଦୁଃଖ ଜାତ ହେଲା। ସେ ସାଙ୍ଗେ ସାଙ୍ଗେ ମୂର୍ଚ୍ଛା ହୋଇଗଲେ। ମାତା ଏହା ଜାଣି କନ୍ୟା ପାଖକୁ ଆସି କୋଳାଗ୍ରତ କଲେ। କନ୍ୟା ଚେତା ଫେରିବା ପରେ ମାତାଙ୍କୁ ସମସ୍ତ କଥା ଦୁଃଖରେ କହିଲେ। 

“ଦଇନି କରି କହୁଛି ଶୁଣ ମୋର ମାୟେ
ଦନ୍ତେ ତିରଣ ଧରିଶ ଓଳଗଇ ପାୟେ।
ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ
ଦୁଇ ନୟନରେମୋର ମରଣ ଦେଖିବୁ ।୧୮ା

କନ୍ୟାଠାରୁ ଏକଥା ଶୁଣିବା ପରେ ମାଆ ଝିଅ ଦୁହେଁ କାନ୍ଦିବାକୁ ଲାଗିଲେ। ଏହା ଶୁଣି ହିମାଳୟ ଆସି କହିଲେ ପୁଣ୍ୟକାଳରେ କାନ୍ଦିବା ଶୁଭ ଲକ୍ଷଣ ନୁହେଁ। ଦେଖଣାହାରୀମାନେ ଧନ ଲାଭରେ ପାକୁଆ ବୁଢ଼ାକୁ କନ୍ୟାଦାନ କରୁଥିବାରୁ ପାର୍ବତୀଙ୍କ ପିତାମାତାଙ୍କୁ ନିନ୍ଦା କରିବାକୁ ଲାଗିଲେ। କେତେକ ବ୍ୟକ୍ତି ହିମାଳୟ ବିଚାର ବୁଦ୍ଧିକୁ ନିନ୍ଦା ନ କରି ତାଙ୍କ ଆଦେଶ ଅନୁଯାୟୀ ବିବାହ ବିଧି ବଢ଼ାଇ ମା’ଙ୍କୁ ବୁଝାଇଲେ ଓ ବିଧି ବିଧାନ ଅନୁଯାୟୀ ସବୁ ଯୋଗାଡ କରିବାକୁ ଲାଗିଲେ। ମଙ୍ଗଳବାଜଣା ଓ ହୁଳହୁଳି ସହ ହିମାଳୟ ରାଜଜେମାନଙ୍କର ସମସ୍ତ କ୍ରିୟା ଶେଷ ହେଲା। ଲବଣ ଚଉଁରୀ, ଆଚାର୍ଯ୍ୟବରଣ, ପାର୍ବତୀଙ୍କ ସହିତ ପିତାଙ୍କର ‘ଟମ୍ବା’ ନିର୍ମିତ ମାଡି ଉପବେଶନ, ଶିବଙ୍କର ମୁକୁଟ ଗ୍ରହଣ, ବରକନ୍ୟାଙ୍କ ହସ୍ତଗ୍ରନ୍ଥି ସଂପାଦନ ଓ ଦେବତାଙ୍କ ଆବାହନ କ୍ରମଶଃ ଆଗକୁ ବଢ଼ିଳା। ଜୁଆ ଖେଳ ପରେ ବରକନ୍ୟାଙ୍କର ବେଦୀରୁ ଉତ୍‌ଥାନ ଓ ସଖିମାନଙ୍କ ଦ୍ୱାରା ମଧୁଶଯ୍ୟା ରଚନା କରାଗଲା। ଶିବ ମନୋହର ବେଶ ଧାରଣ କରନ୍ତେ ସମସ୍ତେ ଆନନ୍ଦିତ ହେଲେ। ଚଉଠି ପରେ କାଦକ୍ରୀଡା ଓ ଆଠମଙ୍ଗଳା ଉତ୍ସବ ବଢ଼ିବାକୁ ଲାଗିଲା।

ବିବାହ ଓ ମଧୁଶଯ୍ୟାର ବର୍ଣ୍ଣନା ଅତି ସୁନ୍ଦର ଭାବରେ ଚଉତିଶାରେ ବର୍ଣ୍ଣିତ ହୋଇଛି। ତାହା ଆଜି ଆମ ଉତ୍କଳୀୟ ସଂସ୍କୃତିରେ ପ୍ରତିଫଳିତ ଏବଂ ଘରେ ଘରେ ପ୍ରଚଳିତ ହେବାର ଆମେ ଦଖିବାକୁ ପାଉ।

“କଳସା ଚଉତିଶା”ର ଭାଷା ଅତି ସରଳ। ଏହି ଭାଷାକୁ ପ୍ରାୟ ଲୋକମାନେ ବ୍ୟବହାର କରିଥାନ୍ତି। ଏହାକୁ ପାଠ କଲେ ପାଠକର ଆଖି ଆଗରେ ସମଗ୍ର କଥାବସ୍ତୁଟି ଘଟି ଚାଲିଲା ଭଳି ମନେ ହୁଏ। କବିଙ୍କର ଏଭଳି ରଚନା ଓଡ଼ିଆ ସାହିତ୍ୟ କାହିଁକି ଭାରତର ଯେ କୌଣସି ସାହିତ୍ୟରେ ବିରଳ। 

(‘ଓଡ଼ିଶାର ଉପେକ୍ଷିତ ସାରସ୍ୱତ ସ୍ରଷ୍ଟା’ – ଏହି ମର୍ମରେ ପ୍ରତି ମାସରେ ପ୍ରକାଶିତ ହେବ ଡ. ଅଶୋକ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ଧାରାବାହିକ ପ୍ରବନ୍ଧମାଳା।)

2 thoughts on “‘କଳସା ଚଉତିଶା’ର ରଚୟିତା କବି ବଚ୍ଛା ଦାସ

  1. ଅତି ସୁନ୍ଦର ଉପସ୍ଥାପନା। ଜୟ ଜଗନ୍ନାଥ।

    1. ନମସ୍କାର ସାର୍ । ପ୍ରବନ୍ଧ ପାଠ କରି ମତାମତ ଦେଇଥିବା ଯୋଗୁଁ ଅନେକ ଅନେକ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *