ଇତିହାସର ଏକ ଗୌରବମୟ କାଳଖଣ୍ଡରେ ସ୍ବନାମଧନ୍ୟ ଭଞ୍ଜ ରାଜବଂଶ ଦ୍ବାରା ଶାସିତ ହୋଇ ଓଡିଶାର ଏବର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ତଥା ଏହାର କିଛି ପାର୍ଶ୍ବବର୍ତ୍ତୀ ଅଂଚଳକୁ ନେଇ ଗଢିଉଠିଥିବା ଭଞ୍ଜଭୂମିର ଏକ ଭ୍ରମଣ ସାହିତ୍ୟ ଆଧାରିତ ନିଆରା ଉପସ୍ଥାପନାର ସ୍ବାକ୍ଷର ବହନ କରେ ପୁସ୍ତକଟି। ଏଥିରେ ସନ୍ନିବେଶିତ ପ୍ରବନ୍ଧଗୁଡିକର ମୂଳ ପ୍ରତିବେଦନ ଭ୍ରମଣାଶ୍ରୟୀ ହୋଇଥିଲେ ହେଁ ଏକ ଧରାବନ୍ଧା ଭ୍ରମଣ-ବୃତ୍ତାନ୍ତ ନ ହୋଇ ଏହା ପ୍ରକାରାନ୍ତରେ ସେହି ଅଞ୍ଚଳର ଐତିହ୍ୟ ତଥା ସମୃଦ୍ଧ ସଂସ୍କୃତି ସହିତ ପାଠକକୁ ପରିଚିତ କରାଇବାର ମହତ୍ବପୂର୍ଣ୍ଣ କର୍ତ୍ତବ୍ୟ ସାଧନ କରିଛି। ସନ୍ନିବେଶିତ ପ୍ରବନ୍ଧଗୁଡିକର ଭାବ ବିଜଡିତ ବର୍ଣ୍ଣନା ଶୈଳୀ ସେଗୁଡିକର ପାଠକୀୟ ଅନୁଭୂତିକୁ ମଧ୍ୟ ମନୋରମ କରିପାରିଛି। ସ୍ଥଳେସ୍ଥଳେ ମନେ ହୁଏ ଯେମିତି ଭଞ୍ଜଭୂମିର ଲଳିତ ପ୍ରକୃତି ଓ ଐଶ୍ବର୍ଯ୍ୟମୟ ଐତିହ୍ୟରେ ଅଭିଭୂତ ଲେଖକଙ୍କ ରଚନା ନିରୁତା ଗଦ୍ୟ ନୁହେଁ, ବରଂ ଗଦ୍ୟ-କବିତା ଦିଗକୁ ମୁହାଁଇଛି।
ପ୍ରଥମ ଅଧ୍ୟାୟଟି ଆରମ୍ଭ ହୋଇଛି ଲେଖକଙ୍କ ଏକ ହୃଦୟ ଭରା ଆମନ୍ତ୍ରଣରୁ , “ଆସ ବୁଲିଯିବା ବାରିପଦା।” ଏହି କ୍ରମରେ ‘ସୌମ୍ୟ ସବୁଜ ପଥପ୍ରାନ୍ତ ଓ ଅପରୂପା ପ୍ରକୃତିର ଚିତ୍ରିତ ଚାଦର ତଳେ ଛଉ ଓ ଝୁମରର ସୁମଧୁର ତାନରେ ଆନମନା ଅଳସ ସହରଟିଏ – ବାରିପଦା’ର ଚିତ୍ରପଟ୍ଟକୁ ପାଠକକୁ ଘେନିଯାଇଛନ୍ତି ଲେଖକ। ଯେତେବେଳେ ବାରିପଦାର କଥା ପଡିଛି, ସେତେବେଳେ ‘ବୁଢୀ ଗାଡ଼ି’ ତ ଆମର ଦୃଷ୍ଟିଗୋଚର ହେବା ଅବଶ୍ୟମ୍ଭାବୀ। ୧୯୦୪ ମସିହାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ରୁପ୍ସା – ବାଙ୍ଗିରିପୋଷି ଅଣଓସାରିଆ ଆଜି ସେହି ସହରର ଗୌରବାବହ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ସେହିପରି ସହର ମଧ୍ୟସ୍ଥ ହରିଦେବଜୀଉ ମନ୍ଦିର, ମୟୁରଭଞ୍ଜ ରାଜପ୍ରାସାଦ, ଲକ୍ଷ୍ମୀନାରାୟଣଙ୍କ ବିରଳ ମୃଣ୍ମୟ ମନ୍ଦିର ଓ ମା’ ଅମ୍ବିକାଙ୍କ ମନ୍ଦିରର ମଧ୍ୟ ଦର୍ଶନ କରାଇଛନ୍ତି ଲେଖକ।
ପରବର୍ତ୍ତୀ ଅଧ୍ୟାୟଗୁଡିକରେ ରାଜପ୍ରାସାଦ ସହ ସଂଶ୍ଲିଷ୍ଟ ଅଭିନବ ସ୍ବର୍ଣ୍ଣ ମନ୍ଦିର, ବାରିପଦା-ଉଦଳା ରାସ୍ତାରେ ଅବସ୍ଥିତ ହରିପୁର ଗଡ ଓ ଶିଳା ଭାସ୍କର୍ଯ୍ୟର ଗ୍ରାମ ‘କେଶନା’ର ଅନ୍ତରଙ୍ଗ ପରିଚୟ ମନୋମୁଗ୍ଧକର ଶୈଳୀରେ ଉପସ୍ଥାପିତ ହୋଇଛି।
ସେହିପରି କପ୍ତିପଦା ରାଜବାଟୀ, ବିରଳ ଧୂନୀ ମନ୍ଦିର, ପ୍ରାଚୀନ ବାସୁଦେବ ମଠ ତଥା ପ୍ରାକୃତିକ ଶୋଭାର ଗନ୍ତାଘର, ପଥର ପଲଟିଥିବା ଦାରୁ : ଶମୀବୃକ୍ଷ ମଧ୍ୟ ଭଞ୍ଜମାଟିର ଅନନ୍ୟ ଆକର୍ଷଣର ଅଙ୍ଗ।
ପ୍ରାକୃତିକ ବିଭବରେ ଭରା କେନ୍ଦୁଝର ଜିଲ୍ଲାର ଅନେକ ଦର୍ଶନୀୟ ସ୍ଥାନ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ଲେଖକ। ଏହି କ୍ରମରେ ପାଠକଙ୍କ ସମ୍ମୁଖରେ ଉଦ୍ଭାସିତ ହୋଇଛି ଘଟଗାଁ ତାରିଣୀ ପୀଠ, କୁଣ୍ଡେଶ୍ବର, ହଦଗଡ଼ ଜଳ ଭଣ୍ଡାର, ଭୀମପୀଣ୍ଡ, ସୀତାବିଞ୍ଜି ଭଳି ଅନେକ ଭ୍ରମଣୀୟ ସ୍ଥାନ। ଗୋନାସିକାର ପାର୍ଶ୍ବବର୍ତ୍ତୀ ଏକ ଝର ପାଖରେ ଜୁଆଙ୍ଗ ତରୁଣୀଟିଏ କେନ୍ଦରାଟିଏ ଧରି କରୁଣ ରାଗିଣୀଟିଏ ତୋଳୁଥିବା ଦୃଶ୍ୟର ଅନୁଭବ ଏହି ଜନଜାତି ଉପରେ ଏକ ମନଛୁଆଁ ଆଲେଖ୍ୟ ପ୍ରସ୍ତୁତ କରିବାପାଇଁ ମଧ୍ୟ ଲେଖକଙ୍କୁ ପ୍ରେରିତ କରିଛି।
ସର୍ବୋପରି ପୁସ୍ତକଟି ଭଞ୍ଜଭୂମିର ମହନୀୟ ଇତିହାସ ଓ ଐତିହ୍ୟ ପ୍ରତି ଆଗ୍ରହ ରଖୁଥିବା ପାଠକ ମହଲରେ ବିଶେଷ ଆଦୃତ ହେବାର ସମସ୍ତ ଲକ୍ଷଣ ରଖେ। ଏଥିରେ ସନ୍ନିବେଶିତ ହୋଇଥିବା ସଂପୃକ୍ତ ଅଞ୍ଚଳର ଫଟୋଚିତ୍ରଗୁଡିକ ଅବଶ୍ୟ କଳା-ଧଳାରେ ନହୋଇ ବରଂ ରଂଗୀନ ହୋଇପାରିଥିଲେ ପ୍ରସ୍ତୁତିଟି ଆହୁରି ଅଧିକ ସୁଦୃଶ୍ୟ ହୋଇପାରିଥାନ୍ତା ବୋଲି ମନେ ହୁଏ।
ନିହାର ଶତପଥୀ
ଲେଖକ ଡ. ତରୁଣ କୁମାର ଓଝା ମହୋଦୟଙ୍କୁ ଶୁଭେଚ୍ଛା। ନୀହାର ଭାଇଙ୍କୁ ଧନ୍ୟବାଦ ସୁନ୍ଦର ଭାବରେ ଉପସ୍ଥାପିତ ଏହି ପୁସ୍ତକ ସମୀକ୍ଷାଟି ପାଇଁ।
ଏହି ପୁସ୍ତକ ଟି ମିଳି ପାରିବ କି?