ପୁରୁଷୋତ୍ତମପୁରର ସୁରିଆ – ମୋ ଗେହ୍ଲା ବାପା

  • “କଥାକାର ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି ଥିଲେ ନିଜେ ହିଁ ନିଜର ଷ୍ଟାଇଲ୍ ,” କହନ୍ତି ତାଙ୍କର ସୁକନ୍ୟା ତଥା ମୁଗ୍ଧ ପାଠିକା, ଲୋପାମୁଦ୍ରା ମହାନ୍ତି।
ଲୋପାମୁଦ୍ରା ମହାନ୍ତି

ପୁରୁଷୋତ୍ତମପୁରର ‘ସୁରିଆ’, ଅର୍ଥାତ୍ କଥାକାର ସ୍ୱର୍ଗତ ସୁରେନ୍ଦ୍ର ମହାନ୍ତି ଥିଲେ ନିଜେ ହିଁ ନିଜର ଷ୍ଟାଇଲ୍। ଏକାନ୍ନବର୍ତ୍ତୀ କୋଳାହଳ ପରିବାର ଭିତରେ ଜୀବନ ବିତାଉଥିଲେ ମଧ୍ୟ ସମାଜ ଦର୍ପଣରେ ନିଜକୁ ଜଣେ ନିଃସଙ୍ଗ ବ୍ୟକ୍ତି ଭାବରେ ପରିଚୟ ଦେଇଛନ୍ତି। ସ୍ୱପ୍ନ ଓ ସମ୍ଭାବନା ଭିତରେ ଜୀବନ ବିତାଉଥିଲେ ମଧ୍ୟ ସେ ଥିଲେ ବାସ୍ତବବାଦୀ ସତ୍ୟର ସାଧକ।

ତାଙ୍କ ଭାବନା ଓ ମତ, କଥାରେ ନ କହି ବିଭିନ୍ନ ସ୍ଥାନରେ ଲେଖୁଥିଲେ। ମୁଁ ଏବେ ଚିନ୍ତା କରୁଛି, ସେ ତାଙ୍କ ଜୀବନଦର୍ଶନ, ବଂଚିବାର କଳା ଲେଖି ନ ଥିଲେ ଆଜି ଆମେ କେବେଠାରୁ ତାଙ୍କ ଦର୍ଶନ, ଚିନ୍ତା ଚେତନା ହୁଏତ ଭୁଲି ସାରନ୍ତୁଣି।

ତାଙ୍କ ଦ୍ୱାରା ରଚିତ “ଅଚଳାୟତନ” ଉପନ୍ୟାସରେ ଲେଖିଛନ୍ତି- ମୂଲ୍ୟ ଓ ମୂଲ୍ୟବୋଧ ଏକା କଥା ନୁହେଁ। ମୂଲ୍ୟ ଅର୍ଥଗତ। କିନ୍ତୁ ମୂଲ୍ୟବୋଧ ଆଦର୍ଶ ଗତ। ସେ ଏହା କେବଳ ଲେଖିନାହାନ୍ତି ସେହି ମୂଲ୍ୟବୋଧ ରକ୍ଷା କରିବା ପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡିଛି। ସାହିତ୍ୟ ଥିଲା ତାଙ୍କର ପ୍ରାଣ। ସେହି ଯେଉଁ ଆଦର୍ଶରେ ବିଶ୍ୱାସ କରୁଥିଲେ, ସେ ହିଁ ଆଦର୍ଶକୁ ରୂପାୟିତ କରୁଥିଲେ, ତାଙ୍କ ସାହିତ୍ୟରେ ହେଉ ବା ରାଜନୀତି ଅଥବା ସମ୍ବାଦିକତାରେ।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଅଧେ ବାବାଜୀ, ଅଧେ ସନ୍ୟାସୀ, ଅଧେ ହେଉଛି ରୁଦ୍ର କାପାଳିକ।” ସମସ୍ତଙ୍କୁ ବିଶ୍ୱାସ କରନ୍ତି। ଆପଣାର ଭାବନ୍ତି ଜଗନ୍ନାଥଙ୍କୁ। ଭଲ ପାଆନ୍ତି ଖାଇବାକୁ ଓ ଖୁଆଇବାକୁ। ତାଙ୍କ ପାଠକ, ପାଠିକା ତାଙ୍କର ଜୀବନ୍ତ ଭଗବାନ। ଆଲୋଚନା, ସମାଲୋଚନାକୁ ଆଦରରେ ଗ୍ରହଣ କରନ୍ତି।

ବାପାଙ୍କ ବନ୍ଧୁ ଥିଲେ ସୁନ୍ଦରଗଡର କବି ବିନୋଦ ନାୟକ, ଏଇ କଥାଟି ବାପାଙ୍କ ମୁହଁରୁ ଶୁଣିଛି। ସେ ମଧ୍ୟ ‘ପଥ ଓ ପୃଥିବୀ’ରେ ଲେଖିଛନ୍ତି, କଥାଟି ଏପରି ଭାବରେ। ଦୁହେଁ ଥିଲେ ରେଭେନ୍ସା କଲେଜର ଛାତ୍ର। ଏକା ଶ୍ରେଣୀରେ ନୁହେଁ। କବି ବିନୋଦ ନାୟକ ଥିଲେ ୫ମ ବର୍ଷର ଛାତ୍ର, ବାପା ଥିଲେ ୩ୟ ବର୍ଷର ଛାତ୍ର। ଦୁହେଁ ରହୁଥିଲେ କଲେଜ ପାଖ ଏକ ମେସ୍‌ରେ। କବି ବିନୋଦ ନାୟକ ପ୍ରତି ଦିନ କବିତା ଲେଖନ୍ତି, ବାପାଙ୍କୁ ଶୁଣାନ୍ତି। ସେ ବିନୋଦ ନାୟକଙ୍କ କବିତା ସଙ୍କଳନ “ନୀଳଚକ୍ର” ଭୂମିକାରେ ନିଜର ମତ ଲେଖିଛନ୍ତି “ମୁଁ ଲକ୍ଷ୍ୟ କରୁଛି, ଆଜିକାଲି ଲେଖକଙ୍କ ମଧ୍ୟରେ ଘୋର ପରଶ୍ରୀକାତରତା। କେହି ଅନ୍ୟର ପ୍ରତିଷ୍ଠା ସ୍ୱୀକାର କରିବାକୁ କୁଣ୍ଠିତ। ଅନ୍ୟକୁ ଟାଣି ତଳେ ପକାଇ ନିଜେ ଡେଙ୍ଗା ଦିଶିବାର ପ୍ରବୃତ୍ତିଟା ଆଜି ବୋଧହୁଏ ରାଜନୀତିରୁ ସାହିତ୍ୟ କ୍ଷେତ୍ରକୁ ସଂକ୍ରମିତ ହୋଇଛି। କିନ୍ତୁ ସେଦିନ ଥିଲା ଅଲଗା। ସାହିତ୍ୟ ଥିଲା ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ତୀର୍ଥ ଭୂମି। ଯିଏ ଧାଡିଏ ଲେଖିଲା, ସିଏ କିପରି ଆହୁରି ଲେଖୁ ସେଥିପାଇଁ ପ୍ରେରଣା ଦେବାରେ କେହି କାତର ନ ଥିଲେ।”

ବନ୍ଧୁ ଗୁରୁପ୍ରସାଦ ସାଇକଲରେ କୌଣସି ଏକ ସିନେମା ଗୀତ ଗାଇ ଗାଇ ତାଙ୍କ ବିପରୀତ ଦିଗରୁ ଆସୁଛନ୍ତି- ବାପାଙ୍କୁ ଦେଖି ଚିତ୍କାର କଲେ “ତୁମ ଗପଟି ଖୁବ୍ ଭଲ ହୋଇଛି ହେ ସୁରେନ୍ଦ୍ର”। ବାପା ସାଇକଲରୁ ଓହ୍ଲାଇ ପଡିଥିଲେ। ପଚାରିଲେ “କେଉଁ ଗପ, କେଉଁ ପତ୍ରିକାରେ?” ସେଠାରେ ଉପସ୍ଥିତ କବି ବିନୋଦ ବାବୁ ହସି କରି କହିଲେ, “ତୁମ ତାଲା ପଡିନଥିବା ଟ୍ରଙ୍କରୁ ମୁଁ ଖୋଜି କରି ‘ମଣିଷ ଓ ଅର୍ଥନୀତି’ ଗପଟି ପୂଜା ସଂଖ୍ୟା ‘ଆରତୀ’କୁ ପଠାଇଥିଲି।” ଆଜି ବୋଧହୁଏ ଲେଖକଙ୍କ ମଧ୍ୟରେ ଏ ସହୃଦୟତା ଆଉ ସମ୍ଭବ ନୁହେଁ। ସେଥିପାଇଁ ସାହିତ୍ୟର ପ୍ରାଣାଧାର କ୍ରମେ ଶୀର୍ଣ୍ଣ ଓ ସଙ୍କୁଚିତ ହୋଇ ଆସୁଛି।

ମୋତେ ଅନେକେ କହନ୍ତି, ତୁମେ କାହିଁକି ଲେଖୁନାହଁ? ମୁଁ ତାର ଉତ୍ତର ବାପାଙ୍କ ଲେଖାରୁ ଦେଇଥାଏ। “ସାହିତ୍ୟ କଳଙ୍କିତ ଚନ୍ଦ୍ରର ଜ୍ୟୋତ୍ସ୍ନା ପରି ଅଘୋରୀ…. ସମୁଦ୍ରର ଫେନନିଭ ଲହରୀକୁ ଏହା ସେପରି ମହମାନ୍ୱିତ କରେ…ନର୍ଦ୍ଦମାର ପଙ୍କକୁ ମଧ୍ୟ ଯେପରି ଅବର୍ଣ୍ଣନୀୟ ସୁଷମାରେ ବ୍ୟଞ୍ଜିତ କରେ। ସେଥିପାଇଁ ଯେଉଁ ରଚନାରେ ଆତ୍ମାର ଅତୃପ୍ତି ନାହିଁ, ଅନୁସନ୍ଧାନ ନାହିଁ, ଜୀବନର ଆବିଷ୍କାର ନାହିଁ ଓ ସେଥିପାଇଁ ବେଦନା ଅଥବା ସଂଗ୍ରାମ ନାହିଁ, ତାହା ସିଦ୍ଧ ଲେଖକ ହାତରେ ଶୈଳୀ ଓ ଆଙ୍ଗିକର ଚମତ୍କାରିତାରେ ଗୁଡାଏ ଶ୍ରୁତି ମଧୁର ଶବ୍ଦର ସମାହାରରେ ଭଲ ଲେଖା ହୋଇପାରେ, ମାତ୍ର ତାହା ଚିରନ୍ତନ ଲେଖା ବା ଇଟର୍‌ନାଲ୍ ରାଇଟିଙ୍ଗ ହୋଇ ପାରିବ ନାହିଁ।”

ସୁରେନ୍ଦ୍ରଙ୍କ ମତରେ ସାହିତ୍ୟ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ଐତିହାସିକ ଯୁଗରେ, ଏକ ନିର୍ଦ୍ଦିଷ୍ଟ ସମାଜରେ ଓ ଭାଷାଭାଷୀ ଭୂଖଣ୍ଡରେ ପ୍ରତିଷ୍ଠିତ ମୂଲ୍ୟବୋଧ ଓ ସଂସ୍କୃତିର ରସୋତୀର୍ଣ୍ଣ ଓ କଳାକୁଶଳ ରୂପାୟନ।

ସାହିତ୍ୟର ସାର୍ବଜନୀନ ଅନୁଭୂତି ସଂପର୍କୀୟ ତାଙ୍କର ଗୋଟିଏ କଥା ଆଜି ପର୍ଯ୍ୟନ୍ତ ମୁଁ ମୋ ଜୀବନରେ ମାନି ନେଇଛି, “ମଣିଷ ଯାହାକୁ ଆତ୍ମାରେ ବିଶ୍ୱାସ କରେ, ତା ସହ ପ୍ରବଞ୍ଚନା କରିବା ଉଚିତ ନୁହେଁ। କ୍ଷୁଦ୍ର ବଳୟରୁ ବୃହତ୍ତର ବଳୟକୁ ଗତି ଆପଣେଇ ନେବା ଉଚିତ୍।”

ଖରାଦିନ ସଂଧ୍ୟାବେଳେ ଶିବାନୀର ଲାଲ ବାରଣ୍ଡାରେ ଚାହା ଖଟିଟା ବେଶ ଜମେ। ମୁଁ ରାଉରକେଳାରୁ କଟକ ଗଲେ ସେ ବେତ ଆରାମ ଚେୟାରରେ ବସିଥାନ୍ତି। ବାପାଙ୍କ ହାତରେ ଗ୍ରୀନ ଟି’ ଗ୍ଲାସ, ଆମେ ସବୁ ଯେଉଁଠୁ ଜାଗା ପାଉ ବସିପଡୁ। ସେ କଥା ଆରମ୍ଭ କରନ୍ତି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ତାଙ୍କ ଲେଖାକୁ ନେଇ, ତାଙ୍କ ଭାଷା ମୋର ମନେ ନାହିଁ। ମାତ୍ର ମୁଁ ଯେତିକି ମନେ ରଖିଛି, ଲେଖକ ପାଠକର ରୁଚି ଅନୁସାରେ ନ ଲେଖି ସେହି ରୁଚିକୁ ଭଲ ମାର୍ଗରେ ବଦଳେଇବାକୁ ଚେଷ୍ଟା କରିବା ଉଚିତ। ଉଚ୍ଚମାନର ରୁଚି ତୁରନ୍ତ ପାଠକ ଉପରେ ପ୍ରଭାବ ନ ପକାଇଲେ ମଧ୍ୟ ପରିଶେଷରେ ରୁଚିକୁ ଉନ୍ନତ କରିଥାଏ। ତାଙ୍କ ସମ୍ପାଦକୀୟ ବୁଝିବା ବଡ କଷ୍ଟ ଥିଲା। ମାତ୍ର ଏବେ ସମସ୍ତେ ବୁଝୁଛନ୍ତି, ତେଣୁ ତାଙ୍କ ଭାଷା, ଶୈଳୀର ପ୍ରଭାବ ଅନ୍ୟ ଖବର କାଗଜର ସମ୍ପାଦକୀୟକୁ ପ୍ରଭାବିତ କରୁଛି।

ଲେଖକ ସବୁବେଳେ ଭଲ ପାଠକ ସୃଷ୍ଟି କରିବା ଦରକାର। ତେଣୁ ତାଙ୍କର ଲେଖା ଯେ କୌଣସି କାଗଜ ବା ପତ୍ରିକାରେ ବାହାରିଲେ ସେ ଲେଖା ପଢ଼ିଥିବା ପାଠକଙ୍କୁ ଏପରି କିଛି ପଚାରନ୍ତି, ଯେପରିକି ପାଠକ ସେ ଲେଖାରୁ କିଛି ଶିଖିବ, ନିଜ ଜୀବନରେ ପ୍ରୟୋଗ କରିପାରିବ।

ସାହିତ୍ୟ ପାଇଁ ଅଭିଜ୍ଞତା ବା ଅନୁଭୂତି କେବଳ ଯଥେଷ୍ଟ ନୁହେଁ। କିନ୍ତୁ ଏହା ପରେ ଅଛି ଚତୁର୍ଥ ପରିଧି- ତାହା ହେଉଛି ଉପଲବ୍ଧି। ଉପଲବ୍ଧିର ସ୍ପର୍ଶ ନ ଥିଲେ ଅନୁଭୂତିରେ କୌଣସି ସାର୍ବଜନୀକ ଆବେଦନ ନ ଥାଏ। ନିଷାଦର କ୍ରୂର ଶରାଘାତରେ ପ୍ରତ୍ୟହ କେତେ କ୍ରୈାଞ୍ଚ ପକ୍ଷୀ ମରୁ ନାହାନ୍ତି, କ୍ରୈାଞ୍ଚର ବିଚ୍ଛେଦରେ କେତେ କ୍ରୈାଞ୍ଚି ବିଳାପ କରୁନାହାନ୍ତି! କିନ୍ତୁ ଜଣେ ବାଲ୍ମୀକିର ଶୋକୋପଲ୍ଲବ୍ଧି କେବଳ ସେଇ ଶୋକକୁ ବିଶ୍ୱ ସାହିତ୍ୟରେ ସାର୍ଥକ ଶ୍ଳୋକରେ ପରିଣତ କରିପାରିଥିଲା। ସଂସ୍କୃତରେ ‘ଶ୍ଳୋକ’ ଶବ୍ଦଟିର ଉତ୍ସ ‘ଶୋକ’। ଗୋଟିଏ ସ୍ପର୍ଶାତୁର କବିପ୍ରାଣ ମଧ୍ୟରୁ ଯେଉଁ ପ୍ରତିବାଦର ସ୍ୱର ଉଚ୍ଚାରିତ ହୋଇଥିଲା ତାହା ହିଁ ପ୍ରଥମ ଶ୍ଳୋକ, ପ୍ରଥମ ମହାକାବ୍ୟ। ଏଥିରେ ଅନୁଭୂତି ଯଥେଷ୍ଟ ନ ଥିଲା। ଏଥିରେ ଉପଲବ୍ଧି ଥିଲା। ଉପଲବ୍ଧି ନ ଥିଲେ ଲେଖକର ବକ୍ତବ୍ୟ ନ ଥାଏ। ଯେଉଁ ସାହିତ୍ୟରେ ବକ୍ତବ୍ୟ ନାହିଁ, ତାହା ବର୍ଣ୍ଣମାଳାର ସଂଯୋଜନା ହୋଇପାରେ, ରଚନା ହୋଇପାରେ, ମାତ୍ର ସେଥିରେ ସାହିତ୍ୟର ଆବେଦନ ନ ଥାଏ। (‘ଶେଷ ସ୍ତମ୍ଭ’)

ବରେଣ୍ୟ ଗାଳ୍ପିକ (ମୋ ବାପା)ଙ୍କ ସହ ମୋର ଏକ ସମୟରେ ଏକ ଗପ ଉପରେ ବେଶ ଯୁକ୍ତି ହୋଇଥିଲା। ପ୍ରସଙ୍ଗଟି ଥିଲା ଏହିଭଳି :

ଏକ ବିବାହିତ ମହିଳା ମଧ୍ୟବିତ୍ତ ପରିବାରର ଦାରିଦ୍ର୍ୟ, ଅସହୟତା, କପଟତା, କ୍ରୁରତା, ବିଶ୍ୱାସହୀନତା ଭିତରେ ଜଳୁଛି। ପୁରୁଷର ସମସ୍ତ ଅହମିକା ଧୂଳିସାତ, ସ୍ୱପ୍ନ ସବୁ କେବେ ଠାରୁ ରାସ୍ତା ଭୁଲି ଗଲେଣି। ପିଲା ସ୍କୁଲରୁ ଫେରିବେ, ବାଉଁଶ ପତର ଜଳୁଛି, ମାଟି ଚୂଲୀରେ, ମାଟି ହାଣ୍ଡିରେ ଗାଡିଆ ପାଣି ଟକ୍ ଟକ୍ ହୋଇ ଫୁଟୁଛି। କେଉଁଠି ଚାଉଳ ନାହିଁ। ଦୁହେଁ ଆଖିରେ ଆଖିଏ ଲୁହ ନେଇ ଦେଖୁଛନ୍ତି ଟକ୍ ଟକ୍ ଫୁଟିବା ପାଣିକୁ। ସ୍ୱାମୀ ଦେଇପାରୁନାହିଁ ବଞ୍ôଚବାର ଆଶ୍ୱାସନା, ଏହା ସତ୍ୱେ ସ୍ତ୍ରୀ, ଛୁଆ, ବୁଢ଼ା ବାପା, ମାଙ୍କୁ ଛାଡିପାରେ ନାହିଁ ସେ। ବଂଚିବା ପାଇଁ ତାର, ଲୁଗା ସହ ଖାଦ୍ୟ ଦରକାର, ଅର୍ଥ ମଧ୍ୟ। ଟକ୍ ଟକ୍ ଫୁଟୁଥିବା ପାଣିକୁ ଦେଖି ଦୁହେଁ ସଂକଳ୍ପ କରନ୍ତି ଯେ ଅର୍ଥ ପାଇଁ ସଂଗ୍ରାମ କରିବେ। ସତ୍ କାମ କରି ଟଙ୍କା କମେଇ, ପୁଣି ହସିବେ। କିନ୍ତୁ ହାରିଗଲେ, ସୂର୍ଯ୍ୟ ଅସ୍ତ ଗଲା ପରେ ଘରକୁ ଫେରିଲେ। ସମସ୍ତେ ଅନେଇ ବସିଛନ୍ତି, କ’ଣ ଆଣିଥିବେ। ପୁରୀ ବେଳାଭୂମିରୁ ଅଇଁଠା ପତରରୁ ଖାଦ୍ୟ ସଂଗ୍ରହ କଲାବେଳେ, ଜଣେ ତାଙ୍କୁ ବାଟ ଦେଖାଇଲେ ଅର୍ଥ ଉପାର୍ଜନର। ସେଠି ନୀତି/ଅନୀତିର ପ୍ରଶ୍ନ ନ ଥିଲା- ସ୍ୱାମୀ ସ୍ତ୍ରୀ ସମ୍ମତି ଜଣାଇଲେ। ରାସ୍ତାଟା ହୋଇଛି ସ୍ୱାମୀ ଉଠାଇବ ପର୍ଣ୍ଣୋଗ୍ରାଫିକ ଫଟୋ- ମଡେଲ ହବ ସ୍ତ୍ରୀ।

ବାପାଙ୍କ ସହ ଯୁକ୍ତି ହେଲା ରାତିରେ, ପୁଣି ଥରେ ଗପଟି ଚିନ୍ତା କଲି ଏବଂ ତାହାର ନୂତନ ସ୍ୱାଦ ପାଇଲି।

ସେଦିନ ରାତିରେ ଲେଖିଥିଲି ଡାଇରୀରେ, ନାରୀର ଯନ୍ତ୍ରଣା, ଜୀବନ ସହ ସଂଗ୍ରାମ କରି ବଂଚିବାର ଚେଷ୍ଟା, ପୁରୁଷ ସହ ହାତକୁ ହାତ ମିଶାଇ ପରିବାରକୁ ବଞ୍ଚାଇବା ପାଇଁ ସଂଘର୍ଷ- ଏଇତ ନାରୀ ଜୀବନ।

ରୂପଶ୍ରୀଙ୍କ କଥା ମତେ ସେଦିନ ଆନ୍ଦୋଳିତ କରିଥିଲା, ଯେତେବେଳେ ସାରିପୁତ୍ତକୁ କହିଛନ୍ତି, “ଫେରି ଯାଆ ଭିକ୍ଷୁ, ମୁଁ ଚାହେଁ ଜୀବନ, ନିର୍ବାଣ ନୁହେଁ।” ପୁଣି ରୂପଶ୍ରୀ କହିଛନ୍ତି, “କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷୁ।” ଜୀବନ ଥିଲେ ଯନ୍ତ୍ରଣା ଅଛି। କାମନା ଅଛି। ପୁଣି ଆନନ୍ଦ ବୋଧ ଅଛି। ନିର୍ବାଣର ଶୁଷ୍କ ଇନ୍ଦ୍ରିୟ ଦହନ ଭିତରେ ନୁହେଁ।

ମୁଁ ବାପାଙ୍କୁ ଦେଖିଛି ବନ୍ଧୁ ଭାବରେ। ସେ ଦାରିଦ୍ର‌୍ୟ ଭିତରେ ଜୀବନକୁ ଭଲ ପାଉଥିଲେ, ଅହରହ ଜୀବନ ସହ ସଂଗ୍ରାମ କରୁଥିଲେ। ସ୍ୱକୀୟ ମର୍ଯ୍ୟାଦା ସହ ବଞ୍ଚୁଥିଲେ, ଆଶା/ପାଇବା ଲାଳସାରେ ସାଲିସ କରୁନଥିଲେ। ତାଙ୍କ ପାଇଁ ସ୍ୱାଭିମାନ ଥିଲା ବଡ କଥା।

ତେଣୁ ମୁଁ କହେ, ମୋ ବାପା ନିଜେ ହିଁ ନିଜର ଷ୍ଟାଇଲ୍‌…

‘ସାହିତ୍ୟ ଚର୍ଚ୍ଚା’ର ଶ୍ରଦ୍ଧେୟ ସମ୍ପାଦକ ମହାଶୟ ସୁରେନ୍ଦ୍ର ମହାନ୍ତିଙ୍କ ଉପରେ କିଛି ଲେଖିବାକୁ କହିଥିଲେ। ମୁଁ ସାହିତ୍ୟିକ ନୁହେଁ, କେବଳ ପାଠିକା ଜଣେ। ସାହିତ୍ୟର କଥା ସରେ ନାହିଁ- ଫୁଲ ଗଛକୁ ମାଳୀ ନ ଜଗିବାରୁ ଗାଈ ଖାଏ ନାହିଁ- ମୋ କଥା ସରିଛି କି ନାହିଁ ଆପଣମାନେ ବିଚାର କରିବେ।

  • ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ମୁଦ୍ରିତ ସଂସ୍କରଣ, ଜାନୁଆରୀ ୨୦୨୨ ସଂଖ୍ୟାରେ ପ୍ରକାଶିତ ।

4 thoughts on “ପୁରୁଷୋତ୍ତମପୁରର ସୁରିଆ – ମୋ ଗେହ୍ଲା ବାପା

  1. ଲୋପା, Excellent ଅତି ସୁନ୍ଦର ବର୍ଣ୍ଣନା ମଉସାଙ୍କ ବିଷୟରେ। ବହୁତ ଭଲ ଲଗିଲା। କଇଁ।

  2. ଲୋପା ଅପା,ମୋ ଭଳି ଅକିଞ୍ଚନ ଜଣେ କାଳଜୟୀ ସାହିତ୍ୟିକଙ୍କ ବିଷୟରେ କଣ ବା ଲେଖି ପାରିବ ।
    “ମଣିଷ ଯାହାକୁ ଆତ୍ମାରେ ବିଶ୍ବାସ କରେ, ତା ସହ ପ୍ରବଞ୍ଚନା କରିବା ଉଚିତ୍ ନୁହେଁ ।” ପୁଣି” ସାହିତ୍ୟ ପାଇଁ ଅଭିଜ୍ଞତା ବା ଅନୁଭୂତି ଯଥେଷ୍ଟ ନୁହେଁ – ଚତୁର୍ଥ ପରିଧି ଉପଲବଧି ” । “କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷୁ ।”ଖୁବ୍ ଭଲ ଲାଗିଲା ଅପା, ମଉସାଙ୍କ ଲେଖା ।

  3. ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପର୍କରେ ଅଳ୍ପରେ ହେଲେ ସୁଦ୍ଧା ଏହା ଏକ ଚମତ୍କାର ବର୍ଣ୍ଣନା। ବୋଧହୁଏ ସୁରେନ୍ଦ୍ର ମହାନ୍ତି ହେଉଛନ୍ତି ଓଡ଼ିଆ ସାହିତ୍ୟ ଜଣେ ବ୍ୟତିକ୍ରମ। କାରଣ ତାଙ୍କ ଲେଖାର ଶୈଳୀ ନିଆରା। ବିଶେଷ କରି ସେ ରାଜନୀତିରେ ଓ ସାମ୍ବାଦିକତାରେ ବେଶ୍‌ ପ୍ରତିଷ୍ଠା ପାଇ ସୁଦ୍ଧା ତାଙ୍କ ରଚିତ ଅନେକ ରଚନା ପ୍ରବର୍ତ୍ତୀ ପିଢ଼ିର ସାହିତ୍ୟିକମାନଙ୍କ ସର୍ବଦା ଏକ ଉତ୍ସାହ ଓ ପ୍ରୋତ୍ସାହନ ଏବଂ ଆଧାର ମଧ୍ୟ। ତାଙ୍କ ଦ୍ୱାରା ରଚିତ ଅନେକ ଐତିହାସିକ ତଥ୍ୟ ସମ୍ବଳିତ ରଚନା ଆଜି ମଧ୍ୟ ବିରଳ। ମୋ ମତରେ ଓଡ଼ିଶା ସମ୍ପର୍କୀତ ଲିଖିତ ଇତିହାସଠାରୁ ତାଙ୍କ ରଚିତ ସାହିତ୍ୟ ରଚନା ବିଶେଷକତି ଇତିହାସ ସମ୍ପର୍କୀତ ବେଶ୍‌ ଉଚ୍ଚକୋଟୀର ଓ ତଥ୍ୟ ବିତ୍ତିକ ମଧ୍ୟ। ସେହିଭଳି ତାଙ୍କ ରଚିତ କ୍ଷୁଦ୍ର ଗଳ୍ପ ହେଉ ବା ସମ୍ପାଦକୀୟ , ସବୁକିଛି ଚିରକାଳ ପାଇଁ ଅମ୍ଳାନ ଏବଂ ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଗୋଟିଏ ସଂଗ୍ରଗଣୀୟ ସାମଗ୍ରୀ। ତାଙ୍କର ସମସ୍ତ ରଚନା ଡିଜିଟାଇଜ୍‌ କରାଯାଇପାରିଲେ ବହୁତ ଭଲ ହୁଅନ୍ତା ବୋଲି ମୋର ମତ। ଏ ଦିଗରେ ତାଙ୍କର ସନ୍ତାନମାନେ ପଦକ୍ଷେପ ନେବାକୁ ମୋର ଅନୁରୋଧ।

  4. Surendra Mohanty belongs to the Purusottampur whose boundary covers the entire literary world. For a lover of literature it may be difficult to see the Purusottampur that is SM’s literary creation. But one may humbly bow to the great genius as I do…

Leave a Reply

Your email address will not be published. Required fields are marked *