ସଂପାଦକୀୟଟିର ଏତାଦୃଶ ଶିରୋନାମା ଦେଖି କେହିକେହି ହୁଏତ ଭ୍ରୁକୁଞ୍ଚନ କରିପାରନ୍ତି। ସାହିତ୍ୟରେ ଧଳାମୁଣ୍ଡ ପୁଣି କ’ଣ ! ଆମେ ବି ପ୍ରଥମେ ଏହାକୁ ଏତେ ଗୁରୁତ୍ବ ଦେଇନଥିଲୁ, ଯେତେବେଳେ ଜଣେ ବରେଣ୍ୟ ପ୍ରକାଶକ ତଥା ସାହିତ୍ୟପ୍ରେମୀ ଆମ ସାମନାରେ ପ୍ରସଙ୍ଗଟି ଉଠାଇଲେ। “ଆମ ସାହିତ୍ଯକାରମାନଙ୍କ ମଧ୍ୟରେ ଥିବା ଏ କଳାମୁଣ୍ଡିଆମାନେ ହେଲେ ଛଳନାର ଅବତାର। ଯିଏ ବୃଦ୍ଧ ବୟସରେ ନିଜର କେଶର ଧଳା ରଙ୍ଗ ଲୁଚାଇବାକୁ ଯାଇ ମୁଣ୍ଡରେ କଳାରଙ୍ଗ ମାଖିହୁଅନ୍ତି ସେ ବା କିପରି ରଚିପାରିବେ ସତ୍ୟନିଷ୍ଠ ସାହିତ୍ୟ?” – ଏ ଥିଲା ତାଙ୍କର ଅଭିଯୋଗ। ଅବଶ୍ୟ ପ୍ରଶ୍ନଟି ପ୍ରଣିଧାନଯୋଗ୍ୟ ଥିଲା। ଯେଉଁ ରଚନାକାରଙ୍କ ପାଖରେ ନିଜ ମସ୍ତକଦେଶକୁ ମଣ୍ଡନ କରିଥିବା କେଶର ପ୍ରକୃତ ରଙ୍ଗଟି ସର୍ବସମକ୍ଷରେ ପ୍ରକଟିତ କରିବାର ସତସାହସ ନଥାଏ ତାଙ୍କର ରଚନାରେ ବି ସେହି କୃତ୍ରିମପଣିଆ ପ୍ରକଟିତ ହେବା ତ ନିହାତି ସ୍ବାଭାବିକ। କହିବା ବାହୁଲ୍ୟ, କୌଣସି ଅପରିଚିତ ଲେଖକ ସେହି ପ୍ରକାଶକ ଜଣଙ୍କ ସମକ୍ଷରେ ପ୍ରଥମଥର ପାଇଁ ଉଭା ହେଲେ ସେ ତାଙ୍କର ମୁହଁକୁ ନ ଚାହିଁ, ବରଂ ଦୃଷ୍ଟିପାତ କରୁଥିଲେ ତାଙ୍କ ମୁହଁର ଉପରି ଭାଗରେ ମସ୍ତକକୁ ମଣ୍ଡନ କରିଥିବା କେଶରାଜି ପ୍ରତି। ସେଥିରେ ଲେଖକ ମହାଶୟ କୃତ୍ରିମ ‘ଡାଏ’ର ପ୍ରଲେପନ କରିଛନ୍ତି କି ନାହିଁ ତାହାରି ଆଧାରରେ ହିଁ ସେ ନିରୂପଣ କରୁଥିଲେ ତାଙ୍କର ଲେଖକୀୟ ସଚ୍ଚୋଟତା।
ଲେଖକମାନଙ୍କ ସ୍ତର ନିର୍ଦ୍ଧାରଣର ଏଭଳି ନୂଆ ମାନକଟିଏ ପ୍ରତ୍ୟକ୍ଷ କରି ଆମେ ବି ଆମୋଦିତ ହେଲୁ। କିନ୍ତୁ ଏହା ଯେ ଆମ ସାହିତ୍ୟ ମହଲର ଏକ ଗୁରୁତର ଦିଗ, ଏହା ଅନୁଭବ ହେଲା ସେଦିନ ଯେବେ ଆମେ ଭୁବନେଶ୍ବରରେ ଏକ ଛୋଟ ସାହିତ୍ୟ ଆଲୋଚନା ସଭାଟିଏ ଚାଲୁଥିବା ସମୟରେ ହଲ୍ ର ସବାପଛରେ ଛିଡ଼ା ହୋଇ ସେଠାରେ ଉପସ୍ଥିତ ସଭାସଦ୍ ଗଣଙ୍କର ମୁଣ୍ଡର କେଶର ରଂଗକୁ ନିଘା କଲୁ। ଗଣନା ଅନ୍ତେ ଜାଣିଲୁ ଯେ ସେଠାରେ ବସିଥିବା ସର୍ବମୋଟ ୩୧ ଜଣ ସାହିତ୍ୟିକଙ୍କ ମଧ୍ୟରୁ ୨୧ ଜଣ ଥିଲେ ଧଳାମୁଣ୍ଡିଆ, ଅର୍ଥାତ୍ ଶୁଭ୍ର କେଶଧାରୀ। ଏହିସଂଖ୍ୟା ସହିତ ଆମେ ଆଉ କିଛି ଜଣଙ୍କୁ ମଧ୍ୟ ଯୋଡିଲୁ ଯେଉଁମାନେ ଆମର ଉପରୋକ୍ତ ପ୍ରକାଶକ ବନ୍ଧୁଙ୍କ ଭାଷାରେ, ମୁଣ୍ଡରେ କଳାରଙ୍ଗ ମାଖି ହୋଇ ସେଠାରେ ନିଜର ବାର୍ଦ୍ଧକ୍ୟ ଲୁଚାଇ ବସିଥିଲେ। ଯଦି ଏଭଳି ରଙ୍ଗମଖା ଲେଖକଙ୍କ ସଂଖ୍ୟାକୁ ମଧ୍ୟ ମିଶାଇ ଦିଆଯାଏ, ତେବେ ଆମେ ସୁନିଶ୍ଚିତ ହୋଇ କହିପାରିବା ଯେ ଆଜିକାଲି ସାହିତ୍ୟର ରଂଗମଂଚରେ ରଚନାମଗ୍ନ ଥିବା ଲେଖକ ବା ଲେଖିକାଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ପରିଣତ ବୟସ୍କ ଶ୍ରେଣୀର।
ଅବଶ୍ୟ ଆମର ମୁଖ୍ୟ ସମସ୍ୟା ନୁହେଁ, କେତେଜଣ ଲେଖକ ଛଳନାଶ୍ରୟୀ, ଅର୍ଥାତ ଯେଉଁମାନଙ୍କୁ ଆମ ବିଜ୍ଞ ପ୍ରକାଶକ ବନ୍ଧୁ ରଂଗମଖା ସାହିତ୍ଯିକ ବୋଲି କହନ୍ତି। କିନ୍ତୁ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟଟି ହେଲା ଆଜି ଲେଖନୀଚାଳନା କରୁଥିବା ସାରସ୍ବତ ସ୍ରଷ୍ଟାଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ ବୟୋଜ୍ୟେଷ୍ଠ ହିଁ କାହିଁକି? ଜୀବନର ଅପରାହ୍ନରେ ଉପନୀତ ସୀମିତ ବର୍ଗର ସାହିତ୍ୟିକ ହିଁ କେବଳ ଟାଣିନେଉଛନ୍ତି କି ଆଜି ସାହିତ୍ୟର ନନ୍ଦିଘୋଷ? ଯେଉଁ ସାରସ୍ବତ ସଂସାରରେ ନବୀନ ଓ ଯୁବବର୍ଗର ଉପସ୍ଥିତି ନାହିଁ ତାହାର ସ୍ଥାୟୀତ୍ବ ଅବା ଆଉ କେତେଦିନ? ଏକଥା ଭାବିଲେ ବିବ୍ରତ ହେବାକୁ ପଡେ।
ପ୍ରଶ୍ନ ହେଲା, କାଳର ଗଡ଼୍ଡାଳିକା ପ୍ରବାହରେ ଏ ଯାବତ ସମୃଦ୍ଧ ହୋଇଥିବା ଆମ ସାହିତ୍ୟର ମହାନ ପରଂପରାକୁ ଏଥର ଆଗକୁ ଗଡାଇ ନେବ କିଏ, ଯଦି ଆମେ ଆମର ଯୁବସ୍ରଷ୍ଟାମାନଙ୍କୁ ସାହିତ୍ୟର ମୁଖ୍ୟ ଧାରାକୁ ନ ଆଣିବା? ଏହା ଏବେ ଓଡ଼ିଆ ସାହିତ୍ୟର ମୁଖ୍ୟ ସଂକଟ।
ଅନେକ ଉତ୍ସାହୀ ନବୀନ ଓ ଯୁବସାହିତ୍ୟିକ ଯେ ଆଜି ଉଚ୍ଚମାନର ସାହିତ୍ୟ ସୃଷ୍ଟିରେ ବ୍ରତୀ ନାହାନ୍ତି ସେକଥା ନୁହେଁ। ବରଂ ଅନେକ ସ୍ଥଳେ ସେମାନଙ୍କ ଦ୍ବାରା ସୃଜିତ ସାହିତ୍ୟ ଏକ ନିଆରା ଉତ୍କର୍ଷର ସ୍ବାକ୍ଷର ବହନ କରେ। ଆବଶ୍ୟକତାଟି ହେଲା, ସେମାନଙ୍କୁ ସାହିତ୍ୟର ମୁଖ୍ୟ ଧାରାକୁ ଆଣି ଯଥୋଚିତ ସ୍ବୀକୃତି ଦେବା। ଅର୍ଥାତ୍ ଆମ ସାହିତ୍ୟର ମଙ୍ଗ ଧଳାମୁଣ୍ଡିଆଙ୍କଠାରୁ ଆଣି ପ୍ରକୃତ କଳାମୁଣ୍ଡିଆଙ୍କ ହାତରେ ନ୍ୟସ୍ତ କରିବା।
ନିହାର ଶତପଥୀ
We need to change the trend to remain relevant for the GenNext and to attract more engagement of young people in pursuit of Odia literature. While in my engagement with them always I try to do the reverse by taking the discussion from current topic *Bulli Bai App* to our traditional theme *Barnabodha*.