ହାପି ନିଉ ଇୟର

  • ଓଡିଆଙ୍କ ପର୍ବ ଭିତରେ ପଶିଗଲା ବିଶ୍ଵସ୍ତରୀୟ ପର୍ବ, ନିଉଇୟର ।
ଡାକ୍ତର ଅଭୟ ଦାଶ

ବହୁ ଦିନୁଁ ଗୋଟିଏ କଥା ମନରେ ଥିଲା। ଆଜି ନୂଆବର୍ଷଟାରେ କହିଦେବାକୁ ମଉକା ଆସିଛି। ଆମେ ତ ଗାଁ ବାଲା। ଆମ ଗାଁରେ ପୋଢୁଆଁ ଅଷ୍ଟମୀ, ମକରସଂକ୍ରାନ୍ତି, ପଣାସଂକ୍ରାନ୍ତି, ଗଣେଶ ପୂଜା, ସରସ୍ୱତୀ ପୂଜା, ଗହ୍ମାପୁର୍ଣମୀ, କୁମାର ପୁର୍ଣମୀ ଆଦି କେତେ ପର୍ବ ତ ପାଳିତ ହେବା ଦେଖିଛୁ। ଆମେ ଖୋଜି ହେଉ, କେବେ ଆସିବ ସେ ପର୍ବ ? ପିଠା, ଖେଚେଡି, ଖିରି ପ୍ୟାଣ୍ଟ ଜାମା ହଳେ ମିଳିବ? ସେ ଦିନ ଗଡି ଗଲା, ଆମେ ଆଗକୁ ବଢି ସହରରେ ପହଞ୍ଚିବା ସଙ୍ଗେ ସଙ୍ଗେ ଆମର ଆଖି ଫିଟିବାକୁ ଲାଗିଲା।
ବଜାରରେ ଦେଖିଲୁ ଗଦା ଗଦା କାର୍ଡ ସାଙ୍ଗକୁ ପୁଳାଏ ଲେଖାଁ ରାଖି, ଟଙ୍ଗାହୋଇଥାଏ କାଚ ଆଲମାରୀ ରେ। କେତେ ଡିଜାଇନର କାର୍ଡ, ବିଦେଶୀ କମ୍ପାନୀ ର ଦାମିକା କାର୍ଡ ରାଖି ସବୁ ଦେଖି ଆଖି ଖୋସି ହୋଇ ଯାଏ। କେବଳ ରାଖି ନୁହେଁ, ସବୁ ଜଣା ଶୁଣା ପର୍ବ ପାଇଁ କାର୍ଡ। ପର୍ବ ନାଆଁ ଆଗରୁ ହାପି ବୋଲି ଇଂଲିସ୍ ରେ ଲେଖା ହୋଇଗଲେ, ତାର ଭାଲ୍ୟୁ ବଢିଲା। ହାପି ରେ କଣ ପେଟ ପୁରେ? ପିଠା ଖଣ୍ଡେ ନାହିଁ କି ମିଠା ଟିଏ ନାହିଁ। ଖାଲି ଶୁଖିଲା ଭକ୍ତି। ସବୁ ପର୍ବ ପାଇଁ କଣ କାର୍ଡ ଅଛି? ଯେମିତି ଚିତଉ ଅମାବାସ୍ୟା, ଶାମ୍ବଦଶମୀ, ଅନନ୍ତ ବ୍ରତ, କବାଟଲେଖା ସଂକ୍ରାନ୍ତି ଯେଉଁ ସବୁରେ ପିଠା ମିଳେ, ସେଥିପାଇଁ କାର୍ଡ ନାହିଁ।

କାର୍ଡ ବଜାରରେ ପଶିଆସିଲା, ଭାଲେଣ୍ଟାଇନ୍ ଡେ, ନିଉ ଇୟର ଡେ , ରାଖି , ବିଜୟା ଦଶମୀ। ଏ ‘ଭାଲେଣ୍ଟାଇନ୍ ଡେ’ ଟା ବହୁତ ପରେ ଆସି , ମାଡିଗଲା ଯେ ଯେତକ ବୁଢା, ମାଷ୍ଟର , ପୁରୁଣା କାଳିଆ ମାଷ୍ଟର ସବୁ ଖାଲି ଟିଙ୍ଗି ଟିଙ୍ଗି ହେଲେ। ପୁଲିସ ଗୋଡେଇଲା , ନିଜକୁ ଚରିତ୍ରର କୋଷ୍ଟଗାର୍ଡ ଭାବି ସବୁ ଛକ, ଗୋଲଗପା, ଦହିବରା ଦୋକାନରେ ଜଗି ରହିଲେ। କିଏ ଗୋଟାଏ ପୁଅ ଝିଅ ଯଦି ସେ ଦୋକାନକୁ ଗଲେ ଖାଇବା ଆଶାରେ, ତାଙ୍କ ପଛରେ ପଡିଗଲେ। ପାର୍କ ରେ ପୁଅଝିଅ ଦିଟା ଯଦି ବସି ଗଲେ, ପାପ ଲାଗିଲା। ସେଥିପାଇଁ ଠେଙ୍ଗା ବାଡି ଧରି ପହଞ୍ଚିଗଲେ, ସ୍ୱୟଂଭୁ ରକ୍ଷକ ଦଳ। “ଚରିତ୍ର ଖରାପ ହୋଇଗଲା?” ଚରିତ୍ର କେମିତି ଖରାପ ହୁଏ ୟାଙ୍କୁ ଜଣା।
ଆଉ ଗୋଟାଏ ପର୍ବ ସହ ଆମର ପରିଚୟ ହେଲା, ରାଖି, ଯାହାକୁ ଆମ ଗାଁରେ କହୁଥିଲେ ଗହ୍ମାପୁର୍ଣମୀ। ସେଦିନକୁ ବଳଭଦ୍ରଙ୍କ ଜନ୍ମଦିନ ରୁପେ ପାଳନ କରୁଥିଲେ। ଗୋରୁଗାଈଙ୍କୁ ଗାଧେଇ, ସିଙ୍ଘ ଓ ଖୁରା ରେ ତେଲ ଲଗାଇ, ଫୁଲମାଳ ପିନ୍ଧାଇ ଭଲ ଖାଇବାକୁ ଦିଆଯାଏ, ପିଠା ଖାଇବାକୁ ଦିଆଯାଏ। ପୁରୋହିତ ନଡ଼ିଆ, ପଇତା ଦେଇ ଯଜମାନଙ୍କୁ ଆଶୀର୍ବାଦ କରନ୍ତି ଓ ଦକ୍ଷିଣା ଗ୍ରହଣ କରନ୍ତି। ହାତରେ ଗୋଟିଏ ନାଲି ସୁତା ବାନ୍ଧି ଦିଅନ୍ତି। ସେହି ପର୍ବର ସମାନ ରାଖିବନ୍ଧନ ରୁପେ ପାଳନ ହୁଏ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ। ଏ ପର୍ବ ବହୁତ ପ୍ରଚାରିତ ହୋଇପାରିଲା। ସେ ସମୟର ଗୋଟିଏ ସିନେମା ରାଖି ର ବହୁ ପ୍ରଦର୍ଶନ ଫଳରେ ସାରା ଦେଶରେ ରକ୍ଷାବନ୍ଧନ ବା ରାଖିବନ୍ଧନ ବହୁତ ଲୋକପ୍ରିୟ ହୋଇଗଲା। ଓଡିଆ ବି ରାଖି ବାନ୍ଧିବା ଆରମ୍ଭ କଲେ। ଯେତେ ନର୍ଥ ଇଣ୍ଡିଆନ ପର୍ବ ଓଡ଼ିଶା ମାଟିକୁ ମାଡି ଆସିଲା। ରାବଣ ପୋଡି, ଛଠପର୍ବ, କାୱର୍ଡ ଯାତ୍ରା, ବମ୍ ଭୋଲେ, କଡୁଆ ଚୌଥ୍ ଆଦି। ଯୁବା ବୟସରେ ଝିଅଟିର ସଙ୍ଗ ଲୋଡୁଥିବା ଯୁବକଟିକୁ ଉତ୍ସାହିତ କଲା ରାଖି। ଲେଡିଜ୍ ହଷ୍ଟେଲରେ ଲାଇନ୍ ଲାଗିଗଲା, ରାଖିବନ୍ଧନ ରୂପ ନେଲା ବିବାହ ବନ୍ଧନରେ। ପରବର୍ତ୍ତୀ ସମୟରେ ସେହିମାନେ ଓଡିଆ ସଂସ୍କୃତି ର ରକ୍ଷକ ରୁପେ ନିଜର ଅଧିକାର ଦାବି କଲେ। ଏହି ପର୍ବଟି ସରକାରୀ ସମର୍ଥନରେ ରାଷ୍ଟ୍ରୀୟ ମାନ୍ୟତା ପାଇପାରିଲା। ମହିଳାମାନଙ୍କୁ ଭାଇହାତରେ ରାଖି ବାନ୍ଧିବାକୁ ବସ୍ ରେ ଫ୍ରି ପାସ ମିଳିଲା। ଫ୍ଲେକ୍ସି ଟାଇମ ଛୁଟି ମିଳିଲା। ପର୍ବର କମର୍ସିଆଲ୍ ଭାଲ୍ୟୁ ବଢିଲା। ରାଖି ର ଓଜନ ବଢିଲା, ମୂଲ୍ୟ ବଢିଲା, ରିଟର୍ଣ ଗିଫ୍ଟ ର ମୂଲ୍ୟ ବଢ଼ିବାରେ ଲାଗିଲା। ଓଡିଆ ମାନେ ମଧ୍ୟ ଗ୍ରହଣ କରିନେଲେ।

ଓଡିଆଙ୍କ ପର୍ବ ଭିତରେ ପଶିଗଲା ବିଶ୍ଵସ୍ତରୀୟ ପର୍ବ ନିଉଇୟର। ଜାନୁଆରୀ ପହିଲା। ଚର୍ଚରେ ଘଣ୍ଟି ବାଜୁ କି ନାହିଁ, ହୋଟେଲରେ ବେଲ୍ ବାଜିଲା। ଅଧ ରାତିରେ ବାର ଖୋଲା ରହିଲା, ଡ୍ୟାନ୍ସ ଫ୍ଲୋରରେ ମ୍ୟୁଜିକ ସହ ଗହଳି ଜମିଲା। ସକାଳୁ ରାସ୍ତାରେ ଗଡି, ନଳାରେ ପଡି, ପଡି ଉଠି ପୁଲିସ ଗାଡିରେ ଟେକାହୋଇ ଆସିଲେ । କେତେକ ଚରିତ୍ରର ଜଗୁଆଳି ବୋଲାଉଥିବା ବ୍ୟକ୍ତି ଲେଖି ଦେଲେ ଏଇଟା କଣ ଓଡିଆ କଲଚର୍ ? ଏଇଟା କଣ ଓଡିଆ ନବବର୍ଷ ? ଆମର ପଣାସଂକ୍ରାନ୍ତି, ଆମର ସୁନିଆ, ଆମ ଗଜପତି ମହାରାଜାଙ୍କ ଅମୁକ ଅଙ୍କେ, ବିକ୍ରମି ସମ୍ବତ। ସେମାନେ ତ ସାରା ବିଶ୍ୱର ରଜା ଥିଲେ। ସେଥିପାଇଁ ସାରା ବିଶ୍ୱ ମାନୁଛି, ଏ ଦିନଟି, ନବବର୍ଷ ରୂପରେ। ଓଡିଆଙ୍କ ଜଗନ୍ନାଥ ମନ୍ଦିରରେ ଭୁବନେଶ୍ୱରିଆ ଙ୍କ ଭିଡ ଦେଖିଛ ଏ ଦିନ? ଜଗନ୍ନାଥଙ୍କୁ କି ସୁନ୍ଦର ବେଶରେ ସଜେଇ ଦେଉଛନ୍ତି। କି ଗହଳି ସମୁଦ୍ର କୂଳରେ! ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ନବବର୍ଷର ଶୁଭେଚ୍ଛା ଦେଉଛନ୍ତି ନା ନାହିଁ? ଆଜି ପରା ମାତା ବୈଷ୍ଣୋଦେବୀ ପୀଠରେ ନିଉଇୟର ଭିଡରେ ବାରଜଣ ମଲେ! ତୁମେ ସେମିତି ହୋ ହୋ ହେଉଥାଅ, କିଏ ପାଳୁଛି ସୁନିଆ, ବଉଳ ଉଆଁସ, କବାଟ ଲେଖା ସଂକ୍ରାନ୍ତି?
ଆମ ରିସର୍ଚ୍ଚ କହେ ଆପଣ ଯାହା କରନ୍ତୁ, ଜଣେ ଅଧେ ବିରୋଧ କରିବା ଅସମ୍ଭବ ନୁହେଁ। ହାପି ନିଉଇୟର କହି ଜଣେ ବନ୍ଧୁ ସମ୍ପର୍କୀୟଙ୍କୁ ମନେ ପକାଇବା କଣ ଦୋଷାବହ?
ଆମେ ଖୋଜି ଖୋଜି ସେଇମାନଙ୍କ ପାଖକୁ ଗଲୁ ଯେଉଁ ମାନେ ନିଉଇୟର ର ବିରୋଧୀ ରୂପେ ନିଜକୁ ପରିଚିତ କରାଉଥିଲେ। ଆଗ ତାଙ୍କୁ ‘ହାପି ନିଉଇୟର’ କହି ସମ୍ଵୋଧନ କରନ୍ତେ, କି ଖୁସି! ବୁଝିଲୁ, ତାଙ୍କ ଗୁଣରୁ କେହି ତାଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି। ଛଟପଟ ହେଉଥିଲେ, ମଣିଷ ତ? କିଏ ନଚାହେଁ ଟିକିଏ ସମବେଦନା, ସାନ୍ତ୍ୱନା, ଶୁଭେଚ୍ଛା, ସମ୍ବୋଧନ, ସମ୍ମାନ? ଆମେ ତାଙ୍କୁ ଗୋଟିଏ ଛୋଟ ନିଉଇୟର ପାର୍ଟିକୁ ନିମନ୍ତ୍ରଣ କଲୁ। ଆନନ୍ଦ ସହ ଯୋଗଦାନ କଲେ। ସ୍ମଲ ଡ୍ରିଙ୍କ ଅଫର୍ କରନ୍ତେ, ନାହିଁ ନାହିଁ କହି ସବୁ ପିଇଗଲେ। ସେ ଅବସ୍ଥାରେ ଓଡ଼ିଆ ସଂସ୍କୃତି ମନେ ପକାଇବା ଆମେ ଉଚିତ ମନେ କରି ନାହୁଁ। ସେଇଥିପାଇଁ ଆମେ କହୁ, ହାପି ନିଉ ଇୟର।

5 thoughts on “ହାପି ନିଉ ଇୟର

  1. Nicely worded short review on our festivities. Thanks Abhoy for reminding us of our roots. Hope you will enrich us with more outstanding work of yours in the foreseeable future. Stay safe and healthy. Happy new year 🙏🏽🌹

  2. ଅଭିଜ୍ଞତା ଭରା ଲେଖାଟି ଅତ୍ୟନ୍ତ ମର୍ମସ୍ପର୍ଶୀ। ନିଜକୁ ଅତ୍ୟନ୍ତ ଆଧୁନିକ ବୋଲି ଦେଖାଇବାକୁ ଅନ୍ୟ ପ୍ରାନ୍ତର ପର୍ବପର୍ବାଣୀକୁ ଅନ୍ଧଭାବରେ ଅନୁକରଣ କରିବା କେତେଦୁର ସମୀଚିନ? ଓଡ଼ିଶାର ନିଜସ୍ୱ ପର୍ବ ସବୁକୁ ଅନ୍ୟ ରାଜ୍ୟର ଲୋକ ମାନେ ପାଳନ କରୁଛନ୍ତି କି? ତେଣୁ ଅଭୟ ବାବୁଙ୍କ କ୍ଷୋଭ ଯଥାର୍ଥ। ଲେଖକଙ୍କ ଲେଖାର ଶୈଳୀ ସ୍ଵତନ୍ତ୍ର।

  3. Anukaranara bhayankar parinam prati sachetana nahoi aadhunikatara dvahi dei nijara nijatwa harai basilani. Prakruti hin ehara samadhana.

  4. Bhaina, ଆପଣଙ୍କ ଏ article ଟି ବହୁତ୍ ଭଲ ଲାଗିଲା। ଏସ before it is timely and written beautifully about happening in reality

  5. ଲେଖାଟି କେମିତି ଟିକେ ଆବୁରୁଜାବୁରୁ ଭଳି ଲାଗିଲା । ଲେଖକ କଣ କହିବାକୁ ଚାହୁଁଛନ୍ତି ଧରା ପଡ଼ୁଛି କି? ଅବଶ୍ୟ ଲଘୁ ଧର୍ମୀ ଲେଖାଟିଏ, ବିଶେଷ ତାତ୍ତ୍ଵିକତା ଆଶା କରିବା ନାହିଁ । । ଏଇ ଇଂରାଜି ନୁଆ ବର୍ଷ ପାଳିବାଟା ସେମିତି କିଛି ଦୋଷାବହ ମନେ ହୁଏନା। ଆମ ମହାନୁଭବତାରେ ଆମେ ତାକୁ ଗ୍ରହଣ କରିବା । ସତ, କିନ୍ତୁ କେତୋଟି ପ୍ରଶ୍ନ ଅବଶ୍ୟ ମନକୁ ଆସେ ୧) ଏଇ ଇଂରାଜି ନୂଆ ବର୍ଷ ପାଳିବାର ଗୋଟେ ପ୍ରକାର ଆରଣ୍ୟ ଉନ୍ମାଦନାର ରହସ୍ୟଟା କଣ ହେଇ ପାରେ ଯାହାର ଯାଦୁକରୀ ମାୟାରୁ ଓଡ଼ିଆ ଅସ୍ମିତାର ଶ୍ରେଷ୍ଠ ପ୍ରତୀକ କୁହାଯାଉଥିବା ଆମ ଜଗନ୍ନାଥ ମନ୍ଦିର ବି ମୁକ୍ତ ନୁହେଁ? ଜଗନ୍ନାଥ ମନ୍ଦିରରେ ଟମାଟୋ ଆଉ ପୋଟାଟୋ ପଶେନା କାରଣ ସେଗୁଡ଼ିକ ମ୍ଳେଚ୍ଛ ବିଦେଶୀ ଦ୍ରବ୍ୟ। ସହଜେ ତ ଗୋରା ଲୋକଙ୍କୁ ଶ୍ରୀମନ୍ଦିର ମନା କାରଣ, ସେମାନେ ଅଣହିନ୍ଦୁ ହେଇଥିବାର ସମ୍ଭାବନା ଅଧିକ। କିନ୍ତୁ ଗଣମାଧ୍ୟମରୁ ଯାହା ଜଣାପଡ଼େ ଶ୍ରୀମନ୍ଦିରକୁ କୁଆଡ଼େ ଇଂରାଜି ନୂଆ ବର୍ଷ କୁ ସ୍ଵାଗତ କରିବାକୁ ରାତି ଅଧରେ ସଜେଇ ରଖାଯାଏ। ଓଡ଼ିଆ ନବ ବର୍ଷଟା କେବେ?? ସେଦିନ ଶ୍ରୀମନ୍ଦିର କି ଆମ ଭିତରେ କିଛି ସଜବାଜ କି କିଛି ଉଚ୍ଛଳତା ଦେଖା ଯାଏ କି ? ଆମେ ଯଦି ଏହାଦ୍ଵାରା ବିଶ୍ଵମୈତ୍ରୀ କି ସାଂସ୍କୃତିକ ସମନ୍ଵୟର କଥା କହୁଥିବା ତେବେ ତ ବହୁତ ଭଲ କଥା । ବସୁଧୈବ କୁଟୁମ୍ବକମ ! କିନ୍ତୁ, କୋଉ ଅନ୍ୟ ଦେଶରେ, ଲୋକଙ୍କ ଦ୍ଵାରା କି ସେମାନଙ୍କ ଧାର୍ମିକ କି ସାଂସ୍କୃତିକ ପୀଠସ୍ଥଳୀମାନଙ୍କରେ ଓଡ଼ିଆ ନବ ବର୍ଷ କି ଓଡ଼ିଆ ଶିବରାତ୍ରି ପାଳନ କରାଯାଏ କି? ଆମ ଶ୍ରୀମନ୍ଦିରରେ ଖ୍ରୀଷ୍ଟଜନ୍ମ କାହିଁକି ପାଳନ କରାଯାଏନା। ଉଭୟ କୃଷ୍ଣ ଏବଂ ଖ୍ରୀଷ୍ଟ ତମୋନାଶନ ପାଇଁ ମଧ୍ୟରାତ୍ରିର ଅନ୍ଧକାର ଭିତରେ ଜନ୍ମ ନେଇ ଥିଲେ. ସେଦିନ ତ ମଧ୍ୟ ରାତ୍ରିର ଉତ୍ସବ ପାଳନ ଅଧିକ ଯୁକ୍ତି ଯୁକ୍ତ ହୁଅନ୍ତା। ଆଶା କରୁଛି ପ୍ରଶ୍ନ ଗୁଡ଼ାକ କିଛି ଅସ୍ଵସ୍ତିକର କି ଜଟିଳ ନୁହେଁ । ଏସବୁ ପଛରେ କାରସାଦିଟା କଣ ???

Leave a Reply

Your email address will not be published. Required fields are marked *