- “ଅନୁରାଗର ସମ୍ବେଦନଶୀଳ ପରୋପକାରୀ ଜୀବନ ଅପରାଧବୋଧର ଭୟଙ୍କର ପୀଡାରେ ଚିତ୍କାର କରୁଥିଲା । ” – ଶ୍ରୀ ନରେନ୍ଦ୍ର ମୋଦୀଙ୍କ କଲମରୁ ଏକ କ୍ଷୁଦ୍ର ଗଳ୍ପ ।
![](https://www.sahityacharcha.com/wp-content/uploads/2021/12/Narendra-Modi-4.jpg)
![](https://www.sahityacharcha.com/wp-content/uploads/2021/09/Bhabani-Shankar-Mishra-Biranch-4.jpg)
ବର୍ଷଟିଏ ବିତିଗଲା। ଗୋଟିଏ ଗୋଟିଏ ଦିନ, ଗୋଟିଏ ଗୋଟିଏ କ୍ଷଣ ସତେକି ଗଣି ଗଣି ବିତିଛି, ଏପରି କଠିନ ଓ କଷ୍ଟପ୍ରଦ ଲାଗୁଥିଲା।
ପାଠଶାଳାର ସେହି ଭବ୍ୟ ଗୃହ
ଖେଳ କୁଦର ସେହି ସାମଗ୍ରୀ
ଗଛ ଲତା ଆଉ ସବୁଜିମା ମଧ୍ୟ ଯେପରି କି ସେପରି
ସେହି ଡ୍ରେସ୍, ସେହି ପିଲା, ସେହି ଶିକ୍ଷକ
ସେହି ସବୁ ଶ୍ରେଣୀ ଆଉ ବହି ସବୁ….
ସେହି ପାଠ୍ୟକ୍ରମ ଆଉ ସେହି ଉପକ୍ରମ ହିଁ ସବୁକିଛି ଯେମିତିକୁ ସେମିତି ହିଁ ଥିଲା, ତଥାପି ସବୁକିଛି ନିରସ, ନିର୍ଜୀବ… ଯନ୍ତ୍ରବତ… ସତେ ଯେପରି ସ୍କୁଲର ଜୀବନ ହିଁ ନିଷ୍ପ୍ରାଣ ହୋଇ ଯାଇଥିଲା। ପରିବାରରୁ କୌଣସି ଆତ୍ମୀୟଙ୍କ ବିଦାୟୀ ହୋଇଯାଏ ତଥାପି କିଛି ସମୟ ପରେ ପରିବାରରେ ଶାନ୍ତି ଫେରିଆସେ, କିନ୍ତୁ ଏଠାରେ ତ ସତେଜ ଜୀବନ ହିଁ ସବୁଦିନ ପାଇଁ ସ୍ଥିର ହୋଇ ଯାଇଥିଲା।
ଆଜି ଅମରର ପୁଣ୍ୟ ତିଥି ଥିଲା, ଅମରର ପିତା-ମାତା ସ୍କୁଲ ଯାଇଥିଲେ। ଅମରର ସ୍ମୃତିରେ ସ୍କୁଲର ପିଲାଙ୍କ ପାଇଁ ମିଠାଇ ଆଣିଥିଲେ। ସ୍କୁଲର ସବୁ ପିଲା ଠିଆ ହୋଇଥିଲେ ଏବଂ ନିସ୍ତେଜ ଜଣା ପଡୁଥିଲେ। ଜଣା ପଡୁଥିଲେ ଯେପରି ସତେଜ ମୂର୍ତ୍ତିଗୁଡିକ ଠିଆ ହୋଇ ଅଛନ୍ତି। ଶୋକ ଏବଂ ଉଦାସର ଛାୟା ସମସ୍ତଙ୍କ ମୁଖମଣ୍ଡଳରେ ବାରି ହୋଇ ପଡୁଥିଲା। ମିଠାଇ ନେବା ପାଇଁ କୌଣସି ପିଲା ମଧ୍ୟ ହାତ ବଢ଼ାଇବା ପାଇଁ ପ୍ରସ୍ତୁତ ନ ଥିଲେ। ସମସ୍ତଙ୍କ ମୁଖରେ ଅପରାଧବୋଧ ଭାବଟି ଅସହ୍ୟ ବେଦନା ହୋଇ ଦେଖା ଦେଉଥିଲା। ଅମରର ମାତା-ପିତାଙ୍କ ଆଖିରେ ଆଖି ମିଶାଇବାକୁ ମଧ୍ୟ କେହି ରାଜି ନ ଥିଲେ।
ସତେକି ସୂର୍ଯ୍ୟର ପ୍ରଖର କିରଣ ମଧ୍ୟରେ ଅନ୍ଧକାର ଉଦିତ ହୋଇଆସିଛି। ଆଖି ଖୋଲାଥିଲା ତଥାପି କେହି ବର୍ତ୍ତମାନରେ ନ ଥିଲା। ସମସ୍ତଙ୍କ ଆଖି ବର୍ଷେ ପୂର୍ବର ଦୃଶ୍ୟକୁ ଦେଖୁଥିଲା ଯେତେବେଳେ ଅମର ‘ଅମର’ ହୋଇ ଯାଇଥିଲା। ପବନର ଗତି କିମ୍ବା ପତ୍ରମାନଙ୍କ ହଲିବା ଏଠାରେ ଉପସ୍ଥିତ ସମସ୍ତଙ୍କ ହୃଦୟକୁ ବ୍ୟଥିତ କରି ଦେଇଥିଲା। ବାତାବରଣଟି ଅବସାଦମୟ ହୋଇଯାଇଥିଲା।
ଚତୁର୍ଦ୍ଦିଗରେ ମୌନତାର ମେଘ ଘୋଟିଯାଇଥିଲା। ବିଜୁଳି ପରି ଗୋଟିଏ ଚିତ୍କାର ସମସ୍ତଙ୍କୁ ହଠାତ୍ ଚମକାଇ ଦେଇଥିଲା। ଜୋର ଜୋରରେ କାନ୍ଦିବାର ଏହି ସ୍ୱର ଆଜି ବର୍ଷକ ପରେ ବି ସମସ୍ତଙ୍କ କାନରେ ବାଜୁଥିଲା। ବର୍ଷେ ଧରି ଅଟକି ଥିବା ଏହି ସ୍ୱର ଆଜି ଅଶ୍ରୁ ସରୋବରରେ କଇଁ କଇଁ ହେଉଥିଲା। ବିଦ୍ୟାର୍ଥୀମାନଙ୍କୁ ଏହା ବୁଝିବା ଆଦୌ କଠିନ ନଥିଲା ଯେ ଏହି କଇଁ କଇଁ କାନ୍ଦ ସେମାନଙ୍କର ପ୍ରିୟ ଶିକ୍ଷକ ଅନୁରାଗ ସାରଙ୍କ ଥିଲା।
ବର୍ତ୍ତମାନ ଅମରର ପୁଣ୍ୟ ତିଥିଟା ସତେ ଯେ ଅନୁରାଗ ସାରଙ୍କ ଜନ୍ମତିଥି ହୋଇଗଲା। ଅନୁରାଗ ସାର୍ ସତେକି ସ୍କୁଲର ପ୍ରାଣ ଥିଲେ। ଉର୍ଜ୍ଜାବାନ ଅନୁରାଗ ସାର ଯେବେ ଠୁଁ ସ୍କୁଲକୁ ଆସିଲେ, ସେବେଠୁଁ ସ୍କୁଲର ବାତାବରଣ ପ୍ରଫୁଲ୍ଲିତ ହୋଇ ଯାଇଥିଲା। ସ୍କୁଲର କାନ୍ଥ ବାଡ, ଗଛ-ଲତା ଏପରିକି ସ୍କୁଲର ଘଣ୍ଟାଟି ମଧ୍ୟ ଅନୁରାଗ ସାରଙ୍କ ଉପସ୍ଥିତିରେ ଜୀବନ୍ତତା ଅନୁଭବ କରୁଥିଲା। ବିଦ୍ୟାର୍ଥୀଙ୍କ ବିକାଶର କଥା ହେଉ ଅବା ଅନ୍ୟ କିଛି କାମ କରିବା କଥା ହେଉ ଅନୁରାଗ ସାରଙ୍କ ବିଶିଷ୍ଟ ବ୍ୟକ୍ତିତ୍ୱ ସମଗ୍ର ରୂପରେ ଛାଇଯାଏ ଏବଂ ସେହି କାର୍ଯ୍ୟକ୍ରମ ଜୀବନ୍ତ ହୋଇଯାଏ।
![](https://www.sahityacharcha.com/wp-content/uploads/2021/12/Anuragara-Puranjanma-4.jpg)
ଅନୁରାଗ ସାର ବହୁତ ଉତ୍ସାହୀ ବ୍ୟକ୍ତି ଥିଲେ। ସ୍କୁଲ, ବିଦ୍ୟାର୍ଥୀ ହିଁ ସତେ କି ଯେପରି ତାଙ୍କ ପାଇଁ ସ୍ୱର୍ଗ ଥିଲା। କିଛି ବି ନୂଆ ଦେଖନ୍ତୁ ବା ଜାଣନ୍ତ, ତାଙ୍କର ଗମ୍ଭୀର ପ୍ରଚେଷ୍ଟା ହେଲା ଯେ ଏହି ସ୍କୁଲର ବିଦ୍ୟାର୍ଥୀମାନେ ଏସବୁରୁ କେମିତି ଉପକୃତ ହେବେ। ତାଙ୍କର ଉତ୍ସାହର ପ୍ରଶଂସା କରିବାକୁ ବିଦ୍ୟାର୍ଥୀମାନେ ଥକୁନଥିଲେ। ପିଲାମାନେ ଅଲମ୍ପିକ ଖେଳ ଦେଖନ୍ତୁ ତେଣୁ ସେ ନିଜ ଟଙ୍କାରେ ଟି.ଭି., ଭି.ସି.ଆର୍ କିଣି ଆଣିଥିଲେ। ଅଲମ୍ପିକ ସମୟର ସମସ୍ତ ଖେଳର ଭିଡିଓ କ୍ୟାସେଟ କରି ସ୍କୁଲର ସମୟ ପରେ ଯେଉଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥାଏ, ସେମାନଙ୍କୁ ପ୍ରତିଦିନ ଘଣ୍ଟାଏ ସେହି ଖେଳ ସବୁର ଦୃଶ୍ୟ ଦେଖାନ୍ତି। କେବେ ଇଟାଲିୟନ ପିଜା ଅବା ମେକ୍ସିକନ ଫୁଡ୍ ବିଷୟରେ ପଢ଼ିବା ମାତ୍ରକେ ତୁରନ୍ତ ନିଜ ପାଖରେ ଥିବା ସମସ୍ତ ସାମଗ୍ରୀ ଆଣି ପିଲାଙ୍କ ଦ୍ୱାରା ପିଜା ବା ମେକ୍ସିକନ ଫୁଡ୍ ତିଆରି କରାଯାଇ ସମସ୍ତେ ଖୁସିରେ ଖାଆନ୍ତି। କୌଣସି ନୂଆ ପୁସ୍ତକ ପଢ଼ିଲେ ତା ବିଷୟରେ ପିଲାଙ୍କୁ ନ କହି ରହନ୍ତି ନାହିଁ। ଆମ ପାଖକୁ ଯଦି ସର୍କସ ଆସେ ଆଉ ଅନୁରାଗ ସାର ପୂରା ସ୍କୁଲକୁ ତାହା ଦେଖାଇବା ପାଇଁ ସେଠାକୁ ଯେ ନ ନିଅନ୍ତି, ଏପରି କେବେ ହୋଇନି। ଅନୁରାଗ ସାର ସତେକି ଧୂମ୍ ମଚାଉଥିବା ଉର୍ଜାର ଗୋଟିଏ ଜୀବନ୍ତ ପ୍ରୟୋଗଶାଳା ଅଟନ୍ତି।
କିଛି ନା କିଛି ନୂଆ କରିବାର ଉତ୍ସାହ, ସଦାବେଳେ ଛାତ୍ରମାନଙ୍କ ପାଇଁ ନୂଆ କିଛି ସନ୍ଧାନ କରିବା ତାଙ୍କର ପ୍ରକୃତି ଥିଲା। ଗୋଟିଏ ଭୟାନକ ଦୁର୍ଘଟଣା ସତେକି ଅନୁରାଗ ସାରଙ୍କ ଜୀବନକୁ ହିଁ ଛଡାଇ ନେଇଥିଲା। ଅନୁରାଗ ସାର୍ଙ୍କ ଚୁମ୍ବକୀୟ ବ୍ୟକ୍ତିତ୍ୱ କୋଣରେ ପଡି ରହିଥିବା କଳଙ୍କି ଲାଗିଥିବା ଲୁହା ଖଣ୍ଡ ପରି ହୋଇ ଯାଇଥିଲା। ଅନୁରାଗର ପାଦ ଶକ୍ତି ଶୂନ୍ୟ ହୋଇ ଯାଇଥିଲା, ଶବ୍ଦଗୁଡିକ ସତେକି ସମାଧୀ ନେଇ ଯାଇଥିଲେ, ଆଖି ଉପରକୁ ଉଠିବା ଅସମ୍ଭବ ହୋଇ ଯାଇଥିଲା। ଗୋଟିଏ ବର୍ଷରେ ତାଙ୍କର ଶରୀରଟି ହାଡ ପଞ୍ଜରା ହୋଇ ଯାଇଥିଲା।
ଅନୁରାଗର ସତତ୍ ସକ୍ରିୟ, ସମ୍ବେଦନଶୀଳ ପରୋପକାରୀ ଜୀବନ ଅପରାଧ ବୋଧର ଭୟଙ୍କର ପୀଡାରେ ଚିତ୍କାର କରୁଥିଲା। ଯେତେବେଳେ ଏକ ସମ୍ବେଦନଶୀଳ ଜୀବନ ସମ୍ବେଦନାରେ ହିଁ ବିଲୀନ ହୋଇଯାଏ ସେତେବେଳେ ସମ୍ବେଦନଶୀଳତାର ତୀବ୍ରତା ଅନୁଭବ ହୁଏ।
ଅନୁରାଗର ଉତ୍ସାହ ଏବଂ ସକ୍ରିୟତା ହିଁ ତାହାର ଜୀବନକୁ ଉଜାଡି ଦେଇଥିଲା। ଅନୁରାଗର ଚିତ୍କାର ଏବଂ କରୁଣ କ୍ରନ୍ଦନ ସମସ୍ତଙ୍କୁ ବର୍ଷେ ପୁରୁଣା ଦୁର୍ଘଟଣାର ସ୍ମରଣ କରାଇ ଦେଲା।
![](https://www.sahityacharcha.com/wp-content/uploads/2021/12/Anuragara-Punarjanma-1004.jpg)
ବର୍ଷେ ତଳେ ଗାଁକୁ କୁକୁରମାନଙ୍କ ଦ୍ୱାରା ବିବିଧ କୌଶଳ ଦେଖାଇଥିବା ଯାଦୁଗର ଆସିଥିଲା। ଗଳି-କନ୍ଦିରେ କୁକୁରଙ୍କ ଦ୍ୱାରା ବିସ୍ମୟକାରୀ କୌଶଳ ସବୁ ଦେଖାଇ ସେ ରୋଜଗାର କରୁଥିଲା। ତାର କଳାକୌଶଳ ସ୍କୁଲରେ ଦେଖାଇବା ପାଇଁ ଅନୁରାଗର ଇଚ୍ଛା ହେଲା। ସେ ଯାଦୁଗର ଏବଂ କୁକୁରକୁ ନିଜ ସ୍କୁଲ ପିଲାଙ୍କ ଆଗରେ ସେମାନଙ୍କ କୌଶଳ ଦେଖାଇବା ପାଇଁ ଆଣିଥିଲେ। ଯାଦୁଗର ଦ୍ୱାରା କରାଯାଉଥିବା ସମସ୍ତ କୌଶଳ କୁକୁରଟି କରୁଥିଲା। ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ଏବଂ ଶହେ ଟଙ୍କିଆ ନୋଟକୁ ଚିହ୍ନି ସେ ଖୋଜି ଆଣି ଆସୁଥିଲା। ସେ କୁକୁର ଦ୍ୱାରା ଏପରି ବିଦ୍ୟାର୍ଥୀକୁ ଖୋଜି ବାହାର କରି ଦେଉଥିଲା ଯାହାର ପକେଟରେ ନାଲି, ସବୁଜ ଅଥବା ହଳଦିଆ ରଙ୍ଗର ରୁମାଲ ଥିଲା। କୁକୁରଟି ଏତେ ଅଧିକ ପ୍ରଶିକ୍ଷିତ ଥିଲା ଯେ ପିଲାମାନେ ଏବଂ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇ ପଡିଲେ। ଏତିକି ବେେଳେ ବାଜିଗର ଜଣକ କୁକୁରଟିକୁ କହିଲା, ଯେଉଁ ପିଲା ଘରେ ଚୋରି କରୁଛି, ତାକୁ ଧରେ। କୁକୁରଟି ଗୋଟିଏ ଦୁଇଟି ଘେରା ମାରି ଅଚାନକ ଅମର ପାଖରେ ପହଂଚି ଠିଆ ହୋଇଗଲା। କୁକୁରଟି ଅମରକୁ ଚୋର ପ୍ରମାଣପତ୍ର ଦେଇଦେଲା। ବିଦ୍ୟାର୍ଥୀମାନେ ତାଳି ମାରିଲେ। ଖେଳ ସରିବା ସରିବା ପରେ ସଭିଏଁ ନିଜ ନିଜ ଶ୍ରେଣୀକୁ ଚାଲିଗଲେ। ସମସ୍ତେ କୁକୁରର କୌଶଳ ପ୍ରଦର୍ଶନରେ ମୁଗ୍ଧ ହୋଇଯାଇଥିଲେ। କିନ୍ତୁ ଅମରର ହୋସ ହବାସ୍ ଉଡି ଯାଇଥିଲା। ପିଲାମାନଙ୍କ ଆନନ୍ଦ ଠାରୁ ଦୂରେଇ ଯାଇଥିଲା। ଭୋଜନାବକାଶ ସମୟରେ ପିଲାମାନେ ବାହାରକୁ ବାହାରିବା ମାତ୍ରେ ‘ଅମର ଚୋର’ କହି ଚିଡେଇବାକୁ ଲାଗିଲେ। ସ୍କୁଲ ଛୁଟି ହେବା ମାତ୍ରେ ଚାରିଆଡେ ଅମର ଚୋର, ଅମର ଚୋର ବୋଲି ହିଁ ଶୁଣା ଯାଉଥିଲା। କୋମଳ ପ୍ରାଣ ଓ ଅମରର କୋମଳ ମନ କିନ୍ତୁ ଏହା ସହିବାକୁ ଅକ୍ଷମ ଥିଲା। ଘରେ ପହଂଚି ସେ ରାତି ସାରା ଶୋଇ ମଧ୍ୟ ପାରିନଥିଲା। ସାରା ରାତି ତା କାନରେ ଅନୁରଣିତ ହେଉଥିଲା ଅମର ଚୋର, ଅମର ଚୋର। ନିର୍ଦ୍ଦୋଷ ଅମର ପାଇଁ ବଞ୍ôଚବା ଅସହ୍ୟ ହୋଇପଡିଲା। ସକାଳୁ ଉଠି ବହି ମୁଣି ନେଇ ମାଆ ବାପାଙ୍କ ପାଦ ଛୁଇଁ ସେ ସ୍କୁଲ ଯିବାକୁ ବାହାରି ପଡିଲା। ଅସହ୍ୟ ଆଘାତରୁ ସେ ମୁକୁଳି ପାରି ନ ଥିଲା। ସ୍କୁଲ ନିକଟସ୍ଥ ରେଲୱେ ଫାଟକ ପାଖରେ ଯାଇ ପହଞ୍ôଚ ଥିଲା। ଗତକାଲି ସେ କୁକୁରଠାରୁ ପ୍ରମାଣପତ୍ର ନେଇଥିଲା, ଆଜି ସେ ରେଳ ଇଞ୍ଜନରୁ ସତ୍ୟତାର ପ୍ରମାଣପତ୍ର ନେବା ପାଇଁ ପ୍ରତୀକ୍ଷା କରୁଥିଲା।
ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରେନର ଶବ୍ଦ ଶୁଣା ପଡିଲା। ବାଳକ ଅମର ସତେକି ଅଭୟ ହୋଇଗଲା। ଟ୍ରେନ୍ଟି ପାଖକୁ ଆସିବା ମାତ୍ରକେ ବହି ବସ୍ତାନି ରଖିଦେଇ ତା ଆଗକୁ ସେ ଡେଇଁ ପଡିଲା। କ୍ଷଣିକେ ଅମରର ଶରୀରଟି ଖଣ୍ଡ-ବିଖଣ୍ଡିତ ହୋଇ ବିଛେଇ ପଡିଲା। ଅମର ‘ଅମର’ ହୋଇଗଲା। ତାର ମୃତ୍ୟୁ ହୋଇଗଲା। କିନ୍ତୁ ତାର ଆଘାତର ପ୍ରଭାବ ଅନୁରାଗ ସାରଙ୍କ ଜୀବନ ଉପରେ ପଡିଲା। ସେ ନିଜକୁ କେବେହେଲେ କ୍ଷମା କରି ପାରି ନ ଥିଲେ। କୁକୁରର କୌଶଳ ଅମରର ମୃତ୍ୟୁର କାରଣ ହେଲା। ସେ ହିଁ ଅମରର ହତ୍ୟାକାରୀ ଅଟେ। ଏହି ଅପରାଧବୋଧଟି ସମ୍ବେଦନଶୀଳ ଅନୁରାଗଙ୍କ ଜୀବନରେ ପଶ୍ଚାତାପର ନିଆଁ ଲଗାଇଦେଲା। ସେ ଭିତରୁ ମରି ସାରିଥିଲେ। ଶୂନ୍ୟ ମନସ୍କ ଅନୁରାଗ ଆଜି ପ୍ରଥମ କରି କଇଁ କଇଁ ହୋଇ କାନ୍ଦିଥିଲେ। ସ୍କୁଲର ପିଲାମାନେ ମଧ୍ୟ ଅମରକୁ ଚୋର କହିବାର ଅପରାଧବୋଧ ନେଇ ଦୁଃଖି ଥିଲେ। ଅନୁରାଗ ସାର୍ଙ୍କ କାନ୍ଦିବା ଦେଖି ଶହ ଶହ ବାଳକ ଜୋର ଜୋରରେ କାନ୍ଦିବାକୁ ଲାଗିଲେ।
ଅମରର ମାତା-ପିତା ଅନୁରାଗକୁ ବହୁତ ସାନ୍ତ୍ୱନା ଦେଲେ। ପିଲାମାନେ ମଧ୍ୟ ତାଙ୍କୁ ସହଜ ଅବସ୍ଥାକୁ ଆଣିବା ପାଇଁ ବହୁତ ଚେଷ୍ଟା କଲେ। ଅମରର ପ୍ରଥମ ପୁଣ୍ୟତିଥିରେ ଚାରିଆଡୁ ଅଶ୍ରୁଳ ଅଂଜଳି ଦିଆଯାଇଥିଲା। ସାହସ ବାନ୍ଧି ଅମରର ପଦେ ବାକ୍ୟ କହିଲେ- “ଅମର ସତରେ ‘ଅମର’।”
ଅମରର ମାତା-ପିତା ତାକୁ ତ ବଞ୍ଚାଇ ପାରି ନ ଥିଲେ, କିନ୍ତୁ ସେମାନେ ଅମର ନିମନ୍ତେ ପ୍ରତିକ୍ଷଣ ମରୁଥିବା ଅନୁରାଗ ସାର୍ଙ୍କୁ ବଞ୍ଚାଇବାର ସଂକଳ୍ପ କଲେ। ଅନୁରାଗର ଆଜିର ଚିତ୍କାର …. ସତେ କି ତା’ ଭିତରେ ଥିବା ଜୀଜିବିଷାକୁ ଦର୍ଶାଉଥିଲା। ପୁଣ୍ୟତିଥିରେ ଅମରର ମାତା-ପିତାଙ୍କ ସାନ୍ତ୍ୱନାର ଭାଷା ଆଉ ସମ୍ବେଦନଶୀଳତାର ସ୍ୱର୍ଗ ଦ୍ୱାରା ଆଜି ଅନୁରାଗର ପୁନର୍ଜନ୍ମର ଆଶା ଉଦ୍ରେକ ହୋଇଥିଲା।
- ‘ସାହିତ୍ୟ ଚର୍ଚ୍ଚା ‘ ପତ୍ରିକାର ମୁଦ୍ରିତ ସଂସ୍କରଣ, ଡିସେମ୍ବର ୨୦୨୧ ସଂଖ୍ୟାରେ ପ୍ରକାଶିତ ।
Beautiful story, lovely perception… enriched with philosophy and emotion…👌👌
Excellent thought and story.
ଚମତ୍କାର ଉପସ୍ଥାପନ। ଧନ୍ୟବାଦ୍।