ବରେଣ୍ୟ ସାହିତ୍ୟିକ ସାତକଡ଼ି ହୋତାଙ୍କ ସହ ଆଳାପ ଆଲୋଚନା

  • ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ଲେଖା ଅନେକ କମିଯାଇଛି । ଗବେଷଣାର ମଧ୍ୟ ଅଭାବ। ମନେ ହେଉଛି ଆଗାମୀ ଦିନର ସାହିତ୍ୟ ପାଇଁ ଆମେ ପ୍ରସ୍ତୁତ ନୋହୁଁ ।

ଡ଼. ସାତକଡି ହୋତା ଓଡ଼ିଶାର ସାହିତ୍ୟ ଏବଂ ସାମାଜିକ ଜଗତରେ ଜଣେ ବର୍ଷୀୟାନ ତଥା ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଭାବରେ ସୁପରିଚିତ । ଭାରତୀୟ ରେଳବାଇ ସର୍ଭିସ୍‌ରେ ଯୋଗ ଦେଇ ସେ ଖୋର୍ଦ୍ଧା ରୋଡ ଡିଭିଜନର ଡିଭିଜନାଲ ସୁପରିଣ୍ଟେଣ୍ଡେଣ୍ଟ୍‌, ପାରାଦ୍ୱୀପ ବନ୍ଦର ବୋର୍ଡ଼ର ଟ୍ରଷ୍ଟି, ଓଡିଶା ସରକାରଙ୍କ ସମନ୍ୱୟ କମିଶନର ତଥା ପରିବହନ ବିଭାଗର ସ୍ପେଶାଲ ସେକ୍ରେଟାରୀ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସେବା ପ୍ରଦାନ କରିବା ପରେ ୧୯୮୭ ମସିହାରେ ରେଳବାଇର ଜେନେରାଲ ମ୍ୟାନେଜର ପଦରୁ ଅବସର ଗ୍ରହଣ କରିଥିଲେ । ଓଡ଼ିଆ ଭାଷାର ଜଣେ ଅଗ୍ରଣୀ ସ୍ରଷ୍ଟା ତଥା ସାହିତ୍ୟ ସଂଗଠକ ଭାବରେ ସେ ଅଧିକ ପରିଚିତ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ତଥା ସାରଳା ପୁରସ୍କାରରେ ସମ୍ମାନିତ ଡ଼. ହୋତାଙ୍କୁ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡି.ଲିଟ୍‌. ଉପାଧିରେ ଭୂଷିତ କରାଯାଇଛି । ବର୍ତ୍ତମାନ ୯୩ ବର୍ଷ ବୟସରେ ମଧ୍ୟ ପ୍ରତିଷ୍ଠିତ ଓଡ଼ିଆ ସମ୍ବାଦପତ୍ର ‘ସମୟ’ର ସଂପାଦକ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ଲବ୍ଧପ୍ରତିଷ୍ଠ ଗାଳ୍ପିକ ତଥା ଔପନ୍ୟାସିକ। କିନ୍ତୁ ଆପଣଙ୍କ ପ୍ରଥମ ପ୍ରକାଶିତ ରଚନା କୌଣସି ଗଳ୍ପ ବା ଉପନ୍ୟାସ ନୁହେଁ, ବରଂ ଏକ କବିତା ଯାହା ଆପଣ ମାତ୍ର ୧୩ ବର୍ଷ ବୟସରେ ଲେଖିଥିଲେ। ଏ ସଂପର୍କରେ କିଛି କହିବେ !
ସାତକଡି ହୋତା: କଥା ସାହିତ୍ୟ ଅବଶ୍ୟ ପରେ ଆସିଲା। ମୁଁ ପିଲାଦିନେ ମଉସାଙ୍କ ଘରେ ରହି ପାଠ ପଢୁଥିଲି। ଅଷ୍ଟମ ଶ୍ରେଣୀର କଥା। ଏକ ବାହାଘର ଉପଲକ୍ଷେ କବିତାଟିଏ ଲେଖି ମଉସାଙ୍କୁ ଦେଖାଇଥିଲି। ଏହା ପ୍ରଶଂସିତ ହେଲା।
ସାହିତ୍ୟ ଚର୍ଚ୍ଚା: ଏହି କବିତାଟି ପରେ ଆପଣ ଆଉ କିଛି କବିତା ମଧ୍ୟ ଲେଖିଥିଲେ କି?
ସାତକଡି ହୋତା: ହଁ, ତା’ପରେ ବହୁତ କବିତା ଲେଖିଛି। ସେତେବେଳେ କଥା ସାହିତ୍ୟ ବା ପ୍ରବନ୍ଧ ଲେଖିବାର ବୟସ ମୋର ହୋଇନଥିଲା। କବିତା ମୋର ପ୍ରଥମ ଲେଖା ଏବଂ ଶେଷକୁ ଗୋଟିଏ କବିତା ହିଁ ଦିନେ ହୁଏତ ମୋର ଶେଷ ଲେଖା ହୋଇ ରହିଯାଇପାରେ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆପଣଙ୍କ ରଚନା ସମଗ୍ରର ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମନେହୁଏ ଯେ ଆପଣ କଥା ସାହିତ୍ୟରେ ନିଜକୁ ଅଧିକ ସହଜ ମନେ କରନ୍ତି।
ସାତକଡି ହୋତା: ଠିକ୍ କହିଛନ୍ତି । କଥା ସାହିତ୍ୟ ଯେଉଁ କୋଣରୁ ବିଷୟଟିଏକୁ ନେଇ ବିଚାର କରିପାରିବ, କବିତା ତାହା ପାରିବ ନାହିଁ। କବିତା ହେଉଛି ଅଧିକ ଇମୋଶନାଲ୍।
ସାହିତ୍ୟ ଚର୍ଚ୍ଚା: ତାହାର ଫର୍ମାଟ୍ ମଧ୍ୟ ଅଲଗା !
ସାତକଡି ହୋତା: ହଁ, କବିତାର ଫର୍ମାଟ୍ ଅଲଗା। ଆହୁରି ଗୋଟିଏ କଥା ହେଲା, ମନେକରନ୍ତୁ ଜଣେ ସମାଜରେ ନ୍ୟାୟ ପାଉନାହିଁ। ଯଦି ଆମେ ନିଜ ଲେଖା ଜରିଆରେ ସେଥିରେ ପରିବର୍ତ୍ତନ ଆଣିବାପାଇଁ ଚାହିଁବା ତେବେ ଏଥିପାଇଁ କବିତା ଅପେକ୍ଷା କଥାସାହିତ୍ୟ ହିଁ ଅଧିକ ଉପଯୁକ୍ତ ମନେହେବ।
ସାହିତ୍ୟ ଚର୍ଚ୍ଚା: ଆପଣ ଠାଏ ଲେଖିଛନ୍ତି,”ଭଲ ଗପଟିଏ ଆଗକୁ ଆଗକୁ ଚାଲେ, କଥା କୁହେ।” ଆଜିକାଲି ଯେ ଗଳ୍ପ-ବିହୀନ ଗଳ୍ପ ଲେଖାଯାଉଛି ସେ ବିଷୟରେ ଆପଣଙ୍କ ମତ କ’ଣ?
ସାତକଡି ହୋତା: ଗଳ୍ପ ଲେଖାଯିବାର ଗୋଟିଏ ଉଦ୍ଦେଶ୍ୟ ରହିବା ଦରକାର। ଗଳ୍ପଟି ତ ନିଜ ପାଇଁ ନୁହେଁ, ବରଂ ପାଠକଙ୍କ ପାଇଁ। ଗୋଟିଏ ସମସ୍ୟା, ଭାବନା ବା ଚେତନାକୁ ନେଇ ଲେଖାଯାଏ ଗଳ୍ପ। ସେଥିରେ ହିଁ ନିହିତ ତା’ର ସଫଳତା।
ସାହିତ୍ୟ ଚର୍ଚ୍ଚା: ତେବେ ଆଜିକାଲି କେତେକ ଗଳ୍ପ ଏକ ଗଦ୍ୟ କବିତା ଭଳି ହୋଇଯାଉଛି। ଏହାର ଆରମ୍ଭ ଇମୋଶନ୍‌ରେ ଏବଂ ଶେଷ ମଧ୍ୟ ସେଇ ଇମୋଶନ୍‌ରେ। ସେଥିରେ କଥାବସ୍ତୁ ମିଳୁନାହିଁ।
ସାତକଡି ହୋତା: କଥାବସ୍ତୁ ନ ଥିଲେ ତ ଗଳ୍ପର ମୂଲ୍ୟ ସରିଗଲା।
ସାହିତ୍ୟ ଚର୍ଚ୍ଚା: ଏଥର ଆସିବା ଭିନ୍ନ ପ୍ରସଙ୍ଗକୁ। ଆପଣ ଆତ୍ମଜୀବନୀମୂଳକ ଗ୍ରନ୍ଥ ‘ମୋ ସମୟ’ ଲେଖିଥିଲେ ୧୯୯୮ ମସିହାରେ। ଏହାର ପରବର୍ତ୍ତୀ ସମୟର ଘଟଣାବଳୀକୁ ଲିପିବଦ୍ଧ କରିବାପାଇଁ କିଛି ଯୋଜନା ଅଛି କି?
ସାତକଡି ହୋତା: ତା’ ପରେ ଅବଶ୍ୟ ‘ଦୀର୍ଘ ରୋମାଂଚକର ଯାତ୍ରା’ ନାମରେ ବହିଟିଏ ମଧ୍ୟ ଲେଖିଛି। ସେଥିରେ ମୋର କଥା ଅଛି, ସମସ୍ୟା ବି ଅଛି ଏବଂ ଓଡିଶା କାହିଁକି ବଡ଼ ହୋଇପାରୁନାହିଁ ସେ ବିଷୟରେ ମଧ୍ୟ ଆଲୋଚନା କରିଛି।

ସାହିତ୍ୟ ଚର୍ଚ୍ଚା: ସେଇଟି ମଧ୍ୟ ବହୁ ବର୍ଷ ତଳର ଲେଖା!
ସାତକଡି ହୋତା: ହଁ ପ୍ରାୟ ଷୋହଳ ବର୍ଷ ତଳର।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଆଦ୍ୟଜୀବନ ବିତିଛି ମୟୁରଭଂଜ ଜିଲ୍ଲାରେ। ପରବର୍ତ୍ତୀ ସମୟରେ ଚାକିରି ଜୀବନର ଗୋଟିଏ ଅଂଶ ମଧ୍ୟ ବିତାଇଛନ୍ତି ପ୍ରତିବେଶୀ ସିଂହଭୂମି ଜିଲ୍ଲାରେ। ବିଚ୍ଛିନ୍ନାଞ୍ଚଳରେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପ୍ରତି ଆପଣ ତ ଥିଲେ ବେଶ୍ ସଚେତନ। ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ପ୍ରତି ଅବହେଳା ସଂପର୍କରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଆପଣଙ୍କ ଦୃଷ୍ଟିକୁ ଆସିଛି କି?
ସାତକଡି ହୋତା: ସେ ଅଂଚଳ ତ ଏବେ ଆଉ ଓଡିଶାକୁ ଆସିପାରିବ ନାହିଁ। କିନ୍ତୁ ସମ୍ବିଧାନରେ ଅଛି, ଯେଉଁମାନେ ସେଠାରେ ରହିଯାଇଛନ୍ତି ସେମାନଙ୍କ ପାଇଁ ଉପଯୁକ୍ତ ପ୍ରଭିଜନ୍ ରହିବା ଉଚିତ। ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବିଷୟରେ ବିଶେଷତଃ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ଜରିଆରେ ବିହିତ ପଦକ୍ଷେପ ନେବା କଥା। ଓଡ଼ିଶାର ଧର୍ମେନ୍ଦ୍ର ବାବୁ ଓ ଅଶ୍ୱନୀ ବାବୁଙ୍କ ଭଳି ଦକ୍ଷ ମନ୍ତ୍ରୀମାନେ ଏବେ କେନ୍ଦ୍ରରେ ଅଛନ୍ତି। ମୋ ମତରେ ସେମାନେ ଏଥିରେ ବିଶେଷ ଭୂମିକା ନେଇପାରିବେ।
ସାହିତ୍ୟ ଚର୍ଚ୍ଚା: ଆପଣ ତ ମୂଳତଃ ଜଣେ ସାହିତ୍ୟିକ। ଜଣେ ସାହିତ୍ୟିକ ଯେତେବେଳେ ଏକ ସମ୍ବାଦପତ୍ରର ସଂପାଦକ ଭୂମିକାରେ ଅବତୀର୍ଣ୍ଣ ହୁଏ ସେତେବେଳେ ନିଜର ସାହିତ୍ୟିକ ସୃଜନଶୀଳତା ତା’କୁ କିଭଳି ସାହାଯ୍ୟ କରିଥାଏ?
ସାତକଡି ହୋତା: ସାହାଯ୍ୟ ତ କରିଥାଏ, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ମଧ୍ୟ ପ୍ରେରିତ କରିଥାଏ। ସାହିତ୍ୟିକଟିଏ ନ ହୋଇଥିଲେ ଜଣେ ଭଲ ସଂପାଦକ ହୋଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ଜଣେ ସଂବାଦପତ୍ର ସଂପାଦକ ହିସାବରେ ସମାଜକୁ ଯଥେଷ୍ଟ ଅବଦାନ ଦେଇପାରିଛନ୍ତି ବୋଲି ଆପଣ ସନ୍ତୁଷ୍ଟ କି?
ସାତକଡି ହୋତା: ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ନୁହେଁ। ବୋଧହୁଏ ଆହୁରି ଅଧିକ କିଛି କରିପାରିଥା’ନ୍ତି ଯାହା ହୋଇପାରିଲା ନାହିଁ।
ସାହିତ୍ୟ ଚର୍ଚ୍ଚା: ସମାଜ ଗଠନ ପାଇଁ ସାହିତ୍ୟ ଓ ସମ୍ବାଦପତ୍ର ମଧ୍ୟରେ କେଉଁଟି ଅଧିକ ପ୍ରଭାବଶାଳୀ?
ସାତକଡି ହୋତା: ଯଦି କୌଣସି କାର୍ଯ୍ୟକୁ କରାଇନେବା ଆମର ଲକ୍ଷ୍ୟ ହୁଏ ତେବେ ସମ୍ବାଦପତ୍ର ଏହାର ସାଧନ ପାଇଁ ଅଧିକ ଉପଯୁକ୍ତ ଏକ ମାଧ୍ୟମ। ଉଦାହରଣ ସ୍ୱରୂପ ଯଦି ଜନସ୍ୱାର୍ଥ ଦୃଷ୍ଟିରୁ କେଉଁଠି ଗୋଟିଏ ନଦୀବନ୍ଧର ଆବଶ୍ୟକତା ଥାଏ ତେବେ ସମ୍ବାଦପତ୍ର ଜରିଆରେ ଏ ବିଷୟରେ ସ୍ୱର ଉତ୍ତୋଳନ କରି ଏହା କରାଇନେବା ସମ୍ଭବ ହୋଇଥାଏ, ଯାହା ସାହିତ୍ୟରେ ନ ହୋଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଏକଦା ସାହିତ୍ୟ ଏକାଡ଼େମୀର ସଭାପତି ପଦ ମଣ୍ଡନ କରିଥିଲେ। କେମିତି ଥିଲା ଆପଣଙ୍କ ଅନୁଭୂତି?
ସାତକଡି ହୋତା: ମୁଁ କେମିତି ସାହିତ୍ୟ ଏକାଡେମୀକୁ ଆସିଲି, ସେକଥା ଜାଣନ୍ତୁ। ମୁଁ ଥରେ କୋଇମ୍ବାଟୁର୍ ଯାଇଥାଏ। ସେଠାରୁ ଜାଣିବାକୁ ପାଇଲି ଯେ ତାମିଲ୍‌, କନ୍ନଡ଼ ଏବଂ ତେଲୁଗୁ ଭଳି ଭାଷାମାନେ ଶାସ୍ତ୍ରୀୟ ମାନ୍ୟତା ପାଇଛନ୍ତି। ଏଭଳି ମାନ୍ୟତା ପାଇଁ ଆବଶ୍ୟକ ହେଉଥିବା ସର୍ତ୍ତଗୁଡ଼ିକ ଯେତେବେଳେ ପଢ଼ିଲି ମୋର ମନେ ହେଲା ଯେ ଆମ ଓଡ଼ିଆ ଭାଷାରେ ମଧ୍ୟ ସେଗୁଡିକ ମହଜୁଦ ଅଛି। ଆମର ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବ ନାହିଁ କାହିଁକି? ଏକଥା ମୋ ମନକୁ ଆନ୍ଦୋଳିତ କଲା। ମୁଁ ସେଠାରୁ ଫେରି ‘ସମାଜ’ରେ ଏ ବିଷୟରେ ଲେଖାଟିଏ ଲେଖିଲି।
ସାହିତ୍ୟ ଚର୍ଚ୍ଚା: ଏହି ଲେଖାର କିଛି ପ୍ରତିକ୍ରିୟା ଆସିଲା କି?
ସାତକଡି ହୋତା: ମୁଁ ‘ସମାଜ’ରେ ଲେଖିଥିବା ସେହି ଲେଖାଟି ଓଡ଼ିଶାର ତତ୍କାଳୀନ ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଲା। ସେ ଏହା ଉପରେ ବିଚାର ଆଲୋଚନା କରିବାପାଇଁ ଶିକ୍ଷାବିତ୍ ଓ ଭାଷାବିତମାନଙ୍କର ଗୋଟିଏ ସଭା ଡାକିଲେ। ସେଠାରେ ମୁଁ ବି ଉପସ୍ଥିତ ଥିଲି। ମଞ୍ଚ ତଳେ ବସିଥାଏ। ମନ୍ତ୍ରୀ ମହୋଦୟ କହିଲେ, “ସାତକଡ଼ି ବାବୁ କାହିଁକି ତଳେ ବସିଛନ୍ତି? ମଞ୍ଚ ଉପରକୁ ଆସନ୍ତୁ ଏବଂ ଆମକୁ ଟିକିଏ ବୁଝାନ୍ତୁ ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ଏମିତି କାହିଁକି ଲେଖିଲେ?” ମୁଁ ଉପରକୁ ଯାଇ ନିଜର ମତ ରଖିଲି। ଏହାପରେ ମନ୍ତ୍ରୀ ମହୋଦୟ ଏ ବିଷୟରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ କମିଟି ଗଠନର ଘୋଷଣା କରିଦେଲେ। ସେଠି ସେ ତତ୍କାଳୀନ ସଂସ୍କୃତି ବିଭାଗର ସଚିବଙ୍କୁ ପଚାରିଲେ ଯେ ତା’ଙ୍କ ବିଭାଗରେ କେଉଁ ପଦ ଖାଲି ଅଛି? ଉତ୍ତର ମିଳିଲା ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦଟି ଖାଲି ପଡ଼ିଛି। ତହୁଁ ମନ୍ତ୍ରୀ ମହୋଦୟ ମୋତେ କହିଲେ ଯେ, ଏହି ପଦରେ ମୋର ମନୋନୟନ ଦିନକ ମଧ୍ୟରେ ହେବା ସେ ଚାହାନ୍ତି ଏବଂ ମୋତେ ଅନୁରୋଧ କଲେ ଯଥା ଶୀଘ୍ର ଏହାର ଦାୟିତ୍ୱ ନେବାପାଇଁ।
ସାହିତ୍ୟ ଚର୍ଚ୍ଚା: ଏହାପରେ ଆମ ଭାଷାର ଶାସ୍ତ୍ରୀୟ ମାନ୍ୟତା ହାସଲ ପାଇଁ ସାହିତ୍ୟ ଏକାଡେମୀ କିଛି ସକ୍ରିୟ ଭୂମିକା ଗ୍ରହଣ କଲା କି?
ସାତକଡି ହୋତା: ଏଥିପାଇଁ ଅନେକ ପରିଶ୍ରମ କରିବାକୁ ହେଲା। ଓଡିଶା ସାହିତ୍ୟ ଏକାଡେମୀର ସୁପାରିଶ କ୍ରମେ ପ୍ରସ୍ତାବଟି କେନ୍ଦ୍ରକୁ ଗଲା। ଓଡ଼ିଶାର ଅନେକ ଜ୍ଞାନୀ ଗୁଣୀ ଏଥିରେ ଆମକୁ ସାହାଯ୍ୟ କଲେ। ଶେଷକୁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ନ୍ୟାୟୋଚିତ ମାନ୍ୟତା ମିଳିଲା।
ସାହିତ୍ୟ ଚର୍ଚ୍ଚା: ଆଗାମୀ ଦିନରେ ସାହିତ୍ୟ ଏକାଡେମୀର ଭୂମିକା କିଭଳି ହେବା ଉଚିତ ବୋଲି ଆପଣ ମନେ କରନ୍ତି?
ସାତକଡି ହୋତା: ଏକାଡେମୀର ଅନେକ କିଛି କରିବାର ଅଛି। ଏହା ଆହୁରି ଅଧିକ ଡାଇନାମିକ୍ ହେବାର ଆବଶ୍ୟକତା ରହିଛି ବୋଲି ମୁଁ ମନେକରେ।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ସମୟରେ ଆପଣଙ୍କ ନେତୃତ୍ୱରେ ‘ଲେଖକ ସାମ୍ମୁଖ୍ୟ’ ଓଡ଼ିଆ ସାହିତ୍ୟ ଜଗତରେ ଚହଳ ସୃଷ୍ଟି କରିଥିଲା। ଆପଣ ଶାସନ କଳର ସମର୍ଥନରେ ସାହିତ୍ୟ ପାଇଁ ଅନେକ କିଛି କରିପାରିଥିଲେ। ଏ ବିଷୟରେ କ’ଣ କହିବେ?
ସାତକଡି ହୋତା: ସେ ସମୟରେ ଥରେ କଳ୍ପନା ଛକ ନିକଟରେ ଏକ ସାହିତ୍ୟ ସଭା ହେଉଥାଏ ଏବଂ ମୁଁ ମଧ୍ୟ ସେଠାରେ ଉପସ୍ଥିତ ଥାଏ। ପ୍ରଶ୍ନ ଉଠିଲା ଯେ ଓଡ଼ିଆ ସାହିତ୍ୟ କ’ଣ କେବଳ କଟକ ଓ ଭୁବନେଶ୍ୱର ପାଇଁ? ରାଜ୍ୟର ଅନ୍ୟ ସମସ୍ତ ଅଂଚଳକୁ ବି ଏହାର ପ୍ରସାର ନିତାନ୍ତ ଜରୁରୀ। ଏହି ଭାବନାରୁ ଜନ୍ମ ନେଲା ଆମର ଅନୁଷ୍ଠାନ। ସେ ସମୟର ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଅଓ୍ବଧ ନାରାୟଣ ତିୱାରୀ ଆମକୁ ଏଥିପାଇଁ ଉତ୍ସାହିତ କଲେ।
ସାହିତ୍ୟ ଚର୍ଚ୍ଚା: ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମଧ୍ୟ ଏଥିପ୍ରତି ସମର୍ଥନ ଥିଲା ବୋଲି କୁହାଯାଏ।
ସାତକଡି ହୋତା: ହଁ, ସେ ସମର୍ଥନ ଦେଇଥିଲେ।
ସାହିତ୍ୟ ଚର୍ଚ୍ଚା: ତେଣୁ ଆପଣଙ୍କ ଏହି ଅନୁଷ୍ଠାନ ଜରିଆରେ ହେଉଥିବା ସାହିତ୍ୟିକ ଗତିବିଧିକୁ ‘ଦରବାରୀ ସାହିତ୍ୟ’ ବୋଲି କେହି କେହି କହୁଥିଲେ।
ସାତକଡି ହୋତା: କିନ୍ତୁ ସେ ସମୟରେ ଆମେ ସରକାରଙ୍କ ତରଫରୁ ଗୋଟିଏ ନୂଆ ପଇସାର ମଧ୍ୟ ଆର୍ଥିକ ସାହାଯ୍ୟ ନେଇନଥିଲୁ। ରାଜ୍ୟ ସାରା ବିଭିନ୍ନ ସ୍ଥାନରେ ସାହିତ୍ୟିକ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପାଇଁ ଅବଶ୍ୟ ମୁଖ୍ୟମନ୍ତ୍ରୀ ମହୋଦୟ ଆମକୁ କିଛି ସୁବିଧା ଯୋଗାଇ ଦେଉଥିଲେ।
ସାହିତ୍ୟ ଚର୍ଚ୍ଚା: ଜାନକୀ ବାବୁଙ୍କ ପରେ ଆଉ କୌଣସି ମୁଖ୍ୟମନ୍ତ୍ରୀ ଓଡ଼ିଆ ସାହିତ୍ୟ ପାଇଁ ଏତେ ଅଧିକ ଆଗ୍ରହ ଦେଖାଇନାହାନ୍ତି। ଆପଣ ଏଥିରେ ଏକମତ କି?
ସାତକଡି ହୋତା: ଏଥିରେ ମୁଁ ସଂପୂର୍ଣ୍ଣ ଏକମତ। ସେ ନିଜେ ଯେହେତୁ ଜଣେ ଲେଖକ ଥିଲେ, ଏପରି ହେବା ସ୍ୱାଭାବିକ ଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ତ ଭୁବନେଶ୍ୱର ପୁସ୍ତକ ମେଳାକୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିଦେଇଛନ୍ତି।
ସାତକଡି ହୋତା: କଲିକତା, ଦିଲ୍ଲୀ ଭଳି ସହରମାନଙ୍କରେ ହେଉଥିବା ପୁସ୍ତକମେଳା ଭଳି ଆମେ ଏଠାରେ ମଧ୍ୟ ଏହାର ଆୟୋଜନ କରିବାକୁ ଚାହିଁଲୁ। ଏଥିରେ ସଫଳତା ମିଳିଲା।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ଭାବନ୍ତି ଯେ ଧୀରେଧୀରେ ପୁସ୍ତକମେଳା ଗୁଡ଼ିକର ଲୋକପ୍ରିୟତା କମିଯାଉଛି?
ସାତକଡି ହୋତା: ଏହି କିଛିବର୍ଷ ଭିତରେ ପାଠକୀୟ ଆଗ୍ରହ କମିଯାଇଛି। କଥା ହେଲା, ସାହିତ୍ୟ ପ୍ରତି ଲୋକଙ୍କର ଆନୁଗତ୍ୟ କମିଯାଇଛି।
ସାହିତ୍ୟ ଚର୍ଚ୍ଚା: ନବୀନ ଲେଖକଙ୍କୁ ସାହିତ୍ୟର ମୁଖ୍ୟଧାରାକୁ ଆଣିବା ପାଇଁ କ’ଣ କରିବାକୁ ପଡ଼ିବ?
ସାତକଡି ହୋତା: ସାହିତ୍ୟର ଧାରାକୁ ଆଗେଇ ନେବାକୁ ହେଲେ ଆମକୁ ପତ୍ରପତ୍ରିକା ଓ ଅନ୍ୟ ବିଭିନ୍ନ ମଂଚରେ ନୂଆ ଲେଖକମାନଙ୍କୁ ପ୍ରାଧାନ୍ୟ ଦେବାକୁ ପଡ଼ିବ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ କେମିତି ଦେଖନ୍ତି?
ସାତକଡି ହୋତା: ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ଲେଖା ଅନେକ କମିଯାଇଛି। ଗବେଷଣାର ମଧ୍ୟ ଅଭାବ। ମନେ ହେଉଛି ଆଗାମୀ ଦିନର ସାହିତ୍ୟ ପାଇଁ ଆମେ ପ୍ରସ୍ତୁତ ନୋହୁଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଆଳାପ ଆଲୋଚନାରେ ଆମ ସହିତ ଖୋଲା ଭାବବିନିମୟ କରିଥିବା ହେତୁ ଆପଣଙ୍କୁ ଅଶେଷ କୃତଜ୍ଞତା ଜଣାଉଛୁ।

  • ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ନଭେମ୍ବର ୨୦୨୧ ସଂଖ୍ୟାରେ ପ୍ରକାଶିତ ।

3 thoughts on “ବରେଣ୍ୟ ସାହିତ୍ୟିକ ସାତକଡ଼ି ହୋତାଙ୍କ ସହ ଆଳାପ ଆଲୋଚନା

  1. ଆଲୋଚନା ମାଧ୍ୟମରେ ଅନେକ କିଛି ଶିକ୍ଷଣୀୟ ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଛି, ଯାହାକି ଏହା ଆଗାମୀ ପିଢ଼ି ପାଇଁ ବେଶ୍ ଲାଭପ୍ରଦ ହେଇ ପାରିବ।

  2. Very nice inereview which will help in protecting our literature.Thanks a lot.The experiences narrated by our most notable writer-poet Sree Satkadi Hota,the pride of our Odia literature is very much helpful to all of us.
    Regrds to all of you in Charcha and also to our respected Satkadi Hota.Thanks.

Leave a Reply

Your email address will not be published. Required fields are marked *