ବଞ୍ଚିବାର ମୋହ

  • ସମସ୍ତ ବୃଦ୍ଧଙ୍କ ଭିତରେ ଏବେବି ଗୋଟେ ଯୁବକ ଲୁଚି ରହିଛି ଯିଏକି ସମୟ କ୍ରମେ ଶିଶୁ ଆଡକୁ ମୁଁହାଉଛି। ପଢ଼ନ୍ତୁ, ଲେଖିକାଙ୍କ କଲମରୁ ଏକ ଭିନ୍ନ ସ୍ବାଦର ଗଳ୍ପ।
ଡ଼. ଆରତୀ ପଟ୍ଟଯୋଷୀ

ବ୍ୟାଙ୍କ ଚାକିରି, କାମ ପ୍ରବଳ। ବଦଳିବି ଥରକୁ ଥର। ଗୋଟେ ଜାଗାରେ ଘର ଠିକ୍ ଭାବେ ନ ସଜାଡୁଣୁ ପୁଣି ବଦଳି। ଏମିତି ଯାଯାବର ପରି ବୁଲୁବୁଲୁ ଏବେ ମ୍ୟାନେଜର ଭାବରେ ମୋର ଯେଉଁଠି ପୋଷ୍ଟିଂ ହୋଇଛି ତାକୁ ଟାଉନ ତ କୁହାଯିବନି, କିନ୍ତୁ ଗାଁ ନୁହେଁ। ମୋଟାମୋଟି କହିବାକୁ ଗଲେ ସେମିଟାଉନ। ପ୍ରଥମରୁ କହିଛି ବ୍ୟାଙ୍କରେ କାମ ପ୍ରବଳ। ଏଣୁ ମାନସିକ ଚାପରୁ ମୁକ୍ତି ପାଇଁ ସକାଳେ ସଂଧ୍ୟାରେ ଟିକେ ବୁଲିବା ନିହାତି ଦରକାର ମନେ ହୁଏ। ଏମିତି ବି ୱାକିଂ କରିବା ମୋର ଅଭ୍ୟାସ। ତେଣୁ ଘର ପାଖରେ ଥିବା ଏକ ନିର୍ଦ୍ଦିଷ୍ଟ ପାର୍କକୁ ମୁଁ ସବୁଦିନ ଚାଲିବାକୁ ଯାଏ। ଏମିତି ସବୁଦିନ ଯିବା ଭିତରେ ଗୋଟେ ଦୃଶ୍ୟ ଯାହା ମତେ ବେଶି ଆକୃଷ୍ଟ କରେ, ସେଇଟା ହଉଛି ବନ୍ଧୁତା। ଚାରିଜଣ ବୃଦ୍ଧଙ୍କ ଭିତରେ ଥିବା ବନ୍ଧୁତା। ସବୁଦିନ ସେମାନଙ୍କୁ ଦେଖେ, ପାର୍କର ଏକ ନିର୍ଦ୍ଦିଷ୍ଟ ବେଞ୍ଚ୍‌ରେ ବସିଥିବାର। ସେଠାରେ ସେମାନେ ଅନେକ ବେଳଯାଏ ଗପୁଥାନ୍ତି। ବୟସର ଅପରାହ୍ନ, ଲୋଳିତ ଚର୍ମ, ହାତରେ ବାଡ଼ି, କାହା ପାଟିରେ ନକଲି ଦାନ୍ତ ତ କିଏ ପୂରା ବେଦାନ୍ତ। ସମସ୍ତଙ୍କ ବୟସ ପ୍ରାୟ ସତୁରିରୁ ପଞ୍ଚସ୍ତରି ଭିତରେ ହେବ। ବେଶ ପୋଷାକରୁ ଲାଗୁଥିଲା ସମସ୍ତେ ଅବସର ପ୍ରାପ୍ତ ଓ ଲବ୍ଧ ପ୍ରତିଷ୍ଠିତ। ସେମାନଙ୍କ ପ୍ରତି ମୋର ଭାରି ଦୟା ଆସେ। ସେମାନେ କିନ୍ତୁ ନିଜ ଭିତରେ ବିଂଦାସ୍ ଗପୁଥାନ୍ତି, ଆଉ ମଝିରେ ମଝିରେ ଠୋ, ଠୋ, ହୋଇ ହସୁଥାନ୍ତି। ହଁ! ତାଙ୍କର ବି କାମ ଆଉ କ’ଣ? ଏଇଠି ବସିବସି କିଛି ସମୟ କାଟି ଘରକୁ ଯାଆନ୍ତି। ହେଲେ ମୋ ମନରେ କିନ୍ତୁ ତାଙ୍କ ଗପସପକୁ ନେଇ ଅନେକ କୌତୁହଳ ଥାଏ।


ସେମାନଙ୍କୁ ଏମିତି ସବୁବେଳେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଗପୁଥିବାର ଦେଖି ମୋ ମନରେ ଅନେକ ପ୍ରଶ୍ନ ଉଠେ…!! ଏତେ ସମୟ ସେମାନେ କ’ଣ ଗପନ୍ତି? ମୁଁ ଏମିତି ସବୁଦିନ ଦେଖେ, ଭାବେ ଓ ୱାକିଂ ସାରି ଘରକୁ ଯାଏ। ମାତ୍ର ସେମାନେ କ’ଣ ଏତେ ଗପନ୍ତି ଜାଣିବାକୁ ମୋର ପ୍ରବଳ ଇଛା ହୁଏ। ବେଳେବେଳେ ଏଇମାନଙ୍କ କଥା, ମୁଁ ମୋ ସ୍ତ୍ରୀଙ୍କୁ କୁହେ। ମୋ ସ୍ତ୍ରୀ କିନ୍ତୁ ଚିଡ଼ିଯାଏ, ଆଉ କୁହେ, ତମର କାଇଁ ଏତେ ମୁଣ୍ଡ ବିନ୍ଧୁଛି ଶୁଣେ? ସେ ତାଙ୍କର କ’ଣ କଥା ହେଲେ ତମର କ’ଣ ଗଲା? ମୁଁ କିନ୍ତୁ ସେମାନଙ୍କ ବିଷୟରେ ଦିନକୁ ଦିନ ବେଶି କୌତୁହଳି ହୋଇପଡୁଥିଲି। ଦିନେ ପାର୍କରୁ ଫେରି ମୋ ସ୍ତ୍ରୀଙ୍କୁ ଏକ ସିରିଏସ୍ ଆଲୋଚନା କଲାଭଳି ପାଖକୁ ଡାକି ବସେଇଲି ଓ ପଚାରିଲି, ତମେ କ’ଣ ଭାବୁଛ? ସେମାନେ କ’ଣ ସବୁ ଗପୁଥିବେ? ଏଥର କିନ୍ତୁ ମୋ ସ୍ତ୍ରୀ ମୋ କଥାକୁ ଗୁରୁତ୍ୱ ଦେଲା, ଟିକେ ଭାବିଲା, ଆଉ କହିଲା, ସେମାନେ ନିଶ୍ଚୟ ତାଙ୍କ ପୁଅବୋହୂଙ୍କ ବିଷୟରେ ଆଲୋଚନା କରୁଥିବେ, ନଚେତ୍ କିଛି ଆଧ୍ୟାତ୍ମିକ ଆଲୋଚନା, ଅଥବା ଦେହମୁଣ୍ଡ ବା ସେମାନଙ୍କ ପେନସନ ବିଷୟରେ। ଆଉ କ’ଣ ବା ଅଛି ତାଙ୍କ ଜୀବନରେ, ନା ତମେ ଆଉ କ’ଣ ଭାବୁଛ? ମୁଁ ଘରସାରା ସିରିଏସଲି ବୁଲୁବୁଲୁ କହିଲି, ହଁ! ତୁମେ ଠିକ୍ କହିଲ, ସେଇଆ ହିଁ ଗପୁଥିବେ। ନହେଲେ ଏଇ ପରିଣତ ବୟସରେ ଆଉ ଗପିବାକୁ ଅଛିବା କ’ଣ? ପିଲାମାନଙ୍କ ଅବହେଳା, ନାତିନାତୁଣୀଙ୍କ କଥା, ନିଜ ଦେହମୁଣ୍ଡ, କିଛି ପୁରାଣ ପାଠ, ନହେଲେ, ରାଜନୀତି କଥା, ନୁହେଁ…? ସେ ବଡ଼ ଜୋରରେ ହୁଁ’ଟେ ମାରିଲେ। କିଛି ସମୟର ନୀରବତା ପରେ, ମୋ ସ୍ତ୍ରୀ ଚେଆର ଛାଡ଼ି ଉଠିଲେ ଆଉ କହିଲେ, ଛାଡମ ସେ ବେକାର କଥା…!! ଅଫିସ୍ ଆଜି ଯିବନିକି? ତମେ ବସି ଭାବୁଥାଅ, ମୁଁ ଯାଏ ମୋର ତେଣେ ବହୁତ କାମ। ଆଉ ଟିକେ ପରେ ହଲା ପକେଇବ, ବେଳ ହେଇଗଲା, ବେଳ ହେଇଗଲା। ତେଣୁ ଦୟାକରି ମୋତେ କ୍ଷମା କର। ଏତିକି କହି ସେ ରୋଷେଇ ଘର ଭିତରକୁ ଚାଲିଗଲା। ମୁଁ କିନ୍ତୁ ବେଳକୁ ବେଳ ଭାରି ଦୁଃଖୀ ହୋଇ ପଡୁଥିଲି। ମନେମନେ ଭାବୁଥିଲି, ହେ ପ୍ରଭୁ! କେତେ ଅସହାୟ ଏମାନେ? ବୋଧେ ଘରେ ପିଲାମାନେ ଟିକେ ସମୟ ଏମାନଙ୍କୁ ଦେଉ ନାହାନ୍ତି। ଅଫିସ୍ ସମୟ ହୋଇଯାଇଥିଲା, ତେଣୁ ମୁଁ ବ୍ୟାଙ୍କ୍ ବାହାରିଲି। କିନ୍ତୁ ସବୁ ଭିତରେ ବି, ବେଳେବେଳେ ସେମାନେ ମୋ ଭାବନା ଭିତରକୁ ପଶି ଆସନ୍ତି, ଆଉ ମୋତେ ତାଙ୍କ ବିଷୟରେ ଭାବିବାକୁ ବାଧ୍ୟ କରେ…!!

ସେଦିନ ସାଂଧ୍ୟ ଭ୍ରମଣ ବେଳେ ଭାବିଲି, ଆଜି ଯେମିତି ହେଲେ ସେମାନଙ୍କ କଥା ନିଶ୍ଚୟ ଶୁଣିବି। ନହେଲେ ବୋଧେ ମୁଁ ବେମାର୍ ହୋଇଯିବି। ସେମାନେ ପ୍ରତିଦିନ ଯେଉଁଠି ବସୁଥିଲେ ତାପାଖରେ ଗୋଟେ ଝଙ୍କାଳିଆ ବୁଦା ଥାଏ, ଆଉ ସେଠି ପଡ଼ିଥାଏ କିଛି ଛୋଟ ବଡ଼ ପଥର। ଜାଣିବାର ଉତ୍ସୁକତା ନେଇ ମୁଁ ଯାଇ ସେଠି ସେଇ ବୁଦାମୂଳ ଆଢୁଆଳରେ ବସିଗଲି ଓ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟାକଲି। ସେମାନେ ଯଦିଓ ଖୁବ୍ ଧୀରେଧୀରେ ଗପୁଥିଲେ, କିନ୍ତୁ ପ୍ରାୟ ଶୁଭୁଥିଲା। ସେମାନେ ଯାହାସବୁ କଥା ହେଉଥିଲେ ଶୁଣିଲା ପରେ ମୋତେ ଲାଗିଲା, ମୁଁ ଯେମିତି ଆକାଶରୁ ଖସିପଡ଼ିଲି। କିଛି ସମୟ ସେମାନଙ୍କ ଗପସପ ଶୁଣିଲା ପରେ ମୋ ଉତ୍କଣ୍ଠା ଶାନ୍ତ ହୋଇଗଲା। ମୋ ମନରେ ଉଦ୍ରେକ ଭ୍ରମ ତୁଟି ଯାଇଥିଲା। ସେମାନଙ୍କ ପ୍ରତି ମୋ ଦୟାଭାବ, ମୋ ମନର ହୀନ ମାନସିକତା ଭାବି ନିଜକୁ ଧିକ୍କାର କରିଲି। ଆଉ ଆଗକୁ ଶୁଣିବାକୁ ମୋର ସ୍ପୃହା ନଥିଲା । କିନ୍ତୁ ମୋର ଏତେ ଦିନର ଚେଷ୍ଟା ଯେ ସଫଳ ହୋଇଛି ତାହା ମୋ ସ୍ତ୍ରୀଙ୍କୁ ଜଣେଇବାକୁ ମୁଁ ଏକରକମ ଘରକୁ ଧାଇଁଗଲି।

ମୋ ସ୍ତ୍ରୀ ରୁଟି ସେକୁଥିଲେ। ମୁଁ ଚଟ୍ କରି ଗ୍ୟାସ ବନ୍ଦ କରି ତାଙ୍କୁ ପାଖକୁ ଟାଣି ଆଣିଲି। କହିଲି, ଶୁଣମ! ସେଇ ଯୋଉ ଅଙ୍କଲମାନେ କ’ଣ ଗପୁଥିଲେ ଜାଣ? ମୋ ଠାରୁ ଏପରି ପ୍ରଶ୍ନ ଶୁଣି ସ୍ତ୍ରୀ ମୋର ଖଟ ଉପରେ ଦୁମ୍ କରି ବସିପଡ଼ିଲେ, ଆଉ କହିଲେ, ହେ ଭଗବାନ୍‌! କି ପାଗଳ ଲୋକ କିହୋ ତୁମେ? କାଇଁ ବିଚରା ବୁଢା ଲୋକଗୁଡ଼ାଙ୍କ ପଛରେ ପଡିଛ କହିଲ? ତମର କ’ଣ ଆଉ କିଛି କାମ ଧନ୍ଦା ନାହିଁ? ମୁଁ କହିଲି ଆରେ ଶୁଣନା? ଭାରି ଇଣ୍ଟ୍ରେଷ୍ଟିଂ। ସେମାନେ କ’ଣ ସବୁ ଗପୁଥିଲେ ଜାଣିଛ? ଫିଲ୍ମକଥା, ଫିଲ୍ମ ହିରୋଇନ ମାନଙ୍କ କଥା…!! କିଏ ଦେଖିବାକୁ କେମିତି, କିଏ କେତେ ହଟ୍‌, କିଏ କେବେ ବାହା ହେଲା, କିଏ କେଉଁ ହିରୋ ସହ ଭଲ ଲାଗେ ଓ ଶେଷରେ ସେମାନେ କେଉଁ ହିରୋଇନମାନଙ୍କୁ ମନେମନେ ଭଲପାଆନ୍ତି, ଇତ୍ୟାଦି ଇତ୍ୟାଦି। ମୋ ସ୍ତ୍ରୀ ଚମକି ଖଟ ଉପରୁ ଉଠିପଡ଼ିଲେ ଓ କହିଲେ “ହେଃ ଫାଲତୁ କଥା’। ମୁଁ କହିଲି, ଆରେ ନାହିଁମ ଏକଦମ ସତକଥା। ଖାଲି ସେତିକି ନୁହେଁ ମୋବାଇଲରେ ବିଭିନ୍ନ ଜୋକସ୍ ଦେଖି, ବିଭିନ୍ନ ଫଟୋ ଦେଖି ଉପଭୋଗ ବି କରୁଥିଲେ। ମୋ ଠାରୁ ଏପରି ଅବିଶ୍ୱସନୀୟ କଥା ଶୁଣି ସ୍ତ୍ରୀ କହିଲେ, ଛି…ଛି…ଏ ବୁଢା ଦିନେ…? ସେଇତକ ସମୟ ଠାକୁରଙ୍କୁ ହେଲେ ଡାକନ୍ତେ…!! ତାଙ୍କ କଥା ଶୁଣି ମୋତେ ଭାରି ରାଗ ଲାଗିଲା। ମୁଁ କହିଲି, ଆଚ୍ଛା, ଶ୍ରୀମତୀ କୋଉ ବହିରେ ଲେଖା ହେଇଛି ତୁମେ ବୁଢ଼ାହେଲ ମାନେ ଖାଲି “ହରେ କୃଷ୍ଣ’ ଜପିବ ବୋଲି? ବୁଢାହେଲେ କ’ଣ ମନର ସରସତା ମରିଯାଏ? ବୁଢ଼ାହେଲା ମାନେ କ’ଣ କେବଳ ଆଧ୍ୟାତ୍ମିକ ଚିନ୍ତା କରିବାକୁ ବାଧ୍ୟ? ତା ପୁଣି ଇଛା ଥାଉ ବା ନଥାଉ? ତମେ କ’ଣ ଭାବୁଛ ସେମାନେ ଘରେ ପୁଜାପାଠ କରୁ ନଥିବେ? ତାମାନେ ନୁହେଁ ଯେ, ସାଙ୍ଗ ସୁଖରେ ମଜା ମସ୍ତି କରିବେନି। ତୁମେ ବୋଧେ ଜାଣିନ, ବୟସ ବଢ଼ିବା ସହିତ ମଣିଷ ବେଶି ବେଶି ରୋମାଣ୍ଟିକ୍ ହୁଏ। ବଞ୍ଚିବାର ମୋହ ତା’ର ବେଶି ବେଶି ବଢ଼ି ଚାଲେ। ମନକୁ ଯୁବକ ନରଖିଲେ ତୁମେ ଆଗକୁ ବଞ୍ଚିବ କେମିତି? ବୁଝିଲ, ଆମର ମାନସିକତା ଖରାପ। ଆମେ ସବୁବେଳେ ବୟସ୍କ ଲୋକମାନଙ୍କୁ କେବଳ ଦୟା କରିଆସିଛୁ, ଏବଂ ବୟସ ହେଲାଣି କହିକହି ମାନସିକ ସ୍ତରରେ ତାଙ୍କୁ ଦୁର୍ବଳ କରି ଆସିଛୁ। କେବେବି ଭାବିନୁ, ତାଙ୍କ ଭିତରେ ଏବେବି ଗୋଟେ ଯୁବକ ଲୁଚି ରହିଛି ଯିଏକି ସମୟ କ୍ରମେ ଶିଶୁ ଆଡକୁ ମୁଁହାଉଛି। ମୋ ସ୍ତ୍ରୀ ମୋ କଥାକୁ ଏକାଗ୍ରଚିତ୍ତରେ ପୂରାପୂରି ପିଇ ଯାଉଥିଲେ। ମୋ କଥା ଶେଷରେ ଦୀର୍ଘନିଃଶ୍ୱାସ ମାରି କହିଲେ, ଆରେ ସତ କଥାତ ମୁଁ ଏସବୁ କେବେବି ଭାବିନି….!! ତୁମେ ଠିକ୍ କହିଲ, ସତ କଥା। ମୁଁ ତାଙ୍କୁ ମୋ ଆଡକୁ ଭିଡ଼ି ଆଣିଲି ଆଉ କହିଲି, କ’ଣ ସତକଥା ନା? ଏଥର କାନ ଧର, ଆଉ କେବେ କହିବନି ବୁଢାଟିଏ ହେଲଣି…।

4 thoughts on “ବଞ୍ଚିବାର ମୋହ

  1. ଚମତ୍କାର ଉପସ୍ଥାପନା, କେବେ କାହାକୁ କେହିବି ଦୟା ଭାବନା ନେଇ ଦେଖିବା ଉଚିତ ନୁହେଁ ବୋଲି ମୁଁ ଭାବୁଛି , କାରଣ ସମସ୍ତଙ୍କର ନିଜ ନିଜ ଇଚ୍ଛାରେ ଜୀବନ ଜିଇଁବାର ଅଧିକାର ରହିଛି। ଅନ୍ୟପକ୍ଷରେ କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ପ୍ରତି ଆମ ସମାଜରେ ଏବେ ମଧ୍ୟ ରହିଛି ନିର୍ଦ୍ଦିଷ୍ଟ ପୂରୁଣାକାଳିଆ ଚିନ୍ତାଧାରା।

  2. ଭଲଲାଗିଲା । ମୁଁ ଜାଣିବାରେ ସେମାନେ ବୃଦ୍ଧ ବା ବୁଢା ନଥିଲେ ସେମାନେ ଥିଲେ ସିନିୟର ସିଟିଜିନ୍ । ନିଜ ଇଚ୍ଛାର ମାଲିକ ।

  3. Bayasaaadhikya ku gurutva dei kahaku upekshya karajai parena. Samastanku nij nij jeevan jinbar adhikar rahichhi. Aame samastanku samman deba. Upekshya kimba upahash karibar naitik aadhikar nahin.

Leave a Reply

Your email address will not be published. Required fields are marked *