ଦୁର୍ଗତି ନାଶିନୀ

ଶାରଦୀୟ ଋତୁର ପାବନ ଲଗ୍ନ। ସଂସାରରୁ ଆସୁରିକ ପ୍ରବୃତ୍ତିର ବିନାଶ ହେତୁ ମା’ ଦୁର୍ଗତିନାଶିନୀଙ୍କୁ ଆବାହନର ପର୍ବ। ମାଆ ତ ଏହି ପବିତ୍ର ଅବସରରେ ପ୍ରତିଭାତ ହୁଅନ୍ତି ବିବିଧ ରୂପ ଓ ଭୂମିକାରେ। ‘ସଂସ୍ଥିତା’ ହୁଅନ୍ତି ଜଗତକୁ ଅନ୍ଧକାରରୁ ମୁକ୍ତ କରିବାପାଇଁ। ପ୍ରାଣେପ୍ରାଣେ ଭରିଦିଅନ୍ତି ଦିବ୍ଯ ଚେତନା। ସେଥିପାଇଁ ଭକ୍ତର କଣ୍ଠରୁ ଉଚ୍ଚରିଯାଏ, “ଯା ଦେବୀ ସର୍ବଭୂତେଷୁ ଚେତନେତ୍ୟଭିଧୀୟତେ, ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ।” ହେ ଦେବୀ, ତୁମେ ସର୍ବ ଘଟରେ ମହାଚେତନା ରୂପରେ ବିରାଜିତା। ଆମ ମନ ଓ ହୃଦକନ୍ଦରେ ସେଇ ଅବବୋଧ ଟିକକ ଜାଗ୍ରତ କର।
ସାହିତ୍ୟଜଗତ ପ୍ରତି ଦୃଷ୍ଟି ଫେରାଇଲେ ମନେହୁଏ ଆମ ସାରସ୍ବତ ଜଗତ ଆଜି ଏହିଭଳି ଏକ ଦିବ୍ୟଚେତନାର କାମନାରେ କରିଛି ପ୍ରତୀକ୍ଷା। କେଉଁଠି ନା କେଉଁଠି, କେଉଁ ନା କେଉଁ ଦିଗରୁ ସାହିତ୍ୟର ପରିସରକୁ ଅନ୍ଧକାରମୁକ୍ତ କରିବାର ପ୍ରବଳ ଆବଶ୍ୟକତା ରହିଛି। ଆମ ‘ଶେଷ ପୃଷ୍ଠା’ର ସ୍ତମ୍ଭକାର ମହୋଦୟ ଗତ ସଂଖ୍ୟାରେ ଏକ ‘ସାହିତ୍ୟ ତ୍ରିଭୁଜ’ର କଥା ଉଲ୍ଲେଖ କରିଛନ୍ତି। ଏଥିରେ ସେ ଯେଉଁ ତିନୋଟି ବିନ୍ଦୁର ଅବତାରଣା କରିଛନ୍ତି ସେଗୁଡ଼ିକ ହେଲେ, “ଲେଖକ, ପ୍ରକାଶକ ଓ ପାଠକ।” ଏହି ତିନିଙ୍କୁ ନେଇ ହିଁ ଆମ ସମୟର ସାହିତ୍ୟର ଉତ୍ପତ୍ତି, ସ୍ଥିତି ଓ ପ୍ରଗତି ନିର୍ଭରଶୀଳ। ତ୍ରିଭୁଜର ଏହି ତିନୋଟି କୋଣର ସତ୍ତାକୁ ନେଇ ଯଦି ଆମେ ସାହିତ୍ୟ ଜଗତର ଚିତ୍ରଟିଏ ଆଙ୍କିବା ତେବେ ଦୃଷ୍ଟି ରେ ପଡ଼ିବ ଅନେକ ବିଚ୍ୟୁତି ଓ ବିସଂଗତି।
ଅବଶ୍ୟ ସାହିତ୍ୟ ଯେ ଏଭଳି ବିଡ଼ମ୍ବନା ଦ୍ବାରା ସଂପୂର୍ଣ୍ଣ ଭାବେ ଆକ୍ରାନ୍ତ ସେ କଥା କୁହାଯାଉନାହିଁ। ଏବେ ବି ଲେଖକର ଲେଖନୀ ଚାଳନା ପଛରେ ମୂଳ ପ୍ରେରଣାଟି ହେଲା ନିର୍ମଳ ସାରସ୍ବତ ସାଧନାର ଭାବ। ସଂସ୍କୃତରେ କୁହାଯାଇଛି, ଶବ୍ଦାର୍ଥୟୋଃ ସହିତୟୋଃ ଭାବଃ ସାହିତ୍ୟମ୍। ଅର୍ଥାତ୍ ଶବ୍ଦ ଓ ଅର୍ଥ ଏ ଦୁଇଟି ସହିତ ଭାବର ସଂଯୋଜନା ହିଁ ସାହିତ୍ୟ। ଆମ ସାହିତ୍ୟର ଇତିହାସରେ ପିଢ଼ି ପରେ ପିଢି ଅନେକ ପ୍ରଥିତଯଶା ସାହିତ୍ୟିକ ଏହିଭଳି ମହାର୍ଘ ଶବ୍ଦରାଜି ଜରିଆରେ ଉଚ୍ଚକୋଟୀର ଭାବ ସଂଚରଣ କରିଯାଇଛନ୍ତି।
ସାରଳାଙ୍କଠୁଁ ନେଇ ରମାକାନ୍ତଙ୍କ ପର୍ଯ୍ୟନ୍ତ ସାହିତ୍ୟର ମହାନ ଯାତ୍ରାପଥରେ ଜନ୍ମ ନେଇଛି ଅନେକ ଯୁଗାନ୍ତକାରୀ ରଚନା ଏବଂ ଲେଖକମାନେ ନିଜର ମସି ବଳରେ ସମୃଦ୍ଧ କରିଆସିଛନ୍ତି ଏ ଜାତିର ଚିନ୍ତା ଓ ଚେତନାକୁ।
ତଥାପି ରହିଯାଇଛି କିଛି ବିପର୍ଯ୍ୟୟ ଓ ଅବକ୍ଷୟର ଦାଗ, ବିଶେଷତଃ ବର୍ତ୍ତମାନ କାଳରେ, ଯେତେବଳେ ସାହିତ୍ୟର ସ୍ଥିତିକୁ ନେଇ ଅନେକ ସଂକଟ ସ୍ବତଃ ଦୃଷ୍ଟିକୁ ଆସେ। ସାହିତ୍ୟର ନାମରେ ଯାବତୀୟ ଅସାହିତ୍ୟିକ କ୍ରିୟାକଳାପର ଦୃଷ୍ଟାନ୍ତ ଆମ ଭାଷାରେ ବିରଳ ନୁହେଁ। ବାହ୍ୟ ଚାକଚକ୍ୟ, ମଂଚ ଉପରର ଭାଷଣବାଜି ଓ ବାଦବିସମ୍ବାଦ ମଧ୍ୟରେ ବେଳେବେଳେ ଅଣନିଃଶ୍ବାସୀ ହୋଇଉଠୁଛି ସାହିତ୍ୟର ଅସଲ ଆତ୍ମା। ସାହିତ୍ୟ ଆଧାରିତ ପୁରସ୍କାରଗୁଡ଼ିକୁ ନେଇ ପରିଲକ୍ଷିତ ହେଉଛି ହଟଚମଟ। ଆହୁରି ଥୋକେ ସାହିତ୍ୟକୁ ଏକ ବ୍ୟବସାୟ ଯୋଗ୍ୟ ପଣ୍ୟରେ ମଧ୍ୟ ପରିଣତ କରିଦେଲେଣି।
ଏ ସମସ୍ତ ସଙ୍କଟରୁ ଆମ ସାହିତ୍ଯକୁ ଉଦ୍ଧାର କରି ତାହାକୁ ଏକ ମର୍ଯ୍ୟାଦାବନ୍ତ ସାରସ୍ବତ ବ୍ରତର ମର୍ଯ୍ୟାଦା ପ୍ରଦାନ କରିବା ଆଜିର ବିଶେଷ ଆବଶ୍ୟକତା ଓ ଏହା ସମସ୍ତ ସାହିତ୍ୟାନୁରାଗୀଙ୍କ ପାଇଁ ବିରାଟ ଆହ୍ବାନ। ଶାରଦୀୟ ପାର୍ବଣ ଋତୁରେ ବିରାଜିତା ପରମାରାଧ୍ଯା ଦେବୀଙ୍କୁ ସ୍ମରଣ କରିବାବେଳେ ଜଣେ ବିନମ୍ର ସାହିତ୍ୟସେବୀ ଭାବରେ ଏହି ଅନ୍ତଃକାମନାଟି ଆମ ହୃଦ-କନ୍ଦରରୁ ସ୍ବତଃ ଝରିଆସୁ: ହେ ମା, ଓଡିଶା ଭୂଇଁର ସାହିତ୍ୟିକ ଗତିବିଧି ଆହୁରି ନିର୍ମଳ ହେଉ, ଏବଂ ସ୍ପର୍ଶ କରୁ ସମୃଦ୍ଧିର ନୂତନ ଶିଖର। ଯାହା କିଛି ବି ଆସୁରିକ ପ୍ରବୃତ୍ତିର ହୋଇଛି ଅନୁପ୍ରବେଶ ହୋଇଛି ପବିତ୍ର ସାହିତ୍ୟ ତ୍ରିଭୁଜରେ, ତାହାର ଘଟୁ ସମୂଳ ବିନାଶ।

ନିହାର ଶତପଥୀ

(ସାହିତ୍ୟ ଚର୍ଚ୍ଚା, ଅକ୍ଟୋବେର ୨୦୨୧ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ । )

4 thoughts on “ଦୁର୍ଗତି ନାଶିନୀ

  1. ମା ଭଗବତୀ ର କୃପା ନହେଲେ ଶବ୍ଦ ସେଇଠି ଅଟକି ଯାଏ । କଲମ ଆଗକୁ ବଢିପାରେନା । ନହେଲେ କି ସିଦ୍ଧେଶ୍ୱର ପରିଡ଼ା ସାରଳା ଦାସ ହୋଇ ଥାଆନ୍ତେ ?

  2. ସମ୍ପାଦକ ମହୋଦୟ ସୁଗମ ପନ୍ଥା ଅବଲମ୍ବନ କରି ମାଆଙ୍କ ଉପରେ ନ୍ୟସ୍ତ କରିଦେଲେ ଏହି ଗୁରୁ ଦାୟିତ୍ୱ ।
    ବୋଧେ ତ୍ରିଭୁଜର ପ୍ରତ୍ୟେକ ବିନ୍ଦୁ ନିଜର ଭୂମିକା ଠିକ ରୂପେ ନିର୍ବାହନ କଲେ ମାଆଙ୍କ ଉପରେ ଏ ଦାୟିତ୍ୱ ପଡିବନି ।

  3. ସାହିତ୍ୟ ଏକ ନିତ୍ୟପ୍ରବୁର୍ତ ଧାରା। ଏହାର ସୃଷ୍ଟି ବି ଅଛି। ଯେଉଁଠି ସୃଷ୍ଟି ଅଛି ସେଇଠି ଆଦିଶକ୍ତି ଅଛନ୍ତି। ମା ଦୁର୍ଗା ଶକ୍ତି ସ୍ୱରୂପିଣୀ, ସେ ଆଦ୍ୟାଶକ୍ତି।
    ମାଆଙ୍କର ଆଶୀର୍ବାଦ ମିଳିଲେହିଁ ସମାଜର ହିତ ସାଧନ ନିମନ୍ତେ ସର୍ଜନା ହୋଇପାରିବ ସାହିତ୍ୟ। କବି, ଗାଳ୍ପିକ, ପ୍ରାବନ୍ଧିକ ସେ ଯିଏ ହୁଅନ୍ତୁନା କାହିଁକି ଯେ କୌଣସି ସୃର୍ଜନୀର ପଛରେ ସୃଷ୍ଟି କର୍ତ୍ତା ଓ ସୃଷ୍ଟିକାରିଣୀଙ୍କର ଆଜ୍ଞା ଓ ଆଶୀର୍ବାଦର ଆବଶ୍ୟକତା ଅନିବାର୍ଯ୍ୟ – ଏହା ମନେ ରଖିବାକୁ ହେବ।

  4. ମା ଦୁର୍ଗାଙ୍କ ଆଶୀର୍ବାଦ ରୁ ସଂସାର ଚାଲିଚି । ସେଇ ହିଁ ଆଦିଶକ୍ତି।ସେଇ ହିଁ ଆଦିଚେତନା ଏବଂ ଦୁର୍ଗତି ନାଶିନୀ।ତାଙ୍କ ଆଶୀର୍ବାଦ ସଦା ସର୍ବଦା ‘ସାହିତ୍ୟ ଚର୍ଚ୍ଚା ‘ ଉପରେ ଥାଉ।କବି,ଗାଳ୍ପିକ,ପ୍ରାବନ୍ଧିକ,ପାଠକ ସମସ୍ତ ଙ୍କ ଉପରେ ମାଆ ତାଙ୍କ ଆଶୀର୍ବାଦ ଢାଳି ଦିଅନ୍ତୁ।

Leave a Reply

Your email address will not be published. Required fields are marked *