‘ବଳଦେବ’, ‘ବଳଦେବ’, ‘ବଳ ଦେବ’

  • କବିସୂର୍ଯ୍ୟ ବଳଦେବ ରଥଙ୍କ କାଳଜୟୀ କବିତା ‘ଜଗତେ କେବଳ ‘ର ଗୋଟିଏ ପଦ ଉପରେ ବ୍ୟଙ୍ଗ ଟିପ୍ପଣୀ ଦେଇ କହନ୍ତି ଲେଖକ : ‘ଗ୍ରାମ ଶୁକରୀ ‘ କାହିଁକି ? ଶୁକର ତ ହୋଇପାରନ୍ତା !
ଅଜୟ ମହାଲା

“ଓ ଲର୍ଡ଼୍! ଗିଭ୍ ମି ଦ ପାଓ୍ବାର୍ ଅଫ୍ ଏ ବୁଲ୍।”

ମେଲଣ ପଡିଆ। ଆଜି ପରି ସୂର୍ଯ୍ୟବାର। ଛୁଟିଦିନ ହୋଇଥିବାରୁ ଭିଡ଼। ଶିରିଷ ଗଛ ଛାଇରେ ରୁଣ୍ଡେଇ ହୋଇ ପଡିଛନ୍ତି ଗୁଡାଏ ଲୋକ। ହାଟ ବାର ହୋଇଥିବାରୁ ସବୁଆଡେ ଜନ ସମାଗମ।

ନେତୃତ୍ୱ କରିବାକୁ ବାହାନା ଦରକାର। କାମ ନ ଥିଲା ବେଳେ ବାଉଁଶ କାଟି ଦାନ୍ତକୁ ତୀକ୍ଷ୍ଣ କରୁଥିବା ମୂଷିକାକୁ ଦେଖ! ଶଂଖୀ ବିରାଡ଼ି ପରି , ଜନୈକା ସ୍ବଘୋଷିତା ମହିଳାକର୍ମୀ “ଆସ ଲୋ ଆସ, ମୂଷା ମାଉଁସ ଖାଇବ, ଆସ ଲୋ” ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକର୍ଷିତ କରୁଥିଲେ ହାଟ ବଜାରର ଭିଡକୁ। ଅଧିକାଂଶ ମହିଳା ସେଇଠି। କାରଣ ପାଖରେ ଚୁଡ଼ି ଦୋକାନ। ଅନ୍ୟ ପଟରେ ମୂର୍ଖ ପୁରୁଷମାନେ ଆଗାମୀ ଫସଲକଟା ପାଇଁ ନୂଆ ଦାଆ କିଣିବାକୁ ଦାଆ ଦୋକାନରେ ଭିଡ଼ କରିଛନ୍ତି।

ଭୂମିହୀନ ଶ୍ରମିକ ଶ୍ରେଣୀର ପୁରୁଷ ମାନଙ୍କର ସାହିତ୍ୟରେ କି ରୁଚି ! ଯାଦୁ ମଲମ ବିକ୍ରି ହେଉଥିବା ଦୋକାନ ପାଖରେ ସେମାନଙ୍କ ଭିଡ଼।

ହାଟ ଭିତରେ ଦଳା ଚକଟା ଖାଇବାର ପାଳି ଆଜି ସାହିତ୍ୟର ଥିଲା। ମହିଳା କର୍ମୀ ଚିତ୍କାର କରି କହୁଥିଲେ, “କବିସୂର୍ଯ୍ୟ ବଳଦେବ ରଥ ନାରୀ ବିରୋଧୀ ଥିଲେ।” ଏକାଠି ହୋଇଥିଲେ ବହୁତ ଲୋକେ । ବିନା ମାଇକରେ ଚିତ୍କାର କରି କହିବା ମହିଳା କର୍ମୀଙ୍କ ପୁରୁଣା ଅଭ୍ୟାସ ଥିଲା।

କବିସୂର୍ଯ୍ୟଙ୍କ ଲେଖା ଉପରକୁ ଆଙ୍ଗୁଳି କରିବାକୁ ଏମାନେ କିଏ? ମୁଁ ବାହାରେ ଆବାକାବା ହୋଇ ଦେଖୁଥିଲି ଅନ୍ଧ ଭିଡକୁ। ସେହି ଭିଡରୁ ଦଉଡି ଆସି ଜଣେ ମହିଳା ମିତ୍ର “କିଛି ଗୋଟେ ପ୍ରତିକାର କର” ବୋଲି ବହୁତ ଅନୁରୋଧ କଲେ। ଗୋଟିଏ ଭେଟେରିନାରୀ ଡାକ୍ତରଙ୍କ ପାଖକୁ ଦଉଡି ଆସି ତାଙ୍କ ଆଗରେ ଅସୁସ୍ଥ ହୋଇ ପଡିଥିବା ବାଛୁରୀ ବିଷୟରେ କହିବା ପରି ତାଙ୍କ ମୁହଁରେ ତରବରିଆ ଭାବ ଥିଲା। ସେତେବେଳକୁ ଉତ୍ତ୍ୟକ୍ତ କିଛି ମହିଳା କର୍ମୀ ଚୁଡ଼ି ଦୋକାନରେ ଭଙ୍ଗାରୁଜା କରିସାରିଥିଲେ। କେଇ ପଟ କାଚଚୁଡ଼ି ଅଭିଶପ୍ତ ନାରୀ ଜୀବନର ପ୍ରତୀକ।

ମୁଁ ଘଟଣାଟା ବୁଝୁ ବୁଝୁ ଜାଣିଲି ବଳଦେବ “ଜଗତେ କେବଳ” କବିତାରେ ନାରୀ ବିରୋଧୀ କିଛି କଥା ଲେଖୁ ଲେଖୁ ଲେଖି ଦେଇଛନ୍ତି। କଥାଟି ହେଲା –

“ଗ୍ରାମଶୂକରୀ କି ହୋଇବ ଗାଈ?”

କବିସୂର୍ଯ୍ୟ ସ୍ଵଭାବ ନ ବଦଳାଉଥିବା ଚରିତ୍ର ବିଷୟରେ କହିବାକୁ ଯାଇ ଗୋଟିଏ ନାରୀ ପ୍ରଜାତିର ଉଦାହରଣ କାହିଁକି ଦେଲେ? ପୁରୁଷର ଉଦାହରଣ ବି ଦେଇ ପାରିଥାନ୍ତେ ! ତେଣୁ ପ୍ରସ୍ତାବ ପାରିତ ହୋଇଛି, ଏହି ଅପମାନଜନକ ଧାଡିକ ଲାଗି ମହାନ କବିଙ୍କ ସମସ୍ତ କାବ୍ୟ ପୁସ୍ତକ ବହିଷ୍କାର କରାଯିବ। ପାଠାଗାରରେ ଯେଉଁ ନୂଆ ପୁସ୍ତକ ସମ୍ମିଳିତ ହେବେ ସେଥିରେ କବିସୂର୍ଯ୍ୟଙ୍କ ଚଟି ବହିଟିଏ ବି ରହିବ ନାହିଁ।

ମହିଳାମିତ୍ରଙ୍କ ଅନୁରୋଧ କ୍ରମେ କବିସୂର୍ଯ୍ୟଙ୍କ ନାମକୁ ହୃଦୟରେ ଧାରଣ କରି କ୍ଷମାପୂର୍ବକ ତାଙ୍କର ବିବାଦାସ୍ପଦ ପରିଚ୍ଛେଦଟିକୁ ନିମ୍ନମତେ ସଂଶୋଧନ କରୁଛି।

ସଦା ଦୁର୍ବାଦଳେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ଲଗାଇଣ ହଳଦୀ ଗୁଣ୍ଡ
ଗ୍ରାମଶୂକର କି ହୋଇବ ଷଣ୍ଢ

ଜଗତେ କେବଳ ଜନେ ହସିବେ
ଏଥି ତହୁଁ ଫଳ

କ୍ଷମା କରିବ କବିସୂର୍ଯ୍ୟ । କ୍ଷମା କରିବେ କବିସୂର୍ଯ୍ୟ ମାନେ(ସୂର୍ଯ୍ୟ =ମିତ୍ର ଅର୍ଥରେ) । ଏହା କେବଳ ଲିଙ୍ଗ ବୈଷମ୍ୟ ଦୂର କରିବାକୁ ଏ ଛାର ଲେଖକର କ୍ଷୁଦ୍ର ଚେଷ୍ଟା ଟିଏ।

କ୍ଷମା କରିବ ପ୍ରଭୁ !

ପାଦଟୀକା :

  • ବଳଦେବ = କବିସୂର୍ଯ୍ୟ ବଳଦେବ ରଥ
  • ବଳଦେବ= ବଳଦ+ଇବ = ବଳଦ ପରି
  • ବଳ ଦେବ = ଶକ୍ତି ଦିଅ

ଏଠାରେ ଆଲୋଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ‘ଜଗତେ କେବଳ’ ଶୀର୍ଷକ ସଂପୂର୍ଣ୍ଣ ମୂଳ କବିତାଟି ପଢିବାପାଇଁ ଚାହିଁଲେ ପାଠକେ ନିମ୍ନଲିଖିତ ଲିଂକ୍ କୁ ଯାଇପାରନ୍ତି :- https://www.sahityacharcha.com/2020/08/10/jagatekebala/

8 thoughts on “‘ବଳଦେବ’, ‘ବଳଦେବ’, ‘ବଳ ଦେବ’

  1. ମନଛୁଆଁ ବ୍ୟଙ୍ଗ ରଚନାଟିଏ। ଏହାକୁ କହନ୍ତି, ଜେଣ୍ଡର୍ ଇକ୍ବାଲିଟି।

    1. ଅନେକ ଅନେକ ଧନ୍ୟବାଦ, ରାକେଶ ବାବୁ !

  2. ବେଶ୍‌ ମନୋରଞ୍ଜକ ଓ ଶାଣିତ ବ୍ୟଙ୍ଗ। କିଛି ଲୋକ କେବଳ ବିରୋଧ କରିବା ପାଇଁ ବିରୋଧ କରୁଥିବା ଦେଖିବାକୁ ମିଳିଥାଏ। ଏହା ହେଉଛି ସେହିପରି ଏକ ଉଦାହରଣ।

    1. ଏହି ସୁନ୍ଦର ଟିପ୍ପଣୀ ପାଇଁ ଧନ୍ୟବାଦ!

  3. ପଢି ଖୁସି ହେଲି, ଭଲ ଲାଗିଲା। ନୂତନ ଦିଗରେ ବ୍ୟଙ୍ଗ ଆଲେଖ୍ୟଟିଏ ଏବେର ଯୁଗକୁ ନେଇ। ଧନ୍ୟବାଦ ଲେଖକ ଓ ସାହିତ୍ୟ ଚର୍ଚ୍ଚା।

    1. ଏହି ସୁନ୍ଦର ଟିପ୍ପଣୀ ପାଇଁ ଧନ୍ୟବାଦ!

Leave a Reply

Your email address will not be published. Required fields are marked *