ଯଶସ୍ବୀ ସାହିତ୍ୟ ସାଧକ ଡ଼. ବୈଷ୍ଣବ ଚରଣ ସାମଲଙ୍କ ସହ କେତୋଟି ମୁହୂର୍ତ୍ତ

  • “ଗୋଟିଏ ସମୟରେ, ସେ ଗଳ୍ପ ହେଉ, ଉପନ୍ୟାସ, ଅବା କବିତା – ସବୁଥିରେ ମନୁଷ୍ୟ ପ୍ରତି ଏକ କରୁଣା ଓ ଶ୍ରଦ୍ଧା ଭାବ ଥିଲା, ଯାହା ପରବର୍ତ୍ତୀ କାଳରେ ଅନ୍ତର୍ହିତ ହୋଇଗଲା,” କହନ୍ତି ପ୍ରଫେସର ଡ଼. ବୈଷ୍ଣବ ଚରଣ ସାମଲ।

ପ୍ରଫେସର ଡ଼. ବୈଷ୍ଣବ ଚରଣ ସାମଲ ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଜଗତର ଅଗ୍ରଗଣ୍ୟ ନାମ। ୧୯୩୯ରେ ଜନ୍ମିତ ଏହି ବର୍ଷୀୟାନ୍ ସାହିତ୍ୟିକ ତତ୍ତ୍ୱଦ୍ରଷ୍ଟା ନିଜର ଅଜସ୍ର ରଚନାବଳୀରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ୧୨୪ଟି ପୁସ୍ତକ ପ୍ରକାଶିତ।
ତାଙ୍କର ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ରଚନାର ଧାରା ଆରମ୍ଭ ହୁଏ ୧୯୬୪-୬୫ ମସିହାରୁ। ତାଙ୍କର ଲିଖିତ ପ୍ରଥମ ପ୍ରବନ୍ଧଟି ଥିଲା ‘ମରୁତୀର୍ଥ’। ଏହାପରେ ସେ ପଛକୁ ଚାହିଁ ନାହାନ୍ତି। ଗୋଟିକ ପରେ ଗୋଟିଏ ଉଚ୍ଚକୋଟୀର ସମାଲୋଚନାତ୍ମକ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାମାନଙ୍କରେ ନିରବଚ୍ଛିନ୍ନ ଭାବେ ଲେଖିଆସିଛନ୍ତି। ଆଜିର ପରିଣତ ବୟସରେ ମଧ୍ୟ ସେ ବେଶ୍ ରଚନାପ୍ରବଣ ଏବଂ ସେହିଭଳି ସମାନ ଉତ୍ସାହର ସହ ସାରସ୍ଵତ ସର୍ଜନାରେ ଲିପ୍ତ ଅଛନ୍ତି।
ଅଧ୍ୟାପନାକୁ ବୃତ୍ତି ଭାବରେ ଆଦରିନେଇଥିବା ଡ଼. ସାମଲ ୧୯୬୬ ମସିହାରେ ବାଲେଶ୍ବରର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଚାକିରୀ ଜୀବନ ଆରମ୍ଭ କରିଥିଲେ ଏବଂ ତତ୍ପରେ ବିଭିନ୍ନ ବିଶିଷ୍ଟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଦୀର୍ଘ ୩୮ ବର୍ଷ କାଳ ଅଧ୍ୟାପନା କରିବାପରେ ୨୦୦୪ ମସିହାରେ ସ୍ଵନାମଧନ୍ୟ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିଲେ।
‘ଓଡ଼ିଆ ଗଳ୍ପ: ଗତି ଓ ପ୍ରକୃତି’, ‘ଓଡ଼ିଆ କାବ୍ୟ କବିତାର ଧରା ଓ ଧାରା’, ‘ଓଡ଼ିଆ ସାହିତ୍ୟର ଇତିହାସ’ ତାଙ୍କର ଅନବଦ୍ୟ ସୃଷ୍ଟି ଗୁଡିକ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ‘ଏକା ଏକା ନକ୍ଷତ୍ର’ ଓ ‘ଶେଷ ଶୃଙ୍ଗାର’ ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଓ କେତୋଟି କବିତା ସଂକଳନ ମଧ୍ୟ
ପ୍ରକାଶିତ।
ଡ଼. ସାମଲ ୨୦୦୯ ମସିହାରେ ତାଙ୍କ ରଚିତ ପୁସ୍ତକ ‘ଭିନ୍ନ ଇଲାକା: ଭିନ୍ନ ଦୃଷ୍ଟି’ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହା ବ୍ୟତୀତ ତାଙ୍କୁ ୨୦୧୪ ମସିହାରେ ସାରଳା ସମ୍ମାନ ୨୦୧୭ ମସିହାରେ ବିଷୁବ ପୁରସ୍କାରରେ ମଧ୍ୟ ଭୂଷିତ କରାଯାଇଥିଲା।
ଏହି ପ୍ରଥିତଯଶା ସ୍ରଷ୍ଟାଙ୍କ ସହିତ ତାଙ୍କ ଲେଖକ ଜୀବନର ଅନୁଭୂତି ଓ ବିଭିନ୍ନ ସାହିତ୍ୟିକ ପ୍ରସଙ୍ଗ ଉପରେ ଆଳାପ ଆଲୋଚନା କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।

ସାହିତ୍ୟ ଚର୍ଚ୍ଚା – ଆଜିର ଆଲୋଚନାଟି ଆରମ୍ଭ କରିବା ଗଳ୍ପ ସାହିତ୍ୟରୁ। କାରଣ ଓଡ଼ିଆ ଗଳ୍ପ ସାହିତ୍ୟର ଉନ୍ମେଷ ଓ ବିକାଶ – ଏ ବିଷୟରେ ଆପଣଙ୍କ ଗଭୀର ଗବେଷଣା ଓ ଅନୁଭବ ଅଛି ଏବଂ ଏ ସଂପର୍କୀୟ ବହୁ ପ୍ରାମାଣିକ ଗ୍ରନ୍ଥ ମଧ୍ୟ ଆପଣ ରଚନା କରିଛନ୍ତି।
ବୈଷ୍ଣବ ଚରଣ ସାମଲ – ହଁ, କହନ୍ତୁ।
ସା – ଆଜିର ଯୁଗରେ ଗଳ୍ପ ସାହିତ୍ୟର ଗ୍ରହଣଶୀଳତା ଓ ଆଦର ଯେଉଁ ସ୍ତରରେ ଅଛି ତା’ ବିଷୟରେ ଆପଣଙ୍କ ମତ କ’ଣ? ଅର୍ଥାତ୍ ପ୍ରାୟ ପଚାଶ ବର୍ଷ ତଳେ ଏହାର ଲୋକପ୍ରିୟତା ଯାହା ଥିଲା ସେଥିରେ କୌଣସି ପରିବର୍ତ୍ତନ ଆପଣ ଲକ୍ଷ୍ୟ କରୁଛନ୍ତି କି?
ବୈ – ଅତୀତରେ ଯେଉଁ ସମୟରେ ମୁଁ ଗଳ୍ପ ସଂପର୍କରେ ଆଲୋଚନା ଆରମ୍ଭ କଲି, ଅର୍ଥାତ ୧୯୬୮ ମସିହାରେ, ସେତେବେଳକୁ ଆମ ଭାଷାରେ ଗଳ୍ପ ବା ଗାଳ୍ପିକଙ୍କ ସଂପର୍କରେ ବିଶେଷ ଭାବରେ ଆଲୋଚନା ହେଉନଥିଲା। ଏଭଳି ଏକ ସମୟରେ ମୁଁ ଗଳ୍ପ ଏବଂ କବିତା ଉଭୟ ସଂପର୍କରେ ଲେଖିବା ଆରମ୍ଭ କଲି।
ସା – ବୋଧହୁଏ ଆପଣ ‘ଓଡିଆ ଗଳ୍ପ – ଗତି ଓ ପ୍ରକୃତି’ ବହିଟିର କଥା କହୁଛନ୍ତି।
ବୈ – ହଁ, ଏହା ୧୯୭୪ ମସିହାରେ ପ୍ରକାଶ ପାଇଥିଲା। ତା’ପରେ ଏହା ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇ ପୁଣି ‘ଓଡ଼ିଆ ଗଳ୍ପ – ଉନ୍ମେଷ ଓ ଉତ୍ତରଣ’ ନାମରେ ପ୍ରକାଶ ପାଇଲା। ତା’ପରେ ଓଡିଆ ଗଳ୍ପର ଇତିହାସ ମଧ୍ୟ ଲେଖିଛି। ଏହି ପରିପ୍ରକ୍ଷୀରେ ଆସିବା ଆପଣଙ୍କ ପ୍ରଶ୍ନଟିକୁ, “ଓଡିଆ ଗଳ୍ପ ପ୍ରତି ପୂର୍ବେ ଯେଉଁ ଶ୍ରଦ୍ଧା ଥିଲା ତାହା ଏବେ ଅଛି କି ନାହିଁ?” ଆମେ ଦେଖିବା ଯେ ସ୍ବାଧୀନତା ଲାଭ ପରେପରେ ଓଡ଼ିଶାର ସମଗ୍ର ସାମାଜିକ ଜୀବନ, ସାଂସ୍କୃତିକ ଜୀବନ ପରିବର୍ତ୍ତିତ ହୋଇଯାଇଛି। ସ୍ବାଧୀନତା ପୂର୍ବରୁ ଆମର ଥିଲା କର୍ତ୍ତବ୍ୟ ଓ କରୁଣାର ଯୁଗ। ଥିଲା ଭାରତୀୟ ମୂଲ୍ଯବୋଧ ପ୍ରତି ଆଦର। ସେ ସମୟରେ, ଯେ ଗଳ୍ପ ହେଉ, ଉପନ୍ୟାସ ବା କବିତା, ସବୁଥିରେ ମନୁଷ୍ୟ ପ୍ରତି ଏକ କରୁଣା ଓ ଶ୍ରଦ୍ଧା ଭାବ ଥିଲା। ପରସ୍ପର ମଧ୍ୟରେ ଘନିଷ୍ଠ ସଂପର୍କ ଥିଲା। ସେ ଭାବଟି ଫକୀର ମୋହନ ସେନାପତି ହୁଅନ୍ତୁ, ଗୋଦାବରୀଶ ମିଶ୍ର ହୁଅନ୍ତୁ କି ସେ ସମୟର ଚନ୍ଦ୍ରଶେଖର ନନ୍ଦ ହୁଅନ୍ତୁ, ବା ପରବର୍ତ୍ତୀ କାଳର କାଳିନ୍ଦୀ ଚରଣ ପାଣିଗ୍ରାହୀ, ଗୋଦାବରୀଶ ମହାପାତ୍ର ବା ଏପରିକି ଭଗବତୀ ଚରଣ ପାଣିଗ୍ରାହୀ, ଅନନ୍ତ ଚରଣ ପଟ୍ଟନାୟକ, ପ୍ରାଣବନ୍ଧୁ କର କି ରାଜକିଶୋର ରାୟ ହୁଅନ୍ତୁ – ସେମାନେ ଯେଉଁ ଗଳ୍ପ ଲେଖିଥିଲେ ସେଥିରେ କାହାଣୀର ଉପାଦାନ ଥିଲା। ଲୋକମାନେ ତା’କୁ ଶ୍ରଦ୍ଧାରେ ପଢ଼ୁଥିଲେ।
ସା- ଗଳ୍ପରେ ‘କାହାଣୀ’ ଥିଲା?
ବୈ – ହଁ, ଗଳ୍ପ ମଧ୍ୟରେ କାହାଣୀଟିଏ ରହୁଥିଲା। କିନ୍ତୂ ସ୍ବାଧୀନତା ପରେ ଗଳ୍ପ ସାହିତ୍ୟରେ କର୍ତ୍ତବ୍ୟପରାୟଣତା ଓ କରୁଣା କୁଆଡେ ଅନ୍ତର୍ହିତ ହୋଇଗଲା। ତା ବଦଳରେ ଆସିଲା ଛଳନା ଓ ପ୍ରତାରଣାର ଯୁଗ। ପ୍ରେମ ବଦଳରେ ଆସିଲା କାମ-ତୃଷ୍ଣା ଓ ଉପଭୋଗବାଦ। ଏହି ସମୟରେ ଯେଉଁମାନେ ଲେଖିଲେ ସେମାନେ ନିଜର ଅହଂ ବା ଜ୍ଞାନଗରିମାକୁ ଗୁରୁତ୍ବ ଦେଲେ ଏବଂ ଯାହା ସୃଷ୍ଟି କଲେ ତାହା ଲୋକଙ୍କୁ ସ୍ପର୍ଶ କଲାନାହିଁ। ଧୀରେଧୀରେ ଗଳ୍ପର ଗାରିମା ହ୍ରାସ ପାଇଲା, ଯଦିଓ ସେ କାଳରେ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ଏବଂ ମନୋଜ ଦାସ ଯେଉଁସବୁ ଗଳ୍ପ ଲେଖୁଥିଲେ, କିମ୍ବା କିଶୋରୀ ଚରଣ ଦାସ ହୁଅନ୍ତୁ, ଶାନ୍ତନୁ ଆଚାର୍ଯ୍ୟ, ବୀଣାପାଣି ମହାନ୍ତି, ବିଭୁତି ପଟ୍ଟନାୟକ ଇତ୍ୟାଦି ଯେଉଁମାନେ ସତୁରୀ ମସିହା ପର୍ଯ୍ୟନ୍ତ ଲେଖୁଥିଲେ, ସେମାନଙ୍କ ଲେଖାରେ ତଥାପି ଗୋଟିଏ ଆକର୍ଷଣ ଓ ଗଳ୍ପର ଉପାଦାନ ଥିଲା। କିନ୍ତୁ ଆପଣ ଲକ୍ଷ୍ୟ କରିବେ ୧୯୬୩-୬୪ ବେଳକୁ ଗୋଟିଏ ଟ୍ରେଣ୍ଡ୍ ଆସିଲା – ଆଭାସ ଗଳ୍ପ, ଅଣୁ ଗଳ୍ପ। ମୁଁ କହିଥିଲି ଯେ ଏଗୁଡ଼ିକ ରହିବ ନାହିଁ, ରହିଲାନାହିଁ ମଧ୍ୟ। ଗଳ୍ପଟି ବୌଦ୍ଧିକ ହୋଇଗଲା, ଟେକନିକ୍ ଉପରେ ଗୁରୂତ୍ବ ଦିଆଗଲା। କବିତାକୁ ଯେମିତି ‘ସୁଡୋ- ଇଣ୍ଟେଲେକଚୁଆଲିଜମ୍’ ବା ଛଦ୍ମ-ବୌଦ୍ଧିକତା ଗ୍ରାସ କରିଥିଲା, ଗଳ୍ପରେ ବି ତାହା ହେଲା। ସେମିତି ଉପନ୍ଯାସ ଓ ନାଟକରେ ବି ସେଇଆ ହେଲା।
ସା – ତାହେଲେ ବଡ଼ ପରିବର୍ତ୍ତନଟିଏ ଘଟିଲା।

ବୈ – ହଁ, ଆପଣ ଲକ୍ଷ୍ୟ କରିଥିବେ ଯେ ଯେଉଁମାନେ ଲେଖିଲେ ସେମାନେ ଆଇ.ଏ.ଏସ୍ ଆଦି ଉଚ୍ଚ ଶ୍ରେଣୀର ଚାକିରୀ ଗୋଷ୍ଠୀ ଓ ଉଚ୍ଚ ପଦରେ ଥିବା ବ୍ଯକ୍ତି। ସେମାନେ ସାଧାରଣ ମଣିଷରୁ ଦୂରେଇଗଲେ। ଫଳରେ ପାଠକଙ୍କ ସଂଖ୍ୟା ହ୍ରାସ ପାଇଲା। ତାପରେ ସାହିତ୍ୟରେ ସେମାନେ ମୋହର ମାରିଦେଲେ। ମୋ’ର ବ୍ୟକ୍ତିଗତ ବିଚାର ହେଲା, କୌଣସିମତେ ସାହିତ୍ୟ କୌଣସି ‘ମୋହର’ର ନୁହେଁ। ମୋହର ଅତିରିକ୍ତ ମଣିଷର ହୃଦୟର ଭାବ ହେଉଛି ସାହିତ୍ୟ। ମାର୍କସବାଦୀ, ଅତୀତବାଦୀ, ଉଦ୍ଭଟବାଦୀ ଇତ୍ୟାଦି ମୋହର ଦେଇ ତାହାକୁ ଅଲଗା ଅଲଗା କରିଦେବା ଫଳରେ ସାଧାରଣ ବର୍ଗର ପାଠକଙ୍କୁ ଏହା ସ୍ପର୍ଶ କଲାନାହିଁ। ଏହା ମଧ୍ୟରେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଆସିଲା, ଲେଖକମାନେ ନିରବ ହୋଇଗଲେ। ୧୯୮୦ ମସିହାପରେ ପୁଣିଥରେ ସାହିତ୍ୟରେ ନୂଆ ଚେତନା ସୃଷ୍ଟି ହେଲା। ବୌଦ୍ଧିକତାରୁ ହୃଦୟଗ୍ରାହିତା ଆଡ଼କୁ ଏହାକୁ ନେବାର ଉଦ୍ୟମ ଆରମ୍ଭ କଲା।
ସା – ତେବେ ଗୋଟିଏ ସକାରାତ୍ମକ ପରିବର୍ତ୍ତନ ଆସିଲା।
ବୈ – ଏକବିଂଶ ଶତାବ୍ଦୀକୁ ଆସିବା ବେଳକୁ ଆମେ ଲକ୍ଷ୍ୟ କରୁଛୁ ଯେ ଯେଉଁମାନେ ଲେଖୁଛନ୍ତି, ପୁଣି ଫେରୁଛନ୍ତି ପୂର୍ବର ସ୍ତରକୁ। ତଥାପି ମୁଁ ଲକ୍ଷ୍ୟ କରୁଛି, ପାଠକ ସଂଖ୍ୟା ବଢୁନାହିଁ। ବରଂ ହ୍ରାସ ପାଇଯାଉଛି। କିନ୍ତୁ ଗଳ୍ପର ଓ ଗାଳ୍ପିକଙ୍କ ସଂଖ୍ୟା ବଢିଛି। ତେବେ ପାଠକ ସଂଖ୍ୟା ହ୍ରାସ ପାଉଛି ବୋଲି ଆମେ ଦୁଃଖ କରିବା କଥା ନୁହେଁ, ହୁଏତ ଭବିଷ୍ଯତରେ ବଢ଼ିପାରେ।
ସା – ଆମର ସମୟର ସାହିତ୍ୟ ପାଠକୀୟ ଆବଶ୍ଯକତା ପୂରଣ କରିବାରେ ଅସମର୍ଥ ଥବା ମଧ୍ୟ ଏହାର ଅନ୍ୟତମ କାରଣ ବୋଲି ଆପଣ ମନେକରନ୍ତି କି?
ବୈ: ହଁ, ମୁଁ ଏକମତ। ପାଠକ କହିଲେ ଲୋକେ। ତାଙ୍କର ଯେଉଁ ଆବଶ୍ଯକତା ବା ଖୋରାକ ଦରକାର ତାହା ସେମାନେ ପାଇପାରୁନାହାନ୍ତି। ଏବେ ବି ଆପଣ ଗାଁଗହଳିକୁ ଗଲେ ଲକ୍ଷ୍ୟ କରିବେ, ସେମାନେ କାହିଁକି ଭୀମ ଭୋଇ ବା ଅଚ୍ୟୁତାନନ୍ଦଙ୍କ ଭଜନ ବୋଲୁଛନ୍ତି; ଭାଗବତ କାହିଁକି ଶୁଣୁଛନ୍ତି! କାହିଁକି ଅନ୍ଯ ସବୁକୁ ପଢୁନାହାନ୍ତି? ସେ ଦୃଷ୍ଟିରୁ ଆମକୁ ଚିନ୍ତା କରିବାକୁ ହେବ। ଆମେ ଭୂମିଟାକୁ ଛାଡ଼ିଦେଇ ଉପରେ ଉଡ଼ିଲୁ। ଉପରେ ଉଡିବା ଲୋକଟି କ’ଣ ଭୂମିର ସ୍ପନ୍ଦନ ଅନୁଭବ କରିପାରେ? ଅବଶ୍ୟ ଏବେ କେତେକ ନୂଆ ନୂଆ କବି ଓ ଲେଖକଙ୍କୁ ମଧ୍ୟ ଲୋକେ ପଢିବାରେ ଆଗ୍ରହୀ ହେଲେଣି।
ସା – କେଉଁ କାରଣରୁ ଲୋକେ ଏମାନଙ୍କୁ ପଢୁଛନ୍ତି ବୋଲି ଆପଣ ଭାବନ୍ତି?
ବୈ – କବିତା ଓ ଗଳ୍ପରେ ଲୋକେ ଚାହାନ୍ତି ସାଂଗୀତିକତା। ସଂଗୀତ ନୁହେଁ, ମୁଁ ମ୍ୟୁଜିକାଲିଟି କଥା କହୁଛି। କାରଣ ଗୋଟିଏ ଗଳ୍ପର ବସ୍ତୁଗତ ଚିତ୍ରରୁ ରୂପ ନିଏ ଭାବ, ଭାବକୁ ନେଇ ଗତି ଓ ଗତିରୁ ଆସେ ସାଂଗୀତିକତା। ଏହା ଗଳ୍ପ, ଉପନ୍ୟାସ ସବୁଥିରେ ରହିବା କଥା। କିନ୍ତୁ ଯେତେବେଳେ ତାହା କେବଳ ଗଦ୍ୟାତ୍ମକ ହୋଇଯାଏ, ଲୋକେ ତା’କୁ ପଢନ୍ତିନାହିଁ।
ସା: ଆପଣ କହିବାର କଥା, ଗଳ୍ପ ଓ କବିତାରେ ସାଂଗୀତିକତା ବା ଭାବଗତ ଛନ୍ଦ ନାହିଁ।
ବୈ – ନା ନା, ମୁଁ କହିବା କଥା ଯେ ଏଇଟା ନଥିଲା। ଏବେ କେତେକ ଲେଖାରେ ଏହା ଧୀରେ ଧୀରେ ଆସିଲାଣି। ଲେଖକମାନେ ଏ କଥା ଭାବିଲେଣି।
ସା- ସାହିତ୍ୟ ରେ ସାଂଗୀତିକତା କଥା ଆପଣ ଯାହା କହିଲେ, ଏହା ଶୁଣି ଗୋଟିଏ କଥା ଆମ ମନକୁ ଆସୁଛି: ବର୍ତ୍ତମାନର କବିତାରେ ଛନ୍ଦ ଓ ମିତ୍ରାକ୍ଷରର ମଧ୍ଯ ପୁନରାବର୍ତ୍ତନ ଘଟିଲାଣି। ଏହାକୁ ଏକ ଶୁଭ ଲକ୍ଷଣ ବୋଲି ଆପଣ ଭାବନ୍ତି କି?
ବୈ – ଶୁଭ ଲକ୍ଷଣ ନିଶ୍ଚୟ। କବିତା ଏକ ସରଳ ଦିଗ ଆଡ଼କୁ ଗତି କଲାଣି, ଏହା ମୁଁ ଲକ୍ଷ୍ୟ କରୁଛି, ଏବଂ ଲୋକେ ଏହାକୁ କେମିତି ପଢ଼ିବେ ସେଥିପ୍ରତି ସଚେତନତା ଆସିଲାଣି। ଗଳ୍ପ ଭିତରେ ବି ‘କାହାଣୀ’ର ପୁନଃଆଵିର୍ଭାବ ହେଲାଣି। ଏହା ଭଲ କଥା।
ସା – ତେବେ ଆପଣ କହିବା କଥା ଯେ ଆମ ଭାଷାରେ ରଚିତ ଗଳ୍ପ ଉଚ୍ଚସ୍ତରକୁ ଗଲାଣି।
ବୈ – ମୋର ମତ ହେଲା, ଭାରତବର୍ଷରେ ବିଭିନ୍ନ ଭାଷାରେ ଯେତେ ଗଳ୍ପ ଲେଖାହୋଇଛି ତାହାଠାରୁ ଆମର ଗଳ୍ପ କୌଣସି ଗୁଣରେ ନ୍ୟୂନ ନୁହେଁ। କିନ୍ତୁ ସମସ୍ୟା ହେଲା ତାହା ପାଠକ ପାଖରେ ପହଂଚି ପାରୁନାହିଁ।
ସା – ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ବ୍ୟତୀତ ଆପଣ ଅନେକ ସୃଜନାତ୍ମକ ସାହିତ୍ୟ ବି ରଚନା କରିଛନ୍ତି, ଯେମିତି ଆପଣଙ୍କ ଗଳ୍ପ ସଂକଳନ ‘ଏକା ଏକା ନକ୍ଷତ୍ର’ ଓ ‘ଶେଷ ଶୃଙ୍ଗାର’। ଆପଣ ଅନେକ କବିତାର ମଧ୍ୟ ଜଣେ ସଫଳ ସ୍ରଷ୍ଟା। ଜଣେ ସମାଲୋଚକ ହିସାବରେ ବାହାରେ ଥାଇ ସାହିତ୍ୟ ବିଷୟରେ ଲେଖିବା ଏବଂ ନିଜେ ସେହି ସର୍ଜନା ପ୍ରକ୍ରିୟାର ଅଂଶ ହେବା, ଏ ଦୁଇଟିରୁ ଆପଣ କେଉଁଟିରୁ ସାରସ୍ବତ ଆନନ୍ଦ ଅଧିକ ଅନୁଭବ କରନ୍ତି?
ବୈ – ପ୍ରକୃତରେ ସର୍ଜନାତ୍ମକ ସାହିତ୍ୟରୁ ଅଧିକ ଆନନ୍ଦ ମିଳେ। ଅବଶ୍ୟ ମୋ ବିଚାରରେ ସମାଲୋଚନା ମଧ୍ୟ ଏକ ସୃଜନଶୀଳ ଲେଖା। ଏହାକୁ କାହିଁକି ଏପରି ମାନ୍ୟତା ଦିଆଯାଇନାହିଁ ମୁଁ ବୁଝିପାରେନାହିଁ।
ସା – ବିଶ୍ବଭାରତୀ ଭଳି ସ୍ବନାମଧନ୍ଯ ବିଶ୍ବବିଦ୍ୟାଳୟରେ ଆପଣ ଅଧ୍ଯାପନା କରିଛନ୍ତି। କେମିତି ଥିଲା ଆପଣଙ୍କ ଅନୁଭବ?
ବୈ – ବିଶ୍ବଭାରତୀରେ ମୁଁ ସାତ ବର୍ଷ କଟାଇଛି। ସେ ସମୟରେ ଯାହା ଦେଖିଥିଲି ତା ଏବେ ନାହିଁ। ସେ ପରମ୍ପରା ଗଲାଣି। ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ଯେଉଁ ବାସ୍ନା ଥିଲା, ଅଦୃଶ୍ୟ ଅଶରୀରି ସେ ବାସ୍ନା, ତାହା ଗଡ଼ିଗଡ଼ି ଆସିଥିଲା। ଆମେ ଥିବା ପର୍ଯ୍ୟନ୍ତ ତାହା ଅନୁଭବ କରୁଥିଲୁ। ପରେ ଧୀରେଧୀରେ କମିଗଲା। ଏହାର କାରଣ ହେଲା ଶିକ୍ଷାଟା ଗୋଟିଏ ବିପଣିରେ ପରିଣତ ହୋଇଯିବା। ଶିକ୍ଷା, ଧର୍ମ, ସାହିତ୍ୟ ରାଜନୀତି – ସବୁ ବାଟବଣା ହୋଇଗଲାଣି।
ସା : ଏ ଯୁଗର ନବୀନ ଲେଖକଙ୍କ ପାଇଁ ବାର୍ତ୍ତାଟିଏ ଦେବେ କି!
ବୈ – ନବୀନ ଲେଖକଙ୍କ ପାଇଁ ବାର୍ତ୍ତା ଦେବାକୁ ମୁଁ ଯୋଗ୍ୟ ନୁହେଁ। କାରଣ ଲେଖକ ବାର୍ତ୍ତା ଦିଏନାହିଁ, ବରଂ ସ୍ବତଃସ୍ଫୁର୍ତ୍ତ ଭାବରେ ଲେଖେ। ତେବେ ମୁଁ ଲକ୍ଷ୍ୟ କରୁଛି ଯେଉଁମାନେ ନୂଆନୂଆ ଲେଖୁଛନ୍ତି, ଅର୍ଥାତ ନବୀନ ଲେଖକ, ସେମାନଙ୍କ ମଧ୍ୟରେ କିଛି ଜାଣିବା ପାଇଁ ଏବଂ ଉତ୍କର୍ଷ ହାସଲ ପାଇଁ ଆଗ୍ରହ ସୃଷ୍ଟି ହେଲାଣି। ସବୁ ଭିତରେ ମୂଳ କଥାଟି ହେଲା ଓଡିଆ ଭାଷା। ଆମ ଭାଷାର ସଙ୍କଟ କଥା ତ ଆପଣ ଜାଣିଛନ୍ତି।
ସା – ଆପଣ ତେବେ ଏକମତ ଯେ ଆମ ଭାଷା ଭିତରକୁ ସଙ୍କଟ ଘନେଇ ଆସୁଛି।
ବୈ – ହଁ, ସଙ୍କଟ ଘନେଇ ଆସୁଛି।
ସା : ଆପଣଙ୍କ ସହିତ ଆଜିର ଆଲୋଚନାଟି ବହୁତ ପ୍ରେରଣାପ୍ରଦ। ଏଥିପାଇଁ ଆପଣଙ୍କୁ ବିଶେଷ ଧନ୍ୟବାଦ।

  • ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅଗଷ୍ଟ ୨୦୨୧ ସଂଖ୍ୟାରେ ପ୍ରକାଶିତ।

2 thoughts on “ଯଶସ୍ବୀ ସାହିତ୍ୟ ସାଧକ ଡ଼. ବୈଷ୍ଣବ ଚରଣ ସାମଲଙ୍କ ସହ କେତୋଟି ମୁହୂର୍ତ୍ତ

  1. ସାହିତ୍ୟ ଚର୍ଚ୍ଚା ପରିବାର

    ବୈଷ୍ଣବ ମହାଶୟଙ୍କ
    ଏହି ଆଲୋଚନା ଅତି ଶିକ୍ଷାପ୍ରଦ ଓ ତଥ୍ୟ ସମ୍ବଳିତ।
    କେବଳ ପଠନ ନୁହଁ ଏହାର ଅନ୍ତର୍ନିହିତ ଭାବବୋଧ ବୁଝି, ଓଡ଼ିଆ ସାହିତ୍ୟକୁ ସମୃଦ୍ଧି ଓ ପ୍ରଶସ୍ତିର ବଡ଼ଦାଣ୍ଡରେ ଆଗେଇନେବାକୁ ହେବ।

    ଉଭୟଙ୍କୁ ଶ୍ରଦ୍ଧା ସୁମନାସ।
    -ପ୍ରଭୂ

  2. ହରିବନ୍ଧୁ ମଙ୍ଗରାଜ, ଦୂରଭାଷ, ନଂ 9937138399 says:

    ଓଁ ଗୁରୁଃ ହରେ, ବର୍ତମାନ ଓଡ଼ିଆ ସାହିତ୍ୟରେ ମୁହଁ ଦେଖା ଚାଲିଛି, ଗୋଟାଏ ଗ୍ରୁପିଜିମ୍ ରେ ପାଠକ ପାଠିକା ନିଜ ମତାମତ ଦିଆନିଆରେ ଚାଲିଛି। ଭୁଲି ଗଲେଣି ନିଜ ପରମ୍ପରାକୁ, ଭୁଲି ଗଲେଣି ପୂଜ୍ୟ ପୂଜାକୁ। ବର୍ତମାନ ଯୁବପିଢ଼ି ଗଦ୍ୟମୁଖୀ ହୋଇ, ନିଜ ନିଜର କାଳ୍ପନିକ ଭାବ ଧାରାରେ ସ୍ୱ-ଅନୁସନ୍ଧାନରେ ପାଳ ପକେଇ ନିଜକୁ ନିଜେ ଉଚ୍ଚା ହେଉଛନ୍ତି। ଏହାକୁ ନିଶ୍ଚେ ଭବିଷ୍ୟତ ବିଚାର କରିବ। ଆତ୍ମନଥାଇ କି କଳେବର, ବର୍ତ୍ତମାନ ଓଡ଼ିଆ ସାହିତ୍ୟର ଆତ୍ମା ନଥିଲା ପରି ମନହୁଏ… ଠା ନଥାଇ ବ୍ୟଞ୍ଜନ ପରି, ସେହିଭଳି ସଙ୍ଗୀତ ନଥାଇ କି ସାହିତ୍ୟ…? ଭୁଲି ଗଲେଣି ପୂର୍ଵଶୂର ମାନଙ୍କୁ, ଶାରଳା ଦାସ, ପଞ୍ଚସଖା, ବ୍ୟାସ କବି, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, କବିସୂର୍ଯ୍ୟ, ଗଙ୍ଗାଧର ମେହେର, ପଲ୍ଲୀ କବି ନନ୍ଦ କିଶୋର ବଳ। ଦେଖା ଯାଉ କେଉଁ ପାଣି କେତେ ଦୂର ଯାଉଛି, ସମୟ କହିବ…….

Leave a Reply

Your email address will not be published. Required fields are marked *