ସାହିତ୍ୟର ସ୍ଥାନ-କାଳ-ପାତ୍ର

ଏହି ପ୍ରସଙ୍ଗଟିର ଆଲୋଚନା କରିବାକୁ ଯିବାବେଳେ ମନକୁ ଆସେ ଏକଦା ମୁମ୍ବଇର ବିଶିଷ୍ଟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ ମହାଶୟ ବଖାଣିଥିବା ନିଜ ଅଙ୍ଗେନିଭା ଅନୁଭୂତି। ସେ କହିଥିଲେ ଯେ ତା’ଙ୍କ ଭଳି ସୁପରିଚିତ ହାସ୍ୟ କଳାକାରଙ୍କୁ ସାମନାରେ ପାଇଲେ ବନ୍ଧୁ ବା ପରିଜନ ବର୍ଗ ଯତ୍ରତତ୍ର ସ୍ଥାନ-କାଳ-ପାତ୍ର ନିର୍ବିଶେଷରେ ତା’ଙ୍କୁ ଜୋକ୍ ଟିଏ ଶୁଣାଇବାର ଅନୁରୋଧ କରିପକାନ୍ତି। ଏପରିକି କେବେ କୌଣସି ସାର୍ବଜନିକ ଶୌଚାଳୟର ଅର୍ଦ୍ଧମୁକ୍ତ ଖୁଆଡ଼ରେ ଠିଆହୋଇ ପ୍ରକୃତିର ତାଡ଼ନା ହାଲୁକା କରୁଥିବାବେଳେ ପାଖ ଖୁଆଡ଼ଟିରେ ସମ କର୍ମରେ ଲିପ୍ତ ଥିବା ଅପରିଚିତ ବ୍ୟକ୍ତିଟିଏ ତାଙ୍କୁ ଚିହ୍ନିପକାଇ ତୁରନ୍ତ ବରାଦଟିଏ କରିପକାଏ, “ଆରେ ରାଜୁ ସାହେବ୍, ଆପଣ ଏଠି? ତେବେ ଗୋଟିଏ ଜୋକ୍ ହୋଇଯାଉନା!”
କହିବା ବାହୁଲ୍ୟ, ସେ ଅଭିନେତା ହୁଅନ୍ତୁ, ବା କଣ୍ଠ ଶିଳ୍ପୀ, ଅବା ଚିତ୍ରକର ସମସ୍ତେ ଅଳ୍ପ ବହୁତେ ଏମନ୍ତ ଦଶାର ଶୀକାର ହୁଅନ୍ତି। ଏ ସଭିଙ୍କ ଘରୋଇ ବା ବ୍ୟକ୍ତିଗତ ସମୟ ଭିତରକୁ ଅକାଳେ ସକାଳେ ଏମିତି ଆଶୁ ବରାଦମାନ ଧସେଇ ପଶି ଅଡୁଆ ପରିସ୍ଥିତି ସୃଷ୍ଟି କରିଥା’ନ୍ତି। ତେବେ ଆମେ ସାହିତ୍ୟ ପତ୍ରିକାଟିଏ ହୋଇଥିବାର କାରଣରୁ ଆମ ଲେଖକ ଓ କବି ବନ୍ଧୁମାନେ ସମୟ ସମୟରେ ସମ୍ମୁଖୀନ ହେଉଥିବା ଏହିଭଳି ଅପ୍ରୀତିକର ପରିସ୍ଥିତିମାନଙ୍କର କଥା କହିବୁ।
ଆମ ଯୁଗରେ କବିତାକୁ ଯେଉଁମାନେ ଏକ ସୁଲଭ୍ୟ ଓ ବରାଦିଆ ମାଧ୍ୟମରେ ପରିଣତ କରିଦେଇଛନ୍ତି ସେମାନେ ଯେ ସାହିତ୍ୟ ଭଳି ଏକ ମହାନ ସାରସ୍ବତ ପରଂପରାର ଗରିମା କିଭଳି କ୍ଷୁର୍ଣ୍ଣ କରନ୍ତି ସେଥିପ୍ରତି ବୋଧହୁଏ ସଚେତନ ନୁହନ୍ତି କିମ୍ବା ସଚେତନ ଥିଲେ ମଧ୍ୟ ସେଥିପ୍ରତି ସେମାନଙ୍କ ପରୁଆ ନଥାଏ। କୌଣସି ସାମାଜିକ, ସାଂସ୍ଖୃତିକ ବା ଏପରିକି ରାଜନୈତିକ ସଭାରେ କବି ଜଣଙ୍କୁ ସାମନାରେ ପାଇ ମାଇକ୍ ଅକ୍ତିଆର କରିଥିବା ଉପସ୍ଥାପକ ଜଣକ ଅନୁରୋଧ କରିପକାନ୍ତି, “ସୌଭାଗ୍ୟର କଥା, ଆଜି ଆମ ଗହଣରେ ବିଶିଷ୍ଟ କବି ଶ୍ରୀଯୁକ୍ତ ଅମୁକ ଉପସ୍ଥିତ ଅଛନ୍ତି। ତାଙ୍କଠାରୁ ହୋଇଯାଉ ଆଜିର ଏହି ମ୍ୟୁନିସିପାଲିଟି ଡ୍ରେନ୍ ଉଦ୍ଘାଟନ ଉପଲକ୍ଷେ କବିତାଟିଏ।” ବିଚରା କବି ଜଣକ ଅନନ୍ୟୋପାୟ ହୋଇ ଯେଣତେଣ ପ୍ରକାରେ ନିଜର ଗଳା ଝାଡି କବିତାଟିଏ ଆରମ୍ଭ କରନ୍ତେ ପ୍ରଥମ ପଂକ୍ତିଟି ହିଁ ନ ସାରୁଣୁ ଆରମ୍ଭ ହୋଇଯାଏ “ଓ୍ବା ….ଓ୍ବା” ରାବ। ତତ୍ପରେ କବିତା ପାଠର ଦାଉରେ ଅତିଷ୍ଠ ହୋଇପଡ଼ିଥିବା ଶ୍ରୋତାଙ୍କ ମଧ୍ଯରୁ ଦଳେ ମଝିମଝିରେ ଆରମ୍ଭ କରନ୍ତି ଘନଘନ କରତାଳି। ଉଦ୍ଦେଶ୍ୟ, “ତୁମର ଏ କବିତା ପଢାରେ ଆମକୁ ଆଉ ବିରକ୍ତ ନ କରି ଶୀଘ୍ର ବସିପଡ଼, ହୋ।” ଏ ହେଲା ଆମ ସମାଜର ବାଟଘାଟରେ କବିତାର ବିକଳ ଦୁର୍ଦ୍ଦଶା।
କବି ଓ କବିତାର ଆଉ ଏକ ବିଚିତ୍ର ଅବସ୍ଥା ଆହୁରି ମଧ୍ୟ ଦୃଷ୍ଟିରେ ପଡେ ଆମର ସୋସିଆଲ ମିଡ଼ିଆ ରେ। କେତେକ ହ୍ବାଟସଆପ୍ ଗୋଷ୍ଠୀରେ ସେହି ଗ୍ରୁପ୍ ର ସୂତ୍ରଧର ମହାଶୟ ସବିନୟ ଅନୁରୋଧଟିଏ କରିପକାନ୍ତି, “ଆଜି ବିଶ୍ବ ସାଇକେଲ୍ ଦିବସ ଉପଲକ୍ଷେ ଆମ ଗ୍ରୁପ୍ ର ସଦସ୍ୟ ଓ କବି ଶ୍ରୀଯୁକ୍ତ ଢ଼ମୁକ ଏହି ଦୁଇଚକିଆ ଯାନ ଉପରେ ଲେଖନ୍ତୁ ଆଶୁ କବିତାଟିଏ।” ବରାଦଟି ପାଇ କବି ଜଣକ ଗଳଦଘର୍ମ ହୋଇ କୌଣସିମତେ କବିତାଟିଏ ରରନାକରି ସ୍ଥାନିତ କରନ୍ତେ, ଦେଖନ୍ତି ଯେ ସେଠାରେ ତା’ଙ୍କ ଲେଖାକୁ କେହି ବାସି ପାଣିରେ ମଧ୍ୟ ପଚାରନ୍ତି ନାହିଁ ଏବଂ ଏପରିକି ସେଇଟି ପଢି ମତାମତ ଧାଡିଏ ଲେଖିବା ପାଇଁ ବି କାହାର କାଣିଚାଏ ମଧ୍ୟ ଆଗ୍ରହ ନଥାଏ। ବରଂ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ଥାଏ ସେଠାରେ ପୋଷ୍ଟ ହୋଇଥିବା କାହାର ଜନ୍ମଦିନ କେକ୍ ଉପରେ ଯାହା ପ୍ରତି ଅବାରିତ ଭାବରେ ଶହଶହ ମନ୍ତବ୍ୟ ଓ ଇମୋଜୀ ଚିହ୍ନମାନ ଅଜାଡି ହୋଇପଡୁଥାଏ। କବିତାଟି ସେଠି ଅବହେଳିତ ଭାବରେ ଏକୁଟିଆ ଛଟପଟ ହେଉଥାଏ ଯାହା! ସେହିପରି ଫେସବୁକ୍ ରେ ମଧ୍ୟ ଆମ କବି ବନ୍ଧୁମାନେ ଭୋଗନ୍ତି ସମଦଶା। ସେଥିରେ ମଧ୍ୟ ସେମାନେ ରାଶିରାଶି କବିତାମାନ ପୋଷ୍ଟ୍ କରିଥିବା ଦେଖିବାକୁ ମିଳେ। କବିଙ୍କର ଭାଗ୍ୟ ଟାଣ ଥିଲେ ଏସବୁକୁ ମିଳେ ଅନେକ ‘ଲାଇକ୍’ ଓ ହାତମୁଠାର ବୃଦ୍ଧାଙ୍ଗୁଳି ସୂଚିତ ଇମୋଜୀ ଚିହ୍ନମାନ। ଅବଶ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆସିଥିଏ କଥିତ କବିଙ୍କର ବ୍ୟକ୍ତିଗତ ବନ୍ଧୁ, ପରିଜନ ବା ଅଧୀନସ୍ଥ କର୍ମଚାରୀଙ୍କ ପକ୍ଷରୁ ଯେଉଁମାନେ କବିତାଟିକୁ ବୁଝିବା ତ ଦୂରର କଥା, ସେଇଟିକୁ ଥରଟିଏ ଆଗ୍ରହରେ ପଢି ବି ନଥାନ୍ତି।
ଜନମାନସରେ କବିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତିଗୁଡ଼ିକପ୍ରତି ସମ୍ମାନ ଫେରାଇଆଣି ତାହାର ଗରିମାକୁ ପୁନଃ ପ୍ରତିଷ୍ଠିତ କରିବା ଯେ ଆଜି ଏକ ପ୍ରମୁଖ ଆହ୍ବାନ ଏହା କବିକୁଳ ଅନୁଭବ କରିବା ଉଚିତ। କବିତା ଯେ ଆଜି ଅଯାଗାରେ ସ୍ଥାନ ପାଇ ସ୍ଥଳବିଶେଷରେ ନିଜର ପାଠକୀୟତା ହରାଇବା ସହ ଲୋକହସା ହେଉଛି ଏଥିପାଇଁ ସଂପୃକ୍ତ କବିମାନେହିଁ ବିଶେଷ ଭାବରେ ଦାୟୀ। ଯେଉଁଠାରେ କବିତାର ସମାଦର ଓ ରସଗ୍ରାହୀତା ନାହିଁ ସେଠାରେ ନିଜର ରଚନାମାନ ସ୍ଥାନିତ କରି କବିଗଣ ନିଜର ପବିତ୍ର ସୃଷ୍ଟିକୁ ଯେ କାହିଁକି ଅପଦସ୍ଥ କାହିଁକି କରାନ୍ତି ବୁଝି ହୁଏନାହିଁ। ମନେ ପଡେ, ବହୁକାଳ ପୂର୍ବେ ମହାକବି କାଳିଦାସ ଏ ପ୍ରସଙ୍ଗରେ କହିଥିବା ପଦଟିଏ :
“… ଅରସିକେଷୁ କବିତ୍ବ ନିବେଦନଂ ଶିରସି ମା ଲିଖ ମା ଲିଖ।”
ଅର୍ଥାତ୍, ହେ ପ୍ରଭୁ! ଅରସିକଙ୍କ ସାମନାରେ ନିଜର କାବ୍ୟ ପରିବେଷଣ କରିବାର ଦୁର୍ଯୋଗ ମୋତେ କେବେ ବି ନ ଜୁଟୁ।
ସମୟ ଆସିଛି, ଆମର ସାରସ୍ବତ ସ୍ରଷ୍ଟାଗଣ ମହାକବିଙ୍କର ଏହି ବାଣୀର ମର୍ମକୁ ଆତ୍ମସ୍ଥ କରି ନିଜ ରଚନାସମଗ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ହେତୁ ସଜାଗ ହେବେ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅଗଷ୍ଟ ୨୦୨୧ ସଂଖ୍ୟାରେ ପ୍ରକାଶିତ ସଂପାଦକୀୟ।)

3 thoughts on “ସାହିତ୍ୟର ସ୍ଥାନ-କାଳ-ପାତ୍ର

  1. କଥାରେ ଅଛି, ଭଣ୍ଡାରି ଦେଖିଲେ ନଖ କଅଁଳେ । ଡାକ୍ତରଙ୍କର ବି ସେହି ଅବସ୍ଥା ଆଜ୍ଞା । ଅଙ୍ଗେ ଲିଭାଇଛି ।

  2. (‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମୁଦ୍ରିତ ସଂସ୍କରଣ, ଅଗଷ୍ଟ ୨୦୨୧ ସଂଖ୍ୟାରେ ପ୍ରକାଶିତ ସଂପାଦକୀୟ।)* ଏହି ମୁଦ୍ରିତ ସଂସ୍କରଣଟି କେଉଁଠାରେ ଉପଲବ୍ଧ ହେଉଛି ? ଜଣାନ୍ତୁ।

Leave a Reply

Your email address will not be published. Required fields are marked *