ଧରଣୀ ରାଣୀର ବ୍ୟଥା

  • କୁମ୍ଭାର ଭାଇ ପୃଥିବୀ ବୁକୁରେ ଥିବା ମାଟିକୁ ଦଳିଚକଟି ଏବଂ ଜାଳିପୋଡି ସୁନ୍ଦର ଦୀପଟିଏର ରୂପ ଦିଏ। ତେବେ ଏହା ପଛରେ କ’ଣ ଥାଏ ଧରଣୀ ରାଣୀର ମନୋବେଦନା? ଆସନ୍ତୁ ପଢିବା ଏହା ବିଷୟରେ କବିତାଟିଏ।
ଅଳକା ନନ୍ଦ

ସକାଳର ମିଠାଶୀତଳ ପବନ,
ଖାଇ ଦେଖୁଥିଲି ମିଠା ସପନ।
କାକର ମାଉସୀ ଥଣ୍ଡା ପରଶ,
କରୁଥିଲା ମୋର ମନ ହରଷ। (୧)
ଶୋଇଥିଲି କେଡେ ନିଶ୍ଚିନ୍ତ ହୋଇ,
କୁଆଡୁ ଆସିଲା କୁମ୍ଭାର ଭାଇ।
ହାତରେ କୋଦାଳ ଫାଉଡା ଧରି,
ସଙ୍ଗେ ଆଣିଥିଲା ଲୋକ ଦି ଚାରି। (୨)

ଫାଉଡା କୋଦାଳ ଧରି ଦି ହାତେ,
ସଭିଏଁ ବିଦାରି ପକେଇ ମତେ।
ହାଣି ପକେଇ ଲେ ଶରୀର ଟାକୁ,
ରକତେ ଗାଧେଇ ମୋ ଦେହକୁ। (୩)
କଲେ ଛାରଖାର ଦେହ କୁ ମୋର,
ଟୋକେଇ ରେ ଲଦି କ୍ଷତ ଶରୀର।
ଟେକି ନେଲା କୁମ୍ଭାର ତା ଘରକୁ,
କଚାଡି ଦେଲା ମୋ ଶରୀର ଟାକୁ। (୪)
ଗୋଇଠା ଚାପୁଡା କେତେ ମାରିଲା,
ପାଦ ରେ ଚକଟି ଦଳି ବି ଦେଲା।
ତଥାପି ମନ ତା ମାନିଲା ନାହିଁ,
ଚକି ରେ ମତେ ସେ ଦେଲା ପୁରାଇ। (୫)
ଘିରିଘିରି ହେଇ ଘୁରିଲା ମଥା,
କିଏ ବା ଶୁଣୁଚି ମୋ ଦୁଃଖ ଗାଥା?
ହାତ ରେ ଚାପୁଡା ମାରିମାରି କା,
ରଖିଲା ତଳେ ସେ ଗୋଟି ଗୋଟିକା। (୬)

ତଥାପି ମନ ତା ମାନିଲା ନାହିଁ,
ପକେଇଲା ମତେ ନିଆଁ ରେ ନେଇ।
ନିଷ୍ଠୁର ମନା ସେ ପୋଡିଲା ମତେ,
ଛଟପଟ ହେଉ ଥିଲି ମୁଁ କେତେ। (୭)
ଜାଳି ପୋଡି ମତେ ବାହାର କଲା,
ଗୋଟିଗୋଟି କରି ସଜାଇ ଦେଲା।
ବାଟୋଇ ମାନଙ୍କୁ ପାଖକୁ ଡାକି,
ମତେ ସେମାନଙ୍କୁ ଦେଲା ଯେ ବିକି। (୮)
ମନ କୁ ବୁଝାଇ ହେଲି ମୁଁ ଶାନ୍ତି,
ନିଜେ ଜଳି ଦେଲି ଆଲୁଅ ନିତି।
ଦୀପ ଟିଏ ହେଇ ଜନମ ନେଲି,
ପର ଘରେ ଯାଇ ଆଲୁଅ କଲି। (୯)
ଠାକୁର ଙ୍କ ପାଦ ତଳେ ରହିଲି,
ନିଜକୁ ସୌଭାଗ୍ୟବତୀ ମଣିଲି।
ନିଜେ ଜଳି ସୁଖ ଅନ୍ୟ କୁ ଦବା,
କୁମ୍ଭାର ଭାଇ କି ଜାଣିବ ଅବା? (୧୦)
ମୁଁ ଜାଣେ ମୋର ଭାଗ୍ଯ ଲିଖନ,
କରିବ କାଲି ମତେ ବିସର୍ଜନ।
ମାଟିରୁ ଆସିଚି ମାଟିରେ ମିଶିବି
ପୁଣି କୁମ୍ଭାର ହାତେ ପଡିବି (୧୧)
କିଆଁ କରିବି ମୁଁ ମନେ ଗୁମାନ ,
କ୍ଷଣ ସ୍ଥାୟୀ ମୋର ଏଇ ଜୀବନ।
ପର ପାଇଁ ଜନ୍ମ ଜୀବନ ମୋର,
ଏଇ ହେଲା ମୋର ଜୀବନ ଚକ୍ର,
ସାରଥୀ ହେଲା ସେ ଭାଇ କୁମ୍ଭାର,
କରେ ତାକୁ ମୁଁ ଶତ ଜୁହାର। (୧୨)

6 thoughts on “ଧରଣୀ ରାଣୀର ବ୍ୟଥା

  1. ବହୁତ ସୁନ୍ଦର ବର୍ଣ୍ଣନା

  2. ଆନ୍ତରିକ ଧନ୍ୟବାଦ ଏବଂ ଆଶୀର୍ବାଦ ସମସ୍ତ ଙ୍କୁ।ଏବେ ଟିପ୍ପଣୀ ଦେଖିଲି ।

Leave a Reply

Your email address will not be published. Required fields are marked *