ବାପା

  • ପିଲାଟି ରାହା ଧରି କାନ୍ଦୁଥିଲା। ହେଲେ ବାପା କଣ ସତରେ ଥିଲେ ନିଷ୍ଠୁର? ପଢନ୍ତୁ, ଗାଳ୍ପିକ ବିଜୟକୃଷ୍ଣ ପଟ୍ଟନାୟକଙ୍କ କଲମରୁ ମିନି ଗଳ୍ପଟିଏ।
ବିଜୟକୃଷ୍ଣ ପଟ୍ଟନାୟକ

ନୂଆ ନୂଆ ଚାଲି ଶିଖୁଥିବା ଶିଶୁଟି ପାଦେ-ଦୁଇ ପାଦ ଚାଲି ଲଥ୍ କରି ବସି ପଡୁଥିଲା। ଚାରି ଆଡକୁ ବିକଳରେ ଚାହୁଁଥିଲା। ଏତିକିରେ ମାଆ ମନ ଭାଆରି ବ୍ୟସ୍ତ! ଥରେ ପଡ଼ିବା ମାତ୍ରେ ମାଆ ଦଉଡ଼ି ଆସେ … ତାକୁ କୋଳେଇ ନିଏ… ମାଆର ଉଷୁମ୍ କୋଳରେ ଶିଶୁଟି ସୁରକ୍ଷିତ।
କିନ୍ତୁ ଶିଶୁଟିର ବାପା କେଇ ପାଦ ଆଗରେ ଠିଆ ହୋଇ ଡାକୁଥିଲେ ଆଦରରେ… ତାକୁ ଲମ୍ବା ଚାଲି ପାଇଁ ଉତ୍ସାହିତ କରୁଥିଲେ …।
ସେ ଦିନ ଏଇମିତି କେଇ ପାଦ ଚାଲୁ ଚାଲୁ ପଡ଼ି ଯାଉଥିବା ଶିଶୁଟି ନଜରରେ ପଡ଼ିଲା ପିମ୍ପୁଡ଼ି ଧାଡ଼ିଟିଏ । କୁତୁହଳୀ ଶିଶୁଟି କୋମଳ ପାଦରେ ବଢିଚାଲିଲା ସେହି ପିମ୍ପୁଡ଼ି ଧାଡ଼ି ଆଡ଼କୁ …


ଅଳ୍ପ ଦୂରରେ ଠିଆହୋଇ ଶିଶୁଟିର ଏଇ ଚାଲିବା ଚେଷ୍ଟା ଦେଖି ଆମୋଦିତ ହେଉଥିବା ତା’ର ଦାଦା ବ୍ୟସ୍ତ ହୋଇ ଅଟକାଇବାକୁ ତତ୍ପର ହୋଇ ପଡନ୍ତେ, ଇସାରାରେ ତାଙ୍କୁ ଅଟକାଇଲେ ବାପା। ଆଶ୍ଚର୍ଯ୍ୟରେ ଚାହିଁ ରହିଥିଲେ ଦାଦା। ଏହା ମଧ୍ୟରେ ଶିଶୁଟି ଖୁବ୍ ଉତ୍ସାହରେ ପହଞ୍ଚି ଯାଇଥିଲା ପିମ୍ପୁଡ଼ି ଧାଡ଼ି ପାଖରେ। କିଛି ସମୟ ହସ ହସ ମୁହଁରେ ନିରୀକ୍ଷଣ କଲାପରେ ନିଜ କୋମଳ ‌ହାତରେ ଆଘାତ କଲା ସେଇ ପିମ୍ପୁଡ଼ି ଧାଡ଼ି ଉପରେ….
ଓଃ! ବିଚଳିତ ଦାଦା ଧୈର୍ଯ୍ୟଚ୍ୟୁତ ! ବିରକ୍ତରେ ଭାଇଙ୍କୁ ଦେଖୁ ଦେଖୁ ଦଉଡ଼ି ଆସିଲେ ଶିଶୁଟି ପାଖକୁ।
ଭାଇଙ୍କ ନୀରବତାକୁ ନେଇ ମନରେ ଅସନ୍ତୋଷ! ହେଲେ,ଇସାରାରେ ପୁଣି ଥରେ ତାଙ୍କୁ ଅଟକାଇ ଦେଲେ ବାପା!
କେଇ ପାଦ ପାଖେଇ ଆସିଥିବା ବାପା ସତର୍କତା ସହ ଚାହିଁ ରହିଥିଲେ ଶିଶୁଟିକୁ…
ଶିଶୁଟି ପିମ୍ପୁଡ଼ି ଧାଡ଼ି ଉପରେ ପୁଣି ଥରେ ଆଘାତ କଲା …। ଦୁଇ ଚାରିଟି ପିମ୍ପୁଡ଼ି କାମୁଡି ଧରିଲେ ଶିଶୁଟିର କୋମଳ ହାତକୁ…
କାନ୍ଦି ଉଠିଲା ଶିଶୁଟି….
କ୍ଷଣିକରେ ଉଠାଇ ନେଲେ ବାପା। ଆସ୍ତେ ଆସ୍ତେ ସବୁ ପିମ୍ପୁଡ଼ିଙ୍କୁ ଶିଶୁଟିର ହାତରୁ ବାହାର କରୁକରୁ ଗେଲ କରି ତୁନାଇବା ପାଇଁ ଚେଷ୍ଟା କରୁଥିଲେ …। ତଥାପି ସେ ରାହା ଧରି କାନ୍ଦୁଥିଲା।
ଶିଶୁଟିର ‌କାନ୍ଦ ଶୁଣି ଦଉଡ଼ି ଆସିଲେ ମାଆ। ଦାଦାଙ୍କ ଠାରୁ ସବୁ କଥା ଶୁଣି ବିରକ୍ତ ହୋଇ ଚାହିଁଲେ ସ୍ଵାମୀଙ୍କ ଆଡ଼କୁ …।
କିନ୍ତୁ ବାପା….
ପୁଅକୁ କୋଳରେ ବସାଇ ଆଦରରେ ଗେଲ କରୁ କରୁ ପିମ୍ପୁଡ଼ି ଧାଡ଼ି ଆଡ଼କୁ ଦେଖାଇ ବୁଝାଇ ଚାଲିଥିଲେ:
” ପିମ୍ପୁଡ଼ି… ଉଊ … କାମୁଡ଼ିବ …”
ରାଗରେ ଚିଡି ଉଠିଲେ ମାଆ- “ତମେ କେମିତି ମଣିଷ ଯେ ! ଏଇଠି ଅଛ , ଅଥଚ … !!”


ସେଇ ନୀରବ ହସରେ ବାପାଙ୍କ ନରମ ଉତ୍ତର –
“ତାକୁ କଷ୍ଟର ଅନୁଭବ ଶିଖିବାକୁ ହେବ… ତା’ ହେଲେ ସେ ବିପଦ ପ୍ରତି ସତର୍କ ରହିବା ଶିଖିବ। ବିନା ଅନୁଭବରେ ଶିକ୍ଷା ଅଧୁରା।”
ଶିଶୁଟିକୁ କୋଳକୁ ଟାଣି ନେଉ ନେଉ ମାଆ କହି ଉଠିଲେ – “ମୋ ଧନର ଜୀବନରେ କିଛି କଷ୍ଟ ଆସିବାକୁ ଦେବିନି …।”
ସେଇ ନୀରବ ହସରେ ଶିଶୁଟିର କୋମଳ ହାତକୁ ଆଉଁସୁ ଆଉଁସୁ ବାପା ପୁଣି କହିଲେ, “ଆମେ କ’ଣ ସବୁ ବେଳେ ତା’ ପାଖରେ ଥିବା ? ତାକୁ ଜୀବନର ଚଲାପଥରେ ଏକା ହିଁ …”
ଏହା ମଧ୍ୟରେ ଶିଶୁଟିର କାନ୍ଦ କମି ଆସିଥିଲା। ପିମ୍ପୁଡ଼ି ଆଡ଼କୁ ଦେଖାଇ ଧକେଇ ଧକେଇ କହି ଉଠିଲା, “ଉଊ… କାମୁଲି…ଉଊ…”
ଆଉ, ଦାଦା ନିର୍ବାକ୍ ହୋଇ ଦେଖୁଥିଲେ ଜୀବନର ଏହି ମହାନ୍ ଶିଖିବାର ଧାରାକୁ !!

4 thoughts on “ବାପା

  1. ଆକାଶଠାରୁ ଲମ୍ବା, ପୃଥିବୀଠାରୁ ବଡ଼ ମନ ଯା’ର ସେ ହେଉଛି ବାପା। ଜୟ ଜଗନ୍ନାଥ।

  2. ଶୁଭେନ୍ଦୁ ରଞ୍ଜନ ନାୟକ, ଭୁବନେଶ୍ୱର says:

    ବାପାଙ୍କ କଠୋର ନିଷ୍ପତ୍ତି ଭିତରେ ଲୁଚି ରହିଥାଏ କୋମଳ, ସ୍ନେହ ଭରା ହୃଦୟଟିଏ। ତାଙ୍କ ଆକଟ ହି ଭବିଷ୍ୟତ ପାଇଁ ପୁଞ୍ଜି। କେଉଁଠି ନା କେଉଁଠି କଠୋର ନିଷ୍ପତ୍ତି ବା ଏକ ଅକୁହା ଆବେଗ ବାପାଙ୍କୁ ପିଲାଙ୍କ ମନରେ ବିବାଦୀୟ ରୂପେ ଅବସ୍ଥାପିତ କଲେବି ସବୁରି ଉର୍ଧ୍ଵରେ ବାପାଙ୍କ ନିଷ୍ପତ୍ତି,ସମସ୍ତଙ୍କ ପାଇଁ ମଙ୍ଗଳମୟ ହୋଇ ଥାଏ।

  3. ମା କୋମଳ ଶିକ୍ଷା ଦିଏ। ବାପା କଠୋର ଶିକ୍ଷା ଦିଅନ୍ତି। ଜୀବନ ଏକ ଯୁଦ୍ଧ। ଏହି ଗଳ୍ପରେ ପିମ୍ପୁଡି ଏକ ନିଆରା ଉଦାହରଣ।

Leave a Reply

Your email address will not be published. Required fields are marked *