- ଅନମନୀୟ ଲେଖକ ହିଁ ସାମାଜିକ ବିପ୍ଳବର ସୂତ୍ରଧର। ଏହି ପରିପ୍ରେକ୍ଷୀରେ ଲେଖକ-କଳାକାର-ଶିଳ୍ପୀଙ୍କର ମାନସ ମନ୍ଥନ କରିବାର ସମୟ ଉପଗତ ବୋଲି ମନେକରନ୍ତି ପ୍ରାବନ୍ଧିକ ଦୁର୍ଗାଚରଣ ଷଡଙ୍ଗୀ।
ଅତୀତରେ ଆମ ଓଡ଼ିଆ ଭାଷା ସାହିତ୍ୟ କେବଳ କାବ୍ୟ-କବିତାରେ ଅନୁବନ୍ଧିତ ଥିଲା। ସୁପ୍ରାଚୀନ ଏହି ଦାୟବଦ୍ଧ ସଂସ୍କାର- ସଂସ୍କୃତିକୁ ଘସିମାଜି ଚକ୍ଚକ୍ କରିବା ପାଇଁ ସାହିତ୍ୟ ଥିଲା ଏକ ବଳିଷ୍ଠ ମାଧ୍ୟମ। ସିଦ୍ଧ ସାଧୁ ଓ ପଣ୍ଡିତ ବର୍ଗ ହିଁ କେବଳ ନିଜର ପାଣ୍ଡିତ୍ୟ ବଳରେ ଏହି ସୃଜନ କଳାକୁ ଆପଣାର ସାମାଜିକ ଦାୟବଦ୍ଧତା ଭାବି ଜନସମାଜରେ ଏହାର ପ୍ରଚାର-ପ୍ରସାର ଦିଗରେ ତଦାନୀନ୍ତନ ରାଜା ମହାରାଜା ମାନଙ୍କର ପୃଷ୍ଠପୋଷକତାକୁ ଆଶ୍ରା କରୁଥିଲେ।
ତତ୍କାଳୀନ ରାଜନ୍ୟବର୍ଗ ମାନେ ବି କମ୍ ସଂସ୍କୃତି ପ୍ରେମୀ ନ ଥିଲେ! ଏହି ପ୍ରଜାନୁରଂଜକ ରାଜାମାନେ ସେମାନଙ୍କର ରାଜପାର୍ଷଦରେ ମଧ୍ୟ ବୁଦ୍ଧିବାଦୀ-ଗୁଣୀ ଜ୍ଞାନୀ ପଣ୍ଡିତମାନଙ୍କ ସହିତ କବିମାନଙ୍କୁ ସମୁଚିତ ଆତିଥ୍ୟ ପ୍ରଦାନ କରି ସମାଦର କରୁଥିଲେ। ତେଣୁ ତ ସେ କାଳରେ ମଧ୍ୟ ବହୁ କବି ସେମାନଙ୍କର ମହାର୍ଘ ସୃଷ୍ଟିଗୁଡ଼ିକୁ ‘ବହୁ ଜନ ହିତାୟ’ ଉଦ୍ଦେଶ୍ୟରେ ଏହାର ମୂଳ ପାଣ୍ଡୁଲିପି ଗୁଡ଼ିକ ଯାହା ତାଳ ପତ୍ରରେ ଖୋଦିତ ହେଉଥିଲା ତାହାକୁ କିଛି ଅର୍ଥ-ସୁବର୍ଣ-ଭୂମି ବିନିମୟରେ ରାଜା ମହାରାଜାମାନଙ୍କୁ ପ୍ରଦାନ କରି କୃତାର୍ଥ ହେଉଥିଲେ। ଏହା ଅବଶ୍ୟ ନିରାଟ ସତ୍ୟ ଯେ ଅନେକ ରାଜାମାନେ ମଧ୍ୟ କିଛି ସୁବର୍ଣ୍ଣାଦି ଅଳଙ୍କାର ବିନିମୟରେ ଅନେକ କାବ୍ୟଗ୍ରନ୍ଥକୁ ନିଜସ୍ଵ ନାମରେ ଭଣିତା କରିବା ପାଇଁ କବିମାନଙ୍କୁ ଅନୁରୋଧ କରୁଥିଲେ।
ଅନେକ ସମୟରେ ମଧ୍ୟ ବେସାଲିସ୍ କେତେକ କବି ନିଜର ଦୀନତା ସତ୍ତ୍ଵେ ରାଜା ମହାରାଜା ମାନଙ୍କ କୃପାପ୍ରାର୍ଥୀ ହେବାକୁ ମଧ୍ୟ ପସନ୍ଦ କରି ନାହାନ୍ତି। ସେଭଳି ଉଦାହରଣଟିଏ ହେଉଛନ୍ତି ଭକ୍ତ କବି ଦୀନକୃଷ୍ଣ, ଯେ କି ରାଜରୋଷର ଶୀକାର ହୋଇ-ଦୀନହୀନ ଭାବରେ ସମଗ୍ର ଜୀବନ ବିତାଇଥିଲେ ମଧ୍ୟ ସେ ରାଜାନୁଗ୍ରହରେ ବଞ୍ଚିବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ। ତାଙ୍କର ପ୍ରତ୍ୟେକଟି ସର୍ଜନା ବକ୍ରୋକ୍ତି ଛଳରେ ରାଜାଙ୍କ ଉଦ୍ଦେଶ୍ୟରେ ସାକ୍ଷୀ ସ୍ଵରୂପ ଶ୍ରୀଜଗନ୍ନାଥଙ୍କ ନାମରେ ହିଁ ଭଣିତା ହୋଇଛି। ଅଶେଷ ଦୁଃଖ ପାଇଛନ୍ତି ଅବଶ୍ୟ କିନ୍ତୁ ନିଜ ସମ୍ମାନ-ଆତ୍ମାଭିମାନ ଓ ସଂଭ୍ରମତାରୁ କେବେବି ବିଚ୍ୟୁତ ହୋଇନାହାନ୍ତି।
ସେହିଭଳି ପାଶ୍ଚାତ୍ୟ ଜଗତରେ ଅନେକ ସୃଜନ ସ୍ରଷ୍ଟା କବି-କଳାକାର ଯଥା ଅସ୍କାର ୱାଇଲ୍ଡଙ୍କ ଭଳି ଅନେକ ବିଶ୍ବପ୍ରସିଦ୍ଧ ଲେଖକଗଣ ‘ବହୁ ଜନ ହିତାୟ’ ନ୍ୟାୟରେ ପ୍ରଚଳିତ ସମାଜ ବ୍ୟବସ୍ଥା ବିରୋଧରେ – ସମାଜ ସଚେତନତା ପାଇଁ ତଥା ଏକ ମଳିନ ରାଜତନ୍ତ୍ରର ପତନ ପାଇଁ ସେମାନଙ୍କର ସୃଷ୍ଟି-ସର୍ଜନାକୁ ଗୋଟିଏ ବିଧି-ବ୍ୟବସ୍ଥା ବିରୁଦ୍ଧରେ ଲେଖନୀ ଚାଳନା କରି ତତ୍କାଳୀନ ରାଜା – ସମ୍ରାଟ ମାନଙ୍କର ରୋଷଭାଗୀ ହୋଇ ଅନେକ ନିର୍ଯ୍ୟାତନା ପାଇବା ସହ ମୃତ୍ୟୁ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଛନ୍ତି। ଗୋଟିଏ ଅବ୍ୟବସ୍ଥିତ ଶାସନତନ୍ତ୍ର ବିରୋଧରେ ପ୍ରଥମେ ଲେଖକଟିଏ ହିଁ ସ୍ୱର ଉଠାଏ, ବିପ୍ଳବ ଆରମ୍ଭ କରେ। ଏହି ବିପ୍ଳବର ପାଉଁଶ ତଳୁ ହୁତାସନ ଭଳି ଅଗ୍ନି ଉଦ୍ଗୀରଣ ହୋଇ ସାମ୍ପ୍ରତିକ ବ୍ୟବସ୍ଥାକୁ ଓଲଟପାଲଟ କରେ। ଜନଗଣଙ୍କୁ ଜାଗରିତ କରାଏ ଯାହାକୁ ଆମେ ବିପ୍ଳବ ବୋଲି କହିଥାଉ। ସେଇଥିପାଇଁ ତ କବି-ଲେଖକକୁ ଏ ସମାଜ ‘ଦ୍ବିତୀୟ ଈଶ୍ଵର’ର ମାନ୍ୟତା ଦେଇଥାଏ।
ଅନମନୀୟ ଲେଖକ ହିଁ ସାମାଜିକ ବିପ୍ଳବର ମହାନ ସୂତ୍ରଧର। ଯାହା ଦେଶର ସ୍ୱାଧୀନତା ସଂଗ୍ରାମ କାଳେ ଘଟିଥିଲା ଓ ଆଜି ଆମ ଭାରତୀୟ ଜନସମାଜରେ ଭୁଷୁଡ଼ି ପଡୁଥିବା ଏକ ଗଣତନ୍ତ୍ର ବିଧିବ୍ୟବସ୍ଥାର ମଧ୍ୟ ଭବିଷ୍ୟତକୁ ଉତ୍ତରଦାୟୀ ହେବାର ସୌଭାଗ୍ୟ ଅର୍ଜନ କରିବ। ଏହା କେବେ, କେଉଁଠି ଆରମ୍ଭ ହେବ ସେ ଶୁଭ ସମୟକୁ ହିଁ କେବଳ ପ୍ରତୀକ୍ଷା ରହିଲା! ଏଥିପାଇଁ ଲେଖକ-କଳାକାର-ଶିଳ୍ପୀର ମାନସ ମନ୍ଥନ କରିବା ସମୟ ଉପଗତ ହେଲାଣି!
Excellent article with conspicuous language. Congratulations.
ଲେଖକ ହିଁ ପରିବର୍ତ୍ତନର ସୂତ୍ରଧର। ଜୟ ଜଗନ୍ନାଥ।
“ଅନମନୀୟ ଲେଖକ ହିଁ ସାମାଜିକ ବିପ୍ଳବର ମହାନ ସୂତ୍ରଧର।”
ଖୁବ୍ ବଳିଷ୍ଠ ତଥା ବାସ୍ତବଧର୍ମୀ ଉପସ୍ଥାପନା ଆଜ୍ଞା।