ପୁରସ୍କାର ଓ ଲେଖକ

ଆମ ‘ଲଳିତ ନିବନ୍ଧ’ ବିଭାଗରେ ବିଶିଷ୍ଟ ରମ୍ୟରଚନାକାର ଡା. ଅଭୟ କୁମାର ଦାସ ନିଜର ‘ସାହିତ୍ୟରେ ଫାଟ’ ଶୀର୍ଷକ ଲେଖାଟିରେ ବିଚାରଣୀୟ ପ୍ରସଙ୍ଗଟିଏ ଉପସ୍ଥାପନ କରିଛନ୍ତି। କେହିକେହି ଲେଖକ କାହିଁକି ପୁରସ୍କାରଟିଏ ପାଇଁ ପ୍ରବଳ ଆଶାୟୀ ଥାଆନ୍ତି ଏବଂ ତାହା ଯେନତେନ ପ୍ରକାରେଣ ହାସଲ ନ କରିପାରିଲେ ହତାଶ ହୋଇପଡ଼ନ୍ତି ବୁଝିହୁଏ ନାହିଁ। କ’ଣ ଅଛି ଏହି ମନୋକାମନା ପଛର ମନସ୍ତତ୍ବ?
ଅବଶ୍ୟ ସମସ୍ତ କବି ବା ଲେଖକ ଯେ ଏହି ପର୍ଯ୍ୟାୟରେ ଅନ୍ତର୍ଭୂକ୍ତ ସେକଥା କୁହାଯାଇନପାରେ। ଆମ ସାହିତ୍ୟ ଜଗତରେ ଏହାର ଅନେକ ବିରଳ ବ୍ୟତିକ୍ରମ ବି ଅଛନ୍ତି ଯେଉଁମାନେ ନିରବ ସାଧକ। ସେମାନେ ସ୍ବକୀୟ ଲେଖନୀର ଅନ୍ତର୍ଦୃଷ୍ଟିରେ ପାଠକର ଚିତ୍ତ ଓ ଚେତନାକୁ ଆଲୋକିତ କରିବାରେ ନିମଗ୍ନ ଏବଂ ସେଥିରେ ହିଁ ଚରମ ସୁଖର ଅନୁଭବ କରନ୍ତି। ପୁରସ୍କାର ସେମାନଙ୍କ ପାଇଁ ଗୌଣ, ସାଧନା ହିଁ ସର୍ବୋପରି। ପ୍ରବୁଦ୍ଧ ସାରସ୍ବତ ପୁରୁଷ ସ୍ବର୍ଗତ ମନୋଜ ଦାସ ଏହି ପରିପ୍ରେକ୍ଷୀରେ ଆମର ବିଶେଷ ସ୍ମରଣକୁ ଆସନ୍ତି। ପୁରସ୍କାର ଓ ସ୍ବୀକୃତିର ଅଭିପ୍ସା ଠାରୁ ସେ ଥିଲେ ଅନେକ ଉର୍ଦ୍ଧ୍ବରେ ଓ ସମାଜରେ ଏକ ଦିବ୍ୟଚେତନା ସଂଚାର କରିବାର ବ୍ରତ ତା’ଙ୍କ ଲେଖକୀୟ ସାଧନାର ମୂଳ ଧ୍ୟେୟ ଥିଲା। ଅବଶ୍ୟ ଏକଦା ଜ୍ଞାନପୀଠ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାର ଚରମ ସୋପାନରେ ପହଂଚିବା ପରେ ମଧ୍ୟ ତା’ଙ୍କୁ ଏଥିରୁ ବଂଚିତ କରାଯାଇଥିବା ନେଇ ତା’ଙ୍କର ମଧ୍ୟ ସାମାନ୍ୟ ସାମୟିକ ଭାବାନ୍ତର ହୋଇଥିବା ଶୁଣିବାକୁ ମିଳେ। ତେବେ ସେ କେବେ କୌଣସି ପୁରସ୍କାର ବା ସ୍ବୀକୃତି ପ୍ରତି ଆସକ୍ତ ନଥିଲେ, ଯେଉଁଥିପାଇଁ ସେ ଆଜି ଲେଖକ ସମାଜର ପରମ ଆଦର୍ଶ।
କିନ୍ତୁ ଆମ ପତ୍ରିକାରେ ପ୍ରକାଶିତ ଡା. ଦାଶଙ୍କ ରମ୍ୟରଚନାଟିରେ ସାହିତ୍ୟ ଜଗତର ଏଭଳି ବ୍ୟତିକ୍ରମ ପୁରୁଷମାନଙ୍କ କଥା କୁହାଯାଇନାହିଁ। ବରଂ କୁହାଯାଇଛି ସେମାନଙ୍କ କଥା ଯେଉଁମାନେ ସମ୍ଭବ ହେଲେ ଏପରିକି ପୁସ୍ତକାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଗାଇଡ଼୍ ବା ଟେଷ୍ଟପେପର୍ ଟିଏ ଖୋଜିବାକୁ ମଧ୍ୟ ପଛାଇବେ ନାହିଁ। ଅବଶ୍ୟ ଏହା ଏକ ବ୍ୟଙ୍ଗାମୂଳକ ଅତିଶୟୋକ୍ତି, କିନ୍ତୁ ଏହା ପଛର ବାସ୍ତବତା ଆମ ସମସ୍ତଙ୍କୁ ଅଳ୍ପବହୁତେ ଜଣା।

One thought on “ପୁରସ୍କାର ଓ ଲେଖକ

  1. ଲେଖା ଦ୍ବାରା ପାଠକର ମନ ଜିଣିବା ପୁରସ୍କାର ପାଇବା ଠାରୁ ବଡ୤ ଏଇୟା ଲେଖାର ଉଦ୍ଦେଶ୍ୟ ରହିବା ଉଚିତ୤ ଲେଖକ ଏ କଥା ଜାଣିବା ଉଚିତ୤

Leave a Reply

Your email address will not be published. Required fields are marked *