- କାନାଡ଼ା ଦେଶରେ ଅବସ୍ଥାନ କରୁଥିବା ଲେଖକ ଏକଦା ନିଜର ଭୁବନେଶ୍ୱର ଆଗମନ କାଳରେ ଦୈବାତ ଗୋଟିଏ ଘରର ଫାଟକରେ ନିଜର ଜଣେ ପରିଚିତ ଶିଳ୍ପୀଙ୍କ ନାମ ଫଳକ ଦେଖି ଭିତରକୁ ପ୍ରବେଶ କରନ୍ତେ ସେଠାରେ ଆଉଜଣେ ସ୍ବନାମଧନ୍ୟ ଶିଳ୍ପୀଙ୍କୁ ପାଇ ଆଶ୍ଚର୍ଯ୍ୟ ହୋଇଗଲେ।
ଭୂବନେଶ୍ବର ପାଲ ହାଇଟ ହୋଟେଲ ଲବିରୁ ମୁଁ ମୋ ସାନ ସଢୁଙ୍କ ସହିତ କଥା ହେଉ ହେଉ ବାହାରକୁ ବାହାରି ଆସିଲି। ସଂଧ୍ୟାର ଉପକ୍ରମ, ତଥାପି ଆଲୁଅ ଯାଇ ନ ଥାଏ। ବାହାରେ ରାଜଧାନୀର ଜନ ଗହଳି ସମେତ ଗାଡି ମଟରର ପେଁ ପାଁ ଶବ୍ଦ। ହେଲେ ଗୋଟିଏ ଉତ୍ତମ କଥା, ଅକ୍ଟୋବର ମାସ ଯୋଗୁଁ ଧୂଳିର ପ୍ରାଦୁର୍ଭାବ ନଥାଏ। ବର୍ଷା ପାଣିର ସ୍ପର୍ଶରେ ଚାରିଆଡ ସବୁଜିମାରେ ଭରପୁର।
ଆମର ଗନ୍ତବ୍ୟ ସ୍ଥଳ ଭୂବନେଶ୍ବରରେ ଅନୁଷ୍ଠିତ ହେଉଥିବା ହସ୍ତ ଓ ଶିଳ୍ପ କଳାର ପ୍ରଦର୍ଶନୀ। ସଂଧ୍ୟାରେ ମୋ ହାତରେ କିଛି ସମୟ ଥାଏ ଓ ମୋର ହସ୍ତ ଶିଳ୍ପରେ ବିଶେଷ ଆଗ୍ରହ ଥିବାରୁ ସଢୁ ମୋତେ ପ୍ରଦର୍ଶନୀ ଦେଖେଇ ନବାର ଯୋଜନା ଆଗରୁ କରି ରଖିଥାନ୍ତି।
ଆମେ ପାଲ୍ ହାଇଟରୁ ବାହାରି ଆପାତତଃ ଶହେ ଫୁଟ ଦୂର ଯାଇଛୁ କି ନାହିଁ ବାମ ପାର୍ଶ୍ବରେ ଏକ ବିରାଟ ନାମ ଫଳକ ବେଶ୍ ଉଚ୍ଚରେ ଥିଲେ ବି ମୋର ଦୃଷ୍ଟି ଗୋଚର ହେଲା। ସେଥିରେ ଧଳା ବୋର୍ଡ ଉପରେ ନୀଳ ରଙ୍ଗର ଅକ୍ଷରରେ ଇଂରାଜୀରେ ଲେଖାଥିଲା “ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ।” “ସୁଦର୍ଶନ” ନାମ ଓ “ଆର୍ଟ ଆଣ୍ଡ କ୍ରାଫ୍ଟ” ଦେଖି ମୋର କୌତୁହଳ ଜାଗିଲା। ଭୂବନେଶ୍ବର ମୁଁ ଅନେକ ଦିନରୁ ଛାଡିଲିଣି, ଜାଗା ସବୁ ସଠିକ ଜଣା ପଡୁନଥାଏ। ତେଣୁ ସଢୁଙ୍କୁ ପଚାରିଲି, “ହେମନ୍ତ, କହିଲ, କିଏ ଏ ସୁଦର୍ଶନ? କାହାର ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ୍ ଏଇଟା?” ସେ କହିଲେ, “ଭାଇନା, ଏଇଟା ପରା ସେଇ ସୁଦର୍ଶନଙ୍କର, ଯିଏ ବାଲିରେ ସବୁ ମୂର୍ତ୍ତି ଗଢନ୍ତି ମ, ଦେଶ ବିଦେଶରେ ଅନେକ ମୂର୍ତ୍ତି କରି ନାଁ କମେଇଚନ୍ତି।” ମୁଁ ଶୁଣି ଆଶ୍ଚର୍ଯ୍ୟ ହେଲି, ପଚାରିଲି, “ଆଚ୍ଛା, ସେ ଏଇଠି ରହନ୍ତି?”
ଆଗରୁ ଆମର ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସହିତ ବେଶ୍ ପରିଚୟ। ସେ ଟରୋଣ୍ଟୋରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆସିଥିବା ବେଳେ ଓଡିଆମାନେ ଓଡିଶା ସୋସାଇଟି ଅଫ୍ ଆମେରିକାଜ୍, କାନାଡା ତରଫରୁ ତାଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ଆମ ବାସ ଗୃହରେ କରିଥିଲେ। ପତ୍ନୀ ସବିତା ସେତେବେଳେ କାନାଡା ଓଡିଆ ସଂଗଠନର ସଭାପତି ଥାଆନ୍ତି। ମୁଁ ଯାଇ ତାଙ୍କୁ ପ୍ରଦର୍ଶନୀ ସ୍ଥଳରେ ସାକ୍ଷାତ କରି ଡାକି ଆଣିଥିଲି ଘରକୁ। ପରେ ପୁଣି ତାଙ୍କ ସହିତ ଆମେରିକାର ବିଭିନ୍ନ ସହରରେ ଓଡିଶା ସୋସାଇଟି ଅଫ୍ ଆମେରିକାଜ୍ ସମ୍ମିଳନୀରେ ଦେଖା ହେଇଥିଲା।
ମୁଁ ଅତ୍ୟନ୍ତ ଖୁସି ହେଇ କହିଲି, “ଆରେ ଇଏତ ଅତି ଉତ୍ତମ କଥା, ଚାଲ ଚାଲ ତାଙ୍କୁ ଟିକିଏ ଦେଖା କରି ଦେଇ ଆସିବା।”
ଏତକ କହି ଆମେ ହତା ଭିତରକୁ ପଶିଲୁ। ତଥାପି ମୋ ମନ ଭିତରେ ସନ୍ଦେହ ଉପୁଜୁ ଥାଏ, ମନେ ମନେ ଭାବୁଥାଏ ସତରେ କଣ ଏତେ ସହଜରେ ରାସ୍ତାରେ ଯାଉଁ ଯାଉଁ ସୁଦର୍ଶନ ବାବୁଙ୍କର ଦେଖା ମିଳିଯିବ। ହତା ଭିତରେ ଛାପ ଛାପକା ଅନ୍ଧାର ଓ ଆଲୁଅର ମିଶ୍ରଣ, ସଂପୂର୍ଣ୍ଣ ଦେଖାଯାଉ ନଥାଏ। ବୃକ୍ଷ ଆଢୁଆଳରେ ଝାପ୍ସା ଆଲୁଅରେ କିଛି ପଥର ମୂର୍ତ୍ତି ବି ଅଳ୍ପ ଅଳ୍ପ ଦେଖା ଯାଉଥାନ୍ତି। ମନେ ମନେ ଭାବୁଥାଏ ଶିଳ୍ପୀ ଲୋକ ବାଲୁକା ହେଉ ବା ପଥର ହେଉ ଉଭୟରେ ହୁଏତ ମୂର୍ତ୍ତି ଗଢୁଥିବେ ପରା, କିଏ ଜାଣେ? ଏଇମିତି ସନ୍ଦିହାନ ମନ ନେଇ ଆମେ ଏପଟ ସେପଟ ଅନେଇ ଅନେଇ ହତା ଭିତରେ ଚାଲିଥାଉ।
ସୁଦର୍ଶନ ବାବୁ କେଉଁଠି ରହନ୍ତି ପଚାରି ପଚାରି ତାଙ୍କ ଘର ସାମନାରେ ଆମେ ଯାଇ ପହଞ୍ଚିଲୁ। ଠିକ୍ ସେତିକି ବେଳେ ଘର ଭିତରୁ ବୟସ୍କା ମହିଳା ଜଣେ ମୁଣ୍ଡରେ ଓଢଣା ଦେଇ ବାହାରକୁ ବାହାରି ଆସିଲେ। ଆମେ ତାଙ୍କୁ ଦେଖି ପଚାରିଲୁ, “ମାଉସୀ, ସୁଦର୍ଶନ ବାବୁ ଅଛନ୍ତି?” ସେ କହିଲେ, “ ହଁ ଅଛନ୍ତି, ମୁଁ ଯାଉଛି ଡାକି ଦେଉଛି।” ଏତକ କହି ସେ ଭିତରକୁ ପଶିଗଲେ। ମୁଁ ଓ ସଢୁ ଆମ ଆମ ଭିତରେ କଥା ହେଉଥାଉ, ଅକସ୍ମାତେ ଦେଖା ଦେଇ ସୁଦର୍ଶନବାବୁଙ୍କୁ ମୁଁ ଆଶ୍ଚର୍ଯ୍ୟ କରେଇ ଦେବି, ସେଇ କଥା ତାଙ୍କୁ କହୁଥାଏ। କିଛି ସମୟ ଯିବା ପରେ ମହିଳା ଜଣକ ବାହାରକୁ ବାହାରି ଆସି କହିଲେ “ ସେ ସଂଧ୍ୟା ଆରତି କରୁଛନ୍ତି, ଆପଣ ଏଇଠି ଟିକିଏ ବସନ୍ତୁ ସେ ଏଇ କିଛି ସମୟ ଭିତରେ ଆସି ଯିବେ।”
ଆମେ ସେଇଠି ଠିଆ ହେଲୁ। ଆହୁରି କିଛି ସମୟ ବିତିଲା। ତାଙ୍କର ଆସିବା ପଦ୍ମ ଘୁଞ୍ଚି ଘୁଞ୍ଚି ଗଲେବି ମୋର ତ ଆଶ୍ଚର୍ଯ୍ୟ କରେଇବାର ଇଚ୍ଛା, ତେଣୁ ଦୁଇ ଜଣ ପ୍ରଦର୍ଶନୀ ଯିବା ବନ୍ଦ କରି ସେଇଠି ଛିଡା ହେଇ ରହିଲୁ। ତଥାପି ସେ ଆସୁ ନଥାନ୍ତି। ଭାବିଲୁ, ପୂଜାରେ ଲାଗିଛନ୍ତି, ଆସିବେ। ଧୈର୍ଯ୍ୟର ସହିତ ପୁଣି ଆଉ କିଛି ସମୟ ଅପେକ୍ଷା କଲୁ। ଅନେକ ସମୟ ପରେ ଶେଷକୁ ଜଣେ ପ୍ରୌଢ ଭଦ୍ର ବ୍ୟକ୍ତି ପରଦା ଟେକି ବାହାରକୁ ବାହାରି ଆସିଲେ। ସଂପୂର୍ଣ୍ଣ ପକ୍ବ କୁଞ୍ଚକୁଞ୍ଚିଆ କେଶ। ମୁଖ ମଣ୍ଡଳରେ ବୟସର ଛାପ। ପିନ୍ଧିଥାନ୍ତି ଧଳା ପାଇଜାମା ଓ ଦେହରେ ତୋଫା ଧଳା ରଙ୍ଗର କାମିଜ ଖଣ୍ଡିଏ। ତାଙ୍କୁ ଦେଖି ଦେଇ ପୁଣି ମୁଁ ତାଙ୍କୁ ପଚାରିଲି, “ସୁଦର୍ଶନ ବାବୁ ଅଛନ୍ତି? ସେ ଏଇଠି ରହନ୍ତି ତ?” ସେ ମୋ କଥା ଛଡେଇ ନେଇ କହି ଉଠିଲେ, “ହଁ କହନ୍ତୁ ମୁଁ ହେଉଛି ସୁଦର୍ଶନ, ଆପଣଙ୍କ ନାଁ କଣ? କେଉଁଠୁ ଆସିଛନ୍ତି? ବସନ୍ତୁ।” ମୁଁ ତାଙ୍କୁ ଦେଖି ଦେଇ ଆଉ ତାଙ୍କ ପ୍ରଶ୍ନର ଉତ୍ତର ଦେବି କଣ? ବିସ୍ମିତ ହେଇ ମୋର ନିଜ ନାଁ ଟା ବି ସେତେବେଳେକୁ ଭୁଲିବା ଉପରେ। ମନେ ମନେ ଭାବୁଥାଏ, ଏ ଭଦ୍ରବ୍ୟକ୍ତି ଜଣକ ପୁଣି କିଏ? ଇଏତ ଆମ ପରିଚିତ ସୁଦର୍ଶନ ନୁହନ୍ତି। ଇଏ ପୁଣି କିଏ ସୁଦର୍ଶନ? କଣ କରିବୁ? ଭଦ୍ରତା ଖାତିରରେ ଆଉ ବିଳମ୍ବ ନକରି ମନ ସ୍ଥିର କରି ମୁଁ କହିଲି, “ମୋ ନାଁ ଗଗନ ପାଣିଗ୍ରାହୀ, ମୁଁ ଟରୋଣ୍ଟୋ କାନାଡାରେ ରହେ। ଆପଣଙ୍କୁ ଦେଖା କରିବାକୁ ଆସିଛି। ଇଏ ହେଉଛନ୍ତି ମୋ ସଢୁ, ଆମର ଏଇ ଭୂବନେଶ୍ବରରେ ରହନ୍ତି।”
ଏତକ କହିବା ପରେ ମୁଁ ମୋର ପୂର୍ବ ପରିଚିତ ବାଲୁକା ଚିତ୍ରଶିଳ୍ପୀଙ୍କୁ ସଂପୂର୍ଣ୍ଣ ପାସୋରି ପକେଇ ନୂତନ ସୁଦର୍ଶନଙ୍କ ସହିତ ବାର୍ତ୍ତାଳାପ ଆରମ୍ଭ କରିଦେଲି। ମୁଁ କେଉଁ ବିଜ୍ଞାନ ଉପରେ ଗବେଷଣା କରେ ସେ ଜାଣିଲେ ଓ ମୁଁ ତାଙ୍କ ବିଷୟରେ ଅନେକ କଥା ଜାଣିଲି। ଅନେକ ସମୟ ଚିତ୍ରକଳା ଓ ପଥର ଖୋଦେଇ ଉପରେ ଆଲୋଚନା ହେଲା। ଆଲୋଚନା ସୌହାର୍ଦ୍ଦ୍ୟ ପୂର୍ଣ୍ଣ ଓ ଶିକ୍ଷଣୀୟ ରହିଲା। ଫେରିବା ବେଳ ହେବାରୁ ସେ କହିଲେ, “ଆପଣ ତ ସଞ୍ଜ ବେଳେ ଆସିଲେ, ଆପଣ ଏତେ ବାଟରୁ ଆସିଚନ୍ତି, ଦିନରେ ଆସିଥିଲେ ମୁଁ ଆପଣଙ୍କୁ ଆମର କାରୁକାର୍ଯ୍ୟ ସବୁ ବୁଲେଇ ଦେଖେଇ ଦେଇ ଥାଆନ୍ତି।” ଆଉ ସେତିକି ବେଳେ ପଚାରିଲେ, “ଆପଣ ଭୂବନେଶ୍ବରରେ କେଉଁଠି ରହୁଛନ୍ତି? ମୁଁ କହିଲି, “ମୁଁ ଏଇ ପାଲ ହାଇଟ ହୋଟେଲରେ ରହୁଛି, ମୋ ସହିତ ମୋ ସ୍ତ୍ରୀ ବି ଅଛନ୍ତି। କାଲି ଗୋଟିଏ କାମ ଭୂବନେଶ୍ବରରେ ଅଛି, ତେଣୁ ଆଉ ମାତ୍ର ଦିନଟିଏ ରହଣି ପରେ ଆମେ କାନାଡା ଫେରିଯିବୁ।” ସେ ଖୁସି ହୋଇ ଆଙ୍ଗୁଳି ଦେଖେଇ କହିଲେ, “ଓ, ପାଲ ହାଇଟ ତ ଏଇଟା, ଆପଣ କାଲି ସକାଳେ ପୁଣି ଥରେ ଆସୁ ନାହାନ୍ତି ଆପଣଙ୍କ ସ୍ତ୍ରୀଙ୍କୁ ନେଇ, ମୁଁ ଆପଣଙ୍କୁ ଆମର କାରୁକଳା ଉଦ୍ୟାନର ସମସ୍ତ ଖୋଦେଇ କାର୍ଯ୍ୟ ସବୁ ବୁଲେଇ ଦେଖେଇ ଦିଅନ୍ତି, କଥାବାର୍ତ୍ତାରୁ ଯାହା ଜଣା ପଢୁଛି ଆପଣଙ୍କର ତ କଳାରେ ବହୁତ ଆଗ୍ରହ।” ମୁଁ କହିଲି, “ଠିକ୍ ଅଛି ଆଜ୍ଞା, ଅତି ଉତ୍ତମ କଥା, କାଲି ସକାଳେ ସସ୍ତ୍ରୀକ ପୁଣି ଆସିବି।”
ଆସିବାର ପ୍ରତିଶ୍ରୁତି ଦେଇ ନମସ୍କାର କରି ଆମେ ଦୁହେଁ ତାଙ୍କ ଠାରୁ ବିଦାୟ ନେଲୁ। ଆସିବା ବାଟରେ ହସି ହସି ବେଦମ୍, କାହାକୁ ଦେଖା କରିବାକୁ ଯାଇଥିଲୁ, ଆଉ ଆମର ସୌଭାଗ୍ୟ ଯେ ଆମେ ଏଇ ସୁଦର୍ଶନଙ୍କ ଦେଖା ପାଇଲୁ। ଅନେକ ବିଳମ୍ବ ହେଇଯାଇଥିବାରୁ ପ୍ରଦର୍ଶନୀ ଯିବା ନୋହିଲା, ଶେଷକୁ ଆମେ ପାଲ ହାଇଟ ପ୍ରତ୍ୟାବର୍ତ୍ତନ କଲୁ। ପତ୍ନୀ ସବିତା ସେତେବେଳେକୁ ଯୁଆଡେ ଯାଇଥିଲେ ହୋଟେଲ ରୁମକୁ ଫେରି ଆସିଥାନ୍ତି। ତାଙ୍କୁ କହିଲି, “ଶୁଣୁଛ? ବାଟରେ ଯାଉଁ ଯାଉଁ ନାମ ଫଳକଟିଏ ଦେଖିଲୁ। ଜାଗାଟି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନଙ୍କର ଭାବି ଭିତରକୁ ପଶିଲୁ, ହେଲେ ସେଇଠି ପାଇଲୁ ପ୍ରସ୍ତର ଶିଳ୍ପୀ ସୁଦର୍ଶନଙ୍କୁ। ଇଏ ପ୍ରସ୍ତର ଶିଳ୍ପୀ ବେଶ୍ ଉନ୍ନତ ଧରଣର ଶିଳ୍ପୀ, ଯାହା ଯେତେକ ଦେଖିବାକୁ ପାଇଲି ଓ ତାଙ୍କ ଠାରୁ ଶୁଣିଲି।” ଏଇମିତି ପତ୍ନୀଙ୍କ ଆଗରେ ଘଟଣାର ବିଶଦ ବିବରଣୀଟିଏ ଉପସ୍ଥାପନା କରାହେଲା। କହିଲି, “ତମେ ନିଶ୍ଚୟ ତାଙ୍କୁ ଦେଖା କରିବାକୁ ଯିବା ଉଚିତ୍। ସେ ହସି ହସି କହିଲେ, “ଆରେ ଏମିତି ବି କଥା! ଦୁଇ ସୁଦର୍ଶନ, ଜଣେ ବାଲୁକା ଓ ଆଉ ଜଣେ ପଥର ମୂର୍ତ୍ତି ତିଆରି କରିବାରେ? କାଲି ସକାଳେ ତାହେଲେ ନିଶ୍ଚୟ ଯିବା ତାଙ୍କୁ ଦେଖା କରିବାକୁ।” ତହିଁ ପରଦିନ ସକାଳେ ଆମେ ଦୁଇଜଣ ସେଠାକୁ ବୁଲି ଯିବାର ଯୋଜନା କରି ରହିଲୁ।
ସକାଳ ହେଲା। ପ୍ରାତଃ ଭୋଜନ ସାରି ଠିକ୍ ନଅଟା ବେଳେ ଆମେ ଯାଇ ସୁଦର୍ଶନ ଆର୍ଟ ଏଣ୍ଡ କ୍ରାଫ୍ଟ ଭିଲେଜ ରେ ହାଜର। ନିର୍ମଳ ନୀଳ ଆକାଶରେ ସକାଳ ସୂର୍ଯ୍ୟ ଝଟକୁ ଥାନ୍ତି। ନାରିକେଳ, ଆମ୍ବ ଓ ପଣସ ବୃକ୍ଷମାନ ସ୍ଥାନଟିକୁ ଢାଙ୍କି ରଖିଥାନ୍ତି। ରଙ୍ଗଣୀ, ଅଶୋକ, ଟଗର, ତରାଟ, ମଲ୍ଲୀ, କାମିନୀ ଓ ଅନ୍ୟାନ୍ୟ ଫୁଲ ଗଛ ମାନଙ୍କରେ ସ୍ଥାନଟି ସୁରମ୍ୟ ତପୋବନ ସଦୃଶ ସୁଶୋଭିତ। ବୃକ୍ଷମାନଙ୍କର ଛାଇ ଆଲୁଅରେ ଠାଏ ଠାଏ ସୂର୍ଯ୍ୟ କିରଣ ପଡି ସ୍ଥାନିତ ହୋଇଥିବା ପଥର ମୂର୍ତ୍ତି ଗୁଡିକ ଝଲସି ଉଠୁଥାନ୍ତି। ଏପଟ ସେପଟ ମୂର୍ତ୍ତିମାନଙ୍କୁ ଚାହିଁ ଚାହିଁ ସୁଦର୍ଶନବାବୁଙ୍କ ବାସ ଗୃହ ସାମନାରେ ଆମେ ପହଞ୍ଚିଲୁ। ସେ ଆମ ପାଇଁ ଅପେକ୍ଷା କରିଥାନ୍ତି। ପ୍ରାତଃ କାଳ ସ୍ବାଗତ ସମ୍ଭାଷଣ ପରେ ପରେ ସେ ଆମ ଦୁଇ ଜଣଙ୍କୁ ନେଇ ତାଙ୍କ ଚାରୁକଳା ଉଦ୍ୟାନ ବୁଲି ବାହାରିଲେ।
ଅର୍ଦ୍ଧ ନିମିଳିତ ନୟନରେ ଗଢା ବୁଦ୍ଧଙ୍କ ମସ୍ତକ ଉପରେ ତାଙ୍କର ପ୍ରଥମ ନଜର ପଡିଲା, ସୂର୍ଯ୍ୟ କିରଣରେ ଅତି ସୁନ୍ଦର ଦେଖା ଯାଉଥାଏ ମୂର୍ତ୍ତିଟି। “ଏଇଟି ଦେଖୁଛନ୍ତି, ବୁଦ୍ଧଙ୍କ ମସ୍ତକ, ଏଇମିତି ମୁଁ ଅନେକ ନିର୍ମାଣ କରିଛି, ଅନେକ ଜାପାନକୁ ଓ ଭାରତରେ ଅନ୍ୟାନ୍ୟ ସ୍ଥାନକୁ ରପ୍ତାନୀ ବି ହେଇଛି”, ସେ କହିବା ଆରମ୍ଭ କଲେ। ମୁଁ ଦେଖୁଥାଏ ଅତି ସୁନ୍ଦର ଖୋଦେଇ। ଫୋଟୋ ଟିଏ ନେଲି। ସେ ପୁଣି ଡାକିଲେ, “ଆସନ୍ତୁ, ଏଇ ଭିତରକୁ।” ଆମେ ଦୁହେଁ ତାଙ୍କୁ ଅନୁସରଣ କରୁଥାଉ। “ଏଇ ମୂର୍ତ୍ତିଟି, ହର ପାର୍ବତୀ, ଅନେକ ଦିନ ତଳେ ଏହାର ଅନେକ କାମ ମୁଁ ମୋ ନିଜ ହାତରେ କରିଥିଲି, ଆସନ୍ତୁ, ଇଏ ଶିବ ତାଣ୍ଡବ। ଅତି ସୁନ୍ଦର କଳା ମୁଗୁନୀ ପଥରରେ ଏହାର ନିର୍ମାଣ। ଆଉ ଏଇ ସବୁ ଯେଉଁ ମୂର୍ତ୍ତି ଦେଖୁଚନ୍ତି, ସେ ସବୁ ସାଣ୍ଡ ଷ୍ଟୋନରେ। ”
ତାହାରି ଭିତରେ ଦେଖିଲୁ ଅନ୍ୟାନ୍ୟ ଶିଳ୍ପୀମାନେ ବଗିଚାରେ ବସି ଖୋଦେଇରେ ରତ। ମଝିରେ ମଝିରେ ସୁଦର୍ଶନ ବାବୁ ତାଙ୍କୁ କହିଦେଉଥାନ୍ତି “ଆରେ ଏ, ଏହାର ନାକଟିକୁ ଆଉ ଟିକିଏ ଉପରକୁ ଉଠେଇବାକୁ ପଡିବ, ସେ ମୂର୍ତ୍ତିଟି ପ୍ୟାକିଂ ସରିଲାକି ନାହିଁ?” ଏଇମିତି ଶିଳ୍ପୀ ମାନଙ୍କୁ ନିର୍ଦ୍ଦେଶନା ବି ମଝିରେ ମଝିରେ ଚାଲିଥାଏ। ବୃଷଭ ମୂର୍ତ୍ତିଟିଏ ଦେଖେଇ “ଏଇଟି ନନ୍ଦୀ, ଗୁଜୁରାତରୁ ଜଣେ ଅର୍ଡର କରିଛନ୍ତି। ଏଇ ମୂର୍ତ୍ତିଟି ଦେଖୁଛନ୍ତି, ଏହାର ତ୍ରିଭଙ୍ଗ ସଂପୂର୍ଣ୍ଣ ଓଡିଶୀ ନୃତ୍ୟ ଢାଞ୍ଚାରେ। ଆସନ୍ତୁ, ଏଇ କଇଁଛ ମୂର୍ତ୍ତିଟି ଦେଖନ୍ତୁ, ଅତି ସୁନ୍ଦର ପଥରରେ ତିଆରି। ଏହାର ଚତୁର୍ଦ୍ଦିଗରେ ଦଶାବତାର ମୂର୍ତ୍ତିଙ୍କର ଖୋଦେଇ ଓ ମଧ୍ୟ ଭାଗରେ ସମୁଦ୍ର ମନ୍ଥନର ଦୃଶ୍ୟ।” ଏଇପରି ସେ କହିଚାଲିଥାନ୍ତି ଆଉ ଆମେ ମୁଗ୍ଧ ହେଇ ଶୁଣୁଥାଉ। ଏଇମିତି କିଛି ସମୟ ବିତିଗଲା।
ମୁଁ ଅନୁଭବ କଲି ତାଙ୍କର କହିବା ଭିତରେ ଫୁଟି ଉଠୁଥାଏ ଏକ ସ୍ଥପତିର ସୃଷ୍ଟି କରିବାର ଆତ୍ମ ସନ୍ତୋଷ। ମୁଁ ପଚାରିଲି, “ମଉସା ଏଇ ମୂର୍ତ୍ତି ସବୁ କେତେ ଦିନ ଲାଗେ।” ସେ କହିଲେ “ କେଉଁଟା ମାସେ, କେଉଁଟା ଛଅ ମାସ, କେଉଁଟା ବର୍ଷ ବର୍ଷ ଲାଗିଯାଏ ସଂପୂର୍ଣ୍ଣ ହେବାକୁ। ଏହା ନିର୍ଭର କରେ ଆକାର ଓ କାରୁକାର୍ଯ୍ୟ ଉପରେ। କେହି ଜଣେ ଖରିଦ୍ଦାର ମୂର୍ତ୍ତିର ପ୍ରକୃତ ମୂଲ୍ୟ ଦେଇପାରିବନି, ଆଜ୍ଞା। ଏଇ ଯେଉଁ ଶିଳ୍ପୀମାନଙ୍କୁ ଦେଖୁଛନ୍ତି, ସେମାନଙ୍କର ଗଢିବାର ଇଚ୍ଛା ନଥିଲେ ସେମାନେ କେବେ ଗଢିବେନି। ଗଢିବାର ଯେଉଁ ଆତ୍ମ ସନ୍ତୋଷ ମିଳେ ତାହା ସେମାନେ ପାଉଛନ୍ତି ବୋଲି ଗଢୁଛନ୍ତି।” ଦୀର୍ଘ ଏକ ଘଣ୍ଟା ଆମେ ସେଠାରେ ବୁଲି ବୁଲି ହସ୍ତି, ବୃଷଭ, କାର୍ତ୍ତିକେୟ, ଗଣେଷ, ବୁଦ୍ଧ, ନଟରାଜ, ସରସ୍ବତୀ, ଲକ୍ଷ୍ମୀ, ଶିବ ପାର୍ବତୀ, ହନୁମାନ, ଗରୁଡ, ବଂଶୀଧାରି କୃଷ୍ଣ, ରାଧାକୃଷ୍ଣ ଯୁଗଳ ମୂର୍ତ୍ତି, ତ୍ରିମୂର୍ତ୍ତି, ତ୍ରିଭଙ୍ଗ ଠାଣିରେ ସୁର ସୁନ୍ଦରୀ, ମୂରଲୀବାଦିନୀ, ମୃଦଙ୍ଗବାଦିନୀ ଇତ୍ୟାଦି ଇତ୍ୟାଦି ମୂର୍ତ୍ତି ସବୁ ଦେଖିଲୁ। ଶେଷକୁ ରହିଲା ତାଙ୍କର ସଂଗ୍ରହାଳୟ। ସେଥିରେ ଅନେକ ମୂଲ୍ୟବାନ କାରୁକଳା ସ୍ଥାନିତ ହୋଇଥାଏ। ତା ଭିତରେ ତାଙ୍କୁ ଆଗରୁ ମିଳିଥିବା ଅନ୍ୟାନ୍ୟ ପୁରସ୍କାର ସହ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରୁଥିବା ପଦ୍ମଶ୍ରୀ ପୁରସ୍କାରର ଫୋଟୋ ଦେଖିବାକୁ ସୁଯୋଗ ମିଳିଲା।
ଏ ସବୁ ଦେଖୁ ଦେଖୁ କଥା ପ୍ରସଙ୍ଗରେ ସୁଦର୍ଶନ ବାବୁ ପଚାରିଲେ “ଆପଣ ତ ବୈଜ୍ଞାନିକ ଲୋକ ଆଉ ବୋହୂତ ଆମର କମ୍ପ୍ୟୁଟର ରେ କାମ କରନ୍ତି ବୋଲି ଆପଣ କହିଲେ, ଅବସର ସମୟରେ ଆପଣମାନେ କଣ ସବୁ କରନ୍ତି? କାନାଡା ତ ବଡ ଥଣ୍ଡାର ଦେଶ, ବାହାରକୁ ବାହାରି ହେଉ ନଥିବ, କେମିତି ସବୁ କଣ କରନ୍ତି?” ମୁଁ କହିଲି, “ଆଜ୍ଞା, ଭଲ ପ୍ରଶ୍ନଟିଏ ଆପଣ ପଚାରିଲେ, ମୁଁ ବି ଜଣେ ଚିତ୍ରକର, ଜଳ ରଙ୍ଗରେ ଚିତ୍ର ଆଙ୍କେ, ବାଲ୍ୟାବସ୍ଥାରୁ ଚିତ୍ର ଆଙ୍କିବାରେ ମୋର ନିଶା, ତା ଛଡା କବିତା ଲେଖିବା ମୋର ଅନ୍ୟ ଏକ ସଉକ। ଆଉ ସବିତାଙ୍କର ଶାସ୍ତ୍ରୀୟ ସଂଗୀତରେ ଶରଧା। ଆଜି ଏଇ ଭୂବନେଶ୍ବରରେ ମୋର ଦ୍ବିତୀୟ କବିତା ବହିଟି ଓଡିଶା ପ୍ରେସ କ୍ଲବରେ ଉନ୍ମୋଚନ ହେବାକୁ ଯାଉଛି।” ଏହା ଶୁଣିବା ପରେ ଅତ୍ୟନ୍ତ ଆଗ୍ରହ ସହ ସ୍ବତ୍ତଃ ପ୍ରବୃତ୍ତ ହୋଇ ସେ କହିଲେ, “ତାହାଲେ ମୁଁ ଯାଇ ପ୍ରେସ କ୍ଲବରେ ପହଞ୍ଚିବି, ଆପଣଙ୍କର କବିତା ଶୁଣିବାକୁ।” ଏହା ଶୁଣିବା ମାତ୍ରେ ମୋର ଖୁସିର ସୀମା ରହିଲା ନାହିଁ, ମୁଁ ଆଶ୍ଚର୍ଯ୍ୟ ହେଲି, କହିଲି, “ସତରେ ଆପଣ ଆସିବେ? ଯଦି ଆସନ୍ତେ ଇଏ ମୋ ପାଇଁ ଅତି ସୌଭାଗ୍ୟର କଥା ହୁଅନ୍ତା?” ମୁଁ ତଥାପି ଭାବି ପାରୁ ନଥାଏ, ସତକୁ ସତ ସେ କଣ ଆସିବେ? ସମୟ ହେଇ ଆସୁଥାଏ, ଆଉ ବିଳମ୍ବ ନକରି ତାଙ୍କୁ ଆନ୍ତରିକ ଧନ୍ୟବାଦ ଦେଇ ଆମେ ଦୁହେଁ ସେଠାରୁ ବିଦାୟ ନେଲୁ।
ସେଦିନ ଅପରାହ୍ନରେ କବିତା ପୁସ୍ତକ ଉନ୍ମୋଚନ ହେଲା, ସତକୁ ସତ ସେ ଯଥା ସମୟରେ ସେଠାରେ ଯାଇ ପହଞ୍ଚିଲେ। ସେଇ ଉତ୍ସବରେ ମୋର ଗ୍ରାମ ଉପରେ ଲିଖିତ ଏକ କବିତାକୁ ପତ୍ନୀ ସବିତା ସ୍ବର ଦେଇ ଲାଳିତ୍ୟ କଣ୍ଠରେ ବୋଲିଲେ। ଯେହେତୁ ମୁଁ ସେଦିନ ସୂଦର୍ଶନ ବାବୁଙ୍କୁ ମୋ କବିତା ବହିଟିଏ ଉପହାର ସ୍ବରୁପ ଦେଇ ପାରି ନଥିଲି ତହିଁ ପରଦିନ ସକାଳେ ବହି ଖଣ୍ଡିଏ ଧରି ତାଙ୍କ ପାଖରେ ପହଞ୍ଚି ଗଲି। ମୋତେ ଏକୁଟିଆ ଦେଖି ସେ କହିଲେ, “ବୋହୂ ଆମର କୁଆଡେ ଗଲେ? ତାଙ୍କୁ ନଆଣି ଆପଣ ଚାଲି ଆସିଲେ କେମିତି? ଓଃ, କାଲି କଣ ସେ ଗୀତ ନବୋଲିଲେ ! ମୁଁ ଅଭିଭୂତ ହେଇଗଲି, ମନ ମୋର ଖୁସି ହେଇଗଲା। ଅନେକ ଦିନ ପରେ ମୁଁ ସେପରି କଣ୍ଠରେ ଏତେ ସୁନ୍ଦର ଗୀତଟିଏ ଶୁଣିବାକୁ ପାଇଲି। ସେ ଆସିଥିଲେ ତାଙ୍କୁ ଏକଥା କହିଥାନ୍ତି।” ଆଉ ପାଖରେ ମୋର ବେଶି ସମୟ ନଥିଲା, “ପୁଣି ଆସିବି” କହି ନମସ୍କାର କରି ତାଙ୍କ ଠାରୁ ବିଦାୟ ନେଲି ।
ଫେରିବା ବେଳେ ମନେ ମନେ ଭାବୁଥାଏ ଏଇ ମହାନ୍ ସ୍ଥପତିଙ୍କୁ ଦୁଇ ଦିନ ପୂର୍ବରୁ ମୁଁ ଜାଣି ନଥିଲି। ଆଉ ଆଜି ତାଙ୍କ ସହିତ ଆମେ ସଂପର୍କ ଡୋରିରେ ବାନ୍ଧି ହୋଇଗଲୁ, କେବଳ ତାଙ୍କର ଅସାଧାରଣ ବ୍ୟକ୍ତିତ୍ବ ଓ କଳା କୁଶଳତା ପାଇଁ। ଇଏ ଦୈବୀ ଯୋଗ ନୁହେଁ ତ ଆଉ କଣ? ହୋଟେଲ୍ ରୁମକୁ ଯାଇ ସବିତାଙ୍କୁ କହିଲି, “ମଉସା ତମ କଥା ପଚାରୁଥିଲେ, ତମକୁ ବହୁତ ଖୋଜୁଥିଲେ, କହିଛନ୍ତି ବୋହୂଙ୍କୁ ଆମର କହିବେ ଗୀତ ବୋଲିବା ଜମାରୁ ଛାଡିବେନି, ଏଇମିତି ସବୁ ଦିନ ବୋଲୁଥିବେ।” ସବିତା କହିଲେ, “ଆମେ ଯେତେ ଥର ଭୂବନେଶ୍ବର ଆସିବୁ ମଉସାଙ୍କୁ ନିଶ୍ଚୟ ଦେଖା କରିବାକୁ ଯିବୁ।” ସେ ଥର ଆମେ କାନାଡା ଫେରିଲୁ। ସେଇ ଦିନ ପାଖରୁ ସ୍ଥପତି ସୁଦର୍ଶନ ସାହୁଙ୍କ ବିଷୟରେ ମୋର ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହ ବଢିଲା।
ସୁଦର୍ଶନ ସାହୁ, ଜନ୍ମ ପୁରୀ ସହରରେ, ଉଣେଇଶ ଶହ ଅଣଚାଳିଶ ମସିହାରେ। ଗୁରୁ ଭୂବନେଶ୍ବର ମହାପାତ୍ର ଓ କୁନିଆ ମହାରଣାଙ୍କ ତତ୍ତ୍ବାବଧାନରେ ମାତ୍ର ତେର ବର୍ଷ ବୟସରୁ ପଥର ଖୋଦେଇ କଳାର ଶିକ୍ଷା। ଯୁବକ ଅବସ୍ଥାରେ ତାଙ୍କ ପ୍ରତିଭା କେବଳ ଯେ ଓଡିଶାରେ ସୀମିତ ହେଇ ରହିଲା ତା ନୁହଁ, ସାରା ଭାରତରେ ଓ ବିଦେଶରେ ଯଥା ଆମେରିକା, ଇଂଲଣ୍ଡ ଓ ଜାପାନରେ ତାଙ୍କର କଳା ପ୍ରତିଭା ବିକଶିତ ହେବାକୁ ଲାଗିଲା। ଜାପାନରେ ଶାନ୍ତି ସ୍ତୁପ ଯଥା ଆଟାମି, ହାନାଓକାୟାମରେ ତାଙ୍କ ହସ୍ତ ଖୋଦେଇ ବୁଦ୍ଧ ମୂର୍ତ୍ତି ସ୍ଥାପିତ ହେଲା। ଖୋଦେଇ କଳାକୁ ଜୀବିତ ରଖିବା ପାଇଁ ସେ ପୁରୀରେ ଊଣେଇଶ ସହ ବାସ୍ତରୀ ମସିହାରେ ଓ ଓଡିଶା ସରକାରଙ୍କର ସହାୟତାରେ ଭୂବନେଶ୍ବରରେ ଊଣେଇଶ ଶହ ଏକାନବେ ମସିହାରେ କ୍ରାଫ୍ଟ ଭିଲେଜ ସୃଷ୍ଟି କରି ଉଦୀୟମାନ ଆଗ୍ରହୀ କଳାକାରମାନଙ୍କୁ ଖୋଦେଇ କଳାର ଶିକ୍ଷା ପ୍ରଦାନ କଲେ। ସେଠାରେ ଯୁବ କଳାକାରମାନଙ୍କର ରହିବା, ଖାଇବା, ପାଠାଗାର, ପ୍ରଦର୍ଶନୀ ନିମନ୍ତେ ସୁବିଧା ସୁଯୋଗ ରହିଲା। ଗୁରୁ ଶିଷ୍ୟ ପରମ୍ପରାକୁ ଚକ୍ଷୁ ସାମନାରେ ରଖି ଏହି ଶିକ୍ଷା ଅନୁଷ୍ଠାନ ଦୁଇଟି ଆଗେଇ ଚାଲିଲେ। ସେଠାରେ ତିଆରି ହେଉଥିବା ଅନେକ ହାତ ଖୋଦେଇ ମୂର୍ତ୍ତି ଦେଶ ବିଦେଶକୁ ରପ୍ତାନୀ ହେବାକୁ ଲାଗିଲା। ଖୋଦେଇ କଳାର ବିକାଶ ଓ ପ୍ରସାରଣ ପାଇଁ ତାଙ୍କର ଅବିରତ ଚେଷ୍ଟା ପାଇଁ ଧୀରେ ଧୀରେ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନର ଅଧିକାରୀ ହେଲେ। ପ୍ରସ୍ତର ଖୋଦେଇ ପାଇଁ ଊଣେଇଶ ଶହ ଏକାଅଶୀ ମସିହାରେ ତାଙ୍କୁ ଜାତୀୟ ସ୍ତରର ସମ୍ମାନ ପ୍ରାପ୍ତ ହେଲା। ଊଣେଇଶ ଶହ ଅଠାଅଶୀ ମସିହାରେ ସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ଭୂଷିତ ହେଲେ।
ଭ୍ରମରେ ଅକସ୍ମାତେ ଦେଖା ହେବା ପର ଠାରୁ ଆମେ ଯେତେବେଳେ ଭୂବନେଶ୍ବର ଯାଉ ନିଶ୍ଚିତ ଭାବରେ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜକୁ ଯିବାକୁ ଭୁଲୁନା। ଏବେ ତାହା ଆମର ଏକ ତୀର୍ଥସ୍ଥାନ କହିଲେ ଅତ୍ୟୁକ୍ତି ହେବନି।
ଦୁଇ ହଜାର ଅଠର ମସିହାରେ ମୋତେ ମାଆଙ୍କ ଦେହାନ୍ତ ଯୋଗୁଁ ଭାରତ ଏକୁଟିଆ ଯିବାକୁ ପଡିଲା। ମୋ ସାନ ଭାଇ ଯିଏ ଅଷ୍ଟ୍ରେଲିଆର ମେଲ୍ବୋର୍ଣ୍ଣ ସହରରେ ରହେ, ମୋ ସହିତ ଭୂବନେଶ୍ବର ଯାଇ ଥାଏ। ତାକୁ ନେଇ ମୁଁ ସେଠାରେ ପହଞ୍ଚିଲି। ମୋତେ ଦେଖି ମଉସା ଅତି ଉତ୍ସାହିତ ହୋଇ ସବିତାଙ୍କ କଥା ପଚାରିଲେ। କହିଲେ “ବୋହୂ ଆମର କୁଆଡେ ଗଲେ? ତାଙ୍କୁ ନେଇ କାହିଁକି ଆସିଲେନି? ମୁଁ ତାଙ୍କ ପାଇଁ ଗୋଟିଏ ଉପହାର ରଖିଥିଲି, ଦେଇଥାନ୍ତି, ଆପଣ ତ ତାଙ୍କୁ ଆଣିଲେ ନାହିଁ।” ଏତକ କହି ସେ ଅସ୍ତବ୍ୟସ୍ତ ହେଇ ପଡିଲେ। ଭିତରକୁ ଯାଇ ଏକ ସୁନ୍ଦର ପଥର ଖୋଦେଇ ବିଘ୍ନରାଜଙ୍କର ବିଗ୍ରହଟିଏ ଆଣି ମୋ ହାତରେ ଧରେଇ ଦେଲେ। କହିଲେ, “ମୁଁ ଆପଣଙ୍କୁ ଆଗରୁ କହିଥିଲି, ଆଉ ଥରେ କହୁଛି, ତାଙ୍କୁ କହିବେ ଗୀତ ବୋଲିବା କେବେହେଲେ ବନ୍ଦ କରିବେ ନାହିଁ, ଏଇମିତି ସବୁବେଳେ ବୋଲୁଥିବେ।” ମୂର୍ତ୍ତିଟି ପାଇ ଓ ତାଙ୍କ କଥା ଶୁଣି ମୁଁ ଆନନ୍ଦରେ ଗଦ୍ଗଦ୍ ହେଇଗଲି, ଆଖି ମୋର ଛଳ ଛଳ ହେଇ ଉଠିଲା। ମୂର୍ତ୍ତିଟି ସାଇତି ରଖିଲି। ଆମେ ଦୁହେଁ ପୁଣି ଥରେ ମୂର୍ତ୍ତି ବଗିଚା ବୁଲି ଫେରିଲୁ। ଗଣେଷ ବିଗ୍ରହଟି ନେଇ ମୁଁ ଟରୋଣ୍ଟୋ ଫେରିଲି। ସବିତା ପାଇ ବହୁତ ଖୁସି ହେଇ କହିଲେ ମୁଁ ଆର ଥର ଭୂବନେଶ୍ବର ଗଲେ ମଉସାଙ୍କୁ ସାକ୍ଷାତ କରି ଧନ୍ୟବାଦ କହି ଆସିବି।” ମୋ ହାତରୁ ମୂର୍ତ୍ତିଟି ନେଇ ସେ ଆମର ଟରୋଣ୍ଟୋ ବାସଭବନର ଡ୍ରଇଂ ରୁମରେ ସଜେଇ ରଖିଲେ।
ଦୁଇ ହଜାର କୋଡିଏ ମସିହା ଫେବୃୟାରୀ ମାସ। ମୁଁ ପୁଣି ସବିତାଙ୍କ ସହିତ ସେଠାରେ ଯାଇ ପହଞ୍ଚିଲି। ଆମ ଦୁଇ ଜଣଙ୍କୁ ଦେଖି ମଉସା ଅତି ଖୁସି ହେଲେ। ଆଳାପ ଆଲୋଚନା ଚାଲିଲା। ସେ ଆଗ୍ରହର ସହିତ ପୁଣି ଆମକୁ ବୁଲାଇ ନେଲେ ବଗିଚା ଭିତରକୁ। ତାଙ୍କର ବ୍ୟସ୍ତମୟ ଜୀବନରେ ବି ଆମକୁ ବୁଲେଇ ଦେଖେଇବାର କେବେହେଲେ କାର୍ପଣ୍ୟ ନଥାଏ। ପ୍ରଥମେ ସଂଗ୍ରହାଳୟ ବୁଲି ବାହାରିଲୁ। କିଛି ସମୟ ଦେଖୁ ଦେଖୁ ମୂର୍ତ୍ତିଟିଏ ଦୁଇ ଜଣଙ୍କ ମନକୁ ଖୁବ୍ ପାଇଲା। ଇଚ୍ଛା ହେଲା କାନାଡା ନେଇ ଆସିବାକୁ। ମଉସାଙ୍କୁ ପଚାରିଲୁ କେଉଁ ଉପାୟରେ ଆଣିହେବ। ସେ କହିଲେ, “ଆପଣ ଚିନ୍ତା କରନ୍ତୁନି, ଆମେ ସୁନ୍ଦର ଭାବେ ପ୍ୟାକିଂ କରିଦେବୁ, ଆପଣ କ୍ୟାରି ଅନ୍ ସୁଟକେଶ୍ରେ ନେଇ ଯାଇ ପାରିବେ, କିଛି ଅସୁବିଧା ହେବନି”। ପୁଣି ଆମେ କଥାରେ ମନୋନିବେଶ କଲୁ। ସେଥର ମୋର ଉଦ୍ଦେଶ୍ୟ ଥାଏ ଅଧିକ କିଛି ଖୋଦେଇ ବିଷୟରେ ଜାଣିବାକୁ। କିଛି ପ୍ରଶ୍ନ ପଚାରିବାରୁ ମଉସା କହିଲେ, “ଚାଲନ୍ତୁ ବାହାରକୁ ଯିବା, ମୁଁ ଆପଣଙ୍କୁ ସବୁ ଦେଖେଇ, କେମିତି କଣ ହୁଏ ମୂଳରୁ ଚୂଳ ବୁଝେଇ ଦେବି।” କୌତୁହଳ ଏବଂ ଆଗ୍ରହର ସହିତ ଆମେ ବାହାରକୁ ବାହାରି ଆସିଲୁ। ସେ ଆଗେ ଆଗେ, ଆଉ ଆମେ ତାଙ୍କୁ ଅନୁସରଣ କରୁଥାଉ।
“ଏଇଠି ଦେଖନ୍ତୁ, ଏଇଠି ଆସି ପଥର ଜମାହୁଏ” ସେ କହିବା ଆରମ୍ଭ କଲେ। ମୁଁ ତାହା ଦେଖି ଆଶ୍ଚର୍ଯ୍ୟ ହେଇ ପଚାରିଲି, “ଏତେ ବଡ ବଡ ଏତେ ଓଜନିଆ ପଥର ଆସେ କେମିତି?” ସେ କହିଲେ, “ଏ ସବୁ ବଡ ବଡ ଟ୍ରକରେ ଆସେ, ଆଉ କ୍ରେନ ଆଣି ଏଠାରେ ଜମା କରିଦିଏ । ଏଇଥିରୁ କଟା ହେଇ ଛୋଟ ଛୋଟ ଆକାର କରା ହୁଏ।” “ଏ ସବୁ କେଉଁଠୁ ଆସେ,” ମୁଁ ପ୍ରଶ୍ନ କଲି। ସେ କହିଲେ, “ଏହା ପଥର ଉପରେ ନିର୍ଭର କରେ, କହିବାକୁ ଗଲେ ଆମ ଓଡିଶାରେ ତିନି ପ୍ରକାରର ପଥର। ଖୋଦେଇରେ ସହଜ ହୁଏ ଖଡି ପଥରରେ। ଏଥିରେ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ସହଜରେ କରାଯାଇ ପାରେ। ଏହା ସାଧାରଣତଃ କେଉଁଝରର ବଡବିଲ୍, ବାଲେଶ୍ବର ଏବଂ ମୟୂରଭଞ୍ଜରୁ ମିଳେ। ଏଥିରେ କିନ୍ତୁ ବଡ ବଡ ମୂର୍ତ୍ତି ଗଢା ହେଇ ପାରେନା। ବଡ ମୂର୍ତ୍ତି ଗଢିବାକୁ ହେଲେ ସାଣ୍ଡ ଷ୍ଟୋନ ବ୍ୟବହାର ହୁଏ। ଓଡିଆରେ ଆମେ ଯାହାକୁ କି ସହନ ପଥର କହିଥାଉ। ସେ ଗୁଡିକ ଯେଉଁ ଦେଖୁଚନ୍ତି ସେ ସବୁ ସାଣ୍ଡ ଷ୍ଟୋନ। ଏଥିରେ ଗଢିବାକୁ ଆଉ ଟିକିଏ କଷ୍ଟ ହୁଏ। କାରଣ ଏହା ଟାଣ। ଏଥିରେ ପୁଣି ସ୍ତର ସ୍ତର ହୋଇ ବାଲୁକାର ସ୍ତର ଥାଏ। ଯତ୍ନ ସହକାରେ ସାବଧାନତାର ସହିତ ନକଲେ ଭାଙ୍ଗି ଯାଇପାରେ। ଏ ସହନ ପଥର ଆମର ଏଇ ତାପଙ୍ଗଗଡରୁ ଆସେ ନହେଲେ କଟକର ଲଳିତଗିରିରୁ। ସେଠାରେ ଏହାର ଖଣି ସବୁ ଅଛି। ସବୁଠୁ ବେଶୀ କଠିନ ଗ୍ରାନାଇଟରେ ଖୋଦେଇ କରିବା, ଯାହାକୁ କି କହନ୍ତି ମୁଗୁନି ପଥର। ମୁଗୁନି ପଥର ନୀଳଗିରିରୁ ଆସେ।
ମୁଁ ପୁଣି ପଚାରିଲି, “ ଠିକ୍ ଅଛି ମଉସା, ପଥର ତ ଆସିଲା, ଖୋଦେଇର ଆରମ୍ଭ କେଉଁଠି?
ସେ ପୁଣି କହିବା ଆରମ୍ଭ କଲେ, “ଏଇ ଦେଖନ୍ତୁ, ଏଇଟି ପଥର, ପ୍ରଥମେ ଦେଖିବାକୁ ପଡିବ ଏଥିରେ କିଛି ଖୁଣ ଅଛି କି ନାହିଁ, ଫାଟ ଅଛି କି ନାହିଁ। ଭବିଷ୍ୟତରେ ଖୋଦେଇ କରିବା ସମୟରେ ଯେପରି ଭାଙ୍ଗି ନଯାଏ। ଏହାକୁ ଅତି ସାବଧାନତା ଓ ଯତ୍ନର ସହିତ ନିରୁପଣ କରିବାକୁ ପଡେ। ପଥର ନିର୍ବାଚନ ସରିଲେ ୟା ଉପରେ ଯେଉଁ କାମ କରିବା କଥା ପ୍ରଥମେ ତାର ଚିତ୍ର ଆଙ୍କି ଦିଆଯାଏ। ତାପରେ ନିହାଣରେ ସେଇ ଅନୁସାରେ ପ୍ରଥମ ନିଶାଣ ଦେଇ ଦିଆ ହୁଏ। ଆମର ମୁଖ୍ୟ ଜିନିଷ ହେଲା ନିହାଣ ଓ ହାତୁଡୀ। ଲୁହା ହାତୁଡୀ ଅଛି, କାଠରେ ବି ଅଛି। ହାଲୁକା କାମ ପାଇଁ କାଠ ହାତୁଡୀର ବ୍ୟବହାର କରା ହୁଏ। କରତରେ ପଥର କଟାହୁଏ। ଆଗରୁ ସବୁ ହାତରେ ହେଉଥିଲା। ଏବେ ମେସିନ କରତ ଆସିଲାଣି। କାଟିବା ଟିକିଏ ସହଜରେ ଓ ଶୀଘ୍ର ହେଇ ପାରୁଛି। ଦ୍ବିତୀୟ ପଦକ୍ଷେପରେ ବଡ ବଡ ଅଦରକାରୀ ପଥର ସବୁ ଖଣ୍ଡ ଖଣ୍ଡ କରି ବାହାର କରି ଦିଆଯାଏ। ଏହାକୁ ମଧ୍ୟ ଖୋବ୍ ସାବଧାନତା ସହିତ କରିବାକୁ ପଡେ। ପଥର ଥରେ ବାହାରିଗଲେ ପୁନଃ ରୋପଣ କରି ହେବନି ଆଜ୍ଞା। ତେଣୁ ଆଗକୁ ଭାବିଚିନ୍ତି ସବୁ କାମ କରିବାକୁ ପଡେ। କେମିତି ମୂର୍ତ୍ତିର ମୁହଁରେ ହସ ଫୁଟିବ, କେଉଁ ଅଳଙ୍କାର ଦ୍ବାରା କେଉଁ ଅଙ୍ଗରେ ଶୋଭା ବର୍ଦ୍ଧନ ହେବ, କେଉଁଠି ମେଖଳା, କେଉଁଠି ହାର, ବକ୍ଷ ଉପରେ କିପରି ଗହଣା କେଉଁଠି ରହିବ ଇତ୍ୟାଦି ଇତ୍ୟାଦି। ତୃତୀୟ ପଦକ୍ଷେପରେ ଆକାର କିପରି ଜଣା ପଡିବ ତା ଉପରେ ନଜର ରଖାଯାଏ। ଏତିକି ବେଳେ ଚିହ୍ନି ହୁଏ କଣ ପ୍ରକୃତରେ ଗଢା ହେଉଛି। ଚତୁର୍ଥ ପଦକ୍ଷେପରେ ସୂକ୍ଷ୍ମ ନିହାଣରେ ସୂକ୍ଷ୍ମ କାରୁକାର୍ଯ୍ୟ ସବୁ କରାହୁଏ। ଶେଷ ପଦକ୍ଷେପ ହେଉଛି କିପରି ପଲିସ କରିବା ଯଦ୍ବାରା ମୂର୍ତ୍ତିଟି ଖୁବ୍ ମସୃଣ ଦେଖା ଯିବ। ଏଥି ପାଇଁ ଫାଇଲ ଓ ବାଲି କାଗଜର ବ୍ୟବହାର କରାଯାଏ। ଗୋଟିଏ ଗୋଟିଏ ପଥରକୁ ଏମିତି ବି ପାଲିସ କରିଦିଆ ଯାଇପାରେ ଯାହା ଅଇନା ଭଳିଆ ଦେଖାଯାଏ। ଖୋଦେଇ ହେଉଛି ଏକ କଷ୍ଟ ସାଧ୍ୟ କଳା ଆଜ୍ଞା। ଏହାକୁ ଅତି ସାବଧାନତା ଓ ଯତ୍ନର ସହିତ କରିବାକୁ ପଡେ। ଏହାପାଇଁ ଅତ୍ୟଧିକ ଏକାଗ୍ରତା ଓ ବର୍ଷ ବର୍ଷ ଧରି ଅଧ୍ୟବସାୟର ଆବଶ୍ୟକ। ତେବେ ଯାଇ ଭବିଷ୍ୟତରେ ଉଚିତ ଫଳ ମିଳିବାର ସମ୍ଭାବନା ଏଥିରେ ଥାଏ।”
ଜୀବନରେ ଅନେକ ପରିଶ୍ରମ କରି ବିଲୁପ୍ତ ହେବାକୁ ଯାଉଥିବା ଏପରି ଏକ ବିରଳ କଳାକୁ ବଞ୍ଚେଇ ରଖିବାରେ ତାଙ୍କର ପ୍ରୟାସ। ସେଥିପାଇଁ ଓଡିଶା ସରକାର ଓ କଳାପ୍ରେମୀଙ୍କର ଅଶେଷ ସାହାଯ୍ୟ ରହିଥିବା କଥା ସେ କହିଲେ । ସେତେବେଳେ ମୁଁ ପଚାରିଲି, “ଆପଣ ଏବେ କିଛି ଅସୁବିଧାରେ ସମ୍ମୁଖୀନ ହେଉଚନ୍ତି କି ନାହିଁ?” ଉତ୍ତରରେ ସେ କହିଲେ, “ ସେମିତି ତ ବହୁତ କିଛି ଅଛି, ସେଥିପାଇଁ ଅଟକି ଗଲେ କଣ ଚଳିବ? ତା ସତ୍ତ୍ବେ ବି ଆମକୁ କାମ କରିବାକୁ ପଡିବ।” ଟିକିଏ ରହିଯାଇ କହିଲେ, “ପଥର ମିଳିବା ଉପରେ ସରକାର ଏବେ କଟକଣା ଜାରି କରିବାକୁ ଲାଗିଲେଣି, ପଥର ନମିଳିଲେ ମୂର୍ତ୍ତି ଗଢା ଚାଲିବ କିପରି? ଏଇ କଳାକାରମାନେ ନିଜର ଜୀବିକା ନିର୍ବାହ କରିବେ କିପରି?” ଏହା ଶୁଣି ମୁଁ ପଚାରିଲି, “ସରକାର କାହିଁକି କଟକଣା ଜାରି କରୁଛନ୍ତି?” ସେ କହିଲେ, “ଅନେକ ବ୍ୟବସାୟୀ ବ୍ୟବସାୟିକ ଭିତ୍ତିରେ ପଥରକୁ ଘର ନିର୍ମାଣ କାର୍ଯ୍ୟରେ ଲଗଉଚନ୍ତି, ଲୋକମାନେ ବି କିଣି ଘରେ ଲଗେଇବାକୁ ପସନ୍ଦ କରୁଚନ୍ତି, ଏମିତି ହେଲେ ପଥରର ଅଭାବ ସୃଷ୍ଟି ହେଇପାରେ। ସେଥିଲାଗି ସରକାର ଭୟ କରୁଚନ୍ତି, ତା ଛଡା ଜିନିଷ ପତ୍ରର ଦରଦାମ ବି ବଢି ବଢି ଚାଲିଚି।”
ମୁଁ ପଚାରିଲି, ଏ ମୂର୍ତ୍ତି ସବୁ କେମିତି ଆପଣ ବିକ୍ରି କରନ୍ତି?” ସେ କହିଲେ, “ବହୁତ ଅର୍ଡର ଆମ ପାଖକୁ ଆସେ, ସେଇ ମୁତାବକ ଆମେ ବନେଇ ଦେଉ, ସରକାରଙ୍କର ସୋ ରୁମକୁ ବି ଯାଏ। ସେଠାରେ ମଧ୍ୟ କିଛି ବିକ୍ରି ହୁଏ। ରାଜ୍ୟ ସ୍ତରୀୟ ବା ଦେଶ ସ୍ତରୀୟ ପ୍ରଦର୍ଶନୀ ମାନଙ୍କରେ ମଧ୍ୟ କିଛି ବିକ୍ରି ହୁଏ। କେତେକ କଳା ବ୍ୟବସାୟୀ ବାହାର ସହିତ ସଂପର୍କ ସ୍ଥାପନ କରି ମୂର୍ତ୍ତି ସବୁ ବାହାରକୁ ବି ରପ୍ତାନୀ କରନ୍ତି। ଆମେ ମଧ୍ୟ କିଛି ନିଜେ ନିଜେ ରପ୍ତାନୀ କରୁ। ଏଇ ଦେଖନ୍ତୁ ଏଇ ମୂର୍ତ୍ତିଟି ପ୍ୟାକିଂ ଚାଲିଛି, ଏଇଟି ବାହାରକୁ ଯିବ, ଏଇମିତି ସବୁ ଚାଲେ। କଥା ହେଉ ହେଉ କାନାଡାକୁ ମୂର୍ତ୍ତି ଆଣିବା ବିଷୟରେ ଯୋଜନା ଚାଲିଲା। ଆଣି ପାରିବା ଭଳି ଆକାର ପ୍ରକାରକୁ ଦେଖି ମୁଁ ଅନେକ ମୂର୍ତ୍ତିଙ୍କର ଫୋଟୋ ବି ତୋଳିଲି। କାନାଡାରେ ପହଞ୍ଚି ତାର ବ୍ୟବସ୍ଥା କରିବୁ ବୋଲି ମସୁଧା କଲୁ। ସମୟର ସ୍ବଳ୍ପତା ଦୃଷ୍ଟିରୁ ଆମେ ସେଦିନ ସେଠାରୁ ବିଦାୟ ନେଇ ଫେରିଲୁ। କାନାଡାରେ ପହଞ୍ଚି ମୂର୍ତ୍ତି ଆଣିବା ଯୋଜନା କରିବା ଭିତରେ କୋଭିଡ ମହାମାରୀ ଆସିଲା ଏବଂ ସମସ୍ତ ଯୋଜନା ସ୍ଥଗିତ ହେଇ ରହିଗଲା।
ଦିନେ ପ୍ରଭାତରେ ହଠାତ୍ ଫୋନ କଲ୍ଟିଏ ସଢୁଙ୍କ ଠାରୁ ପାଇଲି। ହ୍ୟାଲୋ କହିବା ମାତ୍ରେ, ସେ ପଟରୁ ସେ କହିଲେ, “ଭାଇନା ମନେ ଅଛି, କେତେ ବର୍ଷ ଆଗରୁ ଭୂବନେଶ୍ବରରେ ଆମେ ଯେଉଁ ସୁଦର୍ଶନ ଆର୍ଟ ଏଣ୍ଡ କ୍ରାଫ୍ଟକୁ ଭୁଲରେ ପଶି ଯାଇଥିଲୁ?” ମୁଁ କହିଲି, “ ହଁ, ହଁ ମନେ ଅଛି, କଣ ହେଲା?” ସେ ଅତ୍ୟନ୍ତ ଖୁସି ହୋଇ କହିଲେ, “ଆଜି ସମ୍ବାଦ ପାଇଲି ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ଉପାଧିରେ ଭୂଷିତ ହେଲେ”। ଏହା ଶୁଣି ମୁଁ ବି ବହୁତ ଖୁସି ହେଇଗଲି।
ସଢୁଙ୍କ ସହିତ କଥୋପକଥନ ପରେ ମୁଁ ସଙ୍ଗେ ସଙ୍ଗେ ସୁଦର୍ଶନ ବାବୁଙ୍କୁ ଫୋନ ଲଗେଇଲି। ସେ ନିଜେ ଫୋନ୍ ଉଠେଇ ହ୍ୟାଲୋ କହିଲେ। ମୁଁ କହିଲି, “ମଉସା ମୁଁ ଗଗନ ପାଣିଗ୍ରାହୀ ଟରୋଣ୍ଟୋରୁ କହୁଛି।” ସେ ସଙ୍ଗେ ସଙ୍ଗେ କହିଲେ, “ହଁ ଗଗନ ବାବୁ କହନ୍ତୁ, କେମିତି ଅଛନ୍ତି?” ମୁଁ କହିଲି, “ମଉସା, ଆପଣ ମୋତେ ମନେ ରଖିଛନ୍ତି?” ସେ କହିଲେ, “ଆରେ ଇଏ ଗୋଟେ କଥା? ଆପଣ ଏଠାକୁ କେତେ ଥର ଆସିଲେଣି, ତା ଛଡା ଆପଣଙ୍କର ବହି ଉନ୍ମୋଚନକୁ ମୁଁ ଯାଇଥିଲି ଯେଉଁଥିରେକି ବୋହୂ ଆମର ସୁନ୍ଦର ଗୀତଟିଏ ବୋଲିଥିଲେ, ଆଉ ଆପଣ ଗୀତଟି ଆପଣଙ୍କ ଗାଁ ବିଷୟରେ ଲେଖିଥିଲେ, ମୁଁ ଭୁଲିବି କେମିତି?” ଶୁଣି ଅବାକ୍ ହେଲି, ସେ ଏତେ କଥା ମନେ ରଖିଚନ୍ତି।
ମୁଁ କହିଲି, “ମଉସା ଆପଣଙ୍କୁ ମୁଁ ଅଭିନନ୍ଦନ ଜଣଉଛି। ଓଡିଆଙ୍କ ପାଇଁ ଅତି ଗୌରବର କଥା ଭାରତ ସରକାର ଆପଣଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କଲେ। ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ।” ମୋ କଥା ନସରୁଣୁ ସେ କହିଲେ, “ଧନ୍ୟବାଦ, ଆପଣ ବିଦେଶରେ ରହି ଏତେ ଦୂରରୁ ଫୋନଟିଏ କଲେ ସେଇଟା ବହୁତ ବଡ କଥା। ସବୁ ପ୍ରଭୂଙ୍କର କୃପା, ତାଙ୍କରି କରୁଣା, ଆମେ ନାମକୁ ମାତ୍ର। ମୁଁ ଯେ ସବୁଠୁ ବଡ ସ୍ଥପତି ତା ନୁହଁ, ଆହୁରି ଅନେକ ଅଛନ୍ତି, ଆମକୁ ତାଙ୍କୁ ବାହାର କରିବାକୁ ପଡିବ। ପୁଣି ଯେବେ ଓଡିଶା ଆସିବେ ଏଇଠି ମୋ ବଗିଚାରେ ଗୋଟିଏ କବିତା ଆସର କରିବା, ଆପଣ କବିତା ଆବୃତି କରିବେ ଓ ବୋହୂ ଆମର ଆପଣଙ୍କ କବିତା ତାଙ୍କର ସେଇ ସୁମଧୁର କଣ୍ଠରେ ବୋଲିବେ।”
ଅନ୍ୟାନ୍ୟ କଥାବାର୍ତ୍ତା ପରେ ଫୋନ ରଖୁ ରଖୁ ମୁଁ ତାରିଫ କରୁଥିଲି ତାଙ୍କର ସ୍ମରଣ ଶକ୍ତି ଓ ଅସାଧାରଣ ବ୍ୟକ୍ତିତ୍ବକୁ। ଭାବୁଥିଲି ଲୁପ୍ତ ପ୍ରାୟ କଳାକୁ ଯେଉଁ ମୁଷ୍ଟିମେୟ କେତେଜଣ ବଞ୍ଚେଇ ରଖିଛନ୍ତି ସେଇମାନଙ୍କୁ। ଆଉ ହଜାର ହଜାର ମାଇଲ ଦୂରରୁ ମନେ ପକଉଥିଲି ଉତ୍କର୍ଷ କଳାର ସେଇ ଉତ୍କଳ ଭୂଇଁକୁ।
Enjoyed the narration and got to know the artist. Gives me inspiration to visit his center in my next visit to Bhubaneswar.
Thank you.
Nice write up on an Odia sculptor who has dedicated his life to this art form. He has made all Odias proud by this commitment and achievement of craftsmanship. I am really impressed by this and would love to read such essays in future editions of Sahitya Charcha.
Thank you.
WOW. I am amazed at the development. Do you remember I had connected the other Sudarshan Patnaik to you??
Great story, well it is real for a change. Kudos for writing such an absorbing piece. Enjoyed it.
ଶ୍ରୀ ସୁଦର୍ଶନ ମହାରଣାଙ୍କ ସହ ମୋର ପ୍ରଥମ ଦେଖା ଫେବୃୟାରୀ ବାର ତାରିଖ ୨୦୧୬ ଭୁବନେଶ୍ୱର ର ସୁବର୍ଣ୍ଣରେଖା ଚାମ୍ବର୍ସ ପ୍ରେକ୍ଷାଳୟରେ ମୋର ପୁସ୍ତକ ‘କୋଣାର୍କ ବିକ୍ରି ହେବ ଓ ଅନ୍ୟାନ୍ୟ ନାଟକ’ର ଉନ୍ମୋଚନ ଦିବସରେ । ୨୦୧୮ ଓଡିଶା ପର୍ବ ଅବସରରେ ଇଣ୍ଡିଆ ଗେଟ ଲନ୍ ରେ ଦେଖା ହୋଇଥିଲା । ପଦ୍ମବିଭୁଷଣ ସମ୍ମାନ ବିମଣ୍ଡିତ ଶ୍ରୀ ମହାରଣାଙ୍କର ଦୀର୍ଘ କର୍ମମୟ ଜୀବନ କାମନା କରୁଛି । ଗଗନ ବାବୁଙ୍କୁ ଧନ୍ୟବାଦ ଉପସ୍ଥାପନା ପାଇଁ ।
ବହୁତ ବହୁତ ଧନ୍ୟବାଦ
Dear Sir
Thank u so much for this narration of your interaction with my Baba. I am sure he too cherishes your relationship with him. It’s so nice to know along with your area of work you have not left behind your passion for writing and painting. All the very best to you and your wife.
Thank you.
Since we met Sudarsan Mausa, his craft village has become a pilgrimage for us. Whenever I touch his feet, I feel as if I am touching feet of a sage. Great article. Thanks Gagan for writing this article and capturing his art work. Thanks Sahitya Charcha for publishing it.
ସାହିତ୍ୟ ଚର୍ଚ୍ଚା ଏ ଭଳି ସାହିତ୍ୟ ରଚନା କୁ ପ୍ରକାଶିତ କରି ସମସ୍ତ ପାଠକଙ୍କ ମନରେ ଜ୍ଞାନ, ଖୁସି, ପ୍ରେରଣା ଭରିବାର ବିଶେଷ ଦାୟିତ୍ଵ ତୁଲାଉ ଥିବାରୁ ଅଶେଷ ଧନ୍ୟବାଦ ।
ଆପଣଙ୍କୁ ଅଶେଷ ଧନ୍ୟବାଦ
ଲେଖକ ଶ୍ରୀ ଗଗନ ବିହାରୀ ପାଣିଗ୍ରାହୀ ନିଜ diary ପୃଷ୍ଠାରୁ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ village ପରିଦର୍ଶନ ସହ ଶିଳାର ସାଧକ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଙ୍କର ସାକ୍ଷାତ- ବାର୍ତ୍ତାଳାପ ଅତି ଅମୋଡ଼ିଟ ରୁଚିବନ୍ତ୍ଢ ଢ଼ଙ୍ଗରେ ପରିବେଷଣ କରିଛନ୍ତି। ତାଙ୍କୁ ନମସ୍କାର ଓ ଧନ୍ୟବାଦ ।
ଆପଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ ଭଲ ଲାଗିଲା ଜାଣି ଖୁସି ହେଲି
Most inspiring write up by the all-rounder Mr. Gagan Behari Panigrahi. The above facts about sculpture Padma Vibhushan Sj Sudarshan Sahu perhaps not known to most Odias here whereas Mr Panigrahi being residing at Canada has elaborately narrated the intrinsic facts of art, craft and sculpture of Odisha in his brief visit. It shows his real love and appreciation towards the motherland. So much of thanks and best wishes.
ଆପଣ ଲେଖାଟିକୁ ଧୈର୍ଯ୍ୟର ସହିତ ପଢିଥିବାରୁ ଓ ଆପଣଙ୍କୁ ଭଲ ଲାଗିଥିବାରୁ ମୁଁ ଜାଣି ଖୁସି ହେଲି ଅଶେଷ ଧନ୍ୟବାଦ ସେଥିପାଇଁ
ଗଗନ ଭାଇନା, ଆପଣଙ୍କ ସରଳ ଭାଷାରେ ଏହି ଭ୍ରମଣ କାହାଣୀର ବିସ୍ତୃତ ବୃତାନ୍ତ ଅତି ଚମତ୍କାର | ପ୍ରସ୍ତର ମୂର୍ତ୍ତିର କାରୁକାର୍ଯ୍ୟ ପରି ଜୀବନ୍ତ | ମନେ ହେଲା ଯେପରି ମୁଁ ମଧ୍ୟ ଆପଣଙ୍କ ସହ ସେହି ମହାନ ଶିଳ୍ପୀଙ୍କ ସହ ଭେଟି ତାଙ୍କର କଳା ଦେଖିବାର ସୁଯୋଗ ପାଇଛି | ଆମକୁ ଏହି ଅଭିଜ୍ଞତାର ଅଂଶୀଦାର କରିବା ଲାଗି ଅଶେଷ ଧନ୍ୟବାଦ | ଆପଣଙ୍କ ସ୍ନେହର, ମନୋରମା
You have brought out an exceptional Odia artist. Your endeavours is highly praiseworthy
Regards
Dr.Sarbeswar Padhan
Faculty of Economics
University of Delhi