ୱାଡ଼େ ବାଇଆ

  • ସେ ତ ନିଜର ଟିକି ମନରେ ଧରିନେଇଥିଲା ଯେ ସିଏ ସତସତିକା ଭୟାନକ ବାଇଆଟିଏ ହୋଇଥିବ। କିନ୍ତୁ…..! ପଢନ୍ତୁ ପ୍ରବୀଣ କଥାକାର ମୃତ୍ୟୁଞ୍ଜୟ ଷଡ଼ଙ୍ଗୀଙ୍କ କଲମରୁ ହୃଦୟସ୍ପର୍ଶୀ ଗଳ୍ପଟିଏ।
ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ

-ମମ୍ମି, ମମ୍ମି, ମମ୍ମି…
ମୋ ଛାତି ଧାଉଁ କରି ଚମକି ଉଠିଲା। ଝିଅ ଚିନିର ଡାକରେ କିଛି ଗୋଟେ ଥିଲା। କୌତୂହଳ, ଦୁଷ୍ଟାମୀ, ଆବେଗ ଓ ଉନ୍ମାଦନାରେ ଭରା। ଯେମିତି ମମ୍ମି ତା ଡାକ ଶୁଣିବା ପରେ ସେ ହଠାତ୍ ଛାତ ଉପରକୁ ଚଢ଼ି ତଳକୁ ଡେଇଁ ପଡ଼ିବ, ବରଫ ଭଳି ଥଣ୍ଡା ପାଣିରେ ହାତ ବୁଡ଼େଇ ଦବ ବା ନିଆଁ ଝୁଲରେ ଭରା ଉତ୍ତପ୍ତ କିଆରୀ ଉପରେ ଦଉଡ଼ି ଦଉଡ଼ି ଆରପଟକୁ ଯାଇ ତାଳି ମାରିବ -ଦେଖିଲ, ମୋର କିଛି ହେଲାନି। ଦେଖିଲ, ଦେଖିଲ, ସବୁବେଳେ ଖାଲି ମତେ ଆକଟ କରୁଛ! ମୋର କିଛି ହବନି ମ!
ଆମର ତିନିବର୍ଷର ଝିଅ ଚିନି ଘରେ, ବାହାରେ, ସମ୍ପର୍କୀୟମାନଙ୍କ ଭିତରେ ଗୋଟିଏ ନିଆଁହୁଳା ବୋଲି ସମସ୍ତେ ଜାଣନ୍ତି। ସାରାଦିନରେ ପାଞ୍ଚଘଣ୍ଟା ଶୋଇଲେ ଯଥେଷ୍ଟ ବୋଲି କେହି ଜଣେ ତତ୍ତ୍ୱବିଦ୍ କହିବାର ମୋ’ର ମନେପଡ଼ୁଛି। ସେ ନିଶ୍ଚୟ ଚିନି ବା ତା ପରିକା ଚଞ୍ଚଳ, ଚପଳ, ଉତ୍ତପ୍ତ କଡ଼େଇରେ ଫୁଟୁଥିବା ଖଇଭଳି ଡେଉଁଥିବା କୌଣସି ଶିଶୁକୁ ଦେଖି ଏ ତତ୍ତ୍ୱଟି ବାହାର କରିଥିବେ। ରାତି ଗୋଟାଏ ବେଳେ ବି ତା’ର ବାପାକୁ ଖେଂଚିଖେଂଚି ଉଠେଇବ, ପେଟରେ କୁତୁକୁତୁ କରିବ -ଜଲ୍‌ଦି ଘୋଡ଼ା ହୁଅ, ତଳେ ଗୁରୁଣ୍ଡ, ମୁଁ ତୁମ ଉପରେ ବସି ଘର ନାମ୍ନୀ ଏଇ ଛୋଟ ଦୁନିଆକୁ ପରିଚରଣ କରିବି। ମମ୍ମି, ମୋର ଏବେ ହରଲିକ୍ସ ଦରକାର। ହରଲିକ୍ସ ବନେଇବା ପରେ… ନା ନା, ଅରେଞ୍ଜ୍ ଜୁସ୍ ଦିଅ। ମମ୍ମି ରାଗିଲେ ତାଳିମାରି, ପାପା ପାପା, ତୁମେ କୁହନା ମମ୍ମି ରାଗିଲେ ବେଶୀ ସୁନ୍ଦର ଦିଶେ। ଦେଖ ଦେଖ, ମମ୍ମିର ମୁହଁ କେମିତି ଲାଲ୍ ହେଇଯାଇଛି!
ବହୁତ କଷ୍ଟରେ ଗପ ଶୁଣାଇ, ସ୍ୱର୍ଗ, ନର୍କ, ପାତାଳର ନର, କିନ୍ନର, ଦେବତା, ରାକ୍ଷସମାନଙ୍କ ସହିତ ତା’ର ପରିଚୟ କରାଇ ତାକୁ ଶୁଏଇବା ବେଳକୁ ମୁଁ ଓ ମୋ ସ୍ୱାମୀ ସଂବିତ୍ ଏତେ ଥକି ଯାଇଥିବୁ ଯେ, ଆଉ ଗୋଟେ ଶବ୍ଦ ଉଚ୍ଚାରଣ କରିବା ପାଇଁ ବି ଦେହରେ ବଳ ନ ଥିବ। ଠିକ୍ ପାଞ୍ଚ ଘଣ୍ଟା ପରେ ଚିନି ନିଶ୍ଚୟ ଉଠିପଡ଼ିବ। ଉଠିବା କ୍ଷଣି ମତେ କୁତ୍‌କୁତ୍ କରି ଉଠେଇବ, ତା’ ବାପାର ପେଟରେ ବସି ମଟରସାଇକେଲ ଚିଲେଇବ କିମ୍ବା ଟିଭିରୁ ଶିଖିଥିବା ଗୀତ ବଡ଼ ପାଟିରେ ଗାଇବା ଆରମ୍ଭ କରିବ -ଚଲ୍ ମେରେ ଘୋଡ଼େ ଟିକ୍ ଟିକ୍ ଟିକ୍। ଶୁଣିଲେ ମନ ଖୁସିରେ ଭରି ଉଠିବା କଥା, କିନ୍ତୁ ସକାଳ ଛଅଟା ପନ୍ଦରରେ ଅଧା ନିଦରୁ ଉଠି ଏ ଗୀତ ଶୁଣିବାର ମୁଡ଼ ନା ମୋର ଥାଏ, ନା ସଂବିତ୍‌ଙ୍କର।

ଜାପାନୀ କଣ୍ଢେଇ ଭଳି ଦିଶୁଥିବା ଚିନି ଆମର ପ୍ରାଣର ପିତୁଳା। ବେଳେବେଳେ ଠାକୁରଙ୍କୁ ଡାକିବାକୁ ଇଚ୍ଛାହୁଏ, ପ୍ରଭୁହେ! ପାଞ୍ଚଘଣ୍ଟା ବଦଳରେ ଆମ ବିନିକୁ ଆଠଘଣ୍ଟା ନିଦ ଦେଇପାରନ୍ତନି?
ଥରେ କୌଣସି କାହାଣୀରେ ଜଣେ ଭଦ୍ରବ୍ୟକ୍ତି ନିଜର ଅତି ଚଞ୍ଚଳ, ସଦା ସଜାଗ ଝିଅ ବିଷୟରେ କହିବାର ପଢ଼ିଥିଲି -ଜୁଲି, ଇଫ୍ ୟ ୱେଆର ଦେଆର୍‌, ହ୍ୱେନ୍ ୟୁ ୱେଆର ନଟ୍ ଦେଆର୍‌, ୟୁ ଉଡ୍ ନଟ୍ ହ୍ୟାଉ ବିନ୍ ହିଅର। ମୋର ରାଗର ବା ଖୁସିର ଲାଲ୍ ମୁହଁ, ଚିନି ସହିତ ତାଳ ମିଳେଇ ହସିବା, କଥାକଥାକେ ଥଟ୍ଟା ତାମସା କରିବାର ଚଞ୍ଚଳତା ସତ୍ତ୍ୱେ ସଂବିତ୍ ଆଉ ମୁଁ ନିଜ ଜୀବନକୁ ଚିନିକୈନ୍ଦ୍ରିକ କରି ରହିଛୁ। ଚିନି ଭଳି ଆଉ ଜଣେ ଶିଶୁ ଯେ ଆମ ଦୁନିଆକୁ ଆସିବ, ଏ ସମ୍ଭାବନା ନିକଟ ଭବିଷ୍ୟତରେ ଦିଶୁନି। ହେଲେ ଚିନିର ଖିଲିଖିଲି ହସ, ଅଳି, ଚମକେଇ ଦେଲା ଭଳି କଥା, ତା’ର ଦିନସାରାର ଦୌରାତ୍ମ୍ୟ ଆମ ଜୀବନକୁ ପରିପୂର୍ଣ୍ଣ କରି ରଖିଛି। ଭରସା ଅଛି, ଆଉ ବର୍ଷେ ପରେ ସେ ନର୍ସରୀ, ପୁଣି ସ୍କୁଲ ଯିବା ଆରମ୍ଭ କରିବ। ଥକ୍କା ହେଇ ଘରକୁ ଆସିବ! ରାତି ଦଶଟା ବେଳେ ଶୋଇଯିବ। ପୁଣି ଡର ଲାଗେ, ତିନିଟା ବେଳେ ଉଠି ପଡ଼ିବନି ତ!
ଚିନିର ଚଞ୍ଚଳ ମନରେ ମମ୍ମିକୁ ହଇରାଣ କରିବା ପାଇଁ ବିଭିନ୍ନ ଉପାୟର ମଞ୍ଜି କିଏ ପୋତେ ମୁଁ ଜାଣିନି। କିନ୍ତୁ ତା’ ଶିଶୁ ମନର କୋଉ କଣରେ ଗୋଟିଏ କାରଖାନା ଅଛି, ଯୋଉଠି ନୂଆନୂଆ ସୈତାନୀ ତିଆରି ହଉଥାଏ। ମୋ ଉପରେ ସେ ସବୁ ପ୍ରୟୋଗ କରାଯାଏ ଏବଂ ମୋର କ୍ଷୁବ୍‌ଧତାକୁ ଦେଖି ତାଳିମାରି ହସିବାର ଆନନ୍ଦରେ ଚିନି ଜୁଡ଼ୁବୁଡ଼ୁ ହେଇଯାଏ। ଦିନକରେ ବିଭିନ୍ନ ସମୟରେ, ଖାଇଲା ବେଳେ, ସନ୍ଧ୍ୟାରେ ବାହାରକୁ ଖେଳିବାକୁ ଗଲେ, ରାତିରେ ଶୋଇଲା ବେଳେ, ତାକୁ ଆକଟ କଲାବେଳେ ଆମକୁ ବି ନୂଆନୂଆ କୌଶଳର ପ୍ରୟୋଗ କରିବାକୁ ପଡ଼େ। ଆଜି ବାଇଆ, କାଲି ରାକ୍ଷସ, ପଅରଦିନ ଦଶ ମୁଣ୍ଡିଆ ଅସୁର, କେବେ ସାନ୍ତାକ୍ଲଜ୍ ତ କେବେ ପରୀ ନାମ୍ନୀ କାଳ୍ପନିକ ସହଯୋଗୀର ସାହାଯ୍ୟ ନବାକୁ ପଡ଼େ।
ହଠାତ୍ ଦିନେ ସଂବିତ୍‌ଙ୍କର ଇନ୍ଦୋରରୁ ଦିଲ୍ଲୀ ବଦଳି ହେଇଗଲା। ପ୍ରାୟ ତିନିମାସ ପରେ ପାଣ୍ଡରା ରୋଡ୍ ସରକାରୀ ଘର ମିଳିଲା। ଚିନି ପାଇଁ ବହୁତ ଭଲ। ତଳ ଘର, ଛୋଟ ବଗିଚାଟିଏ ଓ ସାଙ୍ଗରେ ଗୋଟିଏ ସର୍‌ଭ୍ୟାଣ୍ଟ୍ କ୍ୱାର୍ଟର୍ସ। ଚିନି ତ ଚିନି ଭଳି ମିଠା -ଚାହୁଁଚାହୁଁ ନୂଆ ଚାକରାଣୀ ତୁଳସୀର ପ୍ରିୟ ହୋଇଗଲା। କିଛିଦିନ ପରେ ଖେଳିବା ପାଇଁ ସର୍‌ଭ୍ୟାଣ୍ଟ୍ କ୍ୱାର୍ଟର୍ସ ପାଖକୁ ଯିବା ଆରମ୍ଭ ହେଇଗଲା। ମୁଁ ଗାଧେଇ ଗଲେ, ଠାକୁର ପୂଜା କରବାକୁ ଗଲେ ଚିନି ଦଉଡ଼ି ପଳେଇବ ତୁଳସୀ ଘରକୁ। ସେଇଠି ଖେଳିବାରେ ତା’ର ଆନନ୍ଦ। କହିବାକୁ ଗଲେ, ତା’ର ସାଇତାନୀର ସାମ୍ରାଜ୍ୟର ସୀମା ଆଉ ଟିକେ ବିସ୍ତାରିତ ହେଲା -ସବୁବେଳେ ବକର ବକର ହବା, ଦୁଷ୍ଟାମୀ କରିବା, ସିମେଣ୍ଟ ପିଣ୍ଡିରେ ଚଢ଼ି ତଳକୁ ଡେଇଁବା, ଛୋଟ ଗଛରୁ କୋଳି ତୋଳି ଖାଇବା, ଗୁଣ୍ଡୁଚି ମୂଷା ପଛରେ ଦଉଡ଼ିବା ବିଲେଇକୁ ତୁଳସୀ ଘରୁ ଆଣି ଭାତ ଖାଇବାକୁ ଦବା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନବା ଚିନି ପାଇଁ ଦୈନନ୍ଦିନ କାମ ହେଇଗଲା। ଇନ୍ଦୋରରେ ଆମେ ଫ୍ଲାଟ୍‌ରେ ଥିଲୁ। ଏବେ ଘର ଛୋଟ ହେଲେ ବି ବଗିଚା ଆଉ ସର୍‌ଭ୍ୟାଣ୍ଟ୍ କ୍ୱାର୍ଟର୍ସ ଆମ ପାଇଁ, ଖାସ୍ କରି ଚିନି ପାଇଁ ବହୁତ ସୁବିଧା ହେଲା।
କିନ୍ତୁ ଦିଲ୍ଲୀରେ ରହିବାର ଦୁଇଦିନ ଭିତରେ ଗୋଟିଏ ଅଦ୍ଭୁତ ସମସ୍ୟା ଆମ ଆଗରେ ଠିଆ ହେଲା। ଚଞ୍ଚଳ ଚିନିର ଦୁଷ୍ଟାମୀକୁ ନିୟନ୍ତ୍ରଣ କରିବା ପାଇଁ ଇନ୍ଦୋରରେ ଯୋଉ ସହଯୋଗୀମାନଙ୍କର ସାହାଯ୍ୟ ଆମେ ନଉଥିଲୁ, ସେଥିରେ ଗୋଟିଏ ବାଇଆ ଥିଲା। ସହରର ମେନ ବଜାରର କଣରେ ଲମ୍ବା ଦାଢ଼ି ଛାଡ଼ି, ମୁଣ୍ଡରେ ବିରାଟ ସିନ୍ଦୂର ଲଗେଇ, ଢିଲା କୁର୍ତ୍ତା ପାଇଜାମା ପିନ୍ଧି, କେତେବେଳେ ଦଉଡ଼ି, କେତେବେଳେ ବିକଟାଳ ଚିତ୍କାର କରି ବଜାରରେ ଚାଞ୍ଚଲ୍ୟ ସୃଷ୍ଟିକରୁଥିବା ଏଇ ବାଇଆଟିର କଥା କହିଲେ ଚିନିର ସୂକ୍ଷ୍ମ ଦେହ ଆତଙ୍କରେ ଶିହରୀ ଉଠୁଥିଲା ଓ ପ୍ରାୟ ତିନି ମିନିଟ୍ ପଇଁତିରିଶ ସେକେଣ୍ଡ ସେ ଚୁପ୍ ହେଇଯାଉଥିଲା। ଖାଇଲାବେଳେ ଭାତଗୁଣ୍ଡା ସୁରୁଖୁରୁରେ ଗିଳି ଦଉଥିଲା, କ୍ଷୀର ଗ୍ଲାସ୍ ଦେଲେ ତରବରରେ ପିଇ ଯାଉଥିଲା।

ଇନ୍ଦୋରରୁ ଦିଲ୍ଲୀ ବଦଳି ଭିତରେ ସାନ୍ତାକ୍ଲଜ୍‌, ରାକ୍ଷସ, ପିଶାଚ ଇତ୍ୟାଦି ଆମର ଅନ୍ୟ ସହକର୍ମୀମାନେ ସୁରୁଖୁରୁରେ ସ୍ଥାନାନ୍ତରିତ ହେଇପାରିଲେ, କାରଣ ସେମାନେ ଥିଲେ କୋଉ ବହିର ଫଟୋ ବା ଆମର ମନଗଢ଼ା ଭାବମୂର୍ତ୍ତି। କିନ୍ତୁ ବିଚାରୀ ବାଇଆଟିର ବଦଳି ଆମ ସାଙ୍ଗରେ ହେଇପାରିଲାନି। ଦିଲ୍ଲୀ ଆସିବା ପରେ ଏଇ ବହୁ ଉପଯୋଗୀ ବାଇଆଟିର ଅନୁପସ୍ଥିତି ଆମେ ବାରମ୍ବାର ଅନୁଭବ କଲୁ।
ଦିଲ୍ଲୀ ଆସିବାର ତିନିଦିନ ପରେ ଦିନେ ସକାଳୁ ଗୋଟିଏ ବିକଟାଳ ଚିତ୍କାରରେ ମୋ ଦେହ ଶିହରି ଉଠିଲା। ଦିନ ଦଶଟା ହବ, ସଂବିତ୍ ବହୁତ ବେଳୁ ଜଳଖିଆ ଖାଇ, ଲଞ୍ଚ୍ ନେଇ ଅଫିସ୍ ଯାଇ ସାରିଥିଲେ। ହଠାତ୍ ଗଗନ, ପବନ କମ୍ପେଇ ବିରାଟ ଚିତ୍କାରଟିଏ ଭାସି ଆସିଲା -ୱାଡ଼େ… ପୁଣି ଗୋଟିଏ ମିନିଟ୍ ବ୍ୟବଧାନରେ ୱାଡ଼େ… ଲାଗିଲା ସତେ ଯେମିତି ଦୂରରେ ଘଡ଼ଘଡ଼ି ମାରିଲା। ଏତେ ଭୟାନକ ଶବ୍ଦ ମୋ ଜୀବନରେ କେବେ ଶୁଣି ନଥିଲି। ଶିହରୀ ଉଠି ଚିନି ମତେ ଜାବୁଡ଼ି ଧରିଲା। ପ୍ରାୟ ଅଧ ମିନିଟ୍ ପରେ ପୁଣି ୱାଡ଼େ… ଏଥର ଲାଗିଲା ଠିକ୍ ଆମ ପାଚିରି ବାହାରେ ଘଡ଼ଘଡ଼ି ପଡ଼ିଲା।

ଏଥର ଚିନି ମୋ ଗଳାକୁ ଜାବୁଡ଼ି ଧରି ଡରରେ କାନ୍ଧରେ ମୁହିଁ ଲୁଚେଇ ଦେଲା। ମୁଁ ଜାଣିଲି ଇନ୍ଦୋରରେ ଛାଡ଼ିଆସିଥିବା ବାଇଆର ଅନୁପସ୍ଥିତି ଏବେ ଆମକୁ ବିବ୍ରତ କରିବି ନାହିଁ। ଦିଲ୍ଲୀରେ ଆମକୁ ସେ ଦାଢ଼ିବାଲା ବାଇଆଠୁଁ ବି ଭୟଙ୍କର ବାଇଆଟେ ମିଳିଗଲା। ଏବେ ଚିନିକୁ ଆକଟ କରିବାକୁ ହେଲେ, କ୍ଷୀର ପିଇବା ପାଇଁ, ବଲିଆ ଖାଇବା ପାଇଁ ବାଧ୍ୟ କରିବାକୁ ହେଲେ, ରାତିରେ ଗୋଟାଏ ପରେ ଜବରଦସ୍ତି ଶୁଆଇବାକୁ ହେଲେ ୱାଡ଼େ ବାଇଆ ଆମ ପାଇଁ ଯଥେଷ୍ଟ।
ତୁଳସୀ ମୁହଁକୁ ଚାହିଁ ମୁଁ ବାସ୍ତବ ରାଜ୍ୟକୁ ଫେରିଲି। ତୁଳସୀ ହସି ହସି କହି ଆସୁଥିଲା -ଆରେ ଗୁଡ଼ିଆ, କ୍ୟୂଁ ଡର୍ ରହି ହୋ? ୟେ ତୋ… ହଠାତ୍ ପାଟିରେ ଆଙ୍ଗୁଠି ରଖି ମୁଁ ତାକୁ ଚୁପ୍ ରହିବାକୁ ଇସାରା ଦେଲି। ଧୀରେଧୀରେ ୱାଡ଼େ ବାଇଆର ଚିତ୍କାର ମଳିନ ହେଇ ଆସିଲା ଓ ଦୂରକୁ ଦୂରକୁ ଚାଲିଗଲା।
ଘଣ୍ଟେ ପରେ ଚିନି ତା’ ରୁମ୍‌ରେ ଖେଳନା ସହିତ ଖେଳୁଥିବା ବେଳେ ଓ ତୁଳସୀ ଚଟାଣରେ ପୋଛା ଲଗାଉଥିଲା ବେଳେ ମୁଁ ତାକୁ ପଚାରିଲି -ସକାଳେ ଯୋଉ ୱାଡ଼େ ଶବ୍ଦ କରୁଥିଲା ସେ କିଏ?
ତୁଳସୀ କହିଲା-ୱୋ ତୋ କୱାଡ଼ିବାଲା, ଘର୍ ଘର୍ ସେ ପୁରାନା ପେପର୍‌, ଫାଲ୍‌ତୁ ଚିଜ୍ ଲେତା ହେ। ଏକ୍ ବଡ଼ା ସା ବ୍ୟାଗ୍ ଲୋକେ ଘୁମ୍‌ତା ରହତା ହୈ।
ମୁଁ କହିଲି, ୱାଡ଼େ ମାନେ କଅଣ?
ତୁଳସୀ ପୁଣି ହସିଲା -ଆରେ ମେମ୍ ସାହାବ, ୱାଡ଼େ ନେହିଁ, ୱୋ କୱାଡ଼ା କେହତା ହୈ, କୱାଡ଼ା। ଯବ୍ ଇଧର୍ ସେ ଗୁଜରତା ହୈ, କଭିକଭି ମେରେ ଘର ପାନି ପିନେ ରୁକ୍ ଯାତା ହୈ। ମୋ ବୋକାମୀରେ ମୁଁ ହସିହସି ଗଡ଼ିଗଲି -କୱାଡ଼େକୁ ମୁଁ ୱାଡ଼େ କେମିତି ବୁଝିଲି? ତୁଳସୀକୁ କହିଲି, ଚିନିକୁ କହିବୁନି। ସେ ଦୁଷ୍ଟାମୀ କଲେ ଆମେ ତାକୁ କହିବୁ ୱାଡ଼େ ବାଇଆ ଆସିବ। ତୁଳସୀ ହସିହସି ମୁଣ୍ଡ ଟଙ୍ଗାରିଲା -ଠିକ୍ ହୈ, ମେମ୍ ସାହାବ୍।
ଧୀରେଧୀରେ ଚିନି ଆମ ଦିଲ୍ଲୀର ନୂଆ ଘରେ ରାଜୁତି କରିବା ଆରମ୍ଭ କଲା। ଘର ଭିତରେ, ଅଗଣା ବଗିଚା ତା’ର ପାଟି, ଅଝଟ, ମିଛି ମିଛିକା ରାଗ, ଅଭିମାନ, ଝଗଡ଼ାରେ କମ୍ପିବାକୁ ଲାଗିଲା। ମଝିରେ ମଝିରେ ଉପରଓଳା ତୁଳସୀ ସାଙ୍ଗରେ ଯାଇ ସର୍‌ଭ୍ୟାଣ୍ଟ୍ କ୍ୱାର୍ଟର୍ସର ପିଲାମାନଙ୍କ ସାଙ୍ଗରେ ଖେଳିବା ଆରମ୍ଭ କଲା। ସବୁଥିରେ ଖୁସି ସିଏ, ସମସ୍ତେ ତା’ର ସାଙ୍ଗ, ସବୁଥିରେ ତା’ର ଆନନ୍ଦ। ଯେମିତି ସାରା ଦୁନିଆ କୁହୁକ, ଚାଞ୍ଚଲ୍ୟରେ ଭରା। ସେ ହାତ ବଢ଼େଇ ରୋମାଞ୍ଚର ଶାମୁକା ସବୁ ଗୋଟେଇ ଆଣିବ ଓ ତା’ର କୁନି ଫ୍ରକ୍‌ର ପକେଟ୍‌ରେ ସାଇତି ରଖିବ।
ୱାଡ଼େ ବାଇଆ ସପ୍ତାହରେ ଦୁଇଥର ଆମ ଘର ବାଟେ ଯାଏ -ନୂଆ ନୂଆ ଆସିଥିବାରୁ ଆମ ଘରେ ଏତେ ଖବରକାଗଜ, ଅଳିଆ ମାଳିଆ ହୁଏନି, ପୁଣି ସଂବିତ ଚିନି ସହିତ ବ୍ୟସ୍ତ ରହି ଘରେ ଖବରକାଗଜ ପଢ଼ିବାପାଇଁ ସମୟ ପାଆନ୍ତିନି। ଏଣୁ ଲାଇବ୍ରେରୀରୁ ମଗେଇ ଅଫିସ୍‌ରେ ପଢ଼ନ୍ତି ଓ ସେଇଠି ଫେରେଇ ଦିଅନ୍ତି। ଏଣୁ ୱାଡ଼େ ବାଇଆର ମୁହାଁମୁହିଁ ହେବାର ସୁଯୋଗ ମତେ ତିନି ଚାରିମାସ ଯାଏଁ ମିଳି ନ ଥିଲା। ସେ ଆମ ଘରବାଟେ ଗଲାବେଳେ ତୁଳସୀ ଘରକାମ କରୁଥାଏ। ଏଣୁ ସେ ବି କଦବା କ୍ୱଚିତ୍ ୱାଡ଼େ ବାଇଆକୁ ଦେଖୁଥିବ।
ମୁଁ ଓ ସଂବିତ୍ କିନ୍ତୁ ଏ ଭିତରେ ୱାଡ଼େ ବାଇଆକୁ ବିଭିନ୍ନ ରଙ୍ଗ ଓ ସମ୍ଭାବନାରେ ଚିତ୍ରଣ କରି ଚିନିର ମନରେ ଗୋଟିଏ ଭୟାନକ ଇମେଜ୍ ସୃଷ୍ଟି କରିଥିଲୁ। ଯଥା, ତା’ର ନିଶ ଏତେ ବଡ଼ବଡ଼ ଯେ ବେଳେବେଳେ ସେଥିରୁ ଦୁଇଟା ଭୟଙ୍କର ଆଲ୍‌ସେସିଆନ୍ କୁକୁର ଝୁଲୁଥାନ୍ତି। ଆମ ବେଡ୍‌ରୁମ୍ ସାଇଜ୍‌ର ବଡ଼ ବ୍ୟାଗ୍ ଧରି ସେ ବୁଲେ ଓ ଯୋଉ ଛୁଆମାନେ ଦୁଷ୍ଟାମୀ କରନ୍ତି, ରାତିରେ ଶୀଘ୍ର ଶୁଅନ୍ତିନି, କ୍ଷୀର ପିଅନ୍ତିନି, ଫଳ ଖାଆନ୍ତିନି, ସେମାନଙ୍କୁ ଧରି ସେ ବ୍ୟାଗ୍‌ରେ ଭତ୍ତିକରି ଜଙ୍ଗଲକୁ ନେଇଯାଏ ଓ ସେଠି ବାଘ ଭାଲୁଙ୍କ ପାଖରେ ଛାଡ଼ିଦିଏ।
ଏସବୁ କଥା ଶୁଣିଲେ ଚିନିର ଦେହ ଭୟରେ ଶୀତେଇ ଉଠେ। ପିଲାଦିନେ ଗୋଟିଏ ଗୀତ ଶୁଣିଥିଲି -ମୀନା, ମୀନା, ମୀନା, ଦୁନିଆରେ ଡରେ ନାହିଁ କାହାକୁ ସେ ସିନା, ହେଲେ ଡରିଯାଏ, କିଏ ଯେବେ କହେ -କକମୀନା! ସେଇଭଳି, ଦୁନିଆର ସବୁ କୌତୂହଳ, ଉଦ୍‌ବେଗ ଓ ଉଦ୍ଦୀପନାକୁ ସାଉଁଟି ଆଣି ନିଜ ଫ୍ରକ୍ ପକେଟ୍‌ରେ ସାଇତି ରଖିବାର ଦୁଃସାହସ କରୁଥିବା ଚିନି କେବଳ ୱାଡ଼େ ବାଇଆର ନାଁ ଶୁଣିଲେ ଡରରେ ଶୀତେଇ ଉଠୁଥିଲା। ଏମିତିକି ଧୀରେଧୀରେ ରାକ୍ଷସ, ଅସୁର, ପିଶାଚ ଆଦି ମାଇନର୍ କ୍ୟାରେକ୍ଟରମାନଙ୍କୁ ସେ ଆଙ୍ଗୁଠି ଅଗରେ ନଚେଇ ପାରିବା ଭଳି ତାଚ୍ଛଲ୍ୟ କଲା। କାରଣ, କେବଳ ୱାଡ଼େ ବାଇଆହିଁ ଦୁନିଆର ସବୁଠାରୁ ଭୟାନକ ଜୀବ ବୋଲି ସେ ନିଶ୍ଚିତ ହେଇଗଲା।
ଏବେ ସବୁଦିନ ଏଗାରଟା, ସାଢ଼େ ଏଗାରଟା ବେଳକୁ ମୁଁ ଗାଧେଇ ଗଲେ ତୁଳସୀ ଚିନିକୁ ନେଇ ତା ଘରକୁ ଯାଏ। ସେଠି ସେ ଖେଳେ, ଗପେ ଓ ଦୁଷ୍ଟାମୀର ପେଡ଼ି ଖୋଲେ। ଅଧଘଣ୍ଟା ପରେ ମୁଁ ଘଣ୍ଟି ବଜେଇଲେ ତୁଳସୀ ଆଣି ଚିନିକୁ ମୋ ପାଖରେ ଛାଡ଼ିଯାଏ।
ଆଜି ଯେତେବେଳେ ତୁଳସୀ ଚିନିକୁ ଛାଡ଼ିବାକୁ ଆସିଲା, ତା’ର ହାତ ଛାଡ଼ିଦେଇ ଚିନି ବିଜୁଳି ଭଳି ମୋ ଆଡ଼କୁ ଦୌଡ଼ି ଆସିଲା। ଆଖିରେ ଅଦ୍ଭୁତ ଚମକ, ଯେମିତି ଗଡ଼ ଜିତିଆସିଛି ସେ ବା ଗୋଟିଏ କୁହୁକ ପେଡ଼ିର ରହସ୍ୟମୟ ଚାବିକାଠି ତା ହାତରେ ପଡ଼ିଛି ଓ ତା ଭିତରୁ ଭଳି ଭଳିକା ଖେଳନା, ଚକ୍‌ଲେଟ୍‌, ଟଫି ସବୁ ଅଜାଡ଼ି ହେଇ ପଡ଼ିଛି ଚିନିର ପାଦତଳେ…
ମମ୍ମି, ମମ୍ମି, ପୁଣି ଚିତ୍କାର କଲା ଚିନି। ମୁଁ ଚମକି ପଡ଼ିଲି। ଗୋଟିଏ ଅଜଣା ଡରରେ ମୋର ଦେହ ଶୀତେଇ ଉଠିଲା। କି ଦୁଷ୍ଟାମୀ କରି ଆସିଛି ଟିନି ଆଜି? ତୁଳସୀ ମୁହଁକୁ ଚାହିଁଲି -ସେ ହସିହସି କହିଲା, ୱାଡ଼େ ବାବାସେ ମୁଲାକାତ୍ ହୋ ଗୟୀ ଗୁଡ଼ିଆକି!
ମୁଁ ପୁଣି ଥରେ ଚମକି ଉଠିଲି। ସତରେ କଅଣ ୱାଡ଼େ ବାଇଆ ଭୟାନକ ହେଇଥିବ? କିନ୍ତୁ ଚିନିର ଉତ୍ସାହରୁ ସେ ଡରିଥିବା ଭଳି ତ ଜଣାପଡ଼ୁନି। ଚିନି ପୁଣି କିଛି କହିଆସୁଥିଲା। ମୁଁ ତୁଳସୀ ମୁହଁକୁ ଚାହିଁଲି-
-ଆଜ୍ ଇଧର୍‌ସେ ଗୁଜର୍ ରହା ଥା, ପାନି ପିନେ ଆ ଗୟା। ଉସ୍‌କା ଝୋଲା ଭରା ହୁଆ ଥା, ଇସିଲିଏ କିସିକୋ ନେହିଁ ପୁକାରା। ଐସେ ହି ପେଡ୍‌କେ ନିଚେ ବୈଠ୍‌କେ ପାନି ପିନେ ଲଗା। ଗୁଡ଼ିଆ ତୋ ସବ୍‌କେ ସାଥ୍ ବାତ୍ କରତି ହେ, ଉସ୍‌ସେ ଦୋସ୍ତି ହୋ ଗୟି।
ତୁଳସୀର କଥାରୁ ମୁଁ ଯାହା ଜାଣିଲି, ୱାଡ଼େ ବାଇଆ ସାଙ୍ଗରେ ଦୋସ୍ତି କରିବା ପାଇଁ ଚିନିକୁ ମାତ୍ର ତିରିଶ୍ ସେକେଣ୍ଡ ଲାଗିଲା। ସେମାନଙ୍କ କଥାବାର୍ତ୍ତାର ଗତିଧାରା ଏଇଭଳି ଥିଲା-
-କଅଣ ନାଁ ତୁମର ଗୁଡ଼ିଆ?
-ଚିନି, ତୁମ ନାଁ
-ରାମ୍ ଲାଲ୍‌…
-ଲାଲ୍‌? କାହିଁ, ତୁମେ ତ କଳା। ତୁମ ନାଁ ଲାଲ୍ କେମିତି ହେଲା?
ଚିନି ଖିଲିଖିଲି ହସି ଉଠିଲା। ଏମିତି ଗୋଟେ ବିଡ଼ମ୍ବନା କେମିତି ହେଲା ବୋଲି। ରାମ୍‌ଲାଲ୍ ବି ହସିହସି ଗଡ଼ିଗଲା।
-ସମସ୍ତଙ୍କର କ’ଣ ତୁମ ଭଳି ନସିବ୍ ଅଛି? ନାଁ ବି ଚିନି, ହସ ବି ଚିନି ଭଳି ମିଠା।
-ତୁମ ନାଁ ଲାଲ୍ କିଏ ରଖିଲା?
-ମୋ ବାବାର ନାଁ ଲାଲ୍‌, ତେଣୁ ମୋ ନାଁ ବି ଲାଲ୍‌!
-ଆଉ ତୁମ ଝିଅ? ତା’ ନାଁ ବି ଲାଲ୍‌?
-ନା ନା ତା ନାଁ ରାମ୍‌ଦୁଲାରୀ। ରାମ୍‌ର ଝିଅ, ତେଣୁ ତା ନାଁ ରାମ୍ ଦୁଲାରୀ।
-ଦୁଲାରୀ ମାନେ ଝିଅ?

ରାମ୍ ଲାଲ୍ ହସିହସି ମୁଣ୍ଡ ଟୁଙ୍ଗାରିଲା।
-ତେବେ ମୋ ନାଁ ମମ୍ମିଦୁଲାରୀ। ମୁଁ ମମ୍ମିର ଝିଅ।
ରାମ୍‌ଲାଲ୍ ଏ କଥା ଶୁଣି ହସିହସି ଗଡ଼ିଗଲା। ଚିନି ପୁଣି ତା’ ଜେରା ଚାଲୁ ରଖିଲା।
-ତୁମ ଝିଅ କୋଉଠି ଅଛି?
-ମୋ ଗାଁରେ।
-ତୁମ ଗାଁ କଅଣ ଇନ୍ଦୋର?
-ଇନ୍ଦୋର? ନାହିଁ ନାହିଁ, ମୋ ଗାଁ ମେହେନ୍ଦିପୁର୍। ଇଟାୱା ପାଖରେ।
-ଇଟା? ମାନେ ମୋ ବାବା ଗାଡ଼ି ଚଲେଇ ଗଲାବେଳେ ଯୋଉ ଇଟାଗଦା ମତେ ଦେଖେଇଥିଲେ ସେଇଠି?
-ନା ନା, ଓଟାୱା। ଏଠୁ ବହୁତ ଦୂର, ହଜାରେ ମାଇଲ୍‌ଠୁଁ ବି ଦୂର।
-ଏତେ ଦୂର?
-ହଁ।
-ତୁମେ କଅଣ ଏରୋପ୍ଲେନ୍‌ରେ ଗାଁକୁ ଯାଅ? ଯେମିତି ଆମେ ଇନ୍ଦୋର୍‌ରୁ ଏରୋପ୍ଲେନ୍‌ରେ ଆସିଥିଲୁ?
-ଏରୋପ୍ଲେନ୍ ମତ୍‌ଲବ୍ ହାୱାଇ ଜାହାଜ୍‌! ନା ନା, ମୁଁ ଟ୍ରେନ୍‌ରେ ଯାଏ। ମୋ’ ଝିଅ ତ ଏବେ ଯାଏଁ କେବେ ଟ୍ରେନ୍‌ରେ ବସିନି।
-ଆଉ ଏରୋପ୍ଲେନ୍‌ରେ ବସିଛି ତ?
ରାମଲାଲ୍ ପୁଣି ବଡ଼ପାଟିରେ ହସିଲା। -ତା’ ବାବା ତ ହାୱାଇ ଜାହାଜ୍‌ରେ ବସିନି, ସେ କଅଣ ବସିବ?
-ତୁମେ କାହିିଁକି ଏରୋପ୍ଲେନ୍‌ରେ ଗାଁକୁ ଯାଉନ?
ରାମ୍‌ଲାଲ୍ ଥରେ ଆକାଶ ଆଡ଼କୁ ଚାହିଁ ଦୀର୍ଘଶ୍ୱାସ ଇାଡ଼ିଲା। ପୁଣି ନିଜକୁ ସମ୍ଭାଳି ନେଲା।
-ଟ୍ରେନ୍‌ରେ ତ ବହୁତ ମଜା। ଗାଡ଼ି ଛୁକ୍‌ଛୁକ୍ କରି ଚାଲେ। ଗାଡ଼ି ଭିତରେ ଚନାଚୂର ମିଳେ, ଚିନାବାଦାମ୍ ମିଳେ, ଗୀତ ଗାଇ ଲୋକମାନେ ପଇସା ମାଗନ୍ତି। ତୁମ ହାୱାଇ ଜାହାଜରେ କଅଣ ଏସବୁ ଅଛି?
ରାମ୍‌ଲାଲ୍ ହଠାତ୍ ପାଟିରେ ଶବ୍ଦ କରି ଚିନିକୁ ଦେଖେଇଲା। ଚିନି ଖୁସିରେ ତାଳି ମାରିଲା।
-ମୁଁ ବି ତୁମ ସାଙ୍ଗରେ ଟ୍ରେନ୍‌ରେ ଯିବି। ତୁମ ଝିଅ ସାଙ୍ଗରେ ଖେଳିବି। ମତେ ନବନା?
-ହଁ, ହଁ, ନିଶ୍ଚେ ନେବି।
-ମୋ ବାବା ଆଉ ମମ୍ମିକୁ ବି ନବ ନା?
ରାମଲାଲ୍‌ର ମୁହଁରେ ସରଳ ହସଟିଏ ଖେଳିଗଲା।
-ହଁ, ହଁ, ତୁମ ବାବା ମମ୍ମିଙ୍କୁ ବି ନେଇଯିବି।
ହଠାତ୍ କଥା ବୁଲେଇ ଚିନି କହିଲା-ତୁମ ଦାଢ଼ି ପାଣି ପିଇଲା ବେଳେ ପାଣିରେ ଭିଜି ଯାଏନି?
-ହଁ, ଭିଜି ତ ଯାଏ!
-ଚାହା ପିଇଲା ବେଳେ?
-ନାଇଁ, ଚାହା ପିଇଲା ବେଳେ ମୁଁ ହୁସିଆର୍ ରହେ।
-ତୁମ ନିଶର ଦୁଇ ପାଖରେ ତୁମେ ଆଲ୍‌ସେସିଆନ୍ କୁକୁର ଝୁଲେଇ ଚାଲିପାରିବ?
-ଆଲ୍ ସେସିଆନ୍ କୁକୁର? ନାହିଁ ତ? ମୋ’ର ଏତେ ବଡ଼ ନିଶ କାହିଁ?
-ୱାଡ଼େ ବାଇଆର ଅଛି। ସେ ଦୁଇଟା କୁକୁର ତା ନିଶରେ ଝୁଲେଇ ଚାଲେ। ଯୋଉ ଛୁଆମାନେ ଦୁଷ୍ଟାମୀ କରନ୍ତି, ସେ କୁକୁରମାନେ ତାଙ୍କୁ ଧରିଆଣନ୍ତି। ୱାଡ଼େ ବାଇଆ ସେମାନଙ୍କୁ ତା’ ବ୍ୟାଗ୍‌ରେ ପୂରେଇ ଜଙ୍ଗଳକୁ ନେଇଯାଏ। ଆରେ, ତୁମ ବ୍ୟାଗ୍‌ରେ କଅଣ ଅଛି?
-ପୁରୁଣା କାଗଜ ପତ୍ର, ବାସନକୁସନ, ଭଙ୍ଗା ଖେଳନାବି।
-ଖେଳନା? ମତେ ଦବ?
-ନା ନା, ସେ ସବୁ ଭଙ୍ଗା ଖେଳନା, ତୁମେ ଖେଳିବା ଲାୟକ୍ ନୁହଁ।
-ତୁମ ବ୍ୟାଗ୍ ତ ଛୋଟ। ଓାଡ଼େ ବାଇଆର ବ୍ୟାଗ୍ କେତେ ବଡ଼ ଜାଣିଛ? ପୂରା ଆମ ବେଡ୍‌ରୁମ୍ ଭଳିଆ। ସେଇଥିପାଇଁ ତତା ଭିତରେ ସବୁବେଳେ ଆଠଦଶଟା ଦୁଷ୍ଟ ପିଲା ବନ୍ଧା ହେଇ ରହିଥାନ୍ତି।
-ଆଚ୍ଛା? ୱାଡ଼େ ବାୟାତ ବଡ଼ ନିର୍ଦ୍ଦୟ ଭଳି ଜଣାପଡ଼ୁଛି। ଛୋଟ ପିଲାଙ୍କୁ କିଏ ବ୍ୟାଗ୍‌ରେ ପୂରାଏ?
-ୱାଡ଼େ ବାଇଆ ପୂରାଏ। ସେମାନଙ୍କୁ ନେଇ ଜଙ୍ଗଲରେ ଛାଡ଼ିଦିଏ, ବାଘ ଭାଲୁଙ୍କ ପାଖରେ। ସେ ଛୁଆମାନଙ୍କୁ ନା ଆଇସ୍‌କ୍ରିମ୍ ମିଳେ ନା ପିଜା। ଖାଲି ପତ୍ର ଆଉ ଫଳ ଖାଇ ରହିବାକୁ ପଡ଼େ? ତୁମ ଝିଅକୁ ଆଇସ୍‌କ୍ରିମ୍ ଭଲ ଲାଗେ? କୋଉ ଆଇସ୍‌କ୍ରିମ୍‌, ଭାନିଲା ନା ମ୍ୟାଙ୍ଗୋ?
ରାମ୍‌ଲାଲ୍‌ର ଆଖି ଛଳଛଳ ହୋଇ ଆସିଲା। ଦିନକୁ ଦୁଇବେଳା ପେଟପୂରା ଖାଇବା ଯାହା ପାଇଁ କଷ୍ଟ, ତାକୁ ଆଇସ୍‌କ୍ରିମ୍‌ର ସ୍ୱପ୍ନ କାହିଁକି ସେ ଦେଖେଇବ? କଥା ବୁଲେଇ ତୁଳସୀକୁ କହିଲା, ଗୋଟେ ବଡ଼ ବ୍ୟାଗ୍ ଧାର ଦବ? ଆଉ କିଛି ଜିନିଷ ଆଜି ଠୁଳ କରି ନିଅନ୍ତି। ଆର ମାସରେ ଗାଁକୁ ଯିବି। ଅଧିକା ପଇସା ଟିକେ ହେଲେ ସ୍ତ୍ରୀ ପାଇଁ, ଝିଅ ପାଇଁ ଲୁଗାପଟା କିଛି କିଣି ନିଅନ୍ତି।
ତୁଳସୀ ଗଲା ଘର ଭିତରୁ ବଡ଼ ବ୍ୟାଗ୍‌ଟେ ଆଣିବା ପାଇଁ। ଚିନିର କଥାରେ ବାଟୁଳି ବାଜୁ ନଥାଏ।
-ମତେ ତୁମ ଗାଁକୁ ନେଲେ ଆଇସ୍‌କ୍ରିମ୍ ଦବ? ତୁମ ଗାଁ ମଝି ରାସ୍ତାରେ ଟ୍ରେନ୍ ଚାଲେ? ଛୁକ୍ ଛୁକ୍‌? ତୁମ ଝିଅ ପାଖରେ ବାର୍ବି ଡୋଲ ଅଛି? ମିକି ମାଉସ୍ ଅଛି?
ରାମ୍‌ଲାଲ୍‌ର ମୁହଁ ଧୀରେଧୀରେ ଦୁଃଖରେ ଭାଙ୍ଗି ଆସୁଥାଏ। ତଥାପି ହସିହସି ସେ କେତେବେଳେ ଟ୍ରେନ୍‌ର ଛୁକ୍‌ଛୁକ୍ ଶବ୍ଦ କରି, କେତେବଳେ ପପିହା ଚଢ଼େଇର ରାବ କରି ବା ବେଙ୍ଗ ବୋବେଇବାର ଶବ୍ଦ କରି ଚିନିକୁ ହସେଇବାରେ ଲାଗିଥାଏ।
ତୁଳସୀଠୁଁ ବ୍ୟାଗ୍ ନେଇ ରାମ୍‌ଲାଲ୍ ଉଠିଲା। ଚିନିକୁ ଟିକେ ଗେଲ କଲା। କ୍ଷଣକ ପାଇଁ ରାମ୍‌ଦୁଲାରୀର ମମତାର କୋହ ତା କଣ୍ଠକୁ ରୁଦ୍ଧ କରିଥିବ ନିଶ୍ଚୟ। କିନ୍ତୁ ଯାଉଯାଉ ବିରାଟ ଚିତ୍କାରଟେ କଲା -ୱାଡ଼େ…। ଚିନି କ୍ଷଣକ ପାଇଁ ସ୍ତବ୍‌ଧ ହେଇଗଲା। ରାମ୍‌ଲାଲ୍ ଆଗକୁ ଯାଉ ଯାଉ ପୁଣି ଥରେ କହିଲା-ୱାଡ଼େ…।
ଚିନି ପାଟିରେ ହାତଦେଇ, ଆଶ୍ଚର୍ଯ୍ୟ, କୌତୂହଳ, ପୁଣି ରୋମାଞ୍ଚରେ ଶିହରୀ ଉଠିଲା। ତୁଳସୀ ଆଡ଼କୁ ଚାହିଁ କହିଲା-ଇଏ ୱାଡ଼େ ବାଇଆ? ହସିହସି ତୁଳସୀ ମୁଣ୍ଡ ଟୁଙ୍ଗାରି ଦେଲା। ଚିନି ତୁଳସୀର ହାତ ଧରି ଟାଣି ଟାଣି ଆମ ଘରକୁ ପଶି ଆସିଲା।
-ମମ୍ମି, ମମ୍ମି, ମମ୍ମି…
ମୋ ଚିନ୍ତିତ ଚାହାଣିର ପ୍ରଶ୍ନବାଚୀକୁ ଏଡ଼େଇ ଚିନି କହିଲା-ମମ୍ମି ସେ ୱାଡ଼େ ବାଇଆଟା ବାଇଆ ନୁହେଁ ମ, ଭଲ ଲୋକ। ଆଉ ତା’ର ବ୍ୟାଗ୍‌ରେ ଦୁଷ୍ଟଛୁଆ ନାହାନ୍ତି ଯେ? ଖାଲି ଖବର କାଗଜ ଅଛି ଆଉ ଖେଳନା। ସେ ପରା ମୋ ସାଙ୍ଗ। କାଲି ଆସିଲେ ତୁମ ସାଙ୍ଗରେ ଦୋସ୍ତି କରେଇ ଦେବି।
ମୁଁ ତୁଳସୀ ଆଡ଼କୁ ଚାହିଁଲି। ତା’ର ଆଖି ଛଳଛଳ ହେଇ ଆସିଲା,
-ମୁଝସେ ଝୁଟ୍ ନେହିଁ ବୋଲା ଗୟା। ନା ମୈ ଗୁଡ଼ିଆ କି ଦିଲ୍ ତୋଡ୍ ସକ୍‌ତି ଥି, ନା ରାମ୍‌ଲାଲ୍‌କି। ମୁଝେ ମାଫ୍ କର୍ ଦିଜିଏ। ଉସ୍‌କି ଭି ଏକ ବେଟି ହୈ, ରାମ୍‌ଦୁଲାରୀ, ହମାର ଗୁଡ଼ିଆ କି ଉମର୍ କି!
ମୁଁ ଚିନିକୁ ଆଦରରେ କୁଣ୍ଢାଇ ଧରିଲି। ଜାଣିଲି, ୱାଡ଼େ ବାଇଆ ଆମ ଜୀବନରୁ ଅପ୍‌ସରି ଗଲା ସିନା ଏବେ ସାନ୍ତାକ୍ଲଜ୍ ଆଉ ପରୀ ଶ୍ରେଣୀରେ ରାମ୍‌ଦୁଲାରୀ ବି ଚିନିର ସ୍ୱପ୍ନ ରାଇଜରେ ସାଙ୍ଗ ହେଇଯିବ। ଉପରକୁ ଚାହିଁ ଈଶ୍ୱରଙ୍କୁ ଡାକିଲି, ହେ ପ୍ରଭୁ! ଦୁନିଆର ସବୁ ଚିନି ଆଉ ରାମ୍‌ଦୁଲାରୀ ମାନଙ୍କୁ ଭରପୂର ଖୁସି ଦିଅନ୍ତୁ। ଯଦି ସମ୍ଭବ ହୁଏ, ସେମାନଙ୍କ କଅଁଳ ମନକୁ ସବୁଦିନ ପାଇଁ ସରଳ ଓ ନିଷ୍ପାପ ରଖନ୍ତୁ!

3 thoughts on “ୱାଡ଼େ ବାଇଆ

  1. ଏହି ମନଛୁଆଁ ଗଳ୍ପଟି ପାଇଁ ଲେଖକଙ୍କୁ ଅଭିନନ୍ଦନ। ଜୟ ଜଗନ୍ନାଥ।

  2. Very satisfying . A heart touching story is built on a simple theme . Chini”s characterisation is excellent.

  3. ଭଲ ଗପ ।ଭଲ ଲାଗିଲା । ଲେଖକଙ୍କୁ ବଧେଇ ଜଣାଉଛି।

Leave a Reply

Your email address will not be published. Required fields are marked *