ଛନ୍ଦ : ଆକ୍ଷରିକ ଅର୍ଥ ଓ ଏହାର ମନନଧର୍ମିତା

  • ଛନ୍ଦ ହେଉଛି କବିତାର ଏକ ଅପରିହାର୍ଯ୍ୟ ଅଙ୍ଗ। ଆମ କାବ୍ୟ ପରମ୍ପରାର ଏହି ଦିଗଟି ଉପରେ ଆଲୋକପାତ କରିଛନ୍ତି ଲେଖକ।
ଅମୃତେଶ ଖଟୁଆ

ସଂସ୍କୃତ ସାହିତ୍ୟରୁ ପ୍ରଥମତଃ କାବ୍ୟ ସମ୍ପର୍କିତ ଆଦର୍ଶ, ରୀତି, ଶୈଳୀ ଓ ସୌନ୍ଦର୍ଯ୍ୟବୋଧ ଜନିତ ତତ୍ତ୍ଵର ନିଦର୍ଶନ ପ୍ରତିପାଦିତ। ରୁଦ୍ରଟ, ବାମନ, ଜଗନ୍ନାଥ, ଦଣ୍ଡୀ, ଭାମହ ଇତ୍ୟାଦି ସଂସ୍କୃତଜ୍ଞ ମହାନ୍ ଶାସ୍ତ୍ରବିତ୍ ମାନେ ସର୍ବପ୍ରଥମେ କାବ୍ୟର ରୀତି ଓ ଅଳଙ୍କାର ମାନଙ୍କ ପ୍ରବର୍ତ୍ତନ କରିଥିଲେ। ‘କାବ୍ୟ ମୀମାଂସା’, ‘କାବ୍ୟାଳଙ୍କାର’, ‘କାବ୍ୟାଦର୍ଶ’, ‘ରସ ଗଙ୍ଗାଧର’, ‘ଅଳଙ୍କାର ମଣିହାର’, ‘ଚମତ୍କାର ଚନ୍ଦ୍ରିକା’, ‘ଶୃଙ୍ଗାର ପ୍ରକାଶ’, ‘କୁବଳୟାନନ୍ଦ’ ଇତ୍ୟାଦି ବହୁବିଧ ଛାନ୍ଦସିକ, ଆଳଙ୍କାରିକ ଓ କାବ୍ୟିକ ରୀତି କାବ୍ୟ ସମ୍ବନ୍ଧକୁ ରୂପାୟନ ପ୍ରଦାନ କରନ୍ତି।

ଆଉ କାବ୍ୟମାନଙ୍କ ମଧ୍ୟରେ ନୂତନ ରୀତି ଓ ଆଳଙ୍କାରିକ ଶୈଳୀର ପ୍ରବର୍ତ୍ତନ କରିବାରେ ସର୍ବପ୍ରଥମ ସିଦ୍ଧାନ୍ତକାରକ ହେଉଛନ୍ତି ଦଣ୍ଡୀ। ସ୍ବକୀୟ ‘କାବ୍ୟାଦର୍ଶ’ ମାଧ୍ୟମରେ ସେ ପ୍ରଥମେ କାବ୍ୟରେ ବ୍ୟକ୍ତିତ୍ଵର ରସାନୁଭୂତି ସହ କାବ୍ୟମାନଙ୍କରେ ସିଦ୍ଧାନ୍ତର ଉଦ୍ଘୋଷଣା କରିବାରେ ଥିଲେ ପ୍ରଥମ। କାରଣ ତାଙ୍କ ପୂର୍ବବର୍ତ୍ତୀ ଗୁଣଧୀ ବିଶେଷଜ୍ଞ ଭାମହ ଆଦି କାବ୍ୟଶାସ୍ତ୍ର ପ୍ରଣୟନ କରି ସାରିଥିଲେ ସୁଦ୍ଧା ଦଣ୍ଡୀ କାବ୍ୟକୁ ଏକ ଆଦର୍ଶଗତ ସିଦ୍ଧାନ୍ତକୁ ବ୍ୟବସ୍ଥିତ କରିବାରେ ଅଗ୍ରଣୀ। ଏହି ଗ୍ରନ୍ଥ ଏତେ ପ୍ରସିଦ୍ଧ ଯେ ଏହା ତିବ୍ବତୀୟ ଭାଷା ଏବଂ ନେପାଳୀ ଭାଷାରେ ଅନୂଦିତ ହୋଇ ସେଠାରେ ବୌଦ୍ଧ ମଠମାନଙ୍କରେ ପାଠ୍ୟଗ୍ରନ୍ଥ ରୂପେ ଗୃହୀତ।

ଏହି ପ୍ରାଚ୍ୟ ରୀତିମାନଙ୍କ ଆଦର୍ଶ କାବ୍ୟକୁ ଶରୀରର ଅଳଙ୍କାର ସଦୃଶ ବିମଣ୍ଡନାର୍ଥେ ଆତ୍ମିକ ଉତ୍କର୍ଷ ସହ ସେ ବହିରଙ୍ଗ ଓ ଅନ୍ତରଙ୍ଗ ଭାବେ ପ୍ରତୀୟମାନ କରାନ୍ତି। ସାହିତ୍ୟକୁ ଚତୁର୍ବର୍ଗ ଫଳପ୍ରାପ୍ତିର ମାଧ୍ୟମ ଭାବେ ‘ସାହିତ୍ୟ ଦର୍ପଣ’ ପ୍ରତୀକିତ କରିବା ସହ ବିଭିନ୍ନ ପୁରାଣମାନେ ସର୍ବବିଧ ରସାଗ୍ରହୀ ସୁଧୀବୃନ୍ଦ ଏହା ମାଧ୍ୟମରେ ସୃଷ୍ଟିର ଅନିର୍ବଚନୀୟ ସୌନ୍ଦର୍ଯ୍ୟର ଉପଲବ୍ଧି କରି ହୁଏ ବୋଲି ବର୍ଣ୍ଣନା ପ୍ରଦାନ କରନ୍ତି। ସେଥିପାଇଁ ଏକ ସଂସ୍କୃତ ଶ୍ଳୋକ ସଂକ୍ଷେପରେ କୁହେ :-

“ଅଦୋଷଂ ଗୁଣବତ୍କାବ୍ୟମଳଙ୍କାରୈଳଙ୍କୃତଂ।
ରସାନ୍ଵିତଂ କବିଃ କୁର୍ବନ୍ କୀର୍ତ୍ତିଂ ପ୍ରୀତିଂ ଚ ବିନ୍ଦତି ।।”

‘ଅଳଂ’ (ଭୂଷଣ) ଉପପଦ ସହିତ ‘କୃ’ (କରଣାର୍ଥେ ଧାତୁ) ସହ ସଂସ୍କୃତର ‘ଘଞ୍’ (ପ୍ରତ୍ୟୟ) ଯୋଗ ହୋଇ ‘ଅଳଙ୍କାର’ ଶବ୍ଦ ନିଷ୍ପନ୍ନ। ସଂସ୍କୃତ ପଣ୍ଡିତ ଜଗନ୍ନାଥ ନିଜ ‘ରସଗଙ୍ଗାଧର’ କୃତି ଦ୍ଵାରା ନିଷ୍ପାଦିତ କରିଛନ୍ତି , “ରମଣୀୟତା ହେଉଛି ଲୋକୋତ୍ତୀର୍ଣ୍ଣ ଆହ୍ଲାଦଜନକ ଜ୍ଞାନର ଅବବୋଧ। ଲୋକ ସମାଜରୁ ଉତ୍ତୀର୍ଣ୍ଣ ଏହି ଆହ୍ଲାଦପ୍ରଦ ଜ୍ଞାନରୁ ଉଦ୍ଗତ ଚମତ୍କାରିତା ତୁମକୁ ଏ ସୌନ୍ଦର୍ଯ୍ୟ ପ୍ରତି ନିତ୍ୟ ଅନୁସନ୍ଧିତ୍ସୁ କରିପକାଏ। …. ଏହି ସୌନ୍ଦର୍ଯ୍ୟ ପ୍ରତି ତୁମର ଲୋକୋତ୍ତର ଜ୍ଞାନ ଯେତେବେଳେ ଚମତ୍କାରିତା ଜନିତ ଭାବନାର ଆଶ୍ରୟରେ ନିଜସ୍ଵ ଚେତନାକୁ ପ୍ରତିପାଦନ କରିବାକୁ ଯାଇ ଶବ୍ଦମାନଙ୍କ ସଂରଚନାରେ ଲାଗିପଡେ – ଏହି ବୈଶିଷ୍ଟ୍ୟ ଦ୍ଵାରା ତୁମର କବିତ୍ଵ ସ୍ଵତଃ ଫଳବତୀ ହୁଏ।”

ଭାବାତ୍ମକ ମନୁଷ୍ୟ ସ୍ଵଭାବତଃ ସୌନ୍ଦର୍ଯ୍ୟ ପ୍ରିୟ। ଭାବର ସହଜାତ କଳ୍ପନା ଓ ଭାବାବେଶ ଦ୍ଵାରା ଅଳଙ୍କାର ପୁଷ୍ଟ ହୁଏ। ଚମତ୍କୃତ ଭାବ ଯୋଜନା ଓ ଅନୁକୃତ ବର୍ଣ୍ଣ ଯୋଜନା ଦ୍ଵାରା ଅଳଙ୍କାରର ବିଭିନ୍ନ ବିଭାବ ଉନ୍ମୋଚିତ ହୁଏ। ଅଳଙ୍କାର କେବଳ ଶବ୍ଦାର୍ଥ ସମ୍ବନ୍ଧ ନୁହେଁ , ଶରୀରରେ କଟକ (କଟୀପଟ), କୁଣ୍ଡଳାଦି ପରି ଶୋଭାକୁ ଅତିଶୟିତ କରୁଥିବା ବେଳେ ତତ୍ସହ ରସାଦିର ମଧ୍ୟ ବିବର୍ଦ୍ଧନ ସମାନୁରୂପେ କରୁଥିବ। କାରଣ ବହିରଙ୍ଗ ଶୋଭା ସହ କାବ୍ୟାତ୍ମ ରସାଭିବ୍ୟକ୍ତି ସତତ ରମଣୀୟତା ସହ ଅର୍ଥ ନିରୂପଣରେ ଚମତ୍କାରିତାକୁ ବହନ କରେ। ହେଲେ ଏଥିପାଇଁ ଆମକୁ ଲୌକିକ ଦୃଷ୍ଟିଭଙ୍ଗୀ ଅପେକ୍ଷା ଏକ ବିଶ୍ଵଜନୀନ ଅଥଚ ଲୋକୋତ୍ତର ଦୃଷ୍ଟିରେ ସେ ରସ, ରୀତି, ଗୁଣାଦି ତତ୍ତ୍ଵକୁ ଅଙ୍ଗୀକୃତ କରେ।

ଓଡିଆ ମାଟିରେ ପ୍ରଥମତଃ ଅଳଙ୍କାର ରଚନାର ନିଦର୍ଶନ ନବମ ଓ ଦଶମ ଶତାବ୍ଦୀ ମଧ୍ୟବର୍ତ୍ତୀ କବି ଜୟଦେବଙ୍କ ବିରଚିତ ଅନୁପମ ରାଧାକୃଷ୍ଣଙ୍କ ନିତ୍ଯ ପ୍ରେମ ଧର୍ମକୁ ନେଇ ଅଷ୍ଟପଦୀ ସଙ୍କଳନ ‘ଗୀତଗୋବିନ୍ଦ’ ଏହି ଅଳଙ୍କାରର ଏକ ନିଦର୍ଶନ ଦେବାର ଜଣାଯାଏ। କାରଣ କାବ୍ୟର ଗୁଣରେ ଯେଉଁ ଅତିଶୟୋକ୍ତି ବା ଅତିଶୟିତ ଶୋଭାର ନିଦର୍ଶନ ଅଳଙ୍କାର ଠାରେ ମିଳେ , ତାହା ‘ଗୀତଗୋବିନ୍ଦ’ ତଦନୁରୂପ ପ୍ରତିଫଳିତ ହୋଇଅଛି। ଆଉ ସେତେବେଳେ ଜୟଦେବଙ୍କ ଦ୍ଵାରା ପ୍ରବର୍ତ୍ତିତ କାବ୍ୟରେ ଅଳଙ୍କାରର ସବୁଠାରୁ ବଳିଷ୍ଠ ଲକ୍ଷଣ ପ୍ରତିପାଦିତ ହୁଏ :-

(୧) କବିତାରେ ପାଠକୀୟତା ଅପେକ୍ଷା ଗୀତିଧର୍ମିତା
(୨) ରସ, ରୀତି, ଶୃଙ୍ଗାରାଦିର ଲକ୍ଷଣ ସହ ନାୟକ ନାୟିକାର ଅଳଙ୍କାରମତେ ବର୍ଣ୍ଣନା ।

ମୌଳିକ ଓଡିଆ ସାହିତ୍ୟ ସମ୍ବନ୍ଧରେ କହିଲେ ଆମେ ବହୁବିଧ ଛନ୍ଦ ନିୟୋଜିତ ହୋଇଥିବାର ଦେଖିବାକୁ ପାଇ ପାରିବା। ରୀତିଯୁଗୀୟ ଲେଖକମାନଙ୍କ ଦ୍ଵାରା ଏହି ଆଳଙ୍କାରିକ ରଚନାର ପ୍ରବର୍ତ୍ତନ ହୋଇଥିଲେ ସୁଦ୍ଧା ଓଡିଆ ଭାଷାରେ ଏହି ଅଳଙ୍କାର କାବ୍ୟର ପ୍ରବର୍ତ୍ତନ କାହା ଦ୍ଵାରା ହେଇଥିବାର ନିଶ୍ଚିତ କରି ହେଉନି। ହେଲେ ମଧ୍ୟ ଏହା ଅନୁମାନ କରାଯାଉଛି ଯେ ପୂର୍ବେ ଚଉତିଶା, ଚଉପଦୀ, ପୋଈ ରଚନାକାର ମାନେ ଏହି ଅଳଙ୍କାର ରଚନାର ଆଦ୍ୟ ମାର୍ଗ ଗଠକ। କେତେକ ଉଦାହରଣ ସ୍ଵରୂପ ‘ନଅ ପୋଈ’ , ‘କଳସା ଚଉତିଶା’, ‘କେଶବ କୋଇଲି’ ଆଦି ସମକାଳୀନ ରଚନା ଉଭୟ ସଙ୍ଗୀତଧର୍ମୀ ଓ ବୃତ୍ତରେ ରଚିତ କୃତିସମୂହ।

ଅର୍ଥପୂର୍ଣ୍ଣ ରଚନାର ସମାବେଶ ସହ କାବ୍ୟ କ୍ଳିଷ୍ଟତାକୁ ଆହରଣ ନ କରି ରୀତିଯୁଗୀୟ ରଚନା ଆଦ୍ୟଲଗ୍ନରେ ସାଧାରଣ ପଦ୍ୟର ଯତିପାତ ଅବଲମ୍ଵନରେ ରଚନା କରାଯାଇଛି। ଆଉ ଏହି ଶ୍ରେଣୀର ସାଧାରଣତଃ ଚିତ୍ରକାବ୍ୟ ସଂସ୍କୃତର ଶବ୍ଦାଳଙ୍କାର ମୁଖ୍ଯ କାବ୍ୟମାନଙ୍କରେ ପ୍ରତିଫଳିତ। ଏପରିକି ସଂସ୍କୃତର ଅନେକ ରାଗ, ରାଗିଣୀ ମଧ୍ୟ ପରବର୍ତ୍ତୀ ସମୟରେ ଓଡିଆ ସାହିତ୍ୟରେ ପ୍ରବେଶ କରିଅଛି। ଓଡିଆ ମାଟିରେ ଛାନ୍ଦ ଓ ଅଳଙ୍କାରକୁ ନେଇ ‘ଅଳଙ୍କାର ସାର’ (ସଚ୍ଚିଦାନନ୍ଦ ଦେବ), ‘ଓଡିଆ ଛାନ୍ଦ ସାହିତ୍ଯ’ (ବିନାୟକ ମିଶ୍ର) , ‘ଯତିପାତ’ (ବଳଭଦ୍ର ବହିଦାର), ‘ଅଳଙ୍କାର ବୋଧୋଦୟ’ (ସାର୍ ବାସୁଦେବ ସୁଢଳଦେବ) , ‘ଓଡିଆ ଛାନ୍ଦର ବିକାଶ’ (ଜାନକୀବଲ୍ଲଭ ମହାନ୍ତି, ଭରଦ୍ଵାଜ), ‘ପ୍ରବନ୍ଧାବଳୀ’ (ଶ୍ୟାମସୁନ୍ଦର ରାଜଗୁରୁ) ଇତ୍ୟାଦି ଗ୍ରନ୍ଥ ସୁପରିଚିତ।

ଛନ୍ଦ ବା ବୃତ୍ତ:

ପ୍ରାଚୀନ କବିତାବଳୀ ରଚନା ସମୟରେ ସରସ ଓ ସୁପାଠ୍ୟ ଶୈଳୀରେ ବିରଚିତ କାବ୍ୟମାନ ପଦମାନଙ୍କ ବିନ୍ୟାସରେ ଏକ ସୁଗଠିତ ଶୈଳୀ ବା ରୀତିର ବ୍ୟବହାର କରୁଥିଲେ, ଯାହାକୁ ଆମ୍ଭେ ‘ଛନ୍ଦ’ ର ସଂଜ୍ଞା ପ୍ରଦାନ କରିଥାଉ। ପଦ୍ୟର ମୂଳସୂତ୍ର ଆମ୍ଭେ ଅବଗତ ହୋଇଲେ ଯେ ସବୁ ପଦ୍ୟର ଏକ ବିଶେଷ ଉଚ୍ଚାରଣ ଭଙ୍ଗୀ ଏହାର ଛାନ୍ଦସିକତାକୁ ପୁଷ୍ଟ କରାଏ। ଅର୍ଥାତ୍ , କାବ୍ୟର ରସାତ୍ମ ଅଭିବ୍ୟକ୍ତିରେ ଉଭୟ ଶବ୍ଦ ଓ ଧ୍ଵନିର ସୁସ୍ପଷ୍ଟତା , ସୁସ୍ଵରତା, ପଦଚ୍ଛେଦତା ଆଦି ବିଭାବ ଦ୍ଵାରା ବିଜଡିତ।

ଛନ୍ଦ ସାଧାରଣତଃ ଦ୍ଵିବିଧ :
“ପଦ୍ୟଂ ଚତୁଷ୍ପଦୀଂ ତଚ୍ଚ ବୃତ୍ତଂ ଜାତିରିତି ଦ୍ଵିଧା।
ବୃତ୍ତମକ୍ଷରସଂଖ୍ୟାତଂ ଜାତିର୍ମାତ୍ରା କୃତା ଭବେତ୍।।”
(ଛନ୍ଦୋମଞ୍ଜରୀ, ୧ମ ଅଧ୍ୟାୟ)

ଅର୍ଥାତ ଚାରି ପାଦରେ ଗୋଟିଏ ପଦ୍ୟ ହୁଏ। ଅକ୍ଷର ସଂଖ୍ୟା ପରିମାଣରେ ବୃତ୍ତ ବୋଲି ବିଦିତ। ମାତ୍ରା ଅନୁସାରେ ଏହା ଜାତି ରୂପେ କଥିତ।

ଛନ୍ଦର ପ୍ରକରଣ ବିଭିନ୍ନ ପ୍ରକାରରେ ଗଠିତ। ସେହିପରି ଛନ୍ଦ ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଛନ୍ଦରେ ବିଭକ୍ତ। ପୁନଶ୍ଚ ଅକ୍ଷର ମାତ୍ରା ଭିତ୍ତିରେ ଏମାନଙ୍କ ପ୍ରକରଣ ଆହୁରି ପ୍ରଲମ୍ଵିତ। ପ୍ରାନ୍ତ ଅକ୍ଷରର ମିଳନ ହେଉଥିଲେ ଏହା ମିତ୍ରାକ୍ଷର ବୋଲି ବିଦିତ।

ଏହା ଅକ୍ଷର ଭିତ୍ତିରେ –
(୧) ପୂର୍ଣ୍ଣ ମିତ୍ରାକ୍ଷର
(୨) ଅପୂର୍ଣ୍ଣ ମିତ୍ରାକ୍ଷର ଏବଂ
(୩) ଏକାନ୍ତର ମିତ୍ରାକ୍ଷର ଭାବରେ ବର୍ଗୀକୃତ ।

ସେହିପରି ଯତିପାତ ଭିତ୍ତିରେ ଏହା
(୧) ସମ ଛନ୍ଦ
(୨) ଅସମ ଛନ୍ଦ ଏବଂ
(୩) ବିଷମ ଛନ୍ଦ ଭାବରେ ବର୍ଗୀକୃତ।

(୧) ପୂର୍ଣ୍ଣ ମିତ୍ରାକ୍ଷର : ଏହି ବିଶିଷ୍ଟ ଛନ୍ଦରେ ପାଦର ଅନ୍ତ୍ୟ ଅକ୍ଷର ସହ ତତ୍ ପୂର୍ବବର୍ତ୍ତୀ ସ୍ଵର ସହିତ ପରବର୍ତ୍ତୀ ପାଦର ଅନ୍ତ୍ୟ ଓ ତତ୍ ପୂର୍ବବର୍ତ୍ତୀ ସ୍ବରର ମିଳନ ରକ୍ଷା ହେଲେ ତାହା ପୂର୍ଣ୍ଣ ମିତ୍ରାକ୍ଷର ରୂପେ କଥିତ।

ଉଦାହରଣ :
“ବିହଙ୍ଗେ ଗାଇଲେ ସଙ୍ଗୀତ, ଆହା କି ମନୋହର (ହର)
ସେ ଗୀତ ଶ୍ରବଣେ ହୃଦୟ ନାଚି ଉଠିଲା ମୋହର” (ହର)
(ପ୍ରଭାତ, ଭକ୍ତକବି ମଧୁସୂଦନ ରାଓ)

“ଉତ୍କଳ-କମଳା-ବିଳାସ-ଦୀର୍ଘିକା (ଇକା)
ମରାଳ-ମାଳିନୀ-ନୀଳାମ୍ଵୁ-ଚିଲିକା।” (ଇକା)
(ଚିଲିକା , କବିବର ରାଧାନାଥ ରାୟ)

“କେତେ ବୃଦ୍ଧଜନ କରନ୍ତି ରୋଦନ ପୁତ୍ର-ମରଣେ ନିରତ (ରତ)
କେତେ ବୃଦ୍ଧାନାରୀ ମସ୍ତକ ପ୍ରହାରି କାନ୍ଦନ୍ତି ହୋଇ ଆରତ ।” (ରତ)
(ପଦ୍ୟମଞ୍ଜରୀ, ପଣ୍ଡିତ ଗୋବିନ୍ଦ ରଥ)

(୨) ଅପୂର୍ଣ୍ଣ ମିତ୍ରାକ୍ଷର : କେବଳ ମାତ୍ର ଅନ୍ତ୍ୟ ସ୍ଵର ବା ଅକ୍ଷରର ମେଳକୁ ଅପୂର୍ଣ୍ଣ ମିତ୍ରାକ୍ଷର କୁହନ୍ତି ।

ଉଦାହରଣ :
“ମହୀମଣ୍ଡଳେ ତ ଥିବ ନାହିଁ ଜଣେ,
ମୋ ଭଳି ନିରେଖ ଜନ (ଅନ)
ଏ ମହାସମୁଦ୍ରେ ମଝିରେ ବାପା ହେ
କେମନ୍ତେ ବଞ୍ଚିବି ଦିନ (ଇନ)
(କାଳିଜାଈ, ପଣ୍ଡିତ ଗୋଦାବରୀଶ ମିଶ୍ର)

“ମାଆ ମାଆ ବୋଲି ଡାକୁଛ କି ମୋତେ
ଆରେ ମୋ ଦୁଃଖ ପାଶୋରା, (ଓରା)
କାହିଁ ପାଇଁ ଚେଇଁ ଶୋଇଥିଲ ବାପ
ମୋ ମନ ନୟନ ତାରା । (ଆରା)
(ମାତାର ଖେଦ, ବ୍ରଜସୁନ୍ଦର ଦାସ)

“ଭାଷା ସୁପକ୍ଵ ରମ୍ଭା ପ୍ରାୟ, (ଆୟ)
କୋମଳ ସ୍ଵାଦୁ ରସମୟ” (ଅୟ)
(ପ୍ରେମ ପଞ୍ଚାମୃତ ,୧ମ ଅଧ୍ୟାୟ , ଭୂପତି ପଣ୍ଡିତ)

(୩) ଏକାନ୍ତର ମିତ୍ରାକ୍ଷର : ଉପଧା ମିଳନ ରହିତ ପଦ୍ୟ (ଏଠାରେ ମନେ ରଖିବାକୁ ହେବ ପଦ୍ୟର ସଂଜ୍ଞା ହେଉଛି ଚାରିପାଦ ବିଶିଷ୍ଟ ) ମଧ୍ୟରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ପାଦର ଶେଷ ବର୍ଣ୍ଣ ସହିତ ମେଳ ହେଉଥିବା ବେଳେ ଦ୍ଵିତୀୟ ଓ ଚତୁର୍ଥ ପାଦର ଶେଷ ବର୍ଣ୍ଣ ମେଳକୁ ଏକାନ୍ତର ମିତ୍ରାକ୍ଷର ବୋଲି ବିଦିତ।

ଉଦାହରଣ :
ଦୂରବାହୀ ନାଉରୀର ସରଳ ସଙ୍ଗୀତ (ଇତ)
ପବନେ ଆସଇ ଭାସି ନଦୀ ବକ୍ଷ ପରେ, (ଅରେ)
କ୍ଷେପଣୀ ଆଘାତେ ଦେଖ ଚନ୍ଦ୍ରିକା-ରଞ୍ଜିତ- (ଇତ)
ନଦୀ-ବାରି, ଲକ୍ଷ ରୌପ୍ୟ-ପୁଷ୍ପ ସୃଷ୍ଟି କରେ । (ଅରେ)
(ମହାନଦୀରେ ଜ୍ୟୋତ୍ସ୍ନା ବିହାର (ମାଟିବାଣୀ),ମାୟାଧର ମାନସିଂହ)

ଯତିପାତ ଭିତ୍ତିରେ:

(୧) ସମ ଛନ୍ଦ : ଯେଉଁ ପଦ୍ୟରେ ପ୍ରତ୍ୟେକ ପାଦ ସମାନ ଅକ୍ଷର ବିଶିଷ୍ଟ ଅଟନ୍ତି ସେମାନେ ଏହି ସମ ଛନ୍ଦରେ ବର୍ଗୀକୃତ। ହେଲେ ଏକାନ୍ତର ମିତ୍ରାକ୍ଷର ପରି ଗୋଟିଏ ପାଦ ଅନ୍ତରରେ ଯଥାକ୍ରମେ ୧ମ – ୩ୟ ଏବଂ ୨ୟ – ୪ର୍ଥ ପାଦର ମେଳ ଘଟିଲେ , ତାହା ଅର୍ଦ୍ଧ ସମବୃତ୍ତ ବା ଅସମଛନ୍ଦ ରୂପେ ଜଣା।

ସମ ଛନ୍ଦ ର ଦୃଷ୍ଟାନ୍ତ : ଆଶାବରୀ, ବଙ୍ଗଳାଶ୍ରୀ, କଳସା, କଳହଂସ କେଦାର, ନବଗୁଜ୍ଜରୀ, ରାମକେରୀ, ନଟବାଣୀ (ବିଭାସ କେଦାର), କେଦାର ବା ଚକ୍ରକେଳି , ଭୂପାଳ ଇତ୍ୟାଦି।

(୨) ବିଷମ ବୃତ୍ତ : ପାଦର ଅକ୍ଷର ବା ମାତ୍ରା ସଂଖ୍ୟାରେ ସମାନତା ନଥିଲେ ଅଥବା ଅକ୍ଷରମାନଙ୍କ ମେଳ ଘଟୁନଥିଲେ ତାହା ବିଷମ ଛନ୍ଦ ବା ବିଷମବୃତ୍ତ ଭାବରେ ଜଣାଯାଏ। ଦାଣ୍ଡି ବୃତ୍ତ ଏହିପରି ଏକ ଛନ୍ଦର ଉଦାହରଣ ଅଟେ।

ଅମିତ୍ରାକ୍ଷର ଛନ୍ଦ : ଅନ୍ୟାନ୍ୟ ଛନ୍ଦମାନଙ୍କ ପରି ଏଥିରେ କେତେକ ପଦ ମିଶି ଗୋଟିଏ ପଦ ହେବାର ପରିଲକ୍ଷିତ ହୋଇ ନଥିଲେ ସୁଦ୍ଧା ଏଥିରେ ମାତ୍ରା ଅଥବା ଅକ୍ଷରର ସଂଖ୍ୟାରେ ସାମ୍ୟ ରକ୍ଷା ହୋଇଥାଏ। ଇଂରାଜୀରେ ଏହା ‘Blank Verse’ ରୂପେ ଜଣା। ଓଡିଆ ଭାଷାରେ ରାଧାନାଥଙ୍କ ‘ମହାଯାତ୍ରା’ ଓ ବଳଭଦ୍ର ଦେବଙ୍କ ‘ରଘୁବଂଶ’ର ଅନୂଦିତ କୃତି ଏହାର ସଫଳ ଦୃଷ୍ଟାନ୍ତ।

ଉଦାହରଣ :
“ହା ଦୈବ ! ଜମ୍ଵୂକ ପଶି ହର୍ଯ୍ୟକ୍ଷ ଗୁହାରେ
ଗୋଇଠା ପ୍ରହାରି, ଗ୍ରାସ ନେବ ତା ମୁଖୁଁ ଓଟାରି,
ଏ ଲାଞ୍ଛନା ଥିଲା ଟିକି ଆର୍ଯ୍ଯର ଲଲାଟେ।”
( ମହାଯାତ୍ରା, କବିବର ରାଧାନାଥ ରାୟ )

“ପରସ୍ପର ସମ୍ମିଳିତ ଶବ୍ଦ ଅର୍ଥ ପରି
ହେ ପର୍ବତରାଜପୁତ୍ରି – ଦେବ ଶୁଳପାଣି !
ଅଟ ପ୍ରଭୁ ଜଗତର ଜନନୀ ଜନକ
ବନ୍ଦଇ ଏ ଦୀନଜନ କରପତ୍ର ଯୋଡି।”
( ରଘୁବଂଶ, ବଡ଼କୁମାର ବଳଭଦ୍ର ଦେବ )

(କ) ବଙ୍ଗଳାଶ୍ରୀ :

ଏହା ପ୍ରାକୃତ ‘ଗୀତା’ ଛନ୍ଦ ଅଥବା ଗୀତଗୋବିନ୍ଦର ଗୁଜ୍ଜରୀ ରାଗ ଅନୁକରଣରେ ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ଏହାର ଅନ୍ୟନାମ ମତୁଆରି, ଭାରତ ବୋଲି, ଗୁଣସାଗର ବାଣୀ। ‘ବୈଦେହୀଶ ବିଳାସ’ ର ୨୦ ତମ ଛାନ୍ଦ , ଛାନ୍ଦଭୂଷଣର ୩୨ ଶ ଛାନ୍ଦ, ‘ରସକଲ୍ଲୋଳ’ ର ୧୦ ମ ଛାନ୍ଦ, ‘ମଥୁରା ମଙ୍ଗଳ’ର ୩ ୟ ଓ ୧୯ ଶ ଛାନ୍ଦରେ ଦେଖିବାକୁ ମିଳେ।

ଏହା ଏକ ଲୋକପ୍ରିୟ ଛନ୍ଦ। ପ୍ରାଚୀନ କାବ୍ୟ ବ୍ୟତୀତ ରାଧାନାଥ , ମଧୁସୂଦନ ଓ ଗଙ୍ଗାଧକଙ୍କ ଭଳି ଆଧୁନିକ ଏବଂ ରମ୍ୟ କାବ୍ୟକାର ମାନେ ଏହାର ବ୍ୟାପକ ପ୍ରୟୋଗ କରିଛନ୍ତି।

୨୦ ଅକ୍ଷର ବିଶିଷ୍ଟ। ଦୁଇପାଦରେ ଏକ ପଦ ହୋଇଥାଏ। ୬ଷ୍ଠ, ୧୨ଶ, ୧୮ଶ ଏବଂ ୨୦ ତମ ଅକ୍ଷରରେ ଯତିପାତ।

ଉଦାହରଣ:
“ଯାଦବ କୁଳ କୁମୁଦ ବନ ପ୍ରାଏ
ମୁଁ ତହିଁକି ନିଶାମଣି,
ସୁନ୍ଦରପଣେ କାମ ସରି ନୁହଁଇ
ସହିବା-ପଣେ ଧରଣୀ ।”
(ମଥୁରା ମଙ୍ଗଳ, ୩ୟ ଛାନ୍ଦ)

“କଲା ଯେ ନାହାକୁ ଆଶ ସେ ତାହାକୁ
ନୁହଇ ସାହାପକ୍ଷକ,
କଳମ୍ଵେ ଅବିଳମ୍ଵେ କାମ ନାଶୁଛି
ତା ବିନା ନାହିଁ ରକ୍ଷକ ।”
(କଳାକଉତୁକ, ୮ମ ଛାନ୍ଦ)

“କିଶଳୟ ବିମ୍ବ ବଧୁକ ବିଡ଼ମ୍ବ
କରଇ ଯେଉଁ ଅଧର,
କୃଷ୍ଣ-ମୁଖବିମ୍ଵେ କ୍ରୀଡ଼ାରସ ଚୁମ୍ଵେ
ତହିଁକି କି ପଟାନ୍ତର ।”
(ରସକଲ୍ଲୋଳ, ୧୦ମ ଛାନ୍ଦ)

(ଖ) ଆଶାବରୀ :

ଦୁଇପାଦରେ ଏକ ପଦ ।
ପ୍ରତ୍ୟେକ ପାଦରେ ୧୪ ଗୋଟି ଅକ୍ଷର ବିଶିଷ୍ଟ ।
ଯତିପାତ : ୪ର୍ଥ, ୮ମ, ୧୪ ଶ ଅକ୍ଷର ।

ଉଦାହରଣ:
“ବଳିଲା ରାଘବ ଆଶା ସୀତା ପ୍ରାପତିରେ ।
ବିଚାରିଲେ ସିନ୍ଧୁ ପୋତି ଯିବା ପର୍ବତରେ ।”
(ବୈଦେଶିକ ବିଳାସ, ୪୦ ତମ ଛାନ୍ଦ)

“ନବୋଦିତ ଦିନମଣି କନକ କିରଣ
କାଞ୍ଚନ ଶିବିର ଚୂଡା ଚୁମ୍ଵିଲା ବହନ ।”
(ବେଣୀସଂହାର, କବିବର ରାଧାନାଥ ରାୟ)

“କେତେ କଥା ସ୍ନେହମୟୀ ଜନନୀ ତୁମ୍ଭର
ବାଲ୍ୟେ ଶିଖାଇଲ ପାଞ୍ଚି ତୁମ୍ଭରି ମଙ୍ଗଳ।”
ସାହିତ୍ୟ ପାଠ, ଭକ୍ତକବି ମଧୁସୂଦନ ରାଓ

(ଗ) କଳସା :

ଓଡିଆ କାବ୍ୟକବିତାରେ ସୁପ୍ରାଚୀନ ବୃତ୍ତ। ‘କଳସା ଚଉତିଶା’ ଏହାର ପ୍ରାଚୀନତମ ଦୃଷ୍ଟାନ୍ତ। ଏହି ବୃତ୍ତର ଲକ୍ଷଣ ଅନୁସାରେ ଭୈରବ, ମଧୁଶଯ୍ୟା ବାଣୀ, ମୁଖାରୀ, କୃଷ୍ଣକଳା, ଧନାଶ୍ରୀ, ବିଚିତ୍ର ଦେଶାକ୍ଷ, ଦକ୍ଷିଣ କାମୋଦୀ, ଗୋବିନ୍ଦ ଚନ୍ଦ୍ର ବାଣୀ , ଯୋଗୀ ସନ୍ନ୍ୟାସୀ ବାଣୀର ପ୍ରଚଳନ।

‘ଲାବଣ୍ୟବତୀ’ (୪୬ ତମ ଛାନ୍ଦ), ‘ରହସ୍ୟ ମଞ୍ଜରୀ’ (୨ୟ ଛାନ୍ଦ), ‘ମଥୁରା ମଙ୍ଗଳ’ (୨୪ ଶ ଛାନ୍ଦ) ଇତ୍ୟାଦିରେ ଏହାର ଅନ୍ୟତମ ଦୃଷ୍ଟାନ୍ତ ପରିଲକ୍ଷିତ କରାଯାଏ। ଦୁଇ ପାଦରେ ଏକ ପଦ। ପ୍ରତ୍ୟେକ ପାଦ ୧୪ ଅକ୍ଷର ବିଶିଷ୍ଟ । ୪ର୍ଥ, ୮ମ, ୧୨ଶ, ୧୪ଶ ଅକ୍ଷର ଉପରେ ଯତିପାତ। କେତୋଟି ସ୍ଥଳେ ୮ମ ଏବଂ ୧୪ଶ ଅକ୍ଷର ଉପରେ ବିଧି ରହିଛି।

ଉଦାହରଣ:
“ଝଟତି ଗ୍ରୀଷମ ହେଲା ମାଧବର ଶେଷେ
ଝଟଝଟ ମୃଗତୃଷ୍ଣା ଦିଶେ-ଦିଶେ ଦିଶେ ।
ଝଲକ ନେତ୍ର ଦୂଷଣରଜ ବିଭୀଷଣ
ଝାଙ୍କ ଝାଙ୍କ ବହିଲା ତପତ ସମୀରଣ।”
(ଛାନ୍ଦଭୂଷଣ, ୯ମ ଛାନ୍ଦ)

“କମଳ-ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ।
କିଶୋରୀ ଗୋପୀଙ୍କ କୁଚ-କର୍ପୂର-ଚନ୍ଦନ।
କୋଟିକାମରୂପଧାରୀ ତ୍ରୈଲୋକ୍ୟବନ୍ଦନ
କାମିଜନମାନଙ୍କର ଶ୍ରୀହରିଚନ୍ଦନ।”
(ରସକଲ୍ଲୋଳ, ୭ମ ଛାନ୍ଦ)

“ଶତେକ ସୋଦର ସଙ୍ଗେ ଘେନି କୁରୁବୀର
ପ୍ରତିଦିନ ଚଳଇ ସେ ଦ୍ଵାରାବତୀ ପୁର ।”
(ବିଚିତ୍ର ମହାଭାରତ, ଆଦ୍ୟ- ୩୮ ଛାନ୍ଦ)

(ଘ) କଳହଂସ କେଦାର :

ସଂସ୍କୃତର ‘ମାଳତୀ’ ଅଥବା ‘ବଂସ ସ୍ଥବଳ’ ନାମକ ବୃତ୍ତରୁ ଆଗତ ବୋଲି ଅନୁମାନ କରାଯାଏ।ଚାରିପାଦରେ ଏକ ପଦ୍ୟ ହୁଏ। ୧୨ ଅକ୍ଷର ବିଶିଷ୍ଟ। ପ୍ରଥମ ପାଦର ପ୍ରାନ୍ତ ବର୍ଣ୍ଣ ସହ ଦ୍ଵିତୀୟ ପାଦର ପ୍ରାନ୍ତ ବର୍ଣ୍ଣ ଏବଂ ତୃତୀୟ ଓ ଚତୁର୍ଥ ପାଦର ପ୍ରାନ୍ତ ବର୍ଣ୍ଣ ସହିତ ଯତିପାତ ହୋଇଥାଏ।୭ମ ଏବଂ ୧୨ ଶ ଅକ୍ଷର ଉପରେ ଯତିପାତ।

ଉଦାହରଣ :
“କୋଟି ଲାବଣ୍ୟନିଧିରେ ପଦ୍ମ ତୁହି
କି ଅମୃତେ ତୋ ତନୁ ଗଢିଲା ବିହି,
ତୋ ରୂପ ଦରଶନେ ମୋର ହୃଦୟ
ପୁଣ୍ଯ ଆନନ୍ଦେ ହୁଏ ଅମୃତମୟ।”
(ପଦ୍ମ, ଛାନ୍ଦମାଳା, ଭକ୍ତକବି ମଧୁସୂଦନ ରାଓ)

ଛନ୍ଦ ପ୍ରକରଣ ପ୍ରତି ଲେଖକ ଓ ପାଠକ ଜଗତର ସଚେତନତା ଏବର ଅନ୍ୟତମ ଆବଶ୍ୟକତା। ଏ ବିଷୟରେ ଆହୁରି ବିଶଦ ଆଲୋଚନାର ଅବକାଶ ରହିଛି। ଅବଶ୍ୟ ଏକଥା ଅବିସଂବାଦିତ ଯେ କୌଣସି କାବ୍ୟକୃତିର ଉପଯୁକ୍ତ ବିବେଚନା ପାଇଁ ଛନ୍ଦଗତ ଦିଗର ପର୍ଯ୍ୟାଲୋଚନାକୁ ଯଥାଯଥ ପ୍ରାଧାନ୍ୟ ଦିଆଯିବା ଉଚିତ।

8 thoughts on “ଛନ୍ଦ : ଆକ୍ଷରିକ ଅର୍ଥ ଓ ଏହାର ମନନଧର୍ମିତା

  1. ଓଡ଼ିଆ କବିତାର ଛନ୍ଦ ବିଷୟରେ ଅନେକ ତାତ୍ତ୍ବିକ କଥା ଜାଣି ହେଲା। ଧନ୍ୟବାଦ।

  2. ଖୁବ ଉଚ୍ଚକୋଟୀର ଅନୁଶୀଳନ । ପ୍ରାବନ୍ଧିକଙ୍କୁ ବଧାଇ ।

  3. ପିଲାଟା କଣ ଲେଖିଛି ମ ! ମା ଭଗବତୀଙ୍କ କୃପାଦୃଷ୍ଟି ରହିଥାଉ ।

  4. ଛନ୍ଦ ଭିତ୍ତିକ ଏହି ଉଚ୍ଚକୋଟୀର ପ୍ରବନ୍ଧର ପ୍ରାବନ୍ଧିକ ଙ୍କ ଜୀବନ ସର୍ବଦା ଛନ୍ଦମୟ ହେଉ । ଏହା ହିଁ ଭଗବାନ ଙ୍କ ନିକଟରେ କାମନା କରୁଛି ।

  5. ଅମୂଲ୍ୟ ଅଧ୍ୟୟନ ଏବଂ ଅନୁଶୀଳନ। ଆଜିକାଲି ଶସ୍ତା କବିତା ଏବଂ ଗପ ଲିଖନ ଯୁଗରେ ଏଭଳି ଅନୁଶିଲାତ୍ମକ ରଚନା ବିରଳ; ପୁଣି ଜଣେ ଯୁବ ଲେଖକଙ୍କ ଠାରୁ । ଲେଖକଙ୍କ ଠାରୁ ଭବିଷ୍ୟତରେ ଅନେକ ଆଶା ରହିବ ଏଭଳି ଲେଖା ପାଇଁ।

  6. ଏଥିରେ ରାଗ ଵିଷୟରେ ବହୁ କଥା ଅଛି । ଛନ୍ଦର ସଂଜ୍ଞା ସୁଦ୍ଧା ନାହିଁ ।

  7. ଜାନକୀ କାନ୍ତକୁ ଚାହିଁ ଯେ କୋମଳ ବଚନ କହି, କାଲି ପରା ହେବ ଅଯୋଧ୍ୟା ସାଇଁ ହେ ରଘୁନନ୍ଦନ , ଶ୍ରୀ ମୁଖେ ହରଷ ନାହିଁ
    ଏହା କେଉଁ ଛନ୍ଦ ବା ବୃତ୍ତରେ ଲିଖିତ ?

Leave a Reply

Your email address will not be published. Required fields are marked *