- ଏ ଯୁଗର ଫେସବୁକ ନିଶାରେ କାହାକୁ ନାହିଁ ଭରସା। ଏହି ମର୍ମରେ ବ୍ୟଙ୍ଗ ରଚନାଟିଏ ପ୍ରସ୍ତୁତ କରିଛନ୍ତି ଲେଖକ। ଚଳନ୍ତି କଥିତ ଭାଷାରେ ରଚନା କରାଯାଇଥିବାରୁ ଏଇଟିକୁ ଆମେ ‘ସହଜ ସାହିତ୍ୟ’ ବିଭାଗରେ ସ୍ଥାନିତ କରିଛୁ।
“ମଲାମୋର”
ହଇହେ, ସେ ଚୂଲୀପଶା ମିସିନିଟା ଆଗରେ ମୁହଁଟାକୁ ଫେଣେଇ କଣ ବସି ପଡ଼ିଲ ବା?
କହିପୋଛି, ବେଗ୍ମୁଣାଟା ତ ହାତରେ ଦେଲି, ଆଉ କଣ ଏବେ କାଖେଇକରି ବଜାରକୁ ଟେକି ନେଇଯିବି ନା କଣମ?
ଗୋଟିଏ ନିଃଶ୍ବାସରେ ଏତିକି କହି ଦାନ୍ତଟାକୁ କଡ଼ମଡ଼ କରି ବନ୍ତିଳ ମାଇଁ ଚଉକୀଟା ଉପରେ ଲଥକରି ବସିପଡ଼ିଲେ। ଝାଡ଼ୁମୁଠାଟାରେ ପିଠିକୁ ଟିକେ ଖୁଞ୍ଛିଦେଇ ଆଁଟା କରି ଅପେକ୍ଷା କଲେ ଫେରନ୍ତା ଉତ୍ତରକୁ।
ଯେତେବେଳେ କୌଣସି ଉତ୍ତର ପାଇଲେ ନାହିଁ, ଝାଡ଼ୁଟାକୁ ରାଗରେ ଫିଙ୍ଗିଦେଇ, ନିଜର ପାନପୋକଡ଼ା ଦାନ୍ତଟାକୁ ନିକୁଟି, ତମ୍ପସାପ ଭଳି ଉହୁଙ୍କି ଆସିଲେ ଚୋରିଆ ମାମୁଁଙ୍କ ନିକଟକୁ, ଆଉ କାନ ପାଖରେ ଗରଜି ଉଠି କହିଲେ-
ଏ ଭେଷଡ଼ ତୁଣ୍ଡଟାକୁ କାହିଁକି ଚାଳୁଛ କହିଲ? ହଇହେ, ଏ ରଜ ପରବ ଦିନଟାରେ ଭଲ ଘରଟାରେ କଣପାଇଁ ଗୋଟିଏ ମେଖିଡ଼ି ଆରମ୍ଭ କରୁଛ କହିଲ?
ଏବେ ତ ଆଉ ଧିରେ ବସିଲେ ହେବନାହିଁ, ଏଣୁ ଚୋରିଆ ମାମୁଁ ଦାନ୍ତଟାକୁ ନେଫେଡ଼େଇ ଆଉ ମୁଁହଟାକୁ କମ୍ପ୍ୟୁଟରରୁ ଫେରାଇ ଧିର ସ୍ବରରେ କହିଉଠିଲେ-
ଏ ଉଲିବୋଉ, ସକାଳୁ ସକାଳୁ ମଗଜଟାରେ କିଆଁ ନିଆଁ ଲଗାଇ ବୁଲୁଛ କହିଲ? ଦିନଟା ଯାକତ ପଡିଛି।
ପୁଣି କଅଁଳ ସ୍ବରରେ କହିଲେ-
ଆଗୋ ଯାଉଛି ପରା, ହେଲେ ଏ କାମଟାକୁ ତ ଅଧାରଖିହେବନି? ଟିକେ ସହଳ ସାରିଦିଏ।
ମୁହଁଟାରେ ଦୁନିଆଯାକର ପ୍ରଶ୍ନବାଚୀ ନେଇ, ବନ୍ତିଳ ମାଇଁ କହିଲେ-
ମୋ ମାଲୋ..!! ଟିକେ ଶୁଣେ କି ଇମ୍ପୋଟେଣ୍ଟ୍ କାମଟା ସାରିଦେବ?
ତାପରେ, ଛାତ ଆଡ଼କୁ ଅନାଇ, ଛାତିଟାକୁ ଦୁଇ ହାତରେ ବାଡ଼େଇ ବୋବେଇ ଉଠିଲେ-
ହେ ଭଗବାନ ! ଏ ନିର୍ଲଜ୍ଜ ମରଦଟା ଏଇମିତି ବାଇଲ ଭଳି କଣ ହେଉଛି ବା? ସକାଳୁ ସଞ୍ଜଯାଏଁ, ଏ ରଢ଼ କଂପୁଟର ମିସିନିଟା ଆଗରେ ନାଳଜାବ ଗଡ଼ାଇ ବସି କଣଟା ଆଲୁଅ କରୁଛି ଲୋ ମା?
ଏବେ ଚୋରିଆ ବାବୁ ଟିକେ ସନ୍ତର୍ପଣରେ ବସିଲେ ଉତ୍ତର ଦେବାକୁ, ନହେଲେ ଏହି ଅଭିଯୋଗର ଫର୍ଦ୍ଦ ଛାତକୁ ଫୁଟାଇ ବାମ୍ପଭଳି ବ୍ୟାପିଯିବ ସାଇ ପଡ଼ିଶା ରୁ ଗାଁ ସାରା। ତାପରେ ଦିନକାଳ ଧରି ସେଥିରେ ଅଲାଜୁକ ତାଳି ପକାଇବାକୁ ପଡ଼ିବ ସମସ୍ତଙ୍କ ଆଗରେ।
ସେ ଉଲିବୋଉଙ୍କ ପଣତ ଧାରଟାକୁ ଧରି କହିଲେ, ବୁଝିଲ ଉଲିବୋଉ, କହିଲେ କହିବ କହୁଛି ବୋଲି!
ତମକୁ କେମିତି ବୁଝାଇବି ହୋ ମୁଁ ଏଠି କମ୍ପ୍ୟୁଟରରେ କଣ କରୁଛି? ଏଇଟା କଣ ଶାଗ ଖରଡ଼ା ହୋଇଛି ନା ତମ ମାଇପି ମାନଙ୍କ ପାଣି–ପ୍ରସଙ୍ଗ ହୋଇଛି? ଏଇଟା ହେଲା “ଫେ ସ୍ ବୁ କ୍ ”। କୋଟିକୋଟି ଶିକ୍ଷିତମାନଙ୍କ ଏକ ବନ୍ଧୁ-ମିଳନ ସ୍ଥଳ।ତମ ଭାଇ ଦଶଟା ଗାଁର ଚେୟାର୍ମେନ୍ ହୋଇ ଫଟଫଟିଆରେ ବୁଲି ଯେତେ ଲୋକଙ୍କୁ ଜାଣିନି, ମୁଁ ପରା ଦୁଇଦିନରେ ତାଠୁଁ ଦଶ ଗୁଣ ଲୋକର ବନ୍ଧୁ। ଆଜିକାର ଯୁଗରେ ଏଇଥିରେ ପରା ଅଗା – ବଗା – ଖଗା ସଭିଏଁ ମେଳି। ଶଳା ତମ ବଉଁଶଟା ତ ଟିପଗଡ଼ା, ଏଇ ସବୁ ବୁଝିବାକୁ ତମକୁ ସାତ ଜନମ ନେବାକୁ ପଡ଼ିବ ହେ।
ଏଇଥର ବନ୍ତିଳ ମାଇଁଙ୍କ ତାଣ୍ଡବ ନୃତ୍ୟର ପାଳି, କ୍ରୋଧର ପଞ୍ଚମ ତାନକୁ ଉଠିଯାଇ, ରାଗିପାଚି ସେ କହି ଉଠିଲେ-
ବୁଝିଲ ଏ ପଧାନ ବଉଁଶ କଥା କହିବନିଟି, ଝାଡ଼ୁରେ ଅଣଚାସ ବହିଯିବ। ଗୋଟିଏ ହେଲେ ତଳେ ପଡ଼ିବନି, ପୂରା କେରେକେରା ହେଲାଯାଏଁ। ମରଦ ପୁଅ ହେଇଚ, ମରଦ ଭଳି କଥାହୁଅ।
ଆଉ ଏ ପୋଡ଼ାମୁହାଁ “ଫେସ୍ବୁକ୍”ର ଭେଳିକି ମୁଁ ସବୁ ଜାଣିଲିଣି। ଏ ସବୁ ସେ ପୋଡ଼ାମୁହାଁ ମାର୍କାମରା ଜୋକରବର୍ଗର ନାଟହାଟ।
ସେ ଯୋଗିନୀପଶା – ବାଡ଼ିପଡ଼ାଟା ହାବୁଡ଼େ ପଡ଼ନ୍ତା କି ଥରେ, ପୂରା ତାକୁ ଦଳି ଦେଇଥାନ୍ତି। ଆଛା ନାଟଟିଏ ଲଗାଇ ଦେଇଛି। ସେତ କୁଆଡ଼େ କୋଟି କୋଟି ଟଙ୍କାର ଗଦିରେ ବସିଛି, ଆଉ ଏ ମରଦ ଗୁଡ଼ାକୁ ମେଣ୍ଢା କରି ବସାଇଦେଇଛି ମିସିନି ଆଗରେ।
ହଇହେ, ସେଦିନ ଉଲି କହୁଥିଲା, ତମେ କୁଆଡ଼େ ସବୁ ଝିଅପିଲା ମାନଙ୍କୁ ବନେଇ ଚୁନେଇ ମେସେଜ୍ ଲେଖି, ଫ୍ରେଣ୍ଡ୍ ରିକୁଏଷ୍ଟ ପଠାଉଛ ବୋଲି ତୁମର ଆଇ.ଡ଼ି. କୁ ୫ /୭ ଥର ବ୍ୟାଜ୍ୟାପ୍ତି କରାଗଲାଣି। ଏଇଥି ପାଇଁ ଦୁଇ ମାସରେ ତିନି ତିନିଟା ଆଇ.ଡ଼ି. ବଦଳେଇଲଣି ତମେ। ତମେ ଏଡ଼େ ଅଲାଜୁକ ହେଲଣି ଯେ, ଏବେ କୁଆଡ଼େ ଗୋଟେ ମାଇପିଲାର ନାଁରେ ଆଇ. ଡ଼ି. ଟିଏ କରି ସବୁ ନାଟୁଆଣି ମାନଙ୍କୁ ଧରି ଗୋଟେ ଯାତରା ଲଗେଇଛ। ରାତିଦିନ ଏଇଠି ବସି ଚାଟ୍ କରୁଛ ସେମାନଙ୍କ ସଙ୍ଗେ। ଆହୁରି କୁଆଡ଼େ ସବୁ ଲଙ୍ଗଳା-ପୁଙ୍ଗୁଳା ଫୋଟ ସବୁ ସେ ସିଗେରେଟ୍ ବାକ୍ସ ଭଳି ମୋବାଇଲି ପେଢ଼ିଟାରେ ଛପେଇ ରଖୁଛ?
ସେ କହି ଚାଲିଲେ, ହେଇଟି ମୁଁ ସବୁ ବୁଝିଛି ଏ ନାଟ। ମୋତେ କଣ ତମେ କ୍ଷୀରଖିଆ ପିଲାଟାଏ ଭାବିଛ ନା କଣମ? ହେଇଟି, ସେମିତି ହୋଇଥିଲେ ତମ ସାଙ୍ଗରେ ହାତ ଧରି ଘର କରିନଥାନ୍ତି ମ?
ଏଡ଼େ ଅଲାଜୁକ ବେହିଆଟାଏ ହୋ ତମେ, କିହୋ ଝିଅ ଆସି ବାହା ବଅସରେ, ଆଉ ତମେ ସାଜି ବସିଛ ରଙ୍ଗୀଳା ରତନ?
ଏତେସବୁ ଗୁମର କଥା ଶୁଣିବା ପରେ ଚୋରିଆ ବାବୁ ଟିକେ ବିବ୍ରତ ହୋଇ ପଡ଼ିଲେ। ଆଉ ତୁରନ୍ତ ନିଜକୁ ସମ୍ଭାଳି କହିଲେ–
ହେଉଛାଡ଼ ହେ ଏସବୁ କଥା। କାହିଁକି ପୂରା ଘରଟାରେ ଏଇମିତି ରବେଇ ଖବେଇ ହେଉଛ କହିଲ। ଇଏ ହେଲା ଗୋଟେ ଏମିତି ମଜାର କଥା। କଣ ସତରେ ମୁଁ କାହାର ହେଇଯାଉଛି ନା କାହା ସାଙ୍ଗରେ ଭାଗି ପଳାଉଛି ନା କଣ?
ତମ ହାତଧରି ବା ବାହା ହେଇଛି ..!!
ଏ ଫେସ୍ବୁକ୍ଟାତ ଅଢ଼େଇଦିନିଆ, ଆଉ ତମେ ତ ପର୍ମାନେଣ୍ଟ୍ ; ନା କଣ କହୁଛ ମ? ମୁଁ ପରା ତୁମର ହାତୀ, ତମ ରଜା, ମୁଁ ଯେଉଁଠି ଥିଲେ ବି ତୁମର, ବୁଝିଲ ତ?
ଏଇ କଅଁଳିଆ ସ୍ବୀକାରୋକ୍ତି ପଦକ ହେଲା ଏହି ନାଗୁଣୀର ଗଦ, ଏହା ଚୋରିଆ ମାମୁଁଙ୍କୁ ଜଣା। ତାହା ସତ ବି ହେଲା, ଯେତେବେଳେ ଏଇ ପଦକ ଶୁଣିଲା ପରେ ବନ୍ତିଳ ମାଇଁ ଟିକେ ନରମୀ ଯାଇ, ଆଉ ଟିକେ ସରମୀ ଯାଇ ଲାଜକୁଳୀ ଲତା ଭଳି ଆଉଜି ପଡ଼ିଲେ ଚୋରିଆ ମାମୁଁଙ୍କ ଆଡ଼କୁ। ଚୋରିଆ ମାମୁଁଙ୍କ ଅଙ୍ଗୀର ବକ୍ରମ୍ଟାକୁ ଟିକେ ସଳଖି ଦେଇ କହିଲେ-
ହେଇଟି ଶୁଣମ….
ତମେ ତ ଅଫିସ୍କୁ ନିଘା ଧାଉଁଛ, ଆଉ ଏ ଉଲି ତୁଣ୍ଡରେ ଦିଟା ଦେଉଛିକି ନାହିଁ କଲେଜ ଯିବାକୁ ଅଥୟ, ହେଲେ ମୁଁ ପୁରା ଘରଟାରେ ଏକାଟିଆ ପ୍ରାଣୀ। ମୋ ପାଇଁ ଗୋଟେ ସତ ସତିକିଆ ଆଇ. ଡ଼ି. ଟାଏ ଖୋଲିଦିଅନ୍ତନି? ମୁଁ ବି ଏଇ ଅଢ଼େଇ ଦିନିଆ ବାଢ଼େଇ ଘଇତା “ଫେସ୍ବୁକ୍”ଟାରେ ଟିକେ ଟେମ୍ପାସ୍ କରନ୍ତି। ସେ ଖଲିଆ ମା, ରଙ୍କ ର ମା ପରା ଘରେ ହାମ୍ବୁଡ଼ି ପଡ଼ି “ଫେସ୍ବୁକ୍”ରେ ମାତି ଥାଉଛନ୍ତି।
ସନିଆ ଘର ଖୁଡ଼ୀ ମଧ୍ୟ କହୁଥିଲେ, ସମସ୍ତେ ଫେସ୍ବୁକ୍ରେ ଏତେ ବିଜି ଯେ ଆଜିକାଲି ତାଙ୍କ ଘରକୁ ସପ୍ତାହରେ ୩/୪ ଥର ଟେକ୍ ୱେ ଆସୁଛି ପିଜାହାଟ, କେପିଚି ଆଉ ମାଡ଼ଲୋଡ଼ରୁ।
ଚୋରିଆ ମାମୁଁ ଆଉ କଣ କହିବେ? ଆଁ ଟାଏ କରି ହଠାତ୍ ଚଉକିରୁ ଉଠିପଡ଼ିଲେ ଆଉ କହିଲେ, ହେଉ ହେଉ ଦେଖିବା ସେ କଥା ପରେ, ପ୍ରଥମେ ଯାଏଁ ପନିପରିବା ଟିକେ ନେଇ ଆସେ ବଜାରରୁ।
ଜୟ ଜଗନ୍ନାଥ। ଫେସବୁକ୍ ମାୟାରେ ସଭିଏଁ ବାୟା। ସୁନ୍ଦର ବ୍ୟଙ୍ଗ ରଚନାଟିଏ।
Good
A good satirical presentation.