ଦୁଃଖେ ତୁମରି ଉତ୍ସବ …

  • ସେଵର ପ୍ଲେଗ୍ ମହାମାରୀ ହେଉ ଅବା ଏବର କରୋନା, କିଛି ସାଧାରଣ ମଣିଷ ଅସାଧାରଣ ଭାବେ ଦୁଃଖର ଅନ୍ଧାର ଭିତରେ ବି ଉତ୍ସବର ଦୀପ ଜଳାଇଥାନ୍ତି ।
ଯଦୁନାଥ ପଣ୍ଡା

ଆତ୍ମାକୁ ଆନ୍ଦୋଳିତ କଲାଭଳି କିଛି କବିତା ଲେଖିଥିବା କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କର ଏକ କବିତା ଅଛି ଯାହାକୁ ତାଙ୍କ ଝିଅ, ସୁରମ୍ୟ-କଣ୍ଠୀ ସୁନନ୍ଦା ଗାଇ କାଳଜୟୀ କରିଯାଇଛନ୍ତି –“ଆଜି ଦେବ ବୋଲି କେଉଁ ଦୀକ୍ଷା ଲଗାଇଛ ଏ ପରୀକ୍ଷା।” ପ୍ରତ୍ୟେକ ଦୁର୍ବିପାକ ମଣିଷ ପାଇଁ ଗୋଟେ ଗୋଟେ ପରୀକ୍ଷା; ସେ ପରୀକ୍ଷାରୁ ବ୍ୟକ୍ତିଗତ ଭାବରେ କିଛି ମଣିଷ କିମ୍ବା ସାମୂହିକ ଭାବରେ ମଣିଷ ସମାଜ ମୋଟାମୋଟି ଭାବରେ ହୁଏତ କିଛି ଦୀକ୍ଷା କି ଶିକ୍ଷା ଗ୍ରହଣ କରିବେ ବୋଲି ଆଶା କରାଯାଏ। କିନ୍ତୁ, ଏକଥା ସତ୍ୟ ଯେ ଦୁର୍ବିପାକ ସମୟରେ ମଣିଷ ଚରିତ୍ରର କଠୋର ପରୀକ୍ଷା ହୋଇଯାଏ, ସେଥିରୁ ଅନେକ ବୈଚିତ୍ର୍ୟ ଆମ ଆଗରେ ଉଜାଗର ହୋଇଯାଏ।  ଆଉ ସାହିତ୍ୟରେ ସେ ବୈଚିତ୍ର୍ୟକୁ ବିଶ୍ଵସ୍ତ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ଆମ ଆଞ୍ଚଳିକ ଓଡିଆ ଭାଷା ସମେତ ବିଶ୍ଵ ସ୍ତରର ଶବ୍ଦର ରୂପକାରମାନେ।

ପ୍ରସିଦ୍ଧ ଓଡିଆ କଥାକାର ଚନ୍ଦ୍ରଶେଖର ରଥଙ୍କର ପ୍ରାକୃତିକ ବିପତ୍ତିକୁ ନେଇ ଗୋଟିଏ ହୃଦୟଛୁଆଁ ଗଳ୍ପ ଅଛି- ‘ଆମକୁ ବିପନ୍ନ କର’ (ଏତେ ପାଖରେ ସମୁଦ୍ର, ପ୍ରକାଶକ- ଇଷ୍ଟର୍ନ ମେଡିଆ,୧୯୮୮)। ଗଳ୍ପର ବର୍ଣନାକାରୀ ଜଣେ କିଶୋର। ତାଙ୍କ  ପରିବାରରେ ଲାଗିରହିଛି ନାନା ପ୍ରକାର ମନୋମାଳିନ୍ୟ ଏବଂ ବିବାଦ। ଭିନେ ହୋଇଥିବା ବାପା ଏବଂ କକେଇଙ୍କ ପରିବାର ଭିତରେ ଛାଇ ପଡିଲେ ନାହି ଡେଉଁଥିବା ଅବସ୍ଥା। ନିଜ ପରିବାର ଭିତରେ ବି ଭାଉଜ ଓ  ମା ଭିତରେ ଦୈନିକ ଛକା ପଞ୍ଝା ଆଉ ମୁହଁ ମୋଡାମୋଡ଼ି। ଏମିତିକି ନିଜ ମା ବି କିଶୋରଟିକୁ ତା’ର ଅନ୍ୟ ପିଲା ମାନଙ୍କ ତୁଳନାରେ ଅଣଦେଖଣ କରୁଛି।  ଦିନେ ରାତିରେ ଆରମ୍ଭ ହେଇଛି ପ୍ରବଳ ଝଡତୋଫାନର ଧ୍ଵଂସଲୀଳା; ଗଛପତ୍ର, ଘରଦ୍ଵାର ସବୁ ଭାଙ୍ଗି ଛିନ୍ନଛତ୍ର ହେଇ ଯାଉଛି। ଘରର ଦି ପାଖରେ ଥିବା  ଉଭୟ ବାପା ଏବଂ କକାଙ୍କ ପରିବାରର ବଖରା ଉପରୁ ଛପର ଉଡିଯାଇଛି। ଘନଘୋର ବିଭୀଷିକାମୟ ରାତିରେ ପରିସ୍ଥିତିର ଚାପରେ ଉଭୟ ପରିବାରର ସମସ୍ତେ  ଆଶ୍ରୟ ନେବାକୁ ବାଧ୍ୟ ହେଇଛନ୍ତି ଘରର ମେରଦା(ଆଟୁ) ଥିବା ଅପେକ୍ଷାକୃତ  ଗୋଟେ ଶକ୍ତ ଅଂଶରେ। ଆଁ କରି ଅନେଇଥିବା ମରଣ ମୁହଁରେ ଆକୁଳତାରେ ସମସ୍ତେ ସମସ୍ତଙ୍କୁ କୋଳେଇ ଧରିଛନ୍ତି, ଏମିତିକି ଆଶଙ୍କାରେ ଜାକିଜୁକି ଏବଂ ଜଡ଼ାଜଡି ହେଇ ଏକ ସାଙ୍ଗରେ କାନ୍ଦିଛନ୍ତି ବି। ବିଭୀଷିକା କମିଲା, ସକାଳ ହେଲା। ସେଇ ଏକା ଜାଗାରେ ସମସ୍ତଙ୍କ ପାଇଁ ରୋଷେଇ ହେଲା, ସମସ୍ତେ ଏକାଠି ବସି ଖାଇଲେ। ତାପରେ ବାହାରିଲେ ଭଙ୍ଗା ଘର ସଜାଡିବାକୁ। କିଶୋରଟିର ବର୍ଣନାରେ :-

“ଭଙ୍ଗା ଘରକୁ ଚାହିଁ ଦେଲେ ଆମ ଭିତରର ଭଙ୍ଗା ମନ କାହିଁ କୁଆଡେ ଲୁଚି ଯାଉ ଥିଲା। ମାସେ କାଳ କାହାକୁ ତର ନଥାଏ। ଦିନ ସାରା ଖଟିଖଟି ରାତିରେ ସେଇ ମେରଦା ଘରେ ମୁନ୍ଦୁରା ପକେଇ ସମସ୍ତେ ଗଡି ପଡୁଥିଲୁ। ମତେ ଲାଗୁଥିଲା ଯେ ସେମିତି ଏକାଠି ଲଢିଗଲେ ଆମେ ସାରା ସଂସାରଟାକୁ ସଜାଡି ଦେଇ ଥାଆନ୍ତୁ।…… ମେଲା ପିଣ୍ଡାରେ ରୋଷ ଶାଳ। ବୋଉ ପରିବା କାଟିଲେ ଖୁଡ଼ି ବେସର ବାଟୁ ଥାଆନ୍ତି; ଭାଉଜ ଭାତ ହାଣ୍ଡି  ଓଲ୍ହେଇ  ଆଣୁଥାଏ।”

ମାସଟେ ପରେ ଆସ୍ତେଆସ୍ତେ ଘରସବୁ ସଜଡା ହେଇଗଲା। ସମସ୍ତେ ନିଜନିଜ ବଖରାକୁ ଫେରିଯିବାର ସମୟ ଆସିଲା। ପୁଣି ଆରମ୍ଭ ହେଇଗଲା ବିବାଦ, ଛକାପଞ୍ଝା, ଉଚ୍ଚବାଚ, ବାଦବିବାଦ। କିଶୋରଟିର ପ୍ରାଣ ହାହାକାର କରି ଉଠିଛି -“ଏମିତି କଣ ସବୁ ହେଇଗଲା ପୁଣି। ମୋତେ କାନ୍ଦ ମାଡିଲାରୁ ମୁଁ ଟେବୁଲ ପାଖରେ ମୁହଁ ଘୋଡେଇ କାନ୍ଦିଛି। ରାଗରେ ନିଆଁ ଜଳି ଉଠୁଛି ମୋ ଭିତରୁ। ମୁଁ କେବେ ପ୍ରାର୍ଥନା କରେ ନାହିଁ। ଏଇନା ଆଣ୍ଠୁ ମାଡି କରଯୋଡି ଡାକୁଛି – କେହି ଯଦି ଉପରେ ଅଛି, ସେ ପୁଣି ଥରେ ଗରଜି ଉଠୁ। ଅଜାଡି ଦେଉ ବିପତ୍ତି। ଉଡିଯାଉ ଏ ଛାତ। ସାତ ପୁରୁଷି ମେରଦା ଭାଙ୍ଗି ଯାଉ। ଆମକୁ ବିପନ୍ନ କର ପ୍ରଭୁ, କାତର କର। ମଣିଷ କର।”

ଏକ ଭୟଙ୍କର ମଡ଼କକୁ ନେଇ ପୃଥିବୀ ପ୍ରସିଦ୍ଧ ଦାର୍ଶନିକ, ନାଜିବାଦ ବିରୋଧରେ ଲଢିଥିବା ସାମାଜିକ କର୍ମୀ ଏବଂ  ନୋବେଲ ପୁରସ୍କାର ବିଜୟୀ ଲେଖକ ଅଲବେଆର କାମୁଙ୍କ ୧୯୪୭ ରେ ପ୍ରକାଶିତ ପ୍ରସିଦ୍ଧ ଉପନ୍ୟାସ  “ଦି ପ୍ଲେଗ” ବା ଲା ପେସ୍ତେ। ମିତବ୍ୟୟୀ ଅଥଚ ମନମନ୍ଥନକାରୀ ଶବ୍ଦ ବିନ୍ୟାସରେ ରଚିତ ସେ ଅତୁଳନୀୟ ଉପନ୍ୟାସ। ଖେଞ୍ଚାମାରୀ ଲହୁଲୁହାଣ କରିଦଉଥିବା ଅନେକ ମର୍ମଭେଦୀ ବକ୍ତବ୍ୟରେ ଭରପୁର ଅନ୍ତର୍ଦୃଷ୍ଟିପୂର୍ଣ ଉପନ୍ୟାସଟି। ଚତୁର୍ଦ୍ଦଶରୁ ଉନ୍ନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଇଉରୋପରେ ପ୍ରାୟ ୯ କୋଟି ଲୋକଙ୍କର ପ୍ରାଣନେଇଥିବା ଭୟଙ୍କର ପ୍ଲେଗରୋଗ  ଏବଂ ବିଶେଷକରି, ୧୮୪୯ରେ କାମୁଙ୍କ ଜନ୍ମଭୂମି ଅଲଜେରିଆରେ ବ୍ୟାପିଥିବା ହଇଜାଭଳି ମହାମାରୀର ପୃଷ୍ଠଭୂମିରେ ଲିଖିତ ଏ ଉପନ୍ୟାସ।

ଅଲଜେରିଆ ଉପକୂଳର ଓରାନ ସହରରେ ହଠାତ ଦେଖାଦେଇଛି ପ୍ଲେଗ ରୋଗ। ଗୋଟିଏ ମହାମାରୀ ଦେଖାଦେଲେ ଜନମାନସରେ ଯେଉଁସବୁ ବିଲକ୍ଷଣ ଦେଖାଦିଏ ତାର ମାର୍ମିକ ଚିତ୍ର ଆଙ୍କିଛନ୍ତି ଭାଷା ଆଉ ଭାବର କୁଶଳୀ କାରିଗର କାମ୍ୟୁ। ପ୍ରାୟ ୭୦ ବର୍ଷ ତଳେ ବର୍ଣନା କରା ଯାଇଥିବା ସେ ବିଲକ୍ଷଣ ଗୁଡିକୁ ଆମେ ଆଜିର କାରୋନା ବିଶ୍ଵବିପାକ ପରିପ୍ରେକ୍ଷୀରେ ଅବିକଳ ଲକ୍ଷ୍ୟ କରିପାରିବା।

ଅନ୍ୟ ସବୁ ସହର ଭଳି ଓରାନ  ସହରର  ଅଧିବାସୀମାନେ ଖୁବ  ଉଦାସ ଏବଂ ଘଷରା ସ୍ଵଭାବର।  ସେଥିପାଇଁ ସେମାନେ ସବୁ କିଛି କେବଳ ଯାନ୍ତ୍ରିକ ଅଭ୍ୟାସବଶତଃ କରନ୍ତି। ଲେଖକଙ୍କ ମତରେ କାମ କରିବା, ପ୍ରେମ କରିବା ଏବଂ ମରିବାର ଶୈଳୀକୁ  ଯଦି ଏକ ସହରର ଜନଜୀବନର ସୂଚକାଙ୍କ ବୋଲି ଧରାଯାଏ ତେବେ ଓରାନ ସହରର ଲୋକମାନେ, ଅନ୍ୟ ସବୁ ସହର ଭଳି, ଏସବୁକୁ  ଭାରି  ତରବରିଆ ଏବଂ କାମଚଳା  ଢଙ୍ଗରେ କରନ୍ତି। ସେଠିକା ଲୋକମାନେ  ବହୁତ ପରିଶ୍ରମୀ ଏବଂ ସବୁ ଶ୍ରମର ଉଦ୍ଦେଶ୍ୟ ହେଉଛି ଧନୀ ହେବା। ବେପାର ହେଉଛି ସେମାନଙ୍କର ମୁଖ୍ୟ ଆଗ୍ରହ ଏବଂ ଲକ୍ଷ୍ୟ ହଉଛି “ଯାହାକୁ ସେମାନେ ବ୍ୟବସାୟ”  ବୋଲି କହନ୍ତି। ଅବଶ୍ୟ ନିଜର ଛୋଟଛୋଟ ଆନନ୍ଦ ପାଇଁ ସେମାନେ ସମୁଦ୍ରରେ ଗାଧାନ୍ତି, ପ୍ରେମ କରନ୍ତି, ସିନେମା ଯାଆନ୍ତି, କିନ୍ତୁ ସେସବୁ କେବଳ ଶନିବାର ଓ ରବିବାର ଦିନ; ଅନ୍ୟଦିନ ଗୁଡାକ, ଯେତେ ଅଧିକ ସମ୍ଭବ ପାଇସା କମେଇବାରେ କଟାନ୍ତି। ଯାହାକୁ ସେମାନେ ପ୍ରେମ ବୋଲି କହନ୍ତି  ସେ କାମଟି କଲାବେଳେ ପୁରୁଷ ଏବଂ ସ୍ତ୍ରୀ ପରସ୍ପରର ଶରୀରଟାକୁ ଯେତେସମ୍ଭବ ଅଳ୍ପ ସମୟ ଭିତରେ “ଉପଭୋଗ କରିପକାନ୍ତି” କାରଣ, ଅନ୍ୟ ସ୍ଥାନ ଭଳି ଓରାନ ସହରରେ ମଧ୍ୟ ସମୟ ଏବଂ ସଚେତନତା ଅଭାବରୁ ମଣିଷମାନେ ପ୍ରେମର ଅର୍ଥ ନବୁଝି ଖାଲି ଅଭ୍ୟାସବଶତଃ ସେ କାମଟି ତୁଟେଇ ଦିଅନ୍ତି। “ବଞ୍ଚିବା ପାଇଁ ଅନ୍ୟ ଯାହାକିଛି ସମୟ ମିଳେ” ସେ ସମୟକୁ  ସେମାନେ ଜୁଆ ଅଡ୍ଡାରେ  ନହେଲେ ଗପମାରି କଟାନ୍ତି। ଏଇଥିରୁ ଜାଣନ୍ତୁ ଓରାନ ସହରରେ ମରଣଟା “ଏମିତିକି ଆଧୁନିକ ମୃତ୍ୟୁଟା“ ବି କେତେ ଏକାନ୍ତ ଏବଂ ବିରକ୍ତିକର ହେଉଥିବ, ଯେତେବେଳେ ସବୁଲୋକଗୁଡାକ ତାଙ୍କ ବ୍ୟବସାୟ, ପ୍ରେମକରିବା କି କେଫରେ ବସି କଥାହେବାରେ ବ୍ୟସ୍ତଥିବେ। ଓରାନ ସହରରେ ଋତୁ ବଦଳେ କେବଳ ଆକାଶରେ, ସହରତଳି ଅଞ୍ଚଳରୁ ବେପାରୀମାନେ ଫୁଲ ସଂଗ୍ରହ କରି ବଜାରକୁ ବିକିବାକୁ ଆଣିବାର ହୋ ହଲ୍ଲା ଭିତରେ ସେଠି ବସନ୍ତ ଋତୁ ଆସିଛି ବୋଲି ଜଣାପଡେ – “ବଜାର ହୋ ହଲ୍ଲାର ଗୋଟେ ବସନ୍ତ ଋତୁ”।

ଏଇଭଳି ଏକ ବସନ୍ତ ଋତୁରେ  କାହାଣୀର କଥକ ଏବଂ ଉପନ୍ୟାସର ମୁଖ୍ୟ ନାୟକ ଡାକ୍ତର  ବର୍ନାର୍ଡ ରିଉ ଲକ୍ଷ୍ୟ କରିଛନ୍ତି ଯେ ସହରରେ ଶହଶହ ମୂଷା ମରିବା ଆରମ୍ଭ କରିଛନ୍ତି। ଚିରାଚରିତଭାବରେ, ଉଭୟ ପ୍ରଶାସନ ଓ ଜନତା, ଏହାକୁ ମୋଟେ ସେମିତି ଗୋଟେ ବଡ ସମସ୍ୟା ନୁହେଁ ବୋଲି ଏଡେଇ ଯାଇଛନ୍ତି। ଅଭ୍ୟାସଗତ କାମଚଳା ଜୀବନ ଜିଉଁଥିବା ସବୁ ଲୋକଙ୍କଭଳି ଓରାନର ଲୋକମାନେ ବି ନିଜକୁ ଅମର ବୋଲି ଭାବିନେଇଛନ୍ତି। ଏମିତିକି ଖବର କାଗଜମାନେ ଓରାନ ସହରର ଢିଲା ପରିମଳ ବ୍ୟବସ୍ଥା ବିଷୟରେ ସଠିକ ବିବରଣୀ ପ୍ରକାଶ କରିବାକୁ ବି ଟାଳଟୁଳ କଲେ।

ଓରାନ ସହରର ପ୍ରତ୍ୟେକ ଅଧିବାସୀ ଧରିନେଇଛନ୍ତି  ଏଇଟା ଅନ୍ୟର ସମସ୍ୟା,  ତାଙ୍କର ନିଜର ନୁହେଁ ଏବଂ ନିଜନିଜର ରୁଟିନବନ୍ଧା ଧନ୍ଦାବାଜି ଭିତରେ ବ୍ୟସ୍ତ ରହିଛନ୍ତି; ଭାବିଛନ୍ତି ସେମାନେ ଫୋନ, ଟ୍ରେନ, ଉଡାଜାହାଜ, ଖବର କାଗଜଥିବା ଆଧୁନିକ ମଣିଷ, ପ୍ଲେଗ ଭଳି ଗୋଟେ ସପ୍ତଦଶ ଶତାବ୍ଦୀର ରୋଗ ସେମାନଙ୍କର କଣ ଉଖାରିପକେଇବ!… …ହଇହୋ ରୋଗଟା ପରା ପାଶ୍ଚାତ୍ୟ ଦେଶରୁ ହଜି ଯାଇଥିଲା! ହଁ, ଏକଥାଟା ଅନ୍ୟ ସମସ୍ତେ ଜାଣନ୍ତି କିନ୍ତୁ ଏବେ “ମରୁଥିବା ଲୋକଙ୍କ ବ୍ୟତୀତ।” …ହଁ ମ ଏଇ ସାମୟିକ ବିତ୍ପାତଟା ଏମିତି ଚାଲିଯିବ।… କିନ୍ତୁ ବିତ୍ପାତ ଚାଲିଗଲା ନାହିଁ “ଲୋକମାନେ ଚାଲିଯିବାକୁ ଆରମ୍ଭ କଲେ”। 

ଆସ୍ତେଆସ୍ତେ ସହରରେ  ଶହଶହ ସଂଖ୍ୟାରେ ଲୋକଙ୍କର ମରିବା ଆରମ୍ଭ ହେଲା। “ଦୁନିଆରେ ଯେତିକି ପ୍ଲେଗ ବ୍ୟାପିଛି ସେତିକି ଯୁଦ୍ଧ ବି ହେଇଛି, ପ୍ଲେଗ ଏବଂ ଯୁଦ୍ଧ ମଣିଷକୁ ସବୁ ବେଳେ ଏକାଭଳିଆ ଅପ୍ରସ୍ତୁତ ଅବସ୍ଥାରେ ମାଡ଼ି ବସନ୍ତି।” ସହରର ପ୍ରତ୍ୟେକ ଅଧିବାସୀ ଅନ୍ୟ ପଡୋଶୀମାନଙ୍କୁ ଜୀବାଣୁବାହକ ବୋଲି ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭକଲେ। ସହରର ସୀମାକୁ ଅବରୁଦ୍ଧ କରିଦିଆଗଲା। ଲୋକମାନଙ୍କୁ ସଂଗରୋଧରେ ରହିବାକୁ ବାଧ୍ୟ କରାଗଲା। ସହର ଭିତର ଓ ବାହାରର ପ୍ରିୟପରିଜନ ପରସ୍ପରଠାରୁ ବିଚ୍ଛିନ୍ନ ଭାବରେ ରହି, ଖାଲି ଜଣେ ଆର ଜଣକୁ  ଝୁରିହେଲେ। ପ୍ରିୟଜନର ବିଚ୍ଛେଦରେ ଏବଂ ପ୍ରେମର ଅନୁପସ୍ଥିତିରେ ପ୍ରେମର ପ୍ରକୃତ ଅର୍ଥଟା ସେତେବେଳେ ଯାଇ ସେମାନଙ୍କୁ ଭେଦିଲା। ତା’ ସତ୍ତ୍ୱେବି, ପ୍ରତ୍ୟେକ ଅଧିବାସୀ ସାମୁହିକ ଦୁରାବସ୍ଥାଠାରୁ ତାଙ୍କ ନିଜର ଦୁର୍ଭାଗ୍ୟଟାକୁ ବଡ ବୋଲି ଦେଖୁଥିଲେ ଏବଂ ସେଥିରୁ ଖସିଯିବାକୁ ନୈତିକ, ଅନୈତିକ ସବୁପ୍ରକାର ଚେଷ୍ଟା କରୁଥିଲେ। ଓରାନରେ ଯୋଗକୁ ଅଟକି ଯାଇଥିବା ରାମବେର୍ଟ ନାମରେ ଜଣେ ସାମ୍ବାଦିକ ପ୍ୟାରିସରେ ଥିବା ତାଙ୍କ ପ୍ରେମିକାକୁ ଭେଟିବାକୁ ବହୁପ୍ରକାର ଫିସାଦି କରି ସହରରୁ ଖସିଯିବାକୁ ଅସଫଳ ଚେଷ୍ଟା କରୁଥିଲେ। କୋଟାର୍ଡ ନାମରେ  ଜଣେ ହତ୍ୟାଅଭିଯୁକ୍ତ ଦଣ୍ଡ ପାଇବାର ଭୟରେ ଆଗରୁ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲା; ପ୍ଲେଗ ବ୍ୟାପିବାର ହୋହଲ୍ଲା  ଭିତରେ, ପ୍ରଶାସନର ଧ୍ୟାନ ସେଆଡିକି ଚାଲିଯିବାରୁ ସେ ନିର୍ଭୟରେ ବୁଲିଲା। ଏବେ ଆଖି ଆଗରେ ଶହଶହ ମୃତ୍ୟୁକୁ ଦେଖି ସେ ଖୁସି ହେଲା ଯେ ଏସବୁ  ତୁଳନାରେ ସେ ଘଟେଇ ଥିବା ଗୋଟିଏ ମୃତ୍ୟୁ ବା କି ଛାର! ଚୋରକୁ ଅନ୍ଧାର ରାତି ସୁହେଇଲା ଭଳି ସେ ବରଂ ୟେ ସାମୁହିକ ଦୁର୍ବିପାକବେଳେ କୀଳାପୋତେଇ କରି ଭଲ ପଇସା କମେଇବାରେ ଲାଗିଲା।

ଆମ ଓଡିଶାରେ ଏଭଳି ସାମୁହିକ ଦୁର୍ବିପାକ ସମୟରେ ଦଳେ ପେଶାଦାର ପ୍ରଳୟ-ପ୍ରବକ୍ତା ମାଳିକା-ବେପାରୀ ବାହାରିପଡି, ଏ ଦୁର୍ବିପାକସବୁ ନୈତିକ ଅଧପତନର ଫଳ ଏବଂ ଆଜିକି ପାଞ୍ଚ ଶହ ବର୍ଷ ତଳେ ମହାପୁରୁଷମାନେ, ବିଶେଷତଃ ଅଚ୍ୟୁତାନନ୍ଦ, ଏସବୁ ବିଷୟରେ ସଠିକ  ଭବିଷ୍ୟବାଣୀ କରିଥିଲେ ବୋଲି ପ୍ରବଚନ ଦେଇ କି ଭଜନ ଗାଇ ଭଲ ଦି ପଇସା କମାନ୍ତି। ଠିକ ସେମିତି ଓରାନ ସହରରେ ଧର୍ମଯାଜକ ପାନେଲୋ ସହରବାସୀଙ୍କୁ ପ୍ରବଚନ ଦେଇ କହିଲେ ଯେ ପ୍ଲେଗ ହେଉଛି ମଣିଷର  ନୈତିକ ବିଚ୍ୟୁତିର ପରିଣତି, ବିଶ୍ଵ ଶୃଙ୍ଖଳାରେ  ସନ୍ତୁଳନ ଆଣିବା ପାଇଁ ଏହି ଦୁର୍ଦ୍ଦଶାର ଆବଶ୍ୟକତା ରହିଛି। ଏଣୁ ହେ ପାପୀ ଗଣ,  ପ୍ରତିବାଦ ନ କରି  ନିଜ ଦୋଷ ସ୍ଵୀକାର କର ଏବଂ ନିସ୍ତାରଣ ପାଇଁ  ଆଣ୍ଠୁମାଡି ସେଇ ପରମ କର୍ତ୍ତାଙ୍କ ପାଖରେ ଅବନତ ହୁଅ। 

କିନ୍ତୁ ଏ ପରିସ୍ଥିତିରେ ମାନବୀୟ ଉଦ୍ୟମ, ତ୍ୟାଗ  ଓ ସମବେଦନା ବଳରେ ମହାମାରୀ ବିରୁଦ୍ଧରେ ସମସ୍ତ ଅସମ୍ଭବ, ଅବସାଦ, ବିଫଳତା, ମୃତ୍ୟୁର ଭୟ  ଭିତରେ  ବି ଲଢେଇ ଆରମ୍ଭ କରିଦେଛନ୍ତି ଡାକ୍ତର ବର୍ନାର୍ଡ ରିଉ। ତାଙ୍କ ସହ ଯୋଗଦେଇଛନ୍ତି  ତାଙ୍କର  ସହକର୍ମୀ ଡାକ୍ତର କାଷ୍ଟେଲ, ସହରକୁ ଛୁଟି କଟେଇବାକୁ ଆସି ଘଟଣାକ୍ରମେ ଅଟକି ଯାଇଥିବା ଅପୂର୍ବ ସାହସୀ ଚିନ୍ତକ ଜାଁ ତାରୋ, ପ୍ରଶାସକ ଜୋସେଫ ଗ୍ରାଣ୍ଡଙ୍କ ଭଳି ଉଦାର ହୃଦୟମାନେ, ଯେଉଁମାନଙ୍କର ପ୍ରେରଣା ଥିଲା କୌଣସି ବୀରତ୍ଵ  କି ମହାନ ଆଦର୍ଶ ନୁହେଁ, କେବଳ “ଶୁଭଙ୍କର ମଙ୍ଗଳ ଭାବନା କରିପାରିବାର ସାହସିକତା।”   ଡାଃ ରିଉଙ୍କ ଭାଷାରେ “ମୁଁ ସନ୍ଥ ମାନଙ୍କ ଅପେକ୍ଷା ପରାଜିତମାନଙ୍କ ସହିତ ରହିବାକୁ ଅଧିକ ପସନ୍ଦ କରେ। ମୁଁ ଭାବେ  ବୀରତ୍ଵ ଏବଂ ପବିତ୍ରତା ମୋତେ ସେତେ ଉଦବୁଦ୍ଧ କରେନା।  ମୋତେ ଯାହା ଖୁସିଲାଗେ ସେଇଟା ହଉଛି ଯେ ମୁଁ ଜଣେ  ମଣିଷ”। “ଏଥିରେ କୌଣସି ବୀରତ୍ଵର କଥା ନାହିଁ, କେବଳ ମାନବୀୟ ସୁଶୀଳତାର  କଥା। ପ୍ଲେଗ ବିରୋଧରେ ଲଢେଇ କରିବା ପାଇଁ ଯାହା ଏକାନ୍ତ ଆବଶ୍ୟକ ସେଇଟା ହେଉଛି ସାଧାରଣ ସୁଶୀଳତା” ଆଉ “ମୋ ପାଇଁ” ସେ ସୁଶୀଳତାର ଅର୍ଥ “ମୋ ନିଜ କର୍ତ୍ତବ୍ୟ କରିଯିବା”।  “ମୁଁ ବ୍ୟକ୍ତିଗତ ଭାବରେ ଜାଣିଛି ଅନେକ ଲୋକ ଗୋଟେ ଧାରଣା ପାଇଁ ପ୍ରାଣ ବଳି ଦିଅନ୍ତି; ମୁଁ ବୀରତ୍ଵରେ ବିଶ୍ବାସ କରେନା; ମୋ ଜାଣିବାରେ ଏଇଟା ଖୁବ ସହଜ ଏବଂ ମୁଁ ଦେଖିଛି ଏଇଟା ଘାତକ ବି ହେଇ ପାରେ। ମୋତେ ଯାହା ଉଲ୍ଲସିତ କରେ ସେଇଟା ହେଉଛି ଜଣେ ଯାହା ଭଲପାଏ ତା’ ପାଇଁ ବଞ୍ଚିବା ଏବଂ ଜୀବନ ଦେଇଦେବା”।  ପ୍ଲେଗ ବିରୋଧରେ  ଲଢେଇର ଘନଘଟା ଭିତରେ ଡାକ୍ତର ରିଉ ତାଙ୍କର ସହଯୋଦ୍ଧା  ଜାଆଁ  ତାରୋଙ୍କୁ ଏକ ପ୍ରଶ୍ନ ପଚାରୁଛନ୍ତି, “ସେ ଶାନ୍ତି ପାଇବାର ବାଟଟା କଣ ଜାଣନ୍ତିକି?”  ତାରୋ ଉତ୍ତର ଦଉଛନ୍ତି “ହଁ, ସହାନୁଭୂତିର ପଥ” ।

ଏମିତିକି ଏଇ ମାନବିକ ସୌହାର୍ଦ୍ଦ୍ୟ ଏବଂ ସହାନୁଭୂତି ପାଇଁ ଡାକ୍ତର ରିଉ ଭାଗବାନଙ୍କ ବିରୋଧରେ ବି ବିଦ୍ରୋହ କରିଛନ୍ତି। ଧର୍ମଯାଜକ ପାନେଲୋଙ୍କୁ ଆହ୍ଵାନଦେଇ ସେ କହିଛନ୍ତି  ମୃତ୍ୟୁର ମର୍ମନ୍ତୁଦ ଯନ୍ତ୍ରଣାକୁ ତମେ ଯଦି ଥରେ ଆଖିରେ ଦେଖନ୍ତ  ତେବେ ତମର ୟେ ବିଶ୍ଵ ଶୃଙ୍ଖଳା ଓ ନୈତିକ ବିଚ୍ୟୁତିର ତତ୍ତ୍ଵଟାକୁ ଠିକ ଅନୁଭବ କରିପାରନ୍ତ। ମୃତ୍ୟୁ ପଥର ଯାତ୍ରୀ ଏବଂ ମର୍ମାନ୍ତିକ ଯନ୍ତ୍ରଣା ଭୋଗୁଥିବା ଜଣେ ବ୍ୟାଧିପୀଡିତ ଛୋଟପିଲା, ସହରର ରକ୍ଷଣଶୀଳ ମାଜିଷ୍ଟ୍ରେଟ ଏମ॰ ଅଥୋନଙ୍କ  ପୁଅ ଜାକ ଅଥୋନର ରୋଗଶଯ୍ୟା ପାଖକୁ ପାଦ୍ରୀ ପାନେଲୋଙ୍କୁ ନେଇଯାଇ କହିଛନ୍ତି ଡାକ୍ତର ରିଉ “ ମୋର ମୃତ୍ୟୁ ପର୍ଯ୍ୟନ୍ତ ମୁଁ ସେଭଳି ବିଶ୍ଵବ୍ୟବସ୍ଥାକୁ ଗ୍ରହଣ କରିବି ନାହିଁ ଯେଉଁଠି ଜଣେ ଶିଶୁକୁ ଏତେ ଯନ୍ତ୍ରଣା ସହିବାକୁ ପଡେ”। ପ୍ରକୃତ ଯନ୍ତ୍ରଣା ଦେଖି ପାଦ୍ରୀ ପାନୋଲେଙ୍କର ହୃଦୟରେ ପରିବର୍ତନ ଆସିଛି ଏବଂ ସେ ସୃଷ୍ଟିର ନିର୍ଦ୍ଦୟତାକୁ ଅନୁଭବ କରିପାରିଛନ୍ତି।

ପ୍ରାୟ ବର୍ଷକର ସେ ସୌହାର୍ଦ୍ଦ୍ୟ-ପ୍ରେରିତ ସଂଗ୍ରାମପରେ ଆସ୍ତେଆସ୍ତେ  ପ୍ଲେଗର ପ୍ରକୋପ କମିବାକୁ ଆରମ୍ଭ କରିଛି। କିନ୍ତୁ ସେତେବେଳକୁ ସେ ମହାଯଜ୍ଞରେ ରିଉଙ୍କର ବିଶ୍ଵସ୍ତ ସହଯୋଦ୍ଧା ତାରୋଙ୍କୁ ଆହୁତି ହବାକୁ ପଡିଛି। ଆକ୍ରାନ୍ତ ହେଇ ସେ ଜୀବନ ହାରିଛନ୍ତି। ଡାକ୍ତର ରିଉଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଦୂର ସ୍ଵାସ୍ଥ୍ୟନିବାସରେ ପ୍ରାଣ ହରେଇଛନ୍ତି।

ଉତ୍ସବର ଆନନ୍ଦ ଉଲ୍ଲାସ ଭିତରେ ସହରର ପ୍ରବେଶଦ୍ଵାର ସବୁ ଖୋଲା ଯାଉଛି। ବିଚ୍ଛିନ୍ନ ବନ୍ଧୁପରିଜନମାନେ ପରସ୍ପର ସାଙ୍ଗରେ ମିଳିତ ହଉଛନ୍ତି। ଏମିତିକି ବାଣ ରୋଷଣୀ ବି ଫୁଟା ଯାଉଛି। ମୃତକ ମାନଙ୍କପାଇଁ  କୁଆଡେ ଗୋଟେ ସ୍ମୃତିସ୍ତମ୍ଭ ବି ବନାଯିବ ଯେଉଁଠି “ଭାଷଣ ଦିଆଯିବ -ଆମର ପ୍ରିୟ ଦିବଙ୍ଗତ ମାନେ …  ଏବଂ ତା’ପରେ ଭଲ ଜଳଖିଆ ପ୍ୟାକେଟ ସବୁ ଖିଆଯିବ”। ଡାକ୍ତର ରିଉ ନିଜ ଭିତରେ ଏକ ଥମଥମ ଭାବ ଅନୁଭବ କଲେ- ଏସବୁ ଭିତରେ ଚରମ ତ୍ୟାଗ ସ୍ଵୀକାର କରିଥିବା ତାରୋ ଏବଂ ତାଙ୍କର ପତ୍ନୀ ଭଳି ମୃତକମାନେ ସବୁ ଭୁଲି ହୋଇଯିବେ! ହାଏ! ସତରେ ଲୋକମାନେ କିଛି ଶିଖନ୍ତି ନାହିଁ ,  “ସବୁଦିନ ପାଇଁ ସେଇ ଏକା ଭଳିଆ ରହି ଯାଆନ୍ତି।”

ସବୁ ଆନନ୍ଦ ଲହରୀ ଭିତରେ କିନ୍ତୁ ନିରାସକ୍ତ ରହିଛନ୍ତି ଡାକ୍ତର ରିଉ। ସେ ଜାଣିଛନ୍ତି ମଣିଷର ଏ ଉଲ୍ଲାସ କ୍ଷଣସ୍ଥାୟୀ,  ସର୍ବଦା ଆପଦ ଗ୍ରସ୍ତ, କାରଣ “ପ୍ଲେଗ କୀଟାଣୁ ମରେନା କି ସବୁଦିନ ପାଇଁ ବିଲୁପ୍ତ ହୁଏନା ……. ବୋଧହୁଏ ଦିନ ଆସିବ ଯେତେବେଳେ ମଣିଷର ଦୁର୍ଦ୍ଦଶା ଏବଂ ଜ୍ଞାନୋଦୟ ପାଇଁ, ଏହା ତା’ର ମୂଷା ମାନଙ୍କୁ ପୁଣି ଥରେ ଡାକିକି ଉଠେଇବ ଏବଂ  କୌଣସି ଗୋଟେ ଖୁସିର ସହରକୁ ମରିବାକୁ ପଠେଇ ଦବ।” ମଣିଷର ଆତ୍ମାକୁ କଲବଲ କରିଦେବା ଭଳି ଏହି ମର୍ମଥରା ବାକ୍ୟରେ ଶେଷ ହେଇଛି ଉପନ୍ୟାସଟି।

‘ଦି ପ୍ଲେଗ’ ଏକ ଉଭୟ ଆକ୍ଷରିକ ( ବାସ୍ତବ) ଏବଂ ରୂପକ ଉପନ୍ୟାସ। ପ୍ଲେଗକୁ ମାନବିକ ଦୁର୍ବିପାକର ପ୍ରତୀକ ହିସାବରେ ଚିତ୍ରଣ କରିଛନ୍ତି କାମ୍ୟୁ। ନିର୍ଦ୍ଦିଷ୍ଟ ଘଟନା ଭାବରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ନାଜିବାଦ, ଫାଶିବାଦ ଏବଂ ସାମ୍ୟବାଦ ପୃଥିବୀରେ ଯେଉଁ ମାନବିକ ଦୁର୍ଦଶା ଘଟେଇଚାଲିଥିଲେ ମହାମାରୀ ପ୍ଲେଗକୁ ତା’ର ରୂପକ ଭାବେ ନେଇଥିଲେ କାମ୍ୟୁ। କିନ୍ତୁ, ମାନବିକ ଦୁର୍ବିପାକ  ଅସରନ୍ତି , ଯାହା କବଳରୁ ମଣିଷର ନିସ୍ତାର ନାହିଁ  ଏବଂ ତା ବିରୋଧରେ ନିରନ୍ତର ଲଢେଇ ହିଁ  ମଣିଷର ଭାଗ୍ୟ, ଠିକ କାମ୍ୟୁଙ୍କର ପ୍ରସିଦ୍ଧ ପ୍ରବନ୍ଧ “ମିଥ  ଅଫ ସିସିଫସ”ରେ ସିସିଫସର  ଭାଗ୍ୟ ଭଳି। ଉପନ୍ୟାସରେ ଏକ ବଳିଷ୍ଠ ଚରିତ୍ର ଜାଁ ତାରୋ ଗୋଟିଏ ଜାଗାରେ କହିଛନ୍ତି “… ଆମ ଭିତରୁ ପ୍ରତ୍ୟେକଙ୍କ  ଭିତରେ ପ୍ଲେଗ ରହିଛି,କେହି ବି,  ପୃଥିବୀରେ କେହି ବି ଏଥିରୁ ମୁକ୍ତ ନୁହେଁ”। ବାହ୍ୟ ଦୁର୍ବିପାକ ଗୁଡାକ ଆମ ମାନଙ୍କ ଭିତରେ ଥିବା ଏଇ ବ୍ୟକ୍ତିଗତ “ଜୀବାଣୁ” ମାନଙ୍କର ହାରାହାରି ପରିପ୍ରକାଶ।

କିନ୍ତୁ ମଣିଷର ଏଇ ଦୁର୍ବିପାକଜନିତ ନିରନ୍ତର ନିରାପତ୍ତାହୀନତା, ଜୀବନର ଅନିଶ୍ଚିତତା, ଆକସ୍ମିକ ମୃତ୍ୟୁର ଆଖିମରା ଳୋଲୁପ କଟାକ୍ଷ, ଯନ୍ତ୍ରଣା ମଣିଷକୁ ନିକମା କରେଇବା ବଦଳରେ ବରଂ ପରସ୍ପର ପ୍ରତି ଅଧିକ ସମ୍ବେଦନଶୀଳ କରେଇବ, ସାମୁହିକ ଲଢେଇ ପାଇଁ ଉଜାଗର କରେଇବ, ତାକୁ ସ୍ଵାର୍ଥବନ୍ଧା ବ୍ୟକ୍ତିରୁ ସହଭାଗୀ ନାଗରିକ କରେଇବ, ବାରମ୍ବାର ବିଫଳତା ସତ୍ତ୍ୱେ ବି ସିସିଫସ ଭଳି ସେ ତା’ ଲଢେଇ ଜାରୀ ରଖିଥିବ। ମଣିଷର ଭାଗ୍ୟଉପରେ ଭାର ହେଇ ରହିଥିବା ଦୁର୍ବିପାକ ଭଳି ମୃତ୍ୟୁଦଣ୍ଡ ସହିତ, ପରିଣତି ପ୍ରତି ପରୱା ନକରି, ସାହସର ସହିତ ଲଢିବାରେ ହିଁ  ମଣିଷ ଜୀବନର ସାର୍ଥକତା।

ଡାକ୍ତର ରିଉଙ୍କ ଭାଷାରେ “ପୃଥିବୀର ସବୁ ଦୁର୍ଦ୍ଦଶା ବିଷୟରେ ଯାହା ସତ ପ୍ଲେଗ ବିଷୟରେ ତାହା  ବି ସତ। ଏହା ମଣିଷମାନଙ୍କୁ ନିଜଠାରୁ ଉର୍ଦ୍ଧ୍ଵକୁ ଯିବାକୁ ବାଟ ଦେଖାଏ। ମଣିଷ ଭିତରେ ଘୃଣା କରିବା ଅପେକ୍ଷା ପ୍ରଶଂସା କରିବାକୁ ଅଧିକ ଗୁଣ ରହିଛି।”

କାମ୍ୟୁଙ୍କ ଭାଷାରେ ହୁଏତ ଅନେକ ଲୋକ “ସବୁଦିନ ପାଇଁ ଯାହା ଥିଲେ ସେୟା ରହିଯାଆନ୍ତି” କିମ୍ବା ଚନ୍ଦ୍ରଶେଖର ରଥଙ୍କ କାହାଣୀର ଚରିତ୍ରମାନଙ୍କ ଭଳି ବିପାକକାଳୀନ ସାମୟିକ ସମ୍ବେନଶୀଳତାର ଝଲକ ପରେ ପୁଣିଥରେ ନିଜର ନୀଚତାର ଖୋଳପା ଭିତରକୁ ଖସିପଡନ୍ତି, କିନ୍ତୁ ଏଭଳି ବିଭୀଷିକା ସମୟରେ, ଅଳ୍ପସଂଖ୍ୟକ ହେଲେ ବି, ସବୁବେଳେ ସାହସ, ସୌହାର୍ଦ୍ଦ୍ୟ ଏବଂ ସମ୍ବେଦନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ରହିଯାଆନ୍ତି ଡାକ୍ତର ରିଉ, ଜାଁ ତାରୋ ଓ ଜୋସେଫ ଗ୍ରାଣ୍ଡମାନଙ୍କ ଭଳି ମଣିଷ ଯେଉଁମାନେ ରେମବର୍ଟ, ଅଥୋନ, ପାନେଲୋଙ୍କଭଳି ଲୋକମାନଙ୍କୁ ତାଙ୍କର ସୌହାର୍ଦ୍ଦ୍ୟର ଆକର୍ଷଣୀ ଶକ୍ତିରେ “ସଂକ୍ରମିତ” କରିପାରନ୍ତି, ସେମାନଙ୍କ କ୍ଷୀଣ ପ୍ରାଣଶକ୍ତିରେ ଅପୂର୍ବ ପ୍ରେରଣା ଆଉ ଊତ୍ସାହ ଭରି ଦେଇ ସେମାନଙ୍କୁ ସାମୁହିକ ଦୁର୍ଦ୍ଦଶା ବିରୋଧରେ ଲଢ଼ିବାକୁ ସଙ୍ଗ୍ରାମୀ ସୈନିକ ଭାବରେ ପ୍ରସ୍ତୁତ କରିଦେଇ ପାରନ୍ତି।

ସେଇମାନଙ୍କ ଭଳି ଆଜିର ଏଇ କାରୋନା ବିଶ୍ଵ-ଦୁର୍ବିପାକ ସମୟରେ ବି ଅନେକ ଅସାଧାରଣ ଭାବରେ ସାଧାରଣ ମଣିଷମାନେ ଦୁଃଖର ଅନ୍ଧାର ଭିତରେ ଉତ୍ସବର ଦୀପ ଜଳେଇ ରଖିବାର ଉଜ୍ଜଳ ଉଦାହରଣ ରଖୁଛନ୍ତି; ସେ କରୋନା ଭୁତାଣୁର ପ୍ରଥମ ଶହୀଦ ଡାକ୍ତର ଓେନ୍ଲିଆଙ୍ଗ ହୁଅନ୍ତୁ କି ଭଙ୍ଗା ସାଇକଲ ପଛରେ ବସେଇ ନିଜ ଆହତ ବାପାକୁ ୧୨୦୦ କିଲୋମିଟର ବୋହି ଆଣିଥିବା ପନ୍ଦର ବର୍ଷର ଝିଅ ଜ୍ୟୋତିକୁମାରୀ ହେଉ କିମ୍ବା ହଜାର ହଜାର ମାଇଲ ଚାଲି ଚାଲି ନିଜ ଘରକୁ ଫେରିବାକୁ ବାଧ୍ୟ ହେଇଥିବା ନିରନ୍ନ ଦେଶାନ୍ତରୀ ଶ୍ରମଜୀବୀଟିଏ ହେଉ କିମ୍ବା ମାସମାସ ଧରି ନିଜ ଘରପରିବାର ଠାରୁ ଦୂରରେ ରହି ସଂକ୍ରମିତଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିବା ସେବିକାଟିଏ ହେଉ। ସେମାନେ ହିଁ ମଣିଷ ସଭ୍ୟତା ପାଇଁ ଆଶାର ଆଲୋକ ସ୍ତମ୍ଭ। ମଣିଷକୁ ଧ୍ଵଂସ କରିଦିଆଯାଇପାରେ କିନ୍ତୁ ତାକୁ ପରାଜିତ କରାଯାଇପାରେନା। ମଣିଷର ଶାଶ୍ଵତ ଆଶା ଆଉ ଅପରାଜେୟତାର ଅନନ୍ୟ ଉଦାହରଣ ସେଇ ପ୍ରଣମ୍ୟ ପ୍ରାଣବନ୍ତମାନେ। 

“ଦୁଃଖେ ତୁମରି ଉତ୍ସବ ଦୀପ ଦେବତା, କେତେମତେ ଉଠେ ଜଳି” ବୈକୁଣ୍ଠ ନାଥଙ୍କର ଏକ ପ୍ରେରଣାଦା୍ୟୀ କବିତା, ଯାହା ସୁନନ୍ଦାଙ୍କ କଣ୍ଠରେ ଅମର ହେଇଛି ଗୀତରେ। ସାମୂହିକ ଦୁର୍ବିପାକର ପରିବ୍ୟାପ୍ତ ଅନ୍ଧାର ଭିତରେ ଆସନ୍ତୁ ଅନୁଭବ କରିବା ଶବ୍ଦ ଆଉ ସ୍ଵରରେ ମଣିଷ ପ୍ରାଣଶକ୍ତିର ଊତ୍ସବ ପାଳନ କରିଥିବା ସେଇ ଦୀପ୍ତିମାନ ଗୀତର ଅନ୍ତର୍ଧ୍ଵନିକୁ। 

4 thoughts on “ଦୁଃଖେ ତୁମରି ଉତ୍ସବ …

  1. ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି। ଜୟ ଜଗନ୍ନାଥ।

  2. Dear Sir, Pranam. This writing is heart touching. Thank you for the post. I will share it in my circle.

  3. ସୁନ୍ଦର ଉପସ୍ଥାପନା। ଅଭିନନ୍ଦନ।

Leave a Reply

Your email address will not be published. Required fields are marked *