- ବସ ଭିତରେ ସେହି ସହଯାତ୍ରୀଣିଙ୍କୁ ପାଖ ସିଟରେ ନପାଇ ହତାଶ ହୋଇପଡିଥିଲେ ଯୁବକବି ଝଗୁଡ଼ୁ ଦାସ।
ପାକେଈ ବୁଢ଼ୀର ପାନପିକ ବୋଳା ଓଠ ଭଳି ରକ୍ତିମ ଦିଶୁଥାଏ ପଶ୍ଚିମ ଦିଗ୍ବଳୟ! ବୁଢ଼ା ସୂରୁଜ ବୁଡ଼ିବ ବୁଡ଼ିବ ହେଉଥାଏ। ‘କରୋନା’ ଭୟରେ ସୁରତ ଫେରନ୍ତା ଦଳ ଦଳ ଦାଦନ ଶ୍ରମିକ ଭଳି ବଗ ଓ ଗେଣ୍ଡାଳିଆମାନେ ଲେଉଟୁଥାନ୍ତି ବସାକୁ। କାଠଯୋଡ଼ିର ମନ୍ଥର ସ୍ରୋତରେ ଅସ୍ତସୂର୍ଯ୍ୟର କିରଣ ପଡ଼ି ଭାସମାନ କାନଭାସ୍ର ଭ୍ରମ ସୃଷ୍ଟି କରୁଥାଏ। ଏ ଦୃଶ୍ୟ କଟକ କାଠଯୋଡ଼ି କୂଳେ ସଂଧ୍ୟା ଆଗମନର ଅବ୍ୟବହିତ ପୂର୍ବର! ନଈ କୂଳେ ପୂର୍ବକୁ ପଛ କରି ଠିଆହେଲେ ଆଖିରେ ପଡ଼ିଯାଏ ଏଭଳି କିଛି କବି ମନ ଚହଲା ଦୃଶ୍ୟ।
ତାଳଚେରିଆ ଯୁବକବି ‘ଝଗୁଡ଼ୁ ଦାସ’ଙ୍କ ପାଇଁ ତାଙ୍କ କୋଇଲା ଖଣି ଘେରା ରାଇଜରେ ଏଭଳି ଦୃଶ୍ୟ ଅବଶ୍ୟ ବିରଳ। ତେଣୁ ଝଗୁଡ଼ୁ ଯେବେ ବି କୌଣସି କାମରେ ତାଳଚେରରୁ କଟକ ଆସନ୍ତି, ଅପରାହ୍ଣରେ ମନ ହାଲ୍କା କରିବା ପାଇଁ ଘେରାଏ ବୁଲି ଯାଆନ୍ତି କାଠଯୋଡ଼ି କୂଳ ଆଡ଼େ। ସହଜେ ସଦ୍ୟ ଯୁବକ, ସେଥିରେ ପୁଣି କବି ପ୍ରତିଭାର ଅଧିକାରୀ! ପ୍ରକୃତିର ଏ ବିରଳ ବିଭବ ଭିତରେ ମନ-ମୁନ-ଚୈତନ୍ୟ ତାଙ୍କର ହଜିଯାଏ କିଛି ସମୟ ପାଇଁ। ଦିନେ ଦିନେ ଏମିତି ବି ହୁଏ, ଗୁଡ଼ ଘମରେ ଜନ୍ଦା ଲାଖିବା ଭଳି କାଠଯୋଡ଼ିର ସୌନ୍ଦର୍ଯ୍ୟ ଭିତରେ ସେ ଏମିତି ଲାଖି ଯାଆନ୍ତି ଯେ, ତାଳଚେରଗାମୀ ଶେଷ ବସ୍ଟା ତାଙ୍କୁ ହରେଇବାକୁ ପଡ଼େ ଏବଂ ରାତି କଟେ ବାଦାମବାଡ଼ିର କୌଣସି ଶସ୍ତା ହୋଟେଲରେ।
କବି ଝଗୁଡ଼ୁ ସେଦିନ ବି କାଠଯୋଡ଼ି କୂଳେ ବସି ନୂଆ କବିତାଟେ ପାଇଁ କିଛି ଉପାଦାନ ସାଉଁଟୁ ସାଉଁଟୁ ଏଭଳି ଦୁରବସ୍ଥା ଭୋଗିଥାନ୍ତେ। କିନ୍ତୁ ହଠାତ୍ ସେ ନିଜ ଜିନ୍ ପେଂଟ୍ର ଆଗ-ପଛ ଚାରିଟିଯାକ ପକେଟ୍ ଉଣ୍ଡାଳି ତାଳଚେର ଫେରିବା ପାଇଁ ସଜାଗ ହେଇଗଲେ । ସାରା ଦିନର ଖର୍ଚ୍ଚ ପରେ ପକେଟରେ ପଡ଼ିଥିଲା ମାତ୍ର ଦୁଇଶହ କୋଡ଼ିଏଟି ଟଙ୍କା। ଯଦି ସେ ଶେଷ ବସ୍ ନ’ଧରନ୍ତି, ତା’ହେଲେ ଏତିକି ଧନରେ କୌଣସି କଟକି ହୋଟେଲରେ ଥାନ ମିଳିବା ଅସମ୍ଭବ।
ସଂଧ୍ୟା ଛ’ଟା କୋଡ଼ିଏ ବାଜୁଥିଲା। ସାଢ଼େ ସାତରେ ତାଳଚେର ପାଇଁ ଶେଷ ବସ୍। ତତ୍କ୍ଷଣାତ୍ ଝଗୁଡ଼ୁ ଦାସ ପଚାଶ ଟଙ୍କା ଭଡ଼ାରେ ‘ଅଟୋ’ଟିଏ ବୁକ୍ କଲେ କାଠଯୋଡ଼ି କୂଳରୁ ଡାଇରେକ୍ଟ ବାଦାମବାଡ଼ି ବସ୍ଷ୍ଟାଣ୍ଡ। ଷ୍ଟାଣ୍ଡରେ ପହଂଚିବା ବେଳକୁ ‘ନିଶାମଣି’ ନାମଧାରି ଶେଷବସ୍ ଗଡ଼ିବା ଆରମ୍ଭ କରୁଥାଏ। ହେଲପର୍ ଟୋକା ଦେଖୁ ଦେଖୁ ଜାଣିପାରିଲା, ଇଏ ବାବୁ ଜଣକ ତାଳଚେରିଆ ଲଙ୍ଗ୍ ପାସେଞ୍ଜର୍। ଏଭଳି ପାସେଞ୍ଜରମାନଙ୍କ ପାଇଁ ପ୍ରାଇଭେଟ୍ ବସ୍ରେ ଥାଏ ସ୍ୱତନ୍ତ୍ର ବ୍ୟବସ୍ଥା! ଆଳୁ ବସ୍ତା ଭଳି ଯାତ୍ରୀ ଭିଡ଼ରେ ବସ୍ ଟଳମଳ ହେଉଥିଲେ ସୁଦ୍ଧା ହେଲପର୍ ତା’ତେଲ ଚିକିଟା ତଉଲିଆ ଖଣ୍ଡିକ ପକେଇ ତତ୍କାଳ ଦୂରଯାତ୍ରୀମାନଙ୍କ ପାଇଁ ସିଟ୍ ଗୋଟେ-ଯୋଡ଼େ ଅକ୍ତିଆର ଭିତରେ ରଖିଥାଏ।
ଝଗୁଡ଼ୁ ଦାସ ବସ୍କୁ ଉଠୁ ଉଠୁ ହେଲପର୍ ସିଟ୍ ଉପରୁ ଗାମୁଛା ଖଣ୍ଡିକ ହଟେଇ ଦେଇ କହିଲା, “ବସନ୍ତୁ ସା’ରେ!”
ଝଗୁଡ଼ୁ ଦାସ୍ ଦେଖିଲେ, ଅଦ୍ୟାବଧି ସେ ସୁରକ୍ଷିତ ଅବସ୍ଥାରେ ବସ୍ରେ ପହଂଚି ଯାଇଛନ୍ତି। ସେଠୁ ସେ ନିଶ୍ଚିନ୍ତରେ ଦୀର୍ଘ ନିଃଶ୍ୱାସଟେ ଛାଡ଼ି ସିଟ୍କୁ ଆଉଜି ବସିଲେ। ସେ ଦୁଇଟିକିଆ ସିଟ୍ରେ ତାଙ୍କ ପୂର୍ବରୁ ବସିଥିଲେ ଜଣେ କୃଶକାୟ ବୃଦ୍ଧ। ଗାଡ଼ି କଚ୍ଛପ ଗତିରେ ଷ୍ଟାଣ୍ଡ ଛାଡ଼ିଲା। ଠିକ୍ ଏତିକିବେଳେ ବସ୍ ଭିତରକୁ ପଶି ଆସିଲେ ଜଣେ ସୁଦର୍ଶନ ଯୁବକ। ଯୁବକଙ୍କ ଉପରେ ଦୃଷ୍ଟି ପଡ଼ିବା କ୍ଷଣି ଝଗୁଡ଼ୁ ଲୁଣ ଧାପରେ ଜୋକ୍ ଭଳି ନିଜ ଭିତରେ ନିଜେ ଟିକିଏ ସାଙ୍କୁଡ଼ିଗଲେ। ଅବଶ୍ୟ ଏହାର ଏକାଧିକ କାରଣ ଥିଲା। ଝଗୁଡ଼ୁ ଦାସ୍ କିଂଚିତ୍ ଶ୍ୟାମଳ ଓ ଖର୍ବକାୟ, କିଂତୁ ଯୁବକ ଜଣକ ଦେଖା ଯାଉଥିଲେ ବଲିଉଡ଼୍ ହିରୋ ଭଳି ବଳିଷ୍ଠ ଓ ସୁନ୍ଦର! ସନ୍ଧ୍ୟା ଅତିକ୍ରାନ୍ତ ହେବା ପରେ ବି ସେ ଆଖିରେ ନାଇଥିଲେ ସୁନା ଫ୍ରେମର ଡେ-ନାଇଟ୍ ଗ୍ଳାସ୍। ବଗ ପର ଭଳି ତାଙ୍କ ଧଳା ଫିନ୍ଫିନ୍ ଡ୍ରେସ୍ ମହକୁଥିଲା ବିଦେଶୀ ପରଫ୍ୟୁମ୍ର ସୁଗନ୍ଧରେ। ବ୍ରିଫ୍କେଶ୍ ଧରିଥିବା ତାଙ୍କ ବାଁ ହାତଟି ପ୍ରମାଣିତ କରୁଥିଲା ଯେ, କେବଳ ବୁଢ଼ା ଆଙ୍ଗୁଠି ଗୋଟିକୁ ବାଦ୍ ଦେଲେ ତାଙ୍କର ଆଉ ସବୁ ଆଙ୍ଗୁଠି ସୁନା ମୁଦି ପିନ୍ଧିବାକୁ ଯୋଗ୍ୟ।
ଝଗୁଡ଼ୁ ଦାସ୍ ଯୁବକଙ୍କ ଆଡ଼ୁ ଆଖି ଫେରେଇ ଆଣି ଚୁପ୍ ବସିଲେ। ତାଙ୍କ ସାମନା ଦୁଇଜଣିଆ ସିଟ୍ଟି ମଧ୍ୟ ସଂରକ୍ଷିତ ଥିଲା। ହେଲପର୍ ଗାମୁଛା ଖଣ୍ଡିକ ଉଠାଇ ଆଣି ସେ ବିଶିଷ୍ଟ ବାବୁଙ୍କୁ କହିଲା, “ସା’ରେ……ବସନ୍ତୁ!”
‘ସା’ରେ’ ଗୋଟେ ସିଟ୍ରେ ବସିଲେ ଏବଂ ପାଖ ଫାଙ୍କା ସିଟ୍ ଉପରେ ବ୍ରିଫ୍କେସଟିକୁ ଥୋଇଲେ। ଠିକ୍ ଏତିକିବେଳେ ଉଠି ଆସିଲା ଝିଅଟିଏ! ଝିଅ ମାନେ, ଏକ୍ବାରେ ଷୋଡ଼ଶୀ ସୁନ୍ଦରୀ!! ଗୋଲାପି ଚୁଡ଼ିଦାର୍-ପଂଜାବୀ ପରିହିତା ସେ ସୁନ୍ଦରୀ କନ୍ୟା ଆସିି ଠିଆ ହେଲା ଝଗୁଡ଼ୁ ଦାସଙ୍କ ସିଟ୍ ପାଖରେ! ଝଗୁଡ଼ୁ ଦାସ୍ କବିଦୃଷ୍ଟିରେ ଟିକେ ଅନେଇଲେ ଝିଅଟିକୁ ଏବଂ ଆତ୍ମବିସ୍ମୃତ ହେଲେ। ତାଙ୍କୁ ମନେ ହେଲା, ଝିଅଟି ବୋଧେ ସୁନ୍ଦରୀ ‘ବାର୍ବିଡଲ୍’ର ସଦ୍ୟତମ ଯୁବା ସଂସ୍କରଣ। କାଚ କଣ୍ଡେଇ ଭଳି ସୁଢ଼ଳ ଅବୟବ। ଦୁଧ-ଅଳତା ରଙ୍ଗର ମୁହଁରେ ରକ୍ତ ଗୋଲାପର ଦୁଇ ସତେଜ୍ ପାଖୁଡ଼ା ଭଳି ହଳେ ହସନ୍ତ ଓଠ। ଟଣାଟଣା ଆଖି। ତା’ ଉପରେ ପେନ୍ସିଲ୍ରେ ଆଙ୍କିଦେଲା ଭଳି ସରୁ ସରୁ ଭ୍ରୁଲତା! ଅନ୍ଧାରିଆ ବିଅର୍ ପାର୍ଲର୍ରେ ବସି ଢ଼ୋକେ ଢ଼ୋକେ ସାମ୍ପେନ୍ର ମଜା ନେଲା ଭଳି ଝଗୁଡ଼ୁ ଦାସ ବସ୍ର ଛାଇ-ଆଲୁଅରେ ଝିଅଟିର ଅପରୂପ ସୌନ୍ଦର୍ଯ୍ୟକୁ ପାନେ ପାନେ କରି ଉପଭୋଗ କରିବାକୁ ଲାଗିଲେ। ପବନର ସୌଜନ୍ୟରୁ ତା’ ପରଫ୍ୟୁମ୍ ଭିଜା ଓଢ଼ଣୀଟା ବେଳେବେଳେ ଝଗୁଡ଼ୁଙ୍କ ମୁହଁ ଉପରେ ଆସି ପିଟି ହେଉଥାଏ। ଓଢ଼ଣୀର କୁତୁକୁତୁରେ ଝଗୁଡ଼ୁ ଶିହରିତ ହେଲେ ଏବଂ ମନେ ମନେ ଭାବିଲେ, ଆହାଃ! ଏ କୃଶକାୟ ବୃଦ୍ଧ ବସିଥିବା ମୋ’ ପାଖ ସିଟଟା ଯଦି ଖାଲି ଥାଆନ୍ତା, ତା’ହେଲେ ବଡ଼ ରୋମାଂଚକର ହେଇଥାନ୍ତା ଆଜିର ବସ୍ ଯାତ୍ରାଟା। ତଥାପି ସେ ଚେଷ୍ଟା କଲେ। “ମଉସା….! ସେପଟକୁ ଆଉ ଟିକିଏ ଘୁଂଚିକି ବସୁନା” କହି ଝଗୁଡ଼ୁ ଲଫାପା ଉପରେ ଡାକମୁଦ୍ରା ଭଳି ବୃଦ୍ଧଙ୍କ ଦେହରେ ନେସି ହୋଇ ବସିଲେ। ପ୍ରାୟ ଚାଖଣ୍ଡେ ଭଳି ଜାଗା ତାଙ୍କ ବାଁ କଡ଼େ ସୃଷ୍ଟି ହେଲା। ଝଗୁଡ଼ୁ ଝିଅଟିକୁ ଆଖିର ଇସାରାରେ କହିଲେ, “ବସନ୍ତୁ……ମ୍ୟାଡ଼େମ୍!”
ମ୍ୟାଡ଼େମ୍ଙ୍କର ଦୃଷ୍ଟି କିନ୍ତୁ ଅଟକି ରହିଥିଲା ସାମନା ଯୁବକଙ୍କ ବ୍ରିଫ୍କେଶ୍ ଅଧିକାର କରିଥିବା ସିଟ୍ ଗୋଟିକ ଉପରେ। ସେ ବୀଣାଜିଣା କଣ୍ଠରେ ଯୁବକଙ୍କୁ କହିଲା, “ବ୍ରିଫ୍କେସ୍ଟା ଟିକିଏ ଉଠେଇଲେ ମୁଁ ବସିଥାନ୍ତି!”
“ଓଃ! ନିଶ୍ଚୟ। ଆସନ୍ତୁ……।” କହି ଯୁବକ ବ୍ରିଫ୍କେସ୍ଟା ଉଠେଇ ଉପରେ ରଖିଲେ। “ଧନ୍ୟବାଦ” କହି ଝିଅଟି ଦଖଲ କଲା ତାଙ୍କ ଡାହାଣକଡ଼ ଝରକା ପାଖ ସିଟ୍ ଖଣ୍ଡିକ।
ଏଭଳି ଗୋଟେ ଦୁର୍ଲଭ ସୁଯୋଗ ହାତଛଡ଼ା ହେଇଯିବା ପରେ ଝଗୁଡ଼ୁ ଦାସଙ୍କ ମୁହଁଟା ସୂର୍ଯ୍ୟାସ୍ତର ସୂର୍ଯ୍ୟମୁଖୀ ଭଳି ଫିକା ପଡ଼ିଗଲା। ଝିଅଟି ବସିଲା ଝଗୁଡ଼ୁ ଦାସଙ୍କ ସାମନା ସିଟ୍ରେ ସେ ହିରୋମାର୍କା ଟୋକାର ଦେହ ସହିତ ଦେହ ଲଗେଇ। ପ୍ରଥମେ ସେମାନଙ୍କ ଭିତରେ କିଛି ସୌଜନ୍ୟ ମୂଳକ ସଂଭାଷଣ, ତା’ପରେ ଅଳ୍ପ ଅଳ୍ପ ସ୍ମିତ ହସର ବିନିମୟ, ତା’ପରେ ଧୀରେ ଧୀରେ ଦୁହେଁ ମଜ୍ଜିଗଲେ ମଧୁର ଆଳାପରେ! ଝଗୁଡ଼ୁ ଦାସ ପଛ ସିଟରେ ବସି ଲାଳାୟିତ ଆଖିରେ ଅନେଇଥାନ୍ତି। ବସ୍ର ଗତି ସହିତ ତାଳ ଦେଇ ସେ’ଦୁହିଙ୍କ ବସିବା ଶୈଳୀ ମଧ୍ୟ କ୍ରମଶଃ ନିବିଡ଼ତର ହେଉଥାଏ। ବସ୍ର ପ୍ରତିଟି ଟର୍ଣ୍ଣିଂ ସେ’ ଯୋଡ଼ିଙ୍କ ପାଇଁ ଗୋଟେ ଗୋଟେ ରୋମାଂଚକର ଅନୁଭୂତି ଭଳି ମନେ ହେଉଥାଏ!
ବସ୍ ଚଉଦ୍ୱାର ବଜାର ପାର ହେବା ବେଳକୁ ଯୁବତୀର କୋମଳ ତନୁଲତା ଉପରେ ଯୁବକଟି ପିଜୁଳି ଗଛରେ ପୋଇଲତା ମାଡ଼ିଗଲା ଭଳି ଲଟେଇ ବସିିଥାଏ। କବି ଝଗୁଡ଼ୁ ଦାସଙ୍କ ଆଖିରେ ସେ ଦୃଶ୍ୟ ଥିଲା ନିହାତି ଅଭଦ୍ରୋଚିତ ଓ ଅବାଂଛିତ। କିନ୍ତୁ ଝିଅଟି ବୋଧେ ତାହା ହିଁ ବାଂଛା କରୁଥିଲା ଯୁବକ ପାଖରୁ, କାରଣ ସେ ଥିଲା ପ୍ରତିକ୍ରିୟା ଶୂନ୍ୟ! ବରଂ ସେ ଅଧିକ ମାତ୍ରାରେ ଲାଗି ଆସୁଥାଏ ଯୁବକ ଆଡ଼କୁ। ବେଳେବେଳେ ସିଏ ବି ଢ଼ଳି ପଡ଼ୁଥାଏ ଯୁବକ ଉପରେ । ମଝିରେ ମଝିରେ ଦୁହେଁ ମୋବାଇଲ ନେଟ୍ରେ ରୋମାଂଚକର ଦୃଶ୍ୟମାନ ଦେଖି ଉଲ୍ଲସିତ ହେଉଥାନ୍ତି। ଭବିଷ୍ୟତରେ ଯୋଗାଯୋଗ ପାଇଁ ପରସ୍ପରର ମୋବାଇଲ୍ ନମ୍ବର ସେଭ୍ କରି ରଖିଥାନ୍ତି। ଏମିତି କିଛି ବାଟ ଚାଲିଲା।
କ୍ରମଶଃ ବାଟ ପାସେଞ୍ଜରମାନଙ୍କ ଭିଡ଼ ଭାଙ୍ଗିଲା ଏବଂ ଗାଡ଼ି ଟିକେ ଫାଙ୍କା ହେଲା। ଗତିଶୀଳ ବସର ଝର୍କା ଫାଙ୍କରେ କନକନିଆ ହେମାଳ ପବନ ପିଟି ହେଉଥାଏ ଆସି ଦେହରେ…… ମୁହଁରେ! ସେପ୍ଟମ୍ବରର ଶୀତୁଆ ସଞ୍ଜ ସର୍ବାଙ୍ଗରେ ବୋଳି ଦେଉଥାଏ ତା’ ଶୀତଳ ହାତର ପ୍ରଲେପ। କବି ଝଗୁଡ଼ୁଙ୍କ ଉଦାସ ମନ ଖୋଜୁଥାଏ ଟିକିଏ ଅନ୍ତରଙ୍ଗ ଉଷ୍ମତା! ବିଚରା ଆଗ ସିଟ୍କୁ ଅନେଇ କେବଳ ଦୀର୍ଘଶ୍ୱାସ ଛାଡୁଥାନ୍ତି। ଶୀତ ରାତି ସାରା ପୋଖରୀର ହେମାଳ ପାଣି ଭିତରେ ଆକଣ୍ଠ ବୁଡ଼ି ରହି ଦୂରନ୍ତ ଗୋଟେ ଦୀପଶିଖାକୁ ଅନେଇ ଉଷୁମ୍ ଅନୁଭବ କରୁଥିବା ଲୋକଟେ ଭଳି ଉଲ୍ଲସିତ ହେଉଥାନ୍ତି।
ଏଣେ ବସ୍ ଭିତରର ଅର୍ଦ୍ଧାଧିକ ଯାତ୍ରୀ ଘାଲେଇ ପଡ଼ିଥାନ୍ତି କ୍ଳାନ୍ତିରେ। କିଛି ଯାତ୍ରୀ ନିଶବ୍ଦରେ ଉଡ଼ିବୁଲୁଥାନ୍ତି ନିଜ ନିଜ ଚିନ୍ତା ଜଗତର।
“ଢେଙ୍କାନାଳ ବାଇପାସ୍……ଢେଙ୍କାନାଳ ବାଇପାସ୍……” ହେଲପର୍ ଟୋକାର ଚିତ୍କାର ସଜାଗ କରିଦେଲା ସମସ୍ତ ଯାତ୍ରୀଙ୍କୁ। ଝିଅଟି ମଧ୍ୟ ପ୍ରକୃତିସ୍ଥ ହେଲା। ଯୁବକର ବେଲ୍ଟଭିଡ଼ା କମରକୁ ଏଯାବତ୍ ଗୁଡ଼େଇ ଧରିଥିବା ତା’ହାତଟିକୁ ସନ୍ତର୍ପଣରେ ଖସେଇ ଆଣିଲା। ଯୁବକ ମଧ୍ୟ ଅନିଚ୍ଛା ସତ୍ୱେ ଟିକିଏ ଘୁଂଚି ବସିଲେ। ଝିଅଟା ଓହ୍ଲେଇବାକୁ ପ୍ରସ୍ତୁତ ହେଲା। ଓହ୍ଲେଇବା ଆଗରୁୁ ଆଞ୍ଜୁଳାଏ ସଜ ଫୁଲ ଭଳି ଝଲକାଏ ମନ ଚହଲା ହସ ବିଂଚିଦେଲା ଯୁବକ ଉପରେ। ତା’ପରେ ସେ ଓହ୍ଲେଇଲା ଏବଂ ହାତ ହଲେଇ ଟା’ ଟା’ କରୁକରୁ ବାଇପାସ୍ ଛକର ଅନ୍ଧାରରେ ହଜିଗଲା। ଝଗୁଡ଼ୁ ଦାସ୍ ସବୁ ଦେଖିଲେ ନିର୍ବିକାର ମନରେ।
ବସ୍ ପୁନର୍ବାର ଆଗକୁ ଗଡ଼ିଲା। ପାଂଚ ମିନିଟ୍ ପରେ ପହଂଚିଗଲା ଢ଼େଙ୍କାନାଳ ବସ୍ଷ୍ଟାଣ୍ଡରେ। ବସ୍ ସେଠି ଅନ୍ତତଃ ଦଶ ମିନିଟ୍ ରହେ ଯାତ୍ରୀମାନଙ୍କ ଚାହାପାଣି ପାଇଁ । ରାତି ନଅଟା ବାଜିବ। ଝଗୁଡ଼ୁ ଦାସ ଭାବିଲେ, ଚାହା ଟିକିଏ ପିଇ ଉଦାସ ମନକୁ ଟିକିଏ ସତେଜ କରାଯାଇ ପାରେ। ସେ ସିଟରୁ ଉଠିଲେ। ସଦ୍ୟ ବାନ୍ଧବୀକୁ ହରେଇ ଉଦାସ ମନରେ ବସିଥିବା ଯୁବକ ମଧ୍ୟ ନିଜ ସିଟ୍ରୁ ଉଠିଲେ। କିନ୍ତୁ ଉଠିବା ମାତ୍ରେ ସେ କିଛି ଗୋଟେ ଖୋଜିଲେ। ନିଜର ସାମନା ପକେଟ୍ ଏବଂ ପେଂଟର ବିଭିନ୍ନ ପକେଟ ଉଣ୍ଡାଳି ସେ ବ୍ୟସ୍ତ ବିବ୍ରତ ଭାବେ ଖୋଜିବାରେ ଲାଗିଲେ।
ଝଗୁଡ଼ୁ ଦାସ୍ ଭାରି ସରଳ ଓ ନଷ୍କପଟ ଲୋକ। ସେ ଯୁବକଙ୍କୁ ପଚାରିଲେ, “ପକେଟରୁ କିଛି ପଡ଼ିଗଲା କି ସା’ରେ?”
ଯୁବକ ସିଟ୍ ତଳେ ହାମ୍ବୁଡ଼େଇ ପଡ଼ି ଖୋଜୁ ଖୋଜୁ କୁଣ୍ଠିତ କଣ୍ଠରେ କହିଲେ, “ମୋ’ପର୍ସ୍ଟା ଦିଶୁନି!”
“ଦେଖନ୍ତୁ ଭଲରୂପେ। ପଡ଼ିଥିବ ତଳେ।” ଝଗୁଡ଼ୁ କହିଲେ।
“ନା, ବୋଧେ ଗାଏବ ହେଇଗଲା।” ଯୁବକ ଖୋଜିବା ଅବ୍ୟାହତ ରଖି କହିଲେ।
ଦୁଇଜଣ ସହଯାତ୍ରୀ ଉଠିଆସି ପଚାରିଲେ, “ମାନେ…ପକେଟମାର୍!” କେତେ ଟଙ୍କା ଥିଲା ପର୍ସରେ?”
ଯୁବକ ବିକଳ ସ୍ୱରରେ କହିଲେ, “ଚାଳିଶ୍ ହଜାର ଆଜ୍ଞା! ଆଜି ହିଁ ବାଦାମବାଡ଼ି ଏ.ଟି.ଏମ୍. ରୁ ଉଠେଇଥିଲି। ନୂଆ ଦୁଇ ହଜାରିଆ କୋଡ଼ିଏଟା! ତା’ ସାଙ୍ଗରେ କିଛି ଖୁଚୁରା ନୋଟ୍ ବି ଥିଲା।”
ଝଗୁଡ଼ୁ ଦାସ୍ ପଚାରିଲେ, “ବାହାରେ କେଉଁଠି ପକେଟମାର୍ ହେଇନି ତ?”
“ନା! ଢେଙ୍କାନାଳ ପାଇପାସ୍ ପୂର୍ବରୁ ମୁଁ ପର୍ସରୁ ଟିକଟ ବାହାର କରି କଣ୍ଡକ୍ଟରଙ୍କୁ ଦେଖେଇଥିଲି!”
କଣ୍ଡକ୍ଟର ସମେତ ଯାତ୍ରୀମାନେ ପରସ୍ପରକୁ ଅନେଇଲେ କୌତୁହଳୀ ଆଖିରେ! ଯୁବକ କିନ୍ତୁ ବାରଂବାର କୌଣସି ଗୋଟେ ନମ୍ବରରେ ଫୋନ୍ ଲଗାଇ ହତାଶ ଦିଶୁଥିଲେ, କାରଣ ଅପରପଟୁ ଘୋଷଣା ଶୁଭୁଥିଲା, “ଆପଣ ଗୋଟିଏ ଭୁଲ ନମ୍ବରକୁ ଲଗାଇଛନ୍ତି। …..ଏହି ନମ୍ବର କାହାରିକୁ ଦିଆଯାଇନାହିଁ!”
ଗଳ୍ପଟି ବହୁତ ଭଲଲାଗିଲା। ଜୟ ଜଗନ୍ନାଥ।