ମନୋଜୀୟ ଦୃଷ୍ଟି ଓ ଦର୍ଶନ

ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର

ବିଶ୍ୱ ସାରସ୍ୱତ ଐତିହ୍ୟରେ ପଦ୍ମଭୂଷଣ ମନୋଜ ଦାସ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ସେ ଏକାଧାରରେ ଜଣେ କବି, କଳାକାର, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ଅନୁବାଦକ, ସ୍ତମ୍ଭକାର, ସଂପାଦକ ଓ ଦାର୍ଶନିକ। ସାହିତ୍ୟର ସକଳ ବିଭାଗରେ ସେ ଲେଖନୀ ଚାଳନା କରି ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି। ପ୍ରଥମରୁ ମାର୍କସବାଦ ଚେତନାରେ ଅନୁପ୍ରାଣିତ ହୋଇଥିବା ମନୋଜ ଦାସ ଯୁବାବସ୍ଥାରେ ଜୀବନକୁ ପ୍ରେମର ସ୍ୱରୂପ ବିବେଚନା କରି ଅମୃତ ସନ୍ଧାନୀ ପାଲଟି ଯାଇଛନ୍ତି ଏବଂ ପରିଣତ ଜୀବନରେ ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗରେ ଅବଗାହନ ପୂର୍ବକ ସଜ୍ଞାନରେ ବ୍ରହ୍ମଚେତନା ଲାଭ ସହିତ ଅତିମାନସର ପୂର୍ଣ୍ଣତ୍ୱ ପ୍ରାପ୍ତ ହୋଇଛନ୍ତି। ସ୍ୱକୀୟ ଦୃଷ୍ଟି ଓ ଦର୍ଶନରେ ସେ ଆତ୍ମଜ୍ଞାନର ବ୍ୟାପକ ତତ୍ତ୍ୱକୁ ସ୍ୱରଚିତ ସାହିତ୍ୟରେ ସରଳ, ତରଳ, ଭାବସ୍ପର୍ଶୀ ଧାରାରେ ପରିବେଷଣ କରି ମାନବ ଜାତିର ସ୍ମରଣୀୟ ହୋଇଯାଇଛନ୍ତି।

ମନୋଜ ଦାସଙ୍କ ସାରସ୍ୱତ ସାଧନାର ଅୟମାରମ୍ଭ ଘଟିଥିଲା ପ୍ରଥମ ଗଳ୍ପ ‘ସମୁଦ୍ରର କ୍ଷୁଧା’ରୁ। କିଶୋର ମନୋଜ ଦାସଙ୍କର ଦୃଷ୍ଟି ଓ ଦର୍ଶନକୁ ସଠିକ୍ ଠଉରାଇ ନପାରି ବାଲେଶ୍ୱର ମୋତିଗଞ୍ଜସ୍ଥିତ ‘ନିଉ ଉତ୍କଳ ପ୍ରେସ୍‌’ର ମାଲିକ ତାଙ୍କୁ କମ୍ୟୁନିଷ୍ଟ ଚିନ୍ତାଧାରୀ ଅଭିହିତ କରି ପ୍ରକାଶନ କଲେ ନାହିଁ। ପରବର୍ତ୍ତୀ କାଳରେ ଏହା ପ୍ରକାଶିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲା। ସେହି କିଶୋରାବସ୍ଥାରୁ ସେ ଗଣସଙ୍ଗୀତର ଗୀତିକାର, ଗାୟକ, ବଂଶୀ ଓ ହାରମୋନିୟମ୍ ବାଦକ ଓ କବି ଭାବରେ ସୁନାମ ଅର୍ଜନ କରିଥିଲେ। ବାଲେଶ୍ୱର ଜିଲ୍ଲା ସ୍କୁଲର ଛାତ୍ର ଥିବାବେଳେ ତାଙ୍କ ରଚିତ ପ୍ରଥମ କବିତା ସଂକଳନ ‘ଶତାବ୍ଦୀର ଆର୍ତ୍ତନାଦ’ ଓ ଦ୍ୱିତୀୟ କବିତା ସଂକଳନ ‘ବିପ୍ଳବୀ ଫକୀର ମୋହନ’ ପାଠକ ମହଲରେ ଆଲୋଡନ ସୃଷ୍ଟି କରିଥିଲା। କେହି କେହି ତାଙ୍କ କିଶୋରବସ୍ଥାର ସୃଷ୍ଟିକୁ ମାର୍କସୀୟ କହିଥିଲେ ହେଁ ପ୍ରକୃତରେ ଏଗୁଡ଼ିକ ଥିଲା ମାନବୀୟ ଦୁଃଖର ଅନ୍ତରାତ୍ମାର ସ୍ୱର। ସାରସ୍ୱତ ପ୍ରତିଭାର କାଉଁରୀ ସ୍ପର୍ଶରେ ସେ ‘ପଦଧ୍ୱନି’, ‘ନନ୍ଦାବଦୀର ମାଝି’, ‘ଉପନିବେଶ’, ‘ତୁମ ଗାଁ ଓ ଅନ୍ୟାନ୍ୟ କବିତା’, ‘କବିତା ଉତ୍କଳ’ ପ୍ରଭୃତି କବିତାଗ୍ରନ୍ଥ ରଚନା କରିଛନ୍ତି। ପ୍ରତ୍ୟେକ କବିତାରୁ ତାଙ୍କ ଐଶ୍ୱର୍ଯ୍ୟମୟ ପ୍ରଜ୍ଞା, ଅଲୌକିକ କବି ପ୍ରତିଭା ତଥା ସାମାଜିକ ଚେତନାର ଉତ୍ତରଣର ସନ୍ଦେଶ ମିଳିଥାଏ।

କବିତା ସହିତ ସେ ଗଳ୍ପ ରଚନାରେ ମନୋନିବେଶ କରିଥିଲେ। ତାଙ୍କ ରଚିତ ଗଳ୍ପ ‘ଶେଷ ବସନ୍ତର ଚିଠି’, ‘କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଉପକଥା ଶତକ’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ’, ‘ଅବଲୋକରା କାହାଣୀ’, ‘ଅରଣ୍ୟ ଉଲ୍ଲାସ’ ‘ମନୋଜ ପଞ୍ଚବିଂଶତି’, ‘ସମୁଦ୍ର କୂଳର ଏକ ଗ୍ରାମ’ ପ୍ରଭୃତି ଏବଂ ଇଂରାଜୀ ଭାଷାରେ ଲିଖିତ ଗଳ୍ପ ‘ଦ କ୍ରୋକୋଡାଇଲ୍ସ ଲେଡି’, ‘ଏ କଲେକ୍‌ସନ୍ ଅଫ୍ ଷ୍ଟୋରିଜ୍‌’ ‘ଦ ସବ୍‌ମର୍ଜଡ଼ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ୍‌’, ‘ଫେୟାରୱେଲ୍ ଟୁ ଏ ପୋଷ୍ଟ’, ‘ସର୍ଟ ଷ୍ଟୋରିଜ୍ ଆଣ୍ଡ ନଭେଲ୍‌ଟି’, ‘ଲିଜେଣ୍ଡ ଅଫ୍ ଦ ଗୋଲ୍ଡେନ୍ ଭାଲି’ ପ୍ରଭୃତିରେ ସେ ଯେଉଁଭଳି ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ଅର୍ଜନ କରିଛନ୍ତି ତାହା ଅବର୍ଣ୍ଣନୀୟ। ଗଳ୍ପ ରଚନାର ଶୈଳୀ, ଘଟଣାର ବର୍ଣ୍ଣନା, ପରିବେଷଣର ପରିଚ୍ଛନ୍ନତା, ମାନବଧର୍ମୀ ଚେତନା ଓ ସମ୍ବେଦନଶୀଳତା ଅତୀବ ହୃଦୟସ୍ପର୍ଶୀ। ପ୍ରତ୍ୟେକଟି ଗଳ୍ପରେ ସମାଜର ନିଚ୍ଛକ ଚିତ୍ର ଚିତ୍ରିତ ହେବା ସହିତ ସାମାଜିକ ଚେତନାର ଉତ୍ତରଣ ନିମିତ୍ତ ସଫଳ ପ୍ରୟାସ କରିଛନ୍ତି ମନୋଜ ଦାସ। ଯୁଗୋପଯୋଗୀ ଚରିତ୍ର ଚିତ୍ରଣ ହିଁ ଗଳ୍ପଗୁଡ଼ିକୁ ଆକର୍ଷଣୀୟ କରିପାରିଛି। ସେଥିନିମିତ୍ତ ତାଙ୍କୁ ବିଷ୍ଣୁଶର୍ମା, ସୋମଦେବ, ଫକୀର ମୋହନଙ୍କ ସୁଯୋଗ୍ୟ ଦାୟାଦ ବୋଲି କୁହାଯାଏ। ତାଙ୍କ ରଚିତ ଗଳ୍ପ ଗୁଡ଼ିକର ତୀର୍ଯ୍ୟକ୍ ବ୍ୟଙ୍ଗ ଓ ବ୍ୟଞ୍ଜନା ଅନ୍ୟ କଥାକାରଙ୍କଠାରୁ ନିଆରା। ତାଙ୍କ ଗଳ୍ପ ସମୂହର ଭାବଜଗତ, ସମୃଦ୍ଧ କଥାବସ୍ତୁ, ସୃଜନଶୀଳତା ଶିଳ୍ପ ପ୍ରକରଣ, ଭାବ ଓ ଦର୍ଶନର ବିକାଶ ଓ ସମାଜବାଦୀ ଚିନ୍ତାଧାରାରୁ ତାଙ୍କୁ ପ୍ରଚଳିତ ସମୟର ସର୍ବଶ୍ରେଷ୍ଠ ଶକ୍ତିଶାଳୀ କଥାଶିଳ୍ପୀ ଭାବରେ ପ୍ରତିଷ୍ଠିତ କରିପାରିଥିଲା।

କିଛିଦିନ ଗଳ୍ପ ରଚନାକରି ଅଭୂତପୂର୍ବ ପାଠକୀୟ ଶ୍ରଦ୍ଧା ଲାଭ କଲାପରେ ମନୋଜ ଦାସ ଉପନ୍ୟାସ ରଚନା ଆରମ୍ଭ କରିଥିଲେ। ସେ ନବରବିରେ ଲେଖିଥିବା ଉପନ୍ୟାସିକା ‘ଆବୁପୁରୁଷ’ ପାଠକ ମହଲରେ ଚହଳ ପକାଇ ଦେଇଥିଲା। ଏହି ଘଟଣାପରେ ସେ ଉପନ୍ୟାସ ରଚନା କରିଥିଲେ। ସେ ରଚନା କରିଥିବା ଓଡ଼ିଆ ଉପନ୍ୟାସଗୁଡ଼ିକ ହେଉଛି ‘ପ୍ରଭଞ୍ଜନ’, ‘ଗୋଧୂଳିର ବାଘ’, ‘କନକ ଉପତ୍ୟକାର କାହାଣୀ’, ‘ଅମୃତ ଫଳ’ ଓ ‘ଶେଷ ତାନ୍ତ୍ରିକର ସନ୍ଧାନରେ’ ତଥା ଇଂରାଜୀ ଉପନ୍ୟାସ ଗୁଡ଼ିକ ହେଉଚି ‘ଦ ଏସ୍କେପିଷ୍ଟ’, ‘ଏ ଟାଇଗର ଆଟ୍ ଟ୍ୱିଲାଇଟ୍‌’, ‘ସାଇକ୍ଳୋନସ୍’ ପ୍ରଭୃତି। ସରସ୍ୱତୀ ସମ୍ମାନ ଲାଭ କରିଥିବା ତାଙ୍କ ରଚିତ ଉପନ୍ୟାସ ‘ଅମୃତ ଫଳ’ ଏକ କ୍ଷୁଦ୍ର ଗଳ୍ପ ଉପରେ ଆଧାରିତ ହେଲେ ହେଁ ଏହାକୁ ହୃଦୟସ୍ପର୍ଶୀ ଉପନ୍ୟାସର ରୂପ ଦେଇ ସାଫଲ୍ୟ ଅର୍ଜନ କରିଛନ୍ତି। ଏହି ଉପନ୍ୟାସରେ ପରିବେଷିତ ଦୃଷ୍ଟି ଓ ଦର୍ଶନ ଏହାକୁ ସୁପ୍ରତିଷ୍ଠିତ ମହାଗଦ୍ୟରେ ପରିଣତ କରିପାରିଛି, ଯହିଁରୁ ମନୋଜୀୟ ସାରସ୍ୱତ କଳାକୌଶଳ ସୁସ୍ପଷ୍ଟ। ତାଙ୍କର ପ୍ରତ୍ୟେକଟି ଉପନ୍ୟାସର ଶୈଳୀ ଓ ତତ୍ତ୍ୱ ଭିନ୍ନ ଭିନ୍ନ ତଥା ମନ୍ତସ୍ତାତ୍ତ୍ୱିକ ବିଶ୍ଳେଷଣ ନିଆରା। ଓଡ଼ିଆ ସାହିତ୍ୟକୁ କେବଳ ନୁହେଁ, ଭାରତୀୟ ସାହିତ୍ୟକୁ ନବ ଚେତନାରେ ରସାଣିତ ଓ ଆତ୍ମିକ ସୁନନ୍ଦ ଭାବରେ ବାଖ୍ୟା କରିବାରେ ସେ ଥିଲେ ଅନନ୍ୟ। ‘ଅମୃତ ଫଳ’ରେ ତାଙ୍କ ରୁଢିମୁକ୍ତ ଆତ୍ମ ସଚେତନା, ‘ପ୍ରଭଞ୍ଜନ’ରେ ମାନବୀୟ ଦର୍ଶନର ନୈତିକ ପକ୍ଷ, ‘ଚନ୍ଦ୍ରାଲୋକର ପ୍ରହରୀ’ରେ ନୀତିଚ୍ୟୁତିର ଅନ୍ତର୍ଦାହ ପରିଦୃଷ୍ଟ। ତାଙ୍କ ଗଳ୍ପ ଓ ଉପନ୍ୟାସରେ ଜଣେ ପାଠକ ଆଧୁନିକ ମଣିଷର ମୂଲ୍ୟବୋଧର ସଙ୍କଟକୁ ହୃଦୟଙ୍ଗମ କରିପାରେ, ସାମଗ୍ରିକ ଅସହାୟତାକୁ ଅନୁଭବ କରିପାରେ, ସ୍ୱାର୍ଥସର୍ବସ୍ୱ ମଣିଷକୁ ଚିହ୍ନିପାରେ ଓ ମାନବିକତାର ଦିଗଦିଗନ୍ତ ଉନ୍ମୋଚନ କରିପାରେ। ମନୋଜ ଦାସ କେବଳ ବୟସ୍କଙ୍କ ନିମିତ୍ତ ଲେଖିନାହାନ୍ତି, ସେ ଶିଶୁମାନଙ୍କ ପାଇଁ ଅଜସ୍ର ଲେଖା ଲେଖିଛନ୍ତି, ଯାହା ସ୍ୱତନ୍ତ୍ର ଆଲୋଚନା ସାପେକ୍ଷ।

ମନୋଜ ଦାସଙ୍କ ଭ୍ରମଣ କାହାଣୀ ଗୁଡ଼ିକ ତଥ୍ୟ ଭିତ୍ତିକ, ତତ୍ତ୍ୱାଶ୍ରୟୀ, ଅନୁସନ୍ଧାନ ମୂଳକ ଓ ରୁଚିକର। ନବରବିରେ ପ୍ରଥମେ ପ୍ରକାଶ ପାଇଲା ତାଙ୍କ ଭ୍ରମଣକାହାଣୀ ‘ଦୂରଦୂରାନ୍ତର’ ଏହି ଭ୍ରମଣକାହାଣୀର ବର୍ଣ୍ଣନାଶୈଳୀ, ଅଜଣା କଥା, ରୋଚକ ତଥ୍ୟ ଅନେକ ପାଠକଙ୍କୁ ମୁ୍‌ଗ୍ଧ କରିଥିଲା। ଏହା ପରେ ସେ ‘କେତେଦିଗନ୍ତ’, ‘ଅନ୍ତରଙ୍ଗ ଭାରତ’ ଓ ‘ଅଦୂର ବିଦେଶ’ ପ୍ରଭୃତି ରଚନା କରିଥିଲେ। ଏତଦ୍‌ଭିନ୍ନ ସେ ଭାରତୀୟ ସଭ୍ୟତା, ସଂସ୍କୃତି ଓ ଐତିହ୍ୟ ଆଧାରିତ ଗ୍ରନ୍ଥ ‘ଭାରତର ଆତିଥ୍ୟ’, ‘ଶତେକ ପ୍ରଶ୍ନର ଉତ୍ତର’, ‘ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ଜିଜ୍ଞାସା’, ‘ଜୀବନ ଜିଜ୍ଞାସା’, ‘ପ୍ରଜ୍ଞା ପ୍ରଦୀପିକା’, ‘ଅରଣ୍ୟ ଉଲ୍ଲାସ’ ଓ ‘ସ୍ମରଣିକା ସ୍ତାବକ’ ତଥା ‘ମହାଯୋଗୀ ଶ୍ରୀଅରବିନ୍ଦ’ ପ୍ରଭୃତି ରଚନା କରିଥିଲେ। ଏହିସବୁ ରଚନାରେ ବେଦ, ଉପନିଷଦ, ପୁରାଣ, ଦର୍ଶନ, ବୌଦ୍ଧଜାତକ, ଲୋକବିଦ୍ୟା, ଲୋକସଂସ୍କୃତି ଓ କିମ୍ବଦନ୍ତୀର ସମନ୍ୱୟ ଘଟିଛି।

ମନୋଜ ଦାସ ଜଣେ ନିଷ୍ଠାପର ସୃଜନଶୀଳ ସଂପାଦକ। ୧୯୫୯ରେ କଟକରୁ ପ୍ରକାଶିତ ‘ଦିଗନ୍ତ’ ପତ୍ରିକାର ସେ ସଂପାଦକ ଥିଲେ। ସଂପାଦକ ମନୋଜ ଦାସଙ୍କ ବୟସ ମାତ୍ର ପଚିଶି, ଅଥଚ ଦିଗନ୍ତରେ ଓଡ଼ିଶାର ନାମୀ ଦାମୀ ବୟସ୍କ ଲେଖକ ଯଥା- ଗୋପୀନାଥ ମହାନ୍ତି, ମାୟାଧର ମାନସିଂହ, କାଳନ୍ଦୀଚରଣ ପାଣିଗ୍ରାହୀ, ନାରାୟଣ ବୀରବର ସାମନ୍ତ, ଅନନ୍ତ ପଟ୍ଟନାୟକ, ଗୋଦାବରୀଶ ମହାପାତ୍ର, ଗୌରୀକୁମାର ବ୍ରହ୍ମା ପ୍ରଭୃତିଙ୍କ ଲେଖା ପ୍ରକାଶିତ ହେଉଥିଲା। ସାହିତ୍ୟର ଗୁଣଗତ ପରିବର୍ତ୍ତନ ନିମିତ୍ତ ସେ ଜଣେ ଯୁବ ସଂପାଦକ ଭାବରେ ପ୍ରୟାସ କରିଥିଲେ। ଏହାପରେ ସେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଭ୍ରମଣକାହାଣୀ ଓ ସ୍ତମ୍ଭ ଲେଖିବାରେ ମନୋନିବେଶ କରିଥିଲେ। ପଣ୍ଡିଚେରୀ ଯିବାପରେ ୧୯୮୫ ଜାନୁଆରୀରେ ମନୋଜ ଦାସଙ୍କ ସଂପାଦନାରେ ପ୍ରକାଶ ପାଇଲା ‘ଦି ହେରିଟେଜ୍‌’, ମାନ୍ଦ୍ରାଜରୁ ପ୍ରକାଶ ପାଉଥିବା ଏହି ପତ୍ରିକାର ପ୍ରଥମ ସଂଖ୍ୟା ଦୁଇ ଦିନରେ କୋଡିଏ ହଜାର ବିକ୍ରୀ ହୋଇଥିଲା। ସ୍ୱଳ୍ପକାଳ ମଧ୍ୟରେ ଏହି ପତ୍ରିକା କେବଳ ଭାରତ ନୁହେଁ, ଦକ୍ଷିଣ ପୂର୍ବ ଏସିଆ, ଋଷିଆ, ଇଂଲଣ୍ଡ, ଆମେରିକାରେ ମଧ୍ୟ ଅଜସ୍ର ପାଠକଙ୍କର ପ୍ରିୟ ହୋଇଥିଲା। କେବଳ ସେତିକି ନୁହେଁ, ତାଙ୍କ ସଂପାଦନାରେ ଚାନ୍ଦମାମାର ଇଂରାଜୀ ସଂସ୍କରଣ ମଧ୍ୟ ଏକ ଲକ୍ଷ ପ୍ରକାଶିତ ହେଉଥିଲା। ମନୋଜ ଦାସ ଚାନ୍ଦମାମା ପ୍ରତିକାରେ ବିରାଟ ପରିବର୍ତ୍ତନ ଆଣିଥିଲେ ଏବଂ ପ୍ରାୟ ନବେ ଭାଗ ବିଷୟବସ୍ତୁ ନିଜେ ଲେଖିବା ସହିତ ସଂପାଦନା କରୁଥିଲେ। ସତୁରି ଦଶକରେ ଏକ ଇଂରାଜୀ ପତ୍ରିକା ଏତେ ସଂଖ୍ୟାରେ ବିକ୍ରୀ ହେବା ବିରଳ ଘଟଣାଥିଲା। ଏହା ସମ୍ଭବ ହୋଇଥିଲା ମନୋଜ ଦାସଙ୍କ ଯାଦୁକାରୀ ସ୍ପର୍ଶରେ।

ମନୋଜ ଦାସଙ୍କ ବିପୁଳ ସାହିତ୍ୟରୁ ତାଙ୍କ ଦୃଷ୍ଟି ଓ ଦର୍ଶନର ପରିଚୟ ମିଳିଥାଏ। ଜଗତ ଓ ମନୁଷ୍ୟର ଅନ୍ତରାଳରେ ଥିବା ନିଚ୍ଛକ ସତ୍ୟଟିକୁ ସେ ସ୍ୱରଚିତ ସାହିତ୍ୟରେ ତନ୍ନ ତନ୍ନ ଅନୁଶୀଳନ କରିଛନ୍ତି। କିଶୋର ବୟସରେ ‘ମଣିଷ କାହିଁକି ଦୁଃଖ ପାଏ’ ର ଅନୁସନ୍ଧାନ କରୁ କରୁ ସେ ମାକ୍‌ର୍ସବାଦୀ ଦଳ ସହିତ ସଂଯୁକ୍ତ ହୋଇଗଲେ। ସେହି ସମୟରେ ତାଙ୍କ ରଚିତ ସାହିତ୍ୟ ମାର୍କସ୍‌ବାଦୀ ଶ୍ରେଣୀ ସଂଘର୍ଷର ସ୍ୱରରେ ଅନୁରଣିତ ହୋଇଥିଲେ ହେଁ ମାନବବାଦର ଆଦର୍ଶରେ ଉତ୍ତରିତ ହୋଇଥିଲା। ମାର୍କ୍‌ସବାଦର ମୋହର ତାଙ୍କ ଠାରେ ବାଜିଥିବାରୁ ସେ ରେଭେନ୍‌ସା କଲେଜ ଓ ଖ୍ରୀଷ୍ଟ କଲେଜ ବି.ଏ. ଅଧ୍ୟୟନ କରିବାରୁ ବଂଚିତ ହୋଇ ପୁରୀରେ ଅଧ୍ୟୟନ କଲେ। ଛାତ୍ରାବସ୍ଥାରେ ସେ କମ୍ୟୁନିଷ୍ଟ ଛାତ୍ର ସଂସଦର ସାଧାରଣ ସଂପାଦକ ହୋଇଥିଲେ। ଷଢେଇକଳା ଓ ଖରସୁଆଁକୁ ଓଡ଼ିଶାରେ ମିଶାଇବା ନିମିତ୍ତ ହୋଇଥିବା ଛାତ୍ର ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରି ପୋଲିସ ଲାଠି ଓ ଗୁଳିର ସାମ୍‌ନା କରିବା ସହିତ ଗିରଫ ହୋଇ ଜେଲ୍ ଯାଇଥିଲେ। ପରେ ସେ ରେଭେନ୍‌ସା କଲେଜରେ ସ୍ନାତକୋତ୍ତର ଇଂରାଜୀ ଶିକ୍ଷା ଶେଷ କରି ଖ୍ରୀଷ୍ଟ କଲେଜରେ ଇଂରାଜୀ ଅଧ୍ୟାପକ ଭାବରେ ଚାକିରି କରିଥିଲେ। ୧୯୫୯ ମସିହାରେ ବିଶିଷ୍ଟ କଂଗ୍ରେସନେତା ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳୀ ଜେମାଙ୍କ ସୁକନ୍ୟା ପ୍ରତିଜ୍ଞାଙ୍କୁ ବିବାହ କଲାପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। ପ୍ରତିଜ୍ଞା ଦେବୀ ଥିଲେ ମନୋବିଜ୍ଞାନର ଅଧ୍ୟାପିକା।

ଘଟଣାକ୍ରମେ ୧୯୬୩ ମସିହାରେ ମନୋଜ ଦାସ ସସ୍ତ୍ରୀକ ପଣ୍ଡିଚେରୀ ଗଲେ। ସେଠାରେ ଶ୍ରୀଅରବିନ୍ଦ ଆଶ୍ରମ ଓ ଶ୍ରୀମାଙ୍କୁ ଦର୍ଶନ କଲାପରେ ସେ ଅଭିଭୂତ ହୋଇଯାଇଥିଲେ। ସେଠାରେ ନିବାସ କରିବା ନିମିତ୍ତ ସେ ଶ୍ରୀମାଙ୍କ ଆଦେଶ ପ୍ରାପ୍ତି ପରେ ଚାକିରିରୁ ଇସ୍ତଫା ଦେଇ ପଣ୍ଡିଚେରୀ ଚାଲିଗଲେ। କିଛିଦିନ ଶ୍ରୀଅରବିନ୍ଦ ଆଶ୍ରମରେ ନିବାସ ପରେ ସେ ବୁଝିପାରିଥିଲେ କୌଣସି ବାହ୍ୟ ପଦ୍ଧତି ଦ୍ୱାରା ମଣିଷର ଦୁଃଖ ଦୂର ହେବନାହିଁ। ଏହି ପ୍ରଶ୍ନ ହିଁ ତାଙ୍କୁ କିଶୋର ବୟସରୁ ବ୍ୟଥିତ କରିଥିଲା। ସେ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଇଂରାଜୀ ଅଧ୍ୟାପକ ଭାବରେ ଯୋଗଦେଲେ ତଥା ବ୍ୟାପକ ଧର୍ମଶାସ୍ତ୍ର ଅଧ୍ୟୟନ କଲେ। ମନୋଜ ବାବୁ ମାର୍କ୍ସବାଦୀ ଦୃଷ୍ଟିରେ ହିଁ ଶ୍ରୀଅରବିନ୍ଦଙ୍କ ଅବଧାରଣାକୁ ନିଜ ସାହିତ୍ୟରେ ରୂପ ଦେଲେ। ଶ୍ରୀ ଅରବିନ୍ଦ ଦର୍ଶନ ତାଙ୍କ ଦୃଷ୍ଟି ଓ ଦର୍ଶନକୁ ବ୍ୟାପକ କଲା। ଦୁଃଖର ରହସ୍ୟ ଅନୁସନ୍ଧାନ ନିମିତ୍ତ ସେ ଅନେକ ଶାସ୍ତ୍ର ଅଧ୍ୟୟନ କଲେ। ଶ୍ରୀଅରବିନ୍ଦଙ୍କ ଦର୍ଶନରୁ ସେ ଉପଲବ୍ଧି କଲେ ମଣିଷର ବିକାଶ ବିବର୍ତ୍ତନର ଶେଷ କଥା ନୁହେଁ। ଶ୍ରୀ ଅରବିନ୍ଦଙ୍କ ଦିବ୍ୟ ଚେତନାରେ ଏହି ଦୃଶ୍ୟମାନ ଜଗତ ଏକ ପାଞ୍ଚ ଅଙ୍କ ବିଶିଷ୍ଟ ନାଟକ ମାତ୍ର। ସୃଷ୍ଟିର ଅୟମାରମ୍ଭ କାଳରେ ଦୁଃଖର ଲେଶ ମାତ୍ର ଚିହ୍ନ ନଥିଲା। ଦ୍ୱିତୀୟ ଅଙ୍କରେ ବୃକ୍ଷଲତା, ତୃତୀୟ ଅଙ୍କରେ ପ୍ରାଣୀଜଗତ, ଚତୁର୍ଥ ଅଙ୍କରେ ଶ୍ରେଷ୍ଠଜୀବ ମନୁଷ୍ୟ ସୃଷ୍ଟି ହେଲେ ଏବଂ ନିଜନିଜର ଚରିତ୍ର ଅନୁଯାୟୀ ଅଭିନୟ ଆରମ୍ଭ କଲେ। ଫଳରେ ସଂଘର୍ଷ, କଳହ, ଦ୍ୱନ୍ଦ୍ୱ, ବିରୋଧ ଓ ଇର୍ଷାରୁ ଅସରନ୍ତି ଦୁଃଖ ଜନ୍ମ ନେଲା। ପରିଶେଷରେ ପଞ୍ଚମ ଅଙ୍କରେ ଚେତନାର ଅଭିବୃଦ୍ଧି ସାଂଗରେ ଦୁଃଖର ପରିସମାପ୍ତି ଘଟିବ। ମନୋଜ ଦାସ ଶ୍ରୀଅରବିନ୍ଦଙ୍କ ଦର୍ଶନରେ ଅନୁପ୍ରାଣିତ ହୋଇ ଅତିମାନସ ସ୍ତରରେ ପ୍ରବେଶ କଲେ। ତାଙ୍କ ଅନ୍ତରାତ୍ମାରେ ନୂତନ ଜାଗରଣ ଘଟି ଦୃଷ୍ଟି ଓ ଦର୍ଶନର ବ୍ୟାପକ ପ୍ରସାର ଘଟିଲା। ପୂର୍ଣ୍ଣଯୋଗରେ ପ୍ରବେଶ କରିବାପରେ ସେ ଦିବ୍ୟାନନ୍ଦର ଲୀଳା ଆସ୍ୱାଦନ କଲେ ଓ ସଜ୍ଞାନରେ ବ୍ରହ୍ମଚେତନା ଲାଭ କଲେ। ମାନବ ଜାତିର ଚେତନାର ବିକାଶ ନିମିତ୍ତ ସେ ଲେଖନୀ ଚାଳନା କଲେ। ସତ୍ୟଦ୍ରଷ୍ଟା ପ୍ରଜ୍ଞା ଭାବରେ ଜୀବନ ଓ ଜଗତର ନିଗୁଢ଼ ମର୍ମକୁ ସାହିତ୍ୟରେ ରୂପାଙ୍କନ କରି ପାଠକଙ୍କ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱକୁ ଉତ୍କର୍ଣ୍ଣ କଲେ। ପାଠକଙ୍କ ଚେତନାରେ ଅମୃତ ପରଷି ଅମୃତ ସନ୍ଧାନୀ ବୋଲାଇଲେ। ଅସୁମାରି ଆଧ୍ୟାତ୍ମିକ ସାହିତ୍ୟ ସୃଷ୍ଟି କରିବା ସହିତ ଶ୍ରୀଅବିନ୍ଦଙ୍କ ଅତିମାନସ ଚେତନା ସଂପର୍କିତ ସାବିତ୍ରୀ ମହାକାବ୍ୟର ଅନୁବାଦ କଲେ।

ପୂର୍ଣ୍ଣଯୋଗ ମାଧ୍ୟମରେ ଅତିମାନସ ଶକ୍ତିର ଅଧିକାରୀ ମନୋଜ ଦାସ ମାନବ ଜାତି ନିମିତ୍ତ ବିପୁଳ ଶାସ୍ତ୍ର ରଚନା କରି ପରପାରିକୁ ଚାଲିଗଲେ। ସେ ଅଜସ୍ର ପାଠକୀୟ ଶ୍ରଦ୍ଧାର ଅଧିକାରୀ ହୋଇଛନ୍ତି। ତାଙ୍କ ରଚନା ସମଗ୍ର ଉପରେ ପ୍ରାୟ ପଚିଶି ଜଣ ଗବେଷକ ଗବେଷଣା କରି ପି.ଏଚ୍‌.ଡି ଉପାଧି ଲାଭ କରିଛନ୍ତି। ସେ ଅଜସ୍ର ସମ୍ମାନ ଲାଭ କରିଛନ୍ତି। ପାଞ୍ଚଗୋଟି ବିଶ୍ୱ ବିଦ୍ୟାଳୟରୁ ସମ୍ମାନ ସୂଚକ ଡକ୍ଟରେଟ୍‌, କେନ୍ଦ୍ର ସାହିତ୍ୟ ଏକାଡ଼େମୀର ମହତ୍ତର ସଦସ୍ୟ ସମ୍ମାନ, ସରସ୍ୱତୀ ସମ୍ମାନ, ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନ, ଅତିବଡ଼ି ସମ୍ମାନ ପ୍ରଭୃତି ବହୁ ସମ୍ମାନରେ ସେ ସମ୍ମାନିତ। ୧୯୩୪ ମସିହା ଫେବୃୟାରୀ ୨୭ ତାରିଖ ପବିତ୍ର ଦୋଳପୂର୍ଣ୍ଣମୀରେ ଭୂମିଷ୍ଠ ହୋଇଥିବା ମନୋଜ ଦାସ ୨୦୨୧ ମସିହା ଅପ୍ରେଲ ୨୭ ତାରିଖ ପବିତ୍ର ଚୈତ୍ରପୂର୍ଣ୍ଣିମାରେ ପୂର୍ଣ୍ଣଯୋଗରେ ପରିପୂର୍ଣ୍ଣତା ଲାଭ ପୂର୍ବକ ମହାପୁରୁଷରେ ପରିଣତ ହୋଇଗଲେ। ତାଙ୍କ ମୃତ୍ୟୁ ନାହିଁ, ସେ ଅମୃତ୍ୱତର ଉଦ୍‌ଗାତା। ତାଙ୍କ ରଚିତ ପ୍ରତ୍ୟେକଟି କୃତି ଇଂରାଜୀରେ ଅନୁଦିତ ହୋଇ ସମଗ୍ର ବିଶ୍ୱର କୋଣେ ଅନୁକୋଣେ ପହଞ୍ଚାଇ ବିଶ୍ୱକୁ ଅମୃତମୟ କରିପାରିଲେ ତାହାହିଁ ହେବ ତାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

4 thoughts on “ମନୋଜୀୟ ଦୃଷ୍ଟି ଓ ଦର୍ଶନ

  1. ମନୋଜ ଦାସ ଜଣେ ସତ୍ୟାନୁସନ୍ଧାନୀ । ଏହା ମୋର ଦୃଢ଼ ମତ । ସେ ବ୍ୟକ୍ତିଗତ ଭାବରେ କ’ଣ ପାଇଲେ ତାହା ତାଙ୍କର ଅଧିକାର ଭୁକ୍ତ ବିଷୟ। ସାମାଜିକ ସ୍ତରରେ ତାଙ୍କର ପ୍ରଜ୍ଞା ର ପ୍ରକାଶ କୁ ତାଙ୍କ ନିଜ ଭାଷାରେ”ମଣିଷ ସୃଷ୍ଟିର ଶେଷ ଜୀବ ନୁହେଁ ।”ଏଣୁ କାହାକୁ ସ୍ଥିତପ୍ରଜ୍ଞ ମାନିନେବା ଓ ଆଲୋଚନା କୁ ପରିସମାପ୍ତି ଦେବା ଠିକ ନୁହେଁ ।

  2. ଲେଖକଙ୍କ ଜୀବନର ବିଭିନ୍ନ ଦିଗକୁ ଛୁଇଁ ଲେଖା ଯାଇଥିବା ସୁନ୍ଦର କ୍ଷୁଦ୍ର ଜୀବନୀ !

  3. ଜୟ ଜଗନ୍ନାଥ। ଅମର ସ୍ରଷ୍ଟା ମନୋଜ ଦାସଙ୍କ ସାହିତ୍ୟିକ ଓ ଦାର୍ଶନିକ ଜୀବନର ଏହି ତାତ୍ତ୍ବିକ ଉପସ୍ଥାପନା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ରଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *