ଗାଁ ରେ ଥିଲେ ଜଣେ ପହିଲିମାନ। ଜଣେ ଉସ୍ତାଦଙ୍କ ଆଖଡ଼ାରେ କୁସ୍ତି ଶିଖି ମହା ବଳବାନ ବନିଥିଲେ। ଉସ୍ତାଦ୍ ପ୍ରତିବର୍ଷ ତାଙ୍କ ଆଖଡ଼ାରେ ଦୂର ଅଦୂରର ଅଖଡାମାନଙ୍କରୁ ପହିଲିମାନମାନଙ୍କୁ ଡକେଇ କୁସ୍ତି ଲଢେଇ ଆୟୋଜନ କରୁଥିଲେ ଯାହାକି ସେ ରାଜ୍ୟରେ ଏକ ମସ୍ତ ମହୋତ୍ସବର ଆଖ୍ୟା ପାଇଥିଲା। ସବୁ ପ୍ରତିଯୋଗିତାରେ ଗାଁର ସେ ମସ୍ତ ପହିଲିମାନ ହିଁ ବିଜୟୀ ହଉଥିଲେ। ନିଜ ଅଞ୍ଚଳର ଗୌରବ ହିସାବରେ ଲୋକମାନେ ହାତତାଳି ଦେଇ ତାଙ୍କୁ ଉତ୍ସାହିତ କରୁଥିଲେ। ଲୋକମାନଙ୍କର ହାତତାଳି ବାଜିଲେ ତାଙ୍କ ଭିତରେ ଉତ୍ସାହର ଅଗ୍ନି ଉଦ୍ଗୀରଣ ହଉଥିଲା ଆଉ ସେ ସିଂହ ବିକ୍ରମରେ ତାଙ୍କର ପ୍ରତିପକ୍ଷ ଉପରକୁ ଝାମ୍ପ ଦଉଥିଲେ, ବିଜୟ ସୁନିଶ୍ଚିତ ନହେବାର ଉପାୟ ନଥିଲା।
ଦୁର୍ଯୋଗକୁ ସେ ଗାଁରେ ଚୋରଙ୍କର ଦୌରାତ୍ମ୍ୟ ବଢିଲା। ଦିନେ ରାତିରେ ଗାଁ ମନ୍ଦିରରେ ବିରାଜମାନ ପ୍ରତ୍ୟକ୍ଷ ଦେବତାଙ୍କ ଶ୍ରୀଅଙ୍ଗରୁ ସବୁ ଗହଣାଗାଣ୍ଠି ଚୋରି ହେଇଗଲା। ପରଦିନ ସନ୍ଧ୍ୟାରେ ଗାଁ ମୁରବିମାନେ ବସି ପ୍ରତିକାର ଖୋଜିବାକୁ ଜରୁରୀ ବୈଠକ ଡାକିଲେ। ଆଲୋଚନା ହେଲା ଯେ ଶହେ ଚୋରଙ୍କୁ ଏକାବେଳେ କାବୁ କଲାଭଳି ଜଣେ ପ୍ରଖ୍ୟାତ ପହିଲିମାନ ସଶରୀରେ ଏ ଗାଁରେ ବିରାଜମାନ ଥିବା ସତ୍ତ୍ୱେ ଏ ଗାଁର ଦିଅଁଙ୍କ ଦେହରୁ ଗହଣା ସବୁ ଉଭାନ ହେଇଯିବା ବିଡମ୍ବନାର ବିଷୟ। ଏଣୁ ନିଷ୍ପତ୍ତି ହେଲା, ପହିଲିମାନଙ୍କୁ ମନ୍ଦିରର ରାତ୍ରି ପହରାଦାର ହିସାବରେ ନିଯୁକ୍ତ କରାଯିବ।
ଏହା ତାଙ୍କର ଆଭିଜାତ୍ୟର ପରିପନ୍ଥୀ ଥିଲେବି ଦେବ-ସେବାର ପୂଣ୍ୟ ସାଙ୍ଗକୁ ଗାଁର ସାମୁହିକ ସମ୍ମାନ ଦୃଷ୍ଟିରୁ ସେ ତାକୁ ଗ୍ରହଣ କଲେ। ଯେଉଁ ଲୋକମାନଙ୍କର ଉତ୍ସାହର ହାତ ତାଳି ପାଇ ସେ ଏତେ ଗୌରବ ଅର୍ଜନ କରିଛନ୍ତି ସେମାନଙ୍କ ଆରାଧ୍ୟ ଦିଅଁଙ୍କୁ ସୁରକ୍ଷା ଦେବାର ଏଇ ମହତ ପ୍ରତିଦାନକୁ କିଛିଟା ପ୍ରାଥମିକ କୁଣ୍ଠା ପରେ ସ୍ଵୀକାର କରିନେଲେ ପହିଲିମାନ ଜଣକ। ଏଥର ବାହାସ୍ଫୋଟ ମାରି ଚୋରମାନଙ୍କୁ ଚ୍ୟାଲେଞ୍ଜ ଦେଲାଭଳି ଦିଅଁଙ୍କୁ ଅଧିକ ଲୋଭନୀୟ ଏବଂ ମୂଲ୍ୟବାନ ଅଳଙ୍କାରରେ ଛାଉଣି କରିଦେଲେ ଗାଁ’ର ମୁରବୀ ମାନେ। ନିରୁପାୟ ଏବଂ ଭୟଭୀତ ଚୋର ମାନେ ଖାଲି ହାଇଁପାଇଁ ହେବା ହିଁ ସାର ହେଲା।
କିନ୍ତୁ, ଦିନେ ଦେଖିଲା ବେଳକୁ ଅଚାନକ ମନ୍ଦିରରୁ ସବୁ ଗହଣା ହରଣଚାଳ ହେଇଗଲା।
ଗ୍ରାମସଭା ବସିଲା। ପହିଲିମାନଙ୍କୁ ପ୍ରଶ୍ନ ବାଣରେ ଜର୍ଜରିତ କରାଗଲା : –
– “ତୁମେ କଣ ଚୋର ମାନଙ୍କୁ ସାମ୍ନା କରିବାକୁ ସାହସ କଲନି?”
– “ କାହିଁକି ସେମାନେ କିଏ କି ! ବାଘ କେବେ ବିଲୁଆଙ୍କୁ ଭୟ କରେ?”
– “ ତେବେ ଚୋର ଆସିବା ଜାଣି ପାରିଲନି? ଅସାବଧାନତା ବଶତଃ ଶୋଇ ପଡିଥିଲ?”
– “ ସେଭଳି ବିଶୃଙ୍ଖଳିତ ହେଲେ ସବୁ ହବ କିନ୍ତୁ ପହିଲିମାନ ହେଇ ହବନି। ସଚ୍ଚା ଗୁରୁଙ୍କର ଶୃଙ୍ଖଳିତ ତାଲିମ ଆମକୁ ଗଢିଛି; ଆହାର, ନିଦ୍ରା,ଭୟ, ମୈଥୁନକୁ ଅକ୍ତିଆର କରିବା ଆମର ପ୍ରାଥମିକ ତାଲିମ। ”
– “ ଚୋରଙ୍କ ସାଙ୍ଗରେ ଲଢିଲନି କାହିଁକି ?”
ପହିଲମାନଟି ଥତମତ ହୋଇ ଉତ୍ତର ଦେଲା, “ଆଜ୍ଞାମାନେ, ମୁଁ ଲଢିବାକୁ ବାହାରିଥିଲି।”
“ ତା ହେଲେ ହେଲା କଣ ?“
“ ହାତ ତାଳି ! … ହାତ ତାଳି କାହିଁ ? ଥରେ ନୁହେଁ ଦି’ଥର ନୁହେଁ ତିନି ଥର ବାହାରିଲି ଚୋରଙ୍କୁ ଅଟକେଇବାକୁ। କିନ୍ତୁ ଦେଖିଲି ଲଢେଇ ପାଇଁ ମଞ୍ଚ ଉପରକୁ ଉଠିଲା ବେଳକୁ ଯେମିତି ହାତ ତାଳିରେ ମୈଦାନ୍ ଉଛୁଳି ପଡେ ସେମିତି ହାତ ତାଳି ବାଜୁନି। ଫେରି ଚାହିଁଲି ହାତ ତାଳି ଦେବାକୁ ଲୋକ ନାହାନ୍ତି। ଏଥର ହାତ ତାଳି ଦେବାକୁ ଅନ୍ତତଃ ଡଜନେ ଲୋକ ମୋ ସାଙ୍ଗରେ ଦିଅନ୍ତୁ। ତା’ପରେ ଦେଖନ୍ତୁ ମନ୍ଦିର ଆଗରେ ଖାଲି ଚୋରଙ୍କ ଭଙ୍ଗା ହାତ ଗୋଡ ପାଇବେ।”
କହିବା ଅନାବଶ୍ୟକ, ଚାଲାକ ଚୋରମାନେ ପହିଲିମାନ୍ଙ୍କର ଏ ହାତତାଳି ପ୍ରତି ମୋହର ବାସନା ପାଇ ହିଁ ଦିଅଁଙ୍କ ଶ୍ରୀଅଙ୍ଗ ସଫେଇ କାମ କରିଥିଲେ।
କାରୋନା ଭୂତାଣୁଜନିତ ଦୁର୍ବିପାକ ସମୟରେ ମାନବିକ ଉଦ୍ୟମର ଅତିମାନବୀୟ ପରିପ୍ରକାଶର ଯେଉଁ କେତୋଟି ଉଦାହରଣ ଆମ ପାଖରେ ରହିଛି ତା’ଭିତରେ ଗୋଟିଏ ହଉଛି ଗତ ଏପ୍ରିଲ ୨୦୨୦ ରେ ପନ୍ଦର ବର୍ଷୀୟା ଝିଅ ଜ୍ୟୋତି କୁମାରୀର, ତା’ ଦୁର୍ଘଟଣାଗ୍ରସ୍ତ ବାପାକୁ ସାଇକଲ ପଛରେ ବସେଇ ହରିୟାନାର ଗୁରୁଗାଓଁରୁ ନିଜ ଘର ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ସାତ ଦିନରେ ଏଗାର ଶହ କିଲୋମିଟରର ସାଇକଲ ଯାତ୍ରା। ଜ୍ୟୋତିକୁମାରୀର ବାପା ମୋହନ ପାଶବାନ ଜୀବିକା ଅନ୍ଵେଷଣରେ ଯାଇ ଗୁରୁଗାଓଁରେ ଇ-ରିକ୍ସା ଚଳଉଥିଲେ। ଗତ ୨୦୨୦ ଜାନୁଆରୀରେ ସେ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଝିଅ ଜ୍ୟୋତି ବାପାପାଖରେ ରହି ତାଙ୍କର ସେବା କରୁଥିଲା। କାରୋନା ଜନିତ ତାଲାବନ୍ଦ ଯୋଗୁଁ ଜୀବିକା ନିର୍ବାହ କରିବାର ସବୁ ପନ୍ଥା ବନ୍ଦ ହେବାପରେ ଭଡ଼ା ଘରର ମାଲିକର ଭଡା ପାଇଁ ଜୁଲମରେ ସେମାନେ ଅତିଷ୍ଠ ହୋଇପଡିଲେ। ସେଥିରୁ ତ୍ରାହି ପାଇବାକୁ ଗୋଟେ ପୁରୁଣା ସାଇକଲ କିଣି ସେଥିରେ ଅପଙ୍ଗ ବାପାକୁ ପଛରେ ବସେଇ ଜ୍ୟୋତି ଘରମୁହାଁ ବାହାରି ପଡିଥିଲା।
ଜ୍ୟୋତିକୁମାରୀର ଏଇ ଅଲୌକିକ କୃତିତ୍ୱରେ ମୁଗ୍ଧ ହେଇ ଭାରତୀୟ ସାଇକଲ ଫେଡରେଶନ ତାକୁ ସଂଘର ଅତ୍ୟାଧୁନିକ ସାଇକଲ ଚାଳନା ପ୍ରଶିକ୍ଷଣ କେନ୍ଦ୍ରରେ ଶିକ୍ଷାନବିସ ହିସାବରେ ଯୋଗ ଦେବାପାଇଁ ଏକ ଯୋଗ୍ୟତା ପରୀକ୍ଷା ଦେବାକୁ ନିମନ୍ତ୍ରଣ କରିଥିଲେ ବୋଲି ସମ୍ବାଦ ପ୍ରକାଶ ପାଇଥିଲା ଏବଂ ସେଥିପାଇଁ ଫେଡେରସନ, ସୀମାନ୍ତରିତ ଶ୍ରେଣୀ ମଣିଷର ପ୍ରତିଭା-ସ୍ବୀକୃତିର ଏହି ମହାନୁଭବତା ପାଇଁ ଅନେକ ବାହାବା ବି ପାଇଥିଲେ।
ଅନ୍ତଃପ୍ରେରଣା ମଣିଷ ଭିତରେ ଅଲୌକିକ ମନେହଉଥିବା ଅନେକ ଅନ୍ତର୍ନିହିତ ଶକ୍ତିର ସ୍ଫୁରଣ ଘଟେଇପାରେ। ବିଶେଷତଃ, ବିପର୍ଯ୍ୟୟ ସମୟର, ଜୀବନ ମରଣର ଦ୍ଵନ୍ଦ୍ଵଭିତରେ ଅନେକ ଅତିମାନବୀୟ ଉଦ୍ୟମ କରିବାକୁ ଯୁଗଯୁଗ ଧରି ମଣିଷ ଭିତରେ ଏଭଳି ଅଲୌକିକ ପ୍ରେରଣା ସୃଷ୍ଟି ହୋଇ ଆସିଛି। କିନ୍ତୁ କୌଣସି ଯୋଜନାବଦ୍ଧ ତାଲିମ, ଅର୍ଥ, ପ୍ରତିଷ୍ଠା, ପଦକ, ପ୍ରଶଂସା ଭଳି ବାହ୍ୟ ପ୍ରୋତ୍ସାହନ କି ପ୍ରତିଯୋଗିତା ଦ୍ଵାରା ବୋଧହୁଏ କେବେବି ଏଭଳି ଉଦ୍ୟମ ପାଇଁ ପ୍ରେରଣା ସୃଷ୍ଟି କରାଯାଇପାରେନା। ବରଂ ଏସବୁ ବାହ୍ୟ ପ୍ରଲୋଭନ ଓ ସଫଳତାର ମୋହ ମଣିଷର ସେ ଅନ୍ତଃପ୍ରେରଣାକୁ ବିକୃତ କରିଦେବାର ବହୁ ସମ୍ଭାବନା ରହିଛି, ପୁଣି ଯଦି ସେସବୁ ତାଲିମ ଆଉ ପ୍ରୋତ୍ସାହନ ଭିତରେ ବଜାର ଆଉ ଗ୍ଲାମର ପଶି ଯାଆନ୍ତି, ଯାହା ଆଜିକାର କ୍ରୀଡା କ୍ଷେତ୍ରକୁ ବସ୍ତୁତଃ ତାରକା ତିଆରି କାରଖାନାରେ ପରିଣତ କରୁଛି।
ପନ୍ଦର ବର୍ଷର କଅଁଳ ଶରୀର ନେଇ ଜ୍ୟୋତିକୁମାରୀ ଭଳି ନିରୁପାୟ ଝିଅଟି, ଜୀବନ ବଞ୍ଚିବାର ଜରୁରୀ ବାଧ୍ୟବାଧକତା ଏବଂ ତା’ ଅପଙ୍ଗ ବାପା ପ୍ରତି ଥିବା ଭଲପାଇବା ଯୋଗୁଁ ଦୁର୍ବିସହ ଶାରୀରିକ କଷ୍ଟ ସହି ଏଇ ଅତିମାନବୀୟ କାମଟି କରିବାକୁ ବାହାରି ପଡିଥିଲା। ଦୁର୍ଦ୍ଦଶାର ଶିକାର ହେଇଥିବା ଜ୍ୟୋତିକୁମାରୀମାନେ, କ୍ରୀଡାକ୍ଷେତ୍ରଭଳି କାହାସହିତ ପ୍ରତିଯୋଗିତା କରି ଅନ୍ୟକୁ ହରେଇ ଏ କୃତିତ୍ଵ ହାସଲ କରି ନଥାନ୍ତି, ଏମିତିକି ସେମାନଙ୍କ ଭିତରେ ସେଇ ଅସାଧାରଣ କାମଟି କରିବାର ସାମାନ୍ୟ ସହଜାତ ପ୍ରତିଭା ଟିକକ ବି ହୁଏତ ଆଗରୁ ନ ଥାଇପାରେ ଯାହାକି ପରିସ୍ଥିତିର ତାଡ଼ନାରେ ଆକସ୍ମିକ ଭାବରେ ଜାଗରିତ ହେଇଥାଇପାରେ । ସେମାନେ ଯୁଦ୍ଧକ୍ଷେତ୍ର ଭଳି କେବଳ ନିଜ ଅନିଶ୍ଚିତ ଭବିଷ୍ୟତ, ଦୁର୍ଦଶା ଆଉ ମୃତ୍ୟୁ ସହିତ ଲଢୁ ଥାଆନ୍ତି। ଯୁଦ୍ଧକ୍ଷେତ୍ରରେ ବନ୍ଧୁକ କି ତୀର ଚଳେଇବା କିମ୍ବା ଦୌଡିବା ଆଉ ଖେଳପଡିଆରେ ଏସବୁର ନୈପୁଣ୍ୟ ପ୍ରଦର୍ଶନ କରିବା ଭିତରେ ତୁଳନା କରିବା ହାସ୍ୟାସ୍ପଦ ମନେହୁଏ।
ଜ୍ୟୋତିକୁମାରୀମାନଙ୍କର ଏଭଳି ପରିସ୍ଥିତିଜନିତ ଜୀବନ ଯୁଦ୍ଧରେ ହୁଏତ କିଏ କିଏ ସଫଳ ହୁଅନ୍ତି, ଅନେକ କିନ୍ତୁ ବିଫଳ ବି ହୁଅନ୍ତି ଏବଂ ଏମିତିକି ଏବେକାର ଏଇ କାରୋନା ଦୁର୍ବିପାକ ବେଳେ ଅନେକ ଏଭଳି ଅତିମାନବୀୟ ଉଦ୍ୟମ କରି ଜୀବନ ହରେଇଥିବାର ଖବର ମିଳୁଛି। କିନ୍ତୁ ବିସ୍ମୟ ଏବଂ ବିନମ୍ରତାରେ ଯେଉଁଥିପାଇଁ ସେମାନଙ୍କ ପାଖରେ ମୁଣ୍ଡ ନଇଁଯିବା କଥା ସେଇଟା ହେଉଛି ସମସ୍ତ ନିରାଶା ଭିତରେ ଆଶାକୁ ପାଥେୟ କରି, ପରିଣାମ ପ୍ରତି କୌଣସି ପ୍ରତ୍ୟାଶା ନ ରଖି ସେମାନଙ୍କର ଲଢେଇ କରିବାର ଅଦମ୍ୟ ସାହସ ଆଉ ସହନ ଶକ୍ତି। କର୍ମଣ୍ୟେବାଧିକାରେସ୍ତୁ ମା ଫଲେଷୁ କାଦାଚନ। ଭଗବତ୍ ଗୀତାର ଏ ମହାବାକ୍ୟ ଯେମିତି ସେଠି ଆପେ ଆପେ ସାକାର ହେଇଯାଏ। ସେଠି ହାର-ଜିତ, ସଫଳତା- ବିଫଳତାର ବିଚାର ଅର୍ଥହୀନ ଏବଂ ସେସବୁର ମାପଚୁପ କରି ତା’ ପାଇଁ ପୁରସ୍କାର କି ପ୍ରୋତ୍ସାହନ ପରିମାଣ ଠିକ କରିବା ମଣିଷର ଏଇ ଅଦମ୍ୟ ଉଦ୍ୟମ କରିବାର ଆସ୍ପୃହା ପ୍ରତି ଅପମାନ ଭଳି ମନେ ହୁଏ। ଇତିହାସ କିନ୍ତୁ ସବୁବେଳେ ସଫଳତାର ସ୍ତାବକ, ସେ ପରିଣତିକୁ ମାପେ ଉଦ୍ୟମକୁ ଦେଖେନା। ଆହୁରି ଅସମ୍ଭବ ଉଦ୍ୟମ କରିଥିବା ଅଥଚ ଅସଫଳ ପରିଣତି ଭୋଗିଥିବା ଜ୍ୟୋତିକୁମାରୀମାନେ ଇତିହାସର ଆଲିଆଗଦାରେ ଫୋପଡା ହୁଅନ୍ତି।
ଆପାତତଃ ଦୃଷ୍ଟିରେ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଜ୍ୟୋତିକୁମାରୀକୁ ସାଇକଲ ଚାଳନା କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେଇ ସରକାର ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଅବଶ୍ୟ ସମୀଚୀନ ମନେହେବ ଏବଂ ତାହାଦ୍ୱାରା ସରକାରଙ୍କ ଜନମଙ୍ଗଳକାରୀ ଭାବମୂର୍ତି ବି ଉଜ୍ଜ୍ଵଳ ହେବ। ଜ୍ୟୋତିକୁମାରୀ ବି ହୁଏତ କାଳକ୍ରମେ ସରକାରୀ ତାଲିମ ପାଇ ଜଣେ ଚମକଦାର କ୍ରୀଡାବିତ ଭାବରେ ଉଦୟ ହେବ, ଦେଶ ପାଇଁ, ନିଜ ପାଇଁ ବହୁ ପଦକ ଜିଣି ମହିମାମଣ୍ଡିତ ହେବ, ଅନେକ ପଦପଦବୀ, ଭଲ ଚାକିରୀ, ପୁରସ୍କାର ବି ହାସଲ କରିବ, ବିଜ୍ଞାପନରେ ଚେହେରା ଦେଖେଇ କୋଟିକୋଟି ଟଙ୍କା ରୋଜଗାର କରିବ; ତାରକା ହିସାବରେ ନିଜ ପ୍ରେମ, ବିବାହ, ଛାଡପତ୍ର ଭଳି ଚକମକି ବିଷୟରେ ଗଣମାଧ୍ୟମକୁ ଚମକେଇବ। କିନ୍ତୁ ତା’ପରେ, ସମସ୍ତ ଅତ୍ୟାଧୁନିକ ତାଲିମ ଆଉ ଦାମୀ କଳକବଜା ଖଞ୍ଜା ସାଇକଲ ଚଳେଇବା ସତ୍ତ୍ୱେ ବି ସେ ଆଉ ଥରେ ଦୀର୍ଘ ଏଗାର ଶହ କିଲୋମିଟର ତା’ର ଅପଙ୍ଗ ବାପାଙ୍କୁ ପଛରେ ବସେଇ ବୋହି ଆଣିପାରିବାକୁ କେବେ ବି ସାହସ କରି ପାରିବ କି ? ହାତତାଳିର ମୋହ ତା’ ପାଖରୁ ସେ ଇଚ୍ଛାଶକ୍ତି ଅପହରଣ କରି ନେଇ ନ ଥିବ ତ !
ହାତତାଳି ର ମୋହ କମ ଘାତକ କି !!!!
ଉତ୍ତର ଲିପି :-
ଏବେ ଖବର ମିଳିଚି ଭାରତୀୟ ସାଇକଲ ଫେଡେରସନ୍ କୁଆଡ଼େ ତାଙ୍କର ସେ ସାମୟିକ ବିହ୍ଵଳତା ପରେ ଆଉ ସେ ବିଷୟରେ ଆଗେଇ ନାହାନ୍ତି। ଜ୍ୟୋତିକୁମାରୀ ତା ଗାଁରେ ତା ଭାଗ୍ୟ ଏବଂ ପରିବାରକୁ ନେଇ ଅଛି।
ଆଉ ଗୋଟେ ବୁଦ୍ଧିଆ ସିଂ କି ରାନୁ ମଣ୍ଡଳ ଭଳି ବିଡ଼ମ୍ବନାରୁ ରକ୍ଷା ମିଳିଛି ବୋଧହୁଏ !!!!
*ହାତ ତାଳିର ମୋହ* ଲେଖା ବହୁତ୍ ଭଲ ଲାଗିଲା। ଏକ ଉତ୍କୃଷ୍ଟ ଭାବ ଏବଂ ସତ ଘଟଣାର ସଂଯୋଗ ଫେବିକୋଲ ଅଠା ଭଳି ବଳବତ୍ତର ହୋଇଛି। ବିବେକାନନ୍ଦଙ୍କ ଜୀବନରେ ଘଟିଥିବା ଅଭୁଲା ସ୍ମୃତି ମଧ୍ୟରୁ ଆମେରିକାରେ ତାଙ୍କ ଭାଷଣ ଆରମ୍ଭରେ ଦୁଇ ମିନିଟ୍ ତାଳି ଯୁଗ ଯୁଗ ପାଇଁ ଏକ ଉଦାହରଣ।
ପିତାଙ୍କ ପାଇଁ ଅଭିମନ୍ୟୁ ଯୁଦ୍ଧରେ ଜୀବନ ଦାନ ଚିର ସ୍ମରଣୀୟ। ରାବଣର ନିର୍ଦ୍ଦେଶ ପାଳନ କରି ଇନ୍ଦ୍ରଜିତ ମୃତ୍ୟୁ ଆବୋରିନେବା ଆଉ ଏକ ଉଦାହରଣ। କରୋନା ସମୟରେ ଅନେକ ଘଟଣା ଲୋକଲୋଚନକୁ ଆସୁନାହିଁ। ପୁଅ ବାପାକୁ ଦାହ କରିବାକୁ ଯାଇ ମୃତ୍ୟୁ ବରଣ କରୁଛି। ତ୍ୟାଗ ଓ ନିଷ୍ଠା ମଣିଷର ଏକ ଦୁର୍ଲଭ ଗୁଣ। ଘଟଣା ଘଟଣା ସହିତ ତୁଳନା କରିବା ଏକ ଜଟିଳ ଅଙ୍କ।
ଯଦୁନାଥ ପଣ୍ଡା ମହୋଦୟଙ୍କ ନିବନ୍ଧ ହୃଦୟସ୍ପର୍ଶୀ।
କିନ୍ତୁ ………..
ଦିନକୁ ୧୬୦ କିମି ଆଉ ଜଣକୁ ବସାଇ ଅଜଣା ରାସ୍ତାରେ ଲଗାତାର ସାତ ଦିନ ଭଙ୍ଗା ସାଇକେଲ ଚଳାଇବା ଏକ ଗବେଷଣାର ବିଷୟ!!!
ସାମ୍ପ୍ରତିକ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଲେଖାଟି ବେଶ୍ ଚମତ୍କାର ଓ ଜୀବନ୍ତ ହୋଇପାରିଛି। ମୋ ମତରେ ଏହା ଏକ ସୁନ୍ଦର ନିବନ୍ଧ ବା ପ୍ରବନ୍ଧ, ଅବଶ୍ୟ ପ୍ରାଥମିକ ପର୍ଯ୍ୟାୟର ପହିଲିମାନ ପ୍ରସଙ୍ଗଟି ଲଳିତ ନିବନ୍ଧ ଶ୍ରେଣୀର ହେବାରେ କୌଣସି ଅସୁବିଧା ନାହିଁ। ସେ ଯାହା ହେଉ ସାମ୍ପ୍ରତିକ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଲେଖକଙ୍କର ଲେଖାଟି ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି। ଏଥିପାଇଁ ଲେଖକଙ୍କୁ ଧନ୍ୟବାଦ ଓ ଶୁଭକାମନା।
“ହାତ ତାଳିର ମୋହ ” ନିବନ୍ଧ ର ଦୃଷ୍ଟି କୋଣ ଅତ୍ୟନ୍ତ ଯଥାର୍ଥ ଓ ଯୁକ୍ତିଯୁକ୍ତ ଲାଗିଲା ଭାଇନା ….ଜ୍ୟୋତିକୁମାରୀର ଅଦମ୍ୟ ଉଦ୍ୟମ କଥା ଚିନ୍ତା କଲେ ସତରେ ମୁଣ୍ଡ ନୁଆଇଁବାକୁ ଇଛା ହେଉଛି ….ଆବଶ୍ୟକତା ହିଁ ଉପାୟର ଜନକ ….ତେବେ ଇଚ୍ଛାଶକ୍ତି ଏବଂ ଭଗବାନଙ୍କର ଆଶୀର୍ବାଦ ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ …ସୁନ୍ଦର ଉପସ୍ଥାପନା କରିଛନ୍ତି ..
🙏
ଉଚ୍ଚ କୋଟୀର ବିଷୟ ନିର୍ବାଚନ ଲେଖାର ଶୈଳୀଓ ଭାଷା ମନଛୁଆ
“Haat Tali ra moha” lekha ti bhala lagila aau lekha ti ra upsthapna bahut badhia. Mu aaku tike aaga ku nei bhabhuchi je aaji social media ra like count madhya emiti kichhi karamati dekhau chi. Bina like re manushya ta asthitwa harai basuchi..