ଭୋକ

ହଳଧର ପଣ୍ଡା

ଭୋକ ମରିଯାଇଥିଲେ ଖାଇବାର ତରିକା ବଦଳି ଯାଏ। ତେଣିକି ଖାଦ୍ୟରେ ନୁହେଁ ଖାଇବାର ପ୍ରଣାଳୀ ଉପରେ ଦିଆଯାଏ ଗୁରୁତ୍ୱ। ହୋଟେଲ୍ ମାରିଆନ୍ ର କୁତ୍ରିମ ଝରଣା କୂଳରେ ଅକ୍ଷୟ ମହାନ୍ତିଙ୍କ ରୋମାଣ୍ଟିକ ଗୀତର ସ୍ୱର ଖୋଜାଯାଏ। ଚିଲିକା କୂଳରେ ହଲିଡେ ରିସର୍ଟ ର ଅଗଣାରେ ତା ନୀଳ ଢେଉର ତାଳରେ ତାଳଦେଇ କଣ୍ଟା ଚାମଚର ଟୁଣ୍‌ଟାଣ୍ ଶବ୍ଦରେ ଖାଇବା ଜମେ। ଏଠାରେ ଖାଇବାଟା ଯେତେ ଭୋକ ପାଇଁ ନୁହେଁ, ବେଶୀ ଉପଭୋଗ ପାଇଁ ହୁଏ। କିନ୍ତୁ ମେନୁରେ ଥାଏ ସେଇ ଚିରାଚରିତ ଖାଦ୍ୟର ମୌଳିକ ଉପାଦାନ ଗହମ, ଚାଉଳ, ବାଜରା, ଯଅ, ଡାଲି, ଫଳ, ପନିପରିବା, ମାଛ, ମାଂସ, ବା କ୍ଷୀର। ଖାଦ୍ୟର ମୂଳ ଉପାଦାନରେ କିଛି ବି ପରିବର୍ତ୍ତନ ହୋଇନଥାଏ। ଖାଇବା ଠାଣୀରେ ବା ରଙ୍ଗଢ଼ଙ୍ଗରେ ନୂଆ ବାଗ ବା ନୂଆ ତରିକା ଦେଖାଇବା କଥା ଯାହା। କିନ୍ତୁ ଭୋକର ସଂଜ୍ଞା ଥାଏ ଅପରିବର୍ତ୍ତିତ ଓ ଅସମାହିତ।

–  ଝାମ୍ପୁ ଖାଇବାର ଏ ତରିକା ବିଷୟରେ କିଛି ଜାଣେନା।

ତାକୁ ଭୋକ ଲାଗୁଥାଏ ସବୁବେଳେ। ସେ ଚାହେଁ ଖାଇବାକୁ। ଖାଇଯିବାକୁ, ନିଜ ମୁଖଗହ୍ବର ଦେଇ ପେଟ ନାମକ ଏକ ସର୍ବଗ୍ରାସୀ ଅଙ୍ଗର କାମନା ପରିପୂରଣ ପାଇଁ ସେ ସବୁବେଳେ ଭାବୁଥାଏ। କିନ୍ତୁ ପେଟ ପୁରେନାହିଁ। ଭୋକମରେ ନାହିଁ। ତାଙ୍କ ଝୁମ୍ପୁଡି କୁଡିଆ ଧାରରେ ଥିବା ପ୍ରାସାଦରୁ ଭାସିଆସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ବାସ୍ନା। ତାହା ତା’ର ଭୋକକୁ ବଢାଇ ଦିଏ ଥରକୁ ଥର। କିନ୍ତୁ ଝାମ୍ପୁ ରହେ ଅଭୁକ୍ତ, ଅସନ୍ତୁଷ୍ଟ ଓ ଅପରିତୃପ୍ତ।

ଝାମ୍ପୁ ସୁମତୀର ଆଠଟି ସନ୍ତାନ ମଧ୍ୟରେ ପଂଚମ। ତା ଉପରକୁ ଚାରି, ତଳକୁ ତିନି। ତା ଉପର ଆଡୁ କେତେଜଣ ସେହି ଭୋକର ଦାଉରେ କୁଆଡେ ଗଲେଣି କେଜାଣି ଝାମ୍ପୁ ସେସବୁ ବୁଝେନାହିଁ। ଚାରି ପାଂଚ ଭଉଣୀ ଓ ମା’ ସୁମତୀକୁ ନେଇ ସେମାନେ ଥାଆନ୍ତି ସହରରସେଇ ଅପନ୍ତରାରେ ଗୋଟେ ଝୁମ୍ପୁଡି ଚାଳରେ। ସୁମତୀ ସେମାନଙ୍କର ପେଟ ପୁରାଇ ପାରେନାହିଁ, ସେଥିପାଇଁ ଭୋକ ସେମାନଙ୍କୁ କିଲିବିଲି କରେ, ମାରେ , କାଟେ ଓ ଯନ୍ତ୍ରଣା ଦିଏ।

ସେଥର ସେଇ ବସ୍ତି ସନ୍ନିକଟ ଗୋଟେ ଖୋଲା ଜାଗାରେ ସ୍ୱେଚ୍ଛାସେବୀଙ୍କ ତରଫରୁ ସ୍ୱାସ୍ଥ୍ୟ ଶିବିରଟିଏ ହେଉଥିଲା। ଧୋବ ଫର୍‌ଫର୍ ଡାକ୍ତର ଡାକ୍ତରାଣୀ ବସ୍ତିବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ଓ ମାଗଣା ଔଷଧ ଦେବାକୁ ଶିବିର ଖୋଲିଥିଲେ। ସବୁ ବସ୍ତିବାସିନ୍ଦାଙ୍କର ସେଦିନ କାମ ବନ୍ଦ। ସମସ୍ତେ ଧାଡିରେ ଜଣ ପରେ ଜଣେ ଚିଠାକରି ଔଷଧ ନେଉଥାନ୍ତି। ଝାମ୍ପୁର କିଛି ରୋଗ ନଥିଲେ ବି କୈାତୁହଳରେ ସେ ଠିଆ ହୋଇଥିଲା ଧାଡିରେ।

ତା’ପାଳି ଆସିଲା ବେଳକୁ ଡାକ୍ତର କହିଲେ- ତୋ’ର କଣ ହେଉଛି?

ଭୋକ ! ଝାମ୍ପୁ କହିଲା – ସବୁବେଳେ ମୋତେ ଭୋକ ହେଉଛି। ଏ ଭୋକର ଦାଉ ଏତେ ଯେ କୋରି ପକାଉଛି ପେଟ,ପିଠି ଓ ସର୍ବାଙ୍ଗ ଶରୀରକୁ। 

ଡାକ୍ତର କହିଲେ – ତୁମ ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଛି। ଯାଉନୁ ସେଠି ଖାଇବୁ!

ଛାମ୍ପୁ ଉଲୁସି ଉଠିଲା ନାହିଁ। ଡାକ୍ତରଙ୍କୁ କହିଲା – ଡାକ୍ତରବାବୁ! ଭୋକ ନହେବା ପାଇଁ କିଛି ଔଷଧ ନାହିଁ?

ଡାକ୍ତର ଗମ୍ଭୀର ହୋଇଗଲେ। ଏଭଳି ପ୍ରଶ୍ନ ସେ ତାଙ୍କ ଜୀବନ କାଳ ମଧ୍ୟରେ ଶୁଣିନଥିଲେ। ଭୋକ ହେଉନାହିଁ ବା ନିଦ ହେଉନାହିଁ ବୋଲି ଅନେକ ଶାରିରୀକ କ୍ଳେଶର ଅଭିଯୋଗ ତାଙ୍କ ନଜରକୁ ଆସିଥିଲା। ଭୋକ ହେବା ପାଇଁ ଅନେକ ବଟିକା, ଟନିକ ଲେଖି ଥିବାର ଅଭିଜ୍ଞତାକୁ ସେ ଆପଣେଇ ଥିଲେ। ମାତ୍ର ଭୋକ ନହେବା ପାଇଁ ଔଷଧର ଫର୍‌ମାଇସ୍ ସେ ଜୀବନରେ ପ୍ରଥମଥର ପାଇଁ ଆସିଥିଲା। ଭୋକ ହେବା ପାଇଁ ଅନେକ ବଟିକା, ଟନିକ ଲେଖି ଥିବାର ଅଭିଜ୍ଞତାକୁ ସେ ଆପଣେଇ ଥିଲେ। ମାତ୍ର ଭୋକ ନହେବା ପାଇଁ ଔଷଧର ଫର୍‌ମାଇସ୍ ସେ ଜୀବନରେ ପ୍ରଥମଥର ପାଇଁ ଶୁଣିଲେ। ସେ ଦଶ ବାର ବର୍ଷର ଝିଅ ଝାମୁକୁ ଚାହିଁଲେ। ତାଙ୍କ ହୃଦୟ ବିଗଳିତ ହୋଇଗଲା। ସେ ନିଜ ସିଟ୍ ରୁ ଉଠି ଝାମ୍ପୁକୁ ଖନ୍ଦାଶାଳ ଆଡକୁ ବାଟ କଢାଇ ନେଲେ। ତାପରେ ଫେରିଲେ ନିଜ ସିଟ୍‌କୁ। କିନ୍ତୁ ସେ ଆଉ କାମରେ ମନୋଯୋଗୀ ହୋଇ ପାରିଲେ ନାହିଁ। ଝାମ୍ପୁର ପ୍ରଶ୍ନ ତାଙ୍କୁ କିଲିବିଲି କରୁଥିଲା।

ଏଣେ ଶିବିରର ଏଇ ଥରକର ଖାଦ୍ୟ ଝାମ୍ପୁର ଭୋକ ମେଣ୍ଟାଇ ପାରୁନଥିଲା। ସେ ଖୋଜୁଥିଲା ଖାଦ୍ୟ, ଖାଦ୍ୟ ଓ ଖାଦ୍ୟ। ସେ କେବଳ ଖାଇ ଯାଆନ୍ତା। ଭରି ଯାଆନ୍ତା ପେଟ। ଏକ ପରିତୃପ୍ତିର ସନ୍ତୋଷ ଉକୁଟି ଉଠନ୍ତା ତା’ ମୁହଁରେ। କିନ୍ତୁ ତା’ର ଭୋକ ମେଣ୍ଟୁ ନଥିଲା।

ଝାମ୍ପୁ ତାଙ୍କ ଚାଳିଆ ଘରେ ଗୋଟେ ଛିଣ୍ଡା କନ୍ଥା ଉପରେ ଅଧା-ଶୁଆ ହୋଇ ଆଗାମୀ ଥରର ଖାଦ୍ୟ ବିଷୟରେ ଚିନ୍ତା କରୁଥିଲା। ଏଣେ ହଠାତ୍ ଷ୍ଟ୍ରିଟ ଲାଇଟ୍‌ର ମହଳଣ ଆଲୁଅରେ ଜଣେ ଅଠର ଉଣେଇଶ ବର୍ଷ ତରୁଣର ଅଧା ଛବି ତା ଆଖି ଆଗରେ ଭାସି ଉଠିଲା।

ଝାମ୍ପୁ କୌତୁହଳରେ ବାହାରକୁ ବାହାରି ଆସିଲା। ତରୁଣ ଜଣକ ଝାମ୍ପୁକୁ ଅର୍ଥପୂର୍ଣ୍ଣ ଚାହାଣୀରେ ଚାହିଁଲା। ତା’ପରେ କହିଲା- ଆରେ, ତୁ ଖାଇବାକୁ ଯିବୁକି ଆମ ଘରକୁ?

ଝାମ୍ପୁ ନିରବ ରହିଲା।

ଯୁବକ ଜଣକ ଏହାକୁ ଝାମ୍ପୁର ସମ୍ମତି ବୋଲି ଧରିନେଲାକି କଣ କହିଲା ଯା, ଅନ୍ୟମାନଙ୍କୁ ଡାକି ଆଣ। ଝାମ୍ପୁ ଓ ଅନ୍ୟମାନେ ସେଇ ତ୍ରିତଳ ପ୍ରାସାଦର ଅଗଣାରେ ବସି ଖାଉଥିଲେ ପଲାଉ, ମାଛ, ମାଂସ, କ୍ଷୀରୀ ଓ ଅନ୍ୟପ୍ରକାରର ଖାଦ୍ୟ। ଶେଷରେ ସେଥିରୁ କିଛି ଘରକୁ ଆଣିବାକୁ ଅନୁମତି ବି ମିଳିଗଲା ସେମାନଙ୍କୁ।

କଥା କଣକି, ସେଇ ତରୁଣଟିର ସେହି ତ୍ରିତଳ ପ୍ରାସାଦରେ ସେଦିନ ହେଉଥିଲା ଏକ ବିରାଟ ପାର୍ଟି। ଯେଉଁଥିରେ କି ବଳିଥିଲା ପ୍ରଚୁର ଖାଦ୍ୟ। ସେଥିପାଇଁ ସେ ବସ୍ତିବାସିନ୍ଦାଙ୍କୁ ମିଳିଗଲା ଏପରି ସୁମିଷ୍ଟ ଭୋଜନ। ଫେରିଲା ବେଳକୁ ତରୁଣ ଜଣକ ଝାମ୍ପୁକୁ ଚାହିଁ ରହିଲା।

– ପ୍ରଥମ ଥର ଝାମ୍ପୁ ତା’ ଶରୀର ବାବଦରେ ସଚେତନ ହେଲା। ତା’ ଠାରେ କିଛି ପରିବର୍ତନ ଆସୁଛି କି ? ତାକୁ ଲାଗିଲା, କଣ ଗୋଟେ ଭିଡିମୋଡି ହେଉଛି ତା ଭିତରେ। ସେ ସାଙ୍କୁଡିଗଲା। ତା ନିଜକୁ ତା’ଚିରା ଫ୍ରକ୍‌ରେ ଜାକିଜୁକି ଘରକୁ ଫେରିଲା।

ଏ ଭିତରେ ସେ ତରୁଣର ଡାକରେ ଝାମ୍ପୁ ଅନେକଥର ତାଙ୍କ ଘରକୁ ଗଲା ଖାଇବାକୁ। ପ୍ରତିଥର ସେ ତରୁଣ ତାକୁ ଚାହୁଁଥିଲା ଗୋଟେ ଭୋକିଲା ଚାହାଣୀରେ। ଝାମ୍ପୁକୁ ଏସବୁ ଅନ୍ୟଥା ଲାଗୁଥିଲେ ବି ସେ କିଛି କହୁନଥିଲା କାରଣ ତାକୁ ସବୁବେଳେ ଭୋକ ହେଉଥିଲା। ତରୁଣ ଜଣକ ତାକୁ ବଳେଇ ବଳେଇ ଖାଇବାକୁ ଦେଉଥିଲା ଓ ଦେଉଥିଲା ବଳକା କିଛି ଘରକୁ ଆଣିବାକୁ।

– ଆଉ ଦିନେ।

ଝାମ୍ପୁ ଖାଇ ସାରିବା ପରେ ପୁଡିଆଟିଏ ଧରି ତରୁଣଟି ତା’ ପାଖକୁ ଆସିଲା। କହିଲା– ତୋ’ ଭୋକ ମଲା? ଝାମ୍ପୁ ମୁଣ୍ଡ ଟୁଙ୍ଗାରିଲା। ତରୁଣ ଜଣକ କହିଲା – ହେଲେ ମୋ ଭୋକମରୁନାହିଁ। ସବୁବେଳେ ଭାରି ଭୋକ।

ଝାମ୍ପୁ ଭାବିଲା ଏମାନଙ୍କର ପୁଣି କି ଭୋକ? ଏତେ ପ୍ରଚୁର ଖାଦ୍ୟ ଥାଇବି ଏମାନେକଣ ଭୋକରେ ଆଉଟୁ ପାଉଟୁ ହୁଅନ୍ତି! ସେ କିଛି ବୁଝି ପାରୁନଥିଲା। ତାକୁ ଲାଗିଲା ତରୁଣ ଜଣକ ଭୋକରେ ଆକା ପାକା ହୋଇ ତା ପାଖକୁ ପାଖେଇ ଆସୁଛି ଓ ତାକୁ ଜାବୁଡି ଧରିଛି। ସେ କିଛି କହିବା ପୂର୍ବରୁ ଚାଟି ଯାଉଛି ତା ମୁହଁ ଗାଲ ଓ ସର୍ବାଙ୍ଗ। ତାଙ୍କ ଶକ୍ତ ପଂଝାରେ ପେଷି ହୋଇ ଯାଉଛି ଝାମ୍ପୁ।

– ଝାମ୍ପୁ ଛାଟିପିଟି ହେଲା। ତା ହାତର ଜାବରୁ ମୁକୁଳିବାକୁ ଚେଷ୍ଟାକଲା। ମାତ୍ର ନା ଏତେବଡ ଶକ୍ତ ବନ୍ଧନରୁ ମୁକୁଳି ପାରୁନଥିଲା ସେ। ତରୁଣ ଜଣକ ଖାଇଯାଉଥିଲା ତାକୁ ଓ ତା’ର ହାଡ ମାଂସକୁ। କେବଳ ଗୋଟେ ଯାନ୍ତ୍ରବ ଗାଁଉଁମାଁଉଁ ଶଦ୍ଦର ସ୍ୱର ଲହରେଇ ଯାଉଥିଲା ପରିବେଶରେ।

କେତେ ସମୟ ପରେ ତରୁଣ ଜଣକ ଝାମ୍ପୁକୁ ଛାଡିଦେଲା। ତା’ ହାତରେ ଧରାଇ ଦେଲା ଖାଦ୍ୟପୁଡିଆଟି, ଆଗାମୀ ସମୟରେ ଭୋକ ମେଣ୍ଟାଇବାକୁ। ଏଣୁ ତରୁଣ ଜଣକ ମୁହଁରେ ଫୁଟିଉଠୁଥିଲା ଏକ ପ୍ରଶାନ୍ତିପୂର୍ଣ୍ଣ ପରିତୃପ୍ତି। ସେଇଟା ଥିଲା ଭୋକ ମରିଯାଇଥିବାର ଭାବ।

ଝାମ୍ପୁକୁ ଲାଗିଲା, ତରୁଣ ଜଣକ ଭାରି ଭୋକିଲା ଥିଲା ବୋଧହୁଏ। ସେ ଭୋକ ତା’ଭୋକଠାରୁ ତୀବ୍ର ଓ ନିଆରା। ସେ ଝାଡିଝୂଡି ହେଇ ଘରକୁ ଫେରୁଥିଲା।

7 thoughts on “ଭୋକ

  1. ଏକ ସମ୍ବେଦନଶୀଳ ଗଳ୍ପ। ଭୋକ ର ଭିନ୍ନ ଭିନ୍ନ ଦୁଇଟି ସଂଜ୍ଞା ଥୋଇଛନ୍ତି ଗାଳ୍ପିକ ହଳଧର ବାବୁ। ଦୁଇଟି ଯାକ ଭୋକ ନିଜ ନିଜ ଜାଗାରେ ପ୍ରଭାବଶାଳୀ କିନ୍ତୁ ଗୋଟିଏ ଭୋକକୁ ଜୟକରିହେବ। ଅନ୍ୟଟି ଅଜେୟ।
    ଗଳ୍ପଟିର କଳେବର କ୍ଷୁଦ୍ର ହେଲେ ବି ଆବେଦନ ତୀବ୍ର।

  2. ଗାଳ୍ପିଙ୍କ ଚେତନାରେ ଉଦ୍ଭାସିତ ଭୋକ ଗଳ୍ପ ଅନେକ ପାଠକ ମାନଙ୍କୁ ଉଦବେଳିତ କରିବ ନିଶ୍ଚୟ. ମହାଶୟଙ୍କୁ ଅନେକ ଶୁଭେଚ୍ଛା

  3. ଏହି ଗଳ୍ପ ପଢ଼ିବା ପରେ ମୋର ମନେ ପଡ଼ିଗଲା ଅନେକ ଦିନ ତଳେ ପଢ଼ିଥିବା ବସନ୍ତ କୁମାରୀ ଦେବୀଙ୍କ ବହୁ ପରିଚିତ ଗଳ୍ପ ‘ ଭୋକ’। ଭୋକ କେବେ ସରିବନି, ଗତକାଲି ଥିଲା, ଆଜି ଅଛି ଓ ଆସନ୍ତା ଦିନରେ ମଧ୍ୟ ରହିଥିବ।

  4. Though both the categories of hunger brought out by the author lie in the lowest rung of the “Maslow’s need of human needs” .. But historically Jhampu’s hunger will always stand a looser and compromising .

  5. You have explained well in writers thought but have left un answered questions to the society how a solution can be made over the situation you described.A real task to every one.

Leave a Reply

Your email address will not be published. Required fields are marked *