ସୌମ୍ୟରଞ୍ଜନ ଦୁଇବର୍ଷ ପରେ ତାଙ୍କ ଗାଁକୁ ଯିବା ପାଇଁ ଭୁବନେଶ୍ୱରରୁ ବସ୍ ଧରିଲେ। ଗାଁର ବିଲବାଡ଼ି ସବୁ ବଖରାରେ ଗାଁର ଭାଗଚାଷୀମାନଙ୍କୁ ଦେଇଛନ୍ତି। ତାଙ୍କୁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରି ବିକ୍ରି କରିବାକୁ ପଡ଼ିବ। ଗାଁରେ ତାଙ୍କର ଘରେ କେହି ନାହାନ୍ତି। ତାଲା ପଡ଼ିଛି। ବାପା, ମାଆଙ୍କୁ ନେଇ ସେ ବାଙ୍ଗାଲୋରରେ ରହୁଛନ୍ତି। ସାଙ୍ଗରେ ସହଧର୍ମିଣୀ ଶୁଭଲକ୍ଷ୍ମୀ ଓ ଦୁଇଟି ପୁଅ। ଗାଁର ଘରର ଦାୟିତ୍ୱ ସେ ଦେଇଆସିଛନ୍ତି ସମ୍ପର୍କୀୟା ବଡ଼ମା’ଙ୍କୁ। ବଡ଼ମା’ ଘରର ବାହାରଟା ସବୁଦିନ ଓଳେଇ ଦିଅନ୍ତି। ଘର ଉପରେ ଆଖି ଟିକେ ପକେଇ ଦିଅନ୍ତି। କ’ଣ ଘଟଣା ଅଘଟଣ ଘଟିଲେ ଗାଁ ଟେଲିଫୋନ୍ ବୁଥ୍କୁ ଯାଇ ଫୋନ୍ କରି କହନ୍ତି।
ତାଙ୍କର ଚାଷବନ୍ଦୀ ପରିବାର ଥିଲା। ହଳେ ଭଲ ବଳଦ, ଶଗଡ଼ ଓ ଗୋଟିଏ ହଳିଆ। ଚାଷବାସକୁ ନେଇ ତାଙ୍କ ଘର ସବୁବେଳେ ପୁରିଲା ପୁରିଲା ଲାଗୁଥିଲା। ସୌମ୍ୟରଞ୍ଜନ ଲାଇଫ୍ ଇନ୍ସୁରାନ୍ସ କର୍ପୋରେସନରେ ଅଫିସର ଚାକିରି ପାଇବା ପରେ ତାଙ୍କର ସମ୍ବଲପୁରରେ ପୋଷ୍ଟିଂ ହେଲା। ଚାକିରିର ଦୁଇବର୍ଷ ପରେ ଏକ ସମ୍ଭ୍ରାନ୍ତ ପରିବାରର ଝିଅଟିଏ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ଏକ ବର୍ଷ ଶୁଭଲକ୍ଷ୍ମୀ ତାଙ୍କ ବାପା ମାଆଙ୍କ ପାଖରେ ଗାଁରେ ରହିଲେ। ବଡ଼ମା ଶୁଭଲକ୍ଷ୍ମୀଙ୍କ ପାଖରେ ରହି ତାଙ୍କୁ କାମ ଦାମରେ ସାହାଯ୍ୟ କରୁଥାନ୍ତି ଓ ଗାଁର ପର୍ବପର୍ବାଣୀ ରୀତି ନୀତି ବିଷୟରେ ସଚେତନ କରୁଥାନ୍ତି। ସୌମ୍ୟରଞ୍ଜନଙ୍କ ମାଆ ସ୍ନେହ, ମମତାର ଗନ୍ତାଘର। ପୁଅ, ବୋହୂ, ଗାଁ ଲୋକ ସମସ୍ତଙ୍କୁ ସ୍ନେହର ଡୋରିରେ ବାନ୍ଧିଥାନ୍ତି। ସେ କିନ୍ତୁ କାମକୁ ପାରନ୍ତି ନାହିଁ। ବଡ଼ମାଆ ହିଁ ଶୁଭଲକ୍ଷ୍ମୀର ମାଆ। ପାଖେ ପାଖେ ରହି ତାକୁ କାମଦାମରେ ସହାୟତାର ହାତ ବଢ଼ାଇ ଦେଇଥାନ୍ତି।
ବଡ଼ମାଆଙ୍କ ଘର ତାଙ୍କ ଘରଠାରୁ ଡାକେ ବାଟ। ଦରକାର ପଡ଼ିଲେ ବୋଉ ଡାକଟିଏ ପକାଇଲେ ବଡ଼ମା’ ମୁହଁରେ ଅସରାଏ ହସ ବର୍ଷାଇ ବର୍ଷାର ତାଙ୍କ ଘରକୁ ଧାଇଁ ଆସେ। ବୋଉ ବଡ଼ମା’ଙ୍କର ସୁବିଧା ଅସୁବିଧା ଭଲ ମନ୍ଦରେ ଠିଆ ହୁଏ। ବଡ଼ମା’ଙ୍କର ଝିଅଟିଏ। ବଡ଼ବାପା ପାଞ୍ଚବର୍ଷ ହେବ ବାବାଜୀ ହୋଇ ବୃନ୍ଦାବନ ଚାଲିଗଲେ। ବଡ଼ମା’ଙ୍କର ନୟନପିତୁଳା ଥିଲା ଝିଅ ଅଞ୍ଜଳି। ତା’ରି ହସରେ ତାଙ୍କ ମୁହଁରେ ହସ, ତା’ରି କାନ୍ଦରେ ତାଙ୍କ ମୁହଁରେ କାନ୍ଦ।
ବାପା, ବୋଉ ବର୍ଷକ ପରେ ସୌମ୍ୟରଞ୍ଜନଙ୍କ ସଙ୍ଗରେ ଲଗାଇଲେ ତୁ ବୋହୂକୁ ନେଇ ସମ୍ବଲପୁର ଯାଆ। ଆମେ ଏଠରେ ସଂସ୍ଥାକୁ ସମ୍ଭାଳି ନେବୁ। ଗାଁର ପାଣି, ପବନ, ପରିବେଶ, ଧୂଳି ଧୂଆଁ ସହିତ ଆମେ ପରିଚିତ। ବିଭିନ୍ନ ଜାତିର ଲୋକଙ୍କ କଥାରେ ନଥାରେ ସକାଳ କିଭଳି ସନ୍ଧ୍ୟା ହୁଏ ଜଣାପଡ଼େନି। ସୌମ୍ୟରଞ୍ଜନ ଶୁଭଲକ୍ଷ୍ମୀଙ୍କୁ ନେଇ ମିଠା ମିଠା ଖୁସିରେ ସମ୍ବଲପୁର ସିନା ଚାଲିଗଲେ, ହେଲେ ବିବେକର ବୃଶ୍ୱିକ ଦଂଶନର ଜ୍ୱାଳା ସହିପାରିଲେନି। ବାପା, ମାଆଙ୍କର ତାଙ୍କ ଚିନ୍ତା ଓ ତାଙ୍କର ବାପା ବୋଉଙ୍କ ଚିନ୍ତା। କୁମାରପୂର୍ଣ୍ଣମୀ ବେଳକୁ ଶୁଭଲକ୍ଷ୍ମୀଙ୍କ ସହ ଗାଆଁ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା ଦେଖିବାକୁ ଆସିବା ସମୟରେ ବାପା, ମାଆ ସାଙ୍ଗରେ ସମ୍ବଲପୁର ଯିବାପାଇଁ ପ୍ରସ୍ତାବ ଦେଲେ। ବାପାଙ୍କ ମନ ବହୁତ ପ୍ରଗତିଶୀଳ, ଦୂରଦୃଷ୍ଟି ସମ୍ପନ୍ନ। ସାଧାରଣ ଲୋକେ ଯାହା ପଚାଶ ବର୍ଷ ପରେ ଚିନ୍ତା କରନ୍ତି, ବାପା ତାହା ଏବେ ଚିନ୍ତା କରନ୍ତି ଓ ତାକୁ ବାସ୍ତବତାରେ ରୂପାୟିତ କରି ଦେଖାଇ ଦିଅନ୍ତି। ବାପା ସମ୍ବଲପୁର ଯିବା ପାଇଁ ଗୋଡ଼ଟେକି ବସିଲେ।
କିନ୍ତୁ ମାଆର ତୀବ୍ର ପ୍ରତିରୋଧ। ମା’ କହିଲା- ଆମର ବିଲବାଡ଼ି, ଶଗଡ଼, ବଳଦ, ଧାନ ଖଳା ଅଛି ବୋଲି ଆମର ଗାଁରେ ମାନ ସମ୍ମାନ ପ୍ରତିଷ୍ଠା। ଏ ସବୁକୁ ପଛରେ ପକାଇ ମୁଁ ସମ୍ବଲପୁର ଯାଇପାରିବିନି। ଧାନ କଚଡ଼ା ଓ ହଳା ଶଗଡ଼ରେ ବୁହାହୋଇ ଖଳାକୁ ଆସିଲେ ମୋ ପେଟ ପୁରିଯାଏ। ଝରକାବାଟେ ଧାନ ଅମଳ ପାଇଁ ବେଙ୍ଗଳା ବୁଲୁଥିବା ବେଳେ ମୋ ମନ ମିଠା ମିଠା ଖୁସିରେ ହସିଉଠେ।
ମାଆକୁ ବହୁତ ବୁଝାଇ ଶୁଝାଇଲା ପରେ ମାଆ ଟିକେ ବୁଝିଲା ପରି ଜଣାପଡ଼ିଲା। ସୌମ୍ୟରଞ୍ଜନ ବାପା, ମାଆଙ୍କୁ ଧରି ସମ୍ବଲପୁର ଚାଲିଆସିଲା ପରେ ତାଙ୍କ ଘର ସୁଖ, ଶାନ୍ତି ଓ ସନ୍ତୋଷରେ ଭରି ଉଠିଲା। ବାପା, ମାଆ ଏ ଅଜଣା ଜାଗା ଓ ଅଜଣା ପରିବେଶରେ ନିଜକୁ ଏଭଳି ଖାପ୍ ଖୁଆଇ ନେଇ ଚଳିଗଲେ ଯେ ଆଉ ଗାଁ ଯିବାର ନାଁ ଧରିଲେନି। ସୌମ୍ୟ ରଞ୍ଜନଙ୍କ ଦୁଇଟି ପୁଅ ହେଲା ପରେ ସେମାନଙ୍କ ଲାଳନପାଳନରେ ତାଙ୍କର ସମୟ କଟିଗଲା।
ଗାଁ ଘରେ ତାଲା ପଡ଼ିଲା। ବିଲ ସବୁ ଭାଗରେ ବା ସଞ୍ଜାରେ ଦିଆଗଲା ବଡ଼ ମା’ ହିଁ ପ୍ରତିଦିନ ଗାଁ ଘରକୁ ଆସି ବାହାରକୁ ସଫା କରନ୍ତି। ରଜବେଳକୁ ସୌମ୍ୟରଞ୍ଜନ ଗାଁକୁ ଆସନ୍ତି। ଭାଗଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ତାକୁ ବିକ୍ରି କରି ସମ୍ବୁଲପୁର ଫେରି ଯାଆନ୍ତି। ଗାଁରେ ଯେଉଁ ଆଠଦଶ ଦିନ ରହନ୍ତି, ବଡ଼ମାଆଙ୍କ ଗୋଡ଼ ତଳେ ଲାଗେନା। ତାଙ୍କ ପାଇଁ କେତେ ପିଠାପଣା, କେତେ ଜାତି ତରକାରୀ ବାଢ଼ି ଦିଅନ୍ତି। ସେ ଫୁଲ ବରା ଓ ସଜନାଶାଗ ଭଜା ଭଲ ପାଆନ୍ତି ବୋଲି ବଡ଼ମାଆ ଘରଘର ବୁଲି ସଜନା ଶାଗ ଓ କଖାରୁ ଫୁଲ ସଂଗ୍ରହ କରନ୍ତି। ରାତିରେ ସୌମ୍ୟରଞ୍ଜନ ଘରେ ଶୁଅନ୍ତି ଓ ବଡ଼ମାଆ ତାଙ୍କୁ ଜମା ଛାଡ଼ି ଯାଆନ୍ତିନି। ଘର ପିଣ୍ଡାରେ ପଡ଼ିଥିବା ଖଟରେ ବଡ଼ମା’, ଅଞ୍ଜଳି ସହ ମିଶି ଶୁଅନ୍ତି। ବଡ଼ମାଆଙ୍କୁ ରାତିଯାକ ନିଦ ମାଡ଼େନା। ମନରେ ଚିନ୍ତା ସୌମ୍ୟ ଭଲରେ ଶୋଇଲାକି ନାହିଁ। ସହରର ତୋଫା ଆଲୁଅରେ ତା ଜୀବନ ବିତୁଛି। ଗାଁର ନିଟୋଳ ଅନ୍ଧାରରେ କାଳେ ପିଲାଟାକୁ ଡର ଲାଗୁଥିବ, ଏହି ଚିନ୍ତାରେ ବଡ଼ମା’ ଖଟ ଉପରେ ଖାଲି ଘଡ଼ିକୁ ଘଡ଼ି କଡ଼ ଲେଉଟାଉଥାନ୍ତି।
ଆସିଲା ଦିନ ଗାଁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ସୌମ୍ୟରଞ୍ଜନଙ୍କ ବ୍ୟାଗ୍ଟିକୁ ଧରିଧରି ଆସନ୍ତି। ସୌମ୍ୟ ନିଜେ ଧରିବା ପାଇଁ ଯେତେ ଜିଦ୍ କଲେ, ସେ ଶୁଣନ୍ତିନି। କହନ୍ତି, “ମୁଁ ହାତ ଗୋଡ଼ ଚାଲୁଥିଲା ପର୍ଯ୍ୟନ୍ତ ତୁ ଏ ବୋଝ ବୋହି ପାରିବୁନି।” ଆସିଲା ଦିନ ସୌମ୍ୟ ବଡ଼ମା’ଙ୍କ ହାତରେ ଏକ ହଜାର ଟଙ୍କା ଗୁଞ୍ଜିଦିଅନ୍ତି।
ବଡ଼ମାଆ ନେବାକୁ ଭାରି ଅମଙ୍ଗ ହୁଅନ୍ତି। କହନ୍ତି- “ମୁଁ ସୁଖରେ ଦୁଃଖରେ ଚଳିଯାଉଛି। ଆ’ଘର ତା’ଘର ପାଇଟି କରି ଆମ ମାଆଝିଅଙ୍କ ପେଟ ଚାଖଣ୍ଡର ଆଶା ମେଣ୍ଟି ଯାଉଛି। ତୁ ବଡ଼ମା’ର ଗୋଟିଏ ବଡ଼ କାମ କରିଦେବୁ, ବାବୁ। ଏ ଅଞ୍ଜଳିର ବାହାଘରଟା ତୁ ଉଠେଇ ଦେବୁ। ତା’ର ବାହାଘର ସରିଗଲେ ମୋ ମୁଣ୍ଡ ଉପରେ ଚେକାମାଲି ପକାଇ ବସିଥିବା ପାହାଡ଼ଟି ଫୁଲଟିଏ ପରି ହସି ଉଠିବ।”
ଆଶ୍ୱସ୍ତି ଭରି ଦେଲାଭଳି ସ୍ୱରରେ ସୌମ୍ୟରଞ୍ଜନ କହିଲେ- “ତମେ ଜମା ବ୍ୟସ୍ତ ହୁଅନା, ବଡ଼ମା’। ତୁମେ ଏତେ ଭଲ ଲୋକ, ଅଞ୍ଜଳିଟି ସୁନାନାକି ଝିଅଟିଏ। ଈଶ୍ୱରଙ୍କର ଅପାର କରୁଣା। ତମ ଝିଅର ବାହାଘର ଭଲରେ ଭଲରେ ହେବ।”
ବଡ଼ମା’ ମୁହଁରେ ଚେନାଏ ହସ ଝୁଲାଇ କହନ୍ତି- “ପୁଅ, ତୁମେ ଲକ୍ଷେ ଟଙ୍କା ଦେଲେ ମୁଁ ଅଞ୍ଜଳି ବାହାଘରଟା ଉଠେଇ ଦେବି। ହଁ, ଆମର ତ ଘରଡ଼ିହ ଛାଡ଼ି ବାଡ଼ି ଦୁଇଗୁଣ୍ଠ ଅଛି। ମୁଁ ସେ ବାଡ଼ିଟା ତମ ନାମରେ କରିଦେବି।”
ସୌମ୍ୟରଞ୍ଜନ ମାଉସୀଙ୍କ କଥା ଶୁଣି ହଡ଼ବଡ଼େଇ ଯାଆନ୍ତି। ଥମ ମମ ହୋଇ କହନ୍ତି- “ଆଗେ ଅଞ୍ଜଳିର ବାହାଘର ଭଲରେ ଭଲରେ ହୋଇଯାଉ। ସେକଥା ପର କଥା।”
“ନାଇଁ ପୁଅ, ତୁମେ ସେ ଜମିଖଣ୍ଡିକ ନ ନେଲେ ମୁଁ ବଡ଼ ଋଣୀ ହୋଇ ରହିଯିବି। ଶାନ୍ତିରେ ମରି ପାରିବିନି। ଗାଁର ପଡ଼ିଆ ଜମି ଦୁଇଗୁଣ୍ଠ, କେତେ ଦାମ୍ ହେବ ଯେ? ତୁମ ଋଣର କିଛି ଅଂଶ ଦେଇଦେଲେ, ମୁଁ ଖଲାସ୍। ଅଞ୍ଜଳି ବାହା ହୋଇ ଦୂରକୁ ଚାଲିଯିବ। ଏ ବାଡ଼ିଟାକୁ ବାହାର ଲୋକ ଖାଇବେ। ବରଂ ତୁମ ପାଖରେ ରହିଲେ, ମୋ ମନକୁ ଉଶ୍ୱାସ ଲାଗିବ।”
“ବଡ଼ମାଆ! ତୁମ ସ୍ନେହ, ମମତା ଭଲ ପାଇବାର ମୂଲ୍ୟ ଅମୂଲ ମୁଲ। ତୁମ ପାଖରେ ଆମ ପରିବାର, ବିଶେଷ କରି ମୁଁ ଋଣୀ। ତମର ଦରକାର ବେଳେ କିଛି ସହାୟତାର ହାତ ବଢ଼େଇଲେ ମୁଁ ତୁମ ଋଣରୁ ଚେନାଏ ଶୁଝି ପାରିବାକୁ ସକ୍ଷମ ହେବି।”
“ନାଇଁ, ନାଇଁ ପୁଅ, ସେକଥା ହେବନି। ମୋ ଛୋଟ ମୁହଁରେ ବଡ଼କଥା। ଆକୁ ମାନିବ।”
ତାପରେ ପଦୋନ୍ନତି ପାଇ ସୌମ୍ୟରଞ୍ଜନଙ୍କର ଚେନ୍ନାଇକୁ ବଦଳି ହେଲା। ବାପା, ମାଆ, ସ୍ତ୍ରୀ, ଦୁଇପୁଅକୁ ନେଇ ଚେନ୍ନାଇ ଚାଲିଗଲେ।
ପ୍ରତିବର୍ଷ ଯେପରି ଲକ୍ଷ୍ମୀପୂଜା ପାଇଁ ଓ ରଜ ବେଳକୁ ଗାଁକୁ ଧାନ ବିକ୍ରି ପାଇଁ ଆସୁଥିଲେ, ଆଉ ଆସି ପାରିଲେନି। ଭାଗଚାଷୀମାନେ ଧାନ ବିକ୍ରି କରି ଟଙ୍କା ତାଙ୍କ ପାଖକୁ ପଠାଇ ଦେଉଥିଲେ। ବଡ଼ମାଆ କିନ୍ତୁ ତାଙ୍କ ଘରକୁ, ବାଡ଼ି ବଗିଚାକୁ ସତର୍କ ପ୍ରହରୀ ପରି ଜଗିରହିଥିଲେ।
ତିନିବର୍ଷ ପରେ ବଡ଼ମାଆଙ୍କ ଚିଠି ଖଣ୍ଡିଏ ପାଇ ସୌମ୍ୟରଞ୍ଜନଙ୍କୁ କୋଟିନିଧି ପାଇଲା ଭଳି ଲାଗିଲା। ଚିଠିର ଅକ୍ଷରଗୁଡ଼ିକ ମେଳରେ ବଡ଼ମାଆଙ୍କ ପୁନେଇ ଜହ୍ନଭଳି ତୋଫା ଗୋରା ମୁହଁ ଜକଜକ ହୋଇ ଦେଖାଯାଉଥିଲା। ପୁଞ୍ଜାଏ ମଲ୍ଲୀଫୁଲର ରୋଷଣି ଭଳି ଅସରାଏ ହସ ଚିଠିକୁ ଭିଜାଇ ଦେଉଥିଲା।
ଅଞ୍ଜଳିର ବାହାଘର ଠିକ୍ ହୋଇଯାଇଛି। ମାସକ ପରେ ହେବ। ଲକ୍ଷେ ଟଙ୍କା ପଠାଇବାକୁ କାକୁତିମିନତି ହୋଇ ନେହୁରା ହୋଇ ଲେଖିଥିଲେ ବଡ଼ମା’। ବାହାଘରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଫୋନ୍ରେ କହିଲେ ଅନେକ କଥା କହିଲା ବେଳକୁ ଶବ୍ଦଗୁଡ଼ାକ ତଣ୍ଟି ପାଖରେ ଲାଖି ଯାଆନ୍ତି। ଅନେକ କଥା ଅକୁହା ହୋଇ ରହିଯାଏ। ଚିଠିରେ ମର୍ମସ୍ପର୍ଶୀ ଢଙ୍ଗରେ ବଡ଼ମା’ ତାଙ୍କ ହୃଦୟର କଥା ଯେଭଳି ଲେଖିଥିଲେ, ତାକୁ ପଢ଼ି ତାଙ୍କ ଆଖି ଓଦାଓଦା ହୋଇଗଲା। ବଡ଼ମାଆ ତାଙ୍କ ବ୍ୟାଙ୍କ ପାସ୍ବୁକ୍ର ପ୍ରଥମ ପୃଷ୍ଠାର ଜେରକ୍ସ କପି ପଠାଇଥିଲେ।
ବାହାଘର ସମୟରେ ଦିଲ୍ଲୀରେ ଏକ ଜରୁରୀ ଟ୍ରେନିଂ ପଡ଼ିବାରୁ ଇଚ୍ଛା ଥିଲେ ବି ସୌମ୍ୟରଞ୍ଜନଙ୍କ ବାହାଘରରେ ଯୋଗ ଦେଇପାରିଲେନି। ସେଥିପାଇଁ ବଡ଼ମା’ଙ୍କ ଠାରୁ ଫୋନ୍ କରି କ୍ଷମା ପ୍ରାର୍ଥନା କରିଥିଲେ।
ସୌମ୍ୟରଞ୍ଜନ ବଡ଼ମାଆଙ୍କର ଆକାଉଣ୍ଟକୁ ଦେଢ଼ଲକ୍ଷ ଟଙ୍କା ପଠାଇଦେଲେ। ବଡ଼ମାଆ ଆନନ୍ଦ କହିଲେ ନ ସରେ। ଏ ଟଙ୍କ ନ ହୋଇଥିଲେ ଏତେ ଭଲ ପ୍ରସ୍ତାବଟା ହାତରୁ ଖସିଯାଇଥାନ୍ତା। ଜ୍ୱାଇଁ ପୁଅ ଥିଲା ଘରର ଶାନ୍ତଶିଷ୍ଟ ପିଲା। ମାଛିକୁ ମ’ କହେ ନାହିଁ। ହଲିଲା ପାଣିକୁ ଗୋଡ଼ ବଢ଼ାଏ ନାହିଁ। ସରକାରୀ ପ୍ରାଥମିକ ସ୍କୁଲରେ ଶିକ୍ଷକ, ଅଭାବ ଅସୁବିଧା ନାହିଁ। ଝିଅର ପେଟ ଅପୁରା ରହିବ ନାହିଁ। ଝିଅର ଶାଶୂରଘର ଗାଁ ଦଶକୋଶ ହେବ। ସୁବିଧା ଅସୁବିଧାରେ ତାଙ୍କ ପାଖକୁ ଜ୍ୱାଇଁଙ୍କ ସାଙ୍ଗରେ ମଟରସାଇକେଲରେ ଧାଇଁ ଆସିବ।
ଅଞ୍ଜଳିର ବାହାଘର ଭଲରେ ଭଲରେ ହୋଇଗଲା ବୋଲି ବଡ଼ମା ସୌମ୍ୟରଞ୍ଜନଙ୍କୁ ଖୁସିରେ ଉଚ୍ଛୁଳି ଉଚ୍ଛୁଳି ଫୋନ୍ରେ କହିଥିଲେ। ସୌମ୍ୟ ଏକ ଅପୂର୍ବ ନିର୍ମଳ ଆନନ୍ଦରେ ବିଭୋର ହୋଇଯାଇଥିଲେ। ଅସରନ୍ତି ଆଶ୍ୱସ୍ତିରେ ତାଙ୍କ ତନୁମନରେ ପତ୍ର କଅଁଳି ଉଠୁଥିଲା। ପରୋପକାରରେ ଯେଉଁ ଶାନ୍ତି ଓ ସନ୍ତୋଷ ମିଳେ ସେ ତାକୁ ମର୍ମେ ମର୍ମେ ଅନୁଭବ କରିଥିଲେ। ବଡ଼ମା’ଙ୍କ ଠାରୁ ପାଇଥିବା ବିପୁଳ ଋଣର କିୟଦଂଶ ପରିଶୋଧ କଲେ ବୋଲି ମନେମେନ ଭାବୁଥିଲେ।
ଦୁଇବର୍ଷ ହେବ ଗାଁକୁ ଯାଇ ନାହାନ୍ତି ବୋଲି ସୌମ୍ୟଙ୍କ ମନ ଛଟପଟ ହେଉଥିଲା। ଏକ ସପ୍ତାହ ଛୁଟି ନେଇ ରଜବେଳକୁ ଗାଁକୁ ବାହାରିଗଲେ। ଗାଁ ଯେତିକି ଯେତିକି ପାଖେଇ ଯାଉଥାଏ, ସେ ସେତିକି ସେତିକି ରୋମାଂଚିତ ଅନୁଭବ କରୁଥାନ୍ତି। ଗାଁର ପାହାଡ଼, ମନ୍ଦିର, ଜାଉଁଳି ପୋଖରୀ, ଆମ୍ବ ବଗିଚା, ଶସ୍ୟ କ୍ଷେତ୍ର ତାଙ୍କ ଆଖି ଆଗରେ ଝଲସି ଉଠୁଥାଏ।
ଗାଁର ବସ୍ଷ୍ଟାଣ୍ଡରେ ଓହ୍ଲାଇପଡ଼ିଲା ବେଳକୁ ଦେଖିଲେ କିଟିକିଟି ଅନ୍ଧାର। ରାତି ନଅଟା। ଲୋକମାନେ ପହଡ଼େ ପହଡ଼େ ଶୋଇ ସାରିଲେଣି। ସାଇଁ ସାଇଁ ହୋଇ ନିଶା ଗର୍ଜୁଛି। ସୌମ୍ୟ ମନେ ପକାଉଥିଲେ, ବାପା ଗାଁରେ ଥିଲାବେଳେ ପ୍ରତି ଶନିବାର ଦିନ ଲଣ୍ଠନଟିଏ ଧରି ବାହାଳିତୋଟା ନିକଟସ୍ଥ ବସ୍ଷ୍ଟାଣ୍ଡରେ ଚାତକ ଭଳି ତାଙ୍କ ଆସିବା ବାଟକୁ ଅନେଇଥାନ୍ତି। ବସ୍ରୁ ଓହ୍ଲେଇପଡ଼ିଲେ ସେ ମିଠାମିଠା ଖୁସିରେ ତରଳି ଯାଆନ୍ତି।
ସୌମ୍ୟ ଆଟାଚିକୁ ଅଣ୍ଡାଳିଲେ। ଟର୍ଚ୍ଚଟିକୁ ଆଣିବାକୁ ଭୁଲି ଯାଇଛନ୍ତି। ଅନନ୍ୟୋପାୟ ହୋଇ ଅନ୍ଧାରରେ ରାସ୍ତା ବାରି ବାରି ଚାଲିବା ଆରମ୍ଭ କରୁ କରୁ ପହଂଚିଗଲେ ବଡ଼ମାଆ। ହାତରେ ଲଣ୍ଠନ।
“ବଡ଼ମାଆ! ତୁମେ କାହିଁକି ହଇରାଣ ହୋଇ ଆସିଲ? କେମିତି ଜାଣିଲ ମୁଁ ଆଜି ଆସିବି ବୋଲି?”
“ନାଇଁ ପୁଅ। ତମେ ସହରର ଆଲୁଅ ଭିତରେ ରହୁଛ। ଏ ଅନ୍ଧାରର ଅର୍ଗଳି ଭିତରେ କେତେ ଖାଲ ଖମା। ଝୁଣ୍ଟି ପଡ଼ିଲେ ଲହୁଲୁହାଣ ହେବ। ହଁ ପୁଅ, ତମେ ଆଜି ଆସିବ ଆସିବ ବୋଲି ମୋତେ କାହିଁକି ବାସ୍ନା ହେଉଥିଲା।”
ବଡ଼ମା ଝଡ଼ି ଯାଇଥିଲେ। ଦେହଟା ନହକା ନହକା ଦେଖା ଯାଉଥିଲା। କିନ୍ତୁ ଗୋରା ତକତକ ମୁହଁରେ ପ୍ରକଟିତ ହେଉଥିଲା ଚିରାଚରିତ ସ୍ମିତ ହାସ୍ୟ। ଯାହା ଭିତରେ ଥିଲା ଚନ୍ଦ୍ରାଲୋକର ଶୀତଳତା। ତାଙ୍କ ପ୍ରତିଶବ୍ଦର ଉଚ୍ଚାରଣରୁ ଝରି ପଡ଼ୁଥିଲା ମମତାଭିଜା ଅମୃତମୟ ବାଣୀ। ସକାଳ ବ୍ୟଥା, ବେଦନା, ବ୍ୟର୍ଥତା ସତ୍ତ୍ୱେ ମଣିଷ ଯେ ପଦ୍ମପାଖୁଡ଼ା ପରି ଫୁଟି ଉଠିପାରେ, ବଡ଼ମା ଥିଲେ ତା’ର ଜ୍ୱଳନ୍ତ ଦୃଷ୍ଟାନ୍ତ।
“ବଡ଼ମା’! ତମେ କାହିଁକି ଝଡ଼ିଯାଇଛ? ଝିଅର ବୋଝରୁ ମୁକୁଳିବା ପରେ ତମ ଦିହରେ ମାଉଁସ ଲାଗିବା କଥା।”
“ପୁଅ ଏବେ ଦିଅଟା କାହିଁକି ଭଲ ରହୁନି। ଟାଇଫଏଡ୍ ଜ୍ୱର ହୋଇ ମୋ ଅଣ୍ଟା ଭାଙ୍ଗି ଦେଇଛି।”
ଏମିତି କଥା ହେଉହେଉ ପହଂଚିଗଲେ ଘର ପାଖରେ। ଘର ସାମ୍ନାରେ ବରଗଛଟି ପିଲାଦିନର ସମଗ୍ର ସ୍ମୃତିକୁ ଜାବୁଡ଼ି ଧରି ଛିଡ଼ା ହୋଇଛି ଋଷିଟିଏ ପରି।
“ବଡ଼ ମା’! ମୁଁ ଆଜି ଚଣ୍ଡିଖୋଲରେ ପେଟେ ଖାଇଦେଇଛି। ମୋ ପାଇଁ କିଛି ଖାଇବାକୁ କରିବନି। ମୁଁ ଭାରି କ୍ଲାନ୍ତ। ଶୋଇପଡ଼ିବି।“
“ହଁ ପୁଅ। ତୁମର ଋଣ ମୁଁ ଶୁଝିପାରିବିନି। ଠିକ୍ ସମୟରେ ମୋଟା ଟଙ୍କା ପଠାଇଲ ବୋଲି ଝିଅର ବାହାଘର ଭଲରେ ଭଲରେ ହୋଇଗଲା। ଝିଅ ଶାଶୂଘରେ ଖୁସିରେ ଅଛି। ପୁଅ ତମେ ତ ପାଞ୍ଚ ସାତ ଦିନ ଗାଁରେ ରହିବ। କାଲି ରଘୁଆକୁ ସାଙ୍ଗରେ ନେଇ ଟିକେ ଅଞ୍ଜଳି ଘର ଆଡ଼େ ବୁଲି ଆସିବ। ତା’ ବାହାଘରକୁ ଆସିପାରିଲନି। ତମକୁ ଦେଖିଲେ ବହୁତ ଖୁସି ହେବ। ହଁ, ଗାଁ ଘରଡ଼ିହ ଓ ବାରିକୁ ତମ ନାମରେ ରେଜିଷ୍ଟ୍ରି କରିଦେବି। ସେ କାମ ସରିଲେ ତମେ ଯାଇ ଯିବ। ଝିଅତ ଦୂରରେ ରହିଲା। ଏ ଜାଗାକୁ ଇଏସିଏ ମାଡ଼ିବସିବେ।”
“ନାଇଁ ବଡ଼ମା’! ତମେ କାହିଁକି ଏପରି ବ୍ୟସ୍ତ ହେଉଛ। ସମୟ କ’ଣ ପଳେଇ ଯାଉଛି। ତମେ ଯେତେ ସ୍ନେହମମତାର ଅମୃତ ପାନ କରିବାକୁ ଆମକୁ ଦେଇଛ, ତା ତୁଳନାରେ ଦେଢ଼ଲକ୍ଷ ଟଙ୍କା କିଛି ନୁହେଁ।
“ନାଇଁ ପୁଅ, ତାକୁ ତମ ନାଁରେ କବଲା କରିଦେଲେ ମୋତେ ଟିକେ ଶାନ୍ତି ମିଳିବ। ଅଞ୍ଜଳି ବାହାଘର ଭଲରେ ହୋଇଗଲା। ଏବେ ଜମି ରେଜିଷ୍ଟ୍ରି କରିଦେଲେ ମୁଁ ଖୁସି ମନରେ ଆରପାରିକୁ ଚାଲିଯିବି। ମୋ ଜମିର ଦାମ୍ ତ ତମେ ଦେଇଥିବା ଟଙ୍କାର ଦଶ ଭାଗରୁ ଭାଗେ। ମୋର ଯାହା ଅଛି, ତୁମକୁ ଦେଲେ ମୋତେ ଶାନ୍ତି ମିଳିବ।”
“ନାଇଁ ବଡ଼ ମା’, ସେପରି କୁହନା। ତମେ ଏଠି ଅଛ ବୋଲି ଗାଁ ସହିତ ଆମର ଡୋରି ଲାଗିଛି। ଆମ ମନର କୋଠରିରେ ତମେ ବାଇ ଚଢ଼େଇ ପରି ଘର କରି ରହିଯାଇଛ। ମା’ଠୁ ମମତାମୟୀ ଆମ ବଡ଼ମା’।”
କହିଲାବେଳେ ସୌମ୍ୟରଞ୍ଜନଙ୍କ ଆଖି ଦୁଇଟିରେ ଢଳଢଳ ହେଉଥିଲା ଲୁହ।
ତା’ପରଦିନ ସୌମ୍ୟ ସକାଳୁ ଉଠିଲା ବେଳକୁ ଦିନ ଆଠଟା। ବାହାରକୁ ଆସି ଦେଖିଲେ ବଡ଼ମା’ ନାହାନ୍ତି। ଏତେ ବେଳକୁ ବଡ଼ମା’ କେତେ ଜାତି ତରକାରୀ କରି ମୋ ଚାରିକଡ଼େ ଘାଇଁ ଘାଇଁ ବୁଲୁଥାନ୍ତେ। ହଁ, ସେ ଭଲ ପାଉଥିବା ଫୁଲ ବରା ପାଇଁ କଖାରୁ ଫୁଲ, ସଜନା ଶାଗ ସଂଗ୍ରହ ଅଭିଯାନରେ ବେଗୁନିଆ ସାହିକୁ ଯାଇଥିବେ।
ଦାନ୍ତ ଘଷିସାରି ଦାଣ୍ଡ ଦୁଆରେ ବସିଥିବା ବେଳେ ରଘୁଆ ଯିବାର ଦେଖି ତାଙ୍କର ବଡ଼ମା’ କହିଥିବା କଥା ମନେ ପଡ଼ିଲା।
“ରଘୁଆ! କେମିତି ଅଛୁ।”
“ହଁ ଭାଇ ଭଲ ଅଛି।”
“ଶୁଣୁ। ଆଜି ତୋ ସାଙ୍ଗରେ ଅଞ୍ଜଳି ଘରକୁ ଯିବାକୁ ବଡ଼ମାଆ କାଲି ରାତିରେ କହିଛନ୍ତି। ଆମେ ସାଙ୍ଗ ହୋଇ ଦଶଟା ବେଳକୁ ବାହାରି ସନ୍ଧ୍ୟା ସୁଦ୍ଧା ଗାଁକୁ ଫେରିଆସିବା।”
“କେଉଁ ବଡ଼ମା’?”
“ଅଞ୍ଜଳିର ମା’।”
“ଚାରିମାସ ତଳେ ଟାଏଫଏଡ୍ରେ ତାଙ୍କର ତ ଦେହାନ୍ତ ହୋଇଯାଇଛି।”
“କ’ଣ କହୁଛୁ ରଘୁଆ?”
ଭେଁ ଭେଁ ହୋଇ ସୌମ୍ୟ କାନ୍ଦିବାକୁ ଲାଗିଲେ। ଛାତି ଭିତରୁ କୋହ ଦୁଲୁକି ଉଠୁଥାଏ। ଲୁହର ନଦୀ ଆଖିର ଉପକୂଳକୁ ଲଂଘି କପୋଳକୁ ଭିଜାଇ ଦେଉଥାଏ। … ଗତକାଲି ତେବେ ସେ ଥିଲେ ବଡ ମା’ଙ୍କ ଦିବଂଗତ ଆତ୍ମା!
ରଘୁଆକୁ ସାଙ୍ଗରେ ଧରି ଅଞ୍ଜଳି ଘରେ ପହଁଚିଲା ପରେ ଖୁସିରେ ଅଞ୍ଜଳି ଗୋଡ଼ ତଳେ ଲାଗୁନଥିଲା। ଖାଇ ପିଇ ସାରିଲା ପରେ ଅଞ୍ଜଳି କହିଲା- “ଭାଇ, ବୋଉ ମୋତେ ବାରବାର କରି କହିଯାଇଛି ଆମ ଘରଡ଼ିହ ଓ ବାଡ଼ି ତମ ନାଆଁରେ କବଲା କରିଦେବାକୁ। ବାହାଘର ପାଇଁ ଯେଉଁ ଦେଢ଼ଲକ୍ଷ ଟଙ୍କା ପଠାଇଥିଲ, କୋଡ଼ିଏ ହଜାର ଟଙ୍କା ବଳିଥିଲା। ତାକୁ ଦେଇଯାଇଛି ତମକୁ ଫେରାଇବାକୁ। କାଲି ସବ୍ରେଜିଷ୍ଟ୍ରାର ଅଫିସ ଯାଇ କବଲା କରିଦେବା। ମୁଁ ଆଗରୁ ସବୁ କାଗଜପତ୍ର କାମ ସାରିଦେଇଛି। ଏ ଦୁଇଟି କାମ କରିଦେଲେ ମୋ ବୋଉର ଅତୃପ୍ତ ଆତ୍ମା ଶାନ୍ତିରେ ହସି ଉଠିବ। ସେ ଋଣମୁକ୍ତ ହେବ।”
ସୌମ୍ୟରଞ୍ଜନଙ୍କ ଆଖି ଦୁଇଟି ଲୁହରେ ଟଳମଳ। ପେଟରୁ ହାବୁକା ମାରି ଆସୁଥିବା କୋହକୁ ଛାତିରେ ଜାକିବାକୁ ଯେତେ ଚେଷ୍ଟା କଲେବି ତାହା ଉତୁରି ପଡ଼ୁଥିଲା।
ବହୁତ ସୁନ୍ଦର ।
ଧନ୍ୟବାଦ ସାର୍।
ଧନ୍ୟବାଦ ଅଶେଷ।
Nice
ଧନ୍ୟବାଦ।
ଜୟ ଜଗନ୍ନାଥ। ସୁନ୍ଦର ଗଳ୍ପଟିଏ ପାଇଁ ଲେଖକଙ୍କୁ ଅଭିନନ୍ଦନ।
ଧନ୍ୟବାଦ ବିକାଶ ବାବୁ।
ଗଳ୍ପଟି ଭଲ ଲାଗିଲା।ଏକ ନିଃଶ୍ବାସରେ ପଢି ଶେଷ କଲି।
ଗଳ୍ପର ନାୟକ ଜଣେ ଶିକ୍ଷିତ ଯୁବକ ଓ ସେ କର୍ମକ୍ଷେତ୍ରରେ ସହରରେ ରହୁଥିଲେ ବି ଗାଁ ପ୍ରତି ଓ ଗାଆଁରେ ରହୁଥିବା ତାଙ୍କ ବଡ଼ମାଆଙ୍କ ପ୍ରତି ଅନୁରକ୍ତ ଥିଲେ ଯାହା ଆଜିକାଲି ବିରଳ।
ଉଚ୍ଚ କୋଟୀର ମନ୍ତବ୍ୟ ପାଇଁ ଧନ୍ୟବାଦ ସାର୍।
ଅତ୍ୟନ୍ତ ମନଛୁଆଁ ଗଳ୍ପ।
Beautiful story. The presentation is so real and perfect that there was no element of suspense and fear although Bada Maa was dead four months ago but leading Saumyaranjan .
Both the characters. Present very positive vibes.
Many thanks .
ଭାରି ଭଲ ଲାଗିଲା ,ଗପଟି ମର୍ମସ୍ପର୍ଶୀ ହୋଇଛି। ଅତି ସୁନ୍ଦର୍ । ଭଲ ସ୍ଵାସ୍ଥ୍ୟ କାମନା କରୁଛି।ଲେଖୁଥାନ୍ତୁୁ ସାର୍।
Beautiful presentation of the feelings towards the village and the Bada Maa character. A perfect tribute to the relationship in village bonding. Please keep writing Sir 🙏🙏
🙏 ଗଳ୍ପଟି ମନଛୁଆଁ ହୋଇଛି l ଏକ ନିଶ୍ୱାସ ରେ ପଢିବା ପରି ଗପଟିଏ l ଶେଷ ଭାଗ ଗପ କୁ ବେଶୀ ଆକର୍ଷଣୀୟ କରିଛି l ଏପରି ଲେଖା ପାଇଁ ଗାଳ୍ପିକ ପ୍ରଶଂସା ର ଯୋଗ୍ୟ l 🙏
ଧନ୍ୟବାଦ ଅଶେଷ।
Beautiful story showing the truthfulness and honesty of then rural people.
ଅଶେଷ ଧନ୍ୟବାଦ।
Beautiful story. Really heart touching.
ଅନେକ ଅନେକ ଧନ୍ୟବାଦ।
Really very good short story. Touched my heart.
ହୃଦୟସ୍ପର୍ଶୀ ମନ୍ତବ୍ଯ ।
The twist at the end of the story urges readers to go back to some of the previous paragraphs . This is hallmark of a story well told. Language and choice of words are additional attractions.
Appreciative comments from the leading story writer of our state who had brought about a new dimension in story writing are quite satisfying.Many thanks Sir.
ଗଳ୍ପଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି l ମୁଁ ଏକା ନିଶ୍ୱାସରେ ପଢ଼ିଗଲି ଓ ଶେଷରେ ଆଖିରୁ ଦୁଇ ବୁନ୍ଦା ଲୁହ ଝରିଗଲା l ଜୀବନ୍ତ ଓ ଅନବଦ୍ୟ ସୃଷ୍ଟି l ଏପରି ଲେଖି ଚାଲନ୍ତୁ ସାର l ଅନେକ ଶୁଭେଚ୍ଛା ଓ ଶୁଭକାମନା l
ଆପଣଙ୍କ ହୃଦୟସ୍ପର୍ଶୀ ମନ୍ତବ୍ଯ ମନକୁ ଛୁଇଁ ଗଲା।ଧନ୍ୟବାଦ ମହାପାତ୍ର ବାବୁ।
Heart touching story.
ଧନ୍ୟବାଦ ଗୀତାଞ୍ଜଳୀ।ତୁମ ମନକୁ ଛୁଇଁ ଥିବାରୁ ମୁଁ ଖୁସି।