ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟର କବିତା: ‘ମନୁଆ ଦାଶ’

ବିଶ୍ଵନାଥ ସାହୁ

କେଉଁ ଓଡ଼ିଆ କବିତାଟି ମୋତେ ଭଲ ଲାଗେ, ଏବଂ କାହିଁକି?
ଏହି ଶୀର୍ଷକରେ କିଛିଦିନ ତଳେ ଆମେ ପ୍ରତିଯୋଗିତାଟିଏର ଘୋଷଣା କରିଥିଲୁ। ନିଜ ମନପସନ୍ଦର ଯେକୌଣସି କବିତାଟିଏ ପଢି ତାହା ଉପରେ ନିଜର ପାଠକୀୟ ମତାମତ ଦେବାପାଇଁ ପ୍ରତିଯୋଗୀମାନଙ୍କୁ ନିବେଦନ କରାଯାଇଥିଲା ଏବଂ ଏଥିରେ ଭାଗନେବାପାଇଁ ପ୍ରତିଯୋଗୀଙ୍କ ବୟସ ସୀମା ରଖାଯାଇଥିଲା ୧୪ ରୁ ୨୮ ବର୍ଷ। ଏବର ଯୁବ-ପିଢ଼ି ମଧ୍ୟରେ ଓଡ଼ିଆ କବିତା ପଠନର ସ୍ପୃହାକୁ ଉତ୍ସାହିତ କରିବା ଥିଲା ଆମ ପ୍ରତିଯୋଗିତାଟିର ମୁଖ୍ୟ ଉଦ୍ଦେଶ୍ୟ।
ଶ୍ରୀ ବିଶ୍ଵନାଥ ସାହୁଙ୍କ ଦ୍ଵାରା ରଚିତ ଏହି ସମୀକ୍ଷାଟି ପ୍ରତିଯୋଗିତାର ଶ୍ରେଷ୍ଠ ଲେଖା ଭାବରେ ବିବେଚିତ ହୋଇଛି ଏବଂ ଏଥିପାଇଁ ପ୍ରତିଯୋଗୀଙ୍କୁ ଟ. ୫୦୦୦/- ର ପୁରସ୍କାର ରାଶି ସହ ପ୍ରଶଂସାପତ୍ର ଏବଂ ଓଡ଼ିଆ ପୁସ୍ତକର ଏକ ସେଟ ମଧ୍ୟ
ଉପହାର ସ୍ଵରୂପ ପ୍ରେରିତ ହେବ।

ସମ୍ପାଦକ, ସାହିତ୍ୟ ଚର୍ଚ୍ଚା

ଆଙ୍ଗିକ ଓ ଆତ୍ମିକ ଭେଦରେ ପ୍ରତ୍ୟେକ କବିତାର ଦିଗ ଦ୍ଵିବିଧ। କିଛି କବିତାର ଭାବ ସମ୍ବେଦନ ତୀକ୍ଷ୍ଣ ଥାଏ। ଭେଦିଯାଏ ହୃଦୟରୁ ହୃଦୟାନ୍ତର। ଆଉ କିଛି କବିତା ଥାଏ, ଯାହା ଭାବ ଅପେକ୍ଷା ଆଙ୍ଗିକ କାରୁକାର୍ଯ୍ୟରେ ବଳିଷ୍ଠ। ସେଠି ଆମେ ଦେଖୁ ତା’ର ଷ୍ଟ୍ରକଚର୍। ସେଠି ଶବ୍ଦ ବସାଣ, ପଦଭଙ୍ଗ, ଲୟ, ପଦପାତ ଆଦି ହୁଏ ବିଚାର୍ଯ୍ୟ ବିଷୟ। ସମକାଳୀନ କାବ୍ୟ ଧାରାର ଯଶବାନ ପ୍ରଖର କବି ଭାରତ ମାଝୀଙ୍କ ‘ମାର୍ଫତ୍ ଫୁଟପାଥ’ କବିତା ସଙ୍କଳନରେ ସ୍ଥାନିତ ‘ମନୁଆ ଦାଶ’ ସେ ଧରଣର ଏକ ଶକ୍ତିଶାଳୀ କବିତା। ନିଜ ସମସାମୟିକ ସାତ ଜଣ କବିଙ୍କ ଉପରେ ସେ ସାତଟି ଦୀର୍ଘ କବିତା ଲେଖିଛନ୍ତି। କବି ମନୁଆ ଦାଶଙ୍କ ପ୍ରତି ସମର୍ପିତ ଆଲୋଚ୍ୟ କବିତା ତା’ର ଏକ ଦୃଷ୍ଟାନ୍ତ।

କବିତା ଆରମ୍ଭରୁ ପ୍ରତୀକାତ୍ମକ; ପୁଣି ବ୍ୟଞ୍ଜନାଶ୍ରୟୀ। ମନୁଆ ଦାଶ ଏଠି ଜଣେ ସୁଦୁ ମଣିଷର ପ୍ରତୀକ ଭାବରେ ଦଣ୍ଡାୟମାନ। ପ୍ରଥମ ପଦରୁ କବି ତେଣୁ ପାଠକଙ୍କୁ ସୂଚାଇ ଦେଇଛନ୍ତି – ‘ଏ କବିତାର ବିଷୟବସ୍ତୁ ମଣିଷ, ମଣିଷର ବାପ, ପୁଅ, ନାତି, ‘ଘା’, ପୁଜ, ବୀର୍ଯ୍ୟ, ଖଙ୍କାର ଓ ବାନ୍ତି ସହ ସାଲିସ କରି ଜୀବନ ଜୀଉଁଥିବା ସାଧାରଣ ଅକାମିକା, ଅକିଞ୍ଚନମାନଙ୍କର ଶବ୍ଦଚିତ୍ର ଏ କବିତା। ଏଠି ବଡ଼ବଡ଼ିଆଙ୍କ ସ୍ଥାନ ନାହିଁ; ଯେଉଁମାନଙ୍କ ପାଇଁ ଲୋଡ଼ା ପଡ଼େ ଭୋଗରାଗ, ନୈବେଦ୍ୟ, ପଞ୍ଚାମୃତ, ଜପତପ କିମ୍ବା ହାତୀଛତି।

କବିତାର ଅନ୍ୟ ଏକ ପଦରେ ବାର୍ତ୍ତମାନିକ ସାମାଜିକ ଦୁରବସ୍ଥାର ବାସ୍ତବ ଚିତ୍ର ପ୍ରତିଫଳିତ ହେବା ସଙ୍ଗେ ସଙ୍ଗେ କବଳିତ ସାଧାରଣ ମଣିଷର କଥା ଜୀବନ୍ତ ରୂପ ପାଇଛି। ଏଠି ରହିବା ପାଇଁ ଘର ନାହିଁ। ପଦାକୁ ବାହାରିଲେ କାଦୁଅ ଲତ୍ ପତ୍ ରାସ୍ତା। ଏ ଦେଶ ଆଉ ଦେଶ ହୋଇ ରହିନାହିଁ; ଅଥଚ ଦେଶକୁ ସଜାଡିବାକୁ ଏଠି ମୁଖା ପିନ୍ଧା ସାଢେ ସତେଇଶ ଶହ ନେତା ବାହାରିପଡନ୍ତି ମିଛଟାରେ। ମଣିଷ ତ ମଣିଷ, ଦିଅଁଙ୍କ ଆଶ୍ରା ପାଇଁ ବି ମନ୍ଦିର ଯେତେ ଆଜି ବିପର୍ଯ୍ୟସ୍ତ। ଏଠି ବିନା ବର୍ଷାରେ ଛତା ଉଠେ। ଏକ ଅ‍ଖ୍ୟାତ, ଅପଚରା ଆବେଗ  ଧୀରେ ଧୀରେ ଦେହତ୍ୟାଗ କରୁଥାଏ।

ସର୍ବସ୍ୱ ହରାଇ ସାରିବା ପରେ ମନୁଆ ଦାଶ ଏବେ ମୁହଁହୀନ,ଗୋଡହୀନ ଓ ପେଟହୀନ। ସେ କହିପାରେନା, ଚାଲି ପାରେନା, ପେଟପାଇଁ ଯୋଗାଡି ପାରେନା ଦାନା। କିନ୍ତୁ ଜଞ୍ଜାଳମୟ ଜୀବନର ଗତି ତା’ର ଥମେନି। ଚାଲୁଥାଏ ଅହର୍ନିଶି, ଅବିଶ୍ରାନ୍ତ। କାରଣ ଏତେ ସବୁ ଜ୍ୱଳନ ପରେ ବି ଏ ଦହନ ତା’ର ଛାତିକୁ ଜାଳିପୋଡ଼ି ପାରେନା। ଅପୋଡା ଛାତି ଦାରୁବ୍ରହ୍ମ ହୋଇ ବଞ୍ଚିରହେ। ସେ କହେ‌-

“ମୁଁ ମନୁଆ କହୁଚି, ଫୁଟପାଥରେ ପଥରର ଫଟା ଗୋଇଠି,
ମୁଁ କହୁଚି, ଜୀବନ ପାତ୍ରର ବଇଠି।
ମୁଁ କହୁଚି ବସ୍ତୁ- ଜୀବନ ଦେଇଚି ବଇନା,
ଭୈରବୀର କଂଠରେ ପଡିଚି ମୋର ଗୀତବାଜଣା।”

ନିରେଖି ଦେଖିଲେ କବିତାର ପ୍ରତ୍ୟେକ ଶବ୍ଦ ବା ଶବ୍ଦପୁଞ୍ଜ ଗଭୀର ଭାବଦ୍ୟୋତକ। ତେଣୁ ପ୍ରତ୍ୟେକ ଧାଡିକୁ ଆବଶ୍ୟକ ସମୟ ଦେଇ ପଢ଼ିବାକୁ ହେଵ। ଗୋଟେ ନିର୍ଦ୍ଦିଷ୍ଟ ସରଳ ଭାବ ପ୍ରବାହ ଏଥିରେ ନାହିଁ। ଖଣ୍ଡ ଖଣ୍ଡ ବିବିଧ ଚେତନାର ଏକ କୋଲାଜ ଏ କବିତା। ଭରପୁର ପ୍ରତୀକ ଓ ରୂପକଳ୍ପ ଯଦିଓ ଏ କବିତାଟିକୁ ସାମାନ୍ୟ ଜଟିଳ କରୁଛି, ତଥାପି ଏହାର ପଦ ସଂଯୋଜନା, ଶବ୍ଦ ଚୟନ ଓ ବସାଣ ଗୋଟେ ଶ୍ରୁତିମଧୁର ଲୟ ମଧ୍ୟ ସୃଷ୍ଟି କରୁଛି। ନିମ୍ନୋକ୍ତ ପଦରେ ଏହା ଦର୍ଶନୀୟ –

“ଏ କବିତାରେ ନଆସଂତୁ ଅକଳ୍ମଷ, ଅକଂଟକ, ଅକାଟ୍ୟ, ଅକ୍ଷତ ଅକ୍ଷର,
ଏ କବିତା ଅକାମିକା, ଅକାଂଡିଆ, ଅକିଂଚନମାନଂକର।
ଏ କବିତାର ବିଷୟବସ୍ତୁ- ଅଗତିକ, ଅଗାଡି,ଅଧମ, ଅଚାବୁଆ ଓ ସର୍ବନାଶ,
ଏ କବିତାର ବିଷୟବସ୍ତୁ ମଣିଷ, ଧର, ମନୁଆ ଦାଶ।”

ଏ ପଦରେ ଆମେ ଦେଖିପାରିବା ତା’ର ଚାରିଗୋଟି ପାଦର ଆରମ୍ଭରେ ‘ଏ କବିତା’ କୁ ବାରମ୍ବାର ଅଣାଯାଇ ଲୟ(Rhythm) ସୃଷ୍ଟି କରାଯାଇଅଛି। ପୁନଶ୍ଚ ଆଦ୍ୟ ‘ଅ’ ସ୍ୱରବର୍ଣ୍ଣ ଥିବା ସମଗୋତ୍ରୀୟ ଅନେକ ଶବ୍ଦ, ଯଥା- ଅକାମିକା, ଅକାଣ୍ଡିଆ, ଅକିଞ୍ଚନ, ଅଗତିକ, ଅଗାଡି, ଅଧମ ଆଦିର କଳାତ୍ମକ ପ୍ରୟୋଗ ପଦଟିର ପଠନ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି।

ଲେଖକର ଶଦ୍ଦ ଚୟନ ଓ ରୋପଣରେ ଏପରି ଅଭିନବତ୍ୱକୁ ଶୈଳୀତାତ୍ତ୍ୱିକମାନେ ‘ସମ୍ମୁଖୀକରଣ'(Foregrounding) ନାଁ ଦେଇଛନ୍ତି। ଏହି ସମ୍ମୁଖୀକରଣର ଏକ ସ୍ବତନ୍ତ୍ର ଦିଗ ହେଉଛି ସମାନ୍ତରତା ବା ‘Parallalism’। ଏକ ବିଶେଷ ଉଦ୍ଦେଶ୍ୟ ରଖି ଲେଖକ ଯେତେବେଳେ ତାଙ୍କ ଲେଖାରେ ଏପରି ଧ୍ୱନି, ଶବ୍ଦ, ବାକ୍ୟ , କଥନିକା ଆଦିରେ ପୈାନଃପୁନିକତା ଆଣନ୍ତି, ତାକୁ ଶୈଳୀତତ୍ତ୍ୱରେ ‘ସମାନ୍ତରତା’ କୁହାଯାଏ। ଭାଷା କ୍ଷେତ୍ରରେ ଭାଷାବିତ୍ ରୋମାନ୍ ଜ୍ୟାକବସନ୍ ସର୍ବପ୍ରଥମେ ଏ ଶଦ୍ଦଟିକୁ ବ୍ୟବହାର କରିଥିଲେ। ପଦ୍ୟ ସାହିତ୍ୟରେ ଏ ଧରଣର ଦୃଷ୍ଟାନ୍ତ ବହୁ ପୂର୍ବରୁ ଯମକ, ଚଉତିଶା ଆଦି ରୂପରେ ଆମେ ଦେଖିପାରିବା। କବିତାରେ ସମାନ ଅକ୍ଷର (syllable) ସହ ସମାନ ଅକ୍ଷର, ସମାନ ଶବ୍ଦରୂପ ସହିତ ସମାନ ଶବ୍ଦରୂପ, ସମାନ ବଳାଘାତହୀନତା ସହ ସମାନ ବଳାଘାତହୀନତା, ସମାନ ଛନ୍ଦଦୀର୍ଘତା ସହ ସମାନ ଛନ୍ଦଦୀର୍ଘତା, ସମାନ ଛନ୍ଦଲଘୁତା ସହିତ ସମାନ ଛନ୍ଦଲଘୁତା, ସମାନ ବାକ୍ୟ ବା ଯତି କିମ୍ବା ଯତିହୀନତା ସହିତ ସମାନ ବାକ୍ୟ ବା ଯତି କିମ୍ବା ଯତିହୀନତା ପୈାନଃପୁନିକତା ରକ୍ଷାକରି ଅଭିବ୍ୟକ୍ତ ହେଲେ ସମାନ୍ତରତା ଉତ୍ପନ୍ନ ହୁଏ। × × × × ସମାନ୍ତରତା ମୁଖ୍ୟତଃ ଲୟାତ୍ମକତା, ଅନୁକ୍ରମମୂଳକତା, ଆବର୍ତ୍ତନଶୀଳତା, ଛନ୍ଦଯୁକ୍ତତା, ଆନୁପ୍ରାସିକ କେନ୍ଦ୍ରିକତାର ବାହକ ହୋଇଥାଏ। (ପ୍ରାୟୋଗିକ ଶୈଳୀବିଜ୍ଞାନ, ରବୀନ୍ଦ୍ର କୁମାର ଦାସ)

ଏହି ସମାନ୍ତରତା ଆଦ୍ୟ, ଅନ୍ତ, ଆଦ୍ୟାନ୍ତ, ଅନ୍ତାଦ୍ୟ, ଆଦ୍ୟ- ମଧ୍ୟ ଓ ମଧ୍ୟ- ଅନ୍ତ ଆଦି ଛଅ ଭାଗରେ ବିଭକ୍ତ। ଆଲୋଚ୍ୟ କବିତାରେ ‘ଆଦ୍ୟାବୃତ୍ତିମୂଳକ ସମାନ୍ତରତା’ ( Anaphora Parallalism) ର ଏକାଧିକ ଦୃଷ୍ଟାନ୍ତ ଆମେ ଦେଖିପାରିବା। ଯଥା-

“କାଲି ରାତିରେ ହଜେଇଦେଇଚି ହରିଣୀ
କାଲି ରାତିରେ ହଜେଇଦେଇଚି ଛାତି ତଳର ସୁତୁଲି ବୋମା,
କାଲି ରାତିରେ ହଜେଇଦେଇଚି ଅଧା ଯୌବନ
କାଲି ରାତିରେ ହଜେଇଦେଇଚି ମୋର ସାରା କବିତାରୁ କମା।”
 କିମ୍ବା
“ଏ କବିତାରେ ନଆସୁ ଜନ୍ମଦିନ, ବିବାହ ବାର୍ଷିକୀ,
ଏ କବିତାରେ ନଆସୁ ଶପଥ ଗ୍ରହଣ, ଉପହାର,
ଏ କବିତାରେ ଆସୁ- କୃଷ୍ଣ ଚାଣୁର ସମର ଗୁରୁତର।
ଏ କବିତାରେ ଆସୁ ଆଳସ୍ୟ, ମୈଥୁନ,
ଏ କବିତାରେ ନଆସୁ ବ୍ରହ୍ମଚର୍ଯ୍ୟ, ପ୍ରବଚନ।”

ସୁତରାଂ ଭାରତ ମାଝୀଙ୍କ ଏ କବିତା ଉଭୟ ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟରେ ଅଦ୍ୱିତୀୟ। କେବଳ ମୁଁ ନୁହେଁ, ପ୍ରତ୍ୟେକ ପାଠକ ଏହାର ରସ ଆସ୍ୱାଦନରେ ପୁଲକିତ ହେବେ; ଏଥିରେ ଦ୍ୱିମତ ନାହିଁ। ତେଣୁ ଏହା ମୋର ସବୁଠୁ ପ୍ରିୟ କବିତାଟିଏ।

ବି.ଦ୍ର. – ପାଠକମାନେ ଏଠାରେ ଚର୍ଚ୍ଚିତ କବିତାଟିକୁ ନିମ୍ନରେ ପାଠ କରିପାରନ୍ତି।

ମନୁଆ ଦାଶ
କବି – ଭାରତ ମାଝୀ

ଏ କବିତାରେ ନଆସଂତୁ ଭୋଗରାଗ, ନଇବେଦ୍ୟ କି ପଂଚାମୃତ, ଜପତପ, ହାତୀଛତି,
ଏ କବିତାର ବିଷୟବସ୍ତୁ- ଘା’, ପୁଜ, ବୀର୍ଯ୍ୟ, ଖଂକାର ଓ ବାଂତି,
ଏ କବିତାର ବିଷୟବସ୍ତୁ ମଣିଷ, ମଣିଷର ବାପ, ପୁଅ, ନାତି।

ଏ କବିତାରେ ନଆସଂତୁ ଅକଳ୍ମଷ, ଅକଂଟକ, ଅକାଟ୍ୟ, ଅକ୍ଷତ ଅକ୍ଷର,
ଏ କବିତା ଅକାମିକା, ଅକାଂଡିଆ, ଅକିଂଚନମାନଂକର।
ଏ କବିତାର ବିଷୟବସ୍ତୁ- ଅଗତିକ, ଅଗାଡି,ଅଧମ, ଅଚାବୁଆ ଓ ସର୍ବନାଶ,
ଏ କବିତାର ବିଷୟବସ୍ତୁ ମଣିଷ, ଧର, ମନୁଆ ଦାଶ।

ଏ କବିତା ଗଛରେ ଟଂକା ଫଳେନା
ଏ କବିତା ସମୟକୁ ସାଇକେଲ୍ କ୍ୟାରିୟର୍-ରେ ବସାଇ ନେଇପାରେନା ଆର ଶତାବ୍ଦୀ ଆଡ଼କୁ,
ଏ କବିତା ତମ କବିତାକୁ ଦେଇପାରେନା ଧାର୍ ଶବ୍ଦଟିଏ,
ଏ କବିତାର ବିଷୟବସ୍ତୁ ଅଚଳଂତି, ଏ କବିତାରେ ବିଧର୍ମୀର ନିତ୍ୟରାସ,
ଏ କବିତାର ବିଷୟବସ୍ତୁ ମଣିଷ, ଧର ମନୁଆ ଦାଶ।

କାଲି ରାତିରେ ହଜେଇଦେଇଚି ହରିଣୀ
କାଲି ରାତିରେ ହଜେଇଦେଇଚି ଛାତି ତଳର ସୁତୁଲି ବୋମା,
କାଲି ରାତିରେ ହଜେଇଦେଇଚି ଅଧା ଯୌବନ
କାଲି ରାତିରେ ହଜେଇଦେଇଚି ମୋର ସାରା କବିତାରୁ କମା।

କାଲି ରାତିରେ ଏ ଜୀବନକୁ ଛୁଟି ଆସିଲେ ଦଳେ ଝରଣା,
କାଲି ରାତିରେ ଛିଂଡିଗଲା ଗୋଟେ ବାଲି ଦେଉଳର ବାନା।
କାଲି ରାତିରେ ନିଆଁ ଉଠିଲା ମସ୍ତିଷ୍କରୁ
କାଲି ରାତିରେ ବାଷ୍ପ ଭେଦିଲା ସୁଷୁମ୍ନା ନାଡିରୁ,
କାଲି ରାତିରେ, କାଲି ରାତିରେ।

ଘର ନାହିଁ, ପଡିଚି ଗୋଟେ କାଦୁଅ ରାସ୍ତା,
ଦେଶ ନାହିଁ, ସଜାଡିବାକୁ ବାହାରିଚଂତି ସାଢେ ଶତେଇଶ ଶହ ନେତା।
ମଂଦିର ନାହିଁ, ଏଣେତେଣେ ଦିଅଁ ସାଲୁବାଲୁ,
ବର୍ଷା ନାହିଁ, ଖାଲି ବାଷ୍ପ, ଉଠିଲାଣି ଦେଢ଼ଶ’ କୋଟି ଛତା।
ଗୋଟେ ଅପଚରା ଆବେଗ, ଦେହତ୍ୟାଗ କରୁଚି କ୍ରମଶଃ,
ଏ କବିତାର ବିଷୟବସ୍ତୁ ମଣିଷ, ଧର, ମନୁଆ ଦାଶ।


6 thoughts on “ଆଙ୍ଗିକ ଓ ଆତ୍ମିକ ସୌନ୍ଦର୍ଯ୍ୟର କବିତା: ‘ମନୁଆ ଦାଶ’

  1. Very non conventional and very different kind of creation by Shri Bharat Majhi. The whole genesis behind promoting the poet and the poetry is to make our literature more richer , more vivid and more colorful. Kudos to team Sahitya charcha.

  2. ଦୃଢ ବିଶ୍ବାସ – ” ମନୁଆ ଦାଶ “ଭିତ୍ତିକ ଏହି ଉଚ୍ଚକୋଟୀର ସମାଲୋଚନା ସମସ୍ତ ସାହିତ୍ୟ ପ୍ରେମୀ ଙ୍କୁ ଦିଗଦର୍ଶନ ଦେବାରେ
    ସହାୟକ ହେବ ।

  3. ସୁନ୍ଦର କବିତା ..ସୁନ୍ଦର ସମୀକ୍ଷା !

Leave a Reply

Your email address will not be published. Required fields are marked *