ପ୍ରତି ସପ୍ତାହରେ ଫୁଡ଼ମାର୍ଟକୁ ଯାଏ ଭଲ ଭଲ, ଭଳିକି ଭଳି ପନିପରିବା ଆଣିବା ପାଇଁ। ଥରେଅଧେ ଦେଖାହୁଏ ଭେଜିବାଇଗଣ ମାନଙ୍କ ସହ। ହାତ ବଢ଼ାଇ ଧରିନିଏ ରୂପା ଭଳି ସଫାଜରିରେ ସୋଲ ଥାଳିଆରେ ସଜା ହୋଇଥିବା ଭେଜି ବାଇଗଣ ମାନଙ୍କୁ। ସାଙ୍ଗମାନେ କୁହନ୍ତି ଏ ଗୁଡ଼ାକ ଛୋଟ ଆକାର ଆଉ ବେଶୀ ପଇସା , ଦେଖିବାକୁ ମଧ୍ୟ ସୁନ୍ଦର ନୁହଁନ୍ତି। ଦେଖୁନ ସେପଟେ ସେଇ ଜି.ଏମ୍. ବାଇଗଣ ଗୁଡ଼ାକୁ କମ୍ ପଇସା ଆଉ ଦେଖିବାକୁ କେଡ଼େ ମନ ମତାଣିଆ। ଏଇ ଭେଜି କୁ ଆଉ ପଚାରେ କିଏ?
ଏପଟେ ପ୍ରାକୃତିକ ଗୁଣରେ ଭରପୂର ଭେଜି, ସେପଟେ ସଙ୍କୋଚରେ ଆଉ ସଂଶୟରେ କିଣୁଥିବା ଏହି ପରୀକ୍ଷାଗାର ପ୍ରମାଣିତ ଜି.ଏମ୍. ବାଇଗଣ ଭିତରେ ମୋର ରାନ୍ଧୁଣିଆ ମନଟା ଟିକେ ଝାଉଁଳି ଯାଏ। ଥରେଅଧେ ଏଥିରେ କିଛି ରାନ୍ଧିବାକୁ ମନ ହେଉଥାଏ।
ସେଦିନ ଥିଲା ବୋଧେ ଗୋଟିଏ ରାଜ ଯୋଟକ। ସ୍ତ୍ରୀ କହିଲେ, ଏହି ବାଇଗଣତ ମୁଁ କେବେ ଦେଖିନାହିଁ ଆଉ ତୁମେତ କେବେ ନେଉନାହଁ। କଥା କଣ? ଏହା କଣ ଭଲନୁହଁ? ତୁରନ୍ତ “ହଜିଲା ବଳଦ ଖୋଜିଲା ଠେଇଁ” ଭଳି ମୁଁ ଏହି ଭେଜି ସପକ୍ଷରେ ଅନେକ ଗୁଡ଼ିଏ ଓକିଲାତି କରିବସିଲି। ତାଙ୍କୁ କହିବସିଲି ଯେ ପିଲାଦିନେ ଏହା କିପରି ଆମ୍ବିଳରେ ପକାଇ ଆମ୍ଭେ ସବୁ ଖାଉଥିଲୁ। ଭୋଜିପରବରେ କିପରି ଶଗଡ଼ ଶଗଡ଼ ଭେଜି ବୋହି ଅଣାଯାଉଥିଲା ଆଉ ସେଥିରେ ଆମ୍ବିଳ ଆଉ ଶାକରା କରା ଯାଉଥିଲା। ସେ କହିଲେ ତେବେ ଏହା ନିଆଯାଉ। “ମଳୁ ଲୋଡ଼ୁଥିଲା କାକର ପାଣି, ବଇଦ ବୋଇଲା ଦେ ତୋରାଣୀ”
ଆଉ କି ସମ୍ଭାଳେ ମୁଁ ! ଚପଳମତି ଶିଶୁମାନେ ବାର୍ବିଡଲ୍ କୁ ସାଉଁଟି ନେଲା ଭଳି , ସାଉଁଟି ନେଲି ଭେଜି ବାଇଗଣରେ ଗୋଟିଏ ପ୍ୟାକେଟ୍କୁ। ସେପଟେ ସ୍ତ୍ରୀ ମୋବାଇଲ୍ରେ ତାଙ୍କ ଭାଇ ସାଙ୍ଗରେ କିଛି କଥା ହେଲେ ଆଉ ମୁଁ ଆଉଁଷି ଆଣିଲି ମୋ ହାତ ସେହି ଭେଜି ବାଇଗଣ ମାନଙ୍କ ଉପରେ। ଭେଜି ବାଇଗଣଟିଏ କହିଲା, ବୁଝିଲ ଭୂୟାଁବାବୁ , ଆଜିକାଲି ଆମକୁ ଆଉ କିଏ ପଚାରୁନାହାଁନ୍ତି ! ସମସ୍ତଙ୍କ ଆଖି ସେଇ ଚିକିମିକିଆ ସୁନ୍ଦରୀ ବାଇଗଣୀ ରଙ୍ଗର ବାଇଗଣ ଉପରେ। ତମେ ଆଜି ଆମକୁ ବାଛିନେଲ , ଏଣୁ ତୁମକୁ ଧନ୍ୟବାଦ। କଣ କହିବି କିଛି ବୁଝିପାରୁନଥିଲି।
ଘରକୁ ଆସିଲା ପରେ ଭେଜି ବାଇଗଣ ସବୁକୁ ଅନ୍ୟାନ୍ୟ ପରିବା ସହ ଧୋଇ ପୋଛି ରେଫ୍ରିଜେରେଟର୍ ଭିତରେ ସାଇତି ରଖିଲି। ସତେ ଯେପରି ଅମିଳକ ବସ୍ତୁ ଏ ସବୁ। ସାଧାରଣତଃ ଆମେ ସୋମବାର, ଗୁରୁବାର ଓ ଶନିବାର ଦିନମାନଙ୍କରେ ଆମିଷ ଖାଉନଥିଲୁ। ଏଣୁ ଭାବିଲି ଗୁରୁବାର ଦିନ କିଛି ଆମ୍ବିଳ ବା ଶାକରା ରାନ୍ଧିବି ଭେଜି ବାଇଗଣ ସାଙ୍ଗରେ। ମଧ୍ୟାହ୍ନ ଭୋଜନ କରିବା ପାଇଁ ଅନ୍ୟ ପରିବା ସହ ଭେଜି ବାଇଗଣ କୁ ବାହାର କଲି ରେଫ୍ରିଜେରେଟରରୁ।
ଭେଜି ବାଇଗଣ ମୋ ଆଡ଼କୁ ଚାହିଁ କହିଲା, ଭାଇ ଆଜି ମୋତେ ରାନ୍ଧନ୍ତୁ ନାହିଁ ଶନିବାର ଦିନ ରାନ୍ଧନ୍ତୁ। ତାକୁ ପଚାରି ବସିଲି, କାରଣ କଣ? ଆଜି ଆଉ ଶନିବାର ଭିତରେ ଫରକ୍ କଣ?
ସେ କହିଲା, ଏତେ ଦିନପରେ ତ ଆମକୁ ଘରକୁ ଆଣିଛନ୍ତି ଏତେ ବ୍ୟସ୍ତ ହୋଇ ରାନ୍ଧିବା କଣ ଦରକାର। ଶନିବାର ଦିନ ତ ଆପଣଙ୍କ ଅଫିସ୍ ଛୁଟି, ସେଇଦିନ ଭଲଭାବେ ଭାବିଚିନ୍ତି ଗୋଟିଏ ସୁନ୍ଦର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉ। କଥାଟା ମନକୁ ପାଇଲା। ତା କଥାରେ ହଁ ଭରିଲି ଆଉ ତାକୁ ପୁଣି ଥରେ ରେଫ୍ରିଜେରେଟର୍ ଭିତରେ ସଜାଇ ରଖିଦେଲି।
ଶନିବାର ଦିନ ଯାଏଁ ଘରେ ବାହାରେ , ସାଙ୍ଗ ମେଳରେ, ଫେସ୍ବୁକ୍ ପୃଷ୍ଠା ସବୁକୁ ଘାଣ୍ଟିବା ବେଳେ ମନେ ମନେ ଗୋଟିଏ ଭଲ ବ୍ୟଞ୍ଜନ ବିଷୟରେ ଭାବୁଥାଏ ଭେଜି ବାଇଗଣ ପାଇଁ।
ଶନିବାର ଦିନ ମଧ୍ୟାହ୍ନ ସମୟରେ ରେଫ୍ରିଜେରେଟର୍ ର ଦ୍ୱାର ଖୋଲି ଭେଜି ବାଇଗଣକୁ ଦେଖିଲି, ସେ ଭାରି ଉତ୍ଫୁଲ୍ଲ ଦେଖା ଯାଉଥିଲା। ପଚାରି ବସିଲି କଥା କଣ? ସେ କହି ଉଠିଲା ଆଜି ପରା ଆମକୁ ନେଇ ଗୋଟିଏ ସୁନ୍ଦର ବ୍ୟଞ୍ଜନ ରାନ୍ଧିବ? ସେଥିପାଇଁ ଆମେ ସବୁ ପ୍ରସ୍ତୁତ ହୋଇ ବସିଛୁ। ବାହାରକୁ ଆଣିଲି ଭେଜି ବାଇଗଣକୁ ଆଉ କହିଲି ମୁଁ ଏ ପର୍ଯ୍ୟନ୍ତ କିଛି ନୂଆଁ ବ୍ୟଞ୍ଜନ ଭାବିପାରିନାହିଁ। ସେମାନଙ୍କ ମୁହଁ ସବୁ ବିବର୍ଣ୍ଣ ହୋଇଗଲା। ଭେଜି ବାଇଗଣଙ୍କର ମନ ରଖିବାକୁ ଯାଇ ପଚାରିଲି , ହେଉ ମୋ କଥା ଛାଡ଼ ! ବର୍ତ୍ତମାନ ତୁମେ ସବୁ କୁହ ତୁମକୁ ନେଇ ମୁଁ କି ପ୍ରକାର ବ୍ୟଞ୍ଜନ କରିବି? ତୁମର ଯଦି କଣ ସ୍ୱତନ୍ତ୍ର ଇଚ୍ଛା ଥାଏ ତାହା ହେଲେ କୁହ? ବାସ୍ , ଏଇ କଥା ପଦକ ଶୁଣି ସେମାନେ ସବୁ ଆନନ୍ଦରେ ନାଚି ଉଠିଲେ। କହିଲେ ପ୍ରଥମ ଥର ପାଇଁ କିଏ ଆମକୁ କିଛି କହିବାର ମଉକା ଦେଇଛି। ନହେଲେ ସଦାବେଳେ ଅତି ଇତର ଭଳି ଆମକୁ ମନ ଇଚ୍ଛା କାଟିକୁଟି କିଏ ଆମ୍ବିଳାରେ ଫୋପାଡ଼ିଲାଣି ତ କିଏ ଘାଣ୍ଟରେ ପକାଇ ଘାଣ୍ଟି ଦେଲାଣି। କେହି ଆମ କଥା ବୁଝି ପାରୁନାହାନ୍ତି। ସେଇ ସୁନ୍ଦରୀ ବାଇଗଣ କୁ ନେଇ କିଏ ପିଠଉ ଭଜା , କିଏ ବାଇଗଣ ରସା, କିଏ ଦହି ବାଇଗଣ ଇତ୍ୟାଦି ରାନ୍ଧୁଛନ୍ତି।
ମୁଁ ସେମାନଙ୍କୁ ନିରାଶାବାଦରୁ ବାହାରକୁ ଆଣିବା ପାଇଁ କହି ବସିଲି ,କିଏ କହିଲା ତୁମ କଥା କିଏ ବୁଝୁନି ବୋଲି। ଆଜି ତୁମେ ହିଁ କୁହ ତୁମକୁ ନେଇ ମୁଁ କଣ ରାନ୍ଧିବି?
ସେମାନେ ସବୁ ନିଜ ନିଜ ଭିତରେ ଆଲୋଚନାରେ ଲାଗିଗଲେ। କିଛି ସମୟ ପରେ ସେମାନଙ୍କ ନେତା ଭେଜି ବାଇଗଣ କହିଲା, ବୁଝିଲ ଭୂୟାଁ ଘର ପୁଅ, ମନ ଭିତରେ କଥାଟିଏ ଗୁମୁରୀ ଉଠୁଛି। ଯଦି ଦମ୍ଭ ଦେବ ତେବେ କହିବି। ମୁଁ ହଁ ଭରିଲି। ଭେଜି ବାଇଗଣ କହିଲା, ବହୁତ ଦିନରୁ ମନ କରୁଛି ଯେ ଆମକୁ ସନମାନ ତ କେହି ଦେଉନାହାନ୍ତି, ହେଲେ ଆଜି ଯେତେବେଳେ ତମେ ତମଆଡ଼ୁ ପଚାରିଲଣି ତେଣୁ କହୁଛି। ସେ କଥାକୁ ଆଗକୁ ବଢ଼ାଇ କହିଲା ଆମକୁ ଟିକେ କାଜୁବାଦାମ ଦେଇ ରାନ୍ଧି ଦିଅନ୍ତ ନାହିଁ? କେବେ ଦେଖିନୁ , ଜାଣିନୁ ସେଇ କାଜୁବାଦାମ କୁ। କିନ୍ତୁ, ଆମ ପନିପରିବା ସଭା ସମିତିରେ ବଡ଼ କାଟତି ଅଛି କାଜୁବାଦମର। ସମସ୍ତେ ତା ସାଙ୍ଗରେ ରନ୍ଧା ହେଲେ ନିଜକୁ ଧନ୍ୟ ମନେ କରନ୍ତି। ଆମେ ତ ହେଲୁ ଇତର ପରିବା, ଆମର କେବେ ସାହାସ ହେଇପାରିନି କାଜୁ ସହ ମିଶିବାର। ଶୁଣିଛି ଯେ କାଜୁ ସହ କୁଆଡ଼େ ସବୁ ଦାମି ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଚିକେନ୍, ମଟନ୍, ପନୀର୍, ଇତ୍ୟାଦି କାଜୁ ସାଙ୍ଗରେ ବଡ଼ ସାଙ୍ଗ। ସେମାନଙ୍କର ସବୁ ବ୍ୟଞ୍ଜନ ସବୁକୁ ଆମେ ପେଜ୍ ୩ରେ ଦେଖୁ। ଏଣୁ ଭାଇ, ଆଉ ଡେରି ନକରି କାଜୁ ସହ ଆମର ଏକ ଯୁଗଳବନ୍ଦୀ ବ୍ୟଞ୍ଜନ ପ୍ରସ୍ତୁତ କର।
ମନ ଭିତରେ ଭେଜିର ଏହି ଗୁମାନ କୁ ତଉଲି ନେଲି। ମନଟା ଭାରୀ ହୋଇଗଲା ମୂହୁର୍ତ୍ତଟେ ପାଇଁ। ମୋର ଏହି ଅସମଞ୍ଜସ ଦେଖି ଭେଜି କହିଲା କଣ ଛୋଟ ତୁଣ୍ଡରେ ବଡ଼ କଥା କହିଦେଲିକି ଭାଇ? ମୋ କଥା ଧରନି ମ? “କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ”, ଛାଡ଼ ମୋ କଥା। ଦିଅମ କିଛି ଗୋଟେ ଘାଣ୍ଟିଦିଅ। ମୁଁ ତାକୁ କହିଲି ,ନା ନା ସେପରି ନୁହଁ। ମୁଁ ଆଜି ତୁମକୁ କାଜୁସହ ହିଁ ରାନ୍ଧିବି। ଯଦି ନ ପାରୁଛି ତେବେ ଧିକ ମୋ ରାନ୍ଧୁଣିଆ ପଣିଆ। ମନରେ ରନ୍ଧାଅଙ୍କ କଷି ନେଲି ଗୋଟିଏ ଆଉ ମୂହୁର୍ତ୍ତରେ କାଜୁ, ଗୋଲ ମରିଚ, ଜୀରା ଓ ଅଦା ଦେଇ ଗୋଟିଏ ନୂଆ ବ୍ୟଞ୍ଜନ ପ୍ରସ୍ତୁତ କଲି। ଘରେ ସମସ୍ତେ ଖାଇ ବସିଲେ ଆଉ ସେହି ବ୍ୟଞ୍ଜନ କୁ ବାଃ ବାଃ କରିଲେ। ମୋ ସ୍ତ୍ରୀ କହିଲେ ଆଗରୁ ଏଭଳି କାହିଁକି କରିନଥିଲ? ଏହାତ ଭୋଜିଘର ବ୍ୟଞ୍ଜନ ଭଳି ଲାଗୁଛି। ଏପଟେ ମୁଁ ଖୁସିରେ ଫାଟି ପଡ଼ୁଥିଲି ସେପଟେ ଭେଜି ବାଇଗଣ ଗର୍ବରେ। କଢ଼ାଇ ଭିତରେ ସବୁ ଭେଜି ଗୁଡ଼ାକ କାଜୁ ମସଲା ସାଙ୍ଗରେ ହୋଲି ଖେଳୁଥିଲେ। ମୁଁ ପୁଣି ଥରେ ପରଶିଲା ବେଳେ ମନେ ମନେ ହସୁଥିଲି।
ଚମତ୍କାର
ଜୟ ଜଗନ୍ନାଥ। ଆହା, ଭେଜି ବାଇଗଣଟିର କି ଭାଗ୍ୟ! ତା’କୁ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ଭଳି ମହାନ ଲେଖକଙ୍କ କଲମର ଚରିତ୍ରଟିଏ ହେବାର ସୌଭାଗ୍ୟ ମିଳିଲା।
ଅତି ସୁନ୍ଦର ବିଚାର ଓ ରଚନା , ମନ କୁ ପାଇ କିଛି ବଳି ପଡିଲା ଧନ୍ୟ ହେ ପ୍ରଭୂ 🙏🏼🙏🏼
ଖୁବ୍ ସୁନ୍ଦର ଲେଖା ନମସ୍କାର ସାର୍
ଭେଜି ବାଇଗଣକୁ ଅତି ଚମତ୍କାର ଗଳ୍ପଟିଏ. ଲେଖକଙ୍କ ଲେଖନୀ ଶୈଳୀକୁ ଅଶେଷ ଅଶେଷ ଧନ୍ୟବାଦ