ରାତିର ଆଖିରୁ ନିଦ ସରିନାହିଁ ବାଜିଲା କାହାର ହାତ
“ଭୁଲି ଗଲୁ କି ଲୋ ହଳ ଧରି ଯିବି ମଝି ପାଟ ଧାନ କ୍ଷେତ
ଅଲିହା, ଅଲିହା, ଆଲୋ ହେ ଅଲିହା -ଉଠ ଉଠ ଛାଡ ଶେଯ
ମତେ ଦେ ମୁନ୍ଦାଏ ତୋରାଣୀ ଓ ଭାତ ଆଉ ବଳଦଙ୍କୁ ପେଜ”।
ଚିହ୍ନିନି ଜାଣିନି ସିଏ ହୀରା, ନୀଳା, ସୁନା, ରୂପା ଅବା ମୋତି
ହେଲେ ସେ ଚିହ୍ନଇ ଦୋରସା ବା ପଟୁ, ପଙ୍କୁଆ, ବାଲିଆ ମାଟି
ପାଟ ମଝି ବିଲ ଟିକେ ଦୂର ସିନା ସୁନା ହାଣ୍ଡି ସମତୁଲ
ଲଙ୍ଗଳ ମୁନରେ ଶୁଭ ଗାର ଦେବ ଘରୁ ବାହାରି ସଅଳ।
ଓଡଟିଏ ଚାଷ ହୋଇଲେ ବୈଶାଖେ ମାଟି ଯେ ଖାଇବ ଖରା
ବଳଦ ପଟିଏ ଉଧାର ଦେଲେନି ମାଗିଥିଲା ଗାଁ ସାରା
ଚାଷେ ସିନା ଚାଷୀପୁଅ ତରତର ମଠୁଆ କହୁଛି ଗାଁ
ବାପ କରୁଥିଲା ଭଲ ଚାଷ ଆଗେ ପୁଅ ବୁଡାଇବ ନାଁ।
ଠିଆ ହୋଇଥିଲା ସନିଆଁ ଦୁଆରେ ମନଟିକୁ ମାରିଦେଇ
ଶିତଳେଇ ହାତ ରୂପା ଖଡୁ ହଳ ଅଲିହା ଦେଲା ଓହ୍ଲେଇ
ଦିଅଁକୁ ସୁମରି ସନିଆଁ ବେଳସୁଂ ଗଲା ଗୋରୁ ହାଟ ଚାଲି
ଗୁହାଳ ପୂରିବ ହେଲେ ଅଲିହାର ହାତ ଦିଶେ ଖାଲି ଖାଲି।
ବାଛି ଜାଣିଲାନି ବଳଦ ହାଟରେ ଆଣିଛି ଗୋଟିଏ ହଡା
ମହଣ କରିନି ପୁରୁଣା ଖାଉନ୍ଦ ଟିକିଏ ତରକା ତେଢ଼ା
ପାଞ୍ଚିଛି ମନରେ ଆଗିଲା ସନକୁ କିଣିବ ହଳେ ଦାମୁଡ଼ି
ପହିଲି ଧାନରେ ଅଲିହାକୁ ଦେବ ନୂଆ ପାଟ ନୂଆ ଚୁଡି।
ପଗଡି ନାଆଁରେ ଚାଳରେ ଗେଞ୍ଜିଛି ପୋରିଆ ମଳିଆ ବସ୍ତ୍ର
ଆଜି ସେ କ୍ଷେତକୁ ଯିବ ହାତେ ଧରି ମାଟି ସୈନିକର ଅସ୍ତ୍ର
କାନ୍ଧରେ ଝୁଲାଇ ଯୋତିବା ଦଉଡି, ହଳ, ବାଉଁଶ ପାଞ୍ଚଣ
କରିବ କର୍ଷଣ ଭୁଇଁର , ଅଭାବ କଷଣ ସହିତ ରଣ।
“ସଅଳ ଯାଉଛି ଜାଣି ଥା ଆଜି ଲୋ ଆସିବା ହେବ ଉଛୁର
ପାଣି ନେଇ କ୍ଷେତ ଆସିବୁ ନ ହେଲେ ହଂସା ଉଡିଯିବ ମୋର”
‘ଦିଗ୍ ଦିଗ୍ ହଟ ହଟ’,କହି ବଳଦଙ୍କ ଲାଞ୍ଜ ସିଏ ଦେଲା ମୋଡି
ପଛେ ରହିଗଲା ଗାଆଁର ପଳାଶ, ତା ପଛେ କିଆ ଗୋହିଡି।
ଟବର ଟବର ଛିଞ୍ଚିଲା ଦାଣ୍ଡରେ ଅଲିହା ଗୋବର ପାଣି
ଏ ମୁଣ୍ଡୁ ସେ ମୁଣ୍ଡ ପହଁରା ମାରିଲା ଅଣ୍ଟାରେ କାନିକୁ ଟାଣି
ଲିପା ପୋଛା କରି ସଜାଇ ଦେଲା ସେ ଛୋଟ ଅଗଣାଟି ତାର
ଫୁଙ୍କି ଲଗାଇଲା ଚୁଲିରେ ନିଆଁ ସେ ଧୂଆଁ ବୁଲି ଯାଏ ଘର।
ଶୁଖୁଆ ସାଂଗକୁ ବେସର ମସଲା ଖାଇବ ରଘୁଆ ବାପ
ଖାଇବାରେ ଊଣା ହୋଇଲେ ମରଦ କେତେ କରନ୍ତି ଲୋ କୋପ
ତରତର ହୋଇ ରାନ୍ଧିଥିଲା ସିଏ ଦରଫୁଟା ଭାତ ଦିନେ
ଭାତମିଶା ଥାଳି ଫୋପାଡି ଥିଲା ସେ ଏବେ ପଡିଯାଏ ମନେ।
ଏତେ ବଡ ପାଟ ଆଖି ପାଏ ନାହିଁ ବିଲ ପରେ ଖାଲି ବିଲ
ଗଛ ବୋଲି ଖାଲି ବେଣାବୁଦା ଯାହା ଏଠି ଢିପ ସେଠି ଖାଲ
ମାଟି ପିଈ ଯାଏ ବୈଶାଖର ଖରା ପାଟ ଲାଗେ ଖାଁଆ ଖାଁଆ
ପାଟ ମଝିରେ ଛିଡା ହୋଇଗଲେ ଦିଶେ ନାହିଁ କେଉଁ ଗାଆଁ।
‘ମାରଣା’କୁ ଯୋତିଦେଲା ବାଆଁ ପଟେ ‘ତେଢ଼ା’ ସମ୍ଭାଳେ ଡାହାଣ
କେବେ କେବେ ଯାଏ ଅଟକି ଲଙ୍ଗଳ, ପଡି ଗଲେ ମାଟି ଟାଣ
ପଶୁ ଖୁରା ତାଳେ ମିଶି ଚାଲେ ବିଲେ ଅଦମ୍ୟ ମାନବ ପାଦ
ବଳଦ ମୁହଁରୁ ଫେଣ ବହିଯାଏ ସନିଆଁ ଦେହରୁ ସ୍ବେଦ।
ଖଣ୍ଡିଏ ବକଟେ ନୁହେଁ ପାଟ ଜମି ବିଲ ପୂରା ଦଶ ଗୁଣ୍ଠ
ସକାଳ ପହରୁ ହଳ କରି କରି ଶୁଖି ଆସିଲାଣି କଣ୍ଠ
ବେଗେ ବେଗେ ଘରୁ ଗୋଡ କାଢିଥିଲା ମନେ ପ୍ରମାଦ ନ ଆଣି
କହି ଆସିଥିଲା ଘରଣୀରାଣୀକୁ କ୍ଷେତକୁ ଆଣିବ ପାଣି।
ସେପଟେ ଅଲିହା ମରଦଙ୍କ କଥା ଭାବି ହୁଏ ହଇରାଣ
ଆଣିବେନି ଘରେ ସାଜ ସରଞ୍ଜାମ ମାଗିବେ ବାର ତିଅଣ
ରାନ୍ଧେ ସୁଆଦିଆ ତିଅଣ ଅଲିହା ଗାଁ ବୁଲି ସିନା ଗପେ
ନୁଖୁରା ସାଗକୁ ଦେବାପାଇଁ ତେଲ ବୋତଲରେ ନାହିଁ ଧାପେ।
ଭଲମନ୍ଦ ଯାହା ରୋଷେଇ କରି ସେ କ୍ଷେତକୁ ହେଲା ବାହାର
ମୁହେଁ ନାହିଁ କଥା ହାତେ ପାଣି ଲୋଟା ଚାଲୁଥାଏ ତରତର
ଆଜି ନିଶ୍ଚ ଗାଳି ପଡିବ ଭାବେ ସେ ଦୋଷ ନ ଥାଇ ବି ତାର
କୃଷକ ଅବଳା କି ଅବା କରିବ ପତି ଯଦି ହୁଏ କ୍ରୁର।
ବଢି ବଢି ଯାଏ ପବନରେ ତାତି ହଳ ଚାଲେ ଥିରି ଥିରି
ତୃଷା ଆଉ ରୋଷେ ସନିଆ ଥରଇ ଲଂଗଳ ହେଉନି ଧରି
ଦେଖିଲା ଦୂରରୁ ଅଲିହା ଆସଇ ହାତରେ ପିତଳ ଲୋଟା
ପାଞ୍ଚଣରେ ଠାରି କହେ ବେଗି ଆସ ମୁଖେ ନ ବାହାରେ କଥା।
ପାଞ୍ଚଣ ହଲାକୁ ବୁଝି ପାରିଲାନି ଭୟରେ ଗଲା ସେ କମ୍ପି
ଖାଇବ ଆଜି ସେ ନିର୍ଘାତ ମାଡ କେହି ପାରିବେନି ରକ୍ଷି
ଶହେଟି ପାହୁଣ୍ଡ ଦୂରେ ଛିଡା ହୋଇ ସନିଆକୁ ରହେ ଚାହିଁ
କେମିତି ଯିବ ସେ ରୁଷ୍ଟ ସ୍ବାମୀ ପାଶେ ବୁଦ୍ଧି ବାଟ ଦିଶେ ନାହିଁ।
ଟେଳାଏ ମାଟିର ଉପରେ ରଖିଲା ପିତଳ ଲୋଟା ଅଲିହା
ଶହେ ପାହୁଣ୍ଡରୁ ଫେରି ଚାଲିଗଲା ପଛକୁ ନ ଚାହିଁ ଯାହା
ଅସମତଳ ସେ ମାଟି ଟେଳା ପାଶେ ସନିଆ ଗଲା ଯେ ଧାଇଁ
ଦୁର୍ଭାଗ୍ୟକୁ ଲୋଟା ଗଡିଗଲା ତଳେ ପାଣି ଗଲା ସବୁ ବୋହି।
କିଛି ଦୂର ଚାଲି ଯାଇ ସେ ଅବଳା କୌତୁହଳେ ଦେଲା ଚାହିଁ
ମୁଣ୍ଡେ ହାତ ଦେଇ ବସିଛି ସନିଆଁ ହିଡେ ଦେହ ଆଉଜେଇ
“ଏ କି ହେଲା” କହି ଦଉଡେ ଅଲିହା ଜନଶୂନ୍ୟ ଦିପହରେ
ନିଜେ ପଡି ନଇଁ, କଲା ସିନା ଛାଇ, ଛାଇରେ କି ଶୋଷ ମରେ!
କଣ୍ଠ ରୁଦ୍ଧ ହୋଇଗଲା ସନିଆର ବୁଦ୍ଧିବାଟ ଦିଶେ ନାହିଁ
ଦେଖୁ ଦେଖୁ ସ୍ବାମୀ ଲୋଟିଗଲା ତଳେ ଅଲିହା ରହିଛି ଚାହିଁ
କାତର ହରିଣୀ ପରି କାନ୍ଦୁଥିଲା କୋଳେ ସ୍ବାମୀ ମଥା ରଖି
ନିକାଞ୍ଚନ ପାଟ କଲା ଉପହାସ କିଛି ବେଣା ବୁଦା ସାକ୍ଷୀ।
ବଢି ଚାଲିଥିଲା ଆକାଶ ଛାତିରେ ସୁର୍ଯଦେବତାଙ୍କ ତେଜ
ସନିଆର ଲାଗି ଉବୁଡା ଖାବୁଡା ଧୂସର ମାଟିର ଶେଯ
ଶୁନ୍ୟ ସେ ପାଟରେ ‘ତେଢ଼ା’ ଓ ‘ମାରଣା’ ଗୋମାତାର ଦୁଃଖୀ ପୁଅ
କରୁଣ ଚାହାଣୀ ଟାଣି ଦେଇ ନେତ୍ରେ ଦେଖନ୍ତି ଖାଉନ୍ଦ ମୁହଁ।
ଅପବାଦ ତାର ପୁରୁଣା ରୀତିରେ ପୁନଶ୍ଚ ଉଠିଲା ଜିଈ
ନାରୀ ମୁଣ୍ଡେ ଅପବାଦର କାଳିମା ସହଜରେ ନେସି ଦେଇ
“ଘଇତାମାରୀ” ନାମିତ ସେ ପାଟ ବାକି ଯାହା ଲୋକକଥା
ଅଲିହା ନୁହେଁ ସେ ଅହଲ୍ୟା ଥିଲା ପାଷାଣୀ ଶାପଗ୍ରସ୍ତା।
ଭୟ ଓ ଭକତି ଦୁଇଟି ରଜ୍ଜୁରେ ଅବଳା ଜୀବନ ବନ୍ଧା
କିଏ ବାରି ଦିଏ କେବେ ଦେହ ପିନ୍ଧା କେବେ କିଏ ହାତ ରନ୍ଧା
ଅପରାଜିତାର ସ୍ୱପ୍ନ ପୋଛି ଦେଇ ସାଜେ ସେ ଅପରିଚିତା
କେବେ ସେ ବିଧବା, କେବେ ପୁତ୍ରହୀନା, କେବେ ଶୋକାକୁଳା ମାତା।
ହସ ଓ ଲୁହରେ ଗୁନ୍ଥା କ୍ଷଣ କ୍ଷଣ ଧନ୍ୟ ସେ ନାରୀ ଜୀବନ
ଗୋଟିଏ ଗାଆଁରେ ଏନ୍ତୁଡ଼ି ତାହାର ଅନ୍ୟ ଗ୍ରାମେ ଶମଶାନ
ପୂରିଲା ହାତକୁ ପୂରିଲା ମଥା ତା, ପୂର୍ଣ୍ଣତା ହିଁ ସ୍ୱପ୍ନ ତାର
ଚାହେଁ ପୂର୍ଣ୍ଣ କୋଳ, ପୂର୍ଣ୍ଣ ପରିବାର, ପୂର୍ଣ୍ଣ କଳସ ଦ୍ୱାର।
କିନ୍ତୁ ଫୁଟିବାର ସ୍ବପ୍ନ ନେଇ ଝଡେ ଶତ ସହସ୍ର କଢ
ନାରୀ ଲାଗି ଏହି ସମାଜ ସାଜିଛି ଗୋଟିଏ ଅନ୍ଧାରୀ ଗଡ
ଚୁନି ଚୁନି ହସ ଫୁଟେ ନାହିଁ ଏଠି ଲକ୍ଷ ନିୟୁତ ଓଠେ
ଆସି ପୁଣି ଚାଲି ଯାଇଛି ସଭ୍ୟତା ପୂର୍ବ ପରି ନିଜ ବାଟେ।
Very nice poem…it describes the pain nd labour of a farmer
Thank you so much, Smita for all these lovely words!
Sir story ti bahuta dukha bhari rahichi.
Nari tiiaae sabubele ghara sajadibaku chanhi thaee hele belebele bhagya hatare bandha hoe see nirupaya hoeejaee.
Ama samaj paribesha ku naee story ti bahuta badhia lagila.
ଧନ୍ଯବାଦ, ମାନସୀ!
Bahut sunder sir lekha ti 👌👌👌
ଧନ୍ଯବାଦ, ତୃପ୍ତି
ଅନନ୍ୟ , ଅପୂର୍ବ , ଗ୍ରାମ୍ୟ ଜୀବନର ନିଖୁଣ ଅବତାରଣା । ନାରୀ ଚରିତ୍ରର ସଫଳ ରୂପାୟନ । ଆପଣ ମହାନ । ଶତ ପ୍ରଣାମ
ଧନ୍ଯବାଦ, ମୀନୁ
ଖୁବ ମାର୍ମିକ ରଚନା।କବିତା ପଢିବା ସମୟେ କରୁଣ ଚିତ୍ର ଉଙ୍କି ମାରୁଥିଲା। ହୃଦୟ ସ୍ପର୍ଶୀ କବିତା।
ଧନ୍ୟବାଦ, ଜ୍ୟୋତିର୍ମୟୀ
ଦେଇଥିବା ଟିପ୍ପଣୀ ପାଇଁ ଅଜସ୍ର ଧନ୍ୟବାଦ ଓ କୃତଜ୍ଞତା !
ଅତ୍ୟନ୍ତ ଦୁଃଖଦ କବିତା ଟି । ଏହା ଏକ ସତ୍ୟ ଘଟଣା । ଭଦ୍ରକ ଜିଲ୍ଲାରେ ଅଛି ଏହି ବିଲ ।
ଆଖିରେ ଲୁହ ଆଣିଦେଲା ।
ବହୁତ ବହୁତ ଧନ୍ୟବାଦ, ଆଜ୍ଞା !
It’s a fabulous story
Thank you so much for recording your appreciation for my work!
କବିତାର ନାମଟିକୁ ଦେଖି କୌତୁହଳବଶତଃ ପଢିବା ଆରମ୍ଭ କଲି..କବିତାର ପ୍ରତ୍ୟେକ ଛନ୍ଦ,ଲୟ,ତାଳରେ ଚଳତ୍ ଚିତ୍ର ପ୍ରାୟ ଗରିବ ଓଡିଆ ଚାଷୀର ଜୀବନ୍ତ ଦୃଶ୍ୟ ନାଚୁଥିଲା।କି ସୁନ୍ଦର ଥିଲା ସତରେ!କିନ୍ତୁ …ହଠାତ୍ ଓଠରୁ ମୋ ହସ ଲିଭିଗଲା…ଲୁହରେ ଭିଜୁଛି ମୁଁ..😭😭କି କରୁଣ ଦୃଶ୍ୟ ଆଙ୍କିଛନ୍ତି !!ପରେ ପ୍ରକୃତିସ୍ଥ ହେଲି।ପରିଶେଷରେ ସମାଜରେ ନାରୀର ସ୍ୱରୂପକୁ ଅତି ନିଚ୍ଛକ ଭାବେ ଉପସ୍ଥାପନା କରିଛନ୍ତି।ଚମତ୍କାର!!ଚମତ୍କାର!!👌👌👌👌👌🙏🙏🙏🙏
Thank you so much for recording your appreciation for my work!
ବହୁତ ସୁନ୍ଦର ଆଉ ଦୀର୍ଘ ଏହି ଟିପ୍ପଣୀ ପାଇଁ ଧନ୍ୟବାଦ 🌺
ଏହା ଏକ ସତ୍ୟ ଘଟଣା । କବିତାରେ ଏହାର ନିଚ୍ଛକ ସ୍ୱର ଫୁଟି ଉଠିଛି । ଆଖିରେ ଲୁହ ଆସି ଗଲା ।
କି କରୁଣ କାହାଣୀ।ସାର୍ ଆପଣ ଏତେ ସୁନ୍ଦର ଭାବେ ପ୍ରତି ଟି ଚରିତ୍ର ର ରୂପ ଦିଅନ୍ତି ପାଠକ ଗୋଟେ ଦର୍ଶକ ଭଳି ଉପଭୋଗ କରେ କାହାଣୀ କୁ।ଗୋଟେ ଚାଷୀ ର ଆତ୍ମା କାହାଣୀ କୁ ଖୁବ୍ ଜୀବନ୍ତ ଭାବେ ଫୁଟାଇଛନ୍ତି ଟା ସହିତ ତା ସ୍ତ୍ରୀ ର ମାନସିକତା କୁ ମଧ୍ୟ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।ଶେଷରେ ନାରୀ ସ୍ଥିତି ସମାଜ ରେ କିପରି ତାକୁ ବହୁତ୍ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।ଯେତେ ତ୍ୟାଗ ର ମୂର୍ତ୍ତି ହେଉ ପଛେ ନାରୀ କିନ୍ତୁ ଟିକେ ଭୁଲ୍ ରେ କଳଙ୍କ ର ଦାଗ ଚିରଦିନ ପାଇଁ ତ ମୁଣ୍ଡରେ ହିଁ ରହିଯିବ
ଧନ୍ୟବାଦ, ସସ୍ମିତା ! ମୁଁ କୃତଜ୍ଞ !
ଘଇତାମାରି ପାଟର ନାମକରଣ ଓ ଏ ସମ୍ପର୍କୀତ ଲୋକ କଥା ଆଜି ମଧ୍ୟ ସେହି ଅଞ୍ଚଳରେ ପ୍ରଚାରିତ ଓ ପ୍ରସାରିତ। ଆପଣମାନେ ଜାଣି ଖୁସି ହେବେ ଯେ, ସେ କାଳର ଘଇତାମାରି ପାଟ ଆଜି ଆଉ ସେପରି ନାହିଁ। ଭଦ୍ରଖରୁ ଭାୟା ଅର୍ଣ୍ଣପାଳ,, ଅସୁରାଳି , ଧୁସୁରି, ସୁର୍ଯିପୁର ଓ ପନ୍ଦରବାଟିଆ ଦେଇ ଆଖଣ୍ଡଳମଣି ବା ଆରଡ଼ି ପହଞ୍ଚିବା ବାଟରେ ପଡ଼େ ଏହି ତଥାକଥିତ ଘଇତାମାରି ପାଟ। ପୂର୍ବରୁ ଥିବା ଅନ୍ୟତମ ଜିଲ୍ଲା ସଡ଼କ ଓ କିଛିବର୍ଷ ପୂର୍ବେ ରାଜ୍ୟ ରାଜପଥର ମାନ୍ୟତା ପାଇଥିବା ଉପରୋକ୍ତ ରାସ୍ତାର ସମ୍ପ୍ରତି ୪ଲାଇନ ହେଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରଖ୍ୟାତ ଧାର୍ମିକ ପୀଠକୁ ଜାତୀୟ ରାଜପଥ ସହିୟ ଜୋଡ଼ିବା କ୍ରମରେ ଉପରୋକ୍ତ ରାଜ୍ୟ ରାଜପଥ ଅଳ୍ପ କିଛି ମଧ୍ୟରେ ପୂର୍ବାପେକ୍ଷା ଆହୁରି ପ୍ରଶସ୍ତ ହୋଇଯିବ। ଏହି ରାସ୍ତାର ପନ୍ଦରବାଟିଆ-ଓଳଗ ମଠ ରୁ ଆଖଣ୍ଡଳମଣୀ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତା ତଥାକଥିତ ଘଇତାମାରି ପାଟର ପ୍ରାୟ ମଝିରେ ଯାଇଛି। ଆପଣମାନଙ୍କ ମଧ୍ୟରୁ ଯଦି କେହି ଭଦ୍ରକରୁ ଭାୟା ଅର୍ଣ୍ଣପାଳ-ଅସୁରାଳି ଓ ଧୁସୁରି ବା ଧାମନଗରରୁ ଭାୟା କୋଠାର-ଧୁସୁରି ହୋଇ ଆରଡ଼ି ଯାଇଥିବେ , ସେମାନେ ଏହି ରାସ୍ତା ଦେଖିଥିବେ ନିଶ୍ଚୟ। ଅନେକ ବର୍ଷ ପୂର୍ବର ଘଇତାମାରି ପାଟ ଏବେ ଧାନକ୍ଷେତ ଓ ଅନେକ ଘରରେ ପରିପୂର୍ଣ୍ଣ। ଏହା ସହିତ ରାସ୍ତାର ବିଭିନ୍ନ ସ୍ଥାନରେ ସବୁଜ ବୃକ୍ଷରାଜି ମଧ୍ୟ ଏହି ଅଞ୍ଚଳର ପ୍ରାକୃତିକ ସୋନ୍ଦର୍ଯ୍ୟକୁ ବହୁଗୁଣିତ କରିସାରିଛି। ସେତେବେଳର ଘଇତାମାରି ପାଟ ଅଞ୍ଚଳରେ ଆଜିର ଥିବା ଚାଷଜମିରୁ ଅଧିକାଂଶ ଏବେ ଚାଷ ହେଉଛି ଏବଂ ତାହା ପୁଣି ଟ୍ରାକ୍ଟର ବା ପାୱାର ଟିଲର ଯୋଗେ। ଏହାସହିତ ତଥାକଥିତ ପାଟର ଗୋଟିଏ ପଟେ ଏବେ ଯାଜପୁର ସହରକୁ ସବୁଦିନିଆ ରାସ୍ତା ଅନେକ ବର୍ଷ ପୂର୍ବରୁ ହୋଇସାରିଛି। ଏହାସବୁ ସତ୍ତ୍ୱେ ଲୋକକଥା ଓ ସଂସ୍କୃତିରେ ଘଇତାମାରି ପାଟର ନାମକରଣ ଆଜି ମଧ୍ୟ ଆଲୋଚିତ। ଏହାକୁ ନେଇ ଲେଖକଙ୍କ ରଚନା ବେଶ୍ ଚମତ୍କାର ଓ ଜୀବନ୍ତ। ଏହି ଲେଖାକୁ ଯେଉଁମାନେ ପଢ଼ିବେ ସେମାନେ ଏ ସମ୍ପର୍କରେ ଅନେକ କଥା ଜାଣିବେ ବୋଲି ମୋର ଆଶା।
ନୂଆ ତଥ୍ଯ ସହ ବିଷୟ ଉପରେ ଆଲୋକପାତ କଲେ। ବହୁତ ବହୁତ ଧନ୍ୟବାଦ, ଆଜ୍ଞା !
କବିତାରେ ପ୍ରଦତ୍ତ କିଛି ସାଙ୍କେତିକ ଚିତ୍ର , କବିତାକୁ ଅଧିକ ଆକର୍ଷଣୀୟ ଓ ମନଛୁଆଁ କରିବାରେ ସହାୟକ ହୋଇଛି। ଯେହେତୁ ମୁଁ ସେହି ଅଞ୍ଚଳ ସହିତ ଭଲଭାବେ ପରିଚିତ , ଏହି କବିତା ପଢ଼ିବା ପରେ ମୁଁ ମଧ୍ୟ ଅନୁଭବ କରିପାରୁଛି ବହୁକାଳ ପୂର୍ବେ ହୋଇଥିବା ଘଟଣା ଓ ପରବର୍ତ୍ତୀ ସମୟରେ ପାଟର ନାମକରଣର ଯଥାର୍ଥତା।
ଏହି ସୁନ୍ଦର ଅଭିମତ ପାଇଁ ଆନ୍ତରିକ ଧନ୍ଯବାଦ!
“ଘଇତାମାରୀ ପାଟ” କବିତାଟି ନିଚ୍ଛକ ଗ୍ରାମୀଣ ଲୋକକଥା ଉପରେ ଆଧାରିତ। ଭାଷା, ଭାବ ଭିତରେ ମାଟିର ବାସ୍ନା ବାରିହେବା ସହିତ ମାଟିର ମଣିଷର ଦୁଃଖଦ ଚିତ୍ର ରୂପାୟିତ ହୋଇଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏ ସୃଷ୍ଟି ପାଇଁ।
ଅନେକ ଅନେକ ଧନ୍ୟବାଦ ଏହି ପ୍ରେରଣାଦାୟୀ ବାର୍ତ୍ତା ପାଇଁ!
ଜୀବନ୍ତ ବର୍ଣନା,👌
। ଲୋକ ଲୋଚନକୁ ଆଣିଥିବାରୁ ହୃଦୟରୁ ଧନ୍ୟବାଦ।ମୁଁ ଜାଣିଥିଲି,ଏଇଟି ଉପୁଳା (ଛତିଆ)ପାଖରେ ଅଛି !
ପ୍ରକୃତରେ କୋଉଠି ଏ ପାଟ?
କବିତାର ଶୀର୍ଷକ ହିଁ କବିତାଟି କୁ ପଢିବାକୁ ବାଧ୍ୟ କରୁଛି …. ଅତି ସୁନ୍ଦର ବର୍ଣ୍ଣନା , ନାରୀ ଟିର ଦୁଃଖ କୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି ଓ ବ୍ୟବହୃତ ଶବ୍ଦ ଆଉ ଆକର୍ଷଣୀୟ କରି ଦେଉଛି । 👌👌👌👌
ଧନ୍ୟବାଦ, ପରିମିତା!
ଆମ ମାଟିର ଅନନ୍ୟ ସାଂସ୍କୃତିକ ଐତିହ୍ୟ ପଛରେ ଥିବା ଲୋକ କାହାଣୀକୁ ଖୁବ୍ ମାର୍ମିକ ଭାବରେ ପରିବେଷଣ କରିଛନ୍ତି କବି। ନିଜ ମାଟି ପାଣି ପବନ ଏବଂ ଐତିହ୍ୟ ସହିତ ଏକତ୍ମ ହେବା କେତେ ମନୋମୁଗ୍ଧକର ସତରେ ! କବିଙ୍କୁ ଅଶେଷ ଧନ୍ୟବାଦ୍।
ଅନ୍ତରରୁ ଧନ୍ୟବାଦ !
ହୃଦୟସ୍ପର୍ଶୀ କବିତା।
ମାତ୍ର ବର୍ତ୍ତମାନ କୃଷକ ଟଙ୍କିକିଆ ଚାଉଳ ପାଇ ଚାଷ ଛାଡିଲାଣି।
ହଁ, ବହୁତ ବଦଳି ଯାଇଛି ସବୁକିଛି !
ଟିପ୍ପଣୀ ପାଇଁ ଧନ୍ୟବାଦ!
ଆହା କେଡ଼େ ସୁନ୍ଦର କବିତା। ଧନ୍ୟବାଦ ଆପଣଙ୍କୁ ଏ ସୁନ୍ଦର ସୃଷ୍ଟି ପାଇଁ
ମୁଁ ଏଇଟା ଫେସବୁକରେ ପଢ଼ି କାନ୍ଦିଥିଲି। ବର୍ତ୍ତମାନ ମଧ୍ୟ କଣ୍ଠରୋଧ।