ଡାଆଣୀ

ସନ୍ତୋଷ ପଟ୍ଟନାୟକ

ଏ ଘଟଣାଟି ଅନେକ ଦିନ ଆଗରୁ ଘଟିଥିଲେ ମଧ୍ୟ ମୋର ସମ୍ପୂର୍ଣ୍ଣ ମନେଅଛି। ଭଗବାନଙ୍କ ଦୟାରୁ ଘଟଣାଟିର ଅନୁସନ୍ଧାନ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇନଥିଲା; ନହେଲେ ହୁଏତ ଏକ ଭୟଙ୍କର ପରିସ୍ଥିତି ହୋଇଥାନ୍ତା।

ସେ ସମୟରେ ମୁଁ ଓଡ଼ିଶା, ମଧ୍ୟପ୍ରଦେଶ ଓ ବିହାର ତିନୋଟି ପ୍ରଦେଶର ସୀମାନ୍ତବର୍ତ୍ତୀ ସ୍ଥାନରେ ଥିବା ଏକ ଥାନାରେ କାର୍ଯ୍ୟଭାର ଗ୍ରହଣ କରିଥାଏ। ବର୍ତ୍ତମାନ ଓଡ଼ିଶାକୁ ଲାଗିଥିବା ସେହି ଅଂଶଗୁଡ଼ିକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ ବୋଲି କୁହାଯାଉଛି। ସେହି ଅଞ୍ଚଳ ଆଦିବାସୀ ବହୁଳ ଓ ଘଞ୍ଚ ଜଙ୍ଗଲପୂର୍ଣ୍ଣ। ରାସ୍ତାଘାଟ ଦୁର୍ଗମ। ସ୍ଥାନୀୟ ଲୋକମାନେ ସରଳ ଓ ଶାନ୍ତିପ୍ରିୟ। ସେମାନଙ୍କର ମୁଖ୍ୟ ବେଉସା ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। ସେମାନଙ୍କ ସରଳତାର ଏକ ବିଶେଷତ୍ୱ, ଯଦି କିଛି ଗୋଟିଏ ବିଷୟ ସେମାନେ ବିଶ୍ୱାସ କରିଗଲେ, ତାହା ଠିକ୍ ବା ଭୁଲ୍ ହେଉ ସହଜରେ ତାଙ୍କ ମନକୁ ସେ ସମ୍ବନ୍ଧରେ ଆଉ ପରିବର୍ତ୍ତନ କରିହେବନାହିଁ। ଥରେ ହିଂସ୍ର ହେଲେ ନରହତ୍ୟା କରିବାକୁ ତିଳେମାତ୍ର ଦ୍ୱିଧା କରନ୍ତି ନାହିଁ।

ଶୀତଦିନ, ସନ୍ଧ୍ୟା ହୋଇ ଆସୁଥାଏ। ଥଣ୍ଡା ଓ ଅନ୍ଧାର ଏକାସଙ୍ଗେ ମାଡ଼ି ଆସୁଥାନ୍ତି। ହଠାତ୍ ହାବିଲଦାର ପାଟିକଲା “ଆଜ୍ଞା ପାହାଡ଼ ସେପଟ ଗାଁର ପାଖାପାଖି ପଚାଶଜଣ ଲୋକ ଆସିଛନ୍ତି। ସାଙ୍ଗରେ ଗୋଟିଏ ସ୍ତ୍ରୀ ଲୋକକୁ ଧରି ଆଣିଛନ୍ତି। କହୁଛନ୍ତି ଆମେ ଗୋଟିଏ ଡାଆଣୀକୁ ଧରିଛୁ। ଖାଲି ଚୌକିଦାର ତାକୁ ନେଇ ଥାନାକୁ ଯାଅ ବୋଲି ବାରମ୍ବାର କହିବାରୁ ଆମେ ଥାନାକୁ ଆସିଛୁ। ଏଠୁ ଫେରିଲେ ଆମ କାମ ଆମେ କରିବୁ।” ଆଶଙ୍କା ଓ ଚିନ୍ତାରେ ମୋର ମନ ଭାରାକ୍ରାନ୍ତ ହୋଇଗଲା। ଏହା ପଛରେ ଏକ ବିଶେଷ କାରଣ ଥିଲା। ସରକାରୀ ନିର୍ଦ୍ଦେଶନାମା ତଥା ଆଇନ ଅନୁସାରେ ଆମେ ସମସ୍ତ ଲୋକଙ୍କୁ ସବୁଆଡ଼େ ବୁଝାଉଥିଲୁ ଯେ, ଡାଆଣୀ ଅଛି ବା ତା’ର କିଛି ପ୍ରଭାବ ଅଛି ବୋଲି ସେମାନେ ବିଶ୍ୱାସ କରନ୍ତୁ ନାହିଁ। ଏହା ଅନ୍ଧବିଶ୍ୱାସ। ଯଦି ଗୁଣିଆ ବା ଡାଆଣୀ ସମ୍ବନ୍ଧୀୟ କିଛି ଘଟଣା ତାଙ୍କ ନଜରକୁ ଆସୁଛି, ସେକଥା ସେମାନେ ସ୍ଥାନୀୟ ଚୌକିଦାର ଓ ଥାନାରେ ଅବିଳମ୍ବେ ଜଣାନ୍ତୁ। ସାଙ୍ଗେ ସାଙ୍ଗେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣାରେ ଉକ୍ତ ଗାଁର ଚୌକିଦାରର ଭୂମିକା ପ୍ରଶଂସନୀୟ ଥିଲା। ଏଭଳି ଏକ ଘଟଣା ହେବାପରେ ସେ ଗାଁରେ ସଭା କରି କିଛି କାର୍ଯ୍ୟାନୁଷ୍ଠାନ ଆଗରୁ ଥାନାରେ ଜଣାଇବା ପାଇଁ ପ୍ରଯତ୍ନ କରିଥିଲା।

ମୁଁ ଥାନା ବାରଣ୍ଡାରୁ ବାହାରକୁ ଆସିଲି। ଦେଖିଲି ପଚାଶରୁ ଷାଠିଏ ଜଣ ଲୋକ। ସମସ୍ତଙ୍କର ମୁହଁ ଗମ୍ଭୀର। କିଛି ଦୂରରେ ଗୋଟିଏ ମଧ୍ୟବୟସ୍କା ସ୍ତ୍ରୀ ଲୋକ ଠିଆ ହୋଇଥାଏ। ଶ୍ୟାମଳ ବର୍ଣ୍ଣ, ସୁଗଠିତ ଶରୀର। ବଡ଼ବଡ଼ ଆଖି ଦୁଇଟିରେ ଭୟର ଚିହ୍ନ ସୁସ୍ପଷ୍ଟ। ମୁଁ ପରବର୍ତ୍ତୀ ପଦକ୍ଷେପ ସମ୍ବନ୍ଧରେ ଚିନ୍ତାକଲା ବେଳକୁ ସେଠି ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଆଗକୁ ଆସି କହିଲା, “ଆଜ୍ଞା ଆମେ ଏ ଡାଆଣୀକୁ ଧରିଛୁ। ଆପଣମାନେ କହୁଛନ୍ତି ଯେ, ଡାଆଣୀ, ଭୂତ କିଛି ନାହିଁ। ବର୍ତ୍ତମାନ ଏ ଡାଆଣୀକୁ ଆମେ ରଙ୍ଗେହାତ ଧରିଛୁ। ଇଏ ଗତକାଲି ରାତିରେ ତା’ର ନିଜର ଦିଅରର ତଣ୍ଟିକୁ କାମୁଡ଼ି ରକ୍ତ ପିଇବାକୁ ଆସିଥିଲା। ତା ବେକରେ ଦାନ୍ତ ଲଗାଇବା ବେଳକୁ ତା’ ଦିଅର ଉଠିପଡ଼ି ପାଟି କଲା। ଡାଆଣୀ ପାଟିଶୁଣି ଦୌଡ଼ି ପଳାଇଲା ବେଳକୁ ଆମେ ସବୁ ଗାଁ ଲୋକ ଚାରିଆଡ଼ୁ ଘେରି ତାକୁ ଧରିଛୁ। ଆପଣଙ୍କ କାନୁନ୍ ଏ ଡାଆଣୀକୁ କ’ଣ ଦଣ୍ଡ ଦେଉଛି ଆମେ ଦେଖୁଛୁ। ତା’ପରେ ଆମେ ଯାହା କରବା କଥା କରିବୁ।” ପୁଣି କହିଲା, “ଆମେ ଗାଁର ଅନ୍ୟ କେହି କହିଲେ ଆପଣ ଅବିଶ୍ୱାସ କରିବେ। ବର୍ତ୍ତମାନ ତା’ର ନିଜ ଦିଅର କ’ଣ କହୁଛି ଶୁଣନ୍ତୁ।”

ଏ ବିଷୟରେ କଥାବାର୍ତ୍ତା କରୁଥିବା ଲୋକଟି କିଏ ଜାଣିବା ପାଇଁ ମୋ ମନରେ କୌତୁହଳ ସୃଷ୍ଟି ହେଲା। ସେ ଗାଁର ଚୌକିଦାରକୁ ଚାହିଁଲି। ସେ ମୋତେ କହିଲା, “ଆଜ୍ଞା ଏ ହେଉଛି ଗାଁର ଦେହୁରୀ, ରୋଗ ବାଧିକି ପଡ଼ିଲେ ୟା’ଠାରୁ ଲୋକମାନେ ପୂଜାପାଠ କରାନ୍ତି।”

ଏ ଲୋକଟିର କାର୍ଯ୍ୟ ପ୍ରତି ମୋର ସନ୍ଦେହ ଘନୀଭୂତ ହେଲା। ତାକୁ ଭଲ ଭାବରେ ଚାହିଁ ଦେଖିଲି, ଲୋକଟିର ଚେହେରା ଅନେକାଂଶରେ ଲୋହିତ ଭାରତୀୟଙ୍କ ପରି। ଅଳ୍ପ ଉଚ୍ଚତା, ପେଶୀ ବହୁଳ ଶରୀର, ସମଗ୍ର ଶରୀର ତାମ୍ରବର୍ଣ୍ଣ। ମୁଣ୍ଡରେ ଲମ୍ବା ଚୁଟି ଲୁହାତାର ପରି ମୋଡ଼ିହୋଇ କାନ୍ଧ ପର୍ଯ୍ୟନ୍ତ ଲମ୍ବି ଆସିଛି। ଚେପ୍‌ଟା ନାକ, ସାପପରି ସ୍ଥିର, ନିଷ୍ପଲକ ଦୃଷ୍ଟି। କପାଳରେ ମେଞ୍ଚାଏ ସିନ୍ଦୂର। ସାଧାରଣ ଲୋକଙ୍କ ପାଇଁ ବେଶ୍ ଭୀତିପ୍ରଦ ଚେହେରା। ଯେହେତୁ ଅଭିଯୋଗ ପ୍ରଥମେ ସେ ସ୍ତ୍ରୀଲୋକର ଦିଅର ଠାରୁ ଆରମ୍ଭ ହୋଇଥିଲା, ମୁଁ ତାକୁ ଆଗ ପଚରା ଉଚୁରା କରିବା ପାଇଁ ସ୍ଥିର କଲି। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଜଣାପଡ଼ିଲା ଯେ, ଉକ୍ତ ସ୍ତ୍ରୀଲୋକ ତା’ର ଦୁଇଟି ନାବାଳିକ ସନ୍ତାନ ଓ ଦିଅର ଗାଁରେ ଗୋଟିଏ ଘରେ ରହନ୍ତି। ବଡ଼ଭାଇ ଏକ ପ୍ରାଇଭେଟ୍ କମ୍ପାନୀରେ କିଛି ମାସ ହେଲା ଶ୍ରମିକ କାର୍ଯ୍ୟ କରୁଛି। ଜମିବାଡ଼ି ଅଳ୍ପ। ବଡ଼ ଭାଇ ନିଜ ରୋଜଗାରରୁ ଟଙ୍କା ପଠାଏ। ଘରର ଖର୍ଚ୍ଚ ଉଠିଯାଏ। ପଚାରି ବୁଝିଲି ଯେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଅତି ଭଲ। ବଡ଼ଭାଇ କାମ କରିବା ପାଇଁ ବାହାରକୁ ଯିବା ପରଠାରୁ ଘରର ଆର୍ଥିକ ଅବସ୍ଥାରେ ବେଶ୍ ସୁଧାର ଆସିଛି।

ଏ ଘଟଣା ଆଗରୁ ସେ ସ୍ତ୍ରୀଲୋକ ଯେ ଡାଆଣୀ ସେ ସମ୍ବନ୍ଧରେ ଗାଁରେ କୌଣସି ପ୍ରକାର ଅଭିଯୋଗ ନଥିଲା। ସେ ଦିଅରକୁ ଘଟଣା ସମ୍ବନ୍ଧରେ ପ୍ରଶ୍ନ ଆରମ୍ଭ କଲି।

କାଲି ରାତିରେ କେତେବେଳେ ଶୋଇବାକୁ ଗଲୁ?

‘ଆଜ୍ଞା ପାଖାପାଖି ୯ଟା ହେବ।’

କ’ଣ ଖାଇଥିଲୁ?

‘ଭାଉଜ ଦେଇଥିଲା ଭାତ ଓ ତରକାରୀ’

କୋଉଠି ଖାଇଲୁ?

‘ଘରର ବାହାର ପାଖ ପିଣ୍ଡାରେ’

ଶୋଇବା ପରେ କ’ଣ ହେଲା ଟିକିନିଖି କହ। 

‘ଆଜ୍ଞା ପିଣ୍ଡାରେ ମୁଁ ଶୋଇଲି। ରାତ୍ରି ପ୍ରାୟ ୧୨ଟା ହେବ। ମୋର ନିଦ ଭାଙ୍ଗିଗଲା। କିଏ ଗୋଟିଏ ମୋ ପାଖରେ ଚଲାବୁଲା କରୁଥିବା ପରି ଜଣାଗଲା।’

ତା’ପରେ କ’ଣ ହେଲା?

“ମୁଁ ଭୟରେ ସାମାନ୍ୟ ଆଖି ଖୋଲି କିଏ ଜାଣିବାକୁ ଚେଷ୍ଟା କଲି। ଗୋଟିଏ ସ୍ତ୍ରୀଲୋକ ପରି ମତେ ଆଖିସୁହା ଅନ୍ଧାରରେ ଜଣାଗଲା। ଭୂତ କି ଡାଆଣୀ କ’ଣ ବୋଲି ଭାବି ମୁଁ ଡରି ହଲଚଲ ହେଲି ନାହିଁ। ସେ ଧୀରେ ଧୀରେ ମୋ ପାଖକୁ ଆସିବାକୁ ଲାଗିଲା ଓ ମୋର ବେକ କାମୁଡ଼ିବାକୁ ନଇଁ ପଡ଼ିଲା। ମୁଁ ପ୍ରାଣ ବିକଳରେ ପାଟିକରି ଉଠିପଡ଼ିଲି।”

ଏଥର ମୁଁ ପ୍ରଶ୍ନ କଲି –

ସେ ତୋ ବେକ କାମୁଡ଼ିବାକୁ ନଇଁଲା ବୋଲି କେମିତି ଜାଣିଲୁ?

‘ମୁଁ ଭାବିଲି ଆଜ୍ଞା’!

କାହିଁକି ଏପରି ଭାବିଲୁ?

‘ଡାଆଣୀମାନେ ତଣ୍ଟି କଣାକରି ରକ୍ତ ପିଅନ୍ତି ବୋଲି ମୁଁ ଶୁଣିଛି ଆଜ୍ଞା’

ତତେ କିଏ କହିଲା? ଆଗରୁ ଏପରି ଘଟଣା ହୋଇଥିବାର କହିପାରିବୁ?

ସେ ନିରୁତ୍ତର ରହିଲା।

ମୁଁ ଜାଣିପାରୁଥିଲି ଯେ, ସେ କିଛି ଗୋଟାଏ ଲୁଚାଇବାକୁ ଚେଷ୍ଟା କରୁଛି।

ଏଥର ସେ ସ୍ତ୍ରୀଲୋକଟିକୁ ଯଥାସମ୍ଭବ ଆଶ୍ୱାସନା ଦେଇ ପଚରା ଉଚୁରା ଆରମ୍ଭ କଲି।

‘ଦେଖ ତମେ କାହାରିକୁ ଭୟ କରିବାର ନାହିଁ। ତମେ ସତ କହିବ ବୋଲି ମୁଁ ଆଶା କରୁଛି। ତମର ଦିଅର ସହିତ କୌଣସି ବିଷୟକୁ ନେଇ ଝଗଡ଼ା ବା ମନୋମାଳିନ୍ୟ ହେଇଛି?’

‘ନାହିଁ’

ବର୍ତ୍ତମାନ ସମ୍ପର୍କ କିପରି?

‘ଅତି ଭଲ। ମୁଁ ତାକୁ ମୋର ସାନଭାଇ ପରି ସ୍ନେହ କରେ।’

ଏଥର ମୋର ପ୍ରଶ୍ନର ଦିଗ ବଦଳାଇଲି। କାଲି ରାତିରେ ତମେ ତାକୁ ଖାଇବାକୁ ଦେଲ?

‘ଆଜ୍ଞା ହଁ’

କ’ଣ ଦେଲ କେତେଟା ରାତି ହେବ?

‘ରାତି ପ୍ରାୟ ୯ଟା ହେବ। ଭାତ ଓ ତରକାରୀ ଦେଲି।’

ତା’ପରେ?

‘ସେ ବାହାର ପିଣ୍ଡାକୁ ଶୋଇବାକୁ ଗଲା ଓ ମୁଁ ସବୁଦିନପରି ମୋ ପିଲାମାନଙ୍କ ପାଖରେ ଘର ଭିତରେ ଶୋଇଲି।’

ତା’ପରେ କ’ଣ ହେଲା?

‘ଆଜ୍ଞା ଗୋଟିଏ କଥାକୁ ନେଇ ମୁଁ ରାତିରେ ଭଲ ଭାବରେ ଶୋଇପାରିଲି ନାହିଁ। ରାତି ପ୍ରାୟ ୧୨ଟା ବେଳେ ଉଠି ବାହାରକୁ ଗଲି।’

କାହିଁକି?

‘ଦିଅରକୁ ଦେଖିବାକୁ ଗଲି’

କ’ଣ ଦେଖିବାକୁ ଗଲୁ? ସେ ଶୋଇଛି କି ନାହିଁ?

‘ନାଇଁ ଆଜ୍ଞା’

ଆଉ ତାହେଲେ କାହିଁକି ତା ପାଖକୁ ଗଲୁ? କ’ଣ କଲୁ ସେଠି?

‘ମୁଁ ବାରଣ୍ଡାରେ ପହଂଚିଗଲି। ଦେଖିଲି ଦିଅର ଶୋଇଛି। ମୁଁ ନଇଁକି ତା ମୁହଁ ପାଖରେ…’

ହଁ ତା ମୁହଁ ପାଖରେ??? ତା’ପରେ? 

ଏଥର ସ୍ତ୍ରୀଲୋକଟି ନୀରବ ହୋଇଗଲା।

ତା’ପରେ କ’ଣ ହେଲା? ମୁଁ ପ୍ରଶ୍ନ କଲି –

ସେ ସ୍ତ୍ରୀଲୋକଟିର ଆଖି ଦୁଇଟି ବନ୍ଦ ହୋଇଯାଇଥିଲା ଓ ସେ ଧ୍ୟାନମଗ୍ନ ହେଲାପରି ବସି ନିର୍ବାକ ହୋଇଗଲା।

“ଆଜ୍ଞା ଦେଖନ୍ତୁ। ଦୋଷ କରିଛି ବୋଲି କିଛି କହୁନାହିଁ।” କିଛି ଲୋକ ପାଟି କଲେ।

ମୁଁ ସେମାନଙ୍କୁ ଚୁପ୍ ରହିବାକୁ କହିଲି। ତା’ର ଦିଅରକୁ ପଚାରିଲି। ଦେଖ ତୋ ଭାଉଜ ସତ କହିବା ଆଗରୁ ତୁ ସତ କହିବା ଦରକାର ନହେଲେ ତତେ ବେଶି ଅସୁବିଧା ହେବ।

‘କ’ଣ କହିବି ସାର୍‌?’

ତୁ କେମିତି ଜାଣିଲୁ ସେ ନଇଁବା ମାତ୍ରେ ତୋର ତଣ୍ଟିକୁ କଣାକରି ରକ୍ତ ପିଇଯିବ। ତୋ ପାଖରେ ସେ ନଇଁବାକୁ ଅନ୍ୟ କାରଣ ଥାଇପାରେ।

ସାମାନ୍ୟ ଇତସ୍ତତଃ ହୋଇ ସେ କହିଥିଲା- “ଆଜ୍ଞା ମତେ ଆମ ଗ୍ରାମର ଦେହୁରୀ ଯାହାର ନାଁ ‘କୁସେର’ ମତେ ଏକଥା କହିଥିଲା।”

କ’ଣ କହିଥିଲା? ଏଥର ମୋ କଣ୍ଠରେ ସାମାନ୍ୟ ଉତ୍ତାପ ଥିଲା।

“କେତେ ଦିନ ହେଲା ‘କୁସେର’ ମତେ କହୁଥିଲା ଯେ, ମୋର ଭାଉଜ ଡାଆଣୀ, ଆଜି ରାତିରେ ସେ ଆସି ମୋର ତଣ୍ଟି କଣା କରି ରକ୍ତ ପିଇଯିବ। ତୁ ସାବଧାନ ଥିବୁ। ଡରରେ ମତେ ନିଦ ହେଲା ନାହିଁ ସାହେବ। ମୁଁ ରାତିସାରା ଏପଟ ସେପଟ ହେଉ ହେଉ ଦେଖିଲି ମୋର ଭାଉଜ ରାତି ବାରଟା ବେଳେ ଆସିଲା। ମୁଁ ଭାବିଲି ଯେ କୁସେର ସତ କହୁଥିଲା। ସେ ଡାଆଣୀ ମୋର ତଣ୍ଟି କଣା କରି ରକ୍ତ ପିଇଯିବ। ନହେଲେ ଏତେ ରାତିରେ ମୋ ପାଖକୁ କାହିଁକି ଆସିଛି? ସତ କହୁଛି ଆଜ୍ଞା ଶୀତଦିନ ହୋଇଥିଲେ ବି ମୁଁ ଝାଳରେ ଗାଧେଇ ପଡ଼ିଥିଲି। ସେ ମୋର ମୁଣ୍ଡ ପାଖରେ ନଇଁବା ମାତ୍ରେ ମୁଁ ଡରରେ ପାଟି କଲି ଓ ଗାଁ ବାଲାମାନେ ଉଠିଆସି ଭାଉଜକୁ ଧରିଲେ।”

‘ସେ କୁସେର କାହିଁ?’ ମୋର କଥାଶୁଣି ଲୋକମାନଙ୍କ ପଛରେ ଲୁଚିଥିବା ଓ ଡାଆଣୀ ବିରୁଦ୍ଧରେ କହୁଥିବାର ସେଇ ଦେହୁରୀ ଆଗକୁ ଆସିଲା। ତାକୁ ଦେଖିବା ମାତ୍ରେ ମୋର କ୍ରୋଧ କୁହୁଳୁବା – ଆରମ୍ଭ ହେଲା। ହାଜତ ସାମ୍‌ନାରେ ଠିଆ କରାଇ ପଚାରିଲି, କିଛି କହିବାର ଅଛି ତୋର ନା ଭିତରକୁ ଯିବୁ?

ଜିଭରେ ଓଠକୁ ଚାଟି ଚାଟି କୁସେର ନିମ୍ନଲିଖିତ ବୟାନ ଦେଇଥିଲା।

ସେ ଗାଁରେ ସୁଧ କାରବାର କରେ। ଅଭିଯୁକ୍ତ ସ୍ତ୍ରୀଲୋକଟିର ସ୍ୱାମୀ ବାହାରେ ଚାକିରି କରିବାରୁ ସେମାନଙ୍କର ଆର୍ଥିକ ଅବସ୍ଥାରେ ବେଶ୍ ଉନ୍ନତି ଆସିଥିଲା ଓ ସେମାନେ କୁସେର ଠାରୁ ଆଉ ଧାର କରଜ ନେଉ ନ ଥିଲେ। ଏକଥା କୁସେରକୁ ସହ୍ୟ ହେଉନଥିଲା। ସେ ସେହି ପରିବାରରେ କିଛି ଗୋଟିଏ ଅଘଟଣ ବା ଅସୁବିଧା ଜନିତ ପରିସ୍ଥିତି ସୃଷ୍ଟି କରବା ପାଇଁ ସର୍ବଦା ଚେଷ୍ଟିତ ଥିଲା। ଏଥିପାଇଁ ସେ ଉଭୟ ଦିଅର ଓ ଭାଉଜଙ୍କ ସହିତ ଗୁପ୍ତରେ ବନ୍ଧୁତାର ହାତ ବଢ଼ାଇ ଥିଲା। କେତେଦିନ ଆଗରୁ ସେ ସେହି ସ୍ତ୍ରୀ ଲୋକକୁ କହିଥିଲା ଯେ, ତା’ର ଦିଅର ମଦ ପିଇବା ଆରମ୍ଭ କରିଛି।  ଏକଥା ଶୁଣି ସେ ସ୍ତ୍ରୀଲୋକଟି ଛାନିଆ ହୋଇଗଲା। ଯେହେତୁ କୁସେର ଗାଁର ଦେହୁରୀ ତା’ର କଥାକୁ କେହି ଅବିଶ୍ୱାସ କରୁନଥିଲେ। ସେ ଦିଅରକୁ ରାଣ ନିୟମ ପକେଇ ମଦ ନ ପିଇବା ପାଇଁ ପ୍ରତିଜ୍ଞା କରାଇଥିଲା। କେତେଦିନ ପରେ କୁସେର ଯେତେବେଳେ ପୁଣିଥରେ ସେଇ ସ୍ତ୍ରୀଲୋକକୁ ତା’ର ଦିଅରର ମଦପିଆ କଥା କହିଲା ସେ ଜବାବ୍ ଦେଲା, ଯେତେ ପଚାରିଲେ ସେ ତ ମନା କରୁଛି ଓ ନପିଇବାକୁ କିରିଆ (ପ୍ରତିଜ୍ଞା) ମଧ୍ୟ କରିଛି। କିନ୍ତୁ ସେ ବାରମ୍ବାର କହିଥିଲା ତା’ର ଦିଅର ସବୁଦିନ ରାତିରେ ସେ ଶୋଇବା ଆଗରୁ ମଦ ପିଉଛି। ଏକଥା ଯଦି ତାକୁ ଅବିଶ୍ୱାସ ଲାଗୁଛି ତାହେଲେ ଆଜି ରାତିରେ ତା’ର ଦିଅର ଶୋଇବା ପରେ ତା’ର ମୁହଁକୁ ଶୁଙ୍ଘି ଦେଖିପାରେ।

ଏପଟେ ଦିଅରକୁ କହିଲା ଯେ, ସେ ମନ୍ତ୍ର ଦ୍ୱାରା ଜାଣିଛି ତା’ର ଭାଉଜ ଗୋଟିଏ ଡାଆଣୀ। ତେବେ ଏକଥା ସେ ବର୍ତ୍ତମାନ ପାଇଁ ଗୁପ୍ତ ରଖୁ। ତା’ର ଦିଅର ଆଶ୍ଚର୍ଯ୍ୟ ହୋଇ ମନା କରିବାରୁ କୁସେର କହିଲା ଆଜି ରାତିରେ ଦେଖିବୁ ସେ ଆସି ତୋର ତଣ୍ଟି କଣାକରି ରକ୍ତ ପିଇଯିବ। ତେଣୁ ତୁ ସତର୍କ ହୋଇ ଶୋଇଥିବୁ। ଠିକ୍ ରାତି ବାରଟା ବେଳେ ସେ ସ୍ତ୍ରୀଲୋକଟି ତା’ର ଦିଅର ପାଖକୁ ମଦ ଶୁଙ୍ଘିବାକୁ ଆସିଥିଲା ଦିଅର ସତର୍କ ଥିବାରୁ ପାଟି କରିଥିଲା। କୁସେର ଆଗରୁ ଜଗିଥିଲା ଓ କିଛି ଲୋକଙ୍କୁ ଧରି ସେଠାରେ ପହଞ୍ôଚଥିଲା। ୟା’ପରେ ସମସ୍ତେ ଥାନାକୁ ଆସିଥିଲେ। କୁସେରର ଧୂର୍ତ୍ତତାରେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।

ଘଟଣାଟି ସମସ୍ତେ ଭଲ ଭାବରେ ବୁଝିବା ପରେ ଦୀର୍ଘଶ୍ୱାସ ଛାଡ଼ି ଫେରିଥିଲେ। କୁସେର ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

(ଶ୍ରୀ ସନ୍ତୋଷ ପଟ୍ଟନାୟକ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ବିଭାଗର ଜଣେ ଅବସରପ୍ରାପ୍ତ ଅତିରିକ୍ତ ଏସ୍‌.ପି ଅଟନ୍ତି।)

6 thoughts on “ଡାଆଣୀ

  1. Very nicely written.. There are so many to learn from this real life incident. The writer has narrated the incident beautifully because he himself has experienced this and this was his own case of investigation. Want more stories like this..

  2. ବ୍ୟଭିଚାରକୁ ନେଇ ଘେରି ଆସିଥିବା ଆଶଙ୍କାର ଧୂଆଁ ଭିତରୁ ପ୍ରେମ ଓ ପଵିତ୍ରତାକୁ ଏତେ ସୁନ୍ଦର ରୂପରେ ଆଙ୍କି ଦେଇଛନ୍ତି ସ୍ରଷ୍ଟା ! ସତ୍ୟ ଘଟଣାକୁ କାହାଣୀର ରୂପ ଦେବା ବି ଏକ କଳା ।

  3. ସତ୍ୟକୁ ଅନୁସନ୍ଧାନ କରି ବାହାର କରିବା ଜଣେ ଆରକ୍ଷୀ ଅଧିକାରୀଙ୍କ କର୍ତ୍ତବ୍ୟ । ତତ୍ ସହିତ ଆପଣଜଣେ କଥାକାର ହୋଇଥିବାରୁ ସମାଜପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇ ବାସ୍ତବ କାହାଣୀର ଉପସ୍ଥାପନା କରିଛନ୍ତି । ଧନ୍ୟବାଦ ଆପଣଙ୍କୁ ।

  4. Innocent People get exploited due to illiteracy. People in rural odisha still believe in ” Kalishi dhariba ” , “Khatia buliba : , ” Chenka treatment ” , ” Animal sacrifice” etc. India is celebrating its 75th year of independence and its so unfortunate that we are still so backwards in our thoughts.

Leave a Reply

Your email address will not be published. Required fields are marked *