ଜୀବନର ଶେଷ ସ୍ୱର

ଡ଼. ଆରତି ପଟ୍ଟଯୋଷୀ

କଣ ତାର ପରିଚୟ ? କେଉଁଠି ତା ଘର ? କିଏ ତାର ବାପା ମା ? ଏ ପ୍ରଶ୍ନ ପିଲାବେଳେ ଅନେକ୍ ଥର ନିଜକୁ ନିଜେ ସେ ପ୍ରଶ୍ନ କରେ। ସେ ଜାଣେନି, ସେ କୋଉଠୁ ଆସିଲା? କିଏ ତାର ବାପା ମା?
ତାକୁ ଏଇ ଶ୍ମଶାନ ରକ୍ଷକ ଅଘୋରି ବାବା ଆଣି ପାଳିଥିଲେ। ସେଇ ଦିନଠୁ ଭିନ୍ନ ତାର ପରିଚୟ। କିନ୍ତୁ ନିଜ ପରିଚୟର ସନ୍ଧାନ ଏବେ ସେ ପାଇ ପାରିଛି। ତା ପରିଚୟ ପାଇଁ ଆଉ ସେ ଆଉଟୁ ପାଉଟୁ ହେଉନି। ଆଉ କାହାକୁ ଵି ପଚାରୁନି। ଏବେ ସେ ବଡ଼ ହେଇଗଲାଣି। ଏବେ ସେ ଜାଣେ କଣ ତାର ପରିଚୟ? ତା ନାଁ ଏବେ…. “ମଡ଼ାସାଙ୍ଗିଆ”, ଘର…”ସ୍ୱର୍ଗଦ୍ୱାର”, ବାପା…”ସମୁଦ୍ର”, ମା…”ବେଳାଭୂମି” ଆଉ ଶିକ୍ଷାଗତ ଯୋଗ୍ୟତା…. “ଜୀବନରୁ ମୃତ୍ୟୁ ଯାଏ”।
ହା..ହା..ହା ମନେ ମନେ ହସିଲା ମଡ଼ାସାଙ୍ଗିଆ। ପିଲାବେଳେ ଏକୁଟିଆ ବଡ଼ ଦାଣ୍ଡରେ ବୁଲୁ ବୁଲୁ ଏକ ଶବ ଶୋଭାଯାତ୍ରାକୁ ଅନୁସରଣ କରି କରି ଏଇ ସ୍ୱର୍ଗଦ୍ବାରରେ ଆସି ପହଞ୍ଚିଥିଲା। ଖାଇବା ଖୋଜି ଖୋଜି ମୃତ ଲୋକଙ୍କୁ ଶ୍ରାଦ୍ଧ ଦିଆ ଯାଇଥିବା ଉଚ୍ଛିଷ୍ଠକୁ ଖୁଣ୍ଟି ଖାଉଥିବା ଅବସ୍ଥାରେ ଅଘୋରୀ ବାବା ତାକୁ ପାଇଥିଲେ। ତାକୁ ତା ନାଁ, ଘର, ବାପା ମା, ସବୁ କଥା ପଚାରିଥିଲେ। ହେଲେ କିଛି କହି ପାରିନଥିଲା ସେ। ସେଇ ଦିନରୁ ଏଇଠି ସେ ରହିଗଲା ଏଇ ଶ୍ମଶାନ, ଏ ତାର୍ପିନ୍ ଘୋଡ଼ିଆ ଘର ଆଉ ଏ ବେଳାଭୂମି….ଏଇ ତାର ଦୁନିଆଁ। ଭୋକ ଲାଗିଲେ ଯାହା ମିଳେ ଖାଏ ଓ ନିଦ ଲାଗିଲେ ଏତେ ବଡ଼ ବେଳାଭୂମିର ନରମ ଶେଯ। ଆଉ କ’ଣ ଦରକାର ତାର?
ନିତି ଶହ ଶହ ଶବଦାହ ହୁଏ ଏଠି। ସେମାନଙ୍କ ପାଖରୁ ବେଳେ ବେଳେ ନିଜ ବ୍ୟବହାର ପାଇଁ ସେମାନଙ୍କ ପରିତ୍ୟକ୍ତ ପୋଷାକପତ୍ର ଖଣ୍ଡେ ଵି ମିଳିଯାଏ। ଜୀବନକୁ ସନ୍ଧାନ କରୁ କରୁ ନିତି ପ୍ରତି ମୃତ୍ୟୁ ସହ ଵଞ୍ଚେ, ତାକୁ ପାଳିଥିବା ଅଘୋରୀ ବାବା ସହ। ତାକୁ ପାଳନ କରିଥିବା ଅଘୋରି ବାବା ଵି ମୃତ୍ୟୁ କୋଳକୁ କେବେଠୁ ଚାଲିଗଲେଣି। ଅତି ନିକଟରୁ ବାରମ୍ବାର ପ୍ରତିଦିନ ମୃତ୍ୟୁ, ଖାଲି ମୃତ୍ୟୁ ସହ ଭେଟ ହୁଏ ତାର।


ନୁଆ ନୁଆ ମୃତ ବ୍ୟକ୍ତିଙ୍କ ପ୍ରିୟ ପରିଜନଙ୍କ ବୁକୁଫଟା କାନ୍ଦ ତାକୁ ଦିନେ ବ୍ୟତିବ୍ୟସ୍ତ କରୁଥିଲା। କେତେଥର ଭାବିଛି ଆଉ ସହିହେବନି, ଏଥର ଏ ଯାଗା ଛାଡ଼ି ସେ ଚାଲିଯିବ। ହେଲେ ଯିବ ଯଦି ଯିବ କୁଆଡେ? କିଛି,ତ ତାର ଠିକଣା ନାହିଁ। ନିଜକୁ ନିଜେ ବୁଝେଇ ଆପଣାକୁ ସମ୍ଭାଳି ନେଇଛି। ଧୀରେଧୀରେ ସେ ଯାଗା ତାକୁ ଭଲଲାଗିଛି ଆଉ ଶେଷରେ ସେ ସେଇଠି ରହିଯାଇଛି। ଦୁଃଖ ଶୋକ ମୃତ୍ୟୁ ସହ ସେ ଏତେ ନିକଟତର ଯେ ଏସବୁ ତାକୁ ଏବେ ବିଚଳିତ କରୁନି। ବରଂ କିଏ କାନ୍ଦିଲେ ତାକୁ ବିରକ୍ତ ଲାଗେ ଆଉ ହସ,ଵି ଲାଗେ। ମନେ ମନେ ଭାବେ, ଆରେ ମୁଢ କାହାପାଇଁ ତୁ କାନ୍ଦୁଛୁ ? କାଲି ସକାଳୁ ତୁ ନିଜେ ଥିବୁ କି ନାହିଁ ଜାଣିଛୁ? ହେଲେ ସେ ଦେଖିଛି ସ୍ୱର୍ଗ ଦ୍ୱାର ପାଚେରୀ ଏପଟେ ମୃତ୍ୟୁ ଆଉ ସେପଟେ ଜୀବନ। ବଡ଼ ବିଚିତ୍ର ଏ ଅନୁଭୁତି।
ସ୍ୱର୍ଗଦ୍ୱାର ବାହାରେ ଧାଡି ଧାଡି ବିଭିନ୍ନ ପ୍ରକାର ଦୋକାନ। କେଉଁଠି ଫାଷ୍ଟ ଫୁଡ୍ ଦୋକାନ ତ କେଉଁଠି ଚିକେନ୍ , ସମୁଦ୍ର ମାଛ, ଓ ଚିଙ୍ଗୁଡ଼ି ର ପକୋଡା, କେଉଁଠି ଦହି ବରା, ଗୁପ୍ ଚୁପ୍ ତ ଆଉ କେଉଁଠି ଚାଟ ଓ ମୁଢି ମସଲା ଏମିତି କେତେ କଣ। ସେ ସବୁ ପ୍ରତି କେବେ,ବି ତାର ଲାଳସା ହେଇନି କିନ୍ତୁ ସେଠି ସେ ଜୀବନ ଦେଖିଛି। ଗୋଟେପଟେ ବାସ୍ତଵତା ଠାରୁ ଦୂରେଇ ମିଛ ମାୟା ପଛରେ ପଡ଼ିଥିବା ମଣିଷ କିପରି ହସି ହସି ସ୍ତ୍ରୀ ପିଲାଙ୍କ ସହ ସୁସ୍ବାଦୁ ଖାଦ୍ୟର ଆନନ୍ଦ ନେବାର ଦେଖିଛି ତ ଅନ୍ୟପଟେ ଆତ୍ମୀୟ ସ୍ଵଜନ କୁ ହରାଇ ବୁକୁଫଟା କାନ୍ଦର ଆର୍ତ୍ତ ଚିତ୍କାର। ବେଳେ ବେଳେ ଏମାନଙ୍କୁ ଦେଖି ଭାରି ହସେ, ଭାବେ କେତେ ହସୁଛନ୍ତି ସତେ? କେତେ ଆନନ୍ଦିତ ହେଉଛନ୍ତି ଏମାନେ ? ମଣିଷ ଜାଣେନା ଆଉ ଏକ ମୁହୁର୍ତ୍ତକୁ ତାର ଏ ହସ ଥିବ କି ନା। ମଣିଷ ଜାଣେ ହୁଏତ କାଲି ସକାଳୁ ତା ନିଦ ଭାଙ୍ଗି ନ ପାରେ। ହୁଏତ ଆଜିର ନିଦ୍ରା ତାର ଅନ୍ତିମ ବା ଶେଷ ନିଦ୍ରା ହେଇପାରେ। ତଥାପି,ଵି ମଣିଷ ଘଣ୍ଟାରେ ଆଲାରାମ୍ ଦିଏ ସକାଳୁ ଉଠିବା ପାଇଁ। ସତରେ କେଡେ ବିଚିତ୍ର ଏ ମଣିଷ ମାନେ? କେଡେ ବିଚିତ୍ର ଏ ଦୁନିଆ? ବଡ଼ ବିଚିତ୍ର କଥା ନୁହେଁ ? ମୃତ୍ୟୁ କେଵେ ଆସିଵ ମଣିଷ ଜାଣେନା ତଥାପି ଭବିଷ୍ୟତ ପାଇଁ ଜୀବନକୁ ବାଜି ଲଗେଇ ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ କୁ ଭୁଲି ଅସଲ ବାସ୍ତବତା କୁ ପଛରେ ପକେଇ ଅହେତୁକ ଭାବେ ନିଜ ପାଇଁ ତଥା ପରିବାର ପାଇଁ ଧନ ସଂଚୟ କରିବାରେ, କୋଠା ବାଡି କରିବାରେ, ସନ୍ତାନ ସନ୍ତତି ତଥା ଜ୍ଞାନ୍ତି କୁଟୁମ୍ବଙ୍କ ପାଇଁ ଜୀବନର ସମସ୍ତ ସମୟ ଅପଚୟ କରିଦିଏ ଆଉ ଭାବିଲା ବେଳକୁ ପାଖରେ ସମୟ ନଥାଏ।


ବେଳେ ବେଳେ ମଡ଼ାସାଙ୍ଗିଆ ନିଜ ମନକୁ ମନ ପ୍ରଶ୍ନ କରେ, ସତରେ ଯଦି ମଣିଷ ମନରେ ହରେଇବାର ଭୟ ଓ ପାଇବାର ଇଚ୍ଛା ନଥାନ୍ତା ତେବେ କଣ ମଣିଷ ଏତେବଡ ସୃଷ୍ଟିର ସୄଷ୍ଟି କର୍ତ୍ତା ସ୍ମରଣ କରନ୍ତା? ମଣିଷ ସ୍ୱାର୍ଥପର, ମଣିଷ ମୃତ୍ୟୁକୁ ଡ଼ରେ, ସେଥିପାଇଁ ତ ସେ ଠାକୁରଙ୍କୁ ଡାକେ। ମଣିଷ ମାୟା ପଛରେ ଅହର୍ନିଶି ଧାଉଁଥାଏ, ସେଥିପାଇଁ,ତ ସେ ବିଶ୍ୱନିଅନ୍ତାଙ୍କୁ ଖୋଜେ। ଜୀବନର ଅସଲ ସତ୍ୟତା ଠାରୁ ମଣିଷ କିପରି ପଳାୟନପନ୍ଥି? ସେ କିନ୍ତୁ ଏ ସବୁଠୁ ଉପରେ। ଯଦିଓ ସେ ସେମିତି କିଛି ମୌଳିକ ଶିକ୍ଷା ଗ୍ରହଣ କରିନାହିଁ ହେଲେ ଜୀବନର ପାଠ, ମୃତ୍ୟୁର ସତ୍ୟତାର ପାଠ ତାକୁ ବହୁତ ଛୋଟ ବେଳୁ ତା ପାଳିତ ପିତା ଅଘୋରି ବାବା ପଢେଇ ଦେଇଛନ୍ତି ଯାହାକି ଆଜି ମର୍ମେ ମର୍ମେ ସେ ଅନୁଭବ କରେ।
ହଠାତ୍ ପାଖରେ ଥିବା ଲୁଗା ଦୋକାନ ଆଡୁ ନଜର ଫେରେଇ ଆଣିବା ବେଳେ ମଡ଼ା ସାଙ୍ଗିଆ ଦେଖିଲା ଖାଇବା ଦୋକାନ ଭଳି ଏଠିଵି ଅସମ୍ଭବ ଭିଡ। ଦୋକାନୀ ସହିତ ପୃଥୁଳକାୟ ଗରାଖ ଜଣେ କିଏ ପାଟିତୁଣ୍ଡ କରୁଛନ୍ତି। କିଛି ସମୟ ନିରୀକ୍ଷଣ କଲାପରେ ଜାଣିବାକୁ ପାଇଲା ଯେ ପଇସା କଟାକଟି କୁ ନେଇ଼ କଥା କଟାକଟି। ଲୋକଟିକୁ ଭଲକି ଦେଖିଲା, ପଇସାବାଲା ଭଳି ଜଣାପଡୁଛି। ତଥାପି ଦେଖ, କେତେ ଲୋଭ ତାର ? ଦୋକାନୀଠୁ ୫୦ କି ୧୦୦ କାଟିଦେଲେ ଯେମିତି କୋଠା କରିଦେବ ? ମନେ ମନେ ହସିଲା, “କଣ ସେ ଭାବୁଛି ନିଜକୁ”? ଇଚ୍ଛା ହଉଥିଲା ପାଖକୁ ଯାଇ ଚାପୁଡା,ଟେ ପକେଇ, ତାକୁ ଜୀବନର ସତ୍ୟତା ବୁଝେଇଦିଅନ୍ତା। ଆରେ ମୂର୍ଖ, ଦେଖ ମୋତେ….ଲଜ୍ଜା ନିବାରଣ ପାଇଁ ଖଣ୍ଡେ ଲୁଗା….ତା ପୁଣି ମୃତ ଲୋକଙ୍କ ପାଲଟା। କାହିଁ କିଛି’ତ ଫରକ ପଡୁନି? କାହା ପାଇଁ ଆଉ କଣ ପାଇଁ ଏତେ ଲୋଭ? ଶେଷରେ ତ ଏଇଠି ଶୋଇବୁ ନା ? ବଡ଼ଲୋକ ବୋଲି ତୋ ପାଇଁ କିଛି ସ୍ୱତନ୍ତ୍ର ମାଟି କି ଯାଗା ତ ନାହିଁ ? ସେତେବେଳେ ତୋରି ଜ୍ଞାନ୍ତି କୁଟୁମ୍ବ ମାନେ ତୋ ଦେହରୁ ପିନ୍ଧିଥିବା ଏଇ ଶେଷ ଲୁଗାଟିକୁ ମଧ୍ୟ ଖୋଲିନେବେ। ଯେମିତି ଏ ଦୁନିଆକୁ ଲଙ୍ଗଳା ହୋଇ ଆସିଥିଲୁ ସେମିତି ଦୁନିଆରୁ ଗଲାବେଳେ ମଧ୍ୟ ଲଙ୍ଗଳା ହେଇ ଚାଲିଯିବୁ। ତେବେ କାହିଁକି ଏତେ ଅହଂକାର?
“ରାମ ନାମ ସତ୍ୟ ହେ” ସ୍ୱରରେ ପଛକୁ ବୁଲି ଚାହିଁଲା ମଡ଼ାସାଙ୍ଗିଆ। ଆଉ ଜଣେ କିଏ ଆସିଗଲେ ତା ଘରକୁ, ତା ସ୍ୱର୍ଗଦ୍ୱାରକୁ, ତା ବେଳାଭୂମିକୁ। ପୁଣି ସେଇ ବୁକୁଫଟା କାନ୍ଦ, ଆର୍ତ୍ତ ଚିତ୍କାର। କ୍ଲାନ୍ତ ଶରୀର, ଦେହ ଅବସନ୍ନ। ଧୀର ପାଦରେ ଶବ ପାଖକୁ ଫେରୁଥିଲା ମଡ଼ା ସାଙ୍ଗିଆ। ନିକଟତର ହେଉଥିଲା ଜୀବନର ଶେଷସ୍ୱର, ଜୀବନର ଶେଷ ନାମ, ଜୀବନର ଶେଷ ମନ୍ତ୍ର। ଦୁରରୁ ଭାସି ଆସୁଥିଲା ତାର ଅତି ପ୍ରିୟ ଭଜନ….

 "ଜୀବନର ଶେଷ ବନ୍ଧୁ
                  ପ୍ରଭୁ ଜଗନ୍ନାଥ,
  ଜୀବନର ଶେଷ ଗୀତ
               ରାମ ନାମ ସତ୍ୟ"।

ଆଃ….!! ଖୁବ୍ ମଧୁର, ଖୁବ ତୃପ୍ତି କର, ଖୁବ୍ ଶାନ୍ତି…..!!

6 thoughts on “ଜୀବନର ଶେଷ ସ୍ୱର

  1. ମୃତ୍ୟୁ ଯେ ଏକ ଚିରନ୍ତନ ସତ୍ୟ।ଜନ୍ମ ଓ ମୃତ୍ୟୁ ମଣିଷର ଇଚ୍ଛାଧୀନ ନୁହନ୍ତି।କିନ୍ତୁ ଜନ୍ମ ଠାରୁ ମୃତ୍ୟୁ ମଧ୍ୟରେ ରହିଥିବା କାଲଖଣ୍ଡ ଟିକୁ ଅନ୍ତତଃ ପକ୍ଷେ ନିୟନ୍ତ୍ରଣ କରି ଜୀବନକୁ ମହାର୍ଘ୍ୟ କରି ଗଢି ତୋଳିବା ପାଇଁ ବିଧାତା ସକଳ ଉପାଦାନ ଖଞ୍ଜି ଦେଇଛି।କିନ୍ତୁ ଏହାକୁ ନ ବୁଝି ହିଂସା,ଦ୍ୱେଷ,ଈର୍ଷା, ପରଶ୍ରୀ କାତରତା, ଅସତ୍ୟ ଓ ଅଧର୍ମ ର ପାପ ପଙ୍କ ଭିତରେ ଘାଣ୍ଟି ହେବା ଦ୍ବାରା ଅମୂଲ୍ୟ ମାନବ ଜୀବନ ଯେ ବ୍ୟର୍ଥ ହୋଇ ଯାଉଛି ଏ କଥା ବୁଝୁଛନ୍ତି ବା କେତେଜଣ!

    1. ବହୁତ ଭଲ କଥା ଟେ କହିଲେ 🙏🙏🙏

  2. ପ୍ରକୃତରେ କାହାଣୀଟି ଅତି ଚମତ୍କାର। ଏହି ଲେଖାଟି ପ୍ରକୃତରେ ଜୀବନର ଚିରନ୍ତନ ସତ୍ୟ ହୋଇଥିଲେ ସୁଦ୍ଧା ଆମ ଭଳି ମଣିଷମାନେ ସବୁବେଳେ ମୋର, ଆମର କହି ଚାଲୁଛି।

Leave a Reply

Your email address will not be published. Required fields are marked *