ସ୍ମିତହାସ

ମୂଳ ଇଂରାଜୀ ରଚନା: ଡି.ଏଚ୍.ଲରେନ୍ସ୍

ଓଡ଼ିଆ ଭାଷାନ୍ତର: ବିଜୟଲକ୍ଷ୍ମୀ ମହାନ୍ତି

କୃତ କର୍ମର ପ୍ରାୟଶ୍ଚିତ କରିବା ପାଇଁ ସାରା ରାତି ସେମିତି ବସି ରହିବେ ବୋଲି ମନେ ମନେ ସେ ଠିକ୍ କଲେ। ଟେଲିଗ୍ରାମରେ ଖବର ଆସିଥିଲା ଯେ ଅଫେଲିଆଙ୍କ ଅବସ୍ଥା ଅତି ସଙ୍କଟାପନ୍ନ। ଖବର ପାଇବା ପରେ ଟ୍ରେନ ଭିତରେ ଅଧା ଶୁଆ ଅବସ୍ଥାରେ ସେ ଭାବିଲେ ଯେ ନିଦରେ ଶୋଇ ପଡ଼ିବା ତାଙ୍କ ପକ୍ଷରେ ନିଶ୍ଚିତ ମୂର୍ଖାମି ହେବ। ସେଥିପାଇଁ ଫ୍ରାନ୍ସ ସହର ଉପରକୁ ଅନ୍ଧକାର ଘନେଇ ଆସିଲା ବେଳକୁ ଟ୍ରେନ୍‌ର ଫାଷ୍ଟକ୍ଲାସ କମ୍ପାର୍ଟମେଣ୍ଟ ଭିତରେ କ୍ଳାନ୍ତଶ୍ରାନ୍ତ ହେଇ ସେ ବସି ରହିଲେ।

ଏହି ସମୟରେ ଅବଶ୍ୟ ସେ ଅଫେଲିଆଙ୍କର ବିଛଣା ଧାରରେ ତାଙ୍କ ପାଖରେ ବସି ରହିବା କଥା। କିନ୍ତୁ ଅଫେଲିଆ ତ ତାଙ୍କୁ ଚାହାଁନ୍ତି ନାହିଁ ପାଖରେ। ଆଉ ସେଥିପାଇଁ ସିନା ଏବେ ସେ ଏପରି ଭାବରେ ଟ୍ରେନ ଭିତରେ ବସି ରହିଛନ୍ତି।

ମାଥ୍ୟୁଙ୍କ ଅନ୍ତରର ଗଭୀରତମ ପ୍ରଦେଶ ଏକ ଦୁର୍ବହ ଓଜନର ଚାପରେ ଭାରୀ ହେଇ ରହିଥିଲା। ଯେମିତି ଗୋଟାଏ ଟ୍ୟୁମରର କୋପରେ ସାରା ଶରୀରର ଜୀବନୀଶକ୍ତି କ୍ଷୟିଷ୍ଣୁ ଅବସ୍ଥାରେ ଝୁଲି ରହିଛି ତାଙ୍କର। ମାଥ୍ୟୁଙ୍କ ପାଇଁ ଜୀବନର ଅର୍ଥ ଥିଲା ସର୍ବଦା ତାତ୍ପର୍ଯ୍ୟପୂର୍ଣ୍ଣ ଓ ଗମ୍ଭୀର। ଜୀବନର ସେଇ ଗମ୍ଭୀରତା ତାଙ୍କୁ ବର୍ତ୍ତମାନ ବିହ୍ୱଳ ବି କରୁଥିଲା। ନିଶଦାଢ଼ି ବିହୀନ ଚିକ୍କଣ ସୁନ୍ଦର ମୁହଁର କାଳିମାରେ ସତେକି ଫୁଟି ଦିଶୁଥିଲା କ୍ରୁଶବିଦ୍ଧ ଯୀଶୁଖ୍ରୀଷ୍ଟଙ୍କର ବେଦନା ସିକ୍ତ ମୁହଁର ପ୍ରତିଛବି ଏବଂ ତାଙ୍କ ଘନକୃଷ୍ଣ ଭୂରୁରେ ଛାଇ ହେଇ ରହିଥିଲା ଦୁର୍ବିସହ ଅନ୍ତର୍ବେଦନା।

ଟ୍ରେନର ଅନ୍ଧକାରରେ ତାଙ୍କ ଭିତରେ ଭରି ରହିଥିଲା ନରକର ଅନୁଭବ: ସବୁ କେମିତି ମନେ ହେଉଥିଲା ଅବାସ୍ତବ, ଅପ୍ରାକୃତିକ। ମନେ ହେଉଥିଲା ଇଂଲଣ୍ଡବାସୀ ଦୁଇଜଣ ବୟସ୍କା ସ୍ତ୍ରୀଲୋକଙ୍କର ମୃତ୍ୟୁ ହେଇ ସାରିଥିଲା ବହୁ ପୂର୍ବରୁ ଓ ସେମାନଙ୍କର ମୃତ ଦେହ ରହିଛି ଯେମିତି ତାଙ୍କ ସାମନା ସିଟରେ ଏବଂ ତାଙ୍କର ଆହୁରି ମନେ ହେଉଥିଲା ଯେ ଯେମିତି ସେ ନିଜେ ମରିବାର ବହୁ ସମୟ ଆଗରୁ ସେମାନଙ୍କର ମୃତ୍ୟୁ ହୋଇସାରିଛି। କାରଣ ମାଥ୍ୟୁ ଅନୁଭବ କରୁଥିଲେ ଯେମିତି ସେ ନିଜେ ବି ଏବେ ଜଣେ ମୃତ ବ୍ୟକ୍ତି।

ମୃଦୁ ମନ୍ଦ ଗତିରେ ନିଷ୍ପ୍ରଭ ସକାଳର ଆଲୋକ ପର୍ବତମାଳାର ସୀମାନ୍ତରେ କ୍ରମଶଃ ପ୍ରତିଭାତ ହେଉଥିଲା ଓ ସେ ସେହି ଦୃଶ୍ୟକୁ ନିଜର ଅଦୃଶ୍ୟ ଦୃଷ୍ଟିରେ ଦର୍ଶନ କରୁଥିଲେ। କିନ୍ତୁ ତାଙ୍କ ଅନ୍ତରାତ୍ମା ପୁନରାବୃତ୍ତି କରୁଥିଲା: ଯେତେବେଳେ ଉଷାର ଆଗମନୀ ନିଷ୍ପ୍ରଭ ଓ ବିଷାଦଗ୍ରସ୍ତ ଆଉ ଅସରା ବର୍ଷାରେ ଥିଲା ଶୀତଳତାର ଆଭାସ ସେତେବେଳେ ନିରବ ଆଖିପତା ତାଙ୍କର ମୁଦି ହେଇଗଲା:  ଆଉ ତାଙ୍କ ନିକଟରେ ଥିଲା ବାର୍ତ୍ତାଏକ ନୂତନ ସକାଳର ଆଗମନୀର,ଆମର ବହୁ ଆଗରୁ : ଓ ଏଇ ମୁହୂର୍ତ୍ତରେ ତାଙ୍କ ସନ୍ନ୍ୟାସୀ ସୁଲଭ ଭାବଲେଶହୀନ ଯନ୍ତ୍ରଣାଜର୍ଜରିତ ମୁହଁରେ ଭାବନାର ଭାବାବେଗରେ ସାମାନ୍ୟତମ ଘୃଣା ବା ଅବଜ୍ଞା ପ୍ରକାଶ ପାଉନଥିଲା। ମାଥ୍ୟୁଙ୍କର ବିଚାରବୁଦ୍ଧି ସମ୍ପନ୍ନ ଭାବନା ଶକ୍ତି ତାଙ୍କୁ ଏହା ହିଁ ଚେତାଇ ଦେଉଥିଲା।

ସେ ଇଟାଲୀରେ ଥିଲା ବେଳେ ଇଟାଲୀ ପ୍ରତି ତାଙ୍କ ମନରେ କିପରି ଏକ ବିତୃଷ୍ଣା ଭାବ ରହିଥିଲା। କିନ୍ତୁ ଏବେ ଏଇ ମୁହୂର୍ତ୍ତରେ ତାଙ୍କ ଭାବନାଶକ୍ତିର ଅନ୍ତରାଳରେ ଏଇ ଅଞ୍ଚଳର ଅଲିଭ ଗଛ ଓ ସମୁଦ୍ରର ଦୃୃଶ୍ୟ ତାଙ୍କ ମନରେ ବିତୃଷ୍ଣାର ଆଭାସ ମାତ୍ର ସୃଷ୍ଟି କରୁଥିଲା। ମନେ ହେଉଥିଲା ଏହା ତାଙ୍କପାଇଁ ଯେପରି ଏକ କାବ୍ୟାତ୍ମକ ପ୍ରବଞ୍ଚନା।

ଯେତେବେଳେ ସେ ଯାଇ ବ୍ଲୁ ସିଷ୍ଟରସରେ ଥିବା ଆଶ୍ରୟ ନିବାସରେ ପହଞ୍ଚିଲେ ସେତେବେଳକୁ ରାତି ହେଲାଣି। ସେଇ ଆଶ୍ରୟ ନିବାସକୁ ଅଫେଲିଆ ତାଙ୍କର ନିଭୃତ ବିଶ୍ରାମ ପାଇଁ ବାଛି ନେଇଥିଲେ। ଆଶ୍ରୟ ନିବାସରେ ପହଞ୍ଚି ପଚାରି ପଚାରି ଯାଇ ସେ ନିବାସର ମଦର-ସୁପରିଅରଙ୍କ ନିକଟରେ ପହଞ୍ଚିଲେ। ମଦର ତାଙ୍କ ଚୌକିରୁ ଉଠି ଛିଡ଼ା ହେଲେ ଓ ନିରବରେ ତାଙ୍କ ସମ୍ମୁଖରେ ସମ୍ଭ୍ରମତାର ସହ ମୁଣ୍ଡ ନୁଆଁଇଲେ ଆଉ ମାଥ୍ୟୁଙ୍କ ମୁହଁକୁ ପଚାରିଲା ଆଖିରେ ଚାହିଁ ରହିଲେ। ତା’ପରେ ମଦର ଫ୍ରେଞ୍ଚ ଭାଷାରେ କହିଲେ:

‘ଅତି ଦୁଃଖର ସହ ମତେ କହିବାକୁ ପଡୁଛି ଯେ ଆଜି ହିଁ ଉପରବେଳା ତାଙ୍କର ସ୍ୱର୍ଗବାସ ହୋଇଯାଇଛି।’

ଖବରଟା ଶୁଣି ମାଥ୍ୟୁ ସ୍ଥାଣୁବତ୍ ଠିଆ ହେଇ ରହିଲେ। ଭାବନା ତାଙ୍କର ସ୍ଥାଣୁ ପାଲଟି ଗଲା ଆଉ ତାଙ୍କର ଅନୁଭବ କରିବାର ଶକ୍ତି ମଧ୍ୟ କମିଯାଇଥିଲା। ତାଙ୍କ ପରି ଜଣେ ସୌମ୍ୟ ସୁନ୍ଦର ଚେହେରା ବିଶିଷ୍ଟ ସନ୍ୟାସୀଙ୍କ ମୁହଁରୁ କଥା ବାହାରିଲା ନାହିଁ, ସେ ହତମ୍ଭବ ହେଇ ଶୂନ୍ୟକୁ ଚାହିଁ ରହିଲେ। 

ମଦର ତାଙ୍କ ଆଡ଼କୁ ଝୁଙ୍କି ଯାଇ ନିଜର ନରମ କୋମଳ ହାତରେ ମାଥ୍ୟୁଙ୍କ ବାହୁକୁ ଥାପୁଡ଼ାଇ ଥାପୁଡ଼ାଇ ତାଙ୍କ ମୁହଁକୁ ଅପଲକ ଦୃଷ୍ଟିରେ ଚାହିଁ ରହିଲେ।

‘ଧୈର୍ଯ୍ୟ ଧର! ଭାଙ୍ଗିପଡ଼ ନାହିଁ, ନାହିଁ ମୋଟେ ଭାଙ୍ଗି ପଡ଼ ନାହିଁ।’ ସେ କହିଲେ ମାଥ୍ୟୁଙ୍କୁ  ସ୍ୱର ଖୁବ୍ ନରମ କରି।

ମାଥ୍ୟୁ ଟିକେ ପଛକୁ ଘୁଞ୍ଚି ଆସିଲେ। କାରଣ କୌଣସି ସ୍ତୀ ଲୋକ ଯଦିବା କେତେବେଳେ ତାଙ୍କ ଆଡ଼କୁ ଝୁଙ୍କି ଆସନ୍ତି ତେବେ ସେ ସବୁବେଳେ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ମଦର ତାଙ୍କର ବିଶାଳ ଲମ୍ବା ସ୍କାର୍ଟ ପୋଷାକରେ ମାତୃସୁଲଭ ଚେହେରାରେ ମହନୀୟ ଦିଶୁଥିଲେ। 

‘ହଁ, ଠିକ୍ ଅଛି। ମୁଁ ଟିକେ ତାଙ୍କୁ ଦେଖି ପାରିବି କି?’ ମାଥ୍ୟୁ ପଚାରିଲେ ଇଂଲିସରେ।

ମଦର ପାଖରେ ଥିବା ଘଣ୍ଟି ବଜେଇଲେ ଏବଂ ଅବିଳମ୍ବେ ଜଣେ ଅଳ୍ପବୟସ୍କା ସିଷ୍ଟର ଆସି ପହଞ୍ଚିଗଲା। ସିଷ୍ଟରଟିର ଚେହେରା ମଳିନ ଦିଶୁଥିଲା କିନ୍ତୁ ତା’ର ସାଦାସିଧା ସରଳ ମୁହଁରେ ଓ ବାଦାମୀ ରଙ୍ଗର ଆଖିରେ ଅଳ୍ପ ଦୁଷ୍ଟାମୀ ଭରି ରହିଥିଲା। ବୟସ୍କା ମଦର ସିଷ୍ଟରକୁ ଆଗନ୍ତୁକଙ୍କର ପରିଚୟ ଅନୁଚ୍ଚ ସ୍ୱରରେ ଜଣେଇଲେ। ସିଷ୍ଟର ଜଣକ ମଧ୍ୟ ବିନମ୍ରତାର ସହିତ ମାଥ୍ୟୁଙ୍କୁ ସମ୍ମାନ ଜଣେଇଲା। କିନ୍ତୁ ମାଥ୍ୟୁ ସାଙ୍ଗେ ସାଙ୍ଗେ ନିଜର ହାତ ବଢ଼େଇ ଦେଲେ ସମ୍ଭାଷଣ ଜଣେଇବା ପାଇଁ, ଯେମିତି ଜଣେ ଲୋକ ତାର ଶେଷ ଅସ୍ତ୍ର ପ୍ରୟୋଗ କରିବା ପାଇଁ ସଦା ଉଦ୍ୟତ ରହିଥାଏ। ସିଷ୍ଟରଟି ମଧ୍ୟ ତାର ଗୋରାଗୋରା ଦୁଇ ହାତକୁ ନିଜ ପୋଷାକ ଭିତରୁ ବାହାର କରି ଗୋଟାଏ ହାତ ମାଥ୍ୟୁଙ୍କ ସହିତ କରମର୍ଦ୍ଦନ କରିବାକୁ ବଢ଼େଇ ଦେଲା ଅତ୍ୟନ୍ତ ସଲ୍ଲଜ ମୁହଁରେ ଓ ନିଷ୍କ୍ରିୟ ଭାବରେ ଗୋଟାଏ ଘୁମନ୍ତ ପକ୍ଷୀ ଭଳି।

ନରକର ବିଷଣ୍ଣତାର ଅତଳ ଗହ୍ୱର ଭିତରୁ ବି ସେ ଭାବିଲେ ‘ଆହା,କେଡ଼େ କୋମଳ ହାତ!’

ଥଣ୍ଡାଳିଆ ଲମ୍ବା ଦୋକରି ବାଟଦେଇ ସେମାନେ ଆଗେଇ ଚାଲିଲେ। ସେମାନେ ଯାଇ ଗୋଟାଏ ଘର ପାଖରେ ପହଞ୍ଚି କବାଟରେ ଠକ୍ ଠକ୍ ଆଘାତ କଲେ। ମାଥ୍ୟୁ ବହୁ ଦୂରବର୍ତ୍ତୀ ନରକର ପରିସର ଭିତରେ ଥିଲେ ବି ଆଗରେ ବିଶାଳ ଲମ୍ବା କଳା ଚକ୍‌ଚକ୍ ସ୍କାର୍ଟ ପିନ୍ଧି ତରତର ପାଦରେ କିନ୍ତୁ ଆସ୍ତେ ଫଟର ଫଟର ଶବ୍ଦ କରି ଆଗେଇ ଯାଉଥିବା ସ୍ତ୍ରୀ ଲୋକ ଦି’ଜଣଙ୍କ ବିଷୟରେ ବେଶ୍ ସଚେତନ ଥିଲେ।

ଯେତେବେଳେ ସେଇ ଆଭିଜାତ୍ୟ ପୂର୍ଣ୍ଣ ପବିତ୍ର ଘରର କବାଟ ଖୋଲିଲା ସେଠି ବିଛଣା ଉପରେ ଧଳା ଚାଦର ଘୋଡ଼ା ହୋଇଥିଲା ଓ ବିଛଣା ଚାରିପାଖରେ ମହମବତୀ ଗୁଡ଼ିକ ଜଳୁଥିଲା। ମାଥ୍ୟୁ ସେଇ ଦୃଶ୍ୟ ଦେଖି ଖୁବ୍ ଭୟଭୀତ ହୋଇଗଲେ। ଜଳୁଥିବା ଗୋଟାଏ ବତି ପାଖରେ ଜଣେ ସିଷ୍ଟର ବସି ରହିଥିଲା। ତା’ହାତରେ ଥିଲା କ୍ୟାଥଲିକ ଚର୍ଚ୍ଚର ଏକ ପ୍ରାର୍ଥନା- ପୁସ୍ତିକା ଆଉ ମୁହଁରେ ତାର କେଉଁ ଆଦିମ କାଳର ଅନ୍ଧକାର ସତେକି ଛାଇ ହୋଇ ରହିଥିଲା। ମୁଣ୍ଡରେ ସେ ବାନ୍ଧିଥିଲା ଧଳା ରଙ୍ଗର ସ୍କାର୍ଫ। ପ୍ରାର୍ଥନା ପୁସ୍ତିକା ଉପରୁ ମୁହଁ ଟେକି ସେ ଆଗନ୍ତୁକମାନଙ୍କ ଆଡ଼କୁ ଅନେଇଲା। ମୋଟାସୋଟା କିନ୍ତୁ ଦମ୍ଭିଲା ଚେହେରାର ସିଷ୍ଟର ଜଣକ ଚେୟାରରୁ ଉଠି ମୁଣ୍ଡ ଅଳ୍ପ ନୁଆଁଇ ଅଭିବାଦନ ଜଣେଇଲା ଓ ତାର ଲହୁଣି ଭଳି ନରମ କୋମଳ ତଥା ବିଷଣ୍ଣ ହାତରେ କଳା ରଙ୍ଗର ପ୍ରାର୍ଥନା ପୁସ୍ତକକୁ ସେ ତାର ଗାଢ଼ ନୀଳରଙ୍ଗର ସିଲ୍କ ପୋଷାକ ପିନ୍ଧା ଉନ୍ନତ ଛାତି ପାଖରେ ଏପାଖ ସେପାଖ କରୁଥିଲା। ଆଉ ଏହି ଦୃଶ୍ୟ ମାଥ୍ୟୁଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା।

ବିଛଣାର ଗୋଟିଏ ମୁଣ୍ଡରେ ତିନିଜଣଯାକ ସିଷ୍ଟର ନିରବ ନିଶ୍ଚଳ ହୋଇ ଠିଆ ହେଇଥିଲେ। ସେମାନଙ୍କର କଳାରଙ୍ଗର ବିଶାଳ ସ୍କାର୍ଟରେ ନାରୀସୁଲଭ ଚଞ୍ଚଳତା ଓ କ୍ଷୀଣ ଅସ୍ଥିରତା ଫୁଟି ଉଠୁଥିଲା। ମଦର ଆଗକୁ ଅଳ୍ପ ଝୁଙ୍କି ଆସି ମୃତ ଦେହର ମୁହଁ ଉପରୁ ଅତ୍ୟନ୍ତ ସନ୍ତର୍ପଣରେ ଧଳା ଚାଦରକୁ ଟେକି ବାହାର କରିଦେଲେ।

ମାଥ୍ୟୁ ମୃତ ସ୍ତ୍ରୀଙ୍କର ସ୍ନିଗ୍ଧ ସୁନ୍ଦର ମୁହଁକୁ ଚାହିଁଲେ ଆଉ ଚାହିଁବା ମାତ୍ରେ ତାଙ୍କ ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ମିତହାସର ଏକ ଜୁଆର ସଞ୍ଚରିତ ହୋଇଗଲା। ତାଙ୍କ ପାଟିରୁ ଏକ ଅଦ୍ଭୁତ ଅସ୍ପଷ୍ଟ କ୍ଷୀଣ ‘ହୁଁ’ ଶବ୍ଦ ବାହାରି ଆସିଲା। ମୁହଁରେ ଫୁଟି ଉଠିଲା ଅସ୍ୱାଭାବିକ ଅଦ୍ଭୁତ ସ୍ମିତହାସ।

ଜଳୁଥିବା ବତି ଆଲୋକର ଉଷ୍ମତା ଓ କମ୍ପନରେ ଖ୍ରୀଷ୍ଟମାସ ଗଛର ଭ୍ରମ ସୃଷ୍ଟି ହେଉଥିଲା। ବତି ନିକଟରେ ଠିଆହୋଇଥିଲେ ତିନିଜଣ ଯାକ ସିଷ୍ଟର। ସେମାନଙ୍କ ମୁଣ୍ଡରେ ବନ୍ଧା ହୋଇଥିବା ଧଳା ସ୍କାର୍ଫ ତଳୁ ମାଥ୍ୟୁଙ୍କ ଆଡ଼କୁ ଚାହିଁ ଦେଖୁଥିଲେ ସେମାନେ ଓଜନିଆ ଓ ସମବେଦନାପୂର୍ଣ୍ଣ ହୃଦୟରେ। ଦୃଷ୍ଟିରେ ସେମାନଙ୍କର ସତେକି ଥିଲା ଦର୍ପଣର ପ୍ରତିଫଳନ। ସେମାନଙ୍କର ଛଅଟି ଯାକ ଆଖିରେ ହଠାତ୍ ଫୁଟି ଉଠିଲା କିଞ୍ଚିତ୍ ଭୟ, ଭୟରୁ ଆଶଙ୍କା ଆଉ ସେ ଆଶଙ୍କା କ୍ରମଶଃ ପରିଣତ ହେଉଥିଲା ଏକ ଅଦ୍ଭୁତ ବିସ୍ମୟରେ। ବତି ଆଲୋକରେ ମ୍ଳାନ ଉଜ୍ଜ୍ୱଳତାରେ ଅସହାୟ ଭାବରେ ମାଥ୍ୟୁଙ୍କ ଆଡ଼କୁ ମୁହଁ କରି ଠିଆ ହୋଇ ରହିଥିବା ତିନିଜଣଯାକ ଅବିବାହିତା ସିଷ୍ଟରଙ୍କ ମୁହଁରେ ବି ସେମାନଙ୍କ ଅଜାଣତରେ ଏକ ଅଦ୍ଭୁତ ଧରଣର ସ୍ମିତହାସ ଫୁଟି ଦିଶିଲା। ତିନିଜଣଙ୍କ ମୁହଁର ସ୍ମିତହାସ ଅବଶ୍ୟ ଥିଲା ତିନି ପ୍ରକାରର ଫୁଲର ପାଖୁଡ଼ା ଖୋଲିବା ପରି, ସ୍ୱତନ୍ତ୍ର ଧରଣର। ପାଣ୍ଡୁର ବିବର୍ଣ୍ଣ ଚେହେରାର ଯୁବତୀ ସିଷ୍ଟରର ମୁହଁର ହସରେ ଥିଲା ବେଦନା ମିଶ୍ରିତ ଦୁଷ୍ଟାମୀ ଭରା ଆନନ୍ଦ ଆବେଗର ଏକ ସ୍ପର୍ଶ। ଅନ୍ୟ କୃଷ୍ଣକାୟ ଚେହେରାର ସିଷ୍ଟରର ଲଲାଟ ଦିଶୁଥିଲା ପାକଳ ଓ ଚିକ୍କଣ ଆଉ ସେ ତା’ର ଲିଗୁରିଆନ ମୁହଁରେ ଲକ୍ଷ୍ୟ କରୁଥିଲା ମାଥ୍ୟୁଙ୍କ ମୁହଁକୁ। ତାର କୁଞ୍ଚିତ ଓଠରେ ଫୁଟି ଉଠୁଥିଲା ଏକ ପ୍ରକାର କୁସଂସ୍କାର ପୂର୍ଣ୍ଣ ଅମାର୍ଜିତ ହସ। ସେ ହସ ଥିଲା ଅସ୍ପଷ୍ଟ ଏବଂ ଅତ୍ୟନ୍ତ ଦୁର୍ବୋଧ୍ୟ ଆଉ ଅତି କୌତୂହଳପୂର୍ଣ୍ଣ ଭାବରେ ବ୍ୟଙ୍ଗାତ୍ମକ। ଆଉ ବି ସେ ହସ ଥିଲା ଅସ୍ପଷ୍ଟ ଲଜ୍ଜାହୀନ ଓ ଅନୁଚାରିତ।

ମଦରଙ୍କ ବିଶାଳ ମୁଖମଣ୍ଡଳ ମଧ୍ୟ ଥିଲା ପ୍ରାୟ ମାଥ୍ୟୁଙ୍କ ମୁଖମଣ୍ଡଳ ସଦୃଶ। ସେଥିରେ ହସ ନ ଫୁଟେଇବାକୁ ସେ ଯଥାସାଦ୍ଧ ପ୍ରୟାସ କରୁଥିଲେ। କିନ୍ତୁ ମାଥ୍ୟୁ ତାଙ୍କର ବ୍ୟଙ୍ଗାତ୍ମକ ତଥା ଅମଙ୍ଗଳକାରୀ ଚିବୁକକୁ ଟେକି ତାଙ୍କ ଆଡ଼କୁ ଏପରି ଭାବରେ ଚାହିଁ ରହିଥିଲେ ଯେ ମଦର ତାଙ୍କ ମୁହଁରେ ବେଳକୁ ବେଳ ଫୁଟି ଉଠୁଥିବା ସ୍ମିତହାସକୁ ବହୁ କଷ୍ଟରେ ଦମନ କରିବାକୁ ମୁହଁକୁ ତଳକୁ ନୁଆଁଇ ନେଲେ।

ପାଣ୍ଡୁର ବିବର୍ଣ୍ଣ ଚେହେରା ଥିବା ସିଷ୍ଟରଟି ହଠାତ୍ ମୁହଁକୁ ତା ପୋଷାକର ଦୁଇ ହାତ ଭିତରେ ଢାଙ୍କିବାକୁ ଚେଷ୍ଟା କରୁଥିଲା, ଆଉ ସେଥିରେ ତାର ସାରା ଦେହ ସତେକି ଥରି ଉଠୁଥିଲା ଜୋରରେ। ମଦର ତା କାନ୍ଧ ଉପରେ ତାଙ୍କ ହାତକୁ ବେଢ଼େଇ ନେଲେ। ଆଉ ତାଙ୍କ ଇଟାଲିଆନ ଆବେଗରେ ଗୁଣୁଗୁଣୁ ସ୍ୱରରେ ତାକୁ ଆଶ୍ୱାସନା ଦେବାପାଇଁ କହିଲେ, ‘ଆହାରେ, ତୁ ଏବେ କାନ୍ଦ, ତୁ ଏବେ କାନ୍ଦରେ ଝିଅ!’ କିନ୍ତୁ ତା ଭିତରର  ଚାପା ହସ ତଥାପି ବି ତା ଭାବନା ଭିତରେ ସେହି ଭଳି ଚାପି ଫୁଟି ଦିଶୁଥିଲା। ଆଉ କୃଷ୍ଣକାୟ ସିଷ୍ଟର ଜଣକ ପୂର୍ବଭଳି ନିଶ୍ଚଳ ପ୍ରାୟ ରହିଥାଏ, ସେ ପିନ୍ଧିଥିବା ମାଳାର କଳାରଙ୍ଗର ମାଳିଗୁଡ଼ିକୁ ହାତରେ ଚାପି ଧରି। କିନ୍ତୁ ତା ମୁହଁର ହସ ଥିଲା ଆଗଭଳି ଅନୁଚାରିତ ଓ ଅପରିବର୍ତ୍ତନୀୟ। 

ମାଥ୍ୟୁ ହଠାତ୍ ଖଟ ଆଡ଼କୁ ବୁଲି ପଡ଼ିଲେ। ସେ ଦେଖିବାକୁ ଚାହୁଁଥିଲେ ଯେ ତାଙ୍କର ମୃତ ପତ୍ନୀ ତାଙ୍କର ଏଇ ଅବସ୍ଥାକୁ ଲକ୍ଷ୍ୟକରି ଦେଖୁଛନ୍ତି କି ନାହିଁ। ଆଉ ଏପରି ବୁଲି ପଡ଼ିବାର ଭଙ୍ଗୀରେ ହିଁ ଛପି ରହିଥିଲା ତାଙ୍କର ଭିତରର ଗୋପନ ଭୟ।

ଅଫେଲିଆ ଖଟ ଉପରେ ଶୋଇ ରହିଥିଲେ। ଅତି କମନୀୟ ଓ ହୃଦୟସ୍ପର୍ଶୀ ଦିଶୁଥିଲା ତାଙ୍କ ଚେହେରା। ଉନ୍ନତ ତୀକ୍ଷ୍ଣ ନିର୍ଜୀବ ନାକ ତାଙ୍କର ଉପରକୁ ବାହାରି ଦେଖାଯାଉଥିଲା। ଆଉ ତାଙ୍କ ମୁହଁରେ ଅଝଟ ଶିଶୁ ସୁଲଭ ଅବାଧ୍ୟତା ଲାଖି ରହିଥିଲା। ମାଥ୍ୟୁଙ୍କ ମୁହଁର ହସ ଲିଭିଗଲା ଆଉ ତା’ପରିବର୍ତ୍ତେ ଧାର୍ମିକ ମାନବ ସେବାରେ ଆତ୍ମୋତ୍ସର୍ଗମୂଳକ ଏକ ଭାବନା ଫୁଟି ଦିଶିଲା ସେଇ ମୁହଁରେ। କିନ୍ତୁ ସେ କାନ୍ଦିଲେ ନାହିଁ: କେବଳ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲେ। ତାଙ୍କ ଚାହାଣିର ଯେଉଁ ଗଭୀର ଅର୍ଥ ଫୁଟି ଦିଶୁଥିଲା, ତା ଥିଲା : ସେ ଭଲ ଭାବରେ ଜାଣିଥିଲେ ଯେ ଏହି ମାନବ ସେବା ଓ ତ୍ୟାଗ ହିଁ ତାଙ୍କ ଜୀବନର ମହାମନ୍ତ୍ର!

ଅଫେଲିଆଙ୍କର ଚେହେରା ଦିଶୁଥିଲା ଅତି କୋମଳ ଓ କମନୀୟ। ସେ ଦିଶୁଥିଲେ ଶିଶୁ ସୁଲଭ, ଚାତୁର୍ଯ୍ୟପୂର୍ଣ୍ଣ, ଜିଦିରେ ଅଟଳ ଏବଂ ଜୀର୍ଣ୍ଣଶୀର୍ଣ୍ଣ, ଦୁର୍ବଳ ଓ ଜୀବନହୀନ। ମାଥ୍ୟୁଙ୍କୁ ସବୁ କିପରି ଫାଙ୍କା ଓ ବୈଚିତ୍ର‌୍ୟଶୂନ୍ୟ ମନେ ହେଉଥିଲା।

ଆଜକୁ ଦଶବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ନିଜ ବିଷୟରେ ଭାବିବାକୁ ଗଲେ ମାଥ୍ୟୁ କେବେହେଲେ ନିଜେ ସଂପୂର୍ଣ୍ଣ ପାପମୁକ୍ତ ନ ଥଲେ। ନାଇଁ, ନାଇଁ ସେ କେବେ ବି ନିର୍ଦ୍ଦୋଷ ନଥିଲେ। କିନ୍ତୁ ଅଫେଲିଆଙ୍କର ରହିଥିଲା ପ୍ରବଳ ଇଚ୍ଛାଶକ୍ତି। ସେ ମାଥ୍ୟୁଙ୍କୁ ଭଲ ପାଉଥିଲେ ଏବଂ କ୍ରମେ ନିଜ ଜିଦିରେ ଅଟଳ ରହି ଶେଷରେ ତାଙ୍କୁ ଛାଡ଼ି ଚାଲିଗଲେ। ତାଙ୍କ ପ୍ରେମାକାଂକ୍ଷା କ୍ରମେ ଅବଜ୍ଞା ଓ ପରେ ଚରମ କ୍ରୋଧରେ ପରିଣତ ହେଲା। ସେ ଦଶ ଥର ମାଥ୍ୟୁଙ୍କୁ ଛାଡ଼ି ଚାଲି ଯାଉଥିଲେ ତ ଦଶ ଥର ପୁଣି ତାଙ୍କ ନିକଟକୁ ଫେରି ଆସୁଥିଲେ।

ସେମାନଙ୍କର ପିଲାଛୁଆ ଜନ୍ମ ହେଇ ନଥିଲେ। କିନ୍ତୁ ମାଥ୍ୟୁ ସର୍ବଦା ସନ୍ତାନଟିଏ ପାଇଁ ବ୍ୟାକୁଳ ହେଉଥିଲେ ଆଉ ସେଥିପାଇଁ ମନରେ କଷ୍ଟ ପାଉଥିଲେ, ଦୁଃଖୀ ବି ହେଉଥିଲେ।

ଏବେ ତ ଅଫେଲିଆ ଚାଲିଗଲେ ଚିରଦିନ ପାଇଁ, ଆଉ ସାରା ଜୀବନ ସେ କେବେହେଲେ ଫେରି ଆସିବେନି। ଏଥରକ ଥିଲା ତାଙ୍କର ଛାଡ଼ି ଚାଲିଯିବାର ତ୍ରୟୋଦଶ ଥର। ଏଥର ସେ ଚିରଦିନ ସକାଶେ ଓ ଶେଷଥର ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ। କିନ୍ତୁ ବାସ୍ତବରେ କଣ ସେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି? ଏଇ ମୁହୂର୍ତ୍ତରେ ଯେତେବେଳେ ସେ ଭାବୁଛନ୍ତି, ସେତେବେଳେ ବି ତାଙ୍କର ଅନୁଭବ ହେଉଛି ଯେମିତି ଅଫେଲିଆ ତାଙ୍କ କହୁଣିରେ ମାଥ୍ୟୁଙ୍କ ପଞ୍ଜରା ହାଡ଼କୁ କେଞ୍ଚି ଦେଉଛନ୍ତି ତାଙ୍କୁ ହସେଇବା  ପାଇଁ। ମାଥ୍ୟୁ ନିଜ ଭିତରେ ଟିକେ ନଡ଼ବଡ଼ ହେଇ ଦୋହଲି ଗଲେ ଓ କ୍ରୋଧରେ ତାଙ୍କ କପାଳର ରେଖା କୁଞ୍ଚିତ ହୋଇଉଠିଲା। ସେ ମନକୁ ମନ ଭାବିଲେ, ସେ ଜମା ହସିବେନି, କବେହେଲେ ହସିବେନି! ତାଙ୍କ ମୁହଁର ଚଉକଣିଆ ହନୁହାଡ଼ କଠିନ ହେଲା, ପାଟି ଭିତରୁ ଛାମୁଦାନ୍ତ ଦିଟା ବାହାରି ତଳ ଓଠ ଉପରେ ଚାପି ହେଇଗଲା, ଏପରି ମୃତ ଅବସ୍ଥାରେ ବି ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଉତ୍ତେଜିତ ଓ ଉତ୍ୟକ୍ତ କରୁଥିଲେ ସେତେବେଳେ ସେ-କହିବାକୁ ଚାହୁଁଥିଲେ ଡିକେନ୍ସଙ୍କ ଚରିତ୍ର ପରି ରାଗରେ ‘ତମେ ପୁଣି ଥରେ ଆରମ୍ଭ କରି ଦେଲ।’

ସେ ନିଜେ ସଂପୂର୍ଣ୍ଣ ନିର୍ଦ୍ଦୋଷ ନଥିଲେ। ଅବଶ୍ୟ ନିଜର ଦୋଷକୁ ସ୍ୱୀକାର କରିବାକୁ ସେ ଅରାଜି ନ ଥିଲେ। ବରଂ ନିଜ ଦୋଷ ସହିତ ବଞ୍ଚି ରହିବାକୁ ସେ ଚାହିଁଥିଲେ।

ହଠାତ୍ ସେ ସିଷ୍ଟର ତିନିଜଣଙ୍କ ଆଡ଼କୁ ବୁଲି ଚାହିିଁଲେ। ସିଷ୍ଟର ତିନିଜଣ ବତି ଆଲୁଅର ଅସ୍ପଷ୍ଟ ଅନ୍ଧକାର ଭିତରେ ମିଶି ଯାଇଥିଲେ ଯେମିତି। ମୁଣ୍ଡରେ ବନ୍ଧାହୋଇଥିବା ଧଳା ସ୍କାର୍ଫରେ ସେମାନଙ୍କର ଛାଇ ମାଥ୍ୟୁଙ୍କ ଠାରୁ ଦୂରରେ ଦୋହଲୁଥିଲା। ମାଥ୍ୟୁ ଢିମା ଢିମା ଆଖିରେ, ଦାନ୍ତ ବାହାର କରି ଖତେଇ ହେଲାଭଳି ମୁହଁରେ ସେମାନଙ୍କୁ ଚାହିଁ ରହିଲେ।

‘ମୋରି ଭୁଲ୍‌! ସବୁ ମୋରି ଭୁଲ୍‌!’ ମାଥ୍ୟୁ ଦାନ୍ତ କାମୁଡ଼ି ରାଗରେ ହୁଁଙ୍କାରି କହିଲେ।

‘ଧୈର୍ଯ୍ୟ ଧରନ୍ତୁ!’ ପାଟି କରି କହିଲେ ମଦର ଟିକେ ଡରେଇଲା ଭଳି ଆଉ ତାଙ୍କ ପୋଷାକର ହାତ ଭିତରେ ଦି ହାତ ତାଙ୍କର ଦି’ପାଖକୁ ମେଲେଇ ହୋଇ ପୁଣି ଯୋଡ଼ି ହେଇଗଲା, ଠିକ୍ ଯେମିତି ଦୁଇଟା ପକ୍ଷୀ ଦମ୍ପତି ନିଜ ବସା ଭିତରେ ଯୋଡ଼ି ହୋଇ ବସି ରହନ୍ତି, ଠିକ୍‌ସେମିତି। ମାଥ୍ୟୁ କିଛି କ୍ଷଣ ମୁଣ୍ଡ ତଳକୁ କରି ନିଜ ଭାବନାରେ ବୁଡ଼ିରହିଲେ। ଆଉ ତା’ପରେ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରି ସେଠାରୁ ବାହାରି ଚାଲି ଯିବାକୁ ପ୍ରସ୍ତୁତ ହେଲେ। ମଦର ପଛ ପାଖରେ ଠିଆ ହୋଇ ରହି ମିଠାଳିଆ ମଧୁର ସ୍ୱରରେ ବିଦାୟକାଳୀନ ପ୍ରାର୍ଥନା ଗାଇବାରେ ଲାଗିଲେ ଏବଂ ହାତରେ ଧରିଥିବା ମାଳାକୁ ସେ ଗଡ଼େଇବାରେ ଲାଗିଗଲେ। ନିଷ୍ପ୍ରଭ ଚେହେରାର ସିଷ୍ଟର ଜଣକର ଅସ୍ତିତ୍ୱ ଯେପରି ଆହୁରି ବେଶି ନିଷ୍ପ୍ରଭ ଦିଶୁଥିଲା କିନ୍ତୁ ସ୍ୱାସ୍ଥ୍ୟବତୀ କୃଷ୍ଣକାୟ ଚେହେରାର ସିଷ୍ଟରର ଗାଢ଼ କଳା ଆଖିରେ ସେଇ କୌତୂହଳ ପୂର୍ଣ୍ଣ ଚିକ୍‌ଚିକ୍ ଆଭା ତାରା ଭଳି ଫୁଟି ଦିଶୁଥିଲା। ମାଥ୍ୟୁଙ୍କର ଅନୁଭବ ହେଲା ଯେମିତି ସେହି ଚିରନ୍ତନ କୌତୂହଳ ତାଙ୍କର ପଞ୍ଜରା ହାଡ଼କୁ ପୁଣି କୁତୁକୁୁତୁ କରୁଛି ତାଙ୍କୁ ହସେଇବାକୁ, ତାଙ୍କ ଓଠରେ ସ୍ମିତହାସକୁ ଫୁଟେଇବାକୁ।

ସିଷ୍ଟରମାନଙ୍କୁ ଉଦ୍ଦେଶ୍ୟ କରି ମାଥ୍ୟୁ କହିଲେ, ‘ଦେଖ, ମତେ ଏଠି ଭାରି ଖରାପ ଲାଗୁଛି,ମୁଁ ଏବେ ଏଠାରୁ ବିଦାୟ ନେବାକୁ ଚାହୁଁଛି।’

ସିଷ୍ଟର ତିନିଜଣଯାକ ତାଙ୍କ କଥା ଶୁଣି ଭୟରେ ଇତସ୍ତତଃ କରିବାକୁ ଲାଗିଲେ। ମାଥ୍ୟୁ ଘରର କବାଟ ଆଡ଼କୁ ମୁହେଁଇଲେ ବାହାରି ଯିବାକୁ। କିନ୍ତୁ ସେ ବାହାରକୁ ବାହାରି ଯିବା ସମୟରେ ବି ତାଙ୍କ ଓଠରେ ସେଇ ହସ ପୁଣି ଫୁଟି ଦିଶିବାକୁ ଆରମ୍ଭ କଲା, ସତେ ଯେପରି ସେଇ କୃଷ୍ଣକାୟ ସିଷ୍ଟରର ଆଖିରେ ଜିକିଜିକି କରୁଥିବା ଅଲିଭା ହସର ଜୁଆର ତାଙ୍କ ଭିତରକୁ ଠେଲି ହେଇ ଆସୁଥିଲା। ଆଉ ମାଥ୍ୟୁ ତାଙ୍କ ଅନ୍ତରର ନିଭୃତ କୋଣରେ ଅନୁଭବ କରୁଥିଲେ ଏକ ଗୋପନ ଇଚ୍ଛା, ସେ ସେଇ ସିଷ୍ଟରର ଲବଣି ସଦୃଶ କୋମଳ ଉଦାସୀନ ହାତ ଦୁଇଟାକୁ ନିଜ ହାତ ଭିତରେ କିଛିକ୍ଷଣ ପାଇଁ ଧରି ରଖି ପାରନ୍ତେ କି? ଆଉ ତାଙ୍କ ହାତ ଭିତରେ ତା ହେଲେ ବିବାହିତ ଦମ୍ପତିଙ୍କର ମିଳନର ଇନ୍ଦ୍ରିୟାନୁଭୂତିକୁ ସେ ସେହି ଲବଣି କୋମଳ ସତ୍ତା ଭିତର ଦେଇ ଅନୁଭବ କରିପାରନ୍ତେ।

ଏକଥା ଭାବିଲେ ମଧ୍ୟ ନିଜ ଭିତରେ ସେ ନିଜର ଏଇ ପାପ ଚିନ୍ତାକୁ ଧରି ରଖିବାକୁ ଚାହୁଁଥିଲେ। ଏ ହେଉଛି ମୋରି ଭୁଲ୍‌! ବୋଲି ନିଜକୁ ସେ ଗର୍ଜନ କରି କହିଲେ। ନିଜକୁ ଗର୍ଜନ କରି ଧିକ୍କାର କରିବା ସମୟରେ ମଧ୍ୟ ତାଙ୍କୁ ଲାଗୁଥିଲା ଯେପରି କିଛି ଗୋଟାଏ ତାଙ୍କ ପଞ୍ଜରା ଭିତରେ ସଲସଲ ହେଉଛି ଏବଂ ତାଙ୍କୁ ପ୍ରବର୍ତ୍ତାଇ କହୁଛି: ହସ!

ସିଷ୍ଟର ତିନିଜଣ ସେଇ ପବିତ୍ର ଘର ଭିତରେ ଠିଆ ହୋଇ ରହିଥିଲେ ପୂର୍ବଭଳି ଓ ପରସ୍ପରକୁ ଚାହୁଁଥିଲେ ବାରଂବାର। ସେମାନଙ୍କର ଛଅଟି ବାହୁ ସତେକି ମୁହୂର୍ତ୍ତକ ପାଇଁ ପକ୍ଷୀ ଭଳି ଉପରକୁ ଡେଣା ମେଲେଇ ଡେଣା ଫଡ଼ଫଡ଼ କରି ଗହଳ ଗଛ ଡାଳ ଭିତରେ ଉଡ଼ିବାକୁ ଲାଗିଲେ ଏବଂ ପର ମୁହୂର୍ତ୍ତରେ ପୁଣି ନିରବ ହୋଇଗଲେ।

‘ଆହାରେ, ବିଚରା!’ କହିଲେ ମଦର ସମବେଦନା ଜଣେଇବାକୁ।

‘ହଁ! ହଁ!ବିଚରାଟି!’ ଉଦାସୀ ସିଷ୍ଟରଟି କହିଲା ସରଳିଆ ଆବେଗଶୂନ୍ୟ ସ୍ୱରରେ।

‘ହଁ! ହଁ! (ଏସବ!’), କୃଷ୍ଣକାୟ ସିଷ୍ଟର ଜଣକ କହିଲା। 

ମଦର ନିଶବ୍ଦରେ ଅଫେଲିଆର ବିଛଣା ପାଖକୁ ଯାଇ ତା’ର ଜୀବନହୀନ ମୁହଁ ଉପରକୁ ନଇଁ ପଡ଼ି କହିଲେ ଗୁଣୁ ଗୁଣୁ ସ୍ୱରରେ:

‘ମତେ ଲାଗୁଛି ସେ ସବୁ କଥା ବୁଝି ପାରୁଛି, ବିଚାରୀ! ତୁମମାନଙ୍କୁ ସବୁ ସେଇଆ ମନେ ହେଉନି କି?’

ସିଷ୍ଟର ତିନିଜଣଙ୍କର ସ୍କାର୍ଫ ବନ୍ଧା ମୁଣ୍ଡ ବି ଏକାସାଙ୍ଗରେ ମୃତ ଅଫେଲିଆଙ୍କ ମୁହଁ ଆଡ଼କୁ ନଇଁ ଆସିଲା ଆଉ ପ୍ରଥମ ଥର ପାଇଁ ତିନିଜଣଯାକଙ୍କର ନଜରରେ ପଡ଼ିଲା ଅଫେଲିଆଙ୍କର ଓଠ କଣରେ ଫୁଟି ଦିଶୁଥିବା କ୍ଷୀଣ ବିଦ୍ରୂପାତ୍ମକ ସ୍ମିତହାସର ବଙ୍କିମ ରେଖା। ସେମାନେ ଅସ୍ଥିର ଚକିତ ଦୃଷ୍ଟିରେ ଚାହିଁ ରହିଲେ ବିମୂଢ଼ ହୋଇ।

ମଦର ଖୁବ୍ ଯତ୍ନର ସହ ଅଫେଲିଆଙ୍କର ଶୀତଳ ଥଣ୍ଡା ମୁହଁ ଉପରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଚାଦରଟିକୁ ଘୋଡ଼େଇ ଦେଲେ। ସେମାନେ ଏକତ୍ର ଗୁଣୁଗୁଣୁ ସ୍ୱରରେ ହାତରେ ମାଳି ଗଡ଼େଇ ଗଡ଼େଇ ମୃତ ଅଫେଲିଆଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ। ତା’ପରେ ମଦର ମହମବତି ଦୁଇଟାକୁ ଖୋପ ଭିତରେ ଭଲ କରି ଚାପି ଭର୍ତ୍ତି କରି ଦେଲେ ଆଉ ବିଛଣା ପାଖରେ ଜଳିବାକୁ ରଖି ଦେଲେ।

କୃଷ୍ଣକାୟ ସିଷ୍ଟରଟି ତାର ପବିତ୍ର ବାଇବେଲ ଗ୍ରନ୍ଥ ଧରି ବସି ରହିଲା ବିଛଣା ପାଖରେ। ଅନ୍ୟ ଦୁଇ ଜଣ ସିଷ୍ଟର ଘରର କବାଟକୁ ଆସ୍ତେ କରି ଖୋଲି ତରତର ପାଦରେ ବାହାର ବାରଣ୍ଡାକୁ ଚାଲି ଆସିଲେ। ସେମାନଙ୍କର ବିଶାଳ କଳା ରଙ୍ଗର ଲମ୍ବା ସ୍କାର୍ଟ ସତେକି ନିଶବ୍ଦରେ ଭାସି ଯାଉଥିଲା,ସତେ ଯେପରି  କଳା ରଙ୍ଗର ହଂସ ସବୁ ନଦୀ ଭିତରେ ଭାସି ଭାସି ଚାଲିଥାନ୍ତି ଏବଂ ଭାସି ଯାଉ ଯାଉ ସେମାନେ ହଠାତ୍ ଯେପରି ଅଟକି ଯାଉଥାନ୍ତି। ଦୁଇଜଣଯାକ ସିଷ୍ଟର ଦେଖି ପାରୁଥିଲେ ଦୂରରେ ଥଣ୍ଡାରେ ବାରଣ୍ଡାର ଶେଷ ମୁଣ୍ଡକୁ ଜଣେ ହତଭାଗ୍ୟ ନିଃସଙ୍ଗ ଲୋକ ବିଷଣ୍ଣ ଚହେରାରେ ଓଭରକୋଟ ପିନ୍ଧି ଇତଃସ୍ତତ କରୁଛି। ମଦର ହଠାତ୍ ଖୁବ୍ ତରତର ହୋଇ ଜୋରରେ ପାଦ ପକେଇ ଆସି ପହଞ୍ଚିଲେ ସେମାନଙ୍କ ପାଖରେ।

ମାଥ୍ୟୁ ଦୂରରୁ ଦେଖି ପାରିଲେ ଯେ ସେମାନେ ତାଙ୍କରି ଆଡ଼କୁ ମୁହେଇଁଇଛନ୍ତି, ସେମାନଙ୍କର ବିଶାଳ ଶରୀରରେ, ନିଶ୍ଚଳ ଭାବଲେଶହୀନ ମୁହଁରେ ଆଉ ଅଦୃଶ୍ୟ ହାତ ସହିତ। ଅଳ୍ପବୟସୀ ଉଦାସ ସିଷ୍ଟରଟି ଟିକେ ପଛେଇ ଚାଲୁଥିଲା।

‘ମା ମେରୀ, ମତେ କ୍ଷମାକର, ରକ୍ଷାକର! ମୁଁ ମୋ ଟୋପିଟା କୋଉଠି ଛାଡ଼ି ଆସିଲି ଯେ….,’ ମାଥ୍ୟୁ କହୁଥିଲେ, ସତେ ଯେମିତି ସେ ଗଳି ରାସ୍ତାରେ କୋଉଠି ଦୂରରୁ ଦୂରକୁ ଚାଲି ଚାଲି ଯାଉଥିଲେ।

ବାହୁକୁ ହଲେଇ ହଲେଇ ହତାଶିଆ ଭାବରେ ମାଥ୍ୟୁ ଆଗେଇ ଚାଲିଥିଲେ ଆଉ ତାଙ୍କ ଚେହେରା ଦେଖି ମନେ ହେଉଥିଲା ଯେମିତି କୌଣସି ପୁରୁଷ ଲୋକ ତା ଜୀବନ କାଳ ଭିତରେ ଏଭଳି ବିରସ ଓ ହସବିହୀନ ମୁହଁ କାହାକୁ କେବେ ବି ଦେଖାଇ ନଥିବ।

2 thoughts on “ସ୍ମିତହାସ

  1. ଚମତ୍କାର ଭାବ ଉଦ୍ଦୀପକ ଗଳ୍ପଟିଏ। ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *