ରସୁଣ ଛେଚା

ଅଜୟ ମହାଲା

“ବାପା ଆପଣଙ୍କ ରସୁଣ ତାଟିଆ କୁଆଡେ ଗଲା କି?”

“ନାହିଁରେ ମାଆ …..ତୋ ବୋଉ…”, କଳ୍ପନାଥ ବାବୁ ଏମିତି କିଛି ଗୋଳିଆ ଘଣ୍ଟା ଅସ୍ପଷ୍ଟ ଜବାଵ ଦେଉଥିଲେ ବୋହୂ ପାୟଲକୁ।

ପାୟଲ ମୁରୁକି ହସୁଥିଲା। କଳ୍ପନାଥ ବାବୁ ଭାବୁଥିଲେ, ସବୁ ନବବିବାହିତା ବୋହୂ ଏମିତି ବୋଧେ ମୁରୁକି ହସନ୍ତି।

କଳ୍ପନାଥ ବାବୁ ରସୁଣକୁ ଭାରି ଭଲ ପାଆନ୍ତି। ରକ୍ତରେ କୋଲେଷ୍ଟେରୋଲ ନିୟନ୍ତ୍ରଣ କରିବା ଠାରୁ ଆରମ୍ଭ କରି ଯାବତୀୟ ଆୟୁର୍ବେଦିକ ଗୁଣ ଅଛି। ପତ୍ନୀଙ୍କ ହାତରୁ ସବୁବେଳେ ଆଶା କରି ବସି ଥାଆନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ବହୁତ କମ୍ ଦାବୀ କରିଥିବେ। ପିଲାମାନଙ୍କର ନିଜର ରୁଚି ଅଛି। ଘରେ ସମସ୍ତଙ୍କ ରୁଚି ନେଇ ଖାଦ୍ୟ ତିଆରି କରିବା ବଡ଼ କଷ୍ଟକର କାମ। କିନ୍ତୁ ବହୁତ ଦିନ ଧରି ରସୁଣ ମହାଶୟଙ୍କ ଖାଦ୍ୟ ଟେବୁଲରେ ଦର୍ଶନ ନ ହେଲେ ଶ୍ରୀମତୀଙ୍କ ଆଗରେ ଅଭିଯୋଗ କରି ବସନ୍ତି ସେ ତାଙ୍କର ଯତ୍ନ ନେଉ ନାହାନ୍ତି ବୋଲି। ଅଭିଯୋଗ କଲେ ଶ୍ରୀମତୀ ଆହୁରି ଉତ୍ତ୍ୟକ୍ତ ହୋଇ ଯାଆନ୍ତି। କହିବେ, “ପିଲା ମାନଙ୍କର କୌଣସି ଅଭିଯୋଗ ନାହିଁ; ଆଉ ଇଏ ବୁଢା ହେବାକୁ ବସିଲେଣି ୟାଙ୍କୁ ରସୁଣ ନିଶା ଛାଡ଼ୁନି”। 

ଥରେ ବେଶୀ ଜିଦ କରିବାରୁ ଶ୍ରୀମତୀ ରାଗିଯାଇ ପୂରା ଶହେ ଗ୍ରାମ ରସୁଣର ଛେଚା ବନେଇ ଥାଳିଆ ଟେବୁଲ ଉପରେ ଏକ ପ୍ରକାର କଚାଡି ଦେଇ କହିଲେ, “କେତେ ଖାଇବ ଖା, ଆଉ ଦିନେ ରସୁଣ ନାଁ ଧରିବ ନାହିଁ। “

କଳ୍ପନାଥ ବାବୁଙ୍କ ହିସାବରେ ଚାରି ପାଞ୍ଚ ପାଖୁଡା ରସୁଣର ଛେଚା ବନେଇବା ବଡ଼ କଥା ନୁହେଁ। ପତ୍ନୀ ସିଧା ଏ କଥାକୁ କାଟି ଦିଅନ୍ତି। ରୋଷେଇକୁ ନେଇ ଶ୍ରୀମତୀଙ୍କର ଦୃଷ୍ଟି ଭଙ୍ଗୀ ପୂରା ସ୍ପଷ୍ଟ – ପରିବାରରେ ଯାହାକୁ ତାଙ୍କ ରୋଷେଇ ପସନ୍ଦ ନୁହେଁ, ସିଏ ନିଜ ମନ ପସନ୍ଦ ଜିନିଷ କିଚେନରେ ବନେଇ ପାରିବେ। ପିଲା ମାନେ ନିଜ ହିସାବରେ ଅଣ୍ଡା ଆମଲେଟ ଆଦି ବନେଇ ଖାଇ ଯାଆନ୍ତି। କେବେ ସେମାନେ ଦୟାକରି ଖଣ୍ଡେ ବକଟେ କଳ୍ପନାଥ ବାବୁଙ୍କ ଆଡକୁ ପକେଇ ଦେଇ ଯାଆନ୍ତି। କିନ୍ତୁ କଳ୍ପନାଥ ବାବୁ ନିଜେ ସେପରି କରି ପାରିବେ ନାହିଁ। ସେ ଅତ୍ୟଧିକ ଭାବରେ ଶ୍ରୀମତୀ ଦମୟନ୍ତୀ ଙ୍କ ଉପରେ ନିର୍ଭରଶୀଳ ହୋଇ ଯାଇଛନ୍ତି ମୂଳରୁ। ନିଜେ ଯେଉଁ କାମକୁ ଛୋଟ ଭାବୁଛନ୍ତି ତାହା ଆଉ ଗୋଟେ ସମ୍ପୂର୍ଣ୍ଣ ଅଲଗା ଅବତାର ଧାରଣ କରି ସେ ନିଜେ କରି ପାରିବେ ନାହିଁ। 

ସତ କହିବାକୁ ଗଲେ ରସୁଣ ଛେଚା କଳ୍ପନାଥ ବାବୁ ଆଉ ଦମୟନ୍ତୀ ଙ୍କ ଭିତରେ ଥିବା ବିଭେଦର ବିରାଟ ପ୍ରତୀକ ହୋଇ ରହି ଯାଇଥିଲା।

ରସୁଣ ଚଟଣୀକୁ ନେଇ ମନାନ୍ତର ହେଲେ କଳ୍ପନାଥ ବାବୁ ଆଉ ରାସ୍ତା ପାଆନ୍ତିନି। ନିଜକୁ ସନ୍ତୁଷ୍ଟ କରିବା ପାଇଁ ଆଉ ପତ୍ନୀଙ୍କୁ ରୁଷ୍ଟ କରିବା ପାଇଁ କହି ଦିଅନ୍ତି, “ହଉ ମୋ ବୋହୂ ମାନେ ଆସିଲେ ରସୁଣ ଛେଚା ଦେବେନି କି ମୋତେ।”ଦମୟନ୍ତୀ ବି କମ୍ ନୁହଁନ୍ତି। ସେ କଳ୍ପନାଥ ବାବୁଙ୍କୁ ଆହୁରି ଅସହାୟ କରି କହନ୍ତି, 

“ହଉ ମୁଁ ଦେଖିବିନି କି! – ଏଇ ପଡିଶା ଘରର ସେ ବୋହୂକୁ ଦେଖୁନ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା କାପ୍ରି ଟିଏ ପିନ୍ଧି କେମିତି ଘର ସାରା ଦୌଡୁଛି। ଉଠୁଛି ତ ଦିନ ଆଠଟାରେ “

“ସିଏ ପଡିଶା ଘର ବୋହୂ। ମୋ ବୋହୂ ମାନେ ଏମିତି କାହିଁ ହେବେ କି?”

“ଭାଗ୍ୟରେ କଅଣ ଅଛି କିଏ ଜାଣିଛି!”

“ନା, ମୁଁ ଭଲ ବୋହୂ ବାଛି ଆଣିବି ମୋ ପୁଅଙ୍କ ପାଇଁ “

“ତମେ ମଣିଷ ବାଛିବ! ଆଜି ଯାଏ ଠିକ କରି ପରିବା ବାଛି ଜାଣିଛ ନା ତମେ? ମୋ ବୋହୂଙ୍କୁ ମୁଁ ବାଛିବି”, ଆଧିପତ୍ୟ ଭରା କଣ୍ଠରେ ଘୋଷଣା କରନ୍ତି ଦମୟନ୍ତୀ।

କଳ୍ପନାଥ ବାବୁ ଆହୁରି ଅସହାୟତା ଅନୁଭବ କରନ୍ତି। ଯଦି ଦମୟନ୍ତୀ ତାଙ୍କ ହିସାବରେ ପୁଅଙ୍କ ପାଇଁ କନ୍ୟା ବାଛନ୍ତି ତେବେ ଏହି ଘରେ ସେହି ଚିରାଚରିତ ନିୟମ ଲାଗୁ ରହିବ। ପୁଅ ମାନଙ୍କ ବାହାଘର ପରେ ସ୍ଥିତି ବଦଳିବା ପରେ ବି ତାଙ୍କ ରସୁଣ ଛେଚା କୁ ନେଇ ଆଶାୟୀ ହୋଇ ପଡ଼ିଥିବା ମନ ଶେଷରେ ନିରାଶ ହେବ ଯାହା।

ସେ ଚିଡି ଯାଆନ୍ତି ପତ୍ନୀ ଦମୟନ୍ତୀଙ୍କ ଉପରେ ତାଙ୍କ ନିରଙ୍କୁଶ ବ୍ୟବହାରକୁ ନେଇ। ସବୁଥର କଳ୍ପନାଥ ବାବୁ କହନ୍ତି ଖାଇଲା ବେଳେ ପାଖରେ ଗିଲାସରେ ପାଣି ରଖିବାକୁ। କିନ୍ତୁ ଜଣା ନାହିଁ, କୌଣସି କାରଣରୁ ଏହି ଛୋଟ କଥାଟି ସବୁବେଳେ ଭୁଲି ଯାଆନ୍ତି ଦମୟନ୍ତୀ। କିନ୍ତୁ କଥା ହେଉ ହେଉ ଯଦି କେବେ ଖାଇବା ବେଳେ ଯଦି ଖାଇବା ତାଳକୁ ଉଠି ଯାଏ, ନିଜ ଅସାବଧାନତା ପାଇଁ ଏକ ଦମ ସତର୍କ ଘଣ୍ଟି ବାଜି ଉଠେ ଦମୟନ୍ତୀଙ୍କ ଭିତରେ। ବିଚରା ଖାଇବା ଛାଡି ଉଠି ଯାଆନ୍ତି ପାଣି ଗିଲାସଟେ ଆଣିବାକୁ। ସାଷ୍ଟାମ ହେବା ଯାଏଁ ପିଠିରେ ହାତ ବୁଲାଇ ସ୍ୱାମୀଙ୍କୁ ଆଉଁସୁ ଥାଆନ୍ତି। ଯେବେ ସେମିତି ହୁଏ, କଳ୍ପନାଥ ବାବୁ ପ୍ରାରମ୍ଭିକ ଘବରେଇବାର ସୋପାନ ପାର ହୋଇ ଗଲା ପରେ ଅଭିନୟ ପୂର୍ବକ ବେଶୀ ଜୋର ଖୁଁ ଖୁଁ ହୋଇ କାଶନ୍ତି। ସେହି ଖୁଁ ଖୁଁ ଦ୍ୱାରା ଜଣେଇ କହି ଦିଅନ୍ତି, “ଦମୟନ୍ତୀ , ତମେ ସେହି ଭୁଲ ପୁଣି ପୁନରାବୃତ୍ତି କଲ”ବୋଲି। ଦମୟନ୍ତୀ ଶିରା ଶିରା ବୁଝିଛନ୍ତି କଳ୍ପନାଥ ବାବୁଙ୍କୁ। ସେଇଥିପାଇଁ ଅନ୍ୟ ସବୁ ଦିଗରେ ସ୍ୱାମୀଙ୍କ ପାଇଁ ପ୍ରଗାଢ ପ୍ରେମ ଥିଲେ ବି ଖାଇବା ଟେବୁଲ ଉପରେ ସ୍ୱାମୀଙ୍କର କୌଣସି ବି କଟକଣାକୁ ନିର୍ଦ୍ଦୟତାପୂର୍ବକ ଖାରଜ କରି ଦିଅନ୍ତି।

 ଆଜି କିନ୍ତୁ ତାଙ୍କ ପରିବାରର ଚିତ୍ରଟି ବଦଳିବାକୁ ସଂକେତ ଦେଇଛି। ବଡ଼ ପୁଅ ସଞ୍ଜୀବର ବାହାଘର ପରେ “ପାୟଲ”ନାମକ ବୋହୂ ଆସିଛି। ବୋହୂ ଚୟନ ପ୍ରକ୍ରିୟାରେ କଳ୍ପନାଥ ବାବୁଙ୍କ ସାମାନ୍ୟତମ ଭୂମିକା ନ ଥିଲେ ବି ବୋହୂ ସଂଯୋଗକୁ ଭଲ ପଡିଛି। ଘରର ଛୋଟ ବଡ଼ କାମ ହାତକୁ ନେଇ ସାରିଲାଣି ସେ। କଳ୍ପନାଥ ବାବୁଙ୍କ ପଢ଼ା ବହି ସବୁକୁ ଗୋଟିଏ ନୂଆ କାଠ ଆଲମାରୀରେ ସଜେଇ ଦେଇଛି। ଘରୁ ବାହାରିଲା ବେଳେ ଜୋତା ଉପରେ ଜୋତା ପାଲିସ ଲଗାଇ ଦେଉଛି। ମୋଟ ଉପରେ ଘରକୁ ପାୟଲ ଆସିନି ତ ଖୁସି ଆସିଛି।

ଅଷ୍ଟମଙ୍ଗଳା ପରେ ଯେବେ ରୋଷେଇ ଶାଳରେ ବୋହୂ ପାୟଲର ବିଧିବଦ୍ଧ ପ୍ରବେଶ ହେଲା ସେ ଶାଶୁଙ୍କୁ ପଚାରିବାକୁ ଚାହିଁ ଥିଲା, ଶଶୁରଙ୍କୁ କଅଣ କଅଣ ଭଲ ଲାଗେ ବୋଲି। କିନ୍ତୁ ଶଙ୍କା କରିଥିଲା, ଏ କଥାରେ ବୋଉ ରାଗିବେନି ତ। ମନେ ମନେ କହିବେ, ଦେଖ, ଆସୁ ଆସୁ ଶଶୁରଙ୍କୁ ହାତରେ ରଖିବାକୁ ଚାହିଁଲାଣି ବୋହୂ। ସେଥିପାଇଁ ସେ ଶାଶୁଙ୍କ ଠାରୁ କଥାଟା ଆରମ୍ଭ କଲା, 

“ବୋଉ ଗୋଟେ କଥା ପଚାରିବି?”

“ଆଲୋ କହୁନୁ?”

“ଆପଣଙ୍କୁ କଅଣ ଖାଇବାକୁ ପସନ୍ଦ? “

“ମୋର ସେମିତି କିଛି ପସନ୍ଦ ନାହିଁ ଲୋ। ତୋ ବାପାଙ୍କର କିଛି ବି ଚଳିବ। ତୁ ଯାହା ସଞ୍ଜୀବର ରୁଚି ହିସାବରେ ରାନ୍ଧ। ସାନ ଦିଅର କଥା ବି ରଖିବୁ। କେଇଦିନ ଲାଗି ଆସେ ସେ ତା କଲେଜରୁ। ଆମ ବୁଢ଼ାବୁଢ଼ୀଙ୍କୁ ଯାହା ଦେବୁ ଆମେ ତାକୁ ପ୍ରସାଦ ପରି ପାଇ ନେବୁ “

 ବୋହୂର ମନରେ ପ୍ରଶ୍ନ ଘେରା ବାନ୍ଧୁଥିଲା। ଶାଶୁ ମାଆ ବୋଧେ ନିଜର ପୂର୍ବରୁ ଦଖଲ କରିଥିବା ଆଧିପତ୍ୟ କ୍ଷେତ୍ର ହରାଇବାକୁ ଚାହୁଁ ନ ଥିଲେ। କେହି ଯେବେ ମୁହଁ ଖୋଲି କହିବେନି ରୋଷେଇ ତାଙ୍କ ପସନ୍ଦ ମୁତାବକ ହେଉଛି ବୋଲି, ସେ କଅଣ କରିବ? ଏମିତି କେବେ ବି ହୋଇ ନ ଥିବ କି ବାପାଙ୍କର କିଛି ବି ପସନ୍ଦ ନ ଥିବ। ଏତେ ବଡ଼ ଚାକିରୀରୁ ଅବସର ନେଇ ଆସିଛନ୍ତି। ସେ ବି ତ ଏକ ଲମ୍ବା ଜୀବନ ଜୀଇ ଆସିଛନ୍ତି। ତାଙ୍କର ପସନ୍ଦ ଅପସନ୍ଦ ସବୁ ଜାଣି ରଖିବା ତାଙ୍କ ପ୍ରତି ସମ୍ମାନ ଦେବା ସହ ସମାନ। ସେଥିପାଇଁ ବୋହୂ ନିଜର ଜିଜ୍ଞାସା ଦୋହରାଇ କହିଲା, 

“ତଥାପି …. “

 ଶାଶୁ ବି ପ୍ରଥମେ କହିଥିବା କଥା ଗୁଡିକରେ ନିଜ ତରଫରୁ ବେଶୀ ସମର୍ପଣ ଭାବ ଥିବାର ଅନୁଭବ କରିଥିଲେ। ବୋହୂ ଆଗରେ ଏତେ ନଇଁ ଯିବା ଠିକ ନୁହେଁ। ବୁଢାବୁଢ଼ୀଙ୍କ ଦୁହିଁଙ୍କ ପସନ୍ଦ ତାକୁ କହି ଦେବା ଉଚିତ ଥିଲା। ଏହି ସମୟରେ ବୋହୂର ଏହି “ତଥାପି ..”ଟିକକ ମରି ଯାଇଥିବା ପ୍ରଶ୍ନକୁ ପୁଣି ଜୀବନ୍ନ୍ୟାସ ଦେଲା। ଶାଶୁ କହି ବସିଲେ, “ମୋର ଆଉ ସଞ୍ଜୀବର ଏକା ପସନ୍ଦ। ମୋ ପାଇଁ ମସଲା ଦିଆ ଚୁନା ମାଛ, ତୋ ଶଶୁରଙ୍କ ପାଇଁ ଟିକେ ଶାଗ, କଞ୍ଚା କଦଳୀ, ଅମୃତଭଣ୍ଡା ସୁବିଧା ଦେଖି କରି ଦେବୁ। “

“ଆଉ କିଛି, ମମ୍ମୀ?”

 ଯେମିତି ବୋହୂ ଭଲ ଭଲ ରୋଷେଇ କରି ସମସ୍ତଙ୍କ ମନକୁ ଜିତିବାର ଚ୍ୟାଲେଞ୍ଜ ନେଇଥିଲା। କନ୍ୟା ଦେଖା ବେଳେ ବି ପାୟଲର ଜେଜିମା’ ତା ପ୍ରଶଂସା କରି କହିଥିଲେ, “ଆମ ପାୟଲ ବାଘ ପାଟିରେ ହାତ ପୂରେଇଛି, ଯାହା ରାନ୍ଧିବ ସୁଆଦିଆ ରାନ୍ଧିବ”

 ବୋହୂର ଆଗ୍ରହପୂର୍ଣ୍ଣ ବ୍ୟବହାର ଦେଖି ଦମୟନ୍ତୀ ବୋହୂକୁ ଶୁଣାଇ କଳ୍ପନାଥ ବାବୁଙ୍କୁ ପଚାରିଲେ,

 “ହଇ ହୋ, ତମକୁ ଖାଇବାରେ କଅଣ କଅଣ ପସନ୍ଦ ବୋହୂକୁ କହି ଦିଅ”

“ସମସ୍ତେ ଯାହା ଖାଇବ, ମୁଁ ସେୟା ଖାଇବି”, କଳ୍ପନାଥ ବାବୁ ବୋହୂର କାମ ସରଳ କରିବାକୁ ଏତିକି କହିଲେ। 

 ସ୍ୱାମୀ ସିନା ନିଜ ଗେମରେ ୱାକ ଓବର ଦେଇଦେଲେ, କିନ୍ତୁ ଦମୟନ୍ତୀ ଏତେ ବଡ଼ ମୌକା ହାତରୁ ଯିବାକୁ ଦେବାକୁ ଚାହୁଁ ନ ଥିଲେ। ଏବେ ଯଦି ବୋହୂକୁ କିଛି ନ କହିବେ ଭବିଷ୍ୟତ ରେ ଆଉ କହି ପାରିବେ ନାହିଁ। କହିଲେ, “ତୋ ଶଶୁରଙ୍କୁ କଲରା ଭଜା ବହୁତ ପସନ୍ଦ। ସବୁଦିନ କଲରା ଦେଲେ ବି ତାଙ୍କୁ ଅରୁଚି ହେବ ନାହିଁ “

 ଯେମିତି ଜଣାଗଲା, ଏତେ ବିଚାର ମନ୍ଥନ ପରେ ବି ଶାଶୁ ଶଶୁରଙ୍କ ପାଇଁ ଦେଇଥିବା ଫାଇନାଲ ଲିଷ୍ଟରେ “ରସୁଣ ଛେଚା”ନ ଥିଲା। ଶାଶୁ ଏଇ ବିଷୟଟିକୁ ନିଜର ଏକଚାଟିଆ କ୍ଷେତ୍ର ବୋଲି ଭାବୁ ଥିଲେ। ଯେମିତି ତାହା ତାଙ୍କ ହାତରେ ଏଭଳି ଏକ ମାତ୍ର ଚାବି ଥିଲା, ଯାହା ସେ ବୋହୂକୁ ହସ୍ତାନ୍ତର କରିବାକୁ ଚାହୁଁ ନ ଥିଲେ। ଏହି ତ ସେହି ଗୋଟିଏ ଜିନିଷ ଯାହା ତାଙ୍କ ଦାମ୍ପତ୍ୟ ଜୀବନର ସୁଖଦୁଃଖ ଆଉ ଟଣାଓଟରାର ସାକ୍ଷୀ।

 ମନରେ ପ୍ରଶ୍ନ ଉଠୁଥିଲା, ଦୁର୍ଗନ୍ଧ ସତ୍ତ୍ୱେ ସ୍ୱାମୀଙ୍କୁ ଏହି ରସୁଣ ଚଟଣୀକୁ କାହିଁକି ପସନ୍ଦ କେଜାଣି? ଛେଚା ଖାଇ ସାରିବା ପରେ , ମୁହଁ ଗନ୍ଧ ଲୁଚାଇବା ପାଇଁ ଗୁଜୁରାତି, ଅଳେଇଚ ଚୋବେଇବାକୁ ସ୍ୱାମୀଙ୍କୁ କହନ୍ତି ସେ। ବିଛଣାରେ ଶୋଇଥିବା ବେଳେ “ଏହେ, ତମେ କେତେ ରସୁଣିଆ ଗନ୍ଧଉଛ “କହି କେତେଥର ଡବଲ କମ୍ବଳ ଭିତରୁ ପଛୁଆ ଲାତ ମାରି ସ୍ୱାମୀଙ୍କୁ ବାହାର କରିଛନ୍ତି। ଆଜି ଏହି ରସୁଣ ଛେଚା ଶେଷରେ ତାଙ୍କର ପ୍ରଭୁତ୍ୱ ଛଡେଇ ନେବ ..?

ବଡ଼ ଶଙ୍କିତ ହୋଇ ପଡିଲେ ଦମୟନ୍ତୀ ।

ଆଜି ରୋଷେଇ ଘର ରସୁଣ ଆଉ କଞ୍ଚା ଲଙ୍କା ଚଟଣୀର ବାସ୍ନାରେ ବେଶ ମହକୁ ଥିଲା। ଦମୟନ୍ତୀ ଦେବୀଙ୍କୁ ଏ କଥା ଅଛପା ରହିଲା ନାହିଁ। ଖାଇବା ଟେବୁଲ ପାଖକୁ ଦୌଡ଼ିଲେ ସେ, ଘଟଣା କଣ ଜାଣିବା ପାଇଁ। ସେତେ ବେଳକୁ ବୋହୂ ବି ରସୁଣ ଛେଚା ତାଟିଆକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଥିଲା। କେଇ ମିନିଟ ପୂର୍ବରୁ ଶଶୁରଙ୍କୁ ଦେଇଥିବା ଛେଚା ତାଟିଆଟା କୁଆଡେ ଉଭେଇ ଗଲା ନା କଅଣ? ଏ ବିଷୟରେ ଶଶୁରଙ୍କୁ ପଚାରି ସାରିଥିଲା।

କଥାକୁ ଗୋଳେଇ ମୋଳେଇ ବୋହୂକୁ ଜବାଵ ଦେଉ ଦେଉ ଡାଇନିଂ ଟେବୁଲ ତଳେ ଲୁଚାଇ ରଖିଥିବା ଚଟଣୀକୁ ଡରି ଡରି କାଢୁଥିଲେ କଳ୍ପନାଥ ବାବୁ। ସେତିକିବେଳେ ରୋଷେଇଘରୁ ରସୁଣ ଚଟଣୀର ବାସ୍ନା ବାରି ଦମୟନ୍ତୀ ଟେବୁଲ ପାଖରେ ଆବିର୍ଭାବ ହୋଇ ସାରିଥିଲେ।

ପାୟଲକୁ “ତୁ ରୋଷେଇଘର ଯା “କହି ଦମୟନ୍ତୀ କଳ୍ପନାଥ ବାବୁଙ୍କ ଚେୟାର ପାଖରେ ଦୁମକିନା ବସି ପଡିଲେ। 

ସେ ମୁହଁରେ ତାତ୍ସଲ୍ୟ ଫୁଟାଇ କହିଲେ, “ଶେଷରେ ବୋହୂକୁ କହି ଦେଲ ନା ନିଜ ପସନ୍ଦ। ସେଦିନ ବୋହୂ ଆଗରେ ଗାନ୍ଧୀ କାହିଁକି ସାଜୁଥିଲ? “

“ନା, ସତରେ ମୁଁ କିଛି କହିନି “

“ପୁଣି ମିଛ କହିଲ!”, ଟିକିଏ କଡା ଆବାଜ କରି ଦମୟନ୍ତୀ କହିଲେ। ଗୋଟିଏ ଯୁଗ ପରେ ଖାଇବା ଟେବୁଲରେ ରସୁଣର ଅଚାନକ ଆବିର୍ଭାବର କାରଣ ସେ ଜାଣିବାକୁ ଚାହୁଁଥିଲେ।

“ପାୟଲକୁ ପଚାର, ମୁଁ କିଛି କହିନି।”

“ତା ହେଲେ ଭଗବାନଙ୍କୁ ଧନ୍ୟବାଦ ଦିଅ, ବହୁତ ଭଲ ବୋହୂ ପାଇଛ ଯିଏ ମନ ଜାଣି ଖାଇବାକୁ କରି ଦେଉଛି “

“ମୋ ଦମୟନ୍ତୀ ଠାରୁ କିଏ ଅଧିକ ଭଲ ମ”, କଳ୍ପନାଥ ବାବୁ ପତ୍ନୀଙ୍କୁ ଖୁସି କରାଇବାକୁ କହିଲେ।

“କେମିତି?”

“ବୋହୂକୁ ଯାହା ରସୁଣ ଛେଚା ମୋର ପସନ୍ଦ ବୋଲି କହି ରଖିଛ “

ଦମୟନ୍ତୀ ଏଥର ଚମକାଇଲା ପରି ବଡ଼ ଆବାଜରେ କହିଲେ, “ବେଶୀ ଅଭିନୟ କର ନାହିଁ। ପୁରୁଷ ଜାତି ସେୟା।”

ପାଟି ଶୁଣି ରୋଷେଇ ଘରୁ ପାୟଲ ଦୌଡ଼ି ଆସିଲା ଖାଇବା ଟେବୁଲ ପାଖକୁ। କିଛି ସମୟ ପୂର୍ବରୁ ପାୟଲ ଯେଉଁ ମୁରୁକି ହସୁଥିଲା ତାର ଅର୍ଥ ଏବେ କଳ୍ପନାଥ ବାବୁ ବୁଝି ପାରୁଥିଲେ। ତାଙ୍କ ବିଚକ୍ଷଣ ମସ୍ତିଷ୍କ ବୁଝି ସାରିଥିଲା ରସୁଣ ଚଟଣୀର ଅଚାନକ ଆବିର୍ଭାବର ରହସ୍ୟକୁ।

ପାୟଲ ଆଡକୁ ଅନେଇ ଉପଦେଶାତ୍ମକ ଢଙ୍ଗରେ କହିଲେ, “କାହାରି ଡାଏରୀ ପଢିବା ଭଲ କଥା ନୁହେଁ, ଝିଅ।”

“ନା ବାପା, ମୁଁ ବହି ଥାକରେ ସଜାଇ ରଖିଲା ବେଳେ ଆପଣଙ୍କ ଡାଏରୀର କେବଳ ସେହି ଗୋଟିକ ପୃଷ୍ଠା ମୋ ଆଗରେ ଖୋଲି ଯାଇଥିଲା।”

“ଆଚ୍ଛା, ଆଣିଲୁ ସେ ଡାଏରୀକୁ, ଦେଖିବି ତୋ ବାପା ଆହୁରି କଅଣ କଅଣ ଲେଖିଛନ୍ତି ମୋ ବିରୁଦ୍ଧରେ।”, ଶାଶୁ ଦମୟନ୍ତୀ ପାୟଲକୁ ନିର୍ଦ୍ଦେଶ ଦେଉଥିଲେ।

 କଳ୍ପନାଥ ବାବୁ ଠାରି ଦେଉଥିଲେ ବୋହୂକୁ ଡାଏରୀ ନ ଆଣିବାକୁ। ପାୟଲ କିନ୍ତୁ ଚେୟାର୍ ଲଗାଇ ଉପର ଥାକର ଗୋଟିଏ କୋଣରେ ରଖା ଯାଇଥିବା ଡାଏରୀ ଆଣି ସେହି ପୃଷ୍ଠାଟିକୁ ଖୋଲି ପଢିବାକୁ ଲାଗିଲା …

“ଜୁଲାଇ, ୧୯

 ଆଜି ରସୁଣ ଛେଚା ମୋ ଜିଭ ନୁହେଁ, ମନକୁ ଜଳାଇଲା। ଆଜି ଦମୟନ୍ତୀ ଗୁଡାଏ ରସୁଣ ମୋ ଆଗରେ ଛେଚି ରଖି ଦେଲା। ମୁଁ ଜାଣିଛି ସେ ଏହା ରାଗି କରି କଲା। 

 ମୁଁ ଜାଣେ, ଛେଚା ବନେଇବା ପାଞ୍ଚ ମିନିଟର ଛୋଟ କାମଟିଏ ହୋଇପାରେ। କିନ୍ତୁ ଏହି ପରି ଅନେକ ଛୋଟ ଛୋଟ କାମକୁ ନେଇ ତ ମୋ ପତ୍ନୀର ଦିନ ଯାକର ପାଇଟି। ରୋଷେଇ ଘରର ସାମ୍ରାଜ୍ଞି ସିଏ। କେଉଁ କାମ କରିବ ଆଉ କେଉଁ କାମ ନ କରିବ ତାକୁ ନିର୍ଦ୍ଦେଶ ଦେବାକୁ ମୁଁ କିଏ?

 ମୁଁ ନିଜେ ବି ରୋଷେଇ ଘରେ ପଶି ରସୁଣ ଛେଚା କରି ପାରିଥାଆନ୍ତି। କିନ୍ତୁ ତାହା ମୁଁ କରିଲିନି। ଏମିତି କରି ମୁଁ ଦମୟନ୍ତୀ ର ଗର୍ବ ଓ ଅଭିମାନକୁ ଭାଙ୍ଗି ପାରିବିନି। 

 ଯଦି ଭବିଷ୍ୟତରେ ମୋର ଭଲ ବୋହୂଟିଏ ଆସେ, ଆଉ ସତକୁ ସତ ନିଜ ଇଚ୍ଛାରେ ରସୁଣ ଛେଚା କେବେ ବି ପରସି ଦିଏ, ମୁଁ ତାହା ଦମୟନ୍ତୀର ଆଖି ଆଗରୁ ଲୁଚାଇ ଦେବି। ତିରିଶ ବର୍ଷ ଧରି ଅବିରତ ସେବା ଆଉ ମେହେନତ କରି ଆସିଥିବା ଦମୟନ୍ତୀ ଯଦି ଭାବି ବସିବ ସେ ଯାହା କରି ନ ଥିଲା, ବୋହୂ ହୋଇ ଆସିଥିବା କାଲିର ନୂଆ ଝିଅଟିଏ ତାହା କରି ଦେଲା, ତାର ସତରେ କେତେ ମନ ଦୁଃଖ ହେବ…! “

 ଏତକ ପଢୁ ପଢୁ ପାୟଲ ଭୋ କରି କାନ୍ଦି ଶାଶୁଙ୍କୁ କୁଣ୍ଢାଇ ପକାଇଲା। ପାୟଲକୁ କୋଳରେ ଚାପି ରଖି କଳ୍ପନାଥଙ୍କ ଆଡକୁ ଚାହିଁ ଖୁସିର ଲୁହ ଝରାଉଥିଲେ ଦମୟନ୍ତୀ।

12 thoughts on “ରସୁଣ ଛେଚା

  1. ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ପାରିବାରିକ ସୁଖଶାନ୍ତି ବଜାୟ ରହେ। ରସୁଣଛେଚା ସହିତ କେତେ ଭାବପ୍ରବଣତା ଯୋଡ଼ି ହୋଇ ରହିଛି। ବହୁତ ଭଲ ଲାଗିଲା କାହାଣୀଟି। ଅନେକ ଅନେକ ଶୁଭେଚ୍ଛା ସାର୍ 🙏🙏🙏

  2. It clearly indicates the love and caring between a husband and a wife…And the way you explained every detail..is really appreciable.

  3. କାହାଣୀ ଛଳରେ ପରିବାରକୁ ସରସ ସୁନ୍ଦର କରି ଗଢି ତୋଳିବାର ଉପାଦେୟ ତଥ୍ୟମାନ । କାହାଣୀ ଖୁବ୍ ହୃଦୟସ୍ପର୍ଶୀ ହୋଇଛି । ସାର ଆପଣଙ୍କ କଲମରୁ ଏମିତି ଅନେକ ମନଛୁଆଁ କାହାଣୀର ଅପେକ୍ଷା ରହିବ।

  4. ଦାମ୍ପତ୍ୟ ଜୀବନର ମାଧୂର୍ଯ୍ୟ ତ ସେଇଠି..ନିଜ ଜୀବନସାଥୀଟି ପାଇଁ ସମସ୍ତଙ୍କ ହୃଦୟର ନିଭୃତ କୋଣରେ କେଉଁଠି ନା କେଉଁଠି ସ୍ୱତ୍ୱ ଭାବନାଟିଏ ଲୁଚିଥାଏ,ଯାହା କେହି ବି ବାଣ୍ଟିବାକୁ ଚାହାଁନ୍ତିନି।କିନ୍ତୁ ବୋହୁ ମାଧ୍ୟମରେ ପାୟଲ ଶଶୁରଙ୍କ ଶାଶୁଙ୍କ ପ୍ରତି ଥିବା ସମ୍ମାନ ଓ ପ୍ରେମର ଯେମିତି ଆବିଷ୍କାର ହେଲା,ସତରେ ହୃଦୟସ୍ପର୍ଶୀ ଓ ସୁଖପ୍ରଦ।ଆପଣଙ୍କ ରସୁଣଛେଚା ସତରେ ଖୁବ୍ ସ୍ୱାଦିଷ୍ଟ ହୋଇଛି।ଚମତ୍କାର ଉପସ୍ଥାପନା।🙏👌👌

    1. ସୁନ୍ଦର ଟିପ୍ପଣୀ, ମନସା!
      ଅଜସ୍ର ଧନ୍ୟବାଦ!

  5. Bahuta sunder hruday sparshi kahani.kahani re swami ra ki anabila sneha,prema jaha ki paribara ku swarga banai die.sneha,prema ra Bandhan re bandhi hoithiba sunder paribar tie.bahut sunder jibanta kahani .

    1. ବହୁତ ସୁନ୍ଦର ଏହି ଟିପ୍ପଣୀ । ଧନ୍ୟବାଦ ଜଣାଉଛି !

Leave a Reply

Your email address will not be published. Required fields are marked *