ସାହିତ୍ୟ : ଆରୋପିତ ସତ୍ୟର କେବଳ ଏକ ପ୍ରତିଭୂ

ଦୁର୍ଗାଚରଣ ଷଡଙ୍ଗୀ

ମାନବୀୟ ପ୍ରଜ୍ଞା ଓ ଚେତନାକୁ ମୁଖର କରିବା ପାଇଁ ‘କଳା ସଂରଚନା’ ଏକ ଦିବ୍ୟମାଧ୍ୟମ। ସଂସାରୀ ମଣିଷ ନିଜ ଅବସର ସମୟର ସଦୁପଯୋଗ ପାଇଁ ନୃତ୍ୟ-ସଂଗୀତ-ଚିତ୍ର-ସାହିତ୍ୟକୁ ଆଦିମ କାଳରୁ ଭଲପାଇ ଆସିଛି। ନୟନ ସାର୍ଥକ ଦୃଶ୍ୟ ଓ ଶ୍ରାବ୍ୟ କଳା ଯଥା ନୃତ୍ୟ-ସଂଗୀତ ମଣିଷର ଚେତନାକୁ ଆନନ୍ଦ ପ୍ରଦାନ କରୁଥିବା ଏକ ମନୀଷା ହୋଇଥିବା ବେଳେ ଚିତ୍ର ଓ ସାହିତ୍ୟ ପ୍ରଜ୍ଞାର ବିକାଶ ଓ ଜୀବନ ଉନ୍ମେଷର ସେତୁଟିଏ ହୋଇଥାଏ। ସଂସାରୀ ମଣିଷର ଜୀବନ ସଦାକାଳ ଦୁର୍ବିସହ। ସୁଖ-ଦୁଃଖର ଦୈନନ୍ଦିନ ଜୀବନରେ ସେ ମାୟାବଶତଃ ସର୍ବଦା ସୁଖକୁ ହିଁ ଆଶ୍ରା କରେ। ଦୁଃଖ ତା ପାଇଁ ଏକ ଯନ୍ତ୍ରଣା! ଜୀବନ ଯେ କାଳାତିକାଳ ସୁଖଦୁଃଖକୁ ନେଇ ଗତିଶୀଳ ଓ ସୁ-ସଂହତ ଏକଥାକୁ ଜାଣି ମଧ୍ୟ ସେ ଦୁଃଖକୁ ଡରେ। ଆଦିମ ମଣିଷଠୁଁ ଏ କାଳର ମଣିଷ ମଧ୍ୟରେ ଆକାଶ-ପାତାଳର ପ୍ରଭେଦ। କୋଳାହଳମୟ ସମକାଳ ପୃଥିବୀର ମଣିଷ ଏବେ ଯନ୍ତ୍ରାଋଢ଼। ଯନ୍ତ୍ରକୁ ବାଦ ଦେଲେ ଜୀବନ ନାହିଁ। ମଣିଷ ସମାଜରେ ମଣିଷ ହିଁ ମଣିଷର କେବଳ ଅନ୍ତରଙ୍ଗ। ଏକ ପରିଚ୍ଛନ୍ନ ପୃଥିବୀର ପରିକଳ୍ପନା କେବଳ ‘ବସୁଧୈବକୁଟୁମ୍ବକମ୍‌’ରେ ହିଁ ଆସ୍ଥା ରଖେ, ଯେଉଁଠି ବିବେକୀ ମଣିଷଟିଏ ସକଳ ଆସ୍ଥା-ବିଶ୍ୱାସ ମଧ୍ୟରେ ଥାଇ ସମସାମୟିକ ବିରାଦର ବନ୍ଧୁ ପଡ଼ୋଶୀ ଠାରୁ ଟିକିଏ ସ୍ନେହ-ମମତା ଓ ଆତ୍ମୀୟତାକୁ ହିଁ ଲୋଡ଼ିଥାଏ। ସବୁ ଭାବ ଥିଲେ ମଧ୍ୟ ସଖ୍ୟପଣ ନ ଥିଲେ ମଣିଷର ଜୀବନ ଅଧୂରା ଅଧୂରା ଲାଗେ। ଜୀବନର ବଞ୍ଛନାରୁ ଆଲୋକିତ ଜୀବନପଥର ଉଦ୍‌ଭାସ ପାଇଁ ସେ ସଂସାରରୁ ଯାହାବା ଲୋଡ଼େ ସେଥିରୁ ଈଶ୍ୱର ପ୍ରେମ-ଦାନ-ଆତିଥେୟତା ଓ ସାମାଜିକ ପ୍ରଜ୍ଞା ବିକାଶର ସମ୍ପଦ ରୂପେ ସାହିତ୍ୟ ଓ ଚିତ୍ରକୁ ଆପଣାର କରେ।

ବ୍ରହ୍ମାଣ୍ଡର ପ୍ରଥମ ସନାତନୀୟ ଉଚ୍ଛ୍ୱାସର ମୂଳପିଣ୍ଡ ଯଦି ‘ବେଦ’ ତେବେ ସାହିତ୍ୟ ତା’ର ଏକ ନ୍ୟୁନତମ ସୁରଭିତ ପାଖୁଡ଼ା। ବେଦ-ଗୀତାରେ ଯାହା ବର୍ଣ୍ଣିତ ତାହା ଭାରତ ଭୂଖଣ୍ଡର ମୂଳ ସାହିତ୍ୟ। ସେହି ସାହିତ୍ୟରେ ମଣିଷ ଜୀବନର ମାନସାଙ୍କ, ଇତିହାସ, ସୌନ୍ଦର୍ଯ୍ୟବୋଧ, ଈଶ ପ୍ରୀତି, ଜୀବନର ମାର୍ଗଦର୍ଶନ ଆଦି ସବୁକିଛି ସୌନ୍ଦର୍ଯ୍ୟର ପ୍ରତିଫଳନ ହୋଇଥାଏ, ଯାହାକୁ ପାଠ କଲେ ମଣିଷ ସାତିଶୟ ଆନନ୍ଦାନୁଭବ ଭିତରେ ନିଜ ଜୀବନଚର୍ଯ୍ୟାକୁ ସୌନ୍ଦର୍ଯ୍ୟମୟ ଓ ଶୃଙ୍ଖଳିତ କରିଥାଏ। ଆଜି ବହୁଧା ବିଭକ୍ତ ଏହି ଗୈରିକ ଭାରତବର୍ଷର ଜନଗଣ ବହୁ ଜାତି – ବହୁ ଭାଷା, ବହୁ ସଂସ୍କୃତି ଓ ପରମ୍ପରା ମଧ୍ୟରେ ଜିଇଁ ରହି ମଧ୍ୟ ନିଜ ନିଜ ଭାଷାର ସାହିତ୍ୟକୁ ଆଦର କରିବା ସହିତ ପ୍ରଜ୍ଞାର ଉନ୍ମିଳିତ ଚକ୍ଷୁରେ ବିଶ୍ୱ ସାହିତ୍ୟକୁ ମଧ୍ୟ ଦର୍ଶନ କରିଥାଏ। ଆମ ବିଚାରରେ କଳା-ସାହିତ୍ୟ-ନୃତ୍ୟସଙ୍ଗୀତ, ତାମସା, ରଙ୍ଗରସ, କ୍ରୀଡ଼ା, ଏ ସମସ୍ତ ଆନନ୍ଦଦାୟୀ ରସଗୁଡ଼ିକ ମଣିଷ ଜୀବନକୁ ପୁଷ୍କଳ କରେ, ନୋହିଲେ ଏସବୁରୁ ବିଚ୍ୟୁତ ଅଥବା ନିଷ୍କ୍ରାନ୍ତ ହୋଇଥିବା ମଣିଷର ଜୀବନ ଯନ୍ତ୍ରବତ୍ ଏକ ଅସ୍ତାବଳର ଘୋଡ଼ା ହୋଇଯାଏ, ଯାହାର ଜୀବନ ଦାସର, ଜୀବନ ଶୁଷ୍କ-ମରୁଭୂମି ତୁଲ୍ୟ ବନ୍ଧ୍ୟା। ‘କଳା’ ସଂରଚନାରେ ଥିବା ଅଳ୍ପ ସଂଖ୍ୟକ ମଣିଷଙ୍କର ଜୀବନଚର୍ଯ୍ୟା କିନ୍ତୁ ସାବଲୀଳ ତଥା ଉତ୍ତେଜନାହୀନ ଏକ ପରମାନନ୍ଦର ଅବସ୍ଥାକୁ ପ୍ରାପ୍ତ ହୋଇଥାଏ।

ଜୀବନ, ସୁନ୍ଦର ଓ ସାରଲ୍ୟ ଏକ ଦିବ୍ୟ ପୃଥିବୀର ପରିମଣ୍ଡଳକୁ ସଦା ସର୍ବଦା ସୃଜନଶୀଳ ମଣିଷର ଆତ୍ମା ଭେଟୁଥାଏ, ଯାହା ତାକୁ ସତ୍‌ସାହିତ୍ୟ ଲେଖିବାକୁ ପ୍ରଚୋଦିତ କରେ। ଅନ୍ତଃସଳିଳା ଝରଣା ପରି ସାହିତ୍ୟ ସର୍ଜନା ଏକ ନିତ୍ୟବହମାନ ଫଲ୍‌ଗୁ ଧାରା। ସ୍ରଷ୍ଟାର ସୃଜନ ଭୂମି ଯେବେ ଭାବମୟତାରେ ଆର୍ଦ୍ର ହୁଏ, ଅନିର୍ବଚନୀୟ ସୌନ୍ଦର୍ଯ୍ୟବୋଧ ଯେବେ ସ୍ରଷ୍ଟାର ପ୍ରାଣତନ୍ତ୍ରୀକୁ ଝଂକୃତ କରେ ସେବେଳେ ଶବ୍ଦ ସବୁ ଶ୍ରାବଣର ଆବେଗ ଉତୁରା ନଈ ପାଣି ପରି ବୋହିଆସନ୍ତି ଆପେ ଆପେ କାଗଜ ଛାତିରେ ତାରା ଫୁଲମାନ ହୋଇ। ସ୍ରଷ୍ଟାର ଶବ୍ଦଚାତୁରୀ ଓ ଅନୁଭବର ସାନ୍ଦ୍ରତା ଯେତେ ପ୍ରଗାଢ଼, ତାଙ୍କ ସୃଷ୍ଟି ସେତେ ମୂର୍ତ୍ତିମନ୍ତ ହୋଇ ପାଠକର ଭାବାବେଗକୁ ଆଚ୍ଛନ କରିପକାଏ। ଏହାହିଁ ସାହିତ୍ୟ ସୃଜନର ଆନନ୍ଦଦାୟୀ ପୀଡ଼ା। ଭାରି ଅସହଣୀ ଏ ପୀଡ଼ା ଯାହା ସ୍ରଷ୍ଟାର ପ୍ରଜ୍ଞାକୁ-ଚେତନାକୁ ଅହରହ ଆତୁର କରୁଥାଏ। ସବୁ ଝଟା-ଗୁଳ୍ମର ଅବସ୍ଥିତିରେ ଅରଣ୍ୟ ହୋଇପାରେନା। ସବୁ ନଦୀ ସ୍ରୋତସ୍ୱିନୀ-ଚିରପ୍ରବାହୀ ନୁହନ୍ତି, ସବୁ ଋତୁ ବସନ୍ତ ନୁହେଁ ଅଥବା ସବୁ ମଣିଷ ପ୍ରଜ୍ଞାଶୀଳ ହୋଇନଥାନ୍ତି। ଦେଶ-କାଳ-ପାତ୍ରର ସମୟାନୁବର୍ତ୍ତୀ ସଦୁପଯୋଗ ହିଁ ସ୍ରଷ୍ଟା ମଣିଷକୁ ପ୍ରଜ୍ଞାଦୀପ୍ତ କରିବା ସହ ତାଙ୍କୁ ଲେଖକୀୟ ମର୍ଯ୍ୟାଦା ପ୍ରଦାନ କରିଥାଏ। ବେଳେବେଳେ ସ୍ରଷ୍ଟାଜଣକ ଆତ୍ମଶ୍ଲାଘାର ଦାସ ହୋଇ ସୃଜନ କର୍ମଟିକୁ ନିଜ ବ୍ୟକ୍ତିଗତ ଚାତୁରୀ ବୋଲି କହେ। ମାତ୍ର ଏ ସୃଜନ ପୃଥିବୀର ସହସ୍ରାଧିକ୍ୟ ସ୍ରଷ୍ଟା ନିଜର ସୃଜନ ଆବେଗକୁ କେଉଁ ଏକ କଲ୍ୟାଣକାରୀ ପ୍ରଚୋଦନା ମଧ୍ୟ ସ୍ୱୀକାର କରିଯାଇଛନ୍ତି। ସତ୍‌ସାହିତ୍ୟର ସ୍ରଷ୍ଟା ସର୍ବାଦ କେଉଁ ଏକ ମହାଶକ୍ତିର ବର ପ୍ରାପ୍ତିକୁ ଯେ କାଳକାଳ ଧରି ଅପେକ୍ଷା ରଖେ ଏହା କହିବାରେ ଦ୍ୱିଧା ନାହିଁ। ତାହା ହୋଇ ନଥିଲେ ଅଗଣିତ ମନୁଷ୍ୟରେ କତିପୟ ସୃଜନ ସ୍ରଷ୍ଟା ପୁଣି ତା ମଧ୍ୟରୁ ଅଳ୍ପସଂଖ୍ୟକଙ୍କ ସ୍ରଷ୍ଟାଙ୍କ ସର୍ଜନାଗତ ରସଘନ ପ୍ରସିଦ୍ଧି ପ୍ରାପ୍ତ ସାହିତ୍ୟ ସବୁ କେମିତି ବା ଏ ବ୍ରହ୍ମାଣ୍ଡକୁ ଏତେ ଭାବମୟ ରସଗ୍ରାହୀ କରିଦେଲା? ସବୁ ମଣିଷ ସ୍ୱାମୀ ବିବେକାନନ୍ଦ, ଶଙ୍କରାଚାର୍ଯ୍ୟ, ଗୌତମବୁଦ୍ଧ କି ଯୋଗୀ ଅରବିନ୍ଦ ନୁହନ୍ତି। ପୁରୁଷୋତ୍ତମ ମହାଜୀବନଙ୍କ ଅନୁକମ୍ପାରୁ କତିପୟ ମଣିଷଙ୍କୁ ଏଭଳି ଅସାଧାରଣ ପ୍ରଜ୍ଞାଚକ୍ଷୁ ପ୍ରାପ୍ତ ହୋଇଥାଏ। ସମସ୍ତଙ୍କୁ ନୁହେଁ। ସେପରି ଆମର ସାହିତ୍ୟ ସଂରଚନାରେଗତ ଗଳଦ୍‌ଘର୍ମ ପ୍ରଚେଷ୍ଟା ସବୁ ପାଣିର ବୁଦ୍‌ବୁଦ୍ ପରି, ଅକାରଣରେ ସେଇ ପାଣିରେ ହିଁ ମିଳେଇ ଯିବ ସିନା!

ସାହିତ୍ୟ, ମନନଶୀଳ ଏକ ସୂକ୍ଷ୍ମ କଳା। ଭାବ-ସୌନ୍ଦର୍ଯ୍ୟବୋଧ ଓ ପ୍ରାଣଚକିତ ସରଘନର ମିଶ୍ରଣ ହେଲେ ଯାଇଁ ତାହା ସାହିତ୍ୟ ପଦବାଚ୍ୟ ହୁଏ ଏବଂ ଏହି ସାହିତ୍ୟିକ ନାମଧାରୀ ମଣିଷଟି ହିଁ କାଳାତିକ୍ରମଣ କରିଥାଏ ଓ ସେହି ସର୍ଜନାର ଧୂପ ଧୂଆଁ ସ୍ରଷ୍ଟାକୁ କାଳଖଣ୍ଡରୁ ଉତ୍ତରକାଳ ଯାଏ ସମ୍ମାନର ସହ ଜିଆଁଇ ରଖେ। ପୋଖରି ପାଣି ଗୋଳି ହେଲେ ମଧ୍ୟ ଯେପରି ସବୁ ମଣିଷ ମାଛ ଧରିବାରେ ସମର୍ଥ ହୋଇପାରନ୍ତି ନାହିଁ ସେପରି ନିଜକୁ ସାହିତ୍ୟିକ କହି ଡିଣ୍ଡିମ୍ ପିଟୁଥିବା ସବୁ ମଣିଷ ସାହିତ୍ୟିକ ନୁହନ୍ତି। ଯୋଗୀ ବେଶଧାରୀ ସବୁ ଗୈରିକ ମଣିଷ ସାଧୁ ନୁହନ୍ତି। ଏହା ଯେପରି ଏକ ତପସ୍ୟା, ସେପରି ସାହିତ୍ୟ ସ୍ରଷ୍ଟାଟିଏ ହେବା ପୂର୍ବାର୍ଜିତ କର୍ମଫଳର ଏକ ଦିବ୍ୟ ତପସ୍ୟା ବୋଲି ଧରିନେବାକୁ ହେବ! ସାହିତ୍ୟ ସୃଜନଶୀଳ ମଣିଷର ଏକ ନିଷ୍ଠାପଣ ଅଟେ। ମଣିଷ ତା’ର ଦ୍ୱିତୀୟ ମନରେ ଅର୍ଥାତ୍ ପ୍ରଜ୍ଞାବଳରେ ବୁଦ୍ଧି ଓ ଭାବନାର ସାହାଯ୍ୟ ନେଇ ସାହିତ୍ୟକୁ ଜୀବନ୍ତ କରେ। ସାହିତ୍ୟକୁ ମଣିଷ ତିଆରି କରିପାରେନା ସେ କେବଳ ତା’ର ଉଦ୍‌ଗାତାଟିଏ ହିଁ ସାଜେ। କେହି ଜଣେ ବଂଶୀରେ ଧୂନକ ଦିଏ ଅଥଚ ବଂଶୀ ବଜାଳିଟି କେବଳ ହିଁ ବଂଶୀର ରନ୍ଦ୍ର ଦେଇ ଓଠରେ ଫୁଙ୍କି ଚାଲେ। ପୃଥିବୀରେ ଏଯାବତ୍ ସୃଜନମଗ୍ନ ସମସ୍ତ ତପଚାରୀମାନେ ନିଜ ନିଜର ସୃଷ୍ଟିର ପ୍ରଥମ ଉଦ୍‌ଗତ ପାଇଁ ହିଁ ଅପେକ୍ଷାରେ ଥାଆନ୍ତି। ପ୍ରଥମ ଓ ସଠିକ୍ ବାକ୍ୟଟିର ନିର୍ମାଣ ହୋଇଗଲେ ସାହିତ୍ୟ ସମ୍ପର୍କିତ ସମସ୍ତ ସୃଜନକର୍ମ ଅବଲୀଳା କ୍ରମେ ସ୍ରଷ୍ଟାର ହୃଦୟ ଭିତରୁ ରସଘନ ହୋଇ କାଗଜ ଉପରକୁ ଉତ୍ତୁରି ଆସେ, ଏତଦ୍ ବ୍ୟତୀତ ଆଉ ସବୁକଥା କାଳ୍ପିନକ, ସ୍ୱେଚ୍ଛାଚାର ଓ ଅବାସ୍ତବ ବୋଲି ଧରିନିଆଯିବ। ସାହିତ୍ୟର ଶବ୍ଦ ସବୁ ଯେ କୌଣସି ସ୍ରଷ୍ଟାର ମୌରସୀ ସମ୍ପତ୍ତି ନୁହେଁ। ଏହା ତା’ ପାଇଁ ଆଦିମ କାଳ ଖଣ୍ଡରୁ ଝରଣା ପରି ଝରି ଆସିଥିବା ନିର୍ମଳ ଓ ଗତାନୁଗତିକ ଚିରବହମାନ ଧାରଟିଏ।

ଉନ୍ନତ ସାହିତ୍ୟ ପାଇଁ କେବଳ ସ୍ରଷ୍ଟାର ସୌନ୍ଦର୍ଯ୍ୟବୋଧ ଓ ଭାବଗତ ଆବେଗମୟତା ହିଁ ଲୋଡ଼ା ପଡ଼େ, ଆଉ ସବୁ ପୂର୍ବ ନିର୍ଦ୍ଧାରିତ ଥାଏ। ମଣିଷର ଦୈନନ୍ଦିନତାର ଜୀବନ ଓ ଦ୍ୱିତୀୟ ଜୀବନ ମଧ୍ୟରେ ଅନେକ ପାର୍ଥକ୍ୟ। ଅନୁଭବୀ ମଣିଷ ଗୋଟିଏ ପଥରେ ଯାଇ ସଂସାରକୁ ବଞ୍ଚେ ଆଉ ଏକା ପ୍ରକାରେ ପ୍ରଜ୍ଞାର ଆଲୋକିତ ପଥରେ ଯାଇ ସର୍ଜନାକର୍ମ ସମ୍ପାଦନ କରେ। ଅବଶ୍ୟ ଏହି ଦୈନନ୍ଦିନ କାର୍ଯ୍ୟ କାରଣମାନଙ୍କର ଅନ୍ତଃକରଣ ଯେତେ ଶୁଦ୍ଧପୂତ ହେବ ସୃଷ୍ଟି ସେତେ ଅଲୌକିକ ମହିମାବନ୍ତ ଓ ସର୍ଜନଶୀଳ ହେବହିଁ ହେବ। ଜୀବନ ଓ ସୌନ୍ଦର୍ଯ୍ୟ ହିଁ ସାହିତ୍ୟର ମାନଦଣ୍ଡ। ସାହିତ୍ୟ କେବେହେଁ ସତ୍ୟ ପ୍ରକଟିତ କରିପାରିବ ନାହିଁ। ସେ କେବଳ ଆରୋପିତ ସତ୍ୟକୁ ପ୍ରକଟ କରିବାରେ ସମର୍ଥ ରଖେ। ସତ୍ୟ ଚିରକାଳ ପାଇଁ ଥିଲା ଓ ଅଛି। ଜୀବନ ବଞ୍ଚନାର ପ୍ରପଞ୍ଚତା ଭିତରୁ ମୂଢ଼ ମଣିଷକୁ ସାହିତ୍ୟ କେବଳ ଆଶ୍ୱାସନା ଦିଏ ଅଥଚ ବଞ୍ôଚବାର ସାମର୍ଥ୍ୟ ଯୋଗାଇ ପାରେନା। ପ୍ରତ୍ୟେକ କାଳଖଣ୍ଡରେ ସଂଘଟିତ ହେଉଥିବା ନୂତନ ଘଟଣାମାନ ଉତ୍ତର କାଳକୁ ପୁରୁଣା ହୋଇଯାଏ। ଅଥଚ ସ୍ରଷ୍ଟାଟିର ହୃଦୟର ଭାବ ପୁରାତନ ନୁହେଁ, ଏହା ସବୁକାଳେରେ ସବୁ ଘଟଣାମାନଙ୍କୁ ସହ୍ୟ କରି ଏଥିରୁ ସତ୍ୟକୁ ଛାଣେ ଓ ସମାଜକୁ ପରଷି ଦିଏ। ଏହାହିଁ ସାହିତ୍ୟ। ଦେଶକାଳପାତ୍ରର ଅବିଚ୍ଛିନ୍ନ ସ୍ରୋତକୁ ତତ୍‌କାଳରେ ହୃଦୟରେ ଧରିରଖି ସାହିତ୍ୟିକଟିଏ ଭାବ-ସୌନ୍ଦର୍ଯ୍ୟର ଅନୁପମ ଲେପକୁ ସେଇ ସୃଷ୍ଟି ସମୂହରେ ଆରୋପିତ କରି ତାକୁ ମର୍ଯ୍ୟାଦାବନ୍ତ କରିପାରିଲେ ସାହିତ୍ୟ ଅମରତ୍ୱ ଲାଭ କରେ। ସାହିତ୍ୟ ସତ୍ୟର ସ୍ରଷ୍ଟା ନୁହେଁ। ସତ୍ୟକୁ ପ୍ରକଟ କରି ସମାଜମନସ୍କ କରିବାର ଧର୍ମଟିକୁ କେବଳ ଯାହା ନିର୍ବାହ କରିଥାଏ। 

ସାହିତ୍ୟ ସବୁ କାଳରେ ଦ୍ୱିଜ ପ୍ରବୃତ୍ତିରେ ଥାଏ। ଗୋଟିଏ ନିଜ ପ୍ରାଣର ଭାଷା କହେ ଓ ଅନ୍ୟଟି ବୃହତ୍ତର ସମାଜ ବ୍ୟବସ୍ଥା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରେ। ସମାଜ ମନସ୍କ ସାହିତ୍ୟରେ ଭାବ ଓ ସୌନ୍ଦର୍ଯ୍ୟମୟତାର ଅଭିନବ ପୂର୍ଣ୍ଣତା ଘଟିଲେ ସେହି ସାହିତ୍ୟ ମନମାନସରେ ଛାପାହୋଇ ରହିଯାଏ। ସେହି ପ୍ରକାର ସାହିତ୍ୟ ହିଁ ଅମରତ୍ୱର ଆଶା ବାଞ୍ଛାରଖେ, ଅନ୍ୟଥା ଆଉସବୁ ସାହିତ୍ୟ ନିଜସ୍ୱ ଆତ୍ମ ତାଡ଼ନାର ଏକ ବିକଳ ପ୍ରୟାସ ବୋଲି ଧରିନେବାକୁ ହେବ। ବୃହତ୍ତର ପାଠକ ଗ୍ରାହ୍ୟ ସାହିତ୍ୟ ହିଁ ସାହିତ୍ୟକୁ କାଳୋର୍ତ୍ତୀନ କରାଇବା ସହିତ, ସ୍ରଷ୍ଟାଟିର ଅନ୍ତରଙ୍ଗ ଅନୁଭବ ଓ ବୈଶ୍ୱିକ ଉଦାରତାକୁ ବହୁକାଳ ଧରି ମୂର୍ତ୍ତିମନ୍ତ କରି ରଖେ। ଏଥିକୁ ଆମେ କେଉଁଭଳି ସାହିତ୍ୟର ସଂରଚନାରେ ବ୍ରତୀ ଅଛେ ତାହା ଅବଶ୍ୟ ବିଚାର୍ଯ୍ୟ!

Leave a Reply

Your email address will not be published. Required fields are marked *