ଦାଣ୍ଡ ଘରେ ଚାର୍ଜ ପାଇଁ ଲାଗିଥିବା ଫୋନରୁ ଚାଟିଙ୍ଗ କରୁ କରୁ କେତେବେଳେ ସୁନୟନା ଭାଉଜଙ୍କ ମାଛ ବିଲେଇ ନେଇଗଲା।
ଏକଦମ ବଡ଼ ଚିନ୍ତାରେ ପଡ଼ି ଗଲେ ସୁନୟନା ଭାଉଜ। ଖାଇଲାବେଳେ ଶାଶୁ ନିଶ୍ଚୟ ଜିଦ କରି ବସିବେ ରୋହି ମାଛ ଲାଞ୍ଜ ପାଇଁ। ସେ ଆଜି କରିବେ ବା କଅଣ ? ଲାଞ୍ଜ ନ ହୋଇ ମଝି ଗଡ଼ ମାଛ ଖଣ୍ଡଟିଏ ହୋଇଥିଲେ ଅଦଳ ବଦଳ କରି ସେ ଚଳେଇ ନେଇଥାନ୍ତେ।
ଅଧକିଲୋରୁ ଟିକେ ବଡ଼ ରୋହି ମାଛର ହିସାବ ସିଧା। ଚାରି ଜଣଙ୍କୁ ଛଅ ଖଣ୍ଡ। ଶାଶୁଙ୍କର ଲାଞ୍ଜ। ସ୍ୱାମୀ ବନବିହାରୀ ଆଉ ଶଶୁରଙ୍କୁ ଦୁଇ ଦୁଇ ଗଡ଼ କରି ପତଳା ପତଳା ମଝି ଚାରି ଗଡ଼। ସୁନୟନା ଭାଗରେ ପଡିବ ବଳି ଯାଇଥିବା ମୁଣ୍ଡଟି। ଆଜି ବିଲେଇ ସବୁ ଗଣ୍ଡଗୋଳ କରି ଦେଲା। ଚଳେଇବା ଅସମ୍ଭବ ହୋଇଯିବ ବୋଧେ।
ସୁନୟନା ଫୋନ ଚାର୍ଜିଙ୍ଗ ପଏଣ୍ଟରୁ ଫେରି ଆସି ରୋଷେଇ ଘରେ ମାଛକଟା ଜାଗା ତନଖି କରୁଥିଲେ, ଠିକ ପୋଲିସ ଦୁର୍ଘଟଣା ପରେ ଘଟଣା ସ୍ଥଳ ନିରୀକ୍ଷଣ କଲା ପରି। ଗୁଣୁ ଗୁଣୁ ହୋଇ କହୁଥିଲେ, “ବଡ଼ ଚାଲାକ୍ ବିଲେଇ। ଦେଖୁନ, ମୁଣ୍ଡ ନେଇନି – ଲାଞ୍ଜ ପଟ ମାଛକୁ ମୁହଁରେ ଧରି ଦୌଡ଼ି ଚାଲି ଗଲା କେତେବେଳେ।” ଗୋଟିଏ ସଦ୍ୟ ବିବାହିତା ନୂଆ ବୋହୂ ସର୍ବାଧିକ ଯେତେ ଜୋରରେ ଚିତ୍କାର କରି ଡାକି ପାରିବ ସେହି ପରିମାଣରେ ମୃଦୁ ଆବାଜରେ ଚିତ୍କାର କରିବାକୁ ଚେଷ୍ଟା କରୁଥିଲେ ସୁନୟନା “ହେ ହେ, ବିଲେଇ ମାଛ ନେଇ ଗଲା” ବୋଲି। କିନ୍ତୁ ବିଲେଇକୁ ନେଇ ଦାଣ୍ଡ ଦୁଆର ପାଖରେ ବସିଥିବା ଚାକର ଟୋକା କାହ୍ନୁର ବୟାନ କିଛିଟା ପ୍ରାସଙ୍ଗିକ ଆଉ ଅଲଗା ଥିଲା। ସେ ପିଣ୍ଡାରେ ବିଲେଇକୁ ମୁହଁ ଓହଳେଇ ଯାଉଥିବାର ଦେଖିଥିଲା। ତା ମୁହଁରେ ମାଛ ନ ଥିଲା ବୋଲି ସେ କହୁଥିଲା।
“ଏ ଶାଶୁ ନା !” – ସୁନୟନା ଭାଉଜ ସ୍ୱଗତୋକ୍ତି କରୁଥିଲେ। ସେ ଚିଡି ଯାଉଥିଲେ ଶାଶୁଙ୍କ ଉପରେ – ନିଜକୁ ନେଇ ସବୁବେଳେ ପ୍ରଦର୍ଶନ କରିବାରେ ଚେଷ୍ଟିତ ଥିବା ଗୁଣଟି ଯୋଗୁଁ। ସେ ମିଛରେ ଭାବି ବସନ୍ତି, ଲାଞ୍ଜ ବାଛିଥିବା ଯୋଗୁଁ ସେ ଅନ୍ୟ ମାନଙ୍କ ଠାରୁ କମ୍ ମାଛ ଖାଉଛନ୍ତି ବୋଲି ସମସ୍ତେ ଜାଣିବେ। କିନ୍ତୁ ସୁନୟନା ଭାବନ୍ତି, ଲାଞ୍ଜର କଅଣ ଗୋଟିଏ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି?
ଥରେ ସୁନୟନା ଲାଞ୍ଜ ପିସ ନାଆଁରେ ପୋଛା ପୋଛି କେବଳ ଲାଞ୍ଜ ଟିକକ ରଖିଥିଲେ। ଶାଶୁ ଖାଇ ସାରି ମୁହଁ ଧୋଇ କୁଳୁକୁଞ୍ଚା କଲାବେଳେ ସୁନୟନାକୁ ଦେଖାଇ ଶୁଣାଇ କହିଥିଲେ, ” ଟାଣ କଥା କହୁ ପଛେ, ମୋ ବଡ଼ ବୋହୂର ମନ ବଡ଼। ଏ ଘରେ ଏତେ ମାଛ ଆସୁଛି, କିଏ ଖାଏ କେଜାଣି!”
ସେଦିନ ସତରେ ସୁନୟନା ବହୁତ କାନ୍ଦିଥିଲା। ରାତିରେ ନିଜ ମାଆକୁ ଫୋନ କରି କହିଥିଲା, ଶାଶୁ ମାଆଙ୍କ ଏହି ଏକତରଫା ନୀତି ଆଉ ବ୍ୟବହାର କରୁଥିବା ନୂଆ ବାକ୍ୟବାଣକୁ ନେଇ। ତାକୁ ନେଇ ଯାହା ବି କହିଲେ ଏତେ ଦୁଃଖ ହୁଅନ୍ତା ନାହିଁ। କିନ୍ତୁ କଥା କଥାରେ, ବଡ଼ ଯାଆଙ୍କ ସହ ତୁଳନା କରି ବଡ଼ ଦୁଃଖ ଦେଉଛନ୍ତି। ସେ ଆଉ ତା ବଡ଼ ଯାଆ- ଦୁହେଁ ଯେମିତି ବିଜ୍ଞାନ ଖାତାର “ପାର୍ଥକ୍ୟ ଦର୍ଶାଅ” ଟେବୁଲର ଦୁଇଟି ସ୍ତମ୍ଭ। ସବୁ କଥାରେ ବଡ ଯାଆଙ୍କର ପକ୍ଷ ଓଜନିଆ। ନମ୍ବର ଅଧିକ। ଶାଶୁ ଶଶୁର ତା ସଙ୍ଗେ ରହୁଥିଲେ ବି ତାକୁ କାହିଁକି କେବେ ବି ଭଲ କହନ୍ତିନି, ସେ ବୁଝି ପାରେନା।
ମା ପାଖରେ ବସିଥିବା ସାନ ଭଉଣୀ ରୁବି କହିଥିଲା, ” ତୋ ଶାଶୁକୁ ବାଢିଲା ବେଳେ ବେଶୀ ଦେଉ ନ ଥିବୁ। ତୁ ଲାଞ୍ଜ ପିସ କେଉଁଠୁଁ କାଟିବାକୁ ପଡିବ ଜାଣିନୁ ବୋଧେ। “
” ମାନେ? “
” ତୁ ବୋଧେ ସେଇଠୁଁ ଲାଞ୍ଜ ପିସ କାଟୁଛୁ ଯେଉଁଠି ପିଲା ମାନେ ଡ୍ରଇଂ କଲା ବେଳେ ପେନସିଲରେ ସିଧା ସିଧା ଗାର କାଟି ଥାଆନ୍ତି “
” ଆଉ କଅଣ କରିଥାଆନ୍ତି?”
” ଏଠି ଘରେ ପାଚିଲା ଆମ୍ବ କାଟିଲା ବେଳେ ଯେତେବେଳେ ମୁଁ ଆମ୍ବ ଟାକୁଆ ମାଗେ ତୁ ପୋଛି ପାଛି କାଟି ଦେଉ – ସେଥିରେ ଟିକିଏ ବି ମାଉଁସ ରଖୁନ ।”
” ତା ହେଲେ ତୁ ସେମିତି କାହିଁ ମାଗୁ ?”, ଭଉଣୀ ଆଗରେ ମୁହଁ ରଖିବାକୁ ଓଲଟା ପ୍ରଶ୍ନ କଲେ ସୁନୟନା।
” ଆଲୋ, ମୋ କଥା ଅଲଗା। ତତେ ଶାଶୁଘରେ ସବୁ ଲୋକଙ୍କ ମନ କଥା ବୁଝି ଚଳିବାକୁ ପଡ଼ିବ। ନାହିଁ ନାହିଁ କରୁଥିଲେ ବି ବଳେଇ କରି ଖୋଇ ଦେବାକୁ ପଡିବ। “
ସୁନୟନା ଘରକରଣା ନୂଆ ନୂଆ ଶିଖୁଥିଲା। ସାନ ଭଉଣୀଠୁଁ ବି ଯଦି କିଛି ଶିଖିବାର ଥାଏ, ତାକୁ ସେ ଶିଖି ନେବ। ନିଜ ଦୋଷ ମାନି ନେଇ କହିଲା,
“ଏବେ କହ, ଲାଞ୍ଜ ପିସ କେତେ ଉପରକୁ କାଟିବାକୁ ପଡିବ?”
” ଭାବି ନେ ମାଛ ମାନେ ଯଦି ଜିନ୍ସ ପ୍ୟାଣ୍ଟ ପିନ୍ଧୁ ଥାନ୍ତେ, ତେବେ ଯେଉଁ ଅଣ୍ଟା ସିଧା ସେମାନେ ବେଲ୍ଟ ଭିଡୁ ଥାନ୍ତେ ସେଇଠି ପନିକି ମାରି କାଟିବୁ।”
“ମାଛର ଗୋଟେ ଅଣ୍ଟା ଥାଏ?” – ସେ କଥା ଭାବି ସୁନୟନା ବହୁତ ହସିଥିଲା। ଆଉ ତା ଭଉଣୀ ରୁବି ବି।
ମାସେ ତଳର ସାନ ଭଉଣୀ ରୁବି ସହ ଆଲୋଚନା ପରେ ସୁନୟନା ଭାଉଜ ଆଜି ଲାଞ୍ଜ ପିସ ଲମ୍ବା ରଖି ମାଛକୁ କାଟିଥିଲେ। ପୂରା ମାଛର ଶତକଡା ଚାଳିଶ ଭାଗ ଥିଲା ଲାଞ୍ଜରେ, ଶାଶୁଙ୍କୁ ଖୁସି ରଖିବା ପାଇଁ। ତାଙ୍କର ଏହି ଯତ୍ନଶୀଳତାର ପୁରସ୍କାର ନାହିଁ। ଓଲଟା ଏଥିନେଇ ଘଣ୍ଟାଏ ପରେ ଥିବା ଦିପହର ଖାଇବା ବେଳେ ନାନା ପ୍ରଶ୍ନ ଉଠିବ।
ତାଙ୍କ ସହ ମୁଁ କରିଥିବା ଚାଟିଙ୍ଗ ବି ଏହି ଯତ୍ନହୀନତା ପାଇଁ ଦାୟୀ ହୋଇପାରେ ବୋଲି ଏପଟେ ମୁଁ ଭାବୁଥିଲି।
” କାହାକୁ କହି ମତେ ଅଧକିଲୋ ରୋହି ମାଛ ଆଣି ଦେଇ ପାରିବ ?”, ଆମେ ହୋଇଥିବା କଥା ବାର୍ତ୍ତାର ଠିକ କୋଡିଏ ମିନିଟ ପରେ ତାଙ୍କ ଫୋନ ଆସିଲା ମୋ ପାଖକୁ। ତାଙ୍କ ଶଙ୍କାପୂର୍ଣ୍ଣ ଅନୁରୋଧରେ ଯେମିତି ସେହି ପୁରୁଣା ଓଡ଼ିଆ ଗୀତ ” ଧୀବର ରେ ଆଣି ଦେ ଆଣି ଦେ ..ସୁନା ଇଲିସି।”
ଯଦି ମୁଁ ଭୁବନେଶ୍ୱର ପରି ଦୂର ଜାଗାରେ ବସି ନ ଥାନ୍ତି ତେବେ ଖୋଜି ଆଣି ମାଛଟିଏ ଦେଇ ଦେଇଥାନ୍ତି ତାଙ୍କ ହାତରେ। ବସ୍ତ୍ର ଦେଇ ଦ୍ରୌପଦୀଙ୍କୁ ଗୋଟିଏ ବିଶେଷ ପରିସ୍ଥିତିରୁ ରକ୍ଷା କରିଥିବା ଶ୍ରୀକୃଷ୍ଣଙ୍କ ପରି ମୁଁ ଭାଉଜଙ୍କ ଦୃଷ୍ଟିରେ ମହାନ ହୋଇ ଯାଇଥାନ୍ତି। କିନ୍ତୁ ଏବେ ସମ୍ଭବ ନୁହେଁ।
ସୁନୟନା ଭାଉଜ ଦ୍ରୌପଦୀଙ୍କ ଠାରୁ କମ୍ ସୁନ୍ଦର ନୁହଁନ୍ତି। ଗାଆଁ ହିସାବରେ ସମ୍ପର୍କୀୟ ଭାଉଜ। ସ୍କୁଲରେ ଶିକ୍ଷକ ହିସାବରେ ଚାକିରୀ କରିଥିବା ବନବିହାରୀ ଭାଇଙ୍କ ପତ୍ନୀ। ଗାଆଁର ସବୁ ଦିଅର ମାନେ ପାନ, ବିଡ଼ି, ମଦ ଆଦି କୌଣସି ନା କୌଣସି ନିଶାଦ୍ରବ୍ୟରେ ଜଡିତ ଥିବା ଯୋଗୁଁ ତାଙ୍କ ପ୍ରିୟଭାଜନ ହୋଇ ପାରି ନ ଥିଲେ। ମୁଁ ଏ ସବୁ ତ ଖାଉ ନ ଥିଲି, ତା ଛଡା ଭଲ ପଢ଼ୁଥିବା ଯୋଗୁଁ ସହର ଆସିଥିଲି। ସେ ତାଙ୍କର ବ୍ୟକ୍ତିଗତ ସ୍ପେସରେ ସ୍ୱାମୀ ବନ ଭାଇଙ୍କ ଛଡା ମତେ ହିଁ ପ୍ରବେଶାଧିକାର ଦେଇଥିଲେ। ତାଙ୍କଠୁଁ ମୁଁ ମିଠା କଥା ଶୁଣେ। ଆଉ ପ୍ରତି ବଦଳରେ କଲେଜରେ ଘଟୁଥିବା ସବୁ କଥା ଶୁଣାଏ। ମୋର ସବୁ କଥା ବହୁତ ମନ ଦେଇ ଶୁଣନ୍ତି। ଯେତେବେଳେ ଭାତରୁ ପେଜ ଗାଳିବାର ଥାଏ ଅବା ଡାଲିରେ ଛୁଙ୍କ ଲଗାଇବା – ମତେ ଟିକେ ଅପେକ୍ଷା କରିବାକୁ କହି ସେ ତାଙ୍କ କାମରେ ଲାଗନ୍ତି; କାମ ସରିଲେ ପୁଣି କଥା ହେବାକୁ ଆସି ଥାଆନ୍ତି। କେବଳ ମଝିରେ ମଝିରେ ଦୋଷ ଛଡାଇବାକୁ କହନ୍ତି, ” ତୁମ ପଢା ନଷ୍ଟ ହେଉଛି, ମୁଁ ରଖୁଛି”।
ମୁଁ ମନା କରେ, “ପରୀକ୍ଷା ଏବେ ଦୂରରେ ଅଛି” କହି। ଆମେ ଅନେକ ସମୟରେ ଗପୁ। ତାଙ୍କ ସହ କଥା ହେଲେ ମୋ ପାଖକୁ ଗାଆଁର ବାସ୍ନା ଭାସି ଆସେ। ଛୋଟ ବଡ଼ ଘଟଣା ଆଳରେ ମୁଁ ଦେଶ ଦୁନିଆଁକୁ ତାଙ୍କ ପଣତରେ ଅଜାଡି ଦିଏ। ମୁଁ କଥାରୁ ବିରତ ନ ହୋଇଯାଏ, ସେଥିପାଇଁ ମୋ ପାଇଁ ଗୋଟିଏ ପ୍ରୋତ୍ସାହନ ରଖିଥାନ୍ତି ସବୁବେଳେ। ସେ କହନ୍ତି, ତାଙ୍କ କଥା ମାନିଲେ ସାନ ଭଉଣୀ ରୁବି ତଳକୁ ଥିବା ଆଉ ଗୋଟିଏ ଭଉଣୀ “ପତର” ସହ ମୋର ବାହାଘର କରିବାକୁ ଘରେ ପ୍ରସ୍ତାବ ରଖିବେ।”
ମୁଁ ମଜାରେ ପଚାରେ, “ଆଉ ଯଦି ତମ କଥା ନ ମାନେ ?”
” ତୁମ ବାହାଘର ଯେଉଁଠି ପଡିଲେ ବି ଗୋଡେଇ ପୋଡେଇ ହୋଇ ଭାଙ୍ଗିବି।”, ଚେତାବନୀ ଦେବା ଢଙ୍ଗରେ ସେ ହସି ହସି କହନ୍ତି।
ମୁଁ ତାଙ୍କ କଥାରେ ବିହ୍ଵଳ ହୁଏ। ତାଙ୍କ ଭଉଣୀ “ପତର”କୁ ଆମ ଗାଆଁ ପୋଖରୀରେ ଗାଧୋଇଲା ବେଳେ ଥରେ ଦେଖିଥିଲି। ସୁନ୍ଦର ହେଲେ ବି ସେ ନିଶ୍ଚିତ ବୟସରେ ଛୋଟ ଥିଲା। ଯାହାହେଲେ ବି ସେ ଭାଉଜଙ୍କ ଵଂଶର, ଭାଉଜଙ୍କ ପରି ସୁନ୍ଦର ହେବ। କିଏ ଜାଣେ, କେତେବେଳେ ବୟସ ଆସି ସେହି ଆମ ଗାଆଁ ପୋଖରୀ ତୁଠରେ ଗାଧୋଇ ଥିବା ସେହି ଛୋଟ ଝିଅକୁ ଭାଉଜଙ୍କ ପରି ରୂପ ଯୌବନର ସମ୍ଭାରରେ ଭରି ଦେଇ ଚାଲିଯିବ।ଅପେକ୍ଷାର ଫଳ ମିଠା। ତା ଛଡା, ମୁଁ ବି କେଉଁଠି ଏତେ ଶୀଘ୍ର ବାହା ହେବାକୁ ଯାଉଛି ଯେ !
ଆଜି କିନ୍ତୁ ଭାଉଜଙ୍କ ମାଛ ଲାଞ୍ଜ ସମସ୍ୟା ନେଇ ମୁଁ ଟିକେ ବିଶେଷ ଚିନ୍ତିତ ହୋଇଗଲି। ଏ ସବୁ ମୋ ସହ ଚାଟିଙ୍ଗ କରିବା ଯୋଗୁଁ ତ ହୋଇଥିଲା। ସମସ୍ୟାର ସମାଧାନ ପାଇଁ ମୁଁ ମୋ ପ୍ରଚେଷ୍ଟା ଜାରୀ ରଖିଥିଲି। ଗାଁରେ ଥିବା କେତେ ସାଙ୍ଗଙ୍କୁ ଫୋନ କରିଥିଲି ଗୋଟିଏ ଜାଗାରେ ବସି ରହି। ଶେଷରେ ଭଜା ମାଛ ଲାଞ୍ଜ ଟିଏ ଯୋଗାଡ଼ ହୋଇ ସାରିଥିଲା, ସାଙ୍ଗ ଅନାମ ଘରେ। ଅନାମ ତାକୁ ଗୋଟିଏ ଟିଫିନ ବକ୍ସରେ ଲୁଚାଇ ପହଞ୍ଚେଇ ଦେଲା ଭାଉଜଙ୍କ ପାଖରେ। ସେଇଟା ଭାକୁଡ଼ ଲାଞ୍ଜ ଥିଲା। ନିରୁଦ୍ଦିଷ୍ଟ ଲାଞ୍ଜଠାରୁ ଅପେକ୍ଷାକୃତ ଟିକେ ବଡ଼।
ଭାଉଜ ତାକୁ ନେଇ ରନ୍ଧା ଯାଇଥିବା ଝୋଳରେ ଛାଡି ଦେଲେ। ଯେମିତି ଲାଞ୍ଜ ଝୋଳରେ ବୁଡି ଯିବା ସହ ଭାଉଜଙ୍କ ସମସ୍ୟା ବି ଝୋଳ ଭିତରେ ଅନ୍ତର୍ହିତ ହୋଇଯାଇଥିଲା।
ମୋର ପରିସ୍ଥିତି ସବୁ ପ୍ଲସ ପ୍ଲସ ଥିଲା। ଭାଉଜଙ୍କ ଦୃଷ୍ଟିରେ ମୋର ରେଟିଙ୍ଗ ନୂଆ ଶିଖର ଛୁଇଁଛି ବୋଲି ମୁଁ ଆଶ୍ୱସ୍ତ ଥିଲି। ଦୂରରେ ଥାଇ ବି କେବଳ ଫୋନ ମାଧ୍ୟମରେ ଏତେ ବଡ଼ ସମସ୍ୟାରୁ ବଞ୍ଚେଇ ପାରିଥିବା ଯୋଗୁଁ ସେ ପରବର୍ତ୍ତୀ ଫୋନରେ ” ଥ୍ୟାଙ୍କ ୟୁ ” କହିଥିଲେ।
ଭାଉଜଙ୍କ ବଡ଼ ଯାଆ ମମତାରାଣୀ ଗୋଟିଏ ଛାତ ତଳେ ରହି ମଧ୍ୟ ରୋଷେଇ ଅଲଗା କରୁଥିଲେ। ଆଜି ଶାଶୁ, କଟାମାଛରୁ ଲାଞ୍ଜ ପିସ ନେଇ ତାଙ୍କୁ ଭଲ ଭାବରେ ମସଲା ଦେଇ ତାଙ୍କ ପାଇଁ ରୋଷେଇ କରି ଦେବାକୁ ଦେଇଥିଲେ। କିନ୍ତୁ ଶାଶୁଙ୍କ ଦୁର୍ଭାଗ୍ୟ ! କେଉଁ ସାଙ୍ଗର ଗୃହ ପ୍ରବେଶରେ ଯାଉଥିବାରୁ ରୋଷେଇ କରିବାକୁ ବଡ ଯାଆ ମନା କରିଦେଲେ । ସେତିକି ନୁହେଁ, ମାଛ ପଛରେ ରାନ୍ଧିଦେବେ କହି ମାଛକୁ ଫ୍ରିଜରେ ରଖିଦେଇ ଚାଲିଗଲେ।
କହିବାକୁ ଗଲେ ଆଜି ଶାଶୁଙ୍କ ପାଇଁ ବି ଚିନ୍ତାର ବିଷୟ। ସେ ଜାଣିଥିଲେ ତାଙ୍କୁ ଲାଞ୍ଜ ପିସ ଆଜି ମିଳିବ ନାହିଁ। ସେତିକି ନୁହେଁ, ସେ ମୁଣ୍ଡ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ପତି ଆଉ ପୁତ୍ରଙ୍କ ମାଛ ଭାଗରୁ କିଛି ଏପଟ ସେପଟ କରିବାକୁ ପଡିବ। ଏଟା ଦାୟିତ୍ୱପୂର୍ଣ କାର୍ଯ୍ୟ। ବୋହୂ ହାତରେ ଛାଡି ଦେଇ ହେବନି। ନିଜେ ଆଜି ସେ ମାଛ କଢେଇ ଆଉ ଚାମଚ ଧରି ବସିଲେ ବାଣ୍ଟିବାକୁ।
“ଆଜି ବନ କେତୋଟି ରୋହି ଆଣିଥିଲା କି ?”, ଶାଶୁ ମାଛ ତରକାରୀ ବାଣ୍ଟୁ ବାଣ୍ଟୁ ସୁନୟନାକୁ ପ୍ରଶ୍ନ କଲେ।
“ଗୋଟିଏ ରୋହି ତ। କଣ ହେଲାକି ବୋଉ ?”, ଜବାଵ ଦେଲେ ସୁନୟନା ଭାଉଜ।
“ତୋ ବାପ ମାଆଙ୍କ ସହ କଥା ହେବି”,
ଏତିକି କହି ଶାଶୁ କଟ ମଟ ଆଖିରେ ଚାହିଁ ରହିଥିଲେ ସୁନୟନା ଆଡେ। ସୁନୟନା ଛଳ ଛଳ ଆଖିରେ ସବୁଥର ପରି ଚେଷ୍ଟା କରୁଥିଲେ ସେ କରିଥିବା ଦୋଷଟିକୁ ଖୋଜି ପାଇବା ପାଇଁ।
ଗଳ୍ପଟି ବହୁତ ଭଲଲାଗିଲା । ଟିକିଏ ବ୍ୟଙ୍ଗ ମସଲା ବ୍ୟବହାର ହୋଇ ଥିବା ରୁ ଝୋଳଟା ଜମିଗଲା । ଲାଞ୍ଜ କୁ ଭୁଲି ଯାଇଛି।
ସୁନ୍ଦର ଟିପ୍ପଣୀ। ବହୁତ ଧନ୍ୟବାଦ, ଆଜ୍ଞା !
ବହୁତ ଭଲ ଲାଗିଲା ଲାଞ୍ଜ ପିସ୍। ମୁଁ ନିରାମିଷାଶୀ ହେଲେ ବି ମାଛଝୋଳ ବହୁତ ସ୍ୱାଦିଷ୍ଟ ଥିଲା। ସୁନ୍ଦର ଗପଟି ପାଇଁ ଅନେକ ଅନେକ ଶୁଭେଚ୍ଛା ଆପଣଙ୍କୁ 🙏
ଧନ୍ୟବାଦ, ସାଇଜ୍ୟୋତି
ସୁନ୍ଦର ଭାବନା
ଅନେକ ଅନେକ ଧନ୍ୟବାଦ !
ଗଳ୍ପର ସମସ୍ତ ଚରିତ୍ରରେ ହସର ଖୋରାକ୍ ଭରି ଦେଇଛନ୍ତି ..😁ଏତେ ନିଖୁଣ ଯେ ଶେଷରେ ମାଛକୁ ବି ଜିନ୍ସ ପିନ୍ଧାଇ ଛାଡିଦେଲେ.!!.😂😂ଚିରାଚରିତ ଶାଶୁବୋହୁଙ୍କୁ Tom and Jerry ବନେଇ ଦେଲେ..ଆହାଃ!!ଚମତ୍କାର ପରିକଳ୍ପନା..ଏମିତି କଳ୍ପନାର ଛୁଙ୍କ ଲଗାଇ ଆମକୁ ମନୋରଞ୍ଜନ କରୁଥା’ନ୍ତୁ..କଲମ ସଶକ୍ତ ହେଉ।👌👌🙏🙏🙏🙏🙏
ଏହି ଟିପ୍ପଣୀ ପାଇଁ ଅଜସ୍ର ଧନ୍ୟବାଦ, ମନସା !