ସାହିତ୍ୟର ସ୍ଵରୁପ

ଏଠାରେ ଆମେ ସାହିତ୍ୟର ପରିଭାଷା ବା ଉପାଦାନ ସଂପର୍କରେ ଚର୍ଚ୍ଚା କରିବାକୁ ଯାଉନାହୁଁ। ବରଂ ଆମର ଉଦ୍ଵେଗର ହେତୁ ଅନ୍ୟ କିଛି। ସାଂପ୍ରତିକ ସାହିତ୍ୟ ଜଗତର ଚଉପାଶରେ ଟିକିଏ ଦୃଷ୍ଟି ଫେରାଇଆଣିଲେ ଆମେ ଜାଣିପାରିବା ଯେ ଅତ୍ରତତ୍ର ସର୍ବତ୍ର ସାହିତ୍ୟ ସଂପର୍କରେ କେବଳ ବିଚାର ଆଲୋଚନା ହିଁ ଚାଲିଛି। ଏ ସବୁ କାଗଜ କଲମରେ ଚାଲିଥିଲେ ଅବା କିଛି କଥା ନଥିଲା, କିନ୍ତୁ ବିଡ଼ମ୍ବନାଟି ହେଲା ଯେ ଏହା କେବଳ ଚାଲିଛି ଭାଷଣ, ବିତର୍କ ଏବଂ ସମାବେଶ ବା ଉତ୍ସବ ଇତ୍ୟାଦିରେ। ସାହିତ୍ୟ ଆଜି କାଗଜର ମୁଦ୍ରିତ ଫର୍ଦ୍ଦ ଭିତରୁ ଓହ୍ଲାଇଆସି ଉଭା ହୋଇଛି ସଭା ମଂଚ ଉପରେ। ସେ କବି ସମ୍ମିଳନୀ ହେଉ, ସାହିତ୍ୟିକ ପରିଚର୍ଚ୍ଚା, ସାକ୍ଷାତକାର, ପୁରସ୍କାର ସମାରୋହ ଅବା ଓ୍ବେବିନାର୍ – ସର୍ବତ୍ର କେବଳ ସାହିତ୍ୟର ବା ସାହିତ୍ୟିକଙ୍କର ପରିଚର୍ଚ୍ଚା, ସ୍ତୁତିଗାନ କିମ୍ବା ବାକବିତଣ୍ଡା ହିଁ ଚାଲିଛି।

ଅଥଚ ସାହିତ୍ୟର ମୂଳ ସ୍ବରୂପ ଅର୍ଥାତ ତାହାର ଲିଖନ ଓ ପଠନ ଦିଗଟି ଯେ କ୍ରମେ ଧିମେଇ ଆସିଲାଣି ସେଥିପ୍ରତି କାହାର ନିଘା ନାହିଁ। ସାହିତ୍ୟ ନାମରେ ଯାହା ବି ସୀମିତ ମାତ୍ରାରେ ଲେଖାଯାଉଛି ତାହା ପାଠକଙ୍କ ଦ୍ବାରା ସେଭଳି ଆଦୃତ ହୋଇପାରୁନାହିଁ। ଆମ ଭାଷାରେ ପ୍ରକାଶିତ ପୁସ୍ତକ ତଥା ସାହିତ୍ୟ ପତ୍ରିକାଗୁଡିକର ବିକ୍ରୟ ସଂଖ୍ୟାକୁ ଲକ୍ଷ୍ୟ କଲେ ତାହାହିଁ ପ୍ରତୀୟମାନ ହୁଏ।

ସାହିତ୍ୟର ଅସ୍ତିତ୍ବ ଜାହିର ହୁଏ କେବଳ ମାତ୍ର ଲେଖକର ରଚନା ପ୍ରବଣତାରେ ଏବଂ ପାଠକର ପଠନ ସ୍ପୃହାରେ। ଅଥଚ ଏହା ପରିବର୍ତ୍ତେ ଏବେ କେବଳ ଯାହା ଅତି ମାତ୍ରାରେ ବଢ଼ିଚାଲିଛି ତା’ହେଲା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବମାନ। ଏସବୁର ଗହଳି ଭିତରେ ବାସ୍ତବ ସାହିତ୍ୟର ସତ୍ତା ଆଜି ଛଟପଟ ହେଉଛି।

ଅବଶ୍ୟ ଏବର ଡିଜିଟାଲାଇଜେସନ୍ ଯୁଗରେ ମୁଦ୍ରିତ ପୁସ୍ତକ ଓ ପତ୍ରପତ୍ରିକାଗୁଡିକର ପ୍ରସାରଣ କମିଯିବା ସ୍ବାଭାବିକ। ଏ ପରିପ୍ରେକ୍ଷୀରେ ଆମ ସାହିତ୍ୟ ଯଦି ଇ-ବୁକ୍ ଓ ସୋସିଆଲ୍ ମେଡିଆର କଳେବର ଆପଣେଇନିଏ ତେବେ ସେଥିରେ କିଛି ଆପତ୍ତି ନାହିଁ। କିନ୍ତୂ ସେହି ରୂପରେ ହେଲେ ବି ଆମ ଓଡ଼ିଆ ସାହିତ୍ୟର ବାସ୍ତବ ଅଭିବୃଦ୍ଧି ଘଟୁଛି କି? ଆସନ୍ତୁ ଆମେ ସମସ୍ତ ସାହିତ୍ୟପ୍ରେମୀ ପଚାରିବା ନିଜେ ନିଜକୁ।

– ସମ୍ପାଦକ

Leave a Reply

Your email address will not be published. Required fields are marked *