ବିରଳ ବ୍ୟକ୍ତିତ୍ଵ

ଅମୃତନାରାୟଣ ଶତପଥୀ

ସେଦିନ ରାଜରାସ୍ତାରେ ଚାଲୁଥିଲେ ଜଣେ ବ୍ୟକ୍ତି। ଚେହେରାରେ ପୌଢତ୍ଵର ଚିହ୍ନ ସୁସ୍ପଷ୍ଟ; ଧବଳ ବରଫସମ କେଶଗୁଚ୍ଛ, ଦାଢି ନିଶ କେତେକାଂଶରେ ପାଚି ଗଲାଣି। ହେଲେ ମୁଖମଣ୍ଡଳରେ ଯୁବକ। ସୁଲଭ ଉତ୍ସାହ ଆଖି ଦୁଇଟି ବେଶ୍ ଶାନ୍ତ। ଜ୍ଞାନଦୀପ୍ତ ମୁଖମଣ୍ଡଳର ଆଭା ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଆକୃଷ୍ଟ କରିବାରେ ଯେ ସମର୍ଥ ସେଥିରେ ସନ୍ଦେହର ଅବକାଶ ନାହିଁ।
ଚାଲୁଚାଲୁ ହଠାତ ରାଜରାସ୍ତାର କଡ଼କୁ ଓହ୍ଲାଇ ପଡିଲେ ଓ କିଛିବାଟ ଗୁରୁଣ୍ଡି ଯିବାର ଦେଖାଗଲା ସେହି ବ୍ୟକ୍ତିଙ୍କୁ। ପୂର୍ବଦିନ ସାମାନ୍ୟ ବର୍ଷା ହୋଇ କାଦୁଅ ହୋଇଯାଇଥିବା ରାଜରାସ୍ତା କଡରେ ତାଙ୍କ ପରିହିତ ମୂଲ୍ୟବାନ ପୋଷାକ ଯେ ନଷ୍ଟ ହୋଇଗଲାଣି ସେଥିପ୍ରତି ଭୃକ୍ଷେପ ନାହିଁ ତାଙ୍କର। ମୂହୁର୍ତ୍ତେ ମାତ୍ର, ତା’ ପରେ ହଠାତ୍ ଉଠି ଠିଆ ହେଲେ ଓ ମୁଖରେ ଫୁଟି ଉଠିଲା ଚେନାଏ ହସର ଲହରି। ବିନାବାକ୍ୟରେ ସେଠାରୁ ଉଠି ପୁଣି କିଛି ସମୟ ଚାଲିଲେ ରାଜରାସ୍ତା ଉପରେ ପୂର୍ବ ଦିଗକୁ ମୁହଁ କରି। ତାଙ୍କର ଛାଇ ତାଙ୍କୁ ଅନୁଗମନ କରିବାକୁ ଲାଗିଲା। କିଛି ସମୟ ପରେ ଯେପରି ମିଳେଇ ଗଲେ ଶୂନ୍ୟରେ ଓ ଧିରେ ଧିରେ ଜନ ସମାଗମ ବଢି ଚାଲିଲା ମସୃଣ ରାଜରାସ୍ତା ଉପରେ। କାହାର ନଜର ନଥିଲା ଏହି ବ୍ୟକ୍ତିଙ୍କ ଆଚରଣ ଉପରେ ବା କେହି ଗୁରୁତ୍ୱ ଦେଇ ନଥିଲେ ଏହି ସାମାନ୍ୟ ଘଟଣା ଉପରେ। ଏହିପରି ରୀତିମତ ଏକ ସପ୍ତାହର କର୍ମ ବିଶେଷ ଭାବେ ପ୍ରଭାବିତ କରିଥିଲା ରାସ୍ତା ଆରପଟେ ଛୋଟ ପାନ ଦୋକାନଟିଏ ଦେଇଥିବା ମଧୁକୁ। ସେ ପ୍ରଥମତଃ ବିଶେଷ ଗୁରୁତ୍ୱ ଦେଉନଥିଲା ତାଙ୍କ କାର୍ଯ୍ୟ ଉପରେ ସମସ୍ତଙ୍କ ପରି; ହେଲେ ଦିନକୁ ଦିନ ସେ ପୌଢଙ୍କ ମନରେ ଅଫୁରନ୍ତ ଆନନ୍ଦ ତଥା ଓଠରେ ରହସ୍ୟମୟ ହସ ତା’ର ଉତ୍କଣ୍ଠାକୁ ବହୁଗୁଣିତ କରିବା ସହ ମନରେ ସନ୍ଦେହର ଭାବ ସୃଷ୍ଟିକଲା। ବହୁତ ଥର ଭାବେ ସେ ସ୍ଥାନ ଯାଇ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ହେଲେ ଜନସମାଗମ ବଢିବା ସହ ଦୋକାନରେ ଭିଡ ମଧ୍ୟ ହୋଇଯାଏ। ତା ସହ ସେ ସ୍ଥାନ ବି ଅପେକ୍ଷା କୃତ ଅସନା ହୋଇଥାଏ ଏବଂ ମଧୁ ଅନ୍ୟଜାଗାରେ ଗୋଟିଏ ଛଅ ଘଣ୍ଟିଆ ସିକ୍ୟୁରିଟି କାମ କରୁଥାଏ(୧୦ଟା ରୁ ୪ଟା)। ସେଥିପାଇଁ ସକାଳ ୯ଟା ସୁଦ୍ଧା ତାକୁ ଦୋକାନ ବନ୍ଦ କରି ଘରକୁ ଯିବାକୁ ପଡେ।


ସେଦିନ ଶନିବାର ରାତିର ପ୍ରଥମ ପ୍ରହର ନହେଉଣୁ ପ୍ରବଳ ବାଦଲଫଟା ବର୍ଷା ସହ ଲଗାତାର ବିଜୁଳି ଓ ପ୍ରଚଣ୍ଡ ଘଡଘଡିର ଶବ୍ଦ ମନରେ ସ୍ଵତଃ ଭୟ ଉଦ୍ରେକ କରୁଥାଏ। ରାତି ୯ଟା ହେଲାଣି। ମଧୁ ରାତ୍ରୀଭୋଜନ ସାରି ଶୋଇବାର ଉପକ୍ରମ କରୁଥାଏ। ହଠାତ୍ ତା ମନରେ ସେହି ରହସ୍ୟମୟ ବ୍ୟକ୍ତିଙ୍କର ଖିଆଲ ଆସିଲା। ଭାବିଲା- “କାଲି ତ ରବିବାର ଅଛି, ଡ୍ୟୁଟି ବି ନାହିଁ। କାଲି ନିଶ୍ଚୟ ସେ ସ୍ଥାନ ଯାଇ ଦେଖିବି ଓ କାରଣ ଜାଣିବି କାହିଁକି ସେ ପୌଢ ବ୍ୟକ୍ତି ସେ ଅପନ୍ତରା ସ୍ଥାନକୁ ଯାଇ ପ୍ରତ୍ୟହ ନିଜର ପୋଷାକ ଖରାପ କରି ଅଫୁରନ୍ତ ଆନନ୍ଦ ପାଉଛନ୍ତି।” ଏହା ଭାବି ଖଟରେ ପଡି କେତେବେଳେ ନିଦ୍ରାଦେବୀଙ୍କ କୋଳରେ ଗାଢ଼ ନିଦ୍ରାରେ ଶୋଇ ପଡିଛି ତାହା ତା’ର ଅଜ୍ଞାତ। ବାହାରେ ତୁହାକୁ ତୁହା ବର୍ଷା ସଙ୍ଗେ ବିଜୁଳି ଘଡଘଡି ଚାଲିଛି ଅନବରତ ଭାବରେ।
ତା’ ପରଦିନ ସକାଳୁ ଉଠିଲା ବେଳକୁ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ସେ। ପୂର୍ବ ଦିନର ବର୍ଷାର ଚିହ୍ନବର୍ଣ୍ଣ ଆକାଶରେ କିଛି ନଥିଲା, ନା ଥିଲା କେଉଁ କଳାହାଣ୍ଡିଆ ବାଦଲର ଚଳନ ନା ଘଡ଼ଘଡ଼ା ପାଗ। ସକାଳର ସୂର୍ଯ୍ୟ ତାଙ୍କର ରକ୍ତିମ ଆଭା ନେଇ ପୂର୍ବ ଦିଗରେ ମୁଣ୍ଡ ଟେକିଲେଣି। ପକ୍ଷୀର କାକଳୀ ପରିବେଶକୁ ଜୀବନ୍ତ ମଧୁମୟ କରି ଗଢି ତୋଳିଥାଏ। ଦାଣ୍ଡ ବାଡିରେ ଯାହା କାଦୁଅ, କିଛି କିଛି ଗର୍ତ୍ତରେ ଜମିଥିବା ପାଣି, କିଛି ଉଚ୍ଚ ସ୍ଥାନରୁ ତଳକୁ ବହିଯାଉଥିବା ପାଣିର ଶବ୍ଦ ଯେ କେବଳ ଗତ ରାତିର ବର୍ଷା ବିଭିଷିକାର ମୂକ ସାକ୍ଷୀ ହୋଇ ରହିଛି, ବାସ୍।
ତରତର ହୋଇ ନିତ୍ୟକର୍ମ ସାରିଲା ମଧୁ। ନିତିଦିନ ଠାରୁ ଆଜି ଅଧଘଣ୍ଟା ଡେରିରେ ଉଠିଛି ସେ ସକାଳୁ ସକାଳୁ କାଲି ରାତିର ବର୍ଷା ପ୍ରଭାବର ଥଣ୍ଡା ପରିବେଶ ତାକୁ ବେଶୀ ସମୟ ଶୋଇବାକୁ ବାଧ୍ୟ କରିଦେଇଥିଲା। ଅଧଘଣ୍ଟା ମଧ୍ୟରେ ବାହାରି ପଡ଼ିଲା ଦୋକାନକୁ ସେ। ମନରେ ସେହି ରହସ୍ୟମୟ ବ୍ୟକ୍ତିଙ୍କ ଖିଆଲ ଏ ଯାଏଁ ଉଜ୍ଜୀବିତ ଥାଏ।
ଦୋକାନ ପାଖରେ ପହଞ୍ଚିଲା ବେଳକୁ ଦେଖିଲା ଏକ ନୂତନ ଦୃଶ୍ୟ। ରାସ୍ତାଘାଟ ସମ୍ପୂର୍ଣ୍ଣ ଜନାକୀର୍ଣ୍ଣ। ନୀରବ, ନିସ୍ତେଜ। ସତେ ଯେମିତି ସାରା ସହର ଶୋଇଯାଇଥିଲା ଗାଢ଼ ନିଦ୍ରାରେ। ସବୁଆଡେ ନୀରବତାର ଚିହ୍ନ ସୁସ୍ପଷ୍ଟ। କାଁଭାଁ ମଟର ଗାଡିଟିଏ ଛୁଟିଯାଉଛି ନିରବତା ଭଙ୍ଗକରି। ତା’ପରେ ସବୁ ପୂର୍ବବତ୍; ନୀରବତାର ରାଜତ୍ୱ।
ହଠାତ୍ ସେ ଦେଖିଲା ପୂର୍ବୋକ୍ତ ରହସ୍ୟମୟ ବ୍ୟକ୍ତି ହାତରେ ଏକ ବଡ ପେଟିଟିଏ ଧରି ଆଗେଇ ଚାଲିଛନ୍ତି ଦ୍ରୁତ ଅଥଚ ସତର୍କ ଗତିରେ। ମଝିରେ ମଝିରେ ଚାରିଆଡକୁ ଦୃଷ୍ଟି ନିକ୍ଷେପ କରିଚାଲିଛନ୍ତି। ମୁଖର ପ୍ରତିଦିନର ସେହି ରହସ୍ୟମୟ ହସ ସତରେ ବଦଳିଯାଇଛି ଏକ ଆଶଙ୍କାରେ; ସତେ ଯେପରି ଆଶଙ୍କାର ବାଦଲ ଫାଟି ବର୍ଷା ଅଜାଡି ହୋଇପଡିବ ତାଙ୍କ ଉପରେ ଓ ଭିଜେଇ ଦେବ ସମ୍ପୂର୍ଣ୍ଣ ଶରୀରକୁ। ଏମିତିରେ ଆଜି ତାଙ୍କର ପୋଷାକ ବେଶ୍ ଇତସ୍ତତଃ। ଜଙ୍ଘଯାଏ କାଦୁଅ ପାଣିରେ ଜୁଡୁବୁଡ଼। ପିଠିରେ ଦୁଇଟି ମୋଟା ଚିକିଟା କଦୁଅର ଚିହ୍ନ ସୁସ୍ପଷ୍ଟ। ଏଥିରୁ ସ୍ପଷ୍ଟ ଯେ ସେ ବୋଧହୁଏ ଦୁଇ କଚଡା ଖାଇଛନ୍ତି। ଏହାସବୁ ଦେଖି ମଧୁ ଦୋକାନ ଖୋଲିବ କ’ଣ ଧୀର ତଥା ଚାପା ପାଦରେ ତାଙ୍କୁ ଅନୁସରଣ କରିବାକୁ ଲାଗିଲା।
ଇତି ମଧ୍ୟରେ ପ୍ରାୟ ଅଧ କିଲୋମିଟର ରାସ୍ତା ଅତିକ୍ରମ କଲାପରେ ବ୍ୟକ୍ତିଜଣକ ରାସ୍ତା ପାର ହୋଇ ଆରପଟ ଗଳିରେ ପ୍ରବେଶ କଲେ ମଧୁ ଏଥର ଖୁବ୍ ଦ୍ରୁତ ଗତିରେ ଚାଲି ତାଙ୍କ ପଛରେ ଯାଇ ପହଞ୍ଚି ସାରିଲାଣି। ତଥାପି ତାଙ୍କର ତା’ର ଗତି ତଥା ଅନୁଗମନ ପ୍ରତି ଲକ୍ଷ୍ୟ ବା ଭ୍ରୁକ୍ଷେପ ନଥାଏ।
କିଛି ବାଟ ଗଲାପରେ ହଠାତ୍ ବ୍ୟକ୍ତି ଜଣକ ଠିଆ ହେଲେ ଏକ ସୁସଜ୍ଜିତ ଦ୍ଵିତଳ ଗୃହ ସମ୍ମୁଖରେ ଓ ଟିକେ ପ୍ରକୃତିସ୍ଥ ହେଲେ। ପେଟିଟିକୁ ତଳେ ଥୋଇ ଚାରୁଆଡକୁ ଅନାଇ ପଛକୁ ବୁଲିବାର ଉପକ୍ରମ କଲେ। ମଧୁ ଇତିମଧ୍ୟରେ ନିଜକୁ ସେ ଘର ସମ୍ମୁଖରେ ଥିବା ପ୍ରକାଣ୍ଡ ଆମ୍ବଗଛ କଡ଼ରେ ଲୁଚାଇ ରଖିଥାଏ।
ଏକ ସମୟରେ କଲିଂ ବେଲ୍ ରେ ହାତ ରଖିଲେ ସେ ବ୍ୟକ୍ତି। ମୁହୂର୍ତ୍ତକ ମଧ୍ୟରେ ଧାଇଁ ଆସିଲା ଏକ ଚାକର ଟୋକା। ବ୍ୟକ୍ତି ଜଣକ ତା’କୁ ତାଙ୍କ ଫୋନ ଆଣିବାକୁ ନିର୍ଦ୍ଦେଶ ଦେଇ ସହସା ପେଟିଟିକୁ ଧରି ଗେଟ୍ ଭିତରେ ପ୍ରବେଶ କଲେ। ଚାକର ଟୋକା ବାବୁଙ୍କ ବେଶଭୂଷା ଦେଖି ହତବାକ୍ ହୋଇଗଲା। କିନ୍ତୁ ଅଗତ୍ୟା କିଛି ଉପାୟ ନପାଇ ବାବୁଙ୍କ ଆଦେଶ ପାଳନ କଲା। କିନ୍ତୁ ଗେଟ୍ ବନ୍ଦ କରିବାକୁ ବୋଧେ ଭୁଲିଗଲେ ଦୁହେଁ, ଠିଆ ମେଲା ହୋଇରହିଲା ତାହା। ମଧୁକୁ ଏବେ ସୁଯୋଗ ମିଳିଗଲା; ଭିତରର ଦୃଶ୍ୟ ଧୀରେ ଧୀରେ ସୁସ୍ପଷ୍ଟ ହୋଇ ଆସିଲା ତା ସମ୍ମୁଖରେ।
ମଧୁର ମନ ଚିନ୍ତା ସରୋବରରେ ଉବୁଟୁବୁ ହେବାକୁ ଲାଗିଲା। ହଠାତ୍ ତା’ର ଚିନ୍ତା ଭଙ୍ଗ ହେଲା ଯେତେବେଳେ ଏକ କଳାରଙ୍ଗର କାର ଦ୍ରୁତ ଗତିରେ ପ୍ରବେଶ କଲା ଗେଟ୍ ଭିତରକୁ ସେଥିରୁ ଓହ୍ଲାଇଲେ ଜଣେ ଦୀର୍ଘଦେହୀ। ଆଗନ୍ତୁକ ଜଣକ ସହସା ବାବୁଙ୍କ ସହ ପେଟି ପାଖକୁ ଗଲେ।


ମଧୁ ର କୌତୁହଳ ସୀମାତୀତ ହୋଇଗଲା। ସେ ସୁଯୋଗ ଦେଖି ଚୁପ୍ କରି ଯାଇ କାର୍ ପଛରେ ନିଜକୁ ଲୁଚାଇ ରଖି ଦୃଷ୍ଟି ନିକ୍ଷେପ କଲା ସେହି ଘଟଣା ଆଡକୁ। ହଠାତ୍ କିଛି ସମୟ ପରେ ସେ ପେଟିରୁ ଗୋଟିଏ ଅସ୍ଵାଭାବିକ ଶବ୍ଦ ଶୁଣାଗଲା ଏବଂ ବାବୁ ଓ ଆଗନ୍ତୁକଙ୍କ ମୁହଁରେ ଫୁଟିଉଠିଲା ରହସ୍ୟମୟ ହସ। କିଛି ସମୟ ପରେ ପେଟି ଭିତରୁ କୁଁ କୁଁ ଶବ୍ଦ କରି କୁକୁର ଛୁଆଟିଏ ବାହାରି ପଡିଲା ଓ ବାବୁ ଦୃଢ ତଥା ଆନନ୍ଦଭରା କଣ୍ଠରେ ଆଦେଶ ଦେଲେ – “ଆରେ ବାବୁ କିଛି କ୍ଷୀର ଆଣି ଦେ ଛୁଆଟା ପିଇବ।” ମଧୁ ର ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ। ସେ ଇତସ୍ତତଃ ହୋଇପଡିଲା। ହଠାତ୍ କାନରେ ବାଜିଲା ସ୍ନେହାସିକ୍ତ ବାଣୀ – “ବାଃ ବନ୍ଧୁ ଏଥର ଖୁସି ତ! ପ୍ରଖ୍ୟାତ ଲେଖକ ରାମଚନ୍ଦ୍ର ରାୟ ଯେ ସାମାନ୍ୟ କୁକୁର ଛୁଆଟିଏ ପାଇଁ ଏ ଅଧମ ପଶୁ ଡାକ୍ତର ଗୌରହରି ରାୟକୁ ଏତେ ତରତର ହୋଇ ଡାକିଲେ।”
ମଧୁ ଆଉ ଏଥର ନିଜକୁ ରୋକି ପାରିଲା ନାହିଁ, କାର ଉହାଡରୁ ବାହାରି ହଠାତ୍ ଦୁହିଁଙ୍କ ପାଖକୁ ଆସି କହିଲା “ବାବୁ!” ଦୁହେଁ ଆଶ୍ଚର୍ଯ୍ୟ ହୋଇ କହିଲେ — “ଆରେ! ତୁମେ କିଏ?” ମଧୁ ବିନମ୍ରତାର ସହ କହିଲା, “ମୁଁ ସମ୍ପୂର୍ଣ୍ଣ ଘଟଣାର କୌତୁହଳି ଦର୍ଶକ ଟିଏ। ପେଶାରେ ପାର୍ଟ ଟାଇମ୍ ରାଜରାସ୍ତା କଡ଼ର ପାନ ଦୋକାନୀ ଓ ୧୦ଟାରୁ ୪ଟା ଡ୍ୟୁଟି କରିଥିବା ସିକ୍ୟୁରୁଟି ଗାର୍ଡଟିଏ। ରାମଚନ୍ଦ୍ର ବାବୁ ମୁଁ ଆପଣଙ୍କ ଦୀର୍ଘ ଏକ ସପ୍ତାହର ରହସ୍ୟମୟ କର୍ମର ମୂକସାକ୍ଷୀ। ଦୟାକରି ମୋର କୌତୁହଳ ଓ ଶଙ୍କା ଦୂର କରନ୍ତୁ।” ଗୌରହରି ବାବୁ ବି କହି ଉଠିଲେ -“ହଁ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ମୁଁ ମଧ୍ୟ ଆଗ୍ରହୀ।”
ଦୀର୍ଘଶ୍ଵାସ ଛାଡି ଆରମ୍ଭ କଲେ ରାମଚନ୍ଦ୍ର ବାବୁ -” ଏକ ସପ୍ତାହ ତଳେ ମୁଁ ପ୍ରାତଃ ଭ୍ରମଣରେ ଯିବା ବେଳେ ରାସ୍ତା କଡରେ ଭେଟିଥିଲି ଗୋଟିଏ କୁକୁର ଓ ତା’ର ଦୁଇଟି ଛୁଆଙ୍କୁ। ପ୍ରଥମ ଦିନ ସ୍ନେହ ଭାବ ଉଦ୍ରେକ ହେଲା। ଯାଇ ଦେଖିଲି ମା କୁକୁରର ଗୋଡ଼ ଖଣ୍ଡିଆ ହୋଇଯାଇଛି, ସେ ଉଠି ପାରୁନାହିଁ। ପିଲାମାନେ ତା କୋଳରେ ପଶି କ୍ଷୀର ଖାଉଛନ୍ତି। ହତାଶରେ ଚାହିଁ ଲୁହ ଗଡାଉଛି ମା କୁକୁର। ମୁଁ ତା’ପର ଦିନ ତୋ ଠୁ ଔଷଧ ନେଇ ଲଗାଇଲି ତା ଖଣ୍ଡିଆରେ ଓ ପ୍ରତିଦିନ କିଛି କିଛି ଖାଦ୍ୟ ନେଇ ଦେଇ ଆସିଲି। ସେ ପରିବାର କୁ ଆଣିବାକୁ ବହୁତ ଚେଷ୍ଟା କଲି; ଏଠାକୁ କିନ୍ତୁ ସେମାନେ ଯେପରି ନିଜ ଘରପରି ସ୍ଥାନ ଛାଡିବାକୁ ନାରାଜ। କିନ୍ତୁ କାଲି ଅଚାନକ ପ୍ରବଳ ବର୍ଷା ମୋ ମନରେ ସନ୍ଦେହ ଭରି ଦେଲା। ଭାବିଲି, କ’ଣ ହୋଇଥିବ ଛୋଟ ପରିବାରଟିର? ରାତିସାରା ଭଲରେ ନିଦ ବି ହେଲା ନାହିଁ। ଅବଶ୍ୟ କୁକୁରର ଖଣ୍ଡିଆ ଭଲ ହୋଇ ଆସିଥିଲା କିନ୍ତୁ ମନରେ ସନ୍ଦେହ ଥିଲା କାଳେ ସେ ଦୁଇଟି ଛୁଆଙ୍କୁ ଉଦ୍ଧାର କରି ପାରିବ ନାହିଁ ତେଣୁ ସକାଳୁ ପେଟିଟିଏ ଧରି ଧାଇଁଲି ସେ ଆଡେ। ସନ୍ଦେହ ସତ ହେଲା ଏଇ କୁକୁର ଛୁଆଟା ବୋହୋସ ହୋଇ ମୃତବତ୍ ପଡିଥିଲା, ମା ଅନ୍ୟ ଛୁଆକୁ ପାଖ ଆଖରେ ପାଇଲିନାହିଁ। କ’ଣ ହୋଇଥିବ ସେମାନଙ୍କର କେଜାଣି! ୟାକୁ ଆଣି ତୁରନ୍ତ ଆସିଲି ଓ ତୋତେ ଫୋନ୍ କରି ଡିଷ୍ଟର୍ବ କଲି ଗୌରହରି। ବାକି ସବୁ କଥାତ ତୁମ ସମସ୍ତଙ୍କୁ ଜଣା।”
ଇତ୍ୟବସରରେ ଚାକର ଟୋକାବି କ୍ଷୀର ଆଣି ଆସିଯାଇଥାଏ ଓ ବାବୁଙ୍କ ଜୀବେଦୟା ଗୁଣ ଦେଖି ତା ଆଖି ଛଳଛଳ ହୋଇଯାଇଥାଏ। ମଧୁ ଓ ଡାକ୍ତରବାବୁ ବି ଭାବପ୍ରବଣ ହୋଇଯାଇଥା’ନ୍ତି। ସମସ୍ତେ ଭାବୁ ଥାନ୍ତି – “ମା କୁକୁର ଓ ଅନ୍ୟ ଛୁଆଟି ଏଠାରେ ଉପସ୍ଥିତ ଥା’ନ୍ତେ କି?” ହଠାତ୍ ଗେଟ୍ ଭିତରକୁ ଏକ ମାଇ କୁକୁର ତା ଛୁଆଟିକୁ ଧରି ପଶି ଆସିଲା ଓ ରାମଚନ୍ଦ୍ର ବାବୁଙ୍କ ପାଦତଳେ ବସିଗଲା ସତେ ଯେପରି ପ୍ରଣାମ ମୁଦ୍ରାରେ।
ରାମଚନ୍ଦ୍ର ବାବୁ ଆଶ୍ଚର୍ଯ୍ୟର ସହ କହି ଉଠିଲେ – “ଆରେ! ଏ ତ ସେହି ମା’ ଛୁଆ ଏଠିକି କେମିତି ଆସିଲେ?” ଚାକର ଟୋକା ପିକ୍ କରି ହସି କହି ଉଠିଲା – “ପ୍ରବଳ ଘ୍ରାଣ ଶକ୍ତି ୟାଙ୍କର ବାବୁ; ଯାଉଛି ୟାଙ୍କ ପାଇଁ ବି ଖାଇବା ଆଣିବି।” “ହଉ ଯା ବାବୁ କହିଲେ, ଆଉ ବନ୍ଧୁ ଗୌରହରି ଏମାନଙ୍କର ଟିକେ ସ୍ଵାସ୍ଥ୍ୟ ପରୀକ୍ଷା କରିଦିଅ ଓ ଆଣ୍ଟିରାବିସ୍ ଭ୍ୟାକସିନ୍ ଆଦି ଦେଇଦିଅ, ସୁରକ୍ଷିତ ଭାବେ ଏହାଙ୍କୁ ଘରେ ରଖି ପାଳିବା” ମଧୁ କହି ଉଠିଲା -“ଠିକ କଥା, ଏବେ ମୋତେ ବିଦାୟ ଦିଅନ୍ତୁ ବାବୁ। ମୁଁ ଯାଇ ମୋ ଦୋକାନ ଖୋଲିବି।”
ରାମଚନ୍ଦ୍ର ବାବୁ କହି ଉଠିଲେ – “ରୁହ ହେ ସଭିଏଁ ମୋ ପାଇଁ ହଇରାଣ ହେଲ ଜଳଖିଆ ନ ଖୁଆଇ ଆଜି ଛାଡିବି ନାହିଁ।”
ଗୌରହରି ବାବୁ କହି ଉଠିଲେ – “ଏହା ତ ମୋର କର୍ତ୍ତବ୍ୟ ବନ୍ଧୁ।” “ଆଉ ମୋର କୌତୁହଳ,” ସ୍ମିତହସି କହିଲା ମଧୁ। ଇତିମଧ୍ୟରେ କୁକୁର ମାନଙ୍କ ପାଇଁ କ୍ଷୀର ବିସ୍କୁଟ ନେଇ ଆସିଥିଲା ଚାକର ଟୋକା – “ସମସ୍ତଙ୍କ ପାଇଁ ଶୀଘ୍ର ଯାଇ ଭଲ ଜଳଖିଆ ତିଆରି କର ଆଉ ମଧୁ ଓ ଗୌରହରି ଦୟାକରି ୧୫ ମିନିଟ୍ ମୋ ପାଇଁ ଅପେକ୍ଷା କର। ମୁଁ ସ୍ନାନାଦି କର୍ମ ସାରି ଆସେ। ସଭିଏଁ ଜଳଖିଆ ଖାଇସାରି ନିଜ ନିଜ କର୍ମରେ ବାହାରି ଯିବା।” ସମ୍ଭ୍ରମତାର ସହ ଘର ଭିତରକୁ ଚାଲିଲେ ରାମଚନ୍ଦ୍ର ବାବୁ, ଗୌରହରି ବାବୁ ଓ ମଧୁ। ତାଙ୍କୁ ଅନୁସରଣ କରି ଯାଇ ବସିଲେ ବୈଠକ ଘରେ। ମଧୁ ର ମନ ପୁଣିଥରେ ଭାବନା ରାଜ୍ୟରେ ବୁଡିଗଲା ଭାବିଲା – “ସତରେ ରାମଚନ୍ଦ୍ର ବାବୁଙ୍କ ପରି କିଛି ବିରଳ ବ୍ଯକ୍ତିତ୍ଵଙ୍କ ପାଇଁ ସୃଷ୍ଟି ସଗର୍ବେ ଦଣ୍ଡାୟମାନ। ସବୁ ଧନୀକ ଅହଙ୍କାରୀ ନୁହଁନ୍ତି ବା ସବୁ ଲୋକ ଜୀହ୍ଵାଲାଳସୀ ଶୟତାନ ପଶୁହନ୍ତା ନୁହଁନ୍ତି।”
ଭାବନାର ଅନ୍ତ ଘଟାଇ ଖାଇବା ଟେବୁଲ ଉପରେ ଆସି ଥୁଆହେଲା ଶୁଦ୍ଧ ଶାକାହାରୀ ଜଳଖିଆ। ରାମଚନ୍ଦ୍ର ବାବୁ ବି ଯଥା ସମୟରେ ଆସି ପହଞ୍ଚିଲେ। ସଭିଏଁ ମିଶି ଖୁସିରେ ଜଳଖିଆର ସଦୁପଯୋଗ କରିବାରେ ଲାଗିଲେ।

4 thoughts on “ବିରଳ ବ୍ୟକ୍ତିତ୍ଵ

  1. Respected editor sir/mam and all other team members …Thank you very much for publishing my story in your magazine.

  2. This seems to be my first and last story till now published here … After this story’s publication I have sent many stories and poems but all my efforts ended in vein as neither it was published nor I got the reply why those were not published.😔

    Sir being the publisher and editor of this magazine it will be kind enough to reply atleast the reason once so that it will encourage the young writers like me to do more hardwork for development of literature for our society. It’s my sincere request to you to take necessary steps … Thank you.

Leave a Reply

Your email address will not be published. Required fields are marked *