![](https://www.sahityacharcha.com/wp-content/uploads/2021/01/Zakir-Khan-8.jpg)
୧
ଛକି ଲୁଚି ବସିଥିଲା ମଦନା
ଧରିବାକୁ ଗୋଟେ ବଡ଼ ମଇନା
ଭାବୁଥିଲା ବାରମ୍ବାର
ଆଜି ତାର କଚ୍ଚେପୁଅବାର
ଧରିପକାଇଲା ତାକୁ ରେଞ୍ଜର ଭାଇନା।
୨
ଶୋଇଲି ଦିନେ ଖାଇ ଖରା
ସଂଧ୍ୟା ବେଳକୁ ହେଲି ବରା
ବାଘ ଖାଇଦେଲା କାକରା ଭାବି
ପାଟିରେ ତାହାର ପଡିଲା ଚାବି
ଉଜୁଡ଼ିଗଲା ମୋ ଭିତରର ଚାରିବଖରା।
![](https://www.sahityacharcha.com/wp-content/uploads/2021/01/Tiger-4.png)
୩
ବେଙ୍ଗ ଫିଙ୍ଗିଦେଲା ପିନ୍ଧା ଚଡି
ଶାଢି ପିନ୍ଧି ସିଏ ଦେଲା ରଡି
ବେଙ୍ଗୁଲିର ଗଜୁରିଲା ନିଶ
ବଦଳି ଗଲା ଦୁହିଁଙ୍କ ବେଶ
ଘୁରୁଛନ୍ତି ଦୁହେଁ ଏବେ ଚଢି ଜବର ଘୋଡ଼ି।
୪
ଥିଲେ ଜଣେ ଆମ ପୁରନ୍ଦର
ତିଆରିଲେ ଗୋଟେ ବନ୍ଦର
ପୋତର ମାଲିକ ସାଜିଲେ
ପାଣିରେ ପଇସା ଭାଜିଲେ
ଜାହାଜ ହୋଇ ଭାସିଗଲା ଯାହାଙ୍କ ବନ୍ଦର।
୫
ବେଙ୍ଗ ବାବୁ ହେଲେ ମାଙ୍କଡ
ଖାଇଲେନି ଯମା କାଙ୍କଡ
ପେଟରେ ଆଖି ଫୁଟିଲା
ପିଠିରେ ନାକ ଉଠିଲା
ଡରିମରି ବାଙ୍କ ବାବୁ ପଳାଇଲେ ଝଙ୍କଡ଼ ।
![](https://www.sahityacharcha.com/wp-content/uploads/2021/01/IMG-20210106-WA0001.jpg)
୬
ବାରବୁଲା ସିଏ ବାରବୁଲା
ପବନ ବେପାର କରୁଥିଲା
କାନଟା ତାହାର କୁଲାପରି
ଆଖିଟା ପୁରା ଖୁରା ପରି
ଆକାଶକୁ ଦିନେ ପଳାଇଲା ସିଏ ଉଡିକରି।
୭
କୋଣ ନଥିବା ସେ ଘରକୁ
ଦେଇ ଦେଲି ମୋର ଭାଇକୁ
କହିଲାନି ଟିକେ ବସ
ମାଗି ନେଇଗଲା ନିଶ
ଦୁଃଖ ମୁଁ ଜଣାଇବି କୁହ କାହାକୁ।
୮
ଷ୍ଟେସନ ମଝିରେ ଅଟକି ବୁଲେଟ ଟ୍ରେନ
କହିଲା ଏଠାରୁ କାମ କରୁନି ମୋ ବ୍ରେନ
ଧାରଣା ଉପରେ ଏଥର
ହୋଇ ଗଲିଣି ମୁଁ ନିଥର
ଆଗକୁ ଯିବାକୁ ମତେ ଆଣି ଦିଅ କ୍ରେନ ।
![](https://www.sahityacharcha.com/wp-content/uploads/2021/01/IMG-20210106-WA0002.jpg)
୯
ଆମ ସାହି ପଡିଶାର ସେବାରାଣୀ ନର୍ସ
ଛତା ନେଇ ବାହାରିଲା ଭୁଲିଗଲା ପର୍ସ
ପଡିଲା ଟୋପାଏ ପାଣି ଦେହରେ
ଏଥରକ ଛତା ଖୋଲି ସ୍ନେହରେ
ମେଘକୁ କହିଲା ଯେତେ ବରଷିବୁ ବର୍ଷ ।
୧୦
ଦିନେ ହାତୀଟିଏ ପିନ୍ଧିକରି ଗୋଟେ ଧଳା ଲୁଙ୍ଗି
କହିଲା , ବାହାରିଲି ମୁଁ ଦେଖିଆସିବାକୁ ଟୁଙ୍ଗି
ଛନ୍ଦି ହେଲା ଖାଲି ସିଏ ବାଟରେ
ଚାଲିପାରିଲାନି ଜମା ଥାଟରେ
ଯେଣୁ ପିଲେ ପଛେ ପଛେ ତାର ବଜାଇଉଠିଲେ ପୁଙ୍ଗି।
୧୧
ପଣ କରି ଲେଖିବାକୁ ଗୋଟେ ଲିମେରିକ୍
ଅଖଞ୍ଜ ବୁଦ୍ଧିକୁ ଗ୍ରିସ୍ ମାରି କଲି ଠିକ୍
ଶହେ ଦୁଇଶ ଦଣ୍ଡ ମାରି
ହ୍ୱିସ୍କି ଟିକେ ଢୋକି କରି
ଘୁମନ୍ତ ଅବସ୍ଥାରେ ଘୋଷିଲି ବସି ଗ୍ରୀକ୍।
୧୨
ପ୍ରଖର ବୁଦ୍ଧିମନ୍ତ ବୋଲି ଥିଲା ବଣିଆଟି ଜଣା
ଯା’ର ଗୋଟିଏ ଆଖି କାଚର ଅନ୍ୟ ଆଖିଟି କ’ଣା
ସୁନାରେ ଖାଦ ବା ଖାଦରେ ସୁନା
ମିଶାଇବା ତା’ ଜାତକରେ ମନା
କହି, ଖାଦରେ ଖାଦ ମିଶାଇ କରେ ଯିଏ ଗହଣା ।
![](https://www.sahityacharcha.com/wp-content/uploads/2021/01/IMG-20210106-WA0003.jpg)
୧୩
ବସି ବସି ଖରାରେ ଦେଖୁଥିଲା ଚାତକ
ଯିଏ କେବେ ଦେଖିଥିଲା ବର୍ଷାର ଜାତକ
ଶୀତକୁ କୋଲପ ମାରି
ପବନକୁ କାଖେ ଧରି
ହୋଇଗଲା ଦିନେ ସିଏ ବର୍ଷାର ଘାତକ ।
୧୪
ଟୁଆଁ ସାହୁ ଆମ ଗାଁର ବୁଢା ଧନୀ ବାମନ
ଯା’ର ବାଁ ପଟେ ଥିଲା ତିନିଟା ଅଧିକା କାନ
ଗବର ସିଂ ପରି ସେ ସଦା ଚାଲୁଥିଲା
ମୋଙ୍ଗାମ୍ବୋ ପରି ସିଏ ବୋଲୁ ଥିଲା
ଦିନେ ଡେଙ୍ଗୀ ମାଇକିନା ଚୋରାଇ ନେଲା ତା ମନ।
୧୫
ମନକଲା ତାର ଖାଇବାକୁ ଗୋଟାଏ ନାସପାତି
ସହରକୁ ଚାଲିଗଲା ଆମ ଗାଁର କୁଆଁରୀ ହାତୀ
ବିତିଗଲା ଚାରି ପ୍ରହର
ଉଠିଲା ପଡିଲା ସହର
ଫେରିଲା ବେଳକୁ କାଖରେ ଥିଲା ତା ଯୁଆନ ନାତି।
ଜୟ ଜଗନ୍ନାଥ। ଜାକିର ସାରଙ୍କ ପ୍ରତ୍ୟେକ ଲେଖା ଖୁବ୍ ଚମତ୍କାର।
Thanks a lot Bhai
ବହୁତ ଭଲ
ଆଗକୁ ଚାଲ
Thanks a lot Sir. Ashirbada Karuthantu
ସାର୍ ଶିଶୁ ଲେଖାକୁ ଜୀବନ୍ୟାସ ଦିଅନ୍ତୁ
Sir samaste prayash kale nischita heba
ଖୁବ ସୁନ୍ଦର ଲିମେରିକ୍।
Thanks a lot
Bahut badhia lagila
ଓଡ଼ିଆ ସାହିତ୍ୟର ଏଇ ଅଣଦେଖା ଇଲାକାରେ ଏକ ଅଭିନବ ଉଦ୍ୟମ।