ମହାଭାରତ ହେଉଛି ଭାରତବର୍ଷର ଜାତୀୟ ମହାକାବ୍ୟ। ସମଗ୍ର ଭାରତବର୍ଷର ଜନଜୀବନର ଚିତ୍ର ଏଥିରେ ପ୍ରତିଫଳିତ। ଭାରତବର୍ଷରେ ପ୍ରାଗ୍ ଐତିହାସିକ ଯୁଗରୁ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀର ଲୋକମାନେ ଏକତ୍ର ବସବାସ କରି ଆସୁଛନ୍ତି। ସମସ୍ତଙ୍କୁ ଏହି ବିଶାଳ ଭୂଖଣ୍ଡରେ ବିବିଧତା ସତ୍ତ୍ୱେ ଏକତାର ସୂତ୍ରରେ ବାନ୍ଧି ରଖିବାରେ ଏହି ଜାତୀୟ ମହାକାବ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଭାରତୀୟ ଧର୍ମ, ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ନୃତ୍ୟ, ଗୀତ, ନାଟକ, କାବ୍ୟ ପ୍ରଭୃତିକୁ ସମୃଦ୍ଧ କରିବାରେ ‘ମହାଭାରତ’ ମହାକାବ୍ୟ ଯଥେଷ୍ଟ ପ୍ରେରଣା ଦେଇଆସିଛି।
ସାରଳା ଦାସ ଓଡିଶା ମାଟିର ଆଦି ମହାକବି। ମହାଭାରତ ପରି ଏକ ବିରାଟ ଗ୍ରନ୍ଥ କରି ଓଡ଼ିଆ ଜାତିର ଐତିହ୍ୟକୁ ସେ ଯେପରି ଭାବରେ ସ୍ପର୍ଶ କରି ଯାଇଛନ୍ତି, ତାହା ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ବିସ୍ମୟୋଦ୍ଦୀପକ ଘଟଣା। ପଞ୍ଚଦଶ ଶତାବ୍ଦୀ ଥିଲା ଓଡ଼ିଶାର ସୁବର୍ଣ୍ଣ ଯୁଗ। ଏହି ସମୟରେ ଏକ ଦିଗରେ ଓଡ଼ିଶାର ଦିଗ୍ବିଜୟୀ ସମ୍ରାଟ ବୀର ବୀର କପିଳେନ୍ଦ୍ର ଦେବ ନିଜର ଚତୁର ଓ ତୀକ୍ଷ୍ଣ ଅସି ଚାଳନା କରି ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିବା ବେଳେ ଅପର ପକ୍ଷରେ ନିଜର ଧୂରୀଣ ମସୀ ଚାଳନାରେ ସମଗ୍ର ଓଡ଼ିଆ ଜାତିର ହୃଦୟକୁ ଜୟ କରିବାର ଗୌରବ ଅର୍ଜନ କରିଥିଲେ କବି ସାରଳା ଦାସ। ଉତ୍କଳୀୟ ସଭ୍ୟତା, ସଂସ୍କୃତି, ପରମ୍ପରା, ଧର୍ମଦର୍ଶନ ଓ ସାମାଜିକ ଜୀବନଚର୍ଯ୍ୟାର ରୀତିନୀତି, ଚାଲିଚଳଣିକୁ ବାଙ୍ମୟ ରୂପ ପ୍ରଦାନ କରି ଓଡ଼ିଆ ଜାତିକୁ ଯେଉଁ ଅମୂଲ୍ୟ ଦାନ ଦେଇଯାଇଛନ୍ତି ତାହା ବାସ୍ତବିକ ଚିରସ୍ମରଣୀୟ।
ପୂର୍ବ ଭାରତୀୟ ମହାଭାରତ ପରମ୍ପରାରେ ସାରଳାଦାସ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାଙ୍କର ମହାଭାରତ ମଧ୍ୟରେ ମୂର୍ଚ୍ଛିତ ହୋଇଛି ସଂସ୍କୃତ ମହାଭାରତର ମୁଗ୍ଧ ମୂର୍ଚ୍ଛନା। ସାରଳା ଦାସ ଥିଲେ ବିଦଗ୍ଧ ବିଳାସୀ। ନିଜ ସୃଷ୍ଟିକୁ ନୂଆ ରୂପ ଦେବାରେ ତାଙ୍କ ପ୍ରଭାବିତ କବିମାନସରେ ସ୍ଵକୀୟତାର ଯେଉଁ ଜୁଆର ଛୁଟିଛି, ତାର ସ୍ରୋତରେ ଭାସିଯାଇଛି ମୂଳ ମହାଭାରତର ବହୁ କାହାଣୀର କଙ୍କାଳ। ସାରଳା ମହାଭାରତରେ ସେ ସବୁର ପରିହାର ସର୍ବପ୍ରଥମେ ଏହି ଓଡ଼ିଆ ମହାକାବ୍ୟକୁ ଦେଇଛି ଏକ ଅନନ୍ୟ ସୁଷମା। ସେ ମୂଳଗ୍ରନ୍ଥର କ୍ରମକୁ ଭାଙ୍ଗି ଅନେକ ନୂତନ କଥାବସ୍ତୁ ଯୋଗ କରିଛନ୍ତି। ଯେପରି ସାରଳା ମହାଭାରତରେ ଆମେ ମୂଳର ଅନେକ ପ୍ରସିଦ୍ଧ ଗଳ୍ପ ଓ ଆଲୋଚନା ହରାଇଛୁ; କିନ୍ତୁ ପାଇଛୁ ମଧ୍ୟ ଅନେକ ଗଳ୍ପ ଓ ଚରିତ୍ର।
ସାରଳା ଦାସଙ୍କ ମାନସିକ ଆଧାର ଭୂମି ରୂପେ ତତ୍କାଳୀନ ଓଡ଼ିଶାର ସାମାଜିକ ସାଂସ୍କୃତିକ, ଧର୍ମୀୟ, ଐତିହାସିକ, ନୃତତ୍ତ୍ୱ ତଥା ଲୋକ ପରମ୍ପରା ପ୍ରଭୃତି ଗ୍ରହଣ କରାଯାଇପାରେ। ସାରଳା ଦାସଙ୍କ ବର୍ଣ୍ଣିତ ନବଗୁଞ୍ଜର ରୂପ ବର୍ଣ୍ଣନା ଏକ ମୌଳିକ ପରିକଳ୍ପନା। ତାଙ୍କ ବର୍ଣ୍ଣନା ଅନୁଯାୟୀ ପାଣ୍ଡବ ଭ୍ରାତାମାନେ ସେମାନଙ୍କ ମଧ୍ୟରୁ କେହି ଦ୍ରୌପଦୀଙ୍କ ସହିତ ଏକାନ୍ତ ବାସରେ ଥିବାବେଳେ ଅନ୍ୟଜଣେ ତନ୍ମଧ୍ୟକୁ ପ୍ରବେଶ କରି ଶୃଙ୍ଗାର ଦର୍ଶନ କଲେ, ଦ୍ୱାଦଶ ବର୍ଷ ଏକାକୀ ବନବାସ କରିବା ଭଳି ଏକ କଠୋର ପ୍ରତିଜ୍ଞାରେ ସତ୍ୟବଦ୍ଧ ହୋଇଥିଲେ। ସେମାନଙ୍କ ଦ୍ୱାର ମୁଖରେ ପାଦୁକା ସଙ୍କେତ ସ୍ୱରୂପ ରଖାଯାଉଥିଲା।
ସଂସ୍କୃତ ମହାଭାରତ ଅନୁଯାୟୀ – ଗୋଟିଏ ତସ୍କର ଦଳ କୌଣସି ଏକ ବ୍ରାହ୍ମଣର ଗୋ-ମାତା ଅପହରଣ କଲେ। ତେଣୁ ବ୍ରାହ୍ମଣ ପାଣ୍ଡବମାନଙ୍କ ନିକଟରେ ପହଂଚି ସେଥିରୁ ରକ୍ଷା କରିବା ନିମତ୍ତ ରୋଦନ କଲେ। ଅର୍ଜ୍ଜୁନ ବ୍ରାହ୍ମଣର ଚିତ୍କାର ଶୁଣି ଅସ୍ତ୍ର ଆଣିବା ପାଇଁ ଅସ୍ତ୍ର ଗୃହକୁ ପ୍ରବେଶ କରନ୍ତେ, ସେତେବେଳେ ସେଠାରେ ଦ୍ରୌପଦୀଙ୍କ ସହ ଯୁଧିଷ୍ଠିର ଥିଲେ। ପୂର୍ବରୁ ନାରଦଙ୍କ ସମକ୍ଷରେ ପାଣ୍ଡବମାନଙ୍କ ସମ୍ମତିକ୍ରମେ ଏକ ନିୟମ କରାଯାଇଥିଲା ଯେ, ପାଞ୍ଚଭାରତ ମଧ୍ୟରୁ କୌଣସି ଭାଇ ଦ୍ରୌପଦୀଙ୍କ ସହ ଥିବାବେଳେ ଅନ୍ୟ ଯେଉଁ ଭ୍ରାତା ତାହା ଦର୍ଶନ କରିବେ, ସେ ଦ୍ୱାଦଶ ବର୍ଷ ବ୍ରହ୍ମଚାରୀ ହୋଇ ବନରେ ବାସ କରିବେ। (ସଂ.ମହାଭାରତ-ଆଦିପର୍ବ-ଅ୨୧୧/୨୫ ଶ୍ଳୋକ)। ତେଣୁ ସର୍ତ୍ତ ଭଗ୍ନ ଯୋଗୁଁ ପୂର୍ବ ନିୟମ ଅନୁଯାୟୀ ଅର୍ଜ୍ଜୁନ ଦ୍ୱାଦଶ ବର୍ଷ ବନବାସ ଗଲେ। (ସଂ.ମ-ଆଦିପର୍ବ-ଅ୨୧୨/୧୯-୩୫ ଶ୍ଳୋକ)।
ସାରଳା ଦାସଙ୍କ ବର୍ଣ୍ଣନାରେ ସେ କଥା ହୁଏତ ଅଛି । କିନ୍ତୁ ତାର ପରିବେଶ ସଂପୂର୍ଣ୍ଣ ଅଲଗା । ଏଥିରେ ପାଣ୍ଡବମାନେ ସେମାନଙ୍କର ସନ୍ତକ ରୂପେ ଯୁଧିଷ୍ଠିରଙ୍କ ପାଣ୍ଡୋଇ, ଭୀମସେନଙ୍କ ଗଦା, ଅର୍ଜ୍ଜୁନଙ୍କ ଗାଣ୍ଡିବ ଧନୁ, ନକୁଳଙ୍କର ଏକାନ୍ତ ଓ ସହଦେବଙ୍କର ଖଡ଼୍ଗ ରଖି ଦ୍ରୌପଦୀଙ୍କ ପୁରକୁ ବିଜେ କରିବେ। ଏହି ଶପଥ ସେମାନେ ଜଳ ମଧ୍ୟରେ ହାତ ରଖି କରିଥିଲେ । (ସାରଳା ମହାଭାରତ-ପୃ.୧୭/୮୬-୯୦ ପଦ) । ସାରଳା ଦାସ ବ୍ରାହ୍ମଣର ଅନୁରୋଧ, ଯୁଧିଷ୍ଠିର ଓ ଦ୍ରୌପଦୀଙ୍କ କେଳି ଦର୍ଶନ ଓ ଅର୍ଜ୍ଜୁନଙ୍କ ବନବାସ ଏହି ତିନୋଟି କଥାକୁ ଗ୍ରହଣ କରି ଅନ୍ୟ ସମସ୍ତ କଥାକୁ ପରିବର୍ତ୍ତନ କରି ଦେଇଅଛନ୍ତି। ଏଥିରେ ବ୍ରାହ୍ମଣ ହେଲେ ଅଗ୍ନିଦେବତା। ସେ ଯୁଧିଷ୍ଠିରଙ୍କୁ ଡ଼ାକି ଆଣିବା ପାଇଁ ଅର୍ଜ୍ଜୁନଙ୍କୁ କହିଥିଲେ। ନୋହିଲେ ବଂଶ ନାଶଯିବ। ତେଣୁ ଅର୍ଜ୍ଜୁନ ବନବାସକୁ ଭ୍ରୁକ୍ଷେପ ନ କରି ଅନ୍ତଃପୁରକୁ ପ୍ରବେଶ କଲେ। ଏଠାରେ ମଧ୍ୟ ସାରଳା ଦାସ ଅନ୍ୟ ଏକ ପରିବେଶ ସୃଷ୍ଟି କରି ଯୁଧିଷ୍ଠିରଙ୍କ ସନ୍ତକକୁ ଶ୍ୱାନରୂପରେ ଅଗ୍ନିଦେବ ହରଣ କରିବା କଥା କହିଛନ୍ତି। (ସା.ମ-ମଧ୍ୟପର୍ବ-ପୃ-୧୯) ଏବଂ ସ୍ୱାଭାବିକ ଶୈଳୀରେ ପରଶୃଙ୍ଗାର ଦେଖିବାର ଦୋଷ ବର୍ଣ୍ଣନାରେ କୁକୁର ଜାତିକୁ ଯୁଧିଷ୍ଠିରଙ୍କ ଅଭିଶାପ ଦର୍ଶାଇ ଅଛନ୍ତି (ସା.ମ.-ମଧ୍ୟ-ପୃ-୨୦/୩୩-୩୪ ପଦ)। ଶେଷରେ ସହଦେବଙ୍କଠାରୁ ଅଗ୍ନିଙ୍କ ଚକ୍ରାନ୍ତ ବିଷୟ ଶୁଣି ସମସ୍ତେ ନୀରବ ରହିଛନ୍ତି।
କିନ୍ତୁ ପୂର୍ବସତ୍ୟ ଅନୁସାରେ ଅର୍ଜ୍ଜୁନଙ୍କୁ ଦ୍ୱାଦଶ ବର୍ଷ ବନବାସ ଭୋଗ କରିବାକୁ ପଡ଼ିଥିଲା । ବନବାସର ପଞ୍ଚମ ବର୍ଷରେ ଅର୍ଜ୍ଜୁନଙ୍କ ମଣିଭଦ୍ରା ପର୍ବତରେ ଅବସ୍ଥାନ କାଳରେ ଦ୍ୱାରକାଧିପତି ଶ୍ରୀକୃଷ୍ଣ ତାକୁ ସାକ୍ଷାତ କରିବାକୁ ଯାଇ ବନ୍ଧୁତ୍ୱର ନିବିଡ଼ତା ପରୀକ୍ଷା କରିବା ପାଇଁ :-
“ମନେମନେ ବିଚାର କରନ୍ତି ପଦ୍ମନେତ୍ର
କଷଣ କରିବା ଆଜ ବୀରବର ପାର୍ଥ।”
ତେଣୁ ଶ୍ରୀକୃଷ୍ଣ ନଅଗୋଟି ଜୀବର ରୂପ ବିଚିତ୍ର ସମାବେଶରେ ନବଗୁଞ୍ଜର ରୂପରେ ଆବିର୍ଭୂତ ହୋଇ ଅର୍ଜ୍ଜୁନଙ୍କୁ ଆକର୍ଷଣ କରିବାପାଇଁ ନୃତ୍ୟରତ ହେଲେ। ତେଣୁ କବିଙ୍କ ଭାଷାରେ –
“କୁକୁଡ଼ାର ମୁଣ୍ଡଗୋଟି ଅତୀୟ ସୁନ୍ଦର ଦିଶଇ
ବୃଷଭର ଚୂଳ ଯେ ମଯୁରର କଣ୍ଠ ବିରାଜଇ ।।
ଅହିବର ପୁଚ୍ଛା ମଝା ସିଂଘ କଟି ପାୟେ
ବ୍ୟାଘ୍ରର ଚରଣ ଗୋଟି ଅତୀୟ ଶୋଭା ପ୍ରାୟେ ।।
ତୁରଙ୍ଗ ଚରଣେ ଯେ ଦିଶଇ ସୁନ୍ଦର
ଆବର ପାଦ ଗୋଟି ଅଟଇ କରିବର ।।
ଆଗପାଦ ଗୋଟିକ ମନୁଷ୍ୟର କର ଯେ ଅଟଇ
ସେ କରେ ପଦ୍ମପୁଷ୍ୟ ଗୋଟିୟେକ ଘେନିଲେ ଭାବଗ୍ରାହୀ ।।”
(ସା.ମ- ମଧ୍ୟ ପର୍ବ – ପୃ-୩୭)
ଶ୍ରୀକୃଷ୍ଣ ଯେଉଁ ଅଦ୍ଭୁତ ଜୀବର ରୂପ ଧାରଣ କଲେ ତାହା ନଅଗୋଟି ଜୀବର ମିଶ୍ରଣ ଅଟେ। ଯଥା – କୁକୁଡ଼ାର ମୁଣ୍ଡ, ବୃଷଭର ଚୂଳ, ମୟୂରର କଣ୍ଠ, ସର୍ପର ପୁଚ୍ଛ, ସିଂହର କଟି, ବ୍ୟାଘ୍ର, ଅଶ୍ୱ, ହସ୍ତୀର ଗୋଟିଏ ଲେଖାଏଁ ପାଦ ଓ ଅନ୍ୟ ପାଦଟି ପଦ୍ମଧାରଣ କରିଥିବା ମଣିଷର ହାତ। ଏଥିରୁ ସାରଳା ଦାସଙ୍କ କଳାନିପୁଣତାର ପରିଚୟ ମିଳେ।
ପୁରାଣମାନଙ୍କରେ ଅଦ୍ଭୁତ ଜୀବ ଓ ରାକ୍ଷସମାନଙ୍କର ରୂପ ବର୍ଣ୍ଣନା ପରିଦୃଷ୍ଟ ହୁଏ। ଏପରିକି ଭଗବାନଙ୍କର ଦଶଟି ଅବତାର ମଧ୍ୟରେ ନୃସିଂହ ଅବତାର ଏକ ଅଦ୍ଭୁତ ପରିକଳ୍ପନା। ଏହା ମଣିଷର ଶରୀର ଏବଂ ସିଂହ ମସ୍ତକର ଏକ ମିଶ୍ରିତ ରୂପ। ସାରଳା ଦାସ ହୁଏତ ଏହି କଳ୍ପନା ଦ୍ୱାରା ଉଦ୍ବୁଦ୍ଧ ହୋଇ ନଅଗୋଟି ଜୀବର ମିଶ୍ରଣରେ ଏପରି ନବଗୁଞ୍ଜର ରୂପ ସୃଷ୍ଟି କରିଥାଇପାରନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରେ ଏହି ରୂପଚିତ୍ର ଦେଖିବାକୁ ମିଳେ।
ଗ୍ରୀକ୍, ଚୀନ୍, ବାଲି ପ୍ରଭୃତି ଦେଶର ପୁରାଣ ଶାସ୍ତ୍ରରେ ଡ୍ରାଗନ୍ ନାମକ ପକ୍ଷ ଓ ନଖ ବିଶିଷ୍ଟ ଏକ ଅଗ୍ନିଶ୍ୱାସୀ ସର୍ପର ବର୍ଣ୍ଣନା ରହିଛି । ଏହା ପାଞ୍ଚଗୋଟି ଜୀବର ମିଶ୍ରଣରେ ଏକ କାଳ୍ପନିକ ସର୍ପ। ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଏହା ରୂପ କଳ୍ପିତ। କାରଣ ତ୍ରୟୋଦଶ ଶତାବ୍ଦୀରେ ଅଙ୍କିତ ଏହାର ଛବି ବ୍ରିଟାନିଆ ଏନ୍ସାଇକ୍ଲୋପେଡ଼ିଆ ଗ୍ରନ୍ଥରେ ଦେଖିବାକୁ ମିଳେ । ପୂର୍ବେ ଡ୍ରାଗନର ଛବି ଦେଖିଥିବେ କିମ୍ବା ଏପରି ଅଦ୍ଭୁତ ଜୀବ ସଂପର୍କରେ ଶୁଣିଥିବେ। ତେଣୁ ସେ ନବଗୁଞ୍ଜର ପରି ଏକ କାଳ୍ପନିକ ଜୀବ ସୃଷ୍ଟି କରିବା ପାଇଁ ପ୍ରେରଣା ପାଇଥିବେ । ମୋଟାମୋଟି କୁହାଯାଇପାରେ ଯେ, ଶ୍ରୀକୃଷ୍ଣଙ୍କର ନବଗୁଞ୍ଜର ରୂପ ପରିକଳ୍ପନା ସାରଳାଦାସଙ୍କ ନିଜସ୍ୱ।
ବହୁତ ସୁନ୍ଦର ଭାବେ ଅନେକ ଗୁଢ କଥାକୁ ବର୍ଣ୍ଣନା କରାଯାଇଛିା