ମୁଖପାତ୍ର

ବିଭୁ ପ୍ରସାଦ ନାୟକ ‘ଧର୍ମଛଡ଼ା’

ପିଲାଦିନେ ଯେତେବେଳେ ରେଡ଼ିଓରୁ “ମୁଖପାତ୍ର” ଶବ୍ଦ ଶୁଣିଲି ଅର୍ଥ ବୁଝିପାରିଲି ନାହିଁ। ତାକୁ ଇଂରାଜୀରେ ରୂପାନ୍ତରିତ କରି ଭାବିଲି “ଫେସ” ମାନେ ମୁହଁ ଆଉ ପାତ୍ର ମାନେ “ପଟ୍” ମିଶେଇ କହିଲେ “ଫେସପଟ”। ପୁଣି ଭାବିଲି ଯଦି ଫେସପଟ ହେବ ତାହେଲେ ସିଏ ଏକ ନିର୍ଜୀବ ପଦାର୍ଥ ଆଉ ନିର୍ଜୀବ ତ କେବେ କଥା କହିପାରେ ନାହିଁ ତେଣୁ ଏ ଫେସପଟ ହେବା ଅସମ୍ଭବ।

ମୋ ମୁଣ୍ଡ ଘାଣ୍ଟି ହେବାରେ ଲାଗିଲା ଏ ମୁଖପାତ୍ରଟି ପଶୁ ପକ୍ଷୀ ନା ମଣିଷ? ପଶୁ କି ପକ୍ଷୀ ହୋଇଥିଲେ ତ କଥା କହିବା ଶକ୍ତି ନଥିବ ? ଏମାନେ ତ ଦୁନିଆର ସବୁ ଖବର ରଖିଛନ୍ତି ଆଉ ଏଇମାନେ ହିଁ ସବୁ ସମାଚାରର ସୃଷ୍ଟିକର୍ତ୍ତା, ତେଣୁ ଏମାନେ ନିହାତି ମଣିଷ। ଯଦି ମଣିଷ ତେବେ ଏମାନେ ପୁଲିଙ୍ଗ , ସ୍ତ୍ରୀ ଲିଙ୍ଗ ନା କ୍ଳୀବଲିଙ୍ଗ ? ଆଗରୁ ଶୁଣିନଥିବା ଏପରି ଏକ ଅଦ୍ଭୁତ ବିଜ୍ଞାନୀ କେଉଁ ମାନେ ? ସେଥିପାଇଁ ମନ ଭିତରେ ଖାଲି ଘାଣ୍ଟି ଗୋଳେଇ ହେଉଥାଏ। ହେବନି କେମେତି କହିଲେ ?

ରେଡ଼ିଓର ସମାଚାରରେ ସେମାନଙ୍କ କଥା ଶୁଣି ମୋ ମନରେ ବିଜ୍ଞାନ ଭାବ ସୃଷ୍ଟି ହେଲା ଯେଉଁ ମାନେ ବାସ୍ତବକୁ ଅବାସ୍ତବ ଏବଂ ଅବାସ୍ତବକୁ ବାସ୍ତବ ବୋଲି ନିସଙ୍କୋଚରେ କହିପାରନ୍ତି ସେଇ ମାନେ ହିଁ ମୁଖପାତ୍ର। କିନ୍ତୁ ଏହି ବାସ୍ତବ ଆଉ ଅବାସ୍ତବ କଥା ଓକିଲ ମାନେ କହିଥାନ୍ତି , କିନ୍ତୁ ସେମାନେ ଭାରତୀୟ ଆଇନି ପିଙ୍ଗଳ କୋଡ଼କୁ ଆଧାର କରି ଯୁକ୍ତି ଉପସ୍ଥାପନ କରିଥାନ୍ତି। ହେଲେ ଏ ମୁଖପାତ୍ରଙ୍କର ନା ଥାଏ କୌଣସି ଯୁକ୍ତିଯୁକ୍ତ ତଥ୍ଯ ନା ଆଧାର।

ମୁଁ କ୍ରିକେଟ ଖେଳିବା ସମୟରେ ଅନୁଭବ କରେଯେ ଏମାନେ ବ୍ଯାଟ୍ସମ୍ଯାନ ପଛରେ ଠିଆ ହୋଇଥିବା ଓ୍ବିକେଟକିପର , ବୋଲରର ବଲକୁ ଧରିବା ଏମାନଙ୍କ କାମ ତାବ୍ଯତିତ ବ୍ଯାଟ୍ସମ୍ଯାନକୁ ଲକ୍ଷଚ୍ଯୁତ କରିବା ପାଇଁ ମଝିରେ ମଝିରେ ହାଉସଦ୍ଯାଟ ଚିଲ୍ଲେଇ ବିପକ୍ଷ ଖେଳାଳୀଙ୍କ ମନୋବଳକୁ ଭାଙ୍ଗିବା ଏମାନଙ୍କ କାମ। ପୁଣି ଚିନ୍ତାକଲି ଓ୍ବିକେଟକିପର ମାନେ ତ ନିୟମରେ ବନ୍ଧା ହେଲେ ଏ ମୁଖପାତ୍ର ମାନେ କୌଣସି ନିୟମର କଥା କୁହନ୍ତି ନାହିଁ , ପରନ୍ତୁ ସେମାନେ ଯାହା କୁହନ୍ତି ତାହା ନିୟମବୋଲି ଦାବି କରନ୍ତି।

ପୁଣି ତାଙ୍କ ହାବଭାବ ଦେଖି ଭାବିବାକୁ ବାଧ୍ୟ ହୁଏଯେ ଏମାନେ ଜଣେଜଣେ ଗହାଣ ମାନଙ୍କ ପାଳିଆ ବୋଲି କିନ୍ତୁ ଗାହାଣଙ୍କ ପାଖରେ ଥିବା ପାଳିଆମାନଙ୍କର ପୌରାଣିକ ବିଷୟବସ୍ତୁ ଉପରେ ଅଗାଧ ଜ୍ଞାନ ଥାଏ ଏବଂ ସେମାନେ ପୌରାଣିକ ବିଷୟ ବସ୍ତୁ ମାଧ୍ୟମରେ ମନୋରଞ୍ଜନ କରିଥାନ୍ତି କିନ୍ତୁ ଏମାନଙ୍କ କଥାରୁ ବେଳେବେଳେ ମନେହୁଏ ଏମାନେ ମନୋରଞ୍ଜନ ମାଧ୍ୟମରେ ନୂତନ ପୁରାଣର ସୃଷ୍ଟି କରୁଛନ୍ତି। ତେଣୁ ଏମାନେ ପାଳିଆ ବୋଲି ଭାବିବା ଭୁଲହେବ। ପିଲାଦିନରୁ କଲେଜରେ ପଢ଼ିବା ପର୍ଯ୍ୟନ୍ତ ମୁଁ ମୁଖପାତ୍ର ର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ବୁଝି ପରିଲିନାହିଁ।

ଏମିତି ଦିନେ ଓଡ଼ିଆ କ୍ଲାସରେ ଓଡ଼ିଆ ଅଧ୍ୟାପକଙ୍କୁ ସାହାସ କରି ପଚାରିଲି, ସାର ମୁଖପାତ୍ରର ଅର୍ଥ କଣ? ଅଧ୍ୟାପକ ଜଣକ ପ୍ରଥମେ ମୋ ମୁହଁକୁ ବଲବଲକରି ଚାହିଁ ଫିକ କରି ହସିଦେଇ କହିଲେ କହିଲେ, ‘ଆଛା କହିଲୁ ଭାଟ୍ଟ ଶବ୍ଦର ଅର୍ଥ କଣ କହିଲୁ?’ ମୁଁ କହିଲି, ‘ସାର ଭାଟ୍ଟ ଅର୍ଥ ରାଜରାଜୁଡ଼ା ସମୟରେ ରାଜାଙ୍କ ମିଥ୍ୟା ସ୍ତୁତି ଗାନକାରୀ ବା କଥାରେ କଥାରେ ତେଲ ମାଲିସ୍ କରୁଥିବା ବ୍ଯକ୍ତିଙ୍କୁ ଭାଟ୍ଟ କୁହନ୍ତି ବୋଲି ମୁଁ ଜାଣିଛି। ହେଲେ ମୁଖପାତ୍ର ଅର୍ଥ କଣ? ସାର କହିଲେ, ଭାଟ୍ଟ ଏବଂ ମୁଖପାତ୍ର ମାଧ୍ୟମରେ ସେପରି କିଛି ଫରକ ନାହିଁ।’ କିନ୍ତୁ ସମୟର ପରିବର୍ତ୍ତନ ସହିତ ଭାଟ୍ଟ ମାନଙ୍କର ମଧ୍ୟ ପରିବର୍ତ୍ତନ ଘଟିଛି। ଏବେ ମୂକବଧିର ମାନଙ୍କ କଥା ଯିଏ ନିଜ ତୁଣ୍ଡରେ ମୟୁର ଚନ୍ଦ୍ରିକା ଦେଇ କହିପାରେ ସେ ମୁଖପାତ୍ର। ଖାଲି ସେତିକି ନୁହେଁ, ବର୍ତ୍ତମାନ ମୁଖପାତ୍ର ହେବାବୁ ହେଲେ ଯୁଦ୍ଧିଷ୍ଠିରଙ୍କ “ନରେ ବା ଗୁଞ୍ଜରେ ଅଶ୍ବସ୍ଥମା ହତ”ରେ ଡିଗ୍ରୀ ହାସଲ କରିବା ସହିତ ବାଏପାସ ରାସ୍ତା ତିଆରିରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲକରିଥିବା ନିହାତି ଜରୁରୀ ଏତତ୍ ଭିନ୍ନ ଝଗଡ଼ା ଏବଂ କଳି ଶାସ୍ତ୍ରରେ ଆଗାଧ ପାଣ୍ଡିତ୍ୟ ଥିବା ଆବଶ୍ୟକ। ଓଡ଼ିଆ ସାର ମୋ କାନ ପାଖକୁ ତାଙ୍କ ମୁହଁ ଆଣି କହିଲେ ଏସବୁ ଥାଇ ଯଦି ଯାହାପାଖରେ ମିଛକୁ ସତ ଆଉ ସତକୁ ମିଛ କହିବାର ବିଚକ୍ଷଣ ପ୍ରତିଭା ଥିବ ତେବେ ସେ ଆଧୁନିକ ଭାଟ୍ଟ ବା ମୁଖପାତ୍ର ହେବା ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ରାଜା ଚୟନ କରିଥାନ୍ତି।

ଓଡ଼ିଆ ଅଧ୍ୟାପକଙ୍କ ଠାରୁ ମୁଖପାତ୍ରର ଅର୍ଥ ଏବଂ ଦକ୍ଷତା ସମ୍ବନ୍ଧରେ ବୁଝିଗଲି ବୋଲି କହି ସାରଙ୍କୁ କୃତଜ୍ଞତା ଜଣାଇଲି। ଅଧ୍ୟାପକ ମହୋଦୟ ମୋତେ କହିଲେ, ‘ତମେ କଣ ମୁଖପାତ୍ର ହେବାକୁ ଚାହୁଁଛକି?’ ମୁଁ ହସି ଦେଇ ସାରଙ୍କ ପାଖରୁ ଫେରିଆସିଲି।

ୟାଭିତରେ ଅନେକ ବର୍ଷ ବିତି ସାରିଥିଲା। ମୁଖପାତ୍ର ବିଷୟରେ ମୋର ଢେରଜ୍ଞାନ ହୋଇଯାଇଥିଲା। ସମୟ ଆସିଲା ଲୋକମାନେ ଓଡ଼ିଆ ସଂସ୍କୃତିରେ ବୁଡ଼ି ଯାଇଥିବା ଚଡେୟା ଚଡେୟାଣିଙ୍କ ଅନୁପସ୍ତତକୁ ରାଜନୈତିକ ମୁଖପାତ୍ରଙ୍କ ପାଖରେ ଆବିଷ୍କାର କଲେ। ହଠାତ ଗୋଟିଏ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଲା “ସ୍ବାମୀ ଛାଡ଼ି – ଅଙ୍ଗନବାଡ଼ି” ଏବଂ “ବୃଦ୍ଧ ଶ୍ରୀଖଣ୍ଡୀ”। ପ୍ରଥମେ ମୁଁ ୟାକୁ କୌଣସି ଏକ ସିନେମାର ସଂଳାପ ଭାବିଥିଲି। କିନ୍ତୁ ପରବର୍ତ୍ତୀ ସମୟରେ ଜାଣିଲି ଯେ ଏହା କୌଣସି ସିନେମାର ସଂଳାପ ନୁହେଁ ବରଂ ରାଜନୈତିକ ଦଳର ନେତା ନେତ୍ରୀ ତଥା ମୁଖପାତ୍ରଙ୍କ ଆକ୍ଷେପ ଓ ପ୍ରତିଆକ୍ଷେପର ଭାଷା।

ସମୟ ଏମିତି ଆସିଲା ଯେ ମୁଖପାତ୍ର ଶାଳୀନତାର ସମସ୍ତ ସୀମା ସରହଦକୁ ଡେଇଁ ନୂତନ ଭାଷାକୋଷ ତିଆରିକଲେ। କିଛି ଭାଟ୍ଟ ନିଜକୁ କିଣା ଚାକର କହିବାକୁ ସଂକୋଚ ନକରି ନେତାଙ୍କର ବୁକୁଚା ବୁହା ବୋଲି କହିବାକୁ ଲାଗିଲେ। କିଛି ମୁଖପାତ୍ର ମାନେ ଭାଟ୍ଟ ସଂସ୍କୃତିର ମାନ ମର୍ଯ୍ୟାଦାକୁ ପଛରେ ପକାଇ ରାଜା ବା ସ୍ବାମୀଙ୍କୁ ଛାଡ଼ି ବା ପରିବର୍ତ୍ତନ କରି ନୂତନ ସ୍ବାମୀ ଗ୍ରହଣ କରିଚାଲିଲେ। କହିବା ବାହୁଲ୍ୟ ଗତକାଲି ଟିଭି ପରଦାରେ ଗଳାଫଟାଇ ଯାହାକୁ ଗାଳି ଦେଉଥିଲେ, ଆଜି ତାରି ବେକରେ ଫୁଲମାଳ ଦେଇ ଟିଭି ପରଦାରେ ତାଙ୍କ ଗୁଣଗାନ କରୁଛନ୍ତି। ଦେଖିଲେ ପଶ୍ଚିମ ସଂସ୍କୃତିର ଛାଡ଼ପତ୍ର କଥା ଲାଗୁଛି।

ତଥାପି ଏ କଥା ମୁଁ ଉକ୍ତ ଅଧ୍ୟାପକଙ୍କୁ ପଚାରିବାରୁ ସେ ମୋତେ ଭାରତୀୟ ସଂସ୍କୃତିର ରକ୍ଷିତା, ପରକିୟା ପ୍ରୀତି ଏବଂ ଠାୟାଁ ବୋଲି ଦେଶଜ ଶବ୍ଦର କିଛି ଉଦାହରଣ ଦେଇ ସେମାନଙ୍କ ବିଷୟରେ ଆଲୋଚନା କଲେ। କହିଲେ, ଯେଉଁମାନେ ନିଜର ସ୍ବାର୍ଥ ସାଧନପାଇଁ ପରକିୟା ପ୍ରୀତିରେ ଲିପ୍ତ ରହି ସ୍ବାମୀଙ୍କୁ ପରିତ୍ୟକ୍ତ କରିଥାନ୍ତୁ ବା ସ୍ବାମୀ ତାଙ୍କୁ ପରିତ୍ୟକ୍ତ କରିଥାନ୍ତୁ ପରବର୍ତ୍ତୀ ସମୟରେ ଯଦି ସେ ଅନ୍ୟ କାହାକୁ ସ୍ବାମୀ ଭାବେ ଗ୍ରହଣ କରନ୍ତି ତେବେ ତାଙ୍କୁ ଦେଶଜ ଭାଷାରେ ରକ୍ଷିତା ବା ଠାୟାଣୀ ବୋଲି କୁହାଯାଏ। କିନ୍ତୁ ଯେହେତୁ ଇଏ ରାଜନୈତିକ କଥା ଏଠାରେ ଏହି ଶବ୍ଦର ପ୍ରୟୋଗ ହୋଇ ନପାରେ। ଅଧ୍ୟାପକଙ୍କର କଥା ଶୁଣି ମୁଁ ଆଜି ମୁଖପାତ୍ରର ଶବ୍ଦର ଅର୍ଥ ଭୁଲିବାକୁ ସ୍ଥିର କଲି।

Leave a Reply

Your email address will not be published. Required fields are marked *