ଲୁପ୍ତ ଅରଣ୍ୟ

ମୂଳ ଲେଖକ: ଜୋହାନ୍‌ସ ଭି. ଜେନ୍‌ସେନ୍

ଅନୁବାଦ: ସତ୍ୟ ପଟ୍ଟନାୟକ

[ବିଂଶ ଶତାବ୍ଦୀର ଡେନମାର୍କ ସାହିତ୍ୟରେ ଜୋହାନ୍‌ସ ଭିଲ୍‌ହେମ୍ ଜେନ୍‌ସେନ୍‌ଙ୍କୁ (୨୦ ଜାନୁଆରୀ ୧୮୭୩- ୨୫ ନମ୍ଭେମ୍ବର ୧୯୫୦) ପ୍ରଥମ ଶ୍ରେଷ୍ଠ ସାହିତ୍ୟକାର କୁହାଯାଏ। ସେ ନିଜର ଡାକ୍ତରୀ ପାଠକୁ ଆର୍ଥିକ ସହାୟତା କରିବାପାଇଁ ଲେଖକ ଭାବେ କାମ କରିବାକୁ ଆରମ୍ଭ କରିଥିଲେ ହେଁ ତିନି ବର୍ଷ ପରେ ଡାକ୍ତରୀ ପାଠ ଛାଡି ସାହିତ୍ୟକୁ ପେଷା ଭାବରେ ଗ୍ରହଣ କଲେ। ୧୯୦୧-୦୨ରେ ତାଙ୍କର ପ୍ରଥମ ଶ୍ରେଷ୍ଠକୃତୀ “ଦି ଫଲ୍ ଅଫ୍ ଦି କିଙ୍ଗ୍” ତାଙ୍କୁ ଲୋକପ୍ରିୟତା ଆଣିଲା। ଏହି ଉପନ୍ୟାସକୁ ୧୯୯୯ରେ ଶତାବ୍ଦୀର ଶ୍ରେଷ୍ଠ ଡେନମାର୍କୀୟ ଉପନ୍ୟାସ ବୋଲି ଘୋଷଣା କରାଗଲା ୤ ୧୯୦୬ରେ ତାଙ୍କର କବିତା ସଙ୍କଳନ “ପୋଏମ୍‌ସ୍ ୧୯୦୬” ଡେନମାର୍କ ସାହିତ୍ୟରେ ଗଦ୍ୟକବିତାର ପରିଚୟ କରାଇଥିଲା ଓ ତାଙ୍କୁ ଜଣେ ଶ୍ରେଷ୍ଠ କବିର ଦର୍ଜା ଦେଇଥିଲା। କବିତା, ଉପନ୍ୟାସ, ନାଟକ, ଗଳ୍ପ ତଥା ପ୍ରବନ୍ଧରେ ତାଙ୍କର ପ୍ରାୟ ପଚସ୍ତରିଟି ସଙ୍କଳନ ପ୍ରକାଶିତ। ତାଙ୍କର କାବ୍ୟିକ କଳ୍ପନାର ଦୁର୍ଲ୍ଲଭ ଓ ଉର୍ବରତା ତଥା କବିତାରେ ବୌଦ୍ଧିକ ଜୀଜ୍ଞାସା ଏବଂ ତାଜା ରଚନାତ୍ମକ ଶୈଳୀ ନିମନ୍ତେ ତାଙ୍କୁ ୧୯୪୪ର ନୋବେଲ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।]

କୋରା ଜଣେ କୃଷକର ନାଁ। କିଛି ପଇସା ସଞ୍ଚୟ କଲାପରେ ଦିନେ ସେ କ୍ରୀତଦାସ କିଣିବା ପାଇଁ ସହରକୁ ଗଲା।

ବିକ୍ରେତା ତାକୁ ଅନେକ କ୍ରୀତଦାସ ଦେଖାଇଲା, କେହି କିନ୍ତୁ କୋରାର ମନକୁ ଗଲେ ନାହିଁ।

“ତୁମେ କଣ ଭାବୁଛ ମୁଁ ସମସ୍ତ କ୍ରୀତଦାସଙ୍କୁ ତୁମ ସାମ୍ନାରେ ଆଣି ଛିଡା କରେଇବି?” ବିକ୍ରେତା ଅସନ୍ତୋଷ ସ୍ୱରରେ କହିଲା। ସମୟ ମଧ୍ୟାହ୍ନ ଥିଲା, କ୍ରୀତଦାସମାନେ ଶୋଇଥିଲେ।

“ଠିକ୍ ଅଛି, ମୁଁ ଆଉ କେଉଁ ବିକ୍ରେତାଙ୍କ ନିକଟକୁ ଯିବି,” କୋରା କହିଲା।

“ଆଚ୍ଛା, ଆଚ୍ଛା !” ବିକ୍ରେତା ଗୋଟେ ଜଞ୍ଜିର ଟାଣି ଈଶାରା କଲା ଏବଂ ସମସ୍ତ କ୍ରୀତଦାସ ନିଦୁଆ ଆଖିରେ ଉଠି ଛିଡାହେଲେ। କୋରା ସମସ୍ତଙ୍କ ଉପରେ ଥରେ ଆଖି ପକେଇଲା ଓ ଜଣ ଜଣ କରି ଯତ୍ନର ସହ ନିରୀକ୍ଷଣ କଲା।

“ୟାକୁ ଦେଖ, ଏକଦମ ହୃଷ୍ଟପୁଷ୍ଟ,” ଜଣେ କ୍ରୀତଦାସକୁ ଆଗକୁ ଠେଲିଦେଇ ବିକ୍ରେତା କହିଲା। “କଣ ଭାବୁଛ? ତା ଛାତି ଏକଦମ ମଜଭୁତ ନୁହେଁ? ବିଧାମାରି ଦେଖ। ଏବଂ ତା ମଣିବନ୍ଧକୁ ଦେଖ; ତା ଶିରା ପ୍ରଶିରା ଭାଓଲିନ୍‌ର ତାର ପରି।”

“ପାଟି ଖୋଲ୍ !” ବିକ୍ରେତା କ୍ରୀତଦାସର ପାଟି ଭିତରେ ଗୋଟେ ଆଙ୍ଗୁଠି ପୁରେଇ ତା ମୁହଁକୁ ଆଲୁଅ ଆଡକୁ ବୁଲେଇଲା। “ଏବେ ତୁମେ ତା ଦାନ୍ତ ଦେଖିବ,” ଅହଙ୍କାରୀ ସ୍ୱରରେ କହିଲା ସେ। ଗୋଟେ ଛୁରୀର ପଛଭାଗକୁ କ୍ରୀତଦାସର ଦାନ୍ତରେ ଠକ୍ ଠକ୍ ବାଡେଇ କହିଲା, “ଦେଖ, ଏ ଦାନ୍ତ ଲୁହାରେ ତିଆରି। ଲୁହା କଣ୍ଟାକୁ କାମୁଡି ଦୁଇ ଖଣ୍ଡ କରିପାରିବ ଏ ଦାନ୍ତ।”

କୋରା କିଛି ସମୟ ଭାବିଲା। ସେ କ୍ରୀତଦାସର ଦେହରେ ଆଉଥରେ ହାତ ବୁଲେଇ ତନ୍ନ ତନ୍ନ କରି ଦେଖିଲା, ତାର ପ୍ରତି ମାଂସପେଶୀକୁ ଆଙ୍ଗୁଠି ଟିପରେ ଚିପି ମଜବୁତ କି ନାଇଁ ବୋଲି ପରୀକ୍ଷା କଲା। ଶେଷରେ ସେ କିଣିବା ପାଇଁ ସ୍ଥିର କଲା, ଅନିଚ୍ଛା ସତ୍ତ୍ୱେ ତାର ମୂଲ୍ୟ ପଇଠ କଲା ଓ ତାକୁ ସାଥୀରେ ଧରି ଘରକୁ ଫେରିଲା।

କିଛି ଦିନ ପରେ କ୍ରୀତଦାସର ଦେହ ଖରାପ ହେଲା ଓ ସେ ବିଳାପ କରିବାକୁ ଲାଗିଲା। ଯେହେତୁ ସେ ଆଉ ବିକ୍ରୀ ହେବା ଉଦ୍ଦେଶ୍ୟରେ ନଥିଲା ଏବଂ ସଂପୂର୍ଣ୍ଣ ଭାବେ ସାଧାରଣ ଜୀବନ ପ୍ରବାହକୁ ଆସି ସାରିଥିଲା, ପୁଣିଥରେ ତାର ସେଇ ପୁରୁଣା ଅରଣ୍ୟ କଥା ମନେ ପଡିଲା ଯେଉଁଠୁ ଆସିଥିଲା ସେ। ତାର ଭାବଭଙ୍ଗୀରୁ କୋରା ଏ କଥା ଠଉରେଇ ପାରିଲା ଏବଂ ଏହା ଏକ ଭଲ ଲକ୍ଷଣ ବୋଲି ବିଚାରିଲା। ଦିନେ, କ୍ରୀତଦାସ ଚିତ୍ ହୋଇ, ଉପରକୁ ମୁହଁ କରି ନିସ୍ପୃହ ଭାବରେ ପଡିଥାଏ, କୋରା ଯାଇ ତା ନିକଟରେ ବସିଲା ଏବଂ ତା ସହିତ ବିଚାରପୂର୍ଣ୍ଣ ଢଙ୍ଗରେ କଥାବାର୍ତ୍ତା ଆରମ୍ଭ କଲା।

“ତୁ ତୋ ଜଙ୍ଗଲକୁ ଦିନେ ଫେରିବୁ। କିଛି ଡରିବାର ନାହିଁ । ମୁଁ କଥା ଦେଉଛି। ଏବଂ ତୁ ମୋ କଥାରେ ଭରସା ରଖିପାରୁ। ତୁ ଏବେ ଯୁବକ। ଯଦି ତୁ ମୋ ଜମିକୁ ପାଞ୍ଚ ବର୍ଷ ପାଇଁ ଝାଳ ବୁହା ପରିଶ୍ରମ କରି ମନ ଖୁସିରେ ଚାଷ କରୁ, ମୁଁ ତୋତେ ଦାସତ୍ୱରୁ ମୁକ୍ତ କରିଦେବି, ଯଦିଓ ମୁଁ ତୋତେ ବହୁତ ଟଙ୍କା ଦେଇ କିଣିଛି। ମାତ୍ର ପାଞ୍ଚ ବର୍ଷ। ପକ୍କା ତ?”

କ୍ରୀତଦାସ କାମ କରିବାକୁ ଲାଗିଲା। ଏକ ରାକ୍ଷସ ପରି ସବୁ କାମରେ ତାର ନିୟନ୍ତ୍ରଣ ଥିଲା। କୋରା ଦୁଆରବନ୍ଧ ଉପରେ ବସି ତାକୁ କାମ କରିବାର ଦେଖୁଥିଲା, ତାର ବଳିଷ୍ଠ ଶରୀରର କଳା ଚମ ତଳେ ଥିବା ମାଂସପେଶୀର ସଞ୍ଚାଳନ ଓ ଆନ୍ଦୋଳନ ତା ମନରେ ଅଦ୍ଭୁତ ପ୍ରକାରର ଆନନ୍ଦ ଆଣୁଥିଲା। ଯେହେତୁ କୋରା ପାଖରେ ଆଉ କୌଣସି କାମ ନଥିଲା, ଏହି ଦୃଶ୍ୟକୁ ସେ ଘଣ୍ଟା ଘଣ୍ଟା ଧରି ଉପଭୋଗ କରୁଥିଲା। ସେ କ୍ରମଶଃ ଅନୁଭବ କରିବାକୁ ଲାଗିଲା ଯେ ଶରୀର ମଧ୍ୟ ଖୁବ ସୁନ୍ଦର ଓ ଆଖି ପାଇଁ ଉପଭୋଗ୍ୟ।

ପାଞ୍ଚ ବର୍ଷ ହିସାବ କରିବାକୁ ଯାଇ କ୍ରୀତଦାସ ଠଉରେଇଲା ଯେ ଯେତିକିଥର ସୂର‌୍ୟ୍ୟ ଉତ୍ତରାୟଣ ଓ ଦକ୍ଷିଣାୟନ ଗତି କରିବେ ତା ହାତରେ ସେତିକି ଆଙ୍ଗୁଠି ଅଛି। ସୂର୍ଯ୍ୟଙ୍କୁ ଦଶଥର ଗତି କରିବାକୁ ଅଛି। ପ୍ରତି ସନ୍ଧ୍ୟାରେ ସେ ସୂର‌୍ୟ୍ୟଙ୍କୁ ଅସ୍ତ ଯିବାର ଦେଖେ ଏବଂ ଗୋଟେ ବଡ ପଥର ଉପରେ ଛୋଟ ପଥର ସାହାଯ୍ୟରେ ଗାର ଟାଣି ହିସାବ ରଖେ। ଯେତେବେଳେ ପ୍ରଥମଥର ସୂର‌୍ୟ୍ୟ ଗତିପଥ ବଦଳାଇଲେ, ସେ ଡାହାଣ ହାତ ବୁଢା ଆଙ୍ଗୁଠିରେ ଗଣିଲା। ଯେତେବେଳେ ସୂର‌୍ୟ୍ୟ ଆଉ ଏକ ଉତ୍ତରାୟଣ ଅତିକ୍ରମ କଲେ, ତାର ବିଶି ଆଙ୍ଗୁଠି ଖାଲିଥିଲା। ଅନ୍ୟ ଆଙ୍ଗୁଠି ଅପେକ୍ଷା ସେ ଏହି ଦୁଇ ଆଙ୍ଗୁଠିକୁ ବେଶୀ ଭଲ ପାଉଥିଲା ଯାହା ତାର ଦାସତ୍ୱର ଚିହ୍ନ ଥିଲା।

ଏହି ଭଳି ଭାବରେ ଦିନ ଗଣିବା ଏବଂ ଅତିବାହିତ ସମୟର ହିସାବ ରଖିବା କ୍ରୀତଦାସର ଧର୍ମ ହୋଇଗଲା ଏବଂ ହୋଇଗଲା ତାର ପ୍ରକୃତ ସମ୍ପଦ, ତାର ଆଧ୍ୟାତ୍ମିକ ଧନ ଯାହା ତାକୁ ସାନ୍ତ୍ୱନା ଦେଉଥିଲା କିମ୍ବା ସଂଶୟରେ ପକୋଉଥିଲା।

ସମୟକ୍ରମେ ତାର ଗଣନା ବିସ୍ତାରିତ ହେଲା, ବ୍ୟାପକ ତଥା ଗଭୀର ହେଲା। ଅସୀମ କଳ୍ପନା ଭିତରଦେଇ ବିତିଯାଉଥିବା ବର୍ଷମାନଙ୍କୁ ସେ ଯଦିଓ ବୁଝିପାରୁନଥିଲା, ପ୍ରତ୍ୟେକ ନୂତନ ସୂର‌୍ୟ୍ୟାସ୍ତର ଦ୍ୟୁତି ତାର ଆଶାକୁ ଉଜ୍ଜୀବିତ ତଥା ବିଶ୍ୱାସକୁ ପ୍ରତିଷ୍ଠିତ କରୋଉଥିଲା। ସମୟ, ଯାହା ବର୍ତ୍ତମାନରେ କ୍ଷଣିକ ଲାଗୁଥିଲା, ଅତୀତ ହେବା ମାତ୍ରକେ ଅସରନ୍ତି ଲାଗୁଥିଲା, ଭବିଷ୍ୟତ ତାକୁ ଦୂର ଦୂର ପର‌୍ୟ୍ୟନ୍ତ ଦିଶୁନଥିଲା।

ଏଭଳି ପ୍ରଜ୍ଞତାରେ କ୍ରୀତଦାସର ଉତ୍ସାହ ଦୃଢତର ହେବାକୁ ଲାଗିଲା। ଯେହେତୁ ତାର ଇଛା ସମୟ ପାଇଁ ଅସୀମତା ଆଣିଲା, ତାର ପୃଥିବୀ ଅନନ୍ତ ହୋଇଗଲା ଏବଂ ତାର ଭାବନା ମଧ୍ୟ ଅସୀମ ହୋଇଗଲା। ପ୍ରତ୍ୟେକ ସଂଧ୍ୟାରେ ସେ ବିଚାରମଗ୍ନ ଭାବରେ ପଶ୍ଚିମ ଉପାନ୍ତକୁ ଚାହିଁ ରହିଲା, ଏବଂ ପ୍ରତ୍ୟେକ ସୂର‌୍ୟ୍ୟାସ୍ତ ତାର ଆତ୍ମାକୁ ଅଧିକରୁ ଅଧିକ ଗାମ୍ଭୀର‌୍ୟ୍ୟ ପ୍ରଦାନ କଲା।

ଶେଷରେ, ଯେତେବେଳେ ପାଞ୍ଚ ବର୍ଷ ପୁରିଗଲା, କ୍ରୀତଦାସ ତା ମାଲିକ ନିକଟକୁ ଆସିଲା ଏବଂ ନିଜର ସ୍ୱାଧୀନତା ମାଗିଲା। ସେ ଅରଣ୍ୟରେ ଥିବା ତା ଘରକୁ ଯିବାକୁ ଚାହିଁଲା।

“ତୁ ଜଣେ ବିଶ୍ୱସ୍ତ ଭୃତ୍ୟ,” କୋରା ଚିନ୍ତନଶୀଳ ସ୍ୱରରେ ସ୍ୱୀକାର କଲା। “କହ ମୋତେ, ତୋ ଘର କେଉଁଠି? ପଶ୍ଚିମରେ? ମୁଁ ଅନେକ ସମୟରେ ତୋତେ ସେଇ ଆଡକୁ ଚାହୁଁଥିବାର ଦେଖିଛି।”

ହଁ, ତା ଘର ପଶ୍ଚିମରେ ଥିଲା।

“ତେବେ ଏହା ଅନେକ ଦୂରରେ,” କୋରା କହିଲା। କ୍ରୀତଦାସ ମୁଣ୍ଡ ହଲେଇ ସମ୍ମତି ପ୍ରକାଶ କଲା। “ଆଉ ତୋ ନିକଟରେ ଟଙ୍କା ନାହିଁ, ଅଛି?”

କ୍ରୀତଦାସ ନୀରବ ରହିଲା, ତା ମୁହଁରେ ନିରାଶର ଛାପ। ଠିକ୍ କଥା, ତା ପାଖରେ ଟଙ୍କା ନଥିଲା।

“ଦେଖ୍, ବିନା ଟଙ୍କାରେ ତୁ କୁଆଡେ ଯାଇ ପାରିବୁନାହିଁ । ଯଦି ତୁ ମୋ ପାଇଁ ଆଉ ତିନି ବର୍ଷ, ନାଇଁ ନାଇଁ, ଦୁଇ ବର୍ଷ କାମ କରିବୁ, ତେବେ ମୁଁ ତୋତେ ଏତେ ଟଙ୍କା ଦେବି ଯେ ତୁ ଯୁଆଡେ ଚାହିଁବୁ ଯାଇ ପାରିବୁ।”

କ୍ରୀତଦାସ ମୁଣ୍ଡ ନୁଆଁଇ ସମ୍ମତି ପ୍ରକାଶ କଲା ଏବଂ ତା ସାଜ ସରଞ୍ଜାମ ନିକଟକୁ ଫେରିଗଲା। ସେ ମନ ଲଗାଇ କାମ କଲା କିନ୍ତୁ ପୂର୍ବପରି ଆଉ ବିତି ଯାଉଥିବା ସମୟର ହିସାବ ଠିକ ରୂପେ ରଖି ପାରୁନଥିଲା। ଅନ୍ୟ ପକ୍ଷରେ, ସେ ଦିବାସ୍ୱପ୍ନ ଦେଖିବା ତ୍ୟାଗ କଲା। ବେଳେବେଳେ କୋରା ତାକୁ ଶୋଇଲାବେଳେ କାନ୍ଦିବାର ଓ ବିଳିବିଳେଇ ହେବାର ଶୁଣିଲା। କିଛି ଦିନ ପରେ ସେ ପୁଣି ଅସୁସ୍ଥ ହୋଇପଡିଲା।

ତାପରେ କୋରା ତା ନିକଟରେ ବସି ଅନେକ ସମୟ ଧରି ଗମ୍ଭୀରତାପୂର୍ବକ ବୁଝେଇବାରେ ଲାଗିଲା। ତା କଥାରେ ଦୂରଦର୍ଶୀତା ଥିଲା, ସଂପୂର୍ଣ୍ଣରୂପେ ପାଣ୍ଡିତ୍ୟ ଥିଲା, ଲାଗୁଥିଲା ଯେମିତି ନିଷ୍କପଟ ଅନୁଭବ ଭରିରହିଛି ତା କଥାରେ।

“ମୁଁ ଜଣେ ପ୍ରୌଢ,” ସେ କହିଲା। “ମୋ ଯୁବାବସ୍ଥାରେ ମୁଁ ମଧ୍ୟ ପଶ୍ଚିମ ଦିଗକୁ ଯିବାକୁ ଚାହୁଁଥିଲି; ସେଠିକାର ସୁନ୍ଦର ଅରଣ୍ୟ ମୋତେ ସଂକେତ ଦେଇଥିଲା। କିନ୍ତୁ ଯାତ୍ରା କରିବା ପାଇଁ ମୋ ପାଖରେ ଟଙ୍କା ନଥିଲା। ଏବେ ଆଉ ଯାଇପାରିବି ନାହିଁ – ହୁଏତ ମୃତ୍ୟୁ ପରେ ମୋ ଆତ୍ମା ସେଠାକୁ ଯିବ। ତୁ ଏବେ ଯୁବକ ଓ କାର‌୍ୟ୍ୟକ୍ଷମ, ପରିଶ୍ରମୀ ମଧ୍ୟ। କିନ୍ତୁ ତୁ କଣ ମୋ ଯୁବାବସ୍ଥା ତୁଳନାରେ ସକ୍ଷମ ଓ ହୃଷ୍ଟପୁଷ୍ଟ? ଏ ସବୁ ବିଷୟରେ ଥରେ ଭାବି ଦେଖ୍, ଏବଂ ଏହା ଜଣେ ପ୍ରୌଢ ବ୍ୟକ୍ତିର ଉପଦେଶ। ଦେଖିବୁ ତୁ ଭଲ ହୋଇଯିବୁ।”

କ୍ରୀତଦାସ ଧିରେ ଧିରେ ଭଲ ହେଲା। ଯେତେବେଳେ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ହେଲା, ତା ମନରେ ପୂର୍ବପରି ଆଗ୍ରହ ନଥିଲା। ସେ ଅଳ୍ପକେ ଭାଙ୍ଗି ପଡୁଥିଲା, ତାର ଆକାଂକ୍ଷା ସରି ଯାଇଥିଲା, ସେ ଏବେ କାମ ମଝିରେ କିଛି ସମୟ ତଳେ ଶୋଇ ଆରାମ କରିବାକୁ ଭଲ ପାଉଥିଲା। ଦିନେ କୋରା ତାକୁ ଚାବୁକ ପ୍ରହାର କଲା ୤ ସେ କାନ୍ଦିଲା କିନ୍ତୁ ଏହା ତାକୁ ସାହାଯ୍ୟ କଲା।

କୋରା କ୍ରୀତଦାସକୁ ଦାସତ୍ୱରୁ ମୁକ୍ତ କଲା। କ୍ରୀତଦାସ ପଶ୍ଚିମ ଦିଗକୁ ଗଲା। କିନ୍ତୁ କିଛି ମାସ ପରେ ଦୁଃଖାବସ୍ଥାରେ ସେ ଫେରି ଆସିଲା। ସେ ତାର ଅରଣ୍ୟକୁ ଖୋଜି ପାଇଲାନାହିଁ ।

“ଦେଖିଲୁତ?” କୋରା କହିଲା। “ତୋତେ ମୁଁ ସାବଧାନ କରେଇନଥିଲି? କିନ୍ତୁ କେହି ଏଠି କହିବେ ନାହିଁ ଯେ ମୁଁ ତୋ ପ୍ରତି ସହାନଭୂତିଶୀଳ ବୋଲି। ଆଉ ଥରେ ଚେଷ୍ଟା କର। ଏଥର ପୂର୍ବ ଦିଗକୁ ଯା। ହୁଏତ ତୋ ଅରଣ୍ୟ ସେଇ ଦିଗରେ ପଡିପାରେ।”

ସେ ଆଉଥରେ ପ୍ରସ୍ଥାନ କଲା, ଏଥର ତା ମୁହଁ ଉଉଁଥିବା ସୂର‌୍ୟ୍ୟଙ୍କ ଆଡକୁ ଥିଲା, ଏବଂ ଅନେକ ଦୂର ଚାଲିଲା ପରେ ସେ ଅରଣ୍ୟକୁ ଭେଟିଲା। କିନ୍ତୁ ସେ ସେଇ ଅରଣ୍ୟକୁ ଚିହ୍ନି ପାରିଲାନି। କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ, ହାରିଯିବାର ମନ ନେଇ ସେ ପଶ୍ଚିମ ଦିଗକୁ ମୋଡିଲା ଏବଂ ତା ମାଲିକ ନିକଟକୁ ଫେରିଆସିଲା। ଯଦିଓ ସେ ଛୋଟ ବଡ ଅରଣ୍ୟମାନଙ୍କୁ ଭେଟିଲା, ସେ ଅରଣ୍ୟ ସବୁ ତାର ନଥିଲେ – ତା ମାଲିକକୁ କହିଲା ସେ।

“ହୁଁ!” କୋରା ଖାସିଲା।

“ମୋ ସହିତ ରହ,” ସ୍ନେହାର୍ଦ୍ର କଣ୍ଠରେ କହିଲା କୋରା। “ଯେ ପର‌୍ୟ୍ୟନ୍ତ ମୁଁ ବଞ୍ଚିଛି ତୁ ରହିବା ପାଇଁ ଯାଗା ଖଣ୍ଡେ ଏ ପୃଥିବୀରେ ନିଶ୍ଚିତ ଭାଏ ଥିବ। ଏବଂ ମୁଁ ଯେତେବେଳେ ଏ ଦୁନିଆ ଛାଡିବି, ମୋ ପୁଅମାନେ ତୋ କଥା ବୁଝିବେ ୤” ତେଣୁ କ୍ରୀତଦାସ ସେଇଠି ରହିଗଲା।

କୋରା ବୁଢା ହେଲା, କିନ୍ତୁ କ୍ରୀତଦାସ ତାର ଭରା ଯୌବନରେ ଥିଲା। କୋରା ତାକୁ ଭଲରେ ଖାଇବାକୁ ଦେଲା ଯେମିତି ସେ ଅଧିକ ଦିନ ଜୀବିତ ରହିବ, ତାକୁ ସଫାସୁତୁରା ରଖିଲା ଯେମିତି ତାର ସ୍ୱାସ୍ଥ୍ୟ ଭଲ ରହିବ, ଏବଂ ମଝିରେ ମଝିରେ ଚାବୁକ ପ୍ରହାର ଦେଲା ଯେମିତି ସେ ନିରହଙ୍କାର ଓ ବିନୀତ ରହିବ। ଏପରିକି ବଡ ପଥର ଉପରେ ବସି ପଶ୍ଚିମ ଦିଗକୁ ଚାହିଁବା ପାଇଁ ସେ କ୍ରୀତଦାସକୁ ରବିବାର ଦିନ ଛୁଟି ମଧ୍ୟ ଦେଲା।

କୋରା ଜମିରୁ ପ୍ରଚୁର ଫସଲ ଉତ୍ପନ୍ନ ହେଲା। ସେ ଅନେକ ଜଙ୍ଗଲ କିଣିଲା ଓ କ୍ରୀତଦାସକୁ କାମ ଦେବା ପାଇଁ ଜଙ୍ଗଲକୁ ଚାଷ ଜମିରେ ପରିବର୍ତ୍ତନ କରେଇଲା, କ୍ରୀତଦାସ ମନ ଲଗେଇ ଗଛ କାଟି ଚାଲିଲା। କୋରା ଏବେ ଧନୀ ହୋଇ ସାରିଥିଲା ଏବଂ ଦିନେ ବଜାରରୁ କ୍ରୀତଦାସୀଟିଏ କିଣି ଘରକୁ ଆଣିଲା।

ଦିନ ବିତିଗଲା। କୋରାର ଅଗଣାରେ ଛଅ ଜଣ ବଳିଷ୍ଠ କ୍ରୀତଦାସ ବାଳକ ବଢିବାକୁ ଲାଗିଲେ। ନିଜର ପିତା ପରି ସେମାନେ ମଧ୍ୟ ମନ ଲଗାଇ କାମ କଲେ। କେବଳ କାମ କଲେ ହିଁ ସମୟ ପ୍ରବାହିତ ହୁଏ, କ୍ରୀତଦାସ ତା ପିଲାଙ୍କୁ ଶିଖାଇଲା। ଏବଂ ସମୟ ପ୍ରବାହିତ ହେଲେ, ଆମେ ଅରଣ୍ୟ ସହ ମିଶିପାରୁ। ପ୍ରତ୍ୟେକ ଛୁଟି ଦିନରେ ସେ ପାହାଡ ଉପରକୁ ପିଲାଙ୍କୁ ନେଇ ସୁର‌୍ୟ୍ୟାସ୍ତ ଦେଖାଇଲା ଏବଂ ମନରେ ଦୃଢତା ଆଣିବା ବିଷୟରେ ଶିଖାଇଲା।

କୋରା ବୃଦ୍ଧ ଓ ଜରାଗ୍ରସ୍ତ ହୋଇ ସାରିଥିଲା। ଯଦିଓ ସେ ପୂର୍ବରୁ ମଧ୍ୟ କିଛି କରୁ ନଥିଲା ଓ ନିଜକୁ ପ୍ରୌଢ ବୋଲି ଭାବୁଥିଲା, ଏବେ କିନ୍ତୁ ତା ପାଖରେ କେବଳ କିଛି ସମୟ ବ୍ୟତୀତ ଆଉ କିଛି ନଥିଲା। ତା ପୁଅମାନେ କେବେ ସବଳ ନଥିଲେ, କିନ୍ତୁ ତାଙ୍କର କାହାରିକୁ ଭୟ ନଥିଲା, ଯେହେତୁ ତାଙ୍କର ପ୍ରତ୍ୟେକ ଦାସ ଗୋଟିଏ ମୁଥରେ କାହାକୁ ବି ତଳେ ପକେଇଦେବାର ବଳ ରଖିଥିଲା। ସେମାନେ ପାରଙ୍ଗମ ଥିଲେ; ସେମାନଙ୍କର ଲୌହପରି ପେଶୀର ମାଂସ ଏକଦମ ମଜବୁତ ଥିଲା ଏବଂ ଦାନ୍ତ ଥିଲା ବ୍ୟାଘ୍ରଦନ୍ତ ପରି। କିନ୍ତୁ ସମୟ ଖୁବ ନିରାପଦ ଥିଲା। ତେଣୁ କ୍ରୀତଦାସମାନେ ତାଙ୍କର ଟାଙ୍ଗିଆ ଚଲାଇ ଗଛ କାଟିବାରେ ବ୍ୟସ୍ତ ରହିଲେ।

Leave a Reply

Your email address will not be published. Required fields are marked *