ଅନେକ ବର୍ଷ ତଳର କଥା। ଜଣେ ଖୁବ୍ ଧନୀ ଲୋକ ଥିଲେ। ତାଙ୍କ ପତ୍ନୀ ଓ ପୁଅ ସହିତ ଗୋଟେ ଗରିବ ଝିଅଟିଏ ରହୁଥିଲା। ପୁଅ ନାମ ସିପି ଓ ଝିଅଟିର ନାମ ଥିଲା ଲୁଇ। ଦୁହେଁ ପ୍ରାୟ ସମାନ ବୟସର ଥିଲେ। ସିପି ଓ ଲୁଇ ସବୁବେଳେ ସାଙ୍ଗ ହୋଇ ସମୟ ବିତାଉ ଥିଲେ।
ସିପି ଖୁବ୍ ଅଳସୁଆ ଥିଲା। ପାଠ ପଢ଼ିବା ପାଇଁ ଇଚ୍ଛା କରୁ ନଥିଲା। ସ୍କୁଲକୁ ଯିବାପାଇଁ ଚାହୁଁ ନଥିଲା। କେବଳ ଖାଇ ପିଇ ସମୟ ବିତାଇବାକୁ ମନ ବଳାଉଥିଲା। କିନ୍ତୁ ବାପା ମାଆଙ୍କ ପାଇଁ ଏସବୁ ସମ୍ଭବ ହୋଇପାରୁ ନଥିଲା। ବାଧ୍ୟ ହୋଇ ବାପା ମାଆଙ୍କ କଥାରେ ସବୁ କାମ କରୁଥିଲା। ତାକୁ ଆଉ ଘରେ ରହିବାକୁ ଭଲ ଲାଗୁନଥିଲା। ସେ ବଡ଼ ହେଲେ ତାକୁ ବାପାଙ୍କ ବ୍ୟବସାୟ ଚଳାଇବାକୁ ହେବ,ଏକଥା ଚିନ୍ତା କଲା ବେଳକୁ ତାକୁ ଖୁବ୍ କଷ୍ଟ ହେଉଥିଲା।
ଫଳରେ ଧୀରେ ଧୀରେ ସେ ଖୁବ୍ ଚିଡ଼ୁଆ ହୋଇଗଲା। ଖାଇବା ପିଇବା ପ୍ରତି ଆଗ୍ରହ ରହିଲା ନାହିଁ। ଫଳରେ ତା’ର ସ୍ୱାସ୍ଥ୍ୟ ଖରାପ ହେଲା। କ୍ରମେ ସେ ଶୁଖିଗଲା।
ତାଙ୍କ ଘରେ ତା’ର ସେବା ପାଇଁ ଆୟାଟିଏ ଥିଲା। ସେ ସିପିକୁ ଖୁବ୍ ଶ୍ରଦ୍ଧା କରୁଥିଲା। ତା’ର ସବୁ କଥା ବୁଝୁଥିଲା। ରାତି ହେଲେ ତାକୁ ଶୁଆଇ ସାରିଲା ପରେ ସେ ଯାଉଥିଲା। ସେ ସୁନ୍ଦରୀ ପରୀ ଓ ସ୍ୱର୍ଗର ସୌନ୍ଦର୍ଯ୍ୟ କୁ ନେଇ ଅନେକ ସୁନ୍ଦର ସୁନ୍ଦର ଗପ କହୁଥିଲା। ସ୍ୱର୍ଗରେ କେବଳ ସୁଖ ଅଛି। ଆନନ୍ଦ ଅଛି। ସେଠାରେ କିଛି କାମ କରିବାକୁ ପଡ଼େନାହିଁ। ସ୍ୱର୍ଗ ଏକ ସୁନ୍ଦର ଓ ଆକର୍ଷଣୀୟ ସ୍ଥାନ। ଇଚ୍ଛା ମାତ୍ରକେ ସେବା କରିବାକୁ ସେବକ ସେବିକା ପହଞ୍ଚି ଯାଆନ୍ତି।
ଏପରି ଗପ ଗୁଡ଼ିକ ଅନେକ ଦିନଧରି ଶୁଣୁଥିବାରୁ ସେ ଭାବିଲା ଯେ ସ୍ୱର୍ଗ ହିଁ ତା’ପାଇଁ ଏକମାତ୍ର ଉପଯୁକ୍ତ ସ୍ଥାନ। ଯେଉଁଠି ସେ ସୁଖରେ ରହିପାରିବ। ଏବଂ ଏହା ସହିତ ସେ ଜାଣିଥିଲା ଯେ ସ୍ୱର୍ଗରେ ପହଞ୍ଚିବାକୁ ହେଲେ ମରିବାକୁ ପଡ଼ିବ। ତେଣୁ ସେ ସୁଖ, ସ୍ୱର୍ଗ ଓ ମୃତ୍ୟୁ କଥା କେବଳ ଚିନ୍ତା କରୁଥିଲା। ତା’ର ମରିଯିବା ପାଇଁ ଖୁବ୍ ଇଚ୍ଛା ହେଉଥିଲା। ଯାହା ଫଳରେ ସେ ସ୍ୱର୍ଗରେ ପହଞ୍ଚି ପାରିବ। କିନ୍ତୁ ସେ ମରୁ ନଥିଲା। କେମିତି ମରିବାକୁ ହୁଏ ସେ ଜାଣି ନଥିଲା।
ରୁଗ୍ଣ ଅବସ୍ଥାରେ ଥିବାବେଳେ ଥରେ ସ୍ୱପ୍ନ ଦେଖିଲା ସେ ମରିଯାଇଛି। ତେଣୁ ସକାଳ ହେବାପରେ କହିଲା, ମୁଁ ମରିଯାଇଛି ତେଣୁ ମୋତେ କବର ଦିଅ। ବାପା ମାଆ ତାକୁ ବୁଝାଇବାକୁ ଚେଷ୍ଟା କଲେ ଯେ ତୁ ମରିନାହୁଁ। ସେ କିନ୍ତୁ ମାନୁ ନଥିଲା। କ୍ରମେ ଏ କଥାଟି ବାପା ମାଆଙ୍କ ପାଇଁ ଚିନ୍ତାର କାରଣ ହୋଇଗଲା। ସେମାନେ ଡାକ୍ତର ପାଖକୁ ଗଲେ। ଜଣକ ପରେ ଜଣେ ଅନେକ ଡାକ୍ତର ଚିକିତ୍ସା କରିବାକୁ ପ୍ରୟାସ କରି ବିଫଳ ହେଲେ। ଏହା କି ପ୍ରକାରର ରୋଗ କେହି ଜାଣି ପାରୁ ନଥିଲେ। ମାନସିକ ରୋଗ ନଥିଲା। ଶରୀରର ରୋଗ ନଥିଲା। ଗୋଟେ ଜିଦ୍ ରୁ ଜନ୍ମ ହୋଇଥିବା ରୋଗକୁ କିଏବା ଭଲ କରି ପାରିବ।
ଏଇଭଳି ସମୟରେ ସିପିର ବାପା ଜଣେ ଲୋକଙ୍କ ବିଷୟରେ ଖବର ପାଇଲେ। ଯଦିଓ ସେ ଲୋକ ଚିକିତ୍ସକ ନଥିଲେ କିନ୍ତୁ ଅନେକ ପ୍ରକାରର ରୋଗୀଙ୍କୁ ଭଲ କରିପାରୁଥିଲେ।ଡକ୍ଟୋରେଟ୍ କରିଥିବା ଜଣେ ମନସ୍ତତ୍ତ୍ୱବିତ୍ ଥିଲେ। ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ତାଙ୍କର ପ୍ରସିଦ୍ଧି ଥିଲା। ସିପିର ବାପା ତାଙ୍କ ପାଖରେ ପହଞ୍ଚିଲେ। ସିପି ବିଷୟରେ ସବୁ କଥା କହିଲେ। ଶୁଣି ସାରିବା ପରେ ହସ ହସ ମୁହଁରେ ସେ କହିଲେ, ମୁଁ ଗୋଟିଏ ସପ୍ତାହ ମଧ୍ୟରେ ସିପିକୁ ସୁସ୍ଥ କରିଦେଇ ପାରିବି।
ଧରାଯାଉ ତାଙ୍କ ନାମ ଡକ୍ଟର ଫିଞ୍ଜ୍। ଡକ୍ଟର ଫିଞ୍ଜ୍ ଙ୍କ ପରାମର୍ଶ କ୍ରମେ ଗୋଟିଏ କୃତ୍ରିମ ସ୍ୱର୍ଗ ତିଆରି କରାଗଲା। ପରୀ, ସେବକ ଓ ସେବିକାମାନଙ୍କୁ ନିଯୁକ୍ତି ଦିଆଯିବା ପରେ ଡକ୍ଟର ଫିଞ୍ଜ୍ ସିପିଙ୍କ ଘରେ ପହଞ୍ଚିଲେ। ତାଙ୍କୁ ବାଟ କଡ଼ାଇ ନେବାପାଇଁ ସାଙ୍ଗରେ ଥିଲେ ସିପିର ବାପା ଓ ମାଆ। ଡକ୍ଟର ସିପିକୁ ଦେଖିବା ମାତ୍ରେ ବିରକ୍ତିରେ ଚିତ୍କାର କରି ଉଠିଲେ – ଆରେ, ଏ କ’ଣ ? ଗୋଟେ ମୃତ ଦେହଟାକୁ ଘରେ ପକାଇ ରଖିଛନ୍ତି। ଶୀଘ୍ର କବର ଦେବାର ବ୍ୟବସ୍ଥା କରନ୍ତୁ।
ସିପିର ବାପା ମାଆ ଆଶ୍ଚର୍ଯ୍ୟ ଓ ବିରକ୍ତ ଅନୁଭବ କରିବା ବେଳେ ସିପି ଖୁବ୍ ଖୁସି ହୋଇଗଲା। ସେ ଜାଣିଲା ଏଇ ଲୋକ ହିଁ ଠିକ୍। ଯିଏକି ସତକଥା ଜାଣନ୍ତି। ତେଣୁ ତାଙ୍କୁ ବିଶ୍ୱାସ କଲା ଓ ଭଲ ପାଇଲା। ତା’ର ମୁହଁ ଉଜ୍ଜ୍ୱଳ ଦେଖାଗଲା।
ତତ୍କାଳ ବଜାରରୁ ଗୋଟେ କଫିନ୍ ଅଣାଗଲା। ତା ଭିତରେ ସିପି ଶୋଇଲା। ଆଜି ସେ ଖୁସି ଥିବାରୁ ଖୁବ୍ ଶୀଘ୍ର ନିଦ ଆସିଗଲା। ସେ ଗଭୀର ନିଦରେ ଶୋଇଗଲା।
ତା’ର ନିଦ ଭାଙ୍ଗିଲା। ସେତେବେଳକୁ କେଇ ଘଣ୍ଟା ବିତି ଯାଇଥାଏ। ଉଠିଲା ପରେ ଦେଖିଲା ସେ ଏକ ସୁସଜ୍ଜିତ ପଲଙ୍କ ଉପରେ ଶୋଇଛି।ଘରଟି ଖୁବ୍ ସୁନ୍ଦର ଭାବରେ ସଜା ଯାଇଛି। ଆନେକ ଗୁଡ଼ିଏ ମହମବତୀ ଜଳୁଛି। ମଧୁର ସଙ୍ଗୀତ ଶୁଭୁଛି। ଭାବିଲା, ମୁଁ ବୋଧହୁଏ ସ୍ୱର୍ଗରେ ପହଞ୍ଚି ସାରିଛି। ତେଣୁ ସନ୍ଦେହ ମୋଚନ ପାଇଁ ପଚାରିଲା, ମୁଁ ଏବେ କେଉଁଠି ?
ତା’ର ପାଟି ଶୁଣିବା ମାତ୍ରେ କେତେଜଣ ପରୀ ଓ ସେବକ ତା ପାଖରେ ପହଞ୍ଚିଗଲେ। କହିଲେ, ମଣିମା, ଆପଣ ଏବେ ସ୍ୱର୍ଗରେ ଅଛନ୍ତି। ଆମେ ଆପଣଙ୍କର କ’ଣ ସେବା କରିପାରିବୁ ନିର୍ଦ୍ଦେଶ ଦିଅନ୍ତୁ।
ଆଜି ତାକୁ ଖୁବ୍ ଭୋକ ଲାଗୁଥିଲା। ତେଣୁ ଆଗ୍ରହରେ ଖାଦ୍ୟ ମାଡିଲା।
ଉପସ୍ଥିତ ଥିବା ଜଣେ ପରୀ ତାଳି ମାରିବା ମାତ୍ରେ ଜଣେ ସେବକ ଖାଦ୍ୟ ଧରି ପାଖରେ ପହଞ୍ଚି ଗଲା। ହ୍ୱେଲ୍ ମାଛ ତରକାରୀ, ରୁଟି ଓ ଲାଲ୍ ୱାଇନ୍। ତା’ର ପ୍ରିୟ ଖାଦ୍ୟ। ଆନନ୍ଦ ରେ ସିପି ଖାଇଲା।
ତା’ପରେ ସମସ୍ତେ ସେଠାରୁ ଚାଲିଗଲେ। ସେ ଏକୁଟିଆ ରହିଲା। କିଛି ସମୟ ପରେ ସେ ବାହାରକୁ ଯିବାପାଇଁ ଇଚ୍ଛା କଲା। ବାଟ ଖୋଜିଲା। କିନ୍ତୁ ସବୁ ଦିଗ ନିବୁଜ ଥିଲା। ତେଣୁ ସେ ତାଳି ମାରିଲା। ତତ୍କାଳ ଆଉ ଜଣେ ପରୀ ପହଞ୍ଚିଗଲେ ଓ ତଳକୁ ମୁହଁ କରି ନମ୍ର ଭାବରେ ଠିଆ ହେଲେ। ସିପି କହିଲା, ଏହାପରେ ମୁଁ କ’ଣ କରିବି ?
ପରୀ କହିଲା, ଏଠାରେ କିଛି କରିବା ଦରକାର ନାହିଁ।
ସିପି କହିଲା, ମୁଁ ଟିକେ ବୁଲିବା ପାଇଁ ଇଚ୍ଛା କରୁଛି।
ପରୀ କହିଲା, ଏଠାରେ ବୁଲିବା ପାଇଁ କୌଣସି ସ୍ଥାନ ନାହିଁ। ଆପଣଙ୍କ ସ୍ୱର୍ଗ ଆପଣଙ୍କ ପାଇଁ ସୀମିତ।
ପୁଣି ଖାଇବା ସମୟ ହେଲା। ସେ ଖାଇବା ପାଇଁ ମାଗିଲା। ତାପାଇଁ ଖାଦ୍ୟ ଆସିଲା। ସେଇ ସମାନ ଜିନିଷ। ରୁଟି, ହ୍ୱେଲ୍ ମାଛ ତରକାରୀ ଓ ଲାଲ୍ ୱାଇନ୍। ସିପି କହିଲା, ଏସବୁ ଖାଇବାକୁ ମୋର ଇଚ୍ଛା ନାହିଁ। ଆଉ କ’ଣ ଦିଅ।
ପରୀଟିଏ କହିଲା, ସ୍ୱର୍ଗରେ ଏହା ବ୍ୟତୀତ ଆଉ କିଛି ମିଳେନାହିଁ।
ସେ ବାଧ୍ୟ ହୋଇ ଖାଇଲା।
ସେଦିନଟି ବିତିଗଲା। ପୁଣି ଖାଦ୍ୟ ଆସିଲା। ସେଥିରୁ ଟିକେ ଟିକେ ଖାଇବା ପରେ ତା’ର ଆଉ ଖାଇବାକୁ ଆଗ୍ରହ ହେଲାନାହିଁ। ସେ ମାନ୍ଦା ଅନୁଭବ କରି ବିଛଣାରେ ଗଡ଼ିଗଲା। କହିଲା, ମୋ ଜେଜେବାପା ଓ ଜେଜେମାଆ ଅନେକ ଦିନ ଆଗରୁ ମରି ଯାଇଛନ୍ତି। ସେମାନେ କେଉଁଠି ଅଛନ୍ତି। ତାଙ୍କୁ ଦେଖା କରି ପାରିବିକି। ଉତର ମିଳିଲା, ସେମାନେ ତାଙ୍କପାଇଁ ଉଦ୍ଦିଷ୍ଟ ଘରେ ରହୁଛନ୍ତି। ଏବଂ ଅନେକ ଦୂରରେ ଅଛନ୍ତି।
ସିପି କହିଲା, ଦୟାକରି ମତେ ଥରେ ଦେଖା କରିବାକୁ ସୁଯୋଗ ଦିଅନ୍ତୁ।
— ଦୂରରେ ଅର୍ଥ ସେମାନେ ଅନେକ ଦୂରରେ ଅଛନ୍ତି। ହଜାର ବର୍ଷ ପରେ ସେମାନେ ଆମ ନିକଟକୁ ଆସିବେ। ସେତେବେଳେ ସ୍ୱର୍ଗର ଅଧିଟାରୀଙ୍କ ଠାରୁ ଅନୁମତି ମିଳିଲେ ଆପଣ ଦେଖା କରି ପାରିବେ।
ସିପି ବିରକ୍ତ ହୋଇ କହିଲା, ଆପଣମାନେ ଏଠାରୁ ଚାଲି ଯାଆନ୍ତୁ। ମତେ ଏକୁଟିଆ ରହିବାକୁ ଦିଅନ୍ତୁ।
ସମସ୍ତେ ଚାଲିଯିବା ପରେ ଏକୁଟିଆ ତାକୁ ଭଲ ଲାଗିଲା ନାହିଁ। ପୁଣି ପରୀମାନଙ୍କୁ ଡାକିଲା। ପଚାରିଲା, ଆଚ୍ଛା, ଏବେ ଲୁଇ କ’ଣ କରୁଛି ?
ପରୀ କହିଲା, ସେ ଆପଣଙ୍କ କଥା ମନେ ପକାଇ କାନ୍ଦୁଛି।
ସିପି ପଚାରିଲା, ମୋ ମାଆ ଆଉ ବାପା କେବେ ସ୍ୱର୍ଗକୁ ଆସିବେ ?
ପରୀ କହିଲା, ଆପଣଙ୍କ ବାପା ଆଉ ଦଶବର୍ଷ ବଞ୍ଚିବେ। ମାଆ ତିରିଶ ବର୍ଷ ବଞ୍ଚିବେ। ତା’ପରେ ଆସିବେ।
ସିପି ବିରକ୍ତ ହୋଇ କହିଲା, ଶୁତନ୍ତୁ, ମତେ ଏଠି ଆଦୌ ଭଲ ଲାଗୁନାହିଁ। ମୁଁ ଏଠାରୁ ଚାଲିଯିବାକୁ ଚାହୁଁଛି।
ପରୀ କହିଲା, ଏଠାକୁ ଥରେ ଆସିଲେ ଆଉ ଫେରି ଯାଇ ହେବନାହିଁ।
ସିପି କହିଲା, ମୋର ସାଙ୍ଗମାନଙ୍କ କଥା ମନେ ପଡ଼ୁଛି। ସ୍କୁଲ ଯିବାକୁ ଇଚ୍ଛା ହେଉଛି। ସ୍ୱର୍ଗରେ ରହିବା ଅପେକ୍ଷା ପାଠ ପଢିବା ଭଲ।
ପରୀ ପଚାରିଲା, ସ୍ୱର୍ଗଠାରୁ କ’ଣ ଆପଣଙ୍କ ସହର ବହୁତ ଭଲ।
ସିପି ଚାରି ଆଡ଼କୁ ଥରେ ଦୃଷ୍ଟି ବୁଲାଇ ସାରି କହିଲା, ନିଶ୍ଚୟ। ଖୁବ୍ ଭଲ। ମୁଁ ସେଠାରେ ଥାଇ କାଠ ଚିରିବି, ମାଟି ବୋହିବି ପଛେ ଏ ସ୍ୱର୍ଗରେ ରହିବାକୁ ଆଦୌ ପସନ୍ଦ କରିବି ନାହିଁ।
ପରୀ କହିଲା, ଏବେ ଆଉ ସେ କଥା ଚିନ୍ତା କରି କିଛି ଲାଭ ନାହିଁ।
ସିପି କହିଲା, ତା’ହେଲେ ମୁଁ ମରିବାକୁ ଚାହୁଁଛି।
ପରୀ କହିଲା, ଆପଣ ଥରେ ମଲା ପରେ ଆଉଥରେ କେମିତି ମରିବେ। ମଲା ଲୋକ ପୁଣି ମରିବ କେମିତି।
ସିପି କାନ୍ଦିଲା। ତକିଆରେ ମୁହଁ ମାଡି କେବଳ କାନ୍ଦିବାରେ ଲାଗିଲା। କାନ୍ଦି କାନ୍ଦି ଶୋଇ ପଡ଼ିଲା।
ଡକ୍ଟର ଫିଞ୍ଜ୍ ଜଣେ ଦେବତାର ଛଦ୍ମବେଶରେ ସିପିର ପଲଙ୍କ କଡ଼ରେ ଠିଆ ହୋଇ ରହିଲେ। ଅନେକ ସମୟ ପରେ ସିପିର ନିଦ ଭାଙ୍ଗିଲା। ସେ ଦେଖିଲା ଜଣେ ଦେବତା ତା ଆଗରେ ଠିଆ ହୋଇଛନ୍ତି। ସେ ଭାବିଲା ତା’ର ଦୁଃଖ ଶୁଣି ବୋଧହୁଏ ତାକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। ତେଣୁ ସେ ପୁଣି କାନ୍ଦିବାକୁ ଲାଗିଲା। କାନ୍ଦି କାନ୍ଦି କହିଲା, ମୁଁ ଆମ ଘରକୁ ଯିବାପାଇଁ ଚାହୁଁଛି। ବାପା ମାଆଙ୍କ ପାଖକୁ ଯିବାପାଇଁ ଚାହୁଁଛି। ଦୟାକରି ଏଠାରୁ ମତେ ନେଇ ଯାଆନ୍ତୁ।
ଛଦ୍ମବେଶରେ ଥିବା ଡକ୍ଟର ଫିଞ୍ଜ୍ ନୀରବରେ ସିପିର ହାତଧରି ପଲଙ୍କରୁ ଓହ୍ଲାଇଦେଲେ। ସମ୍ମୁଖ ଦିଗକୁ ନେଇଗଲେ। ବଢ଼େଇ ଓ ଚିତ୍ରକରଙ୍କ ଦ୍ୱାରା ନିର୍ମାଣ କରା ଯାଇଥିବା କାଠର ସେଟ୍ କୁ ବାଆଁ କଡ଼କୁ ପେଲିଦେଲେ। ଆଗରେ ଦେଖାଗଲା ଗୋଟେ ଲୁହା ସଟର୍। ଡକ୍ଟର ଫିଞ୍ଜ୍ ସଟର୍ ଟେକିଦେଲେ। ସିପି ଦେଖିଲା ତା ଆଗରେ ଠିଆ ହୋଇଛନ୍ତି ତା’ର ବାପା, ମାଆ ଓ ଲୁଇ। ସେ ସ୍ଥାନଟି ଥିଲା ତାଙ୍କ ନିଜ ଘର। ସେ ଚିତ୍କାର କଲା, ମାଆ, ବାପା, ଲୁଇ….
ତିନିଜଣ ତା ଆଡ଼କୁ ବାହୁ ମେଲାଇ ପାଖେଇ ଆସିଲେ। ସିପି କହିଲା, ମୁଁ ତୁମକୁ ଅନେକ କଷ୍ଟ ଦେଇଛି। ମୋ ଉପରେ ରାଗିବ ନାହିଁ। ଆଉ ବିରକ୍ତ କରିବିନି। କେବେ ନୁହେଁ।
ତିନିଜଣଙ୍କ ପାଟିରୁ ଗୋଟିଏ କଥା ବାହାରିଲା, ତୁ ମୋର ଅତି ପ୍ରିୟ ସିପି। ତୋତେ ମୁଁ ବହୁତ ଭଲପାଏ।
ଖୁବ ସୁନ୍ଦର ।
Excellent story ..please publish some more…it’s a must read for all.