ବୋହୂ ପ୍ରବଚନ

ବିଭୁ ପ୍ରସାଦ ନାୟକ ‘ଧର୍ମଛଡା’

ଆଗେ ଓଡ଼ିଆ ଘରେ ବୋହୁମାନେ ଶାଶୁ , ଶ୍ବଶୁର , ଦେଢ଼ଶୁର , ମଳାସୁର , ଜେଜେ ଶ୍ବଶୁର , ଅଜା ଶ୍ବଶୁର , ଆଇଶାଶୁ ଇତ୍ୟାଦି ଇତ୍ୟାଦିଙ୍କ ନାଁ ସହିତ ଗାଁର କୁଟୁମ୍ବରେ ଗୁରୁଜନ ତଥା ଇନାସି ବିନାସିଙ୍କ ନାଁକୁ ବି ଧରିବାକୁ ମହାପାପ ବୋଲି ଧରୁଥିଲେ। ସେହି ବୋହୁ ବୁଢ଼ୀ ହୋଇ ମଲା ପର୍ଯ୍ଯନ୍ତ ବି ଏହି ପ୍ରଥା ଜାରି ରଖିଥାନ୍ତି। ଆପଣ ମାନେ ଭାବୁଥିବେ ଏତେ ନାଁ ଧରୁନଥିଲେ ଚଳୁଥିଲେ କିପରି ? ସେମାନେ ଚଳୁଥିଲେ , ତାହା ସମସ୍ତଙ୍କ ସହିତ ସାମାଜିକ ସମ୍ପର୍କ ରଖି ଚଳୁଥିଲେ। ଉଦାହରଣ ସ୍ବରୂପ ମୋର ପିଉସୀଙ୍କ ଘରକୁ ଯାଇଥିଲି , ମୋତେ ଦେଖି ପିୟୁସୀନାନୀ ଖୁସି ହୋଇ ମୋ ମୁହଁ ପୋଛିପାଛି ଦେଇ କହିଲେ , “ନାଳିଆ” କୁଆଡ଼େ ଗଲା ? ମୁଁ କିଛି ବୁଝି ପାରିଲିନାହିଁ , ବୋକାଙ୍କ ପରି ପିଉସୀ ନାନୀଙ୍କୁ ଚାହିଁଥିଲି। ମୁଁ ବୁଝି ପାରିଲିନି ଭାବି ସେ ମୋତେ କହିଲେ ଆରେ ଭୁୟାଁଘର “ନାଳନ୍ଦୀ” , ସେତେବେଳେ ଯାଇ ମୁଁ ବୁଝିଲି ଯେ ସେ “ନାଳିଆ” ଅର୍ଥାତ “କାଳିଆ” ବା “ନାଳନ୍ଦୀ” ଅର୍ଥାତ “କାଳନ୍ଦୀ” କଥା ମୋତେ କହୁଥିଲେ। ମୁଁ କହିଲି, ହଁ ସିଏ ପଛରେ ଆସୁଛନ୍ତି।

ସେଦିନ ପିୟୁସୀ ନାନୀଙ୍କ ଘରେ ରହିଲି ସନ୍ଧ୍ୟା ବେଳେ ନାନୀ ପିୟୁସାଙ୍କୁ କହିଲେ ଯାଅ ବଜାରରୁ “ନରା” ଆଣିବ ଟୋକାଟା ଖାଇବ , ମୁଁ ନାନୀଙ୍କୁ କହିଲି ମୁଁ କଣ ବଳଦ ହୋଇଛି “ନରା” ଖାଇବି ( ଆମ ଅଞ୍ଚଳରେ ଧାନ କଟା ପରେ ଭୂଇଁରେ ଧାନଗଛର ଯେଉଁ ଅଂଶ ଲାଗିଥାଏ ତାକୁ ନରା କୁହନ୍ତି ) ପିୟୁସା ହସିଦେଇ କହିଲେ , ନାଇଁରେ ସିଏ “ବରା”କୁ ନରା ବୋଲିକୁହେ। ମୋ କକାଙ୍କ ନାଁ “ବରଜା” ତେଣୁ ସିଏ “ବରା” କହିବନି, “ନରା” କହିଦେଲା। ଯାହେଉ ସେଦିନ ବରାଖାଇ ସାରିଲା ପରେ ପିୟୁସୀ ନାନୀ ପୁରାଣ ପଢ଼ିଲେ , ପୁରାଣ ପଢୁଥିବା ସମୟରେ ମୁଁ ତାଙ୍କ ପାଖରେ ବସି ଶୁଣୁଥିଲି। ଏହାରି ଭିତରେ ଚାଳିଶି ବର୍ଷ ବିତିଯାଇଛି। ମୋର ପିୟୁସୀ ନାନୀ ମଧ୍ୟ ଆରପାରିରେ ତଥାପି ସିଏ ପଢୁଥିବା ସେଦିନର ପୁରାଣର ଆଜିବି ମୋର ଗୋଟିଏ ପଦ ମନେଅଛି , ସେ ପଦ ଏହିପରିଥିଲା :
” ସାନନ୍ଦେ ନୁଷ୍ଟ ଦେଲେ ନର – ହସି କହନ୍ତି ନକ୍ରଧର “
ଯାହାର ପ୍ରକୃତ ପଦ ଥିଲା :
” ଆନନ୍ଦେ କୃଷ୍ଣ ଦେଲେ ବର – ହସି କହନ୍ତି ଚକ୍ରଧର”। ଏବେ ମୁଁ ହୃଦୟଙ୍ଗମ କରୁଛି ସେ ସମୟରେ ବୋହୁମାନେ ନାନା ବାଧାବିଘ୍ନ ସତ୍ତ୍ୱେ ଗୁରୁଜନଙ୍କୁ ସମ୍ମାନ ଦେବା କଥା କେବେବି ଭୁଲୁନଥିଲେ।

ସେଦିନ ଆଉ ଆଜି ଭିତରେ ଆକାଶ ପାତାଳ ଫରକ। ଆଜି କାଲି ଏସବୁ ଓଲ୍ଡ ଫେସନ। ଆଗେ ସ୍ତ୍ରୀ ମାନେ ସ୍ବାମୀଙ୍କ ନାଁ ଧରୁନଥିଲେ କାରଣ ସ୍ବାମୀଙ୍କ ଆୟୁଷ ହାନୀ ହେବ ବୋଲି , ଆଜି କାଲି ସ୍ତ୍ରୀ ସ୍ବାମୀଙ୍କ ନାଁ ଧରି ଡାକିବାକୁ ଆଧୁନିକତା ବୋଲି ଭାବି ନେଇଛନ୍ତି। ନାଁ ନଧରିବା ଏବଂ ଗୁରୁଜନଙ୍କୁ ଦେଖି ଓଢ଼ଣା ଦେବା ଭିତରେ ଅନେକ ତତ୍ତ୍ୱ ରହିଛି। ନାଁ ନଧରିବା ଏବଂ ଓଢ଼ଣା ଦେଲେ ବୋହୁଟିର ଗୁରୁଜନଙ୍କ ପ୍ରତି ଭକ୍ତି ଭାବ ଅତୁଟ ରହିବା ଏବଂ ଓଢ଼ଣା ଦେଉଥିବା ବୋହୁ ପ୍ରତି ଗୁରୁଜନଙ୍କ ଖରାପ ଭାବନା ସୃଷ୍ଟି ହେବନାହିଁ ବୋଲି ସେ ସମୟର ଧାରଣା ଥିଲା। ଯାହାକି ବିଲୁପ୍ତ ହୋଇଥିବା ଆମ ଜାତିର ସେଇ ନିଆରା ପରମ୍ପରା। ଆଜି ଏସବୁ ପ୍ରଥା ଲୋପ ପାଇଯାଉଥିବାବେଳେ ପାପ ସମ୍ପର୍କ ବଢ଼ି ଚାଲିଛି। ଏବେ ଖବରକାଗଜରେ ପ୍ରାୟ ଦେଖିବାକୁ ମିଳୁଛି , ଶଶୁର ବୋହୁ ପ୍ରତି ଏବଂ ଦେଢ଼ଶୁର ଓ ଭାଇବୋହୁଙ୍କ ପ୍ରତି ପାଶବିକ ଅତ୍ଯାଚାର , ମଳାସୁର ସହିତ ଭାଣିଜୀବୋହୁ ଫେରାର ଇତ୍ୟାଦି ଇତ୍ୟାଦି।

ଏବେ ଚାଲନ୍ତୁ ଯିବା ମୁଖ୍ୟ ପ୍ରସଙ୍ଗକୁ। ଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଭକ୍ତର ଏଇ ଅଳ୍ପ ଦିନ ହେବ ବାହାଘର ହୋଇଛି। ଆପଣମାନେ ଯାଣିଥିବେ ଗାଁରେ ନିଜ ନୂଆ ବୋହୁର ପ୍ରଚାର ଓ ପ୍ରସାର କରିବାକୁ ଶାଶୁ ଓ ଶ୍ବଶୁର ମାନେ କେବେବି ଭୁଲିନଥାନ୍ତି। ସରପଞ୍ଚଙ୍କ ବୋହୁଟି ଆଧୁନିକା , ଶିକ୍ଷିତା ହୋଇ ମଧ୍ୟ ପରମ୍ପରାକୁ ଭୁଲିନଥିଲେ। ଆଉଗୋଟେ ରୋଚକ ବିଷୟ ହେଲା ଯେ ଉକ୍ତ ନୂଆବୋହୁଟି ପୁରାଣ ଶାସ୍ତ୍ରରେ ଅନେକ ପାଣ୍ଡିତ୍ୟ ଥିବା ସହିତ ଭଲ ପ୍ରବଚନ ମଧ୍ୟ ଦେଇଜାଣନ୍ତି। ଓଡ଼ିଆ ଘରର ସଂସ୍କାର ସହିତ ଓଢ଼ଣା ଦେବା ସହ ଗୁରୁଜନଙ୍କର ନାଁ ମଧ୍ୟ ଧରନ୍ତି ନାହିଁ। ସରପଞ୍ଚଙ୍କ ନୂଆ ବୋହୁ କୃଷ୍ଣଲୀଳା ଉପରେ ଭଲ ପ୍ରବଚନ ଦେଇଜାଣନ୍ତି ବୋଲି ଏକଥା ଗାଁଟା ସାରା ପ୍ରଚାର ହୋଇଯାଇଥିଲା। ଗାଁ ଲୋକଙ୍କ ଅନୁରୋଧ କ୍ରମେ ସରପଞ୍ଚ ଶ୍ବଶୁର ପଞ୍ଚାୟତ ପଡ଼ିଆରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କଲେ। ଗାଁର ବୋହୁ , ଗୁରୁଜନ ମାନଙ୍କ ନାଁ ଧରିବନି , ଏପଟରେ ଶ୍ବଶୁରଙ୍କ ନାଁ “କୃଷ୍ଣ ଚନ୍ଦ୍ର” ଦେଢ଼ଶୁଙ୍କ ନାଁ “ସୁଦାମ ଓ ସୁବଳ” ଖୁଡ଼ିଶାଶୁଙ୍କ ନାଁ “ରାଧିକା” ଏବଂ ସ୍ବାମୀଙ୍କ ନାଁ “ଭକ୍ତ” ଥିବାରୁ ବୋହୁ ପ୍ରବଚନ ଦେବାପାଇଁ ଅରାଜି ହେଉଥିଲା। ଗାଁର ଲୋକେ ବାଧ୍ୟ କରିବାରୁ ବୋହୁଟି ଶଶୁରଙ୍କ ଅନୁମତି କ୍ରମେ ପ୍ରବଚନ ଦେବାକୁ ରାଜି ହେଲେ। ମଞ୍ଚ ପ୍ରସ୍ତୁତ , ବୋହୁବି ପ୍ରସ୍ତୁତ।

ବୋହୁ ଆରମ୍ଭ କଲେ ତାଙ୍କ ପ୍ରବଚନ। ବୋହୁ ପ୍ରବଚନରେ କଣ କହିଲା ଶୁଣନ୍ତୁ :
ମୋର ଆତ୍ମୀୟ ସ୍ବାମୀ ମାନେ , ମୁଁ ଆଜି ଆପଣଙ୍କୁ “ଶ୍ବଶୁରଙ୍କ ଲୀଳା” ବିଷୟରେ କହିବାକୁ ଯାଉଛି। ମୋ ଶ୍ବଶୁର ଜନ୍ମରୁ ଚୋର , ସାହିପଡିଶାରେ ଘରେଘରେ ପସି ଚୋରି କରିବା ତାଙ୍କର ଅଭ୍ୟାସ। ଏଇ ଚୋର ପ୍ରକୃତି ପାଇଁ ସେ ଗଛରେ ବନ୍ଧା ହେବା ସହିତ ମାଡ଼ଖାଇଥିବାର ପ୍ରମାଣ ମଧ୍ୟ ଅଛି। ସେ ଜଣେ ଭାରି ରସିକିଆ , ମୋ ଶ୍ବଶୁର ଦୁଇ ଦେଢ଼ଶୁରଙ୍କୁ ସାଙ୍ଗରେ ଧରି ସ୍ତ୍ରୀ ଲୋକମାନେ ଗାଧୋଉଥିବା ଲୁଚିଛପି ଦେଖିବା ସହିତ ଗାଧୁଆ ତୁଠରୁ ଶାଢ଼ୀ ମଧ୍ୟ ଚୋରି କରିଥିଲେ। ଏକଥା ସମସ୍ତେ ଜାଣନ୍ତି। ନୂଆ ବୋହୁଟିର ମଞ୍ଚରେ ଏମନ୍ତ ପ୍ରବଚନ ଶୁଣି ସରପଞ୍ଚ ହୃଦଘାତରେ ପଡ଼ି ଏବେ ଡାକ୍ତର ଖାନାରେ ଭର୍ତ୍ତି।

ବୋଲିବା ବାହୁଲ୍ୟ, ଶ୍ଵଶୁରଙ୍କ ନାମ ଧରିବାରେ ବାରଣ ଥିବାରୁ ବୋହୁ ଜଣକ କୃଷ୍ଣ ବଦଳରେ ଶ୍ଵଶୁର ଶବ୍ଦର ପ୍ରୟୋଗ କରିଥିଲେ। ଏଣୁ ଘଟିଲା ଏ ଘୋର ଅଘଟଣ। ଶାଶୁ କହିଲେ, ବୋହୁ ଧନ୍ୟ ତୋ ପ୍ରବଚନ କରାମତି।

3 thoughts on “ବୋହୂ ପ୍ରବଚନ

  1. ଧୀରେ ଧୀରେ ହଜିଯାଉଥିବା ଓଡ଼ିଆ ଘରର ପରମ୍ପରାକୁ “ସାହିତ୍ୟ ଚର୍ଚ୍ଚା”ରେ ବ୍ଯଙ୍ଗ ମାଧ୍ୟମରେ ପ୍ରକାଶ କରିଛି , ବାକି ରହିଲା ଆପଣମାନଙ୍କ ମତ ଓ ମନ୍ତବ୍ୟ ଯାହା ଆପଣଙ୍କୁ ଅନେକ ସାମାଜିକ ବ୍ଯଙ୍ଗ ଲେଖିବାକୁ ମୋତେ ଉତ୍ସାହିତ ଓ ପ୍ରେରଣା ଯୋଗାଇବ । ଶେଷରେ ମୁଁ ନିହାର ଭାଇଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରୁଛି ।
    ଜୟ ଜଗନ୍ନାଥ ।
    ବନ୍ଦେ ଉତ୍କଳ ଜନନୀ ।

Leave a Reply

Your email address will not be published. Required fields are marked *