ଦଶଟି ଲିମେରିକ୍

ସୁଦର୍ଶନ ଦାସ

ଲିମେରିକ୍ ହେଉଛି ଏକ ପାଞ୍ଚ ଧାଡିଆ ମିନି କବିତା ଯେଉଁଥିରେ ଏକ ହାଲୁକା କଥାକୁ ବ୍ୟଂଗ ଅବା ହାସ୍ୟରସର ଖୋରାକ ଭାବରେ ବ୍ୟବହାର କରାଯାଇଥାଏ, ଏବଂ ତା ସହିତ ମଧ୍ୟ ଥାଏ ପାଠକଙ୍କ ପାଇଁ କ୍ଷୀଣ ସଂଦେଶଟିଏ। ଏହି ପାଞ୍ଚ ଧାଡିଆ କବିତାର ପ୍ରଥମ, ଦ୍ବିତୀୟ ଓ ପଞ୍ଚମ ଧାଡ଼ିର, ତଥା ତୃତୀୟ ଓ ଚତୁର୍ଥ ଧାଡ଼ିର ମିତ୍ରାକ୍ଷର ମେଳ ହୋଇଥାଏ। ଏହି ଫର୍ମ୍ ଟି ବିଲାତରେ ଅଧିକ ଲୋକପ୍ରିୟ। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବିଶିଷ୍ଟ ଇଂରାଜୀ କବି ଏଡଓ୍ବାର୍ଡ଼ ପ୍ରଥମେ ଏହାକୁ ରଚନା କରି ଲୋକପ୍ରିୟ କରାଇଥିଲେ। ବର୍ଟାଣ୍ଡ୍ ରସେଲ୍ ଏବଂ ଟି.ଏସ୍. ଇଲିଅଟ୍ ଙ୍କ ଭଳି ନୋବେଲ ପୁରସ୍କାର ବିଜେତା ଲେଖକମାନେ ବି କେତେକ ମଜାଳିଆ ଲିମେରିକ୍ ଲେଖିଛନ୍ତି।

ଓଡ଼ିଆ ଭାଷାରେ ଗତ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବ୍ୟଙ୍ଗ ସାହିତ୍ୟିକ ଫତୁରାନନ୍ଦ ନିଜ ‘ଡ଼ଗର’ ପତ୍ରିକା ମାଧ୍ୟମରେ ଲିମେରିକ୍ ରଚନାକୁ ଉତ୍ସାହିତ କରୁଥିଲେ। ବିଶିଷ୍ଟ ଓଡିଆ ଲେଖକ ଶ୍ରୀ ଜଗନ୍ନାଥ ପ୍ରସାଦ ଦାସ ମଧ୍ୟ ଅନେକ ଲୋକପ୍ରିୟ ଲିମେରିକ୍ ର ସ୍ରଷ୍ଟା।

ଏଠାରେ ପାଠକମାନଙ୍କ ସମକ୍ଷରେ ପ୍ରସ୍ତୁତ କରୁଛୁ କବି ଶ୍ରୀ ସୁଦର୍ଶନ ଦାସଙ୍କର କେତୋଟି ସୁନିର୍ବାଚିତ ଲିମେରିକ୍।

ସମ୍ପାଦକ

: ୧ :

ମୋ ସାଧା ସିଧା ସାଙ୍ଗ ସଂଗ୍ରାମ କୁମାର ସୁତାର
ଇଛା ନଥାଇ ବାହା ହେଲା କଥା ମାନି ମାଆର
ଚଉଠି ରାତି ଫୁଲଶେଯ
ମନ ହେଲା ତାର ଅସଜ
ବଧୂ କୁ ଆଡ କରି, ପଢ଼େ ଧର୍ମ ବ୍ରହ୍ମଚାରୀର

: ୨ :

ଓ ଭାଇ ଏ ରାସ୍ତା କେଉଁଠିକି ଯାଇଛି କହିବ କି
ଭୁଲି ଯାଇଛି ମୁଁ ରାସ୍ତା ପୁରୀ ଜଗନ୍ନାଥ କତିକି
ଲୋକଟି କହିଲା, ଯାଅ ସିଧା
ପାଇବ ପ୍ରଭୁଙ୍କୁ ଥିଲେ ଶ୍ରଦ୍ଧା
ଚାଲିଛି ମୁଁ, ହେଲେବି ପହଂଚିନି ସେ ଶ୍ରଦ୍ଧା କତିକି

: ୩ :

ତରବରେ ହେଉଥିଲା ଦାଢ଼ି କ୍ଷୌର ଅଲେଖ ଚୌଧୁରୀ
ଗାଲ ଗଲା କାଟି ତାହାର ରକ୍ତ ମାରିଲା ପିଚକାରୀ
ଫିଟିକିରୀ ମାରିଲା
ରକ୍ତ କଷ୍ଟେ ଥମିଲା
ବ୍ଲେଡ ଦେଇଛୁ ଖରାପ, କହେ ଦୋକାନୀକୁ ରାଗ କରି

: ୪ :

ସରୋଜିନୀ ସାମଲ କରିଛି ଆଜି ସାବିତ୍ରୀ ଓଷା
ପିନ୍ଧି ନୂଆ ଶାଢ଼ି, ଅଳତା, ସିନ୍ଦୂର, ବାନ୍ଧି ତା ଖୋସା
ପତିକୁ କଲା ପ୍ରଣାମ
ହସ ଥିଲା ତା ନରମ
ଓଷାର କିମିଆଁ ଦେଖି ପତି ର ହଜିଗଲା ଭାଷା

: ୫ :

ବନ୍ଧୁ ସୁନ୍ଦର ସାମନ୍ତରାୟ କରେ ସଦା ଧୂମପାନ
ଗୋଲ୍ଡ ଫ୍ଲାକ୍ କିଙ୍ଗ୍ ପିଉଥାଏ ମାସରେ ପନ୍ଦର ଦିନ
ଦରମା ଧୀରେ ସରୁଥାଏ
କିଙ୍ଗ୍ ରୁ ବିଡ଼ି ଆସିଯାଏ
ଚୌକିଦାରଠୁ ମାଗି ବିଡ଼ି ପିଏ ସେ ମାସ ଶେଷ ଦିନ

: ୬ :

ନାମ ତାର ପ୍ରେମ କୁମାର ଓଝା ଓରଫ ପ୍ରେମା
ରସିକ ସହ ମେଳାପି, ସେ ହୁଏନା ରାଗ ଜମା
ଗୀତା, ଭାଗବତ ପଢ଼େ ଯେବେ
ବଖାଣେ ନାରୀଙ୍କ ଆଗେ ତେବେ
ବନିଲା ସ୍ଵାମୀ ପ୍ରେମାନନ୍ଦ ନେଲା ନାରୀଙ୍କ ଜିମା

: ୭ :

ଦୁର୍ଯ୍ୟଧନ ସାହୁ ଯାଉଥିଲା ବଜାର ତରବରରେ
ବାଡ଼େଇଗଲା ଜୋର୍ ରେ ସେ ଏକ ତରୁଣୀର ତନୁରେ
ତରୁଣୀ କହିଲା ‘ବାଷ୍ଟାର୍ଡ’ ତାକୁ
ବାଧିଲା ଦୁର୍ଯ୍ୟଧନର ମଥାକୁ
ପଚାରିଲା, କିଏ ତୋ ବାପ, ପ୍ରମାଣ ଅଛି ତୋ ପାଖରେ?

: ୮ :

ଯାଉଛି ମୋହନ ସେନାପତି ଶ୍ଵଶୁର ଘର
ହାତେ ଧରି ଛତା, ଟିପାବତୀ, ବୋଳି ପାଉଡର
ପହଞ୍ଚିଲା ନେଇ ଜିଲିବି କିଲେ
ଶାଶୁମା ଶ୍ରଦ୍ଧାରେ ପାଛୋଟି ନେଲେ
ଏତେ ଚର୍ଚ୍ଚା ମିଳିଲା, ଗଲା ଝାଡ଼ା ବାରବାର

: ୯ :

ବାବୁଲାଲ ମାରାଣ୍ଡିର ଛପନ ପୂରିବ ଏହି ରଜରେ
ଏଯାଏଁ ଦେଖିନି ସେ ରେଳଗାଡ଼ି ଆଖିରେ ଅବା ଫଟୋରେ
ହାଣ୍ଡିଆ ପେଟେ ପିଇଲା
ରେଳଗାଡ଼ି ଦେଖି ଗଲା
ରାସ୍ତାରେ ଦେଖି ଗଞ୍ଜା ଲଢ଼େଇ ଶୋଇଗଲା ଏକ ଝାଡ଼ିରେ

: ୧୦ :

ଟୁନା ଦେ ପୁଅ ଗୁନା କ୍ଷେତରେ ଉଡ଼ାଉଛି ଗୁଡ଼ି
ଖୁବ୍ ଝାଞ୍ଜି ପିଟୁଛି, ଦେହୁ ଝାଳ ଯାଉଛି ଗଡ଼ି
ଗୁଡ଼ି କଟିଗଲା
ତା ପଛେ ଧାଇଁଲା
ଦୌଡ଼ୁ ଦୌଡ଼ୁ ଗୁଡ଼ି ପଛରେ ତା ପ୍ୟାଣ୍ଟ ଗଲା ପଡ଼ି

12 thoughts on “ଦଶଟି ଲିମେରିକ୍

  1. Brand new style of writing for me!
    So amusing!!
    One will feel relaxed by reading these mini poems.

  2. ଖୁବ୍ ସୁନ୍ଦର ଉପସ୍ଥାପନା ।
    ଭଲ ଲାଗିଲା ।

    1. ଅଶେଷ ଧନ୍ୟବାଦ ଅପଣଙ୍କୁ–ଆନ୍ତରିକ ଶୁଭେଛା

  3. ରସାତ୍ମକ ବ୍ୟଙ୍ଗ ଆଉ ପାଠକୀୟ ଆତ୍ମ ସନ୍ତୋଷ, କବି ଯଦି ସେଇଆ ତାଙ୍କ କଲମ ମୁନରେ ଅଜାଡ଼ି ଦେବାକୁ ଚାହୁଁଥାନ୍ତି, କହିଲେ ଅତିଶୟୋକ୍ତି ହେବ ନାହିଁ, କବି ସେଥିରେ ଶତଷିଦ୍ଧ ଉତୁରି ଆସିଛନ୍ତି। କବିଙ୍କ ରଚନାରେ ବ୍ୟଙ୍ଗ ଓ ସର୍ଜନା ର ଉତ୍କର୍ଷ। ପଢ଼ିବାରେ ଖୁସି, ଖୁସିକୁ ଏଇମିତି ଖୋଜିବାରେ ଖୁସି…

Leave a Reply

Your email address will not be published. Required fields are marked *