ରଜା ଘର କଥା

ଓଡିଶାର ପନ୍ଦରଗୋଟି ଗଡ଼ଜାତ ରାଜ୍ୟ ସଂପର୍କରେ ତଥ୍ୟ ସମ୍ବଳିତ ରଚନାରେ ସମୃଦ୍ଧ ଏହି ପୁସ୍ତକଟି। ପନ୍ଦରଟି ଯାକ ଲେଖା ସୁଖପାଠ୍ୟ ଓ ତଥ୍ୟପୂର୍ଣ୍ଣ। ପ୍ରତ୍ୟେକଟି ଗଡ଼ଜାତର ଅବସ୍ଥିତି, ବଂଶାବଳୀ ଓ ଇତିହାସର ବିଶଦ ବର୍ଣ୍ଣନା ସହିତ ଏଥିରେ ମଧ୍ୟ ସନ୍ନିବେଶିତ ହୋଇଛି ସଂଶ୍ଳିଷ୍ଟ ରାଜପ୍ରାସାଦଗୁଡିକର ଛାୟାଚିତ୍ର।

ଯେଉଁ ଗଡ଼ଜାତ ରାଜ୍ୟଗୁଡିକର ଚର୍ଚ୍ଚା ଏଥିରେ କରାଯାଇଛି ସେଗୁଡ଼ିକ ହେଲେ, ଆଠମଲ୍ଲିକ, ଆଳି, କୃଷ୍ଣପ୍ରସାଦ ଗଡ଼, ଗାଙ୍ଗପୁର, ତାଳଚେର, ନୀଳଗିରି, ପାରଳାଖେମୁଣ୍ଡି, ପୁରୀ, ବଡ଼ମ୍ବା, ବାମଣ୍ଡା ଗଡ଼, ମୟୂରଭଂଜ, ରାଜକନିକା, ରାଜ ଖରିଆର, ଷଢେଇକଳା ଏବଂ ହିନ୍ଦୋଳ।

ଗଜପତି ମୁକୁନ୍ଦଦେବଙ୍କ ପରାଜୟ ଓ ମୃତ୍ୟୁର ଏକ ମର୍ମନ୍ତୁଦ ବର୍ଣ୍ଣନା ଏଥିର ‘ଆଳି’ ଅଧ୍ୟାୟରେ ନିମ୍ନମତେ ଦେଖିବାକୁ ମିଳେ :-
“ଲକ୍ଷେ ରାଜାର ମଉଡ଼ମଣି ଖୋଜି ବୁଲୁଥିଲେ ନିଜର ସ୍ବତନ୍ତ୍ରତା। ଦିନ ନାହିଁ କି ରାତି ନାହିଁ, ସୀମାନ୍ତରୁ ମାଡ଼ି ଆସୁଥିବା ବିଦେଶୀ ଆକ୍ରମଣକାରୀଙ୍କୁ ଜବାବ ଦେବାକୁ ପାଇକମାନେ ଅବିଶ୍ରାନ୍ତ ଲଢେଇ ଜାରି ରଖିଥିଲେ। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। କ୍ଷମତା ଲୋଭରେ ରାଜାଙ୍କର ସବୁଠାରୁ ବିଶ୍ବସ୍ତ ମନ୍ତ୍ରୀ ଅନ୍ଧ ହୋଇଗଲେ। ଆଉ ଗଜପତି ତେଲେଙ୍ଗା ମୁକୁନ୍ଦ ଦେବଙ୍କ ପତନ ଘଟିଲା। ଗୋହୀରା ଟିକିରି ଦୁର୍ଗରେ ତାଙ୍କୁ ହତ୍ୟା କଲେ ଆଫଗାନ ସେନା।”

ପୁସ୍ତକଟିର ବିଭିନ୍ନ ଅଧ୍ୟାୟରୁ ପୁରାତନ ଗଡ଼ଜାତମାନଙ୍କର କେତେକ କୌତୁହଳପ୍ରଦ ତଥ୍ୟ ମଧ୍ୟ ଜାଣିବାକୁ ମିଳେ। ଦୃଷ୍ଟାନ୍ତ ସ୍ବରୂପ ଗାଙ୍ଗପୁର ଗଉଁନ୍ତିଆ ସଂପ୍ରଦାୟର କାର୍ଯ୍ୟ ପ୍ରଣାଳୀ, ଦୁର୍ଭିକ୍ଷ ଓ ବନ୍ୟାରେ ତାଳଚେର ଉଆସର ଭୂମିକା ତଥା ନୀଳଗିରି ରାଜ ପ୍ରାସାଦର ବିବରଣୀ ଇତ୍ୟାଦି। ୧୮୭୫ ମସିହାରେ ପୁରୀରେ ଶାସନ ଭାର ଗ୍ରହଣ କରିଥିବା ଦିବ୍ୟସିଂହ ଦେବଙ୍କ ରାଜୁତି କାଳର କୁଶାସନ ଓ ଅବ୍ୟବସ୍ଥାର ବର୍ଣ୍ଣନା ମଧ୍ୟ ଆମର ଦୃଷ୍ଟି ଆକର୍ଷଣ କରେ।

ଓଡ଼ିଶାର ସର୍ବମୋଟ ୨୬ଟି ପୁରାତନ ଗଡ଼ରାଜ୍ୟରୁ ୧୫ଟି ଚର୍ଚ୍ଚିତ ହୋଇଛନ୍ତି ଏହି ପୁସ୍ତକଟିରେ। ଲେଖକ ଆଗାମୀ ସଂସ୍କରଣରେ ଅବଶିଷ୍ଟ କେଉଁଝର, ବଣାଇ ଓ ବାଙ୍କୀ ଭଳି ରାଜ୍ୟକୁ ମଧ୍ୟ ଏଥିରେ ସାମିଲ କରିପାରିଲେ ଆହୁରି ଉତ୍ତମ ହେବ। ପୁସ୍ତକଟିରେ ଏକ ମୁଖବନ୍ଧର ଅଭାବ ମଧ୍ଯ ଅନୁଭୂତ ହେଲା ଏବଂ ଲେଖକ ଏଥିପ୍ରତି ମଧ୍ୟ ଦୃଷ୍ଟି ଦେବେ ବୋଲି ଆଶା।

  • ନିହାର ଶତପଥୀ

3 thoughts on “ରଜା ଘର କଥା

  1. ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି ଏବଂ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ସହିତ ସାଧୁବାଦ ଜଣାଉଛି…

Leave a Reply

Your email address will not be published. Required fields are marked *