ଶାସ୍ତ୍ରୀୟ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି

ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର

ଓଡ଼ିଆ ଭାଷା ଇଣ୍ଡୋ-ଇଉରୋପୀୟ ଭାଷା ପରିବାରର ଆର୍ଯ୍ୟ ଶାଖାନ୍ତର୍ଗତ ଖ୍ରୀଷ୍ଟପୂର୍ବ କାଳୀନ ଏକ ସ୍ଵାତନ୍ତ୍ର୍ୟସମୃଦ୍ଧ, ଉତ୍କୃଷ୍ଟ, ପୂର୍ଣ୍ଣାଙ୍ଗ ଓ ଶାସ୍ତ୍ରୀୟ ଭାଷା, ବୈଦିକ କାଳୀନ ପ୍ରାଚୀନ ପ୍ରାକୃତ ଭାଷାଠାରୁ ଜନ୍ମ ନେଇଥିବା ଏହି ଭାଷା ସ୍ଵକୀୟ ସୁଦୀର୍ଘ ପ୍ରବହମାନ ଧାରାରେ ସୌରସେନୀ, ବୈଶାଚୀ, ମାଗଧୀ, ଦ୍ରାବିଡ଼ୀୟ, ଅଷ୍ଟ୍ରୋଏସୀୟ ଓ କେତେକ ବୈଦେଶିକ ଭାଷାରୁ ବିଭବ ଆହରଣ କରି ସମୃଦ୍ଧ ତଥା ଆର୍ଯ୍ୟଭାଷାର ପାରମ୍ପରିକ ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇ ଶାସ୍ତ୍ରୀୟ ମର୍ଯ୍ୟାଦା ବିଭୂଷିତ। ସଂକ୍ଷେପରେ ଉଲ୍ଲେଖ କଲେ, ବୈଦିକ ଓ ସଂସ୍କୃତ ଭାଷାର ସମକାଳୀନ ପ୍ରାକୃତ ଭାଷାରୁ ଓଡ଼ିଆ ଭାଷାର ଉତ୍ପତ୍ତି, ଗତିଶୀଳତାରେ ବିଭିନ୍ନ ଭାଷାର ସଂସ୍ପର୍ଶରେ ତାହାର ବ୍ୟାପ୍ତି, ଓଡ଼ିଶା ଭୂଖଣ୍ଡରେ ଦ୍ରାବିଡ଼ୀୟ ଓ ଅଷ୍ଟ୍ରୋଏସୀୟ ଭାଷା ସବୂହରୁ ବ୍ୟାପକ ବିଭବ ଆହରଣ ପୂର୍ବକ ପରିବର୍ତ୍ତିତ ସ୍ୱରୂପ ପ୍ରାପ୍ତି ତଥା ଅନ୍ୟାନ୍ୟ ବୈଦେଶିକ ଭାଷାର ଭାଷା ବିଭବରେ ସମୃଦ୍ଧ ହୋଇ ତାହା ପ୍ରଗତି ଘଟିଛି। ଏହି କ୍ରମ ବିକାଶ ଧାରାରେ ଓଡ଼ିଆ ଭାଷା ଉଡ୍ର ବିଭାଷା, ଉଡ୍ରଜା, ଆର୍ଷୀପ୍ରାକୃତ, ଅର୍ଦ୍ଧମାଗଧୀ, ଓଡ଼୍ରମାଗଧୀ, ଷୌଡ଼୍ରୀ, କାଳିଙ୍ଗୀ, ଓଡ୍ର ପ୍ରାକୃତ, ଔଡ଼୍ରୀ ଅପଭ୍ରଂଶ, ପ୍ରତ୍ନ ଓଡ଼ିଆ, ପ୍ରାଚୀନ ଓଡ଼ିଆ, ମାନକ ଓଡ଼ିଆ ପ୍ରଭୃତି ସ୍ୱରୂପ ଧାରଣକରି ପରିଶେଷରେ ଉତ୍କୃଷ୍ଟ ବା ଶାସ୍ତ୍ରୀୟ ଭାଷା ରୂପେ ଉଦ୍‌ଘୋଷିତ। ସ୍ୱକୀୟ ମୌଳିକତା, ରକ୍ଷଣଶୀଳତା, ଆହରଣ ଦକ୍ଷତା, ଉତ୍ପାଦନ କ୍ଷମତା ଓ ପ୍ରସାରଣଶୀଳତା ଯୋଗୁଁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ହେଁ ସଂପ୍ରତି ଏହି ସବୁ ଗୁଣାବଳୀ ହରାଇ ବସିଛି। ଏହାର କାରଣ ହେଉଛି, ସାମାଜିକ କ୍ଷେତ୍ର, ଶିକ୍ଷା କ୍ଷେତ୍ର, ପ୍ରଶାସନିକ କ୍ଷେତ୍ର ପ୍ରଭୃତିରେ ଓଡ଼ିଆ ଭାଷା ବ୍ୟବହାରର ମାତ୍ରା ଆଶାତୀତ ଭାବରେ କମିଯାଇଛି। ଫଳରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହୋଇଛି। ବର୍ତ୍ତମାନ ଯୋଜନାୟିତ ଭାଷାର ଯୁଗ ହୋଇଥଲେ ହେଁ ଓଡ଼ିଆ ଭାଷାର ବିକାଶ ନିମିତ୍ତ କୌଣସି ଯୋଜନାୟିତ ପଦକ୍ଷେପ ନିଆଯାଇପାରିନାହିଁ। ପରିଣାମ ସ୍ୱରୂପ, ଓଡ଼ିଆ ଭାଷା ଯେଉଁ ସ୍ଥାଣୁତା ଭିତରେ ଥିଲା ସେହି ସ୍ଥାଣୁ ଓ ନିଷ୍କର୍ମା ଅବସ୍ଥାରେ ରହିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ସାହିତ୍ୟରଥୀମାନଙ୍କ ପର୍ଯ୍ୟନ୍ତ ସଭିଁଏ ଓଡ଼ିଆ ଭାଷାରେ କର୍ଣ୍ଣଧାର ସାଜି ପଥ ଦେଖାଇବାରେ ବ୍ୟସ୍ତ, ଅଥଚ ଯୋଜନାୟିତ ପ୍ରଚେଷ୍ଟା ସଂପର୍କରେ ସଚେତନ ନୁହନ୍ତି। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହୋଇଥିବାରୁ ଏହି ଭାଷାର ବିକାଶ ନିମିତ୍ତ କେନ୍ଦ୍ରୀୟ ଅନୁଦାନ, ସାହାଯ୍ୟ ଓ ପୃଷ୍ଠପୋଷକତା ମିଳିବ, ଯାହାର ସଠିକ ଉପଯୋଗ ପୂର୍ବକ ଯୋଜନାୟିତ ପ୍ରଚେଷ୍ଟାର ଶୁଭ ସମୟ ଉପଗତ।

ଭାଷା ନିମିତ୍ତ ସାମାଜିକ ଦିଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମାଜର ପ୍ରବହମାନ ଧାରା ଭାଷାକୁ ବଞ୍ଚାଇ ରଖେ ଓ ବିକଶିତ କରିଥାଏ। ବର୍ତ୍ତମାନ ଓଡ଼ିଆ ଭାଷା ଧୀରେ ଧୀରେ ସାମାଜିକ ପରିସରରୁ ଅପସରି ଯିବାକୁ ବସିଲାଣି। ଫଳରେ ତାହାର ଜୀବନଶକ୍ତି କ୍ଷୀଣ ହେବାକୁ ଆରମ୍ଭ କଲାଣି। ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଓଡ଼ିଆ ଭାଷା ପ୍ରତି ଆଉ ମମତା ନାହିଁ। ବହୁ ଉଚ୍ଚଶିକ୍ଷିତ ଓ ଉଚ୍ଚପଦସ୍ଥ ଓଡ଼ିଆ ଅଛନ୍ତି, ଯେଉଁମାନେ ନିଜ ଭାଷାକୁ ଏକ ଅଯୋଗ୍ୟ ଭାଷା ବୋଲି ଭାବିଲେଣି। ସେମାନେ ବ୍ୟକ୍ତିଗତ, ପାରିବାରିକ ତଥା ସାମାଜିକ ଜୀବନରେ ଓଡ଼ିଆ ଭାଷା ବ୍ୟବହାର କରୁନାହାନ୍ତି। ପାଶ୍ଚାତ୍ୟ ସଭ୍ୟତାକୁ ଆଦର କରିବା ହେଉ ବା ନବ୍ୟ ସଭ୍ୟ ଶିଷ୍ଟାଚାରବୋଧ ହେଉ, ସେମାନଙ୍କର ରୁଚି ବଦଳିଯାଇଛି। ସେମାନେ ବହୁ କ୍ଷେତ୍ରରେ ଓଡ଼ିଆ ଭାଷାକୁ ନେଇ ଆସ୍ୱସ୍ତିର ସମ୍ମୁଖୀନ ହୋଇଥାନ୍ତି। ସାମାଜିକ ମୂଲ୍ୟବୋଧରେ ପରିବର୍ତ୍ତନ ଯୋଗୁଁ ସେମାନେ ଚାହିଁଲେ ମଧ୍ୟ ଓଡ଼ିଆ ସମାଜକୁ ତୁଳନାକରି ଦେଖିଲେ ଜଣାଯାଏ, ଓଡ଼ିଆ ସମାଜର ସଭ୍ୟତାଗତ ବୈତିତ୍ର‌୍ୟ ବୃଦ୍ଧି ପାଇଛି, ଅଥଚ ଏହି ବୈଚିତ୍ର‌୍ୟ ସହିତ ତାଳ ଦେବା ପାଇଁ ଓଡ଼ିଆ ଭାଷା ସାମର୍ଥ୍ୟ ହରାଇଛି। ଅସଲ କଥାଟି ହେଉଛି ଓଡ଼ିଆ ସାମାଜିକ ବିବିଧତାର ବୈଚିତ୍ର୍ୟ ଭିତରେ ଓଡ଼ିଆ ଭାଷା ଅଣନିଃଶ୍ୱାସୀ ହୋଇପଡ଼ିଛି। ଜ୍ଞାନ ବିଜ୍ଞାନର କଥା ଦୂରରେ ଥାଉ, ସାଧାରଣ ଜୀବନଯାପନ ପାଇଁ ଓଡ଼ିଆ ଭାଷାର ବୈଭବ ଅପର୍ଯ୍ୟାପ୍ତ। ଏହି ବିଭବ ଅର୍ଜନ କରିବା ନିମିତ୍ତ ଆମ ସମାଜର ପ୍ରଚେଷ୍ଟା ନାହିଁ। ଆମ କବି, ଲେଖକ, ପ୍ରାବନ୍ଧିକ, ଗବେଷକ,ବୈଜ୍ଞାନିକ, ଭୂତଭୂବିଦ୍‌, ଯନ୍ତୀ, ସାମ୍ବାଦିକ ଏପରିକି ସାଧାରଣ ବ୍ୟକ୍ତି ବହୁ ଭାଷା ଉପାଦାନ,ନୂତନ ଶବ୍ଦ ଓ ଶୈଳୀ ବ୍ୟବହାର କରୁଛନ୍ତି। କିନ୍ତୁ ଆମ ଭାଷା ସେସବୁ ଗ୍ରହଣ ନକଲା ପର୍ଯ୍ୟନ୍ତ ତାହାର କିଛି ମୂଲ୍ୟ ନାହିଁ। ଏହି ସବୁ ବିଭବ ଯେତେବେଳେ ସମାଜର ହୋଇଯିବ ଅର୍ଥାତ୍ ଲୋକେ ଯେତେବେଳେ ଏହି ସବୁ ଭାଷାକୁ ବ୍ୟବହାର କରିବେ ସେଗୁଡ଼ିକ ଓଡ଼ିଆ ଭାଷା ବିଭବ ସବରୂପରେ ବିବେଚିତ ହେବ। ନୂତନ ଭାବରେ ସୃଷ୍ଟ ଏହି ସବୁ ଭାଷା ବିଭବ ସମୂହକୁ ସାମାଜିକ ସ୍ୱୀକୃତି ମିଳିବା ସକାଶେ ଯୋଜନାୟିତ ପ୍ରୟୋଗତ୍ମକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହି ସବୁ ଭାଷା ବିଭବ ଗୁଡ଼ିକର ଅବାଧ ତ ନିରଙ୍କୁଶ ପ୍ରବେଶ ତଥା ପ୍ରଚଳନ ନିମିତ୍ତ ବିଧିବ୍ୟବସ୍ଥା ଗ୍ରହଣ କରାଯାଇପାରିଲେ ଓଡ଼ିଆ ଭାଷା ସାମାଜିକ ବିବିଧତାର ବୈଚିତ୍ର‌୍ୟ ଭିତରେ ଆତ୍ମିକ ସବଳା ରୂପେ ପ୍ରତିଭାତ ହୋଇପାରିବ।

ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧିରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରାଥମିକ ଶିକ୍ଷାଠାରୁ ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ବିଭିନ୍ନ ସ୍ତର ରହିଥିଲେ ହେଁ କେବଳ ପ୍ରାଥମିକ ଶିକ୍ଷା ଗ୍ରହଣ କାଳରେ ଶିଶୁ ତା’ ଭାଷା ସହିତ ପରିଚିତ ଓ ସଚେତନ ହୋଇଥାଏ। ପ୍ରାଥମିକ ସ୍ତରରେ ଗୋଟିଏ ଶିଶୁ କେବଳ ତା ଭାଷାର ବର୍ଣ୍ଣମାଳା ଶିଖେ ନାହିଁ, କଥିତ ଭାଷାକୁ ନିଜେ ଲେଖି ଭାଷାର ସ୍ଥାୟିତ୍ୱ ସଂପର୍କରେ ସଚେତନ ହୋଇଥାଏ। ପରିଣାମ ସ୍ୱରୂପ ନିଜ ଭାଷା ପ୍ରତି ତା’ର ଆସ୍ଥା ଓ ଆତ୍ମବିଶ୍ୱାସ ଦୃଢ଼ ହୁଏ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଶିଶୁ ନିଜେ କହୁଥିବା ଭାଷାରେ ତାକୁ ଶିକ୍ଷା ଦିଆନଯାଇ ଅନ୍ୟ ଭାଷାରେ ଶିକ୍ଷା ଦିଆଗଲେ ତା’ର ମାନସିକ ଭାରସାମ୍ୟ ବିପନ୍ନ ହୋଇଥାଏ। ସଂପ୍ରତି ଓଡ଼ିଶାର ବହୁ ବ୍ୟକ୍ତି ସେମାନଙ୍କର ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି। ପିଲାଟି ଘରେ ବାପା, ମାଆ ଓ ଅନ୍ୟାନ୍ୟ ପରିଜନଙ୍କ ସହ ଓଡ଼ିଆରେ କଥାବାର୍ତ୍ତା କରୁଥିବାବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀରେ କଥାବାର୍ତ୍ତା କରିବାକୁ ବାଧ୍ୟ ହୁଏ। ତେଣୁ ପିଲାଟି ମନରେ ଆପଣା ମାତୃଭାଷା ପ୍ରତି ହୀନମନ୍ୟତା ସୃଷ୍ଟି ହୋଇ ଆତ୍ମ ବିଶ୍ୱାସ ଭାଙ୍ଗିଯାଏ। ସେ ପ୍ରକାଶ ନକରିଲେ ମଧ୍ୟ ମନେ ମନେ ଭାବେ, “ମୋ ମାତୃଭାଷା ବୋଧହୁଏ ଶିକ୍ଷାଗ୍ରହଣ ନିମିତ୍ତ ଅଯୋଗ୍ୟ ଭାଷା”। ଅନେକ ଅଭିଭାବକ ଭାବିଲେଣିଯେ, “ଓଡ଼ିଆ ଭାଷାର ଭବିଷ୍ୟତ ନାିହଁ”। ତେଣୁ ସେମାନେ ନିଜ ପିଲାମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି। ନିଜ ଭାଷା ଓ ସଂସ୍କୃତି ପ୍ରତି ସେମାନଙ୍କର ସ୍ୱାଭିମାନ ନାହିଁ, ଚିନ୍ତା କେବଳ ନିଜ ପିଲାର ଭବିଷ୍ୟତ ପାଇଁ। ପୂର୍ବେ ପ୍ରଥମିକ ସ୍ତରୁ ମାତୃଭାଷାରେ ଶିକ୍ଷାପ୍ରଦାନ କରାଯାଉଥିଲା ଏବଂ ଚତୁର୍ଥ ଓ ଷଷ୍ଠ ଶ୍ରେଣୁରୁ ଇଂରାଜୀ ଓ ହିନ୍ଦୀ ତଥା ଅଷ୍ଟମ ଶ୍ରେଣୀରୁ ସଂସ୍କୃତ ପଢ଼ାଯାଉଥିଲା। ଏତାଦୃଶ ଶିକ୍ଷା ବ୍ୟବସ୍ଥାରେ ପିଲାଟି ଶିଶୁ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଲାଭ ପୂର୍ବକ ଆପଣା ହୃଦୟରେ ମାତୃଭାଷାରେ ଭିତ୍ତିପ୍ରସ୍ତର ସ୍ଥାପନ କରିପାରୁଥିଲା ଏବଂ ଚତୁର୍ଥ ଶ୍ରେଣୀରୁ ହିନ୍ଦୀ, ଇଂରାଜୀ ଓ ଅଷ୍ଟମ ଶ୍ରେଣୀରୁ ସଂସ୍କୃତ ସହିତ ପରିଚିତ ହେଉଥିଲା। ତା’ ପକ୍ଷରେ ମାତୃଭାଷା ପ୍ରଥମ ଭାଷା ଓ ଅନ୍ୟାନ୍ୟ ଭାଷା ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଭାଷା ସ୍ୱରୂପରେ ପ୍ରତିଭାତ ହେଉଥିଲା। ପ୍ରାଥମିକ ସ୍ତରରେ ମାତୃଭାଷାରେ ପ୍ରବୀଣ ହେବାପରେ ଜଣେ ଛାତ୍ର ଅନ୍ୟାନ୍ୟ ଭାଷାରେ ପାରଦର୍ଶିତା ଲାକଲେ କିଛି ଅସୁବିଧା ନାହିଁ। କିନ୍ତୁ ପ୍ରାଥମିକ ସ୍ତରରେ ଅନ୍ୟ ଭାଷାରେ ପ୍ରବୀଣ ହୋଇ ପରେ ମାତୃଭାଷାରେ ପାରଦର୍ଶୀ ଲାଭ କରିବାରେ ବହୁ ଅସୁବିଧା ଅଛି। ଅନେକ ଭାବିପାରନ୍ତି, ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ହେଲେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଠାଇ ଦେବକୁ ପଡ଼ିବ। ଏହା ଅସମ୍ଭବ ।

ଦିନକୁ ଦିନ ଯେଉଁ ଭାବରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛିି, ସେସବୁକୁ ଉଠାଇଦେବା ଏତେ ସହଜ ନୁହେଁ। ଏହା ଭାରତୀୟ ଶିକ୍ଷାବ୍ୟବସ୍ଥାର ଏକ ଅବାଂଛିତ ପରିଣତି । ଏଥି ନିମିତ୍ତ ଆମକୁ ସଜାଗ ହେବାକୁ ପଡ଼ିବ। ଆମ ପିଲାମାନଙ୍କୁ ମାତୃଭାଷା ପ୍ରବୀଣ କରିବା ନିମିତ୍ତ ଆମକୁ ଉପାୟ ଖୋଜିବାକୁ ପଡ଼ିବ। ସୂଚନା, ପ୍ରଯୁକ୍ତି ବିଦ୍ୟା, ଚିକିତ୍ସାଶାସ୍ତ୍ର, ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଗଣିତ, ଭୂଗୋଳ, ଅର୍ଥଶାସ୍ତ୍ର ତଥା ଜ୍ଞାନ ବିଜ୍ଞାନର ବିଭିନ୍ନ ପୁସ୍ତକ ଆମ ମାତୃଭାଷାରେ ରଚନା କରିବାକୁ ପଡ଼ିବ ଏବଂ ପ୍ରାଥମିକ ସ୍ତରୁ ଏହି ସବୁ ପୁସ୍ତକ ପ୍ରଚଳନ କରାଯାଇପାରିଲେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଆଉ ପ୍ରଧାନ୍ୟ ରହିବ ନାହିଁ। ଏହା ହୋଇପାରିଲେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିବର୍ତ୍ତେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାକୁ ଆଗ୍ରହୀ ହେବେ। ମାଧ୍ୟମିକ ଶିକ୍ଷାସ୍ତରରେ ଭାଷା ଶିକ୍ଷା ବିପର୍ଯ୍ୟସ୍ତ, ସଂସ୍କୃତ, ଇଂରାଜୀ ଓ ହିନ୍ଦୀ ପ୍ରଭୃତି ଭାଷା ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକ ନିଯୁକ୍ତ ହୋଇଥିଲେ ହେଁ ଓଡ଼ିଆ ଭାଷା ଶିକ୍ଷା ପ୍ରଦାନ କରିବାକୁ କୌଣସି ଶିକ୍ଷକ ନିଯୁକ୍ତ ହୋଇନଥାନ୍ତି। ଯେ କୌଣସି ଶିକ୍ଷକ ସମୟ ପାଇଲେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେଇଥାନ୍ତି। ଏଥିରୁ ମାଧ୍ୟମିକ ଶିକ୍ଷା ସ୍ତରୀୟ ଓଡ଼ିଆ ଭାଷା ଶିକ୍ଷା ଅନୁମେୟ, ଅବଶ୍ୟ ମହାବିଦ୍ୟାଳୟ ସ୍ତରରେ ବହୁ ଓଡ଼ିଆ ଅଧ୍ୟାପକ ନିଯୁକ୍ତ ହୋଇଥାନ୍ତି। କିନ୍ତୁ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି ଯେ, ଜଣେ ଛାତ୍ର ବା ଛାତ୍ରୀ ଇଚ୍ଛା କଲେ ଓଡ଼ିଆ ପରିବର୍ତ୍ତେ ସଂସ୍କୃତ ପଢିପାରିବ । ଓଡ଼ିଆ ଅପେକ୍ଷା ସଂସ୍କୃତରେ ଅଧିକ ନମ୍ବର ମିଳୁଥିାରୁ ଅନେକ ଛାତ୍ରଛାତ୍ରୀ ସଂସ୍କୃତ ପଢ଼ୁଛନ୍ତି ତଥା ଓଡ଼ିଆ ଭାଷା ଶିକ୍ଷା ମହାବିଦ୍ୟାଳୟ ସ୍ତରରେ ଉପେକ୍ଷିତ। ସୂଚନା ଯୋଗ୍ୟ ଯେ, ଭାରତ ସରକାର ଓଡ଼ିଆ ଭାଷାକୁ ପ୍ରାଚୀନ ଭାଷା ଉଦ୍‌ଘୋଷଣା କରିଥିଲେ ହେଁ ଓଡ଼ିଶା ସରକାର ଏହାକୁ ଆଧୁନିକ ଭାରତୀୟ ଭାଷା ନାମକରଣ କରିଛନ୍ତି। ସଂକ୍ଷପରେ ଉଲ୍ଲେଖକଲେ, ମହାବିଦ୍ୟାଳୟ ଶିକ୍ଷା ସ୍ତରରେ ଓଡ଼ିଆ ଭାଷା ସଂପୂର୍ଣ୍ଣ ଅବହେଳିତ। ପ୍ରାଥମିକ, ମାଧ୍ୟମିକ ଓ ମହାବିଦ୍ୟାଳୟ ଶିକ୍ଷା ସ୍ତରରେ ଓଡ଼ିଆ ଭାଷା ଶିକ୍ଷା ବିପର୍ଯ୍ୟସ୍ତ ଓ ବିପନ୍ନ ଥିବାବେଳେ କେତେକ ଭାଷାଭିତ୍ତିକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ତତ୍ପର ହେଲେଣି। ଓଡ଼ିଆ ଭାଷା ଶିକ୍ଷା ନିମିତ୍ତ ପ୍ରାଥମିକ ସ୍ତରୁ ଶିକ୍ଷାର ସୁଦୃଢ଼ ଭିତ୍ତିଭୂମି ନଥାଇ ଓଡ଼ିଆ ଭାଷାଭିତ୍ତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଅନ୍ୟ ଏକ ଗୁରୁତର ଅବାଂଛିତ ପରିଣତି ସୃଷ୍ଟି ହେବ। କେତେକଙ୍କର ଯୁକ୍ତି ହେଉଛି, ଓଡ଼ିଆ ଭାଷାକୁ ଜ୍ଞାନ ବିଜ୍ଞାନର ଭାଷାରେ ପରିଣତ କରିବାକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଆବଶ୍ୟକତା ରହିଛି। ବର୍ତ୍ତମାନର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ରହିଛି, ଅଥତ ଦୀର୍ଘକାଳ ବିତିଯାଇଥିଲେ ହେଁ ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନର ଭାଷାରେ ପରିଣତ କରଯାଯାଇପାରିନାହିଁ। ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାର ଆରମ୍ଭ ୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରଥମେ କଲିକତା ବିଶ୍ୱ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ତିନିବର୍ଷ ପରେ ସ୍ନାତକୋତ୍ତର ଓଡ଼ିଆ ଶିକ୍ଷାର ଶତବାର୍ଷିକୀ ପାଳନ ହେବ, କିନ୍ତୁ ଓଡ଼ିଆ ଭାଷା ଅଦ୍ୟାବଧି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସମୂହର ଦ୍ୱାର ଦେଶମାନଙ୍କରେ ନବାଗତ ଅତିଥି ସଦୃଶ ଦଣ୍ଡାୟମାନ। ଆମର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଗୁଡ଼ିକ ବସ୍ତୁତଃ ସାହିତ୍ୟ ବିଭାଗ, ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ଭାଷୋ ଓ ସାହିତ୍ୟକୁ ଗୋଟିଏ ବିଭାଗ କରି ରଖାଯାଇଛି ତଥା ଭାଷା ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇପାରିନାହିଁ। ଫଳତଃ ଭାଷା ଶିକ୍ଷା ପାଠ୍ୟକ୍ରମର ଗୁଣାତ୍ମକ ଅଭିବୃଦ୍ଧି ଘଟିପାରିନାହିଁ ବା ପ୍ରଚଳିତ ଭାଷା ଶିକ୍ଷାର ବିଧିବ୍ୟବସ୍ଥା ଜ୍ଞାନ ବିକାଶରେ ସହାୟକ ହୋଇପାରୁନାହିଁ। ଏହିସବୁ ମୌଳିକ ପ୍ରସଙ୍ଗ ଚିନ୍ତା ନକରି ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଚିନ୍ତା ବିଶେଷ ଫଳପ୍ରସୂ ହୋଇନପାରେ।

ଶିକ୍ଷା କ୍ଷେତ୍ରରେ ଚାରିଗୋଟି ସ୍ତରରେ ଭାଷାଶିକ୍ଷା ଦିଆଯାଏ। ପ୍ରାଥମିକ ସ୍ତରରେ ସାଧାରଣ ଭାଷା ଶିକ୍ଷା, ମାଧ୍ୟମିକ ସ୍ତରରେ ଉନ୍ନତ ଭାଷା ଶିକ୍ଷା, ମହାବିଦ୍ୟାଳୟ ସ୍ତରରେ ଉଚ୍ଚାଙ୍ଗ ଭାଷା ଶିକ୍ଷା ଓ ବିଶ୍ୱ ବିଦ୍ୟାଳୟ ସ୍ତରରେ ଓଜସ୍ୱିନୀ ଭାଷଶ ଶିକ୍ଷା ପ୍ରଦାନ କରାଯାଏ। ସାଧାରଣ ଉନ୍ନତ ଓ ଉଚ୍ଚାଙ୍ଗ ଭାଷା ଶିକ୍ଷା ଦୁର୍ବଳ ଥିବାବେଳେ ଓଡ଼ିଆ ଭାଷା ଭିତ୍ତିକ ବିଶ୍ୱବିଦ୍ୟାଳୟ ଖୋଲି ଓଜସ୍ୱିନୀ ଭାଷା ଶିକ୍ଷା ପ୍ରଦାନର କୌଣସି ମୂଲ୍ୟ ନାହିଁ। ପ୍ରଥମେ ମୂଳଦୁଆ ଗଢ଼ିବାକୁ ହେବ ଏବଂ ଭାଷା ଶିକ୍ଷାକୁ ହିତକାରୀ ଓ ଅର୍ଥକରୀ କରିବାକୁ ହେବ। ଭାଷା ବିଜ୍ଞାନ ଭିତ୍ତିକ ଅଧ୍ୟୟନ ଓ ଅଧ୍ୟାପନା ନିମିତ୍ତ ପ୍ରାଥମିକ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଭାଷା ଶିକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଓଡ଼ିଆ ଭାଷାର ବୌଦ୍ଧିକ ଅଗ୍ରଗତି ନିମିତ୍ତ ବୈଜ୍ଞାନିକ ପଦ୍ଧତିରେ ଭାଷାଧ୍ୟୟନର ଅଧିବ୍ୟବସ୍ଥା ପ୍ରବର୍ତ୍ତନର ଉପଦେୟତା ରହିଛି। ଏଥିନିମିତ୍ତ ସୁଚିନ୍ତିତ ଯୋଜନା ପ୍ରଣୟନ ହେବା ଜରୁରୀ ମନେ ହୁଏ। ନହେଲେ ଓଡ଼ିଆ ଭାଷର ଶାସ୍ତ୍ରୀୟତାର କୌଣସି ମୂଲ୍ୟ ରହିବ ନାହିଁ।

ଆମ ବଶ୍ୱବିଦ୍ୟାଳୟ ମାନଙ୍କର ଭାଷା ଗବେଷଣା କାର୍ଯ୍ୟପ୍ରତି ଦୃଷ୍ଟି ନିକ୍ଷେପ କଲେ ନିରାଶ ହେବାକୁ ପଡ଼ିଥାଏ। ଗବେଷଣା ଦ୍ୱାରା ଭାଷା ଅଧ୍ୟୟନ, ଅନ୍ୱେଷଣ, ଅନୁଶୀଳନ ଓ ତତ୍ତ୍ୱାନୁସନ୍ଧାନର ବୈଦ୍ଧିକ କଳାକୌଶଳ ଏ ପର୍ଯ୍ୟନ୍ତ ଅନୁପଲବ୍‌ଧ, ଗବେଷଣା ନିମିତ୍ତ ଗ୍ରନ୍ଥାଗାର, ଭାଷାକୋଷ, ବୌଦ୍ଧିକ ନିର୍ଦ୍ଦେଶନା ବା ଆର୍ଥିକ ଅନୁଦାନର ବିଧିବ୍ୟବସ୍ଥା ନାହିଁ। ପ୍ରତିବେଶୀ ପ୍ରଦେଶ ମାନଙ୍କରେ ଭାଷା ଗବେଷଣା ନିମିତ୍ତ ଉଚ୍ଚତର ସଂସ୍ଥା ଗଠନ କରାଯାଇଥିଲେ ହେଁ ଆମ ଓଡ଼ିଶାରେ ଏ ସମ୍ବନ୍ଧରେ ପଦେକ୍ଷେ ନିଆଯାଇପାରିନାହିଁ। ସଂକ୍ଷେପରେ କହିଲେ, ସ୍ନାତକୋତ୍ତର ଓଡ଼ଇଆ ଭାଷା ଶିକ୍ଷା କ୍ଷେତ୍ରରେ ଗବେଷଣା ଦିଗଟି ସଂପୂର୍ଣ୍ଣ ଅବହେଳିତ। ଭାଷାର ବିକାଶ ନିମିତ୍ତ ଅନୁଦାନ ଭୂମିକା ଅନସ୍ୱୀକାର୍ଯ୍ୟ। ବିଶ୍ୱର ବିଭିନ୍ନ ଅଞ୍ଚଳର ଜ୍ଞାନସଂପଦର ବିନିମୟ ଅନୁବାଦ ମାଧ୍ୟମରେ ର୍ହି ସଂଘଟିତ ହୋଇଥାଏ। ପ୍ରଚଳିତ ସ୍ନାତକୋତ୍ତର ଓଡ଼ିଆ ଶିକ୍ଷାରେ ଅନୁବାଦ ପ୍ରଶିକ୍ଷଣ ପ୍ରତି ଧ୍ୟାନ ଦିଆଯାଇନାହିଁ। ଅନୁବାଦ ନିମିତ୍ତ ପଠନସ୍ତର,ମନନସ୍ତର ଓ ବର୍ଣ୍ଣନସ୍ତର ଭିତ୍ତକ ଅଧ୍ୟୟନ ପ୍ରଣାଳୀ ସ୍ନାତକୋତ୍ତର ଓଡ଼ିଆ ଶିକ୍ଷାରେ ପ୍ରଚଳନ ହେବା ଏକାନ୍ତ ଆବଶ୍ୟକ। ଅନୁବାଦର ବିଭିନ୍ନ ରୀତି ଯଥା : ଆକ୍ଷରିକ ଅନୁବାଦ, ଭାବାନୁବାଦ, ଛାୟାନୁବାଦ, ଅର୍ଥାନୁବାଦ, ମର୍ମାନୁବାଦ ଓ ତତ୍ତ୍ୱାନୁବାଦ ପ୍ରଭୃତିକୁ ଦୃଷ୍ଟିରେ ରଖି ପାଠ୍ୟ ଖସଡ଼ା ପ୍ରସ୍ତୁତ ହେଲେ ଭାଷାର ତୁଳନାତ୍ମକ ଅଧ୍ୟୟନ ବୋଧଗମ୍ୟ ହୋଇପାରିବ। ଏତଦ୍‌ଭିନ୍ନ ପ୍ରତ୍ୟେକଟି ବର୍ଣ୍ଣ ଓ ଶବ୍ଦର ଗୁଣାତ୍ମକ ମାନ ନିର୍ଣ୍ଣୟ କରାଯାଇ ସାହିତ୍ୟିକ,ଲୌକିକ,ବୈୟାକରଣିକ ତଥା ଅଭିଧାନିକ ଅର୍ଥ ସମ୍ବଳିତ ସଂକଳନ କରାଯାଇ ଅଧ୍ୟୟନ ଓ ବୌଦ୍ଧିକ ଅନ୍ୱେଷଣକୁ ତ୍ୱରାନ୍ୱିତ କରିବାର ପ୍ରଚେଷ୍ଟା ଆମ ଭିତରେ ଜାଗ୍ରତ ହୋଇପାରିନାହିଁ। ସୂଚନାଯୋଗ୍ୟ ଯେ, କେତେକ ଅଗ୍ରଗାମୀ ଭାରତୀୟ ଭାଷାରେ ଏତାଦୃଶ ତ୍ରିଭାଷୀ ଭାଷାକୋଷ ସଂକଳନ ହୋଇସାରିଲାଣି। ପରିବର୍ତ୍ତନଶୀଳ ଓ ବିକାଶୋନ୍ମୁଖୀ ଓଡ଼ିଆ ଭାଷା ବିଭିନ୍ନ ଭାଷାରୁ ଶବ୍ଦ ଆହରଣ କରି ଅସଂଖ୍ୟ ନୂତନ ଶବ୍ଦ ସୃଷ୍ଟି ପୂର୍ବକ ବିଶାଳ ଶବ୍ଦଭଣ୍ଡାରରେ ସମୃଦ୍ଧ। ସେହି ସାରସ୍ୱତ ଭଣ୍ଡାରର ସ୍ୱରୂପ ଉପଲବ୍‌ଧି ନିମିତ୍ତ ଓଡ଼ିଆ ଭାଷାରେ ଏକ ତ୍ରିଭାଷୀ ଭାଷାକୋଷ ସଂକଳନର ଉପାଦେୟତା ରହିଛି। ବିଶ୍ୱବିଦ୍ୟାଳୟ ସ୍ତରୀୟ ସଂକଳନ ଦ୍ୱାରା ଏହା ମାର୍ଜିତ, ଶୃଙ୍ଖଳିତ, ତଥ୍ୟ ଓ ତତ୍ତ୍ୱଭିତ୍ତିକ ହେବା ଆଶା କରାଯାଏ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଆ ଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଅଦ୍ୟାବଧି ଆମେ ଗ୍ରହଣ କରିପାରିନାହେଁ।

କେତେକଙ୍କ ମତ, ସଂପ୍ରତି କଳା, ବିଜ୍ଞାନ, କାରିଗରୀବିଦ୍ୟା, ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ବୈଷୟିକ ଶିକ୍ଷା ବିଷୟରେ ନୂତନ ନୂତନ ତଥ୍ୟାବଳୀ ଆବିଷ୍କାର ହୋଇ ଅଗଣିତ ପୁସ୍ତକ ରଚନା ହେଲାଣି ଏବଂ ଏହି ପରିପେକ୍ଷୀରେ ଓଡ଼ିଆ ଭାଷାରେ ଶିକ୍ଷାପ୍ରଦାନ କଲେ ଯଥାର୍ଥ ଜ୍ଞାନ ଆହରଣ ହୋଇପାରିବ ନାହିଁ। ଏତାଦୃଶ ମତାମତ ଦେବା ପୂର୍ବରୁ ସ୍ମରଣ ରଖିବା ଉଚିତ ଯ, ଓଡ଼ିଆ ଭାଷାକୁ ଶିକ୍ଷାର ମାଧ୍ୟମ ଭାବରେ ଗ୍ରହଣ କଲେ ବିଶ୍ୱବିଦ୍ୟାଳୟ ତାର ସଂଗଠନ ପାଠ୍ୟକ୍ରମ ଓ ପରୀକ୍ଷାକେନ୍ଦ୍ର ମାଧ୍ୟମରେ ସମାଜର ବିଭିନ୍ନ ଅଂଶମାନଙ୍କମଧ୍ୟରେ ସଂପର୍କ ପ୍ରତିଷ୍ଠିତ ହୋଇ ବ୍ୟକ୍ତିବିଶେଷଙ୍କ ସହିତ ଅନ୍ତରଙ୍ଗ ସଂପର୍କ ସ୍ଥାନ ହୋଇପାରିବ। ଶିକ୍ଷାର ଧାରା ଆତ୍ମିକ ସନନ୍ଦ ରୂପେ ପ୍ରତିଭାତ ହୋଇ ଓଡ଼ିଆ ଭାଷାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦିର ପୁସ୍ତକର ପ୍ରଣୟନ ଓ ପ୍ରକାଶନ ଦ୍ରୁତତର ହେବ। ବିଦେଶୀ ଭାଷା ଶିକ୍ଷଣରେ ଅପାରଗ ଛାତ୍ର ବିଶ୍ୱବିଦ୍ୟାଳୟ ଶିକ୍ଷାରୁ ବଂଚିତ ହେବେ ନାହିଁ। ଜଣେ ଛାତ୍ର ଓଡ଼ିଆ ଭାଷା ମାଧ୍ୟମରେ ଯେଉଁ ତଥ୍ୟ ଆହରଣ କରିବ ଏବଂ ଯେଉଁ ଜ୍ଞାନ ଅର୍ଜନ କରିବ, ତାହା ତା’ର ଜୀବନ ପ୍ରବାହ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ସୃଜନଶୀଳ ପରଂପରା ସୃଷ୍ଟି କରିବ। ଅର୍ଥାତ୍ ଏହି କ୍ଷେତ୍ରରେ ଜଣେ ଛାତ୍ରର ଆତ୍ମପ୍ରକାଶ ସହଜ, ସରଳ ଓ ସ୍ୱାଭାବିକ ହୋଇପାରିବ। ଏହାଦ୍ୱାରା ପ୍ରଜ୍ଞାର ଅସଲ ସ୍ୱରୂପର ପରିଚୟ ଉପଲବ୍‌ଧ ହୋଇପାରିବ। ଏହା ବ୍ୟତୀତ ଏକ ସୁଚିନ୍ତିତ, ତଥ୍ୟଭିତ୍ତିକ, ମୂଲ୍ୟବୋଧ ସମ୍ପନ୍ନ, ସୃଜନଶୀଳ କମ୍ପୁଟର ଭିତ୍ତିକ ଭାଷା ପାଠ୍ୟକ୍ରମ ପ୍ରବର୍ତ୍ତନର ପୟୋଜନୀୟତା ସମୀଚୀନ ବୋଧହୁଏ।

ଭାଷା ବିକାଶର ଗୋଟିଏ ଅଣ-ସାହିତ୍ୟଧାରା ହେଉଛି ପାଠ୍ୟ ପୁସ୍ତକ। ପ୍ରାଥମିକ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ନାନା ପାଠ୍ୟ ବିଷୟକ ଗ୍ରନ୍ଥ ପ୍ରକାଶିତ ହୋଇଥାଏ। ପାଠ୍ୟ ପୁସ୍ତକ ତଥ୍ୟ ପ୍ରସାରର ଏକ ବଳିଷ୍ଠ ମାର୍ଗ। ପାଠ୍ୟ ପୁସ୍ତକ ମାଧ୍ୟମରେ ଭାଷା ଭାଷୀମାନେ ଭାଷାର ବୌଦ୍ଧିକ ଦିଗ ସହ ପରିଚିତ ହୋଇଥାନ୍ତି। ଏ ଗୁଡ଼ିକ ମାଧ୍ୟମରେ ହଜାର ହଜାର ନୂତନ ଶବ୍ଦ ଓଡ଼ିଆ ଭାଷାରେ ପ୍ରବେଶ କରିଥାଏ। ପାଠ୍ୟ ପୁସ୍ତକରେ ସ୍ଥାନିତ ଶବ୍ଦମାନଙ୍କର ନିର୍ଦ୍ଧିଷ୍ଟ ସଂଜ୍ଞା, ଅର୍ଥ ଓ ସ୍ୱତନ୍ତ୍ର ରହିଛି। ତେଣୁ ଅକ୍ଳେଶରେ ସେହି ଶ୍‌ଦଗୁଡ଼ିକ ଭାଷାରେ ପ୍ରତିଷ୍ଠିତ ହୋଇପାରୁଛି। ଭାଷା ବିଜ୍ଞାନୀମାନଙ୍କ ମତରେ “ଗୋଟିଏ ଆଧୁନିକ ଭାଷା କାବ୍ୟ କବିତା ଓ ଗଳ୍ପଉପନ୍ୟାସକୁ ଆଶ୍ରୟ କରି ଅଗ୍ରସର ହୋଇପାରିବ ନାହିଁ”। ଭାଷା ହେଉଛି ଜ୍ଞାନ ବିଜ୍ଞାନର ବସ୍ତୁ ଏବଂ ସାହିତ୍ୟ ହେଉଛି କଳାର ବସ୍ତ୍ର। ଅନେକଙ୍କର ଧାରଣା, ସାହିତ୍ୟ ଭାଷାକୁ ସମୃଦ୍ଧ କରିଥାଏ। ଆମକୁ ସ୍ମରଣ ରଖିବାକୁ ହେବ ଯେ, ବିଶାଳ ସାହିତ୍ୟ ଭଣ୍ଡାରର ଅଧିକାରୀ ମୈଥିଳୀ ଭାଷା ସଂପ୍ରତି ହିନ୍ଦୀର ଏକ ଉପଭାଷା ଏବଂ ଏହାର ଲିପି ବଙ୍ଗଳା ଭାଷାରେ ବ୍ୟବହୃତ । ମୈଥିଳୀ ଓ ଭୋଜପୁରୀ ପ୍ରଭୃତି ଗୋଟିଏ ଗୋଟିଏ ଉତ୍କୃଷ୍ଟ ଓ ପ୍ରାଚୀନ ଭାଷା ହୋଇଥିଲେ ହେଁ ସଂପ୍ରତି ଉପଭାଷାରେ ପରିଣତ ହୋଇଛି। ବିପୁଳ ସାହିତ୍ୟ ଏହି ସବୁ ଭାଷାକୁ ସୁରକ୍ଷା ଦେଇ ପାରିନାହିଁ। ସେହିପରି ପ୍ରାଚୀନ ସଂସ୍କୃତ ଭାଷାର ବିଶାଳ ସାହିତ୍ୟ ଭଣ୍ଡାର ରହିଛି। କିନ୍ତୁ ଏହି ଭାଷା ମାତୃଭାଷା ଗୌରବରୁ ବଂଚିତ। ଭାଷା ପ୍ରକାର ଐଶ୍ୱର୍ଯ୍ୟମୟ ଆଭାସରେ ଉଦ୍‌ଭାସିତ ହେଲେ ସାହିତ୍ୟ ସୃଷ୍ଟି କରିଥାଏ। କିନ୍ତୁ ଏହାର ଅର୍ଥ ନୁହେଁ, ସାହିତ୍ୟ ଭାଷଶକୁ ବଂଚାଇ ରଖିଥାଏ। ପୃଥିବୀରେ ଅସଂଖ୍ୟ କଥିତ ଭାଷା ରହିଛି ଯେଉଁସବୁ ଭାଷାରେ ସାହିତ୍ୟ ନାହିଁ, ତଥାପି ସେହି ଭାଷଶଗୁଡ଼ିକ ଶହ ଶହ ବର୍ଷ ଧରି ବଂଚି ରହିଛି। ସାହିତ୍ୟ ନଥାଇ ଭାଷା ଅଛି, କିନ୍ତୁ ଭାଷା ନଥାଇ ସାହିତ୍ୟ ନାହିଁ। ସାହିତ୍ୟ ଭାଷାର ଅଳଙ୍କାର ସାଜି ଭାଷାକୁ ଗୌରବମଣ୍ଡିତ କରିଥାଏ, ଅଥଚ ଭାଷଶ ବିକାଶରେ ସାହିତ୍ୟର ଭୂମିକା ଗୌଣ। ଭାଷଶ ବିକାଶରେ ସାହିତ୍ୟର ଭୂମିକା ଗୌଣ ହେଲେ ହେଁ ପାଠ୍ୟ ପୁସ୍ତକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ପାଠ ପୁସ୍ତକ ମାଧ୍ୟମରେ ଓଡ଼ିଆ ଭାଷାର ବୌଦ୍ଧିକ ଦିଗ ସହିତ ପରିଚିତ ହେବା ନିମିତ୍ତ ପର୍ଯ୍ୟାପ୍ତ ବିଧିବ୍ୟବସ୍ଥା ପ୍ରଣୟନର ଆବଶ୍ୟକତା ରହିଛି। ଆଧିୁନିକ ବିଦ୍ୟାକୁ ନେଇ ଓଡ଼ିଆ ଭାଷାରେ ବହୁ ପାଠ୍ୟ ପୁସ୍ତକ ପ୍ରଣୟନର ଆବଶ୍ୟକତା ରହିଛି। ଆଧୁନିକ ବିଦ୍ୟାକୁ ନେଇ ଓଡ଼ିଆ ଭାଷାରେ ବହୁ ପାଠ୍ୟ ପୁସ୍ତକ ପ୍ରଣୟନ ହୋଇ ପରିଲେ ନୂତନ ଶବ୍ଦ, ବୈଷୟିକ ଶବ୍ଦ, ଅର୍ଥ, ତଥ୍ୟ ଜ୍ଞାନବିଜ୍ଞାନ ଓଡ଼ିଆ ଭାଷାରେ ପ୍ରବେଶ କରି ଓଡ଼ିଆ ଭାଷା ସମୃଦ୍ଧ ହୋଇପାରିବ।

ଓଡ଼ିଆ ଭାଷାକୁ ପରିପୁଷ୍ଟ କରିବାର ବହୁ ସାଧନ ଆଜିର ବିଜ୍ଞାନ ଆମକୁ ଯୋଗାଉଛି। ଭାଷାକୁ ଯୋଜନାୟିତ କରି ଗଢ଼ିତୋଳିଲେ ଭାଷା ବିକଶିତ ହୋଇପାରିବ । ଭାଷାକୁ ଯୋଜନାୟିତ କରିବାର ଦୁଇଟି ଦିଗ ରହିଛି। ତାହା ହେଉଛି ପ୍ରତିଷ୍ଠାଗତ ଓ ତଥ୍ୟଗତ। ଆଇନଗତ ସ୍ୱୀକୃତିରୁ ପ୍ରତିଷ୍ଠାଗତ ବିକାଶ ଘଟିଥାଏ। ଭାରତର ସମ୍ବିଧାନ ସ୍ୱୀକୃତ ବାଇଶି ଗୋଟି ଭାଷା ମଧ୍ୟର ଓଡ଼ିଆ ଭାଷା ଅନ୍ୟତମ। ଅନ୍ୟାନ୍ୟ ଭାରତୀୟ ଭାଷାଗୁଡ଼ିକ କେନ୍ଦ୍ରରୁ ଯେଉଁ ପରିମାଣରେ ସାହାଯ୍ୟ ପାଇଥାନ୍ତି, ଓଡ଼ିଆ ଭାଷା ସେତିକି ସାହାଯ୍ୟ ପାଇନାହିଁ। ଏପରିକି ଦୀର୍ଘ ଦିନ ହେବ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥବଲେ ହେଁ ଉଦ୍‌ଘୋଷିତ ଅନୁଦାନ ପ୍ରଦାନ କରିନାହାନ୍ତି। ପରିଣାମ ସ୍ୱରୂପ, ଓଡ଼ିଆ ଶବ୍ଦ କୋଷର ମାନକୀକରଣ, ସକଳ ଆଇନ ଓ ନିୟମାବଳୀର ଓଡ଼ିଆ ଅନୁବାଦ, ଆଦର୍ଶ ରଚନା, ପତ୍ରଲିଖନ ଓ ଟିପ୍ପଣୀର ସଂକଳନ, ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ପ୍ରଭୃତିର ଅଗ୍ରଗତି ଘଟିପାରିନାହିଁ। ଓଡ଼ିଶାରେ ଅବସ୍ଥିତ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବିଭିନ୍ନ କମ୍ପାନୀର କାର୍ଯ୍ୟାଳୟ, ରେଲ ବିଭାଗ ପ୍ରଭୃତିରେ ଓଡ଼ିଆ ବ୍ୟବହାର ହୁଏ ନାହିଁ। ସଂକ୍ଷେପରେ କହିଲେ ସାମ୍ବିଧାନିକ ସ୍ୱୀକୃତି ଓ ଆଇ ଦ୍ୱାରା ଓଡ଼ିଆ ଭାଷାର ସ୍ୱାର୍ଥ ସୁରକ୍ଷିତ, ଅଥଚ ସମୃଦ୍ଧି ଉପେକ୍ଷିତ । ଗୋଟିଏ ଭାଷାକୁ ରାଜନୈତିକ ପ୍ରତିଷ୍ଠା ପ୍ରଦାନର କାରଣ ହେଉଛି ଯେ, ଜଣେ ଭାଷା ଭାଷୀ ଆଇନତଃ ସେହି ଭାଷାରେ ସକଳ ସେବା ଦାବି କରିପାରିବ, ଯାହା ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସମ୍ଭବ ହୋଇପାରିନାହିଁ। ଉଦାହରଣ ସ୍ୱରୂପ, ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟରେ “ଶହେ ଟଙ୍କା” ନଲେଖି “ଏକ ଶତଟଙ୍କା” ଲେଖୁଛନ୍ତି, ରେଲଗାଡ଼ିମାନଙ୍କରେ ଇଂରାଜୀରେ “ସ୍ଲିପର କୋଚ” ଓ ହିନ୍ଦୀରେ “ଶୟନଯାନ” ଲେଖାଯାଉଥିଲେ ହେଁ ଓଡ଼ିଆରେ କିଛି ଲେଖାଯାଉନାହିଁ । କ୍ରିକେଟମ୍ୟାଚର ଧାରାବିବରଣୀ ଇଂରାଜୀ ଓ ହିନ୍ଦୀରେ ପ୍ରଦାନ କରାଯାଉଥିଲେ ହେଁ ଓଡ଼ିଆରେ ଦିଆଯାଉନାହିଁ। ଓଡ଼ିଶାରେ ବିକ୍ରୟ କରାଯାଉଥିବା ବିଭିନ୍ନ କମ୍ପାନୀ ପ୍ରସ୍ତୁତ ବସ୍ତୁର ନାମ ଇଂରାଜୀ ଓ ହିନ୍ଦୀରେ ଉଲ୍ଲେଖ ଥିବା ବେଳେ ଓଡ଼ିଆରେ ଉଲ୍ଲେଖ କରାଯାଉନାହିଁ। ଏଥି ନିମିତ୍ତ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ଆଇନର ଆଶ୍ରୟ ନେଇପାରିବେ। ସଂପ୍ରତି ଓଡ଼ିଆ ଗୋଟିଏ ପ୍ରତିଷ୍ଠିତ ଶାସ୍ତ୍ରୀୟ ଭାଷା, କିନ୍ତୁ ସଚେତନାତାର ଅଭାବରୁ ଏହା ସରକାରୀ ଓ ବେସରକାରୀ ସ୍ତରରେ ଉପେକ୍ଷିତ। ଆଇନଗତ ଯୋଜନା ଦ୍ୱାରା ଏହାର ନିରାକରଣ କରାଯାଇପାରେ, ଯାହାଦ୍ୱାରା ଓଡ଼ିଆମାନେ ସେମାନଙ୍କର ଭାଷାଧିକାର ସଂପର୍କରେ ସଚେତନ ହୋଇପାରିବେ ଯୋଜନାର ଅନ୍ୟ ଦିଗଟି ହେଉଛି ତଥ୍ୟଗତ। ଆଧୁନିକ ସଭ୍ୟତା ଭାଷାର ଦ୍ରୁଢ଼ ପ୍ରସାର ଓ ବିସ୍ତାର ଉପରେ ପ୍ରଧାନ୍ୟ ଦେଇଥାଏ। ଏହି ବିସ୍ତାର କଥିତ ମାଧ୍ୟମ ଓ ଲିଖିତ ମାଧ୍ୟମ ଦ୍ୱାରା ସଂଘଟିତ ହୋଇଥାଏ। ରେଡ଼ିଓ, ଟେଲିଭିଜନ, ଫିଲ୍ମ ଓ କ୍ୟାସେଟ ପ୍ରଭୃତି ଦ୍ୱାରା କଥିତ ମାଧ୍ୟମରେ ଭାଷାର ସାପ୍ରସାରଣ ଘଟିଥାଏ। ଲିଖିତ ମାଧ୍ୟମର ଉପାୟ ଗୁଡ଼ିକ ହେଉଛି ସାହିତ୍ୟ ଓ ସମ୍ବାଦପତ୍ର। ଭାଷାର ବିସ୍ତାର ନିମିତ୍ତ କଥିତ ମାଧ୍ୟମ ଅପେକ୍ଷା ଲିଖିତ ମାଧ୍ୟମର ଅବଦାନ ବେଶୀ। ଲିଖିତ ମାଧ୍ୟମରେ ଭାଷାରମାନ ଅଧିକ ସୁରକ୍ଷିତ ହୋଇଥାଏ। ଭାଷା ନିମିତ୍ତ ଲିଖିତ ସାହିତ୍ୟର ଏକ ବିରାଟ ସମାଜ ତାତ୍ତ୍ୱିକ ଭୂମିକା ରହିଛି। ଭାଷଶ ବିଜ୍ଞାନୀଗଣ ସାହିତ୍ୟକୁ ବର୍ଣ୍ଣନାତ୍ମକ ଓ ଅଣବର୍ଣ୍ଣନାତ୍ମକ ଦୁଇଭାଗରେ ବିଭକ୍ତ କରିଛନ୍ତି। ବର୍ଣ୍ଣନାତ୍ମକ ସାହିତ୍ୟ କଳ୍ପନା ପ୍ରସୂତ। ଏଗୁଡ଼ିକ ହେଉଛି କାବ୍ୟ, କବିତା, ଗଳ୍ପ ଓ ଉପନ୍ୟାସ ପ୍ରଭୃତି। କିନ୍ତୁ ଅଣବର୍ଣ୍ଣନାତ୍ମକ ସାହିତ୍ୟ ତଥ୍ୟ ଭିତ୍ତିକ। ଆଧୁନିକ ଭାଷାର ପ୍ରସାର ନିମିତ୍ତ ବର୍ଣ୍ଣନାତ୍ମକ ସାହିତ୍ୟର ଭୂମିକା ଗୌଣ। କାରଣ ସମାଜରେ ତଥ୍ୟ ବିତରଣ ପାଇଁ ଏହା କ୍ୱଚିତ ସାହାଯ କରିଥାଏ। ଭାଷର ପ୍ରକୃତ ଦକ୍ଷତାର ବିଚାର ହୁଏ। ଅଣବର୍ଣ୍ଣନାତ୍ମକ ସାହିତ୍ୟରେ, ଯହିଁଏ କଳ୍ପନା ପରିବର୍ତ୍ତେ ବୌଦ୍ଧିକ ତଥ୍ୟ ବା ମୌଳିକ ଚିନ୍ତାର ପ୍ରସାର ଘଟିଥାଏ। ଅଣବର୍ଣ୍ଣାନାତ୍ମକ ଗଦ୍ୟ ସାହିତ୍ୟ ନିମିତ୍ତ ମାନକ ଭାଷାର ବ୍ୟବହାର ବାଧ୍ୟତାମୂଳକ। ଉଚ୍ଚମାନର ମୌଳିକ ପ୍ରବନ୍ଧ ଓ ରଚନା ପ୍ରଭୃତି ହେଉଛି ଅଣବର୍ଣ୍ଣନାତ୍ମକ ଗଦ୍ୟର ଉଦାହରଣ। ସମାଜର ଅଗ୍ରଗତି କାଳ୍ପିକ ସାହିତ୍ୟ ଅପେକ୍ଷା ତଥ୍ୟଭିତ୍ତିକ ସାହିତ୍ୟ ଉପରେ ନିର୍ଭରଶୀଳ। ସେଥିନିମିତ୍ତ ଏକ ଉନ୍ନତ ଗଦ୍ୟ ପରଂପରାର ପ୍ରୟୋଜନୀୟତା ରହିଛି। କିନ୍ତୁ ଏତାଦୃଶ ଗଦ୍ୟ ପରିବର୍ତ୍ତେ ଓଡ଼ିଆ ଭାଷଶ ଏପର୍ଯ୍ୟନ୍ତ କାବ୍ୟିକ ଭାଷା ସ୍ତରରେ ରହିଯାଇଛି। ଓଡ଼ିଆ ଭାଷାକୁ ଏକ ସମୃଦ୍ଧ ଭାଷାରେ ପରିଣତ କରିବାକୁ ହେଲେ ଏହାକୁ ଉପରୋକ୍ତ ଦୁଇଟି ଦିଗରୁ ଏକ ଯୋଜନାୟିତ ଭାଷାର ପରିସର ଭିତରକୁ ଆଣିବାକୁ ପଡ଼ିବ। ଭାଷାର ଆଇନଗତ ଓ ତଥ୍ୟଗତ ଅଙ୍ଗ ଦୁଇଟି ପୁଷ୍ଟ ହେଲେ, ଭାଷଶ ଆପେ ଆପେ ଭବିଷ୍ୟତ ସମାଜ ନିମିତ୍ତ ଯୋଗ୍ୟ ହେବ। ଏ ଦିଗରେ ତୁରନ୍ତ ପ୍ରଚେଷ୍ଟା ଆବଶ୍ୟକ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭ କଲାଣି। ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଏହି ଭାଷାକୁ ପ୍ରତିଷ୍ଠିତ କରିବାର ସୁସମୟ ଉପଗତ। ଏହାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଆମକୁ ସୁଚିନ୍ତିତ ଯୋଜନା ଓ ସୁପରିକଳ୍ପିତ କୌଶଳ ଅବଲମ୍ବନ କରିବାକୁ ପଡ଼ିବ। ଏହାକୁ ଯୋଜନାୟିତ ଭାବେ ଚାରିଗୋଟି ଦିଗରୁ ସ୍ପଷ୍ଟ କରିବାକୁ ପଡ଼ିବ। ପ୍ରଥମରେ ଜନସାଂଖିକ, ଦ୍ୱିତୀୟରେ ସାମାଜିକ, ତୃତୀୟରେ ଭାଷାତାତ୍ତ୍ୱିକ ଏବଂ ଚତୁର୍ଥରେ ଆଇନଗତ ଦିଗରୁ ଏହାକୁ ପୁଷ୍ଟ କରିବାକୁ ପଡ଼ିବ। ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଭାଷାର ବ୍ୟାପକ ପ୍ରଚଳନ ଓ ପ୍ରାଧାନ୍ୟ ବୃଦ୍ଧି କରିବା ନିମିତ୍ତ ଆମକୁ ଭାଷା ସ୍ୱାଭିମାନୀ ହେବାକୁ ପଡ଼ିବ। ଶିକ୍ଷା କ୍ଷତ୍ରରେ ଭାଷର ପ୍ରୟୋଗ ନିମିତ୍ତ ଆମ ଶିକ୍ଷାନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଆମକୁ ବିଶେଷ କୌଶଳ ଓ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସରକାରୀ ସ୍ତରରେ ହେଉ ବା ବେସରକାରୀ ଉଦ୍ୟମରେ ହେଉ ପ୍ରତ୍ୟେକ ପଞ୍ଚାୟତରେ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ହେବ। ଏହି ଅନୁଷ୍ଠାନ ତୃଣମୂଳ ସ୍ତରରେ ପ୍ରତିଟି ପଞ୍ଚାୟତରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଓ ପ୍ରଚଳନ ନିମିତ୍ତ କାର୍ଯ୍ୟ କରିବ। ପ୍ରତେକ ଜିଲ୍ଲାରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଶାଖା ଖୋଲାଯାଇ ଜଣେ ଜଣେ ଭାଷା ବିଶେଷଜ୍ଞଙ୍କୁ ନିଯୁକ୍ତି କରିବାକୁ ହେବ। ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ପ୍ରତିଷ୍ଠାନ ଜିଲ୍ଲା ଓ ପଞ୍ଚାୟତ ସ୍ତରୀୟ ଅନୁଷ୍ଠାନକୁ ନିୟନ୍ତ୍ରଣ କରିବ। ପ୍ରଦେଶିକ ସ୍ତରରେ ଭାଷା ସମୃଦ୍ଧି ନିମିତ୍ତ ସ୍ୱନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇ ଏହାକୁ ରାଜନୈତିକ ପ୍ରଦୂଷଣ ମୁକ୍ତ କରିବାକୁ ପଡ଼ିବ। ବିଶ୍ୱ ବିଦ୍ୟାଳୟ ସ୍ତରରେ ଭାଷା ଗବେଷଣାକୁ ବ୍ୟାପକ କରିବାକୁ ପଡ଼ିବ । ଭାଷା ବିଜ୍ଞାନ ଭିତ୍ତିକ ଗବେଷଣା ଦ୍ୱାରା ଅନ୍ୱେଷଣକୁ ବୈଦ୍ଧିକ ବିଚାର ସଂପନ୍ନ କରାଯାଇ ଭାଷାର ବୌଦ୍ଧିକ ବିକାଶ ତ୍ୱରାନ୍ୱିତ କରାଯିବା ନିମିତ୍ତ ପ୍ରଚେଷ୍ଟା ଜାରୀ ରହିବ। ବର୍ତ୍ତମାନ ଯୋଜନାୟିତ ଭାଷାର ଯୁଗ ହୋଇଥିବାରୁ ଏ ଦିଗରେ ବିଶେଷ ସତର୍କତା ଅବଲମ୍ବନ କରିବା ଏକାନ୍ତ ପ୍ରୟୋଜନ।

One thought on “ଶାସ୍ତ୍ରୀୟ ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି

  1. ଆପଣଙ୍କର ଅନନ୍ୟ ମହତ୍ ପୃଷ୍ଟା ଏବଂ ନିଷ୍ଠାପର ଉଦ୍ୟମ ପାଇଁ ଅନେକ ୨ ଧନ୍ୟବାଦ…

Leave a Reply

Your email address will not be published. Required fields are marked *