ନବଗୁଞ୍ଜର, ପୁରାଣ ବର୍ଣିତ ଏକ ଅଦ୍ଭୁତ କାଳ୍ପନିକ ପ୍ରାଣୀ ଯାହାକି ନ’ଅ ଟି ଜୀବଙ୍କ ସମାହାର। ଏହାର ବର୍ଣ୍ଣନା କେବଳ ଓଡ଼ିଆ ଆଦିକବି ସାରଳା ଦାସଙ୍କ ରଚିତ ସାରଳା ମହାଭାରତର ବନପର୍ବରେ ଅଛି।
ପାଣ୍ଡଵମାନେ କପଟ ପଶାଖେଳ ରେ ସର୍ବସ୍ବ ହରାଇ ବନବାସକୁ ଯାଇଥିଲେ। ଅର୍ଜୁନ ଘୋର ତପସ୍ୟା ମଗ୍ନ ଥାନ୍ତି ! ସେ ସମୟରେ ଏହି ଅଦ୍ଭୁତ ଯୁଗ୍ମପ୍ରାଣୀ ତାଙ୍କ ସମ୍ମୁଖ ରେ ଉଭାହେଲେ। ଏପରି ଏକ ଅଭୂତପୂର୍ବ ବିଶାଳ ପ୍ରାଣୀଟିକୁ ଦେଖି ଅର୍ଜୁନ ପ୍ରଥମେ ଭୟଭୀତ ହୋଇ ଯାଇଥିଲେ ଏବଂ ଧନୁଶର ଉଠାଇବାକୁ ଚିନ୍ତା କରିଥିଲେ।
ଏହି ବିଚିତ୍ର ପ୍ରାଣୀଟିର ମୁଣ୍ଡ କୁକ୍କୁଟ ର, ବେକ ମୟୁର ର, ଗଣ୍ଡି ସିଂହର, ଚୁଳ ବୃଷଭର, ଲାଞ୍ଜଟି ସର୍ପ , ପଛ ଦୁଇଟି ଗୋଡ ରୁ ଗୋଟିଏ ବାଘ ର ଏବଂ ଆରଟି ଘୋଡା ର, ଆଗପଟ ର ଗୋଟିଏ ଗୋଡ ହାତୀ ର ଏବଂ ଆଉ ଗୋଟିଏ ମଣିଷର ହାତ ଯେ କି ଗୋଟିଏ ଚକ୍ର ଧରିଛି।
ଏହି ବିଚିତ୍ର ବିଶାଳ ଯୁଗ୍ମପ୍ରାଣୀ କୁ ଦେଖି କିଛି ସମୟ ପାଈଁ ଆଚମ୍ବିତ, ଭୟଭୀତ ଓ ସମ୍ମୋହିତ ହୋଇ ଯାଇଥିଲେ ସତ, କିନ୍ତୁ ନବଗୁଞ୍ଜର ଙ୍କ ମଣିଷ ହାତରେ ସୁଦର୍ଶନ ଚକ୍ର ଧରିଥିବା ଦେଖି ଅର୍ଜୁନ ବୁଝିଗଲେ ଯେ ବିଷ୍ଣୁ ବା କୃଷ୍ଣ ତାଙ୍କୁ ପରୀକ୍ଷା କରିବା ପାଈଁ ଏପରି ଅଦ୍ଭୁତ ରୂପ ଧାରଣ କରିଛନ୍ତି। ଅର୍ଜୁନ ସଂଗେ ସଂଗେ ପ୍ରଣିପାତ କରି ବିଷ୍ଣୁଙ୍କର ବନ୍ଦନା ଆରମ୍ଭ କରିଦେଲେ ! ଭଗବାନ ଅର୍ଜୁନଙ୍କ ସ୍ତୁତି ରେ ପ୍ରୀତହୋଇ ତାଙ୍କୁ ସ୍ୱରୂପ ରେ ଦେଖାଦେଲେ ଏବଂ ଇପ୍ସିତ ବରଦାନ ଦେଲେ।
ଅନେକ ଟୀକାକାର ଏହି ପ୍ରକରଣକୁ କୃଷ୍ଣଙ୍କ “ଦ୍ଵିତୀୟ ବିଶ୍ଵରୂପ ଦର୍ଶନ” ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ! ଭଗବଦଗୀତାର ଏକାଦଶ ଅଧ୍ୟାୟରେ ବର୍ଣ୍ଣିତ ପ୍ରସିଦ୍ଧ “ବିଶ୍ଵରୂପ ଦର୍ଶନ”, ଅବଶ୍ୟ ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧ ସମୟରେ ହିଁ ଘଟିଥିଲା।
ଏହିପରି ନ’ଅ ଟି ପ୍ରାଣୀର ମିଶ୍ରିତ ରୂପର ଉଲ୍ଲେଖ ଆଉ କୌଣସି ଭାରତୀୟ କିମ୍ବା ଅନ୍ୟ କେଉଁ ଦେଶର ଶାସ୍ତ୍ର,ପୁରାଣ ବା’ ପ୍ରାଚୀନ ଗ୍ରଂଥ ରେ ଦେଖାଯାଏ ନାହିଁ। ନବଗୁଞ୍ଜର ର ଚିତ୍ରଣ ଓଡ଼ିଶାର ପଟ୍ଟଚିତ୍ରରେ, ମନ୍ଦିର ଭାସ୍କର୍ଯ୍ୟ ରେ , ଲୋକ ଚିତ୍ରକଳା ରେ , ହସ୍ତତନ୍ତ ଶାଢ଼ୀରେ ଏବଂ ଅନ୍ୟ ସାମଗ୍ରୀ ରେ ତଥା ମଂଚ ଅଭିନୟ ଉପାଖ୍ୟାନ ଆଦିରେ ମଧ୍ୟ ଦେଖିବାକୁ ମିଳେ ! ପୁରୀ ଶ୍ରୀମନ୍ଦିରର ପୃଷ୍ଠଭାଗ ରେ ନବଗୁଞ୍ଜର ଉପାଖ୍ୟାନ ଖୋଦିତ ହୋଇ ରହିଛି। ଶ୍ରୀମନ୍ଦିର ଶିଖର ରେ ଥିବା ନୀଳଚକ୍ରର ପରିଧିରେ ମଧ୍ୟ ଆଠ ଗୋଟି ନବଗୁଞ୍ଜର ମୂର୍ତ୍ତି ଖୋଦିତ ହୋଇଛି ବୋଲି କୁହାଯାଏ।
ଭାରତର ଅନ୍ୟ କେତେକ ପ୍ରଦେଶରେ ମନ୍ଦିର ଶିଳ୍ପକଳାରେ କେବଳ ଦୁଇ କିମ୍ବା ତିନୋଟି ଯୁଗ୍ମ ପ୍ରାଣୀଥିବା ଚିତ୍ର ଅଛି। ନ’ଅ ଟି ପ୍ରାଣୀ ର ଯୁଗ୍ମମୂର୍ତ୍ତି “ନବଗୁଞ୍ଜର”, କେବଳ ଓଡ଼ିଶାର ଏବଂ ଏଯାବତ ଓଡ଼ିଆ ଜୀବନ୍ତ ସଂସ୍କୃତିର ନିଜସ୍ୱ।
ଗ୍ରୀସ ଦେଶ ର ପ୍ରାଚୀନ ଚିତ୍ରକଳା ଏବଂ ଲୋକକଥା ରେ କେବଳ ଦୁଇଟି ପ୍ରାଣୀର ବିଚିତ୍ର ଯୁଗ୍ମମୂର୍ତ୍ତି “କିମେରା”ର ବର୍ଣ୍ଣନା ରହିଛି। ଅନ୍ୟ କେତେକ ଦେଶରେ ମଧ୍ୟ ଦୁଇଟି ଅଥବା ତିନୋଟି ପ୍ରାଣୀର ଯୁଗ୍ମଚିତ୍ର ରହିଛି। କିନ୍ତୁ ପୃଥିବୀର ଆଉ କୌଣସି ଦେଶରେ ଏଭଳି ନ’ଅଟି ପ୍ରାଣୀର ବିଚିତ୍ର ଯୁଗ୍ମ ମୂର୍ତ୍ତି ଦେଖାଯାଇନାହିଁ।
ଏହା ବ୍ୟତୀତ ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ଅତୀତରେ ଲୋକପ୍ରିୟ ଗଞ୍ଜପା ଖେଳ ରେ ମଧ୍ୟ ନବଗୁଞ୍ଜର ଚିତ୍ର ଥିବା ଗୋଲାକାର ତାସପତା ର ପ୍ରଚଳନ ଥିଲା। ଏବେ ସେଇଭଳି ହାତତିଆରି ଗଞ୍ଜପା ସେଟ ଏକ ପର୍ଯ୍ୟଟକ ଆକର୍ଷଣ ରୂପେ ଗଣାଯାଉଛି।
ଆସନ୍ତୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଯେଉଁ ସବୁ ନିଆରା କଥାଗୁଡିକ ରହିଛି ତାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବା, ବିଶେଷ କରି ଓଡ଼ିଆ ଯୁବଗୋଷ୍ଠୀକୁ ଆମର ସାଂସ୍କୃତିକ ବିଶେଷତ୍ୱ ସହିତ ପରିଚିତ କରାଇବା! ଏହା ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନର ନବ ଜାଗରଣରେ ମଧ୍ୟ ସହାୟକ ହେବ ବୋଲି ଆମର ଆଶା ଓ ବିଶ୍ବାସ।
ଜୟ ଜଗନ୍ନାଥ ! ଜୟ ନବଗୁଞ୍ଜର !
‘Nabagunjar’ is a philosophical concept which we don’t find anywhere else, but only in the Sarala Mahabharata of Odisha. Thank you for writing about it.
Now we need more to discuss about Nabagujara; because it is not only unique in India besides that this is an unique concept in the whole world. Regards