ଦେବଦାସ ଛୋଟରାୟଙ୍କ ସିନେମା ଗୀତ

ବହିଟିର ମଲାଟ ଓଲଟାଇଲେ ଯେଉଁ ବାକ୍ୟଟି ପ୍ରଥମେ ଦୃଷ୍ଟିରେ ପଡେ ତା’ ହେଉଛି ବିଶିଷ୍ଟ ଗୀତିକାର ଶ୍ରୀ ଦେବଦାସ ଛୋଟରାୟଙ୍କ ଏକ ଖୋଲା ସ୍ବୀକାରୋକ୍ତି : “ଏମିତି କହିଲେ ଯଥେଷ୍ଟ ହେବ, ଯେମିତି କଟକ ସହର ନଥିଲେ ଏ ପୃଥିବୀରେ ମୋର ରହିବା ଜାଗା ନଥାନ୍ତା, ସେମିତି ଅକ୍ଷୟ ମହାନ୍ତି ନଥିଲେ ମୁଁ ଏ ସିନେମା ଗୀତର ଦୁନିଆରେ କେବେ ବି ନଥାନ୍ତି।” ଓଡିଆ ସଂଗୀତର ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଯେ ଦେବଦାସଙ୍କ ଗୀତି କବିତା ପାଇଁ ପ୍ରେରଣାର ମୂଳ ଉତ୍ସ ଏଥିରେ ଦ୍ବିମତ ନାହିଁ। ସେ ଆହୁରି ମଧ୍ୟ କହନ୍ତି, “ଗୀତ ଭିତରେ କାହାଣୀ ଥାଏ ନା କାହାଣୀ ଭିତରେ ଗୀତ ଥାଏ, ଏହା ଏକ ଚିରନ୍ତନ ପ୍ରହେଳିକା। ଅକ୍ଷୟ ମହାନ୍ତି ମତେ ଶିଖେଇଥିଲେ କେମିତି ଆଠଧାଡିର ଏକ ସଂକୀର୍ଣ୍ଣ ଗୀତ ଭିତରେ ସମ୍ପୂର୍ଣ୍ଣ କାହାଣୀ କହିହେବ।”
ଥିମ୍ ର ପ୍ରକାର ଭେଦକୁ ନେଇ ପୁସ୍ତକଟିରେ ସନ୍ନିବେଶିତ ଗୀତି କବିତାଗୁଡିକ ଏଗାରଟି ଭାଗରେ ବିଭକ୍ତ, ଯଥା :- ‘ହେ ମୋର ଜୀବନ’, ‘ସପନ ବଣିକ’, ‘ତିନୋଟି ଝିଅ’, ‘ତୁମେ ଜାଣନା’, ‘ନୟନତାରା’, ‘ତୋ ଆଖି ମୋ ଆଇନା’, ‘ଲାଲ୍ ଟୁକଟୁକ୍ ଝିଅ’, ‘ପାଣିରେ ପାଣି’, ‘ନିଛାଟିଆ’, ‘ଗୋଲାପର ପାଖୁଡ଼ା’, ଏବଂ ‘ଗୀତ ପଛର ଗପ’।
ଏଥିରୁ ପ୍ରତିଭାତ ହୁଏ ଯେ ଗୀତିକାରଙ୍କ ଅଧିକାଂଶ ଗୀତ ହୃଦୟରୁ ଝରିଆସୁଥିବା ସରଳ ଓ ମନଛୁଆଁ ଭାବ ଉପରେ ଆଧାରିତ। ସେହି ଭାବକୁ ଗୀତର ଶୃଂଖଳାରେ ବାନ୍ଧିବା ପାଇଁ କେଉଁଠି ହେଲେ ଭାଷାଗତ କୃତ୍ରିମତାର ଆଶ୍ରୟ ନିଆଯାଇନାହିଁ। ସେଇଥିପାଇଁ ତାହା ସହଜରେ ଛୁଇଁଯାଏ ଶ୍ରୋତା ବା ପାଠକର ମନ। ଯେମିତି କି,

ତୁମେ ଜାଣନା ଜାଣନା
ମୁଁ ଜାଣେନା
କେମିତି ଏତେ ସପନ
ତୁମ ଆଖିରେ ଆଖିରେ
ମୋ ଆଖିରେ
ଥିଲା ଗୋ ହୋଇ ମଉନ।

ଆଉ କେତୋଟି ଗୀତରେ ସାହିତ୍ୟର ଉଚ୍ଚାଙ୍ଗ ପରିପାଟୀ ବି ଉକୁଟି ଆସିଥିବା ଅନୁଭୂତ ହୁଏ। ଯଥା :-

ଜହ୍ନ ହସିଦେଲେ ଜୋଛନା
ଜହ୍ନ କାନ୍ଦିଲେ ବି ଜୋଛନା
ଏ ଜହ୍ନର ଛାତି ପରେ
ରାହୁର କଳାଛାଇ ମନା।

ଏଥିରେ ମଧ୍ୟ ଆମକୁ ପଢ଼ିବାର ସୁଯୋଗ ମିଳେ ଦେବଦାସଙ୍କ ରଚିତ ପୁଲକ ଭରା ଲୋକପ୍ରିୟ ଗୀତଟିଏ :-

ପରଦେଶୀ ବନ୍ଧୁ ତୁମେ
ଯିବ ଉଡି ଉଡ଼ି କି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ’ ହୁଏ ଖାଲି କରତି
ତମ କଥା କେମିତି କେମିତି।

ଷାଠିଏ ଦଶକରୁ ଅନବରତ ଭାବେ ଦେବଦାସ ଓଡିଆ ଗୀତି କବିତାକୁ ସମୃଦ୍ଧ କରିଆସିଛନ୍ତି। ତାଙ୍କ ରଚନାର ଛାପ ଓ ଶୈଳୀ ସ୍ପଷ୍ଟ ଭାବେ ନିଆରା ଯାହା ତାଙ୍କୁ ଓଡିଆ ବେତାର ଓ ଚଳଚ୍ଚିତ୍ର ଗୀତ ଜଗତରେ ଏକ ସ୍ବତନ୍ତ୍ର ଆସନର ଅଧିକାରୀ କରାଇପାରିଛି। ଏହି ପୁସ୍ତକଟି ଏ କ୍ଷେତ୍ରରେ ତା’ଙ୍କର ଅବଦାନକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବାରେ ସଫଳ ହୋଇଛି।

  • ନିହାର ଶତପଥୀ

2 thoughts on “ଦେବଦାସ ଛୋଟରାୟଙ୍କ ସିନେମା ଗୀତ

  1. ସମୀକ୍ଷାଟି ସୁନ୍ଦର ହେଇଛି। ଶ୍ରୀ ଦେବଦାସ ଛୋଟରାୟଙ୍କ ଗୀତି କବିତା ମାନ ସରଳ ଓ ବେଶ୍ ମନଛୁଆଁ। ଗୁଣଗୁଣେଇବାକୁ ପ୍ରେରଣା ଦିଏ।

  2. ଚମତ୍କାର ସମୀକ୍ଷା!
    ସତରେ ଦେବଦାସ କଥା କହିଲେ ତାଙ୍କ ଚମତ୍କାର ଗୀତର କିଛି ଧାଡି କହିଲା ପରି ଲାଗେ।
    ଠିକ୍ ଦେବଦାସଙ୍କ କହିବା ବା ଲେଖିବା ଭଳି ଶୈଳୀରେ ନିଆରା ସମୀକ୍ଷା ଟି ହୋଇଛି।
    ଯେତେ ଭଲ ହୋଇଛି କହିଲେ କମ ହେବ।
    ଧନ୍ୟବାଦ ଏହି ଚମତ୍କାର ସମୀକ୍ଷା ପାଇଁ।

Leave a Reply

Your email address will not be published. Required fields are marked *